Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Dinabandhu Mishra

Tragedy

5.0  

Dinabandhu Mishra

Tragedy

ବୁନ୍ଦାଏ ନୀରବତା

ବୁନ୍ଦାଏ ନୀରବତା

7 mins
662


ମହେଶ ବାବୁ ଭାରି ଚିଡିଚିଡା ଲୋକ। ଲୋକଙ୍କ ଭାଷାରେ ପ୍ରଚଣ୍ଡ ବଦରାଗି ଓ ଅଭଦ୍ର। ମୋର ପଡୋଶୀ ମହେଶ ବାବୁ କ'ଣ ଓ ତାଙ୍କର ଅନ୍ତର ଭିତରଟି କେଉଁଠି? କେଉଁ ପରିସ୍ଥିତିରେ ସେ ଏପରି ଅଭଦ୍ର ବ୍ୟବହାର କରନ୍ତି, ତାହା ଅଳ୍ପ କେତେ ଲୋକ ହିଁ ଜାଣନ୍ତି। 


ମୂଳତଃ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରୁ ଆସିଥିବା ମହେଶ ବାବୁ ଜନ୍ମ ହୋଇଥିଲା ୭୦ ଦଶନ୍ଧି ର ପ୍ରାରମ୍ଭରେ। ପିତାମାତାଙ୍କ ଏକମାତ୍ର ସନ୍ତାନ ମହେଶ ବାବୁଙ୍କ ଭାଗ୍ୟଟି କିନ୍ତୁ ତାଙ୍କ ଜନ୍ମ ସମୟରୁ ବାମ ହୋଇଯାଇଥିଲା କହିଲେ ଚଳେ। କିପରି ଓ କେଉଁ ପରିସ୍ଥିତିରେ ତାଙ୍କ ପିତାଙ୍କର ଅଚାନକ ମୃତ୍ୟୁ ଘଟିଥିଲା ତା ବାବଦରେ ଅନେକ ଅନେକ କିଛି କଥା କୁହନ୍ତି। ଶୁଣାଯାଏ ମହେଶ ବାବୁଙ୍କ ମାଁ ହିଁ ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ କଫି କପ୍ ରେ କେଇ ଟୋପା ବିଷ ମିଶାଇ ଦେଇ। ସେ ଯାହା ହେଉନା କାହିଁକି ନିଜ ଭାଗ୍ୟକୁ ସବୁ ସମୟରେ ବାମ କହୁଥିବା ମହେଶ ବାବୁ କିନ୍ତୁ ନିଜର ବାଲ୍ୟକାଳ କାଟିଥିଲେ ମାମୁଁ ଘରେ। ନିଜ ମାମୁଁ ଙ୍କୁ ବାପା ବୋଲି ଭାବୁଥିବା ମହେଶ ବାବୁ ଯେତେବେଳେ ସାଈପିଲାଙ୍କ ସାଙ୍ଗରେ ରାସ୍ତା କଡ଼ରେ ଝାଡ଼ା ସମୟରେ ମାମୁଁ ତାଙ୍କର ବାପା ନୁହନ୍ତି ବୋଲି ଜାଣିଲେ। ସେଇ ଦିନଠୁ ବଦଳି ଯାଇଥିଲା ତାଙ୍କ ଭାବାବେଗ। ନିଜକୁ ସମ୍ଭାଳି ନେଇ ମହେଶ ପୁଣି ନିଜର ବାଲ୍ୟ ଚପଳତା ମଧ୍ୟରେ ହଜି ଯାଇଥିଲେ କହିଲେ ଚଳେ। ନିଜ ମାଁ ଙ୍କ ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ସମ୍ବନ୍ଧ ବିଷୟରେ ନିଜ ଆଈଙ୍କ ମୁହଁରୁ ଶୁଣି ମଧ୍ୟ କେବେ ଭି ତା'ରି ଉପରେ ତର୍ଜମା କରିନଥିଲେ ନିଜ ବାଲ୍ୟ ସମୟରୁ। ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ମଧ୍ୟ ନିଜ ବିଧବା ମାଁ ଙ୍କ ଆଇଁଷ ଖାଇବା ଉପରେ କେବେ ମଧ୍ୟ ରୋକ୍ ଲଗାଇନଥିଲେ। ତଥାପି କାହିଁକି କେଜାଣି ତାଙ୍କର ବିରୋଧାଭାସ ପ୍ରକାଶ ପାଇଥିଲା ଯେତେବେଳେ ସେ ମାମୁଁ ଘର ଛାଡ଼ି ତାଙ୍କ ମାଁଙ୍କ ସହିତ ଚାଲି ଆସିଥିଲେ ନିକଟରେ ଥିବା ଅନ୍ୟ ଏକ ସହରକୁ। ନିଜ ଆଖିରେ ମାଁ ଙ୍କୁ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅନ୍ୟ ପୁରୁଷଙ୍କ ସହିତ ଦେଖିବା ଦିନଠୁ ତାଙ୍କର ଚିଡିଚିଡା ସ୍ବଭାବ ଆରମ୍ଭ ହୋଇଯାଇଥିଲା। କଥା କଥାରେ ରାଗିଯିବା ତାଙ୍କର ଗୋଟିଏ ରୂପ ହୋଇଯାଇଥିଲା ଯେମିତି। ତଥାପି ନିଜ ମୁହଁକୁ ଚୁପ୍ ରଖି ସେ ଆଗେଇବାକୁ ଚେଷ୍ଟା କରିଥିଲେ। ଯଦିଓ ବାଲ୍ୟକାଳରେ ଜଣେ ମେଧାବୀ ଛାତ୍ର ହିସାବରେ ତାଙ୍କ ନାଁ ଥିଲା କିନ୍ତୁ କୈଶୋର ଅବସ୍ଥା ଶେଷ ବେଳକୁ ସେ ପାଠ ଛାଡ଼ିଦେଇ ରାଜନୀତି ରେ ଯୋଗ ଦେଇଥିଲେ। ଘରଦ୍ୱାର ଛାଡ଼ିଦେଇ ରାଜନୀତିରେ ନିଜକୁ ସଂପୂର୍ଣ୍ଣ ଢାଳିଦେଇଥିବା ମହେଶ ବାବୁ ଜଣେ ଛାତ୍ରନେତା ଓ ସମାଜସେବୀ ହିସାବରେ ଆଜି ମଧ୍ୟ ତାଙ୍କ ସହପାଠୀ ଓ ଅନ୍ୟ ରାଜନୈତିଜ୍ଞ ମହଲରେ ବେଶ୍ ପରିଚିତ, କିନ୍ତୁ ନିଜକୁ ସଂପୂର୍ଣ୍ଣ ଭାବରେ ରାଜନୀତିର ପଙ୍କିଳ ସରଜମିନ ରୁ ଟାଣିଆଣି ସେ ଯୋଗଦେଇଥିଲେ ମଣିଷ ଗଢ଼ିବା କାରଖାନାରେ। ଏ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଚାକିରୀ ମଧ୍ୟ କରିଛନ୍ତି। କେଉଁଠି ସାଇକେଲ ପଛରେ ସିଲିଣ୍ଡର ଲଦି ଘର ଘର ବାଣ୍ଟିବା ତ ଆଉ କେଉଁଠି କେଉଁ ଓକିଲର ଷ୍ଟେନୋ ଚାକିରୀ ତ କେଉଁଠି ଏଫସିଆଇ ଗୋଦାମରେ ଅଖା ସିଲାଇକୁ ମଧ୍ୟ ସେ ସୁଚାରୁରୂପେ ତୁଲାଇବାରେ ହେଳା କରି ନାହାନ୍ତି। ପରିବାରରେ ପ୍ରକୃତରେ ଜଣେ ଅବାଞ୍ଛିତ ମଣିଷ ଭାବରେ ପାରିବାରିକ ସ୍ନେହ ଖୋଜୁ ଖୋଜୁ ଯଦିଓ ସେ ଅନେକ ବନ୍ଧୁ ଲାଭ କରିଛନ୍ତି କିନ୍ତୁ ପାରିବାରିକ ସ୍ନେହ ଶ୍ରଦ୍ଧାରୁ ସବୁ ସମୟରେ ବଞ୍ଚିତ ହୋଇ ଆସିଛନ୍ତି। ନିଜର କୈାଣସି ଭାଇ ଭଉଣୀ ନଥିବାରୁ ସବୁ ସମୟରେ ଅନ୍ତଃମନରେ କଷ୍ଟ ଭୋଗୁଥିବା ମହେଶ ବାବୁ ମଧ୍ୟ ଅନେକ ନାରୀଙ୍କୁ ନିଜର ଭଉଣୀର ଆସନରେ ବସାଇବାକୁ ଚାହିଁଛନ୍ତି କିନ୍ତୁ ସେଠି ମଧ୍ୟ ଅନେକାଂଶରେ ଧୋକା ପାଇଛନ୍ତି। କିଏ ତାଙ୍କ ଠୁ କିଛି ବିଶେଷ ପ୍ରଲୋଭନ ଆଶା କରୁଥିବା ସମୟରେ ଆଉ କିଏ ତାଙ୍କୁ ଅଭଦ୍ର ବୋଲି ଚିନ୍ତା କରି ନିଜଠୁ ଦୂରେଇ ଦେଇଛି। ଅନେକଙ୍କୁ ଅଯାଚିତ ଭାବରେ ସାହାଯ୍ୟ କରୁଥିବା ମଣିଷ ନିଜେ ବଞ୍ଚିତ ହୋଇଛି ସମସ୍ତ ପ୍ରକାରର ମଣିଷ ପଣିଆର ସ୍ବାଦରୁ। ମହେଶ ବାବୁ ଏହାକୁ ମଧ୍ୟ ନିଜର ଭାଗ୍ୟର ଦୋଷ ଦେଇ ଚୁପ୍ ରହିଯାଇଛନ୍ତି। ପାରିବାରିକ ବନ୍ଧନରେ ବାନ୍ଧି ନ ହେବାକୁ ଚିନ୍ତା କରି ନିଜ ପରିବାରଠୁ ଦୂରେଇ ଯାଇଛନ୍ତି କିଛି ସମୟ ପାଇଁ।


ମନୁଷ୍ୟ ଜଣେ ସାମାଜିକ ପ୍ରାଣୀ ଓ ସମାଜ ତଥା ପରିବାର ତା'ପାଇଁ ଅତ୍ୟନ୍ତ ଜରୁରୀ, ଏହାହିଁ ମହେଶ ବାବୁଙ୍କ ଜୀବନର କାହାଣୀ। ମନୁଷ୍ୟକୁ ଅତି ପାଖରୁ ପାରଖିଥିବା ମହେଶ ବାବୁ ପୁଣିଥରେ ଳ

ନିଜ ଘରକୁ ସଜାଡିବାକୁ ଚେଷ୍ଟା କରିଛନ୍ତି ନିଜର କେତେକ ବରିଷ୍ଠ ପରିବାର ସଦସ୍ୟଙ୍କ ଆଦେଶରେ। ଯଦିଓ ରାଜଧାନୀରେ ଏକ ଭଲ ସଂଗଠନରେ ଭଲ ଦରମାରେ ଚାକିରୀ କରୁଥିବା ମହେଶ ବାବୁ ଅଫର ପାଇ ନିଜ ସହରର ଅତି ନିକଟରେ ଥିବା ମଣିଷ ଗଢା କାରଖାନାରେ ଏକ ଦୈନିକ ମଜୁରୀଆର ପଦବୀକୁ ମଧ୍ୟ ସ୍ବୀକାର କରି ପୁଣିଥରେ ଅଣ୍ଟା ଭିଡିଥିଲେ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧିବାର ସ୍ବପ୍ନ ନେଇ। କିନ୍ତୁ ସବୁଯାକ ଧୂଳିସାତ ହୋଇଗଲା। ପୁଣିଥରେ ସେଇ ପାରିବାରିକ ଗଣ୍ଡଗୋଳ ମଧ୍ୟରେ ସେ ଅତିଷ୍ଠ ହୋଇ ଯାଉଥିବା ସମୟରେ ଆହୁରି ତିକ୍ତ ହେଇ ଯାଇଥିଲେ ମଣିଷ ଗଢା କାରଖାନାରେ ମଣିଷ ଗଢୁଥିବା ତଥାକଥିତ କାରିଗର ମାନଙ୍କ ଅମଣିଷ ପଣିଆ ଦେଖି ଦେଖି। ଯେତେବେଳେ ପ୍ରତିବାଦର ସ୍ବର ଉତ୍ତୋଳନ କରିବାର ଚେଷ୍ଟା କରିଛନ୍ତି ସେତେବେଳେ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଇଛି ବାରମ୍ବାର। ସବୁ ପ୍ରକାର ଯୋଗ୍ୟତା ମଧ୍ୟରେ ସେ ହୋଇଯାଇଛନ୍ତି ଏକ ଖେଳଣା ପ୍ରାୟ। କାରଖାନାର ସବୁ ସ୍ଥାନରେ ତାଙ୍କୁ ନେଇ ଉପଯୋଗ କରାଯାଇଛି। ତାଙ୍କଠୁ କାମ ଆଦାୟ କରିସାରିବା ପରେ ସମସ୍ତେ ତାଙ୍କୁ ଫିଙ୍ଗି ଦେଇଛନ୍ତି ଏକ ଶୁଖିଲା ଆମ୍ଵଟାକୁ ଟାଏ ପ୍ରାୟ। ଜର୍ଜର ହୋଇ ପଡିଥିବା ଆର୍ଥିକ ସ୍ଥିତି ମଧ୍ୟରେ ମହେଶ ବାବୁ କିନ୍ତୁ ହାର ମାନିବାକୁ ଯେମିତି ନାରାଜ। ଅଶାନ୍ତ ପରିବେଶକୁ ଛାଡ଼ି ଦେଇ କେଉଁଠିକୁ ଚାଲିଯିବାର ପ୍ରଚେଷ୍ଟା ମଧ୍ୟ କରିଛନ୍ତି କିନ୍ତୁ ଆଜିର କମ୍ପିଟେଟିଭ୍ ସମୟରେ କିଏ ବା ତାଙ୍କୁ ଗୋଟାଇ ନେବ? ଘର ଭିତରେ ବାହା ହେବାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟରେ ନାରାଜ ଥିବା ମହେଶ ବାବୁ ବାହା ହୋଇଛନ୍ତି ଆଉ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାର ମଧ୍ୟରେ। ସଂପୂର୍ଣ୍ଣ ଏକ ନୂତନ ପରିବାରରେ ସଂପୂର୍ଣ୍ଣ ରକ୍ଷଣଶୀଳତା ମଧ୍ୟରେ ସେ ପୁଣି ନିଜର ପରିବାରକୁ ପାଇବାକୁ ଆଶା କରିଛନ୍ତି ଓ ପାଇଛନ୍ତି କିଛିକାଂଶରେ। ଗୋଟିଏ ପୁଅ ଓ ଝିଅକୁ ନେଇ ତାଙ୍କ ପରିବାର ଖୁସିରେ ଚାଲିଥିବା ସମୟରେ ତାଙ୍କ ଘର ଲୋକେ ପୁଣି ବାଧା ସାଜିଛନ୍ତି ତାଙ୍କ ପରିବାର ଚଳାଇବାରେ। ସବୁକିଛି ଛାଡ଼ିଦେଇ ଆସିଥିବା ମହେଶ ବାବୁ ନିଜକୁ ନିଜେ ଭିତରେ ହଜେଇ ଦେବାକୁ ଚେଷ୍ଟା କରି ଚାଲିଥିବା ସମୟରେ ପୁଣିଥରେ ସମାଜ କିନ୍ତୁ ତାଙ୍କୁ ଛାଡି ନାହିଁ ତା'ର ସବଳ ଦୁର୍ନୀତିର ଫାଶ ଭିତରୁ।


ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଘୃଣା କରୁଥିବା ମହେଶ ବାବୁ ତା'ରି ବିରୁଦ୍ଧରେ ଲଢେଇ କରିବାର ଛାଡ଼ି ନାହାନ୍ତି। ନିଜକୁ ସବୁ ପ୍ରକାର ଚାଲେଞ୍ଜ ମଧ୍ୟରେ ଆଗେଇ ନେବାର ପ୍ରଚେଷ୍ଟାରେ ମହେଶ ବାବୁ ହୋଇଯାଇଛନ୍ତି ଦୁର୍ବଳ ଓ ରୋଗୀଣା। ତାହାକୁ ନେଇ ମଧ୍ୟ ଅନେକଙ୍କ ପରିହାସ ଭିତରେ ସେ କିନ୍ତୁ ଚେଷ୍ଟା କରିଛନ୍ତି ନିଜର ଦାୟିତ୍ଵ ସବୁକୁ ସଠିକ୍ ରୂପରେ ପରିଚାଳନା କରିବାକୁ। ସମସ୍ତେ ଯେ ତାଙ୍କର ଶତ୍ରୁ ଏହା ନୁହେଁ। ଅନେକ ତାଙ୍କୁ ଭରସା କରନ୍ତି ଓ ଜାଣନ୍ତି ସେ କ'ଣ। ତାଙ୍କର ମଣିଷ ପଣିଆକୁ ସ୍ବୀକାର ମଧ୍ୟ କରନ୍ତି ତାଙ୍କ ଅନ୍ତଃମନରେ। ନ ହେଲେ ଫଟା କଉଡ଼ି ଟିଏ ନଥିବା ସମୟରେ କୈଶୋର ଅବସ୍ଥାରୁ ଉଚ୍ଚ ରକ୍ତଚାପରେ ଘାଣ୍ଟି ହେଉଥିବା ମହେଶ ବାବୁ ତାଙ୍କ ତୃତୀୟ ହାର୍ଟ ଆଟାକ୍ ଓ ହାର୍ଟ ସର୍ଜରୀ ପାଇଁ ଲକ୍ଷାଧିକ ଟଙ୍କା ପାଇଥାନ୍ତେ କେଉଁଠୁ? ଅନେକ ଶୁଭେଚ୍ଛୁ ବନ୍ଧୁ ଓ ସହକର୍ମୀ ହିଁ ତାଙ୍କୁ ସାହାଯ୍ୟ କରିଛନ୍ତି। ଶ୍ବଶୁର ଘରର ଅବଦାନ ମଧ୍ୟ କିଛି କମ୍ ନୁହେଁ। ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ଆଗେଇବାକୁ ଚେଷ୍ଟା କରୁଥିବା ମହେଶ ବାବୁ କିନ୍ତୁ ଅତ୍ୟନ୍ତ ଦୁର୍ବଳ ହେଇ ଯାଇଛନ୍ତି ତାଙ୍କର ହାର୍ଟ ସର୍ଜରୀ ପରଠାରୁ। ଚେଷ୍ଟା କରି ମଧ୍ୟ ସେ କରିପାରୁ ନାହାନ୍ତି ଆଉ ଆଗ ପରି ଦିନରାତି ର କର୍ଯଚଞ୍ଚଳ ଜୀବନ ସାଧନା। ଅନେକଙ୍କ ଅନେକ ଆଶା ତାଙ୍କ ଠି। ତାକୁ ମଧ୍ୟ ସଠିକ୍ ଭାବରେ କରିବାରେ ଅସମର୍ଥ ମହେଶ ବାବୁ। ଅଧିକାରୀ ମାନଙ୍କ ମନରେ ଅନେକ ସନ୍ଦେହ ତାଙ୍କ ବୈପ୍ଲବିକ କାର୍ଯ୍ୟକଳାପକୁ ନେଇ। ଅନ୍ୟର ଭାଷାରେ ଢଳି ଯାଉଥିବା ଅଧିକାରୀ ମାନଙ୍କୁ ଯେତେ ଚେଷ୍ଟା କଲେ ମଧ୍ୟ ବୁଝାଇବାରେ ସେ ଅସମର୍ଥ। ଏପଟେ ଦୁର୍ବଳ ଦେହ ସେପଟେ ଅନେକ ଆଶା ଓ ଅନ୍ୟପଟରେ ନିଜର ଜର୍ଜର ଆର୍ଥିକ ପରିବେଶକୁ ନେଇ ଅନେକାଂଶରେ ଭାଙ୍ଗି ପଡିଛନ୍ତି ମହେଶ ବାବୁ।


ଯେଉଁ ମଣିଷ ଗଢ଼ିବା କାରଖାନାରେ ମଣିଷ ପଣିଆର ଆଶା କରୁଥିଲେ ସିଏ, ସେଠି ତଥାକଥିତ ମଣିଷ ଗଢା ଶିକ୍ଷିତ କାରିଗର ମାନେ ତାଙ୍କ ରକ୍ତ ଶୋଷି ସାରିଲା ପରେ ତାଙ୍କୁ ବଦନାମ କରି ଫିଙ୍ଗିଦେବାକୁ ଚେଷ୍ଟା କରିଛନ୍ତି ବାରମ୍ବାର। ତାଙ୍କ ସମସ୍ତ ଅଭିଯୋଗକୁ ଆଡେଇ ଦେଇ ତାଙ୍କୁ ଆହୁରି ମାନସିକ ସ୍ତରରେ ଦୁର୍ବଳ କରିଦେବାର ପ୍ରଚେଷ୍ଟା କରିଛନ୍ତି ବାରମ୍ବାର। ଲଢେଇ ଭିତରେ ଆହୁରି ଦୁର୍ବଳ ହୋଇଯାଉଥିବା ମହେଶ ବାବୁ ଦିନେ ପ୍ରଶ୍ନ କରିଥିଲେ - "ମୁଁ କରିବି କ'ଣ?" ଜାଣିଛନ୍ତି କ'ଣ ଉତ୍ତର ମିଳିଥିଲା ତାଙ୍କୁ? କୁହା ଯାଇଥିଲା .... "ତୁମେ ନୀରବ ହୋଇଯାଅ। ସବୁ ଅରାଜକତାକୁ ମୁହଁ ବନ୍ଦ କରି ସହ୍ୟ କରିଯାଅ। ଲେଖାପଢ଼ା ବନ୍ଦ କରି ତେଲ ମାରିବା ଅଭ୍ୟାସ କର। ନହେଲେ ତୁମର ସର୍ବନାଶ ସୁନିଶ୍ଚିତ।" ଏପରିକି ତାଙ୍କୁ ଲିଖିତ ଭାବରେ ଆର୍ଥିକ ପ୍ରଲୋଭନ ଦେଖାଇ ସବୁ ଲେଖାପଢ଼ା ବନ୍ଦ କରିବା ପାଇଁ ଉପଦେଶ ଦିଆଯାଇଥିଲା। ଘରକୁ ଆସି ନିଜ ପରିବାର ସହିତ ଏ ବିଷୟରେ ଆଲୋଚନା କରିଥିଲେ। ଲଢେଇ ଜାରି ରଖିବେ ନା ସାଲିସମୟ ଜୀବନକୁ ଆଦରି ନେବେ? ଚୈତନ୍ୟ ଓ ପରିସ୍ଥିତି ଅଲଗା ଅଲଗା କଥା କହୁଥାଏ। ଚୈତନ୍ୟ କହୁଥାଏ - "ନିଃଶ୍ବାସ ବନ୍ଦ ହେଇଯିବା ମୃତ୍ୟୁ ନୁହେଁ, ସେ ମଣିଷର ମୃତ୍ୟୁ ହେଇଯାଇଥାଏ, ଯିଏ ଭୁଲ୍ କୁ ଭୁଲ୍ ଓ ଠିକ୍ କୁ ଠିକ୍ କହିବାର ନୈତିକତା ହରାଇ ଦିଏ। ପରିସ୍ଥିତି ସଂପୂର୍ଣ୍ଣ ଅନ୍ଧକାର। ଘରେ ମଧ୍ୟ ଏହାର ଉତ୍ତର କିଛି ଦେଇନଥିଲେ। କହିଥିଲେ - "ତୁମେ ଯାହା କରୁଛ କର.... କିନ୍ତୁ ଆମକୁ ଆର୍ଥିକ ବୋଝ ମଧ୍ୟରୁ ପାରି କର।" କାହାକୁ ବା କେତେଦିନ ହାତପାତି ନିଜର ଜୀବିକା ନିର୍ବାହ କରିବେ? କେତେଦିନ ମାଗିବେ ଓ ଆଉ କେତେଦିନ ତାଙ୍କୁ ଏ ପ୍ରକାର ଆର୍ଥିକ ସହାୟତା କିଏ କେତେଦିନ ପର୍ଯ୍ୟନ୍ତ କରିବ? ମାଗିବାକୁ ମଧ୍ୟ ଲାଜ ଲାଗିଲାଣି। କର୍ମକ୍ଷେତ୍ରରେ ନିଜର ନ୍ୟାର୍ଯ୍ୟ ଲକ୍ଷ ଲକ୍ଷ ଟଙ୍କା ଚାପି ରଖିଛନ୍ତି ଅଧିକାରୀ ମାନେ ଭିନ୍ନ ଭିନ୍ନ ଅବାନ୍ତର ଯୁକ୍ତି ଦେଖାଇ। ଏପଟେ ଔଷଧ କିଣିବାକୁ ପଇସା ନାହିଁ, ସେପଟେ ଖାଇବାକୁ ମଧ୍ୟ ପଇସା ନାହିଁ। ସରକାରଙ୍କ ଆର୍ଥିକ ନୀତି ଉପରେ ଲଗାମଛଡା ସ୍ଥିତିରେ ଭଲ ଗଣ୍ଡାଏ ଖାଇବାକୁ ମିଳିବା ମଧ୍ୟ ଦୁଷ୍କର ହୋଇପଡ଼ିଲା ଧିରେଧିରେ। ଏ ପ୍ରକାର ଅନିଶ୍ଚିତତା ମଧ୍ୟରେ ସେ ପୁଣିଥରେ ଅଧିକାରି ମାନଙ୍କ ଠାରୁ ନ୍ୟାୟ ଭିକ୍ଷା କରିଥିଲେ। ଏଥର କିନ୍ତୁ ଲେଖାପଢ଼ା ରେ ନୁହେଁ ବରଂ ଆନ୍ଦୋଳନାତ୍ମକ ପଦକ୍ଷେପରେ। ତାଙ୍କର ଏ ପଦକ୍ଷେପରେ କ୍ଷଣିକ ପାଇଁ ଅଧିକାରୀ ଗଣଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ଯେଉଁ କଥାକୁ ସେଇ କଥା। ଏପରି ଅନିଶ୍ଚିତତା ମଧ୍ୟରେ ମଣିଷ ଗଢା କାରଖାନାର ଜଣେ ଦାୟିତ୍ବବାନ ଅଧିକାରୀ, ଯାହାଙ୍କୁ ଉଚ୍ଚତମ ଅଧିକାରୀ ଦାୟିତ୍ଵ ଦେଇଥିଲେ ତାଙ୍କ କଥା ବୁଝିବା ପାଇଁ ଓ ନିଜକୁ ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ର ବଡିମା ଦେଖାଉଥିବା ଅଧିକାରୀ ଜଣକ ମହେଶ ବାବୁଙ୍କୁ ଉପଦେଶାତ୍ମକ ଛଳରେ କହିଥିଲେ ସବୁଦିନ ପାଇଁ ଚୁପ୍ ହେଇଯିବାକୁ। ସେ କହିଥିଲେ - "ମହେଶ ବାବୁ ଆପଣଙ୍କ ପାଟି ହିଁ ସବୁ କଥା ପାଇଁ ଦାୟୀ। ଆପଣ ଥରେ ଚୁପ୍ ହେଇଯାଆନ୍ତୁ ନା। ଥରେ ସବୁଦିନେ ପାଇଁ ଚୁପ୍ ହେଇଯିବାକୁ ଚେଷ୍ଟା କରନ୍ତୁ। ଦେଖିବେ ସବୁ କାମ ହେଇଯିବ। ଉଚ୍ଚାଧିକାରୀ ମଧ୍ୟ ଆପଣଙ୍କଠି ଖୁସ୍ ହେଇଯିବେ ଆଉ ଆପଣ ସୁସ୍ଥରେ ଜୀବନଯାପନ କରିବେ।" କଥାଟି କେମିତି ମନକୁ ପାଇଗଲା ମହେଶ ବାବୁଙ୍କର। କେମିଷ୍ଟ୍ରି ବିଭାଗରେ କାମ କରୁଥିବା ଜଣେ ବନ୍ଧୁଙ୍କ ପାଖକୁ ଚାଲିଗଲେ ମହେଶ ବାବୁ। କହିଲେ - "ଭାଗରେ ମୋତେ ଟିକିଏ ପୋଟାସିୟମ ସାଇନାଇଡ୍ ଦେଖାଇ ଦେଇ ପାରନ୍ତ ନାହିଁ?" ବନ୍ଧୁ ଜଣକ ପଚାରିଥିଲେ, ତୁମର ସେଥିରେ କାମ କ'ଣ? ସେ ମିଛ କଥା କହି ପୋଟାସିୟମ ସାଇନାଇଡ୍ କେଉଁଠି ଅଛି ଦେଖି ନେଇଥିଲେ ଓ ସମୟ ଉଣ୍ଡି ସେଥିରୁ କିଛି ନେଇ ଆସିଥିଲେ। ରାତିରେ କଫି କପ୍ ଟିଏ ମାଗି ସେଥିରେ କିଛି ମିଶାଇ ଦେଇଥିଲେ ଓ ସବୁଦିନ ପାଇଁ ଚୁପ୍ ହୋଇଯାଇଥିଲେ ମହେଶ ବାବୁ। ପାଖରେ ଖାଲି ଶିଶି ମଧ୍ୟରେ ରହି ଯାଇଥିଲା ଆଉ କିଛି ନିରବତାର ଘୋଳ ଓ ମଣିଷ ଗଢା କାରଖାନାର ସେଇ ଅମଣିଷ ମାନେ ତାଙ୍କ ଫଟୋଚିତ୍ର ଉପରେ ଫୁଳମାଳ ପକାଇ ପାଳୁଥିଲେ ଶୋକସଭା।

🤐🤐🤐🤐

ଏଫ୍-୨୪, ଜ୍ୟୋତି ବିହାର, ବୁର୍ଲା, ସମ୍ବଲପୁର।


Rate this content
Log in

More oriya story from Dinabandhu Mishra

Similar oriya story from Tragedy