PRIYANKA PRIYADARSHANI DAS

Tragedy Classics Others

5.0  

PRIYANKA PRIYADARSHANI DAS

Tragedy Classics Others

ବୋଉ ଆଉ ନାଲି ପାଟ

ବୋଉ ଆଉ ନାଲି ପାଟ

4 mins
653



ପଡ଼ୋଶୀ ଘର ମୀନା ମାଉସୀଙ୍କ ନାଲି ରଙ୍ଗର ପାଟ ଲୁଗା ଦେଖି ବୋଉ ର ଆଖିରେ ଲୁହ ଜକେଇ ଆସେ। ଏଇ ନାଲି ରଙ୍ଗ ଟା ଯେ ତା'ର କେତେ ପ୍ରିୟ! ବୋଉ ବାହା ହେଇ ଆସିଲା ବେଳେ ତା ବାପଘରୁ କାଳେ ଠିକ୍ ସେଇମିତି ନାଲି ରଙ୍ଗର ପାଟଟେ ଆଣିଥିଲା। କେତେ ସରାଗରେ ଟ୍ରଙ୍କ ରେ ସାଇତି ଥିଲା, ଯାନି ଯାତ ହେଲେ ପିନ୍ଧିବ ବୋଲି ଶାଢ଼ୀ ଟିକୁ।କିନ୍ତୁ ଅନେଶତ ମସିହା ଧୋଇ ଦେଲା ଯେ ସବୁ କିଛି, ନଷ୍ଟ ହେଇଗଲା ସାଇତା ନାଲି ପାଟଟି । ଦୁଆର ବନ୍ଧ ପାଖରେ ମୁହଁ ଶୁଖେଇ ବସେ ବୋଉ, ବାପା ଘରକୁ ଫେରିବା ପର୍ଯ୍ୟନ୍ତ। ବୋଉ ର ଶୁଖିଲା ମୁହଁଟାକୁ ଦେଖି ସବୁ ବୁଝି ପାରନ୍ତି ବାପା, ଚିରା ପକେଟ୍ ରୁ ଶୂନ୍ୟ ହାତ ନେଇ ଫେରିଲା ବେଳେ ଛେପ ଢୋକନ୍ତି ସେ, ଶୂନ୍ୟ କୁ ଚାହିଁ ନିଜର ଅଭାବୀ ଜୀବନ କଥା ଭାବନ୍ତି।କିଛି ସମୟ ଏମିତି ନୀରବ ରେ ଚାଲେ, ବୋଉ ପୁଣି ସ୍ବାଭାବିକ ହୁଏ।


କାହିଁ କେଉଁ କାଳରୁ ବାହା ହେଇ ଆସିଲାଣି ବୋଉ, ସୁଖ ବୋଲି ବୁଝିନି କିଛି ଅଥଚ ମାନି ନେଇଛି ସବୁ କିଛି। ଶାଶୂ ଶଶୁରଙ୍କ ଠୁଁ ଆରମ୍ଭ କରି ଦିଅର ନଣନ୍ଦ ଯାଏଁ ସମସ୍ତଙ୍କ ଦାୟିତ୍ଵ ଗ୍ରହଣ କରିଛି ଆଉ ଯଥାଯଥ ଭାବରେ ନିର୍ବାହ ବି କରିଛି। କେବେ କୌଣସି କଥାରେ ଜିଦ୍ ଟେ ନଥାଏ ଅଥଚ ବର୍ଷ ବର୍ଷ ଦରପେଟ ହେଇ ସଞ୍ଚିଥିବା ଧନକୁ ମାନସିକ ଭାବେ ଦିଅଁ ଦେହରେ ଲଗେଇ ସେ ଅହୋଭାଗ୍ୟ ମଣୁଥଏ । ତା ଦୁଆର ମୁହଁରୁ କୋଉ ଭୋକିଲା ପେଟ କେବେ ଫେରି ଯାଇଥିବାର କେହି ଦେଖି ନାହାଁନ୍ତି। ଅଥଚ ସଉକ ବୋଲି ଶଦ୍ଦ ଟେ ନଥାଏ ତା ଭାଷାକୋଷରେ କେବେ ବି। ଅଭାବୀ ସଂସାର ଟା ଠିକ୍ ଏଇମିତି। ଅଭାବୀ ଲୋକର ଜୀବନ ସରିଯାଏ ହେଲେ ଅଭାବ ସରେନା । ଦୀର୍ଘ ୨୨ ବର୍ଷର ସଂସାର ଭିତରେ କେତେ ଥର ଦରପେଟ ହେଇ ଶୋଇଥିବ, କେତେ ମେଳା ମଉଛବ ଯାଇଥିବ ହେଲେ ବୋଉ ମନ ବୁଝେଇ ଥିବ ପୁଣି ଆସନ୍ତା ମେଳା ମଉଛବ କୁ। ମେଳା ରେ ବିଭିନ୍ନ ନାଲି ରଙ୍ଗର ପାଟ ସବୁ ନିରିଖେଇ ଦେଖୁଥିବ। ସେ ନାଲି ରଙ୍ଗର ପାଟ ପ୍ରତି ତାର କାହିଁ କେଜାଣି ଅହେତୁକ ଲୋଭ। ମେଳା ଜାଗାରେ ମେଳା ଚାଲିଥିବ କିନ୍ତୁ ତା ମନ ଥିବ ସେଇଠି। କିଣିବା ପାଇଁ ହାତରେ ଧରିବ ହେଲେ ଠିକ୍ ଦାମ୍ ଶୁଣିଦେବା ମାତ୍ରେ ଛେପ ଢ଼ୋକିବ, ରଙ୍ଗ ପସନ୍ଦ ହଉନି କହି ବାଟ କାଟିନେବ। ଘରକୁ ଫେରି ମନ କଥା ମନରେ ମାରୁଥିବ ପୁଣି ରହି ଯାଇଥିବା ଚିରା ଫଟା ଲୁଗା ସବୁ ଏକାଠି କରିବ। ଆଖିରେ ଦିଶୁନଥିବ ତଥାପି ଛୁଞ୍ଚିରେ ସୂତା ଭର୍ତ୍ତି କରି ସିଲାଉଥିବ ବାପାଙ୍କ ଜାମା, ଆମ ଜାମା ଆଉ ଶେଷରେ ତା'ର ଦୁଇଁ ଯାଇଥିବା ଶାଢ଼ୀ ଆଉ ବ୍ଲାଉଜ ମାନଙ୍କୁ। ତା ଚିରା ପଣତ ଫାଙ୍କରେ ସେ ଦେଖି ପାରେ ଜହ୍ନ କୁ ଖୁବ୍ ଖୁସି ହୁଏ ସେ। ଗୁଣୁଗୁଣୁ ହେଇ ଗାଏ କୋଉ ମାନ୍ଧାତା ଅମଳର ଗୀତ। ହଜିଯାଏ କିଛି ସମୟ ସେଇଠି।ବାପା ଯେବେ ଯେବେ ସାହସ ଓ ଟଙ୍କା ଜୁଟାଇ ବୋଉକୁ ଲୁଗା କିଣିବାକୁ କହନ୍ତି ବୋଉ ହସେ ଆଉ କହେ,"ମୋ ଟ୍ରଙ୍କ ସାରା ଗଦା ଗଦା ଲୁଗା ଆଉ ଲୁଗା ପୁଣି କଣ୍ କରିବି? ତା ଛଡ଼ା ଅମୁ ଆମର ବଡ଼ ହେଇଗଲେ କେତେ ରକମ୍ ର ଶାଢ଼ୀ ଆଣି ଗଦେଇ ଦବ ଯେ ଜାଗା ନଥିବ ସାଇତିଵାକୁ!"ଏତକ ଏକା ନିଃଶ୍ୱାସ ରେ କହି ସାରି ଝରି ପଡ଼ୁଥିବା ଲୁହ ସବୁକୁ ସାତ ସିଆଁ ଲୁଗା କାନିରେ ପୋଛି ପକାଏ ବୋଉ, ଦୀର୍ଘ ଶ୍ଵାସ ଛାଡ଼ି ଥକ୍କା ମାରି ବସି ପଡ଼ନ୍ତି ବାପା।

××××××××××××××××××××××××××××××

ଏବେ ଯେବେ ଯେବେ ବର୍ଷା ହୁଏ, ମୋ ରୁମ୍ ର ଝରକା ଖୋଲି ଦେଖେ ହଷ୍ଟେଲ ପାଖ ଗାର୍ଡେନ ର ଘାସ ଗାଲିଚା ଉପରେ ନାଲି ରଙ୍ଗର ପାଟ ପିନ୍ଧି ସଜେଇ ହେଇଥିବା ସାଧବ ବୋହୂ ପୋକଙ୍କୁ। ଭାରି ସୁନ୍ଦର୍ ଦିଶନ୍ତି ସେମାନେ। ମନେ ପଡ଼େ ବୋଉ ଆଉ ତା'ର ପ୍ରିୟ ନାଲି ରଙ୍ଗର ପାଟ ଶାଢ଼ୀ କଥା।। ବୋଉ ପିନ୍ଧୁଥିବା ଦେହ ଲୁଚା ନଅ ହାତ ଶାଢ଼ୀର ପ୍ରତ୍ୟେକ ତନ୍ତୁରେ ବୁଣି ହେଇଥିବା ତା'ର ସଂଘର୍ଷ ର କାହାଣୀକୁ ଏକ ବିଡ଼ମ୍ବିତ ଉପନ୍ୟାସ କୁହା ଯାଇପାରେ କେବଳ।


ଆଜିକାଲି ବୋଉର ଦେହ ଆଉ ଭଲ ରହୁନି। ଅବସର ପରେ ବାପା ବି କେମିତି ଏକ ଅନ୍ୟମନସ୍କତା ରେ ପ୍ରାୟ ସମୟରେ। ଏଇ ସବୁ ଦୁଃଖ ମଧ୍ୟରେ କେବଳ ଏକ ଆଶ୍ୱସ୍ତି ର ଖବର ହେଉଛି ମୁଁ ଭୁବନେଶ୍ୱର ରେ ଚାକିରି ଟେ ପାଇ ପାରିଛି। ମହରଗ ଯୁଗରେ ଚାକିରି ମିଳିବା ଯେ କେତେ କଷ୍ଟ ତାହା କେବଳ ଅନୁଭବୀ ହିଁ ଜାଣେ। ବାପା ଫୋନ୍ କରନ୍ତି, ବୋଉ ର ବର୍ଷ ବର୍ଷ ଧରି ଲାଗି ରହିଥିବା ରୋଗଟା ହଠାତ୍ କେମିତି ଭଲ ହେଇଯାଇଛି ମୋ ଚାକିରୀ ପାଇବା ଖବର ଶୁଣି ବୋଲି ବାପା କହନ୍ତି। ଛାତି ତଳେ ଅନେକ ଯାତନା କୁ ଜମାଟ ବାନ୍ଧି, ମୋ ସଫଳତା ରେ ଦୁହେଁ ବହୁତ ଖୁସି ତଥା ଗର୍ବିତ ବୋଲି କହନ୍ତି।

ଚାହୁଁ ଚାହୁଁ ମାସଟେ ବିତିଗଲା । ଦରମା ଗଣ୍ଡାକ ଆଜି ହାତ ମୁଠାକୁ ଆସିଛି। ରବିବାରିଆ ଦେଖି ଦଉଡ଼ି ଯାଇଛି ମାର୍କେଟ ବିଲ୍ଡିଂ ର ବୟନିକା ବସ୍ତ୍ର ଦୋକାନ କୁ। ଭଳିକି ଭଳି ଶାଢ଼ୀ ସବୁ ଦେଖିଲା ପରେ ଖୋଜି ପାଇଛି ବୋଉର ବହୁ ପ୍ରତୀକ୍ଷିତ ତଥା ପ୍ରିୟ ନାଲି ରଙ୍ଗର ପାଟ ଶାଢ଼ୀ କୁ। ବୋଉ କୁ ଚମକେଇ ଦେବା ଉଦ୍ଦେଶ୍ୟରେ ବାପା ବୋଉଙ୍କୁ ନ ଜଣାଇ ଅଫିସ୍ ରୁ ଏମର୍ଜେନ୍ସୀ ଛୁଟି ନେଇ ବାହାରିଗଲି ଗାଁ ଅଭିମୁଖେ।


ଅଗଣାରେ ସୋରିଷ ବୁଣି ହେଉନଥିବା ଭଳି ଲୋକଙ୍କ ଭିଡ଼। କିଏ ଅଦିନରେ ଝଡ଼ି ଗଲା ବୋଲି କହି ବାହୁନୁ ଥିଲା ତ କିଏ ଭଗବାନ୍ ଙ୍କ ଇଚ୍ଛା ବୋଲି କହି ଦେଉଥିଲା ସାନ୍ତ୍ଵନାମୂଳକ ବାଣୀ । କାହିଁକି କେଜାଣି ଅଜଣା ଆତଙ୍କରେ ପାଦ ଦୁଇଟି ଆଗକୁ ବଢ଼ିବାରୁ ବିରତ ହେଉଥାଏ ବାରମ୍ବାର। ତଥାପି ସାହସ ଯୁଟାଇ ଭିଡ଼ ଭାଙ୍ଗି ଆଗକୁ ଯାଉଥାଏ ମୁଁ,ହେଲେ ଯିବା ପରେ ଯାହା ଦେଖିଲି ସେଥିରେ ମୁଁ ନିର୍ବାକ ହେଇ ଛିଡ଼ା ହୋଇ ରହିଲି କେବଳ। ବୋଉ ମୋର ପରମ ଶାନ୍ତିରେ ଶୋଇଯାଇଛି କାହିଁ କେତେବେଳୁ। ପାଖରେ କୋକେଇ ବନ୍ଧା ଚାଲିଛି। ଦୁଆର ମୁହଁରେ ଖୁଣ୍ଟ ଟା ପରି ଛିଡ଼ା ହେଇ ବୋଉ କୁ ଅପଲକ ନୟନରେ ଚାହିଁରହିଥିଲେ ବାପା। ନା କିଛି କହୁଥିଲେ ନା ଆଖିରୁ ଲୁହ ଗଡ଼ାଉ ଥିଲେ ସେ। ମୋ ଆଖିରୁ କିନ୍ତୁ ଲୁହ ମାନି ଲାନି। ବୁଝି ପାରୁନଥାଏ କଣ ସବୁ ଚାଲିଛି ମୋ ଚତୁର୍ପାର୍ଶ୍ୱରେ। ଯେମିତି ଗୋଟେ ଉଲ୍କା ପିଣ୍ଡ ପୃଥିବୀ ପୃଷ୍ଠରେ କଚାଡ଼ ହେଇ ପଡ଼ିଛି, ଆଉ ସବୁ ଆଡ଼େ ଖେଳି ଯାଇଛି ଆର୍ତ୍ତ କୋଳାହଳ। ମୋ ସହର ଟା ଏବେ ପୂରା ଅନ୍ଧାର। ବହୁତ୍ କିଛି ଭାବି ଚାଲିଥିଲି ଆଉ ଅନୁଭବୀ ଚାଲିଥିଲି ପ୍ରକାଶ୍ୟ ରେ ଆଉ କିଛି ଅପ୍ରକାଶ୍ୟରେ। ଠିକ୍ କୋକେ଼ଇ ଉଠିଲା ବେଳେ ମୁଁ ପ୍ରକୃତିସ୍ଥ ହେଲି ଆଖିରୁ ଲୁହ ପୋଛିଲା ବେଳେ ମନେ ପଡ଼ିଲା ବୋଉ ପାଇଁ ସରାଗରେ କିଣି ଆଣିଥିବା ନାଲି ରଙ୍ଗର ପାଟ ଶାଢ଼ୀ କଥା। ବ୍ୟାଗ୍ ରୁ କାଢ଼ି ସଯତ୍ନେ ପିନ୍ଧାଇ ଦେଲି ତା'ର ସ୍ୱପ୍ନର ପାଟ ଶାଢ଼ୀ ଟିକୁ ଆଉ ତାକୁ ଶେଷ ଥର ପାଇଁ ପ୍ରଣାମ୍ କଲି। ସିନ୍ଦୂର, ଶଙ୍ଖା ରେ ଶୋଭିତ ବୋଉ ମୋର ନାଲି ପାଟ ଶାଢ଼ୀ ଟିକୁ ପିନ୍ଧିଲା ପରେ ଜୀବନ୍ତ ପ୍ରତିମା ପରି ଦିଶିଲା ସିନା ହେଲେ ଦେହରେ ଜୀବନ ନଥିଲା ଆଉ। ମୋ ପାଇଁ ସତତ ଦୁର୍ଭାଗ୍ୟ ଥିଲା ଏସବୁ ଭୋଗିବା।ବଞ୍ଚିଥିବା ବେଳେ ସାମାନ୍ୟ ଶାଢ଼ୀ ଟିଏ ପାଇଁ କେତେ ବାର ଚାହିଁ ଚାହିଁ ତା ଆଖିରୁ ଜଳକା ଶୁଖିଥିବ , ବାପା ଙ୍କୁ ଅଳି କଲା ବେଲେ କେତେ ଥର ତାଙ୍କ ପରିସ୍ଥିତି ଦେଖି ଶଙ୍କି ଯାଇଥିବ ସେକଥା କେବଳ ଭଗଵାନ ଜାଣନ୍ତି, ହେଲେ ଥରୁଟେ ତାକୁ ଭୋଗିବା ପାଇଁ ଭାଗ୍ୟଟେ ନଥିଲା ତା'ର, ହାୟ ଜୀବନ!। ନାଲି ରଙ୍ଗର ପାଟ ଶାଢ଼ୀରେ ବୋଉ ମୋର ଦୂରରୁ ଠିକ୍ ଲାଲ୍ ଟୁକୁ ଟୁକୁ ସାଧବ ବୋହୂ ପରି ଦିଶୁଥିଲା। ଦୂରରୁ ରାମ ନାମ ଶୁଭିବା ସହ ଏକ ଯୁଗର ଅବସାନ ଘଟିଲା।।



Rate this content
Log in

More oriya story from PRIYANKA PRIYADARSHANI DAS

Similar oriya story from Tragedy