Kulamani Sarangi

Classics

5  

Kulamani Sarangi

Classics

କଥା କାଦମ୍ବରୀଭାଗ ୨୮

କଥା କାଦମ୍ବରୀଭାଗ ୨୮

5 mins
373



ଇତିହାସ ସାକ୍ଷୀ,ରାଜ-ପରିବାରର ଭ୍ରାତୃବିବାଦ ଏବଂ ଷଡଯନ୍ତ୍ର ଯୁଗେ ଯୁଗେ ଶାସକ ପରିବାରର କ୍ଷତି କରିବା ସଙ୍ଗେ ସଙ୍ଗେ ଶାସିତର ମଧ୍ୟ ଅପୂରଣୀୟ କ୍ଷତି କରିଛି। ମୌର୍ଯ୍ୟ ବଂଶର ଭ୍ରାତୃ ବିବାଦ ହେଉ ଅଥବା ମୋଗଲ ବାଦଶାହଙ୍କ ଗୃହଯୁଦ୍ଧ କିମ୍ବା ଉତ୍କଳ-ପରନ୍ତପ ପୁରୁଷୋତ୍ତମଙ୍କ ସହିତ କପିଳେନ୍ଦ୍ରଙ୍କର ଅଷ୍ଟାଦଶ ପୁତ୍ରଙ୍କ ସଂଗ୍ରାମ ,ପ୍ରତି କ୍ଷେତ୍ରରେ ରକ୍ତରଞ୍ଜିତ ହୋଇଛି ରାଜସିଂହାସନ।ମହାଭାରତ ଯୁଗୀୟ ରାଜବଂଶ ମଧ୍ୟ ସେପରି ବିବାଦରୁ ବାଦ ଯାଇ ନଥିଲା ;ବିଶେଷକରି ହସ୍ତିନା ରାଜପ୍ରାସାଦର ଷଡଯନ୍ତ୍ର ଥିଲା ଅତି ଭୟାବହ।

     

==== କୌରବ ଶହେ ଭାଇ ସବୁବେଳେ ପାଣ୍ଡବ-ମାରଣ ମନ୍ତ୍ର ଜପ କରୁଥିଲେ । ଗୋଟିଏ ବନରେ ଦୁଇଟି ସିଂହ ଏବଂ ଗୋଟିଏ କୋଷରେ ଦୁଇଟି ଖଡ୍ଗ ରହିପାରନ୍ତି ନାହିଁ। ଯୁଧିଷ୍ଠିରଙ୍କ ମନରେ ଅସୂୟା ଭାବ ନଥିଲେ ମଧ୍ୟ ଦୁର୍ଯ୍ୟୋଧନଙ୍କ ମନ ଏବଂ ପ୍ରାଣ ସବୁବେଳେ ଈର୍ଷା ଅଗ୍ନିରେ ପ୍ରଜ୍ବଳିତ ହେଉଥିଲା। ଏଭଳି ଈର୍ଷାର ମୁଖ୍ୟ କାରଣ ଥିଲା ଯୁଧିଷ୍ଠିରଙ୍କ ଲୋକପ୍ରିୟତା। ଯୁଧିଷ୍ଠିରଙ୍କୁ ପ୍ରଜାମାନେ ବହୁତ୍ ଭଲ ପାଉଥିଲେ।ପିତା ପଣ୍ଡୁ ଉତ୍ତମ ଶାସକ ଭାବରେ ପ୍ରଜାମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲେ।ପଣ୍ଡୁଙ୍କର ସମସ୍ତ ଗୁଣ ଯୁଧିଷ୍ଠିରଙ୍କ ଠାରେ ପରିପୂର୍ଣ୍ଣ ହୋଇ ରହିଥିଲା।ପ୍ରଜାମାନେ ଆଶା କରୁଥିଲେ ଯେ ରାଜପରିବାରର ଜ୍ୟେଷ୍ଠ ପୁତ୍ର ହୋଇଥିବାରୁ, ଧୃତରାଷ୍ଟ୍ରଙ୍କ ପରେ ଯୁଧିଷ୍ଠିର ହିଁ ସିଂହାସନ ଆରୋହଣ କରିବେ। ପ୍ରଜାମାନଙ୍କ ଇଚ୍ଛା ଏବଂ ବରିଷ୍ଠ କୁରୁ ମାନଙ୍କର ପରାମର୍ଶ ଅନୁଯାୟୀ ଯୁଧିଷ୍ଠିରଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିବାପାଇଁ ବାଧ୍ୟ ହୋଇ ଥିଲେ ଧୃତରାଷ୍ଟ୍ର। ଯୁବରାଜ ଭାବରେ ପ୍ରଜାମାନଙ୍କର ସମସ୍ତ ସୁଖ ସୁବିଧା ଭଲ-ମନ୍ଦର ବିଚାର କରି ଉଚିତ ନ୍ୟାୟ ଦେଉଥିଲେ ଯୁଧିଷ୍ଠିର।ଘରେ ଘରେ ବୁଲି, ପ୍ରଜାମାନଙ୍କ ସହିତ ସାକ୍ଷାତ କରି,ଶାସକ ଓ ଶାସିତ ଭିତରେ ଥିବା ଦୂରତା ଦୂରକରି ପ୍ରଜାମାନଙ୍କ ସମସ୍ୟାର ସମାଧାନ କରୁଥିଲେ ଯୁବରାଜ ଯୁଧିଷ୍ଠିର।


==== ଯୁଧିଷ୍ଠିରଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇଗଲେ ଦୁର୍ଯ୍ୟୋଧନ। ଯୁଧିଷ୍ଠିରଙ୍କ ଜ୍ୟେଷ୍ଠତାକୁ ସେ ସମ୍ମାନ ଦେଉନଥିଲେ।ପିତାଙ୍କ ଉତ୍ତରାଧିକାରୀ ଭାବରେ ନିଜେ ରାଜସିଂହାସନ ଅଧିକାର କରିବାକୁ ଚାହୁଁଥିଲେ। କିନ୍ତୁ ପାଣ୍ଡବଙ୍କ ଲୋକପ୍ରିୟତା ଏବଂ ସମର ପଟୁତା ଆଗରେ ଦିବାସ୍ବପ୍ନ ଭଳି ମନେ ହେଉଥିଲା ତାଙ୍କର ସିଂହାସନ ଲାଭ କରିବା ଇଚ୍ଛା।


==== ଖଳ-ବୁଦ୍ଧିରେ ପ୍ରବୀଣ ମାତୁଳ ଶକୁନି,ପ୍ରିୟତମ ଭ୍ରାତା ଦୁଃଶାସନ ଏବଂ ଅନ୍ତରଙ୍ଗ ସଖା କର୍ଣ୍ଣଙ୍କ ସହିତ ମନ୍ତ୍ରଣା କରି ସମସ୍ୟାର ସମାଧାନ ଖୋଜିବାରେ ଲାଗିଲେ ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ଜାଣିଥିଲେ ଯେ ପ୍ରାସାଦ ଭିତରେ ବା ରାଜଧାନୀ ଭିତରେ ପାଣ୍ଡବ ମାନଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ପ୍ରଜାମାନେ ଛାଡ଼ିବେ ନାହିଁ। ତେଣୁ ପାଣ୍ଡବ ମାନଙ୍କୁ ସୁଦୂର କୌଣସି ସ୍ଥାନକୁ ପଠାଇ କୌଶଳରେ ହତ୍ୟା କଲେ ତାହା ଦୁର୍ଘଟଣା ମନେକରି କିଛି ଦିନ ପରେ ପ୍ରଜାମାନେ ଭୁଲିଯିବେ। ସେହି ଯୋଜନାକୁ ରୂପାନ୍ତରିତ କରିବାପାଇଁ ବାରୁଣାବନ୍ତ ନଗରକୁ ବଛାଗଲା।ବାରୁଣାବନ୍ତରେ ସେ ସମୟରେ ଶିବଙ୍କର ଧନୁଉତ୍ସବ ହେବାର ଥାଏ।ପାଣ୍ଡବ ମାନଙ୍କୁ ସେ ସ୍ଥାନକୁ ପଠାଇ, ଜଉ, ଘୃତ,ଛଣପଟରେ ନିର୍ମିତ ଗୋଟିଏ ପ୍ରାସାଦ ଭିତରେ ସେମାନଙ୍କ ଅବସ୍ଥାନର ବ୍ୟବସ୍ଥା କରି, ନିଦ୍ରା ଯାଇଥିବା ସମୟରେ ଅଗ୍ନି ସଂଯୋଗ କରି ଜୀବନ୍ତ ଦଗ୍ଧ କରିବାର ଯୋଜନା କଲେ ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଓ ଦୁଃଶାସନ।


==== କିନ୍ତୁ ରାଜାଙ୍କ ବିନା ଆଦେଶରେ କଣ ପାଣ୍ଡବମାନେ ବାରୁଣାବନ୍ତ ଯିବେ? ସେ ବ୍ୟବସ୍ଥା କରିବାପାଇଁ ପିତା ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚି ଦୁର୍ଯ୍ୟୋଧନ କ୍ରନ୍ଦନ କରିବା ଆରମ୍ଭ କଲେ.. ପିତା ଶ୍ରୀ ! ଯେଉଁଦିନ ଯୁଧିଷ୍ଠିର ରାଜା ହେବ, ସେଦିନ କୌରବ ମାନଙ୍କର ଦୁଃଖର ଘଟ ପୂର୍ଣ୍ଣ ହେବ।ଗଳାଧକ୍କା ଦେଇ ପାଣ୍ଡବମାନେ ଆପଣଙ୍କୁ, ମାତାଶ୍ରୀଙ୍କୁ ଏବଂ ମୋର ଶହେ କୌରବ ଭାଇଙ୍କୁ ରାଜ୍ୟରୁ ବିତାଡିତ କରିବେ।ହାତରେ ଭିକ୍ଷାଥାଳ ଧରି ଆମକୁ ଦ୍ବାର ଦ୍ବାର ବୁଲି ଭିକ୍ଷା ମାଗିବାକୁ ପଡ଼ିବ।ସେ ପରିସ୍ଥିତିର ସମ୍ମୁଖୀନ ହେବା ପୂର୍ବରୁ ମୁଁ ବିଷପାନ କରି ଆତ୍ମହତ୍ୟା କରିବାକୁ ଚାହେଁ।


==== ଧୃତରାଷ୍ଟ୍ର ଶାନ୍ତ୍ବନା ଦେଇ କହିଲେ..ପ୍ରିୟ ଯୁଧିଷ୍ଠିର ସେଭଳି କଦାପି କରିବ ନାହିଁ ପୁତ୍ର ଦୁର୍ଯ୍ୟୋଧନ,ସର୍ବଦା ସେ ଧର୍ମପଥଗାମୀ। ଭୀମସେନ ବ୍ୟତୀତ ପାଣ୍ଡୁପୁତ୍ର ମାନଙ୍କର ତୁମମାନଙ୍କ ପ୍ରତି ବ୍ୟବହାର ବହୁତ୍ ଭଲ।ଭୀମସେନର ମଧ୍ୟ ମୁହଁଟା ସିନା ଖରାପ୍,ଅନ୍ତରଟା ନିର୍ମଳ। ତୁମର ଏ ଆଶଙ୍କା ଅମୂଳକ।"


ଦୁର୍ଯ୍ୟୋଧନ ବିରକ୍ତ ହୋଇ କହିଲେ... କିନ୍ତୁ ଯୁଧିଷ୍ଠିର କେଉଁ ଅଧିକାରରେ ରାଜା ହେବ? କାହିଁକି ଯୁଧିଷ୍ଠିର ବର୍ତ୍ତମାନ ଯୁବରାଜ ପଦରେ ଆସୀନ ? ଆପଣ ରାଜା,ଆପଣଙ୍କ ପୁତ୍ର ଭାବରେ ମୁଁ ହିଁ ସିଂହାସନର ଅଧିକାରୀ। ମୁଁ ମୋର ଅଧିକାର କାହିଁକି ଛାଡ଼ିବି ପିତାଶ୍ରୀ ?


ଧୃତରାଷ୍ଟ୍ର କହିଲେ... କୁରୁବଂଶର ଜ୍ୟେଷ୍ଠ ସନ୍ତାନ ଭାବେ ଯୁଧିଷ୍ଠିରର ପ୍ରଥମ ଅଧିକାର ସିଂହାସନ ଉପରେ ପୁତ୍ର,ଏହା ବିଜ୍ଞ ବିଦୂର ଏବଂ ପିତାମହଙ୍କ ମତ; ପ୍ରଜାମାନେ ମଧ୍ୟ ତାହାହିଁ ଚାହାଁନ୍ତି।


==== ଅଧୈର୍ଯ୍ୟ ହୋଇ ଦୁର୍ଯ୍ୟୋଧନ କହିଲେ ... ପ୍ରଜାମାନଙ୍କର ଏହି ଧାରଣା ଆମକୁ ପରିବର୍ତ୍ତନ କରିବାକୁ ହେବ।ପାଣ୍ଡବ ମାନଙ୍କୁ ଆପଣ କିଛିଦିନ ବାରୁଣାବନ୍ତ ପଠାଇ ମୋତେ ଯୁବରାଜର କାର୍ଯ୍ୟ ଭାର ଦିଅନ୍ତୁ।ବାରୁଣାବନ୍ତରୁ ସେମାନେ ଫେରିବା ଭିତରେ ମୁଁ ପ୍ରଜାମାନଙ୍କର ହୃଦୟ ଜିଣି ସବୁ ପରିବର୍ତ୍ତନ କରି ଦେବି। ପ୍ରଜାମାନେ ମୋତେ ହିଁ ସେମାନଙ୍କର ଭାବି ସମ୍ରାଟ ଭାବରେ ଗ୍ରହଣ କରିବେ।ଆପଣ ଯଦି ଏହା ନକରିବେ ତାହେଲେ ମୁଁ ନିଶ୍ଚିତ ଭାବରେ ବିଷପାନ କରି ଆତ୍ମହତ୍ୟା କରିବି।


==== ଦୁର୍ଯ୍ୟୋଧନଙ୍କର ଏହି ଭାବପ୍ରବଣପୂର୍ଣ୍ଣ ଧମକ, ପୁତ୍ରମୋହରେ ଅନ୍ଧ ଅନ୍ଧରାଜାଙ୍କୁ ବିଚଳିତ କରି ପକାଇଲା।ପାଣ୍ଡବ ମାନଙ୍କୁ ବାରୁଣାବନ୍ତ ଧନୁଉତ୍ସବ ଦର୍ଶନ ପାଇଁ ପଠାଇବାକୁ ପ୍ରତିଶ୍ରୁତି ଦେଲେ ଧୃତରାଷ୍ଟ୍ର।


ଦୁର୍ଯ୍ୟୋଧନଙ୍କ ଆନନ୍ଦର ସୀମା ରହିଲା ନାହିଁ।ଶକୁନି,କର୍ଣ୍ଣ ଓ ଦୁଃଶାସନଙ୍କ ସହିତ ମିଶି ଚକ୍ରାନ୍ତର ସଫଳ ରୂପାୟନ ଯୋଜନାରେ ଲାଗିପଡିଲେ ଦୁର୍ଯ୍ୟୋଧନ।"ପୁରୋଚନ" ନାମକ ଜଣେ ବିଶ୍ବସ୍ତ ମନ୍ତ୍ରୀଙ୍କୁ ଜତୁଗୃହ ନିର୍ମାଣ କରିବା ଦାୟିତ୍ବ ଦିଆଗଲା।


==== ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ପାଖକୁ ଡକାଇ କହିଲେ... ରାଜକାର୍ଯ୍ୟରେ ତୁମେ ସର୍ବଦା ନିଜକୁ ନିୟୋଜିତ କରି ମନୋରଞ୍ଜନକୁ ଭୁଲିଯାଇଛ ପୁତ୍ର ଯୁଧିଷ୍ଠିର।ମାତା ଏବଂ ଭ୍ରାତା ମାନଙ୍କ ସହିତ ବାରୁଣାବନ୍ତରେ ଅନୁଷ୍ଠିତ ହେବାକୁ ଯାଉଥିବା ଧନୁ ଉତ୍ସବରେ ଯୋଗ ଦେଇ , କିଛି ଦିନ ସେଠାରେ ବ୍ୟତୀତ କରି ଫେରିଆସ ପୁତ୍ର। ପ୍ରଜାମାନଙ୍କର ତୁମେ ଅତ୍ୟନ୍ତ ପ୍ରିୟ। ସେମାନେ ନିଜର ପ୍ରିୟ ଯୁବରାଜଙ୍କର ଦର୍ଶନ ପାଇଁ ମଧ୍ୟ ଉଦ୍ବିଘ୍ନ।


==== ସରଳମନା ଯୁଧିଷ୍ଠିର ରାଜାଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ମାତା ଓ ଭ୍ରାତା ମାନଙ୍କୁ ଜଣାଇ ଦେଲେ।ମାତା କୁନ୍ତୀ ଏବଂ ଦ୍ବିତୀୟ ପାଣ୍ଡବ ଭୀମଙ୍କ ମନରେ କିନ୍ତୁ ସନ୍ଦେହ ଆସିଲା।ବିଜ୍ଞ ବିଦୂରଙ୍କ ସହିତ ଏ ବିଷୟରେ ଆଲୋଚନା କଲେ କୁନ୍ତୀ।ବିଦୂର ଷଡ଼ଯନ୍ତ୍ରର କିଛି ଆଭାସ ପାଇଥାନ୍ତି। ପାଣ୍ଡବମାନେ ବାରୁଣାବନ୍ତକୁ ପ୍ରସ୍ଥାନ କରିବା ସମୟରେ ବିଦୂର ଉପଦେଶ ଛଳରେ ଯୁଧିଷ୍ଠିରଙ୍କୁ କହିଲେ...ବତ୍ସ ଯୁଧିଷ୍ଠିର,ତୁମର ବିଜ୍ଞତା ଅତୁଳନୀୟ, କିନ୍ତୁ ବେଳେ ବେଳେ ସରଳତା ବିଜ୍ଞତାକୁ ଧୋକା ଦେଇଥାଏ। ସର୍ବଦା ମନେରଖିଥିବ ବଳଶାଳୀ ଆଗରେ ବୁଦ୍ଧିମତା ହିଁ ସବୁବେଳେ କାମ ଦିଏ।ଅରଣ୍ୟରେ ଅଗ୍ନି ଲାଗିଲେ ହସ୍ତି,ଗଣ୍ଡା,ବ୍ୟାଘ୍ର ଭଳି ବିରାଟଜନ୍ତୁ ସମେତ ଅନ୍ୟ ସମସ୍ତ ପ୍ରାଣୀ ଦଗ୍ଧହୋଇ ପ୍ରାଣ ହରାନ୍ତି, କିନ୍ତୁ ମୂଷିକ ଭଳି କ୍ଷୁଦ୍ରଯନ୍ତୁ ବିଳ ଭିତରେ ଲୁଚି ଯାଇ ଜୀବନ ରକ୍ଷା କରନ୍ତି।


ବିଜ୍ଞ ବିଦୂରଙ୍କ ଏହି ସାଙ୍କେତିକ କଥାରୁ ଯୁଧିଷ୍ଠିର କିଛି ଷଡ଼ଯନ୍ତ୍ରର ଆଭାସ ପାଇଲେ।ବାରୁଣାବନ୍ତରେ ପହଞ୍ଚି ଜଉ,ଘୃତ ଛଣପଟରେ ନିର୍ମିତ ଲାକ୍ଷାଗୃହକୁ ନୀରୀକ୍ଷଣ କରି ଜାଣିପାରିଲେ ଯେ ସେମାନଙ୍କୁ ଜୀବନ୍ତ ଦଗ୍ଧ କରିବାର ଯୋଜନା କରାଯାଇଛି। କୁନ୍ତୀ ଏହା ଯୁଧିଷ୍ଠିରଙ୍କଠାରୁ ଶୁଣି ଭୟରେ ଶିହରି ଉଠିଲେ।

ଚକ୍ରାନ୍ତକାରୀ ପୁରୋଚନ ଅପେକ୍ଷା କରି ରହିଥାଏ ସୁଯୋଗ ଦେଖି ଜତୁଗୃହରେ ଅଗ୍ନି ସଂଯୋଗ କରିବାପାଇଁ।


ଇତିମଧ୍ୟରେ ବିଦୂର, ବିଳ ଖୋଦନ କରିବାରେ ସିଦ୍ଧହସ୍ତ ଜଣେ ବ୍ୟକ୍ତିଙ୍କୁ ଗୋପନରେ ଯୁଧିଷ୍ଠିରଙ୍କ ସହିତ ଯୋଗାଯୋଗ କରିବାପାଇଁ ପଠାଇଲେ। ସେହି ବ୍ୟକ୍ତି,ପୁରୋଚନର ଅଜ୍ଞାତରେ,ଜତୁଗୃହ ମଧ୍ୟରୁ ମାଟି ଭିତରେ ଏକ ବିଳ ଗଙ୍ଗାନଦୀ ତଟ ପର୍ଯ୍ୟନ୍ତ ଖୋଦନ କରିବାରେ ଲାଗିପଡିଲା। ରାତିରେ ପାଣ୍ଡବମାନେ ସଜାଗ ରହୁଥିଲେ,ଦିନରେ ଗଙ୍ଗା କୂଳରେ ବୁଲି ପଳାୟନ ପଥ ନିର୍ଦ୍ଧାରିତ କରୁଥିଲେ। 


ମାଟି ଭିତରେ ଯେଉଁଦିନ ବିଳ ଖୋଦନ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା, ସେହି ରାତିରେ ପାଣ୍ଡବମାନେ ସ୍ଥିର କଲେ ଜତୁଗୃହରେ ଅଗ୍ନି ସଂଯୋଗ କରି ପଳାୟନ କରିବାପାଇଁ। ସେଦିନ ଶିବଙ୍କ ଧନୁ ଉତ୍ସବରେ ମୁଖରିତ ଥିଲା ବାରୁଣାବନ୍ତ ନଗ୍ର।ଯୋଗକୁ ଜତୁଗୃହର ଅତିଥି କୋଠରୀ ବାହାରେ ସେଦିନ ଏକ କିରାତ ନାରୀ ତାର ପାଞ୍ଚଟି ପୁତ୍ରଙ୍କୁ ଧରି ଆଶ୍ରା ନେଇଥାଏ।ପୁରୋଚନ ମଧ୍ୟ ଶୟନ କରିଥାଏ ସଂଲଗ୍ନ କୋଠରୀରେ। ଦ୍ବିତୀୟ ପାଣ୍ଡବ ଭୀମ ନିଶାର୍ଦ୍ଧରେ ଜତୁଗୃହରେ ଅଗ୍ନି ସଂଯୋଗ କରି, ଚାରିଭାଇ ଓ ମାତା କୁନ୍ତୀଙ୍କ ସହିତ ବିଳ ମଧ୍ୟ ଦେଇ ପଳାୟନ କରି ଗଙ୍ଗା ନଦୀ ତଟରେ ବାହାରିଲେ।

ଦୂରରୁ ପାଣ୍ଡବମାନେ ଦେଖିଲେ ଲାକ୍ଷାଗୃହ ଧୁ ଧୁ ହୋଇ ଜଳୁଛି।ଜତୁଗୃହ ସହିତ ଜଳିଗଲା ଚକ୍ରାନ୍ତର ପୁରୋଧା ପୁରୋଚନ ଏବଂ କିରାତ ରମଣୀ ସମେତ ପାଞ୍ଚଟି ନିରିହ ପ୍ରାଣ।


ଜତୁଗୃହରୁ ରକ୍ଷା ପାଇବାପରେ କୁନ୍ତୀ ଆଉ ରାଜପ୍ରସାଦକୁ ଫେରି ଯିବାପାଇଁ ଚାହୁଁ ନଥିଲେ।ବିଷଧର ସର୍ପର ବିଳ ଠାରୁ କୌଣସିମତେ କମ୍ ନଥିଲା କୁରୁ ରାଜପ୍ରସାଦ।ଭୀମ କହିଲେ..ଚାଲ ହସ୍ତିନାକୁ ଫେରିଯାଇ , ଯୁଦ୍ଧକରି କୌରବଙ୍କୁ ଗାଦିଚ୍ୟୁତ କରି ସିଂହାସନ ଅଧିକାର କରିବା।" ଯୁଧିଷ୍ଠିର କହିଲେ... ସେପରି କଲେ ପିତାମହ ଭୀଷ୍ମ ଏବଂ ବିଜ୍ଞ ବିଦୂର ଆମକୁ ସମର୍ଥନ କରିବେ ନାହିଁ। ବିଶାଳ ହସ୍ତିନା ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ଆମେ ଜୟଲାଭ କରିବାର ସମ୍ଭାବନା କମ୍। ବରଂ ଆମେ ଗୁପ୍ତରେ ଜୀବନ ଯାପନ କରି,କାଳକ୍ରମେ ଅନ୍ୟ ରାଜଶକ୍ତିର ସମର୍ଥନରେ ନିଜର ରାଜ୍ୟ ପ୍ରତିଷ୍ଠା କରିପାରିବା କିମ୍ବା ଜ୍ୟେଷ୍ଠତାତ ଧୃତରାଷ୍ଟ୍ରଙ୍କ ପରେ ସିଂହାସନ ପାଇବା ପାଇଁ ପ୍ରଚେଷ୍ଟା କରିପାରିବା ।

କୁନ୍ତୀ କହିଲେ... ତାହା ହିଁ ହେବ ବୁଦ୍ଧିମାନର କାର୍ଯ୍ୟ। 




Rate this content
Log in

Similar oriya story from Classics