Dinabandhu Mishra

Romance Tragedy Inspirational

4  

Dinabandhu Mishra

Romance Tragedy Inspirational

ସମୟର ଚକ

ସମୟର ଚକ

7 mins
287


ବହୁବର୍ଷ ପରେ ମୁଁ ପୁଣି ମଠକୁ ବୁଲିବାକୁ ଆସିଛି । ବୋଧହୁଏ ବାହାଘରର ଦୀର୍ଘ ଛଅ ବର୍ଷ ପରେ ଏହା ମୋର ପ୍ରଥମ ଭିଜିଟ୍ । ଯୈାବନର ପ୍ରଥମ ପାହାଚରେ ବହୁବାର ଆସିଛି ଏଠାକୁ । ଏଠାକାର ବୁଢ଼ାବୁଢ଼ୀଙ୍କ ସହିତ ସମୟ କଟାଇଲେ କେମିତି ଗୋଟିଏ ଅପୂର୍ବ ଆନନ୍ଦ ସୃଷ୍ଟି ହୁଏ ମୋ ମନରେ । ଅନେକ ଅନୁଭୂତିର ସେୟାର ମଧ୍ୟ ହୋଇଯାଏ । ଆଜି କିନ୍ତୁ ଏଠି ଦେଖୁଛି ଗୋଟିଏ ଅସମ୍ଭବ ପ୍ରକାରର ବ୍ୟତିବ୍ୟସ୍ତତା ସମସ୍ତଙ୍କ ମନରେ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା - "କୋଥାଏ ଗେଲୋ ଓ ଛେଲେଟା.... ଆମାକେ ବୋଲେଛିଲାମ୍ ଏଖାନେ ଏସବେ ଆମାର କାଜଟା କରେ ଦିଏ..." । କେଉଁ ଭାଗ୍ୟବାନ୍ ସେଇ ମଣିଷଟି ଦେଖିବାକୁ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ ହେଁ ଠାକୁରାଣୀଙ୍କ ସାମ୍ନାରେ ବସି ଜପ କରୁଥାଏ । ହଠାତ୍ କେତେଜଣଙ୍କ ମୁହଁରୁ "ଛେଲେଟା ଏସେଗେଲୋ ଏସେଗେଲୋ" ଶୁଣି ଅନ୍ୟମନସ୍କ ହୋଇପଡିଲି । ଦେଖ ଦେଖ ବୋଇଲା ବେଳକୁ ନାଭି ତଳକୁ ଲମ୍ବି ପଡିଥିବା ଅଧା କଳା ଅଧା ପାଚିଲା ଦାଢ଼ି ଓ ଅଣ୍ଟା ପାଖକୁ ଲମ୍ବି ଯାଇଥିବା କେଶ ନେଇ ଦୀର୍ଘକାୟ ସୁବଳିଷ୍ଠ ଯୁବକଟିଏ ମନ୍ଦିର ଆଡ଼କୁ ଦୁଇଟି ବେଗ୍ ଧରି ଆସୁଥିବାର ଦେଖିଲି । ପାଖକୁ ଆସିଲା ପରେ ଯୁବକଟିର ମୁହଁ ଦେଖି ଚମକି ପଡ଼ିଲି । ଏ ଯେ ସୈାମେନ୍ ଦା....! ଦୀର୍ଘ ୧୦-୧୨ ବର୍ଷ ପରେ ତାଙ୍କୁ ଏଠି ଦେଖିବି ବୋଲି ଆଶା ମଧ୍ୟ କରିନଥିଲି । କାରଣ ତାଙ୍କ ସହିତ ମୋର ପରିଚୟ ସମୟରେ ସେ ଥିଲେ ପ୍ରଚଣ୍ଡ ନାସ୍ତିକ ଓ ଆମ ଭାଷାରେ ଧର୍ମ ବିରୋଧି । 


ସୈାମେନ୍ ଦାଙ୍କ ସହିତ ସଂପର୍କ ଆଗରୁ ମୁନି ଅପା ସହିତ ମୋର ସଂପର୍କ । ମୁନି ଅପା କବିତା ମାଉସୀଙ୍କ ସାନ ଝିଅ । କବିତା ମାଉସୀଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ମୁନି ଅପା ସବା ସାନ ଓ ଭାରି ଗେହ୍ଲେଇ । କଥାରେ କଥାରେ ମୁହଁରେ ଜବାବ୍ ଦେବାଠୁ ଆରମ୍ଭ କରି ଭାରି ଷ୍ଟାଇଲିଷ୍ଟ ମଧ୍ୟ । ଦୁନିଆରେ କାହାକୁ ପଚାରୁ କି ନ ପଚାରୁ କିନ୍ତୁ ମୋର ଗାଲ ଦୁଇଟି ଉପରେ ତା'ର ଅଖଣ୍ଡ ଅଧିକାର ବୋଲି ସେ ସାବ୍ୟସ୍ତ କରେ ମୋର ଗାଲ ଦୁଇଟିକୁ ଚିମୁଟି ଚିମୁଟି । ସାନ ବେଳଠୁ ସ୍ନେହ ରଙ୍କୁଣା ମୁଁ ଆଉ ତାହାରି ସୁଯୋଗରେ ସେ ମୋ ଉପରେ ତା'ର ଅଖଣ୍ଡ ଅଧିକାର ସହ ନିଜର ସବୁ ସ୍ନେହ ଶରଧା ଅଜାଡ଼ି ଦେଉଥିଲା ମୋ ଉପରେ । ମୁଁ ଅଳ୍ପ ବଡ଼ ହେଲାବେଳକୁ ଦୁଇ ଭଉଣୀ ପଢିବାକୁ ଚାଲିଯାଇଥିଲେ ଶାନ୍ତିନିକେତନ । ମୁଁ ପଞ୍ଚମରେ ପଢିଲା ବେଳକୁ କୁନି ଅପା ବାହାଘର ବେଳେ ପୁଣି ଦେଖାହେଲା ସମସ୍ତଙ୍କ ସହିତ । ମୁନି ଅପା ସେତେବେଳେ ସଂପୂର୍ଣ୍ଣ ଯୈାବନରେ କିନ୍ତୁ ପୁଣି ମୋ ଗାଲ ଦୁଇଟିକୁ ଚିମୁଟି ଦେଇ ମୋ ଗାଲରେ ଆଙ୍କି ଦେଇଥିଲା ତା'ର ବହୁଦିନର ବାକି ରହିଥିବା ଅସଂଖ୍ୟ ଶ୍ରଦ୍ଧା ସବୁ । କୁଣ୍ଢାଇ ଧରି ଗପି ଗଲା ମୋ ଛୋଟବେଳର ଘଟଣା ସବୁ । ତା'ପରେ ଦୀର୍ଘ ଦିନର ବ୍ୟବଧାନ... ମୁଁ ପରେ ପରେ ଘଟଣା ବହୁଳ ଜୀବନ ପରେ ହାଇଦ୍ରାବାଦରେ କମ୍ପ୍ୟୁଟର କୋର୍ସ ତଥା ଚାକିରି କଲା ବେଳକୁ କୈାଣସି କାର୍ଯ୍ୟରେ ଯାଇଥାଏଁ ବାଙ୍ଗାଲୋର.... ସେଇଠି ଷ୍ଟେସନରେ ସୋଭନ୍ ଭାଇନାଙ୍କ ସହ ମଉସା ମାଉସୀଙ୍କୁ ଦେଖି ମୁଁ ଖୁବ୍ ଖୁସି ହୋଇଗଲି । କିଛି ସମୟ କଥୋପକଥନ ପରେ ମୁନି ଅପା ଆଉ ସୈାମେନ ଦା ମଧ୍ୟ ଷ୍ଟେସନକୁ ଆସିଗଲେ । ମୁଁ ସେଇମାତ୍ର ଗାଡିରୁ ଓହ୍ଲାଇଥାଏ । ପ୍ରଥମରୁ ମୁନି ଅପା ମତେ ଦେଖି ଚିହ୍ନି ପାରିଲା ନାହିଁ କିନ୍ତୁ ଯେତେବେଳେ ଜାଣିଲା, ପୁଣି କୁଣ୍ଢାଇ ପକାଇଲା ଆଉ ମତେ ଅମିତାଭ ବଚ୍ଚନ ହେଇଗଲୁଣି କହି ମୋ ଗାଲରେ କସିଦେଲା ତା'ର ସ୍ନେହର ସନ୍ତକ ଦୁଇଟି ଚାପୁଡ଼ା । ସୈାମେନ ଦା'ଙ୍କୁ ପରିଚୟ କରାଇ ଦେଇ ମୋତେ ତା' ଘରେ ରହିବାକୁ ଜିଦ୍ କରିବାରୁ ମୁଁ ବାଧ୍ୟ ହୋଇ ତାଙ୍କ ଟେମ୍ପୋରେ ତା' ଘରକୁ ଗଲି । ଘର ବୋଇଲେ ମାତ୍ର ବଖୁରାଟିଏ ଆଉ ଲାଟ୍ରିନ୍ ବାଥରୁମ ସାଙ୍ଗକୁ ରୋଷେଇ ଘରଟିଏ । କିନ୍ତୁ ତାକୁ ମଧ୍ୟ ଖୁବ୍ ସୁନ୍ଦର ସଜେଇ ଥାଏ ମୁନି ଅପା । ଏତେ ବଡ଼ ଘରର ଝିଅ ହୋଇ ଏଡୁଟିଏ ରୁମରେ ରହିବାର ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ । ମଉସା ଗୋଟିଏ ବଡ଼ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସର ସି.ଏମ୍.ଡି । ପିଲାଟି ବେଳରୁ ବଡ଼ ଅଳିଅଳରେ ବଢ଼ିଛି । ଏଠି ପୁଣି ବାସନ ମାଜି, କପଡ଼ା ଧୋଇ ସେ ରହୁଛି ଏହା ଦେଖି ମୋ ଆଖି ଛଳ ଛଳ ହେଇ ଯାଉଥାଏ କିନ୍ତୁ ଡରରେ ତାକୁ କିଛି ପଚାରି ପାରୁନଥାଏ । 


ମୋ କାମ ସାରି ପୁଣି ମୁଁ ଫେରିଲି ତା' ବସାକୁ । ରାତି ୮-୯ଟା ବେଳକୁ ସୈାମେନ ଦା ମଧ୍ୟ ଫେରିଲେ ତାଙ୍କ ଟେମ୍ପୋଟିକୁ ଧରି । ଅପା ପଚାରିଲା କ'ଣ ଖାଇବୁ? ପଖାଳ ଅଛି, ତା'ସାଙ୍ଗକୁ ତୋ ପାଇଁ କ'ଣ କରିଦେବି? ମୁଁ କହିଲି - ଯାହା କରୁଛ କର... ମୋର ତ ସବୁ ଚଳେ ଜାଣିଛ । ଅପା କହିଲା ବାଇଗଣ ଭାଜି ଦେଉଛି ଆଉ ସକାଳର ଡାଲମା ଅଛି ଚଳିବ? ମୁଁ କହିଲି - ହଁ ଦିଅ ମୁଁ ବାଇଗଣ କାଟି ଦେଉଛି ତୁମେ ଭାଜି ଦିଅ । ସେ ବାଇଗଣ ୫-୬ଟି ଓ ଛୁରିଟିଏ ଆଣି ମୋ ପାଖରେ ଗଦାଇ ଦେଲା । ମୁଁ ଦୁଇଫାଳ କରି ବାଇଗଣଗୁଡ଼ିକୁ କାଟିଦେଲି । ଅପା ତାୱା ବସାଇ ବାଇଗଣରେ ଲୁଣ ହଳଦୀ ଗୋଳାଇ ଦେଇ ଢାଳିଦେଲା ଓ ପାଣି ମୁଠାଏ ଛିଞ୍ଚି ଦେଇ ଢାଙ୍କୁଣି ଢାଙ୍କି ଦେଲା । ମୁଁ ପଚାରିଲି - ଅପା କ'ଣ ବିନା ତେଲରେ ବାଇଗଣ ଭାଜୁଛ? ସୈାମେନ ଦା କହିଲେ - ଆରେ ଭାଜା କି ତେଲ୍ ଦିଏ ହଏ.... ଭାଜା ରା ଜଲ୍ ଦିଏ ହଏ ନା.. । ମୁଁ ଆଶ୍ଚର୍ଯ୍ୟ ହେଇ ତାଙ୍କ ମୁହଁକୁ ଚାହିଁଲି.... । ସୈାମେନ୍ ଦା ପୁଣି କହିଲେ - ଆରେ ଓକେ ଜିଜ୍ଞେସ୍ କର... ଓରା ତୋକେ ଜ୍ଞାନ ଦେବେନ୍ ଭାଜା କି ରକମ୍ ଜଲ ଦିଏ ହଏ । ମୁଁ ଅପା ମୁହଁକୁ ବଲ ବଲ ଅନାଇ ରହିଲି । ଅପା କହିଲା - କାଲି ତତେ କହିବି ବିନା ତେଲରେ କିପରି ଭଜା ହୁଏ । 


ଆର ଦିନ ସୈାମେନ ଦା ଚାଲିଗଲା ପରେ ଅପା ଓ ମୁଁ ଘରେ ରହିଗଲୁଁ । ଅପା ବଖାଣି ଚାଲିଲା ତା ବିଗତ ଦିନର ଘଟଣାବଳୀ ଗୁଡିକ । ସୈାମେନ ଦାଙ୍କର ଇତିହାସ । କିପରି ତା'ର ସୈାମେନ ଦା'ଙ୍କ ସହିତ ଦେଖା ସାକ୍ଷାତ ହେଲା । ତାଙ୍କ ବାହାଘର ଓ ବାକି ସବୁ କଥା । ଅନେକ ରୋଚକକର ଥିଲା ତା'ର ବିଗତ ଦିନର ଇତିହାସ ଗୁଡ଼ିକ । 


କୁନି ଅପା ଆଉ ମୁନି ଅପା ଶାନ୍ତିନିକେତନରେ ଯୋଗଦେଲା ବେଳକୁ ସୈାମେନ ଦା ଶାନ୍ତିନିକେତନର ହିରୋ ନଂ ୱାନ୍ । ଷ୍ଟାଇଲିଷ୍ଟ ମୁନି ଅପା ସୈାମେନ୍ ଦା'ଙ୍କ କଣ୍ଠର ଯାଦୁରେ ଟାଣି ହୋଇଗଲା । ସୈାମେନ ଦା'ଙ୍କ ବାପା ପଶ୍ଚିମବଙ୍ଗ ସରକାରଙ୍କ ପି.ଡବ୍ଲୁ.ଡି ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର । ସୈାମେନ ଦା'ଙ୍କ ପାଠ ପଢା ଉପରେ ଯେତିକି ନଜର ନଥାଏ, ଗୀତ ଗାଇବା ଓ ବକ୍ସିଂ ଉପରେ ସେତିକି ଉତ୍ସାହ । ସେଇ କଳା ଯୋଗୁଁ ସେ ବିଶ୍ୱବିଦ୍ୟାଳୟର ହୀରୋ ହୋଇ ସାରିଥିଲେ । ମୁନି ଅପାଙ୍କ ଷ୍ଟାଇଲ୍ ଓ ଫରେନ୍ ଇଂରାଜୀ କହିବା ଶୈଳୀ ସୈାମେନ ଦା'ଙ୍କୁ ଭାରି ଭଲ ଲାଗେ । ମୁନି ଅପା ନାଚ ମଧ୍ୟ ଭଲ କରେ, ସେଥିରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଓ ସେଥିରୁ ପ୍ରେମ । ପ୍ରେମରେ ଉବୁଟୁବୁ ହେଉ ହେଉ କେତେବେଳେ ସେମାନେ ଯେ ଏତେ ଦୂରକୁ ଚାଲିଆସିଲେ ତାହା ଦୁହିଁଙ୍କୁ ଜଣା ପଡ଼ିଲା ନାହିଁ । 


ହଠାତ୍ ଦୁଇଜଣ ବିଶ୍ୱବିଦ୍ୟାଳୟ ଛାଡ଼ି ଚାଲିଆସିଲେ ସୁଦୂର ବାଙ୍ଗାଲୋର ସହରକୁ । ପାଠପଢା ଅଧାରୁ ଛାଡ଼ି ଦେଇଛନ୍ତି । ତଥାପି ଚାକିରିଟିଏ ମିଳିବ ବୋଲି କିଛିଦିନ ଦୁହେଁ ଘୁରି ବୁଲିଲେ ବାଙ୍ଗାଲୋର ସହରରେ । ଯଦିଓ ସୋଭନ୍ ଭାଇନା ମଧ୍ୟ ସେତେବେଳକୁ ବାଙ୍ଗାଲୋର ସହରରେ ଥାଆନ୍ତି ତଥାପି ମୁନି ଅପା କି ସୈାମେନ ଦା କେହି ତାଙ୍କୁ ଖବରଟିଏ ମଧ୍ୟ ଦେଇନଥାନ୍ତି । ଭାରି ସ୍ଵାଭିମାନୀ ସୈାମେନ ଦା । କାହାରି ଦୟାରେ ଚଳିବାର ଲୋକ ନୁହନ୍ତି । ଅପା ମଧ୍ୟ ତାଙ୍କରି କଥାରେ ଘୁରି ବୁଲୁଥାଏ ଗୋଟିଏ ପରେ ଗୋଟିଏ ଅଫିସ.... ମାତ୍ର ବିନା ସାର୍ଟିଫିକେଟରେ ଯେତେ କ୍ୱାଲିଟି ଥିଲେ ମଧ୍ୟ ଭାରତବର୍ଷରେ ଚାକିରୀଟିଏ କିଏ ଅବା ଦେବ? ସେଥିପାଇଁ ତ ଆଜି ଭାରତବର୍ଷର ଏଇ ଅବସ୍ଥା । ବିଖ୍ୟାତ ଟେକ୍ନୋଲୋଜିଷ୍ଟ ଶ୍ୟାମ ପିଟ୍ରୋଡାଙ୍କ ଭାଷାରେ .... - ଯେତେବେଳ ପର୍ଯ୍ୟନ୍ତ ଭାରତବର୍ଷ ସାର୍ଟିଫିକେଟ ଆଧାରରେ ଚାକିରୀ ଯୋଗାଉଥିବ, ସେତେବେଳ ପର୍ଯ୍ୟନ୍ତ ଭାରତବର୍ଷର ଅବସ୍ଥା ସୁଧୁରିବ ନାହିଁ । 


ଦୁହେଁ ୨-୩ ଦିନ ଭୋକ ଉପାସରେ ବାଙ୍ଗାଲୋର ସହରରେ ଘୁରିବୁଲିବା ପରେ ବାଙ୍ଗାଲୋର ସହର ପାଖରେ ଥିବା ପଥର ଖାଦାନକୁ ଗଲେ କାମ ମାଗିବା ପାଇଁ । ସେଠି ସୈାମେନ୍ ଦା ପଥର ଫଟାଇବା କାମ କଲା ବେଳକୁ ମୁନି ଅପା କଲା ମଜୁରିଆଣୀର କାମ । କିନ୍ତୁ ସେଥିରେ ତାଙ୍କର ନଥିଲା ଅନୁଶୋଚନା କିମ୍ବା ପଶ୍ଚାତାପର କଥା । ଦିନସାରାର ପରିଶ୍ରମ ପରେ ସେମାନେ ଯେତେବେଳେ ଫେରିଯାଆନ୍ତି ତାଙ୍କ ପତ୍ର କୁଡିଆକୁ । ସେଠି ଝାଳର ଗନ୍ଧରେ ଜୁଡୁବୁଡୁ ଥିବା ଶରୀର ଆଉ ସାଦା ପଖାଳ ସାଙ୍ଗକୁ ପିଆଜ ଟିକିଏରେ ସେମାନେ ଦେବରାଜ ଇନ୍ଦ୍ରଙ୍କ ଅନ୍ତଃପୁରକୁ ମଧ୍ୟ ହୀନ ମଣି ମାଟି ଶଯ୍ୟାରେ ନିଜକୁ ମିଶାଇ ଦିଅନ୍ତି । ଛୋଟ ସମୟରେ ଅସରପାଟିଏ ଦେଖିଲେ କୁଦି ବୁଲୁଥିବା ମୁନି ଅପା ମଧ୍ୟ ତ' ଶରୀର ଉପରୁ ମୂଷା, ସାପ, ବେଙ୍ଗ, ଝିଟିପିଟି ଚାଲି ଯାଉଥିଲେ ମଧ୍ୟ ନିଜକୁ ମହାରାଣୀର ସୈାଭାଗ୍ୟରେ ଭାଗ୍ୟବାନ ମଣେ । ଭାଇନାଙ୍କ ଅଙ୍ଗସୈାଷ୍ଠବ ସାଙ୍ଗକୁ ଉଭୟଙ୍କ ଇଂରାଜୀରେ କଥାବାର୍ତ୍ତା କେମିତି କାହିଁକି ଅସୂୟାର ଗନ୍ଧ ବୁଣି ଦେଇଥିଲା ସେଠିକାର ଅନ୍ୟ ମଜୁରିଆଣୀମାନଙ୍କ ମନରେ । ସୁପରଭାଇଜର ମଧ୍ୟ ଭାଇନା ଓ ଅପାଙ୍କ ଚାଲିଚଲଣକୁ ଦେଖି ସନ୍ଦେହ ଆରମ୍ଭ କରିଦେଇ ମାଲିକଙ୍କୁ ଖବର ଦେଲା । ମାଲିକ ଆସି ଦୁଇଜଣଙ୍କୁ ଧମକାଇବା ସ୍ୱରରେ ବିଭିନ୍ନ ପ୍ରଶ୍ନ କରିବା ପରେ ତାଙ୍କୁ ପୋଲିସ ହାତରେ ଟେକିଦେଲା । ବାଧ୍ୟ ହୋଇ ମୁନି ଅପା ସୋଭନ ଭାଇଙ୍କୁ ଖବର ଦେଲା । ସୋଭନ ଭାଇ ମଉସା ମାଉସୀଙ୍କୁ ଏବଂ ସୈାମେନ୍ ଦା ତାଙ୍କ ପରିବାରକୁ ଖବର ଦେଲେ । ଉଭୟ ସାବାଳକ, ତେଣୁ ବାଧ୍ୟ ହୋଇ ଦୁଇ ପରିବାର ବାଙ୍ଗାଲୋର ସହରସ୍ଥ ଏକ ମନ୍ଦିରରେ ଦୁଇଜଣଙ୍କ ବିବାହ କରାଇଲେ । 


ବିବାହ ପରେ ପ୍ରାୟ ମାସେ ଖଣ୍ଡେ ସୋଭନ୍ ଭାଇନାଙ୍କ ଘରେ ଅପା ରହିଥିବ କି କେ ଜାଣେ ତାକୁ କେମିତି ବାଧିବାକୁ ଆରମ୍ଭ କଲା । ତା'ରି ଭାଷାରେ ସେ ଯେମିତି ବନ୍ଦୀର ଜୀବନଟିଏ ଜିଉଁଥିଲା ଭାଇନାଙ୍କ ଘରେ । ସେ ମଉସାଙ୍କୁ ଖବର ଦେଲା । ମଉସା ଆସିଲେ । ଅପା ସୈାମେନ୍ ଦା'ଙ୍କ ପାଇଁ ଚାକିରୀଟିଏ କରିଦେବାର ବ୍ୟବସ୍ଥା କରିବାକୁ ଅନୁରୋଧ କଲା । ମାତ୍ର ସୈାମେନ୍ ଦା'ଙ୍କ ଯୁକ୍ତି ସେ ଚାକିରୀ ଆଉ କରିବେ ନାହିଁ । ପଛକୁ ଟ୍ୟାକ୍ସି ପଛେ ଚଳାଇବେ କିନ୍ତୁ ଚାକିରୀ ମାଗିବାକୁ କାହା ଦ୍ୱାରକୁ ଯିବେ ନାହିଁ । ଶେଷରେ ମଉସା ଗୋଟିଏ ଟେମ୍ପୋ କିଣିଦେଲେ ସୈାମେନ୍ ଦା'ଙ୍କୁ । ସୈାମେନ୍ ଦା ସେଇ ଟେମ୍ପୋ ଚଳାନ୍ତି ଓ ଅପା ଘର ଘର ବୁଲି ଇଣ୍ଟିରିଅର ଡିଜାଇନ୍ କାମ କରେ । ଦୀର୍ଘ ୩-୪ ବର୍ଷର ପରିଶ୍ରମ ପରେ କିଛି ପଇସା ପତ୍ର ଯୋଗାଡ଼ କରି ସେଇ ଗୋଟିଏ ରୁମ୍ ବାଲା ଘରଟିକୁ କିଣିଥିଲେ ଦୁଇଜଣ । କିନ୍ତୁ ରାଜମହଲର ରୂପ ଦେଇଥିଲା ଅପା ତାକୁ । 


ଭାରି ଖୁସିରେ ଥିଲେ ଦୁଇଜଣ । ମୁଁ ତା ଘରୁ ଆସିବାର ୪-୫ ମାସ ପରେ ଅପା ମତେ ଚିଠିରେ ଜଣାଇଥିଲା ତା' ଗର୍ଭଧାନର କଥା । ଲେଖିଥିଲା - ବାବୁ.... ତୋ ପରି ଆଉ ଗୋଟିଏ କୁନମୁନିଆ କଣ୍ଢେଇଟିଏ ଆମ ଘରକୁ ଆଉ କିଛି ଦିନ ପରେ ଆସିବ... ଏବେ ତୋ ପାଳି.... ତୁ ତାକୁ ଚିମୁଟି ପାରିବୁ ମୁଁ ଯେମିତି ତତେ ଚିମୁଟି ଦେଉଥିଲି । ଭାରି ଖୁସି ହେଇଥିଲି ମୁଁ ଓ କଙ୍ଗ୍ରାଚ୍ୟୁଲେସନଟିଏ ତାକୁ ଫୋନ୍ ମାଧ୍ୟମରେ ଜଣାଇଥିଲି । କିନ୍ତୁ ଭାଗ୍ୟର ବିଧାନ ଥିଲା ଆଉ କିଛି.....


ମାସଟିଏ ମଧ୍ୟ ବିତିନାହିଁ ହଠାତ୍ ଦିନେ ସୈାମେନ୍ ଦା'ଙ୍କ ଠାରୁ ଟେଲିଫୋନଟିଏ ପାଇଲି ...- ବାବୁ ତୋମାର୍ ମୁନି ଅପା ଆର୍ ନଏ.... ମୁଁ କିଛି ବୁଝି ପାରିନଥିଲି.... ମୁନି ଅପା ଆଉ ଇହଜଗତରେ ନଥିଲା । ବାନ୍ତି କରୁ କରୁ ତା' ମୁଣ୍ଡର କେଉଁ ଭେନଟିଏ ଛିଣ୍ଡି ଯାଇ ତା'ର ମୃତ୍ୟୁ ହୋଇଯାଇଥିଲା । 


ମୁଁ ଯାଇଥିଲି ସୈାମେନ୍ ଦା'ଙ୍କ ପାଖକୁ । ଭାଙ୍ଗି ଯାଇଥିଲେ ସୈାମେନ୍ ଦା.... ଘରଟା ସାରା ପରିପୂର୍ଣ୍ଣ ହୋଇଥିଲା ମୁନି ଅପାର ଫଟୋ ଏବଂ ତା' ହାତଲେଖା ପ୍ରେମପତ୍ରରେ । ସୈାମେନ୍ ଦା ମତେ ଧରି କାନ୍ଦିଥିଲେ ଅନେକ ସମୟ । ସୈାମେନ୍ ଦା ତଥା ମୁନି ଅପାଙ୍କ ପରିବାର ଲୋକେ କେତେ ବୁଝାଇଥିଲେ ଆଉ ଗୋଟିଏ ବାହା ହେବା ପାଇଁ, ଏପରିକି ଡଜନେ ଖଣ୍ଡେ ଝିଅ ତ କବିତା ମାଉସୀ ଖୋଜିଥିଲେ ତାଙ୍କ ପାଇଁ । କିନ୍ତୁ ସୈାମେନ୍ ଦା - ଆଉ ବିବାହ କରିବି ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ । 


ତା'ପରେ ମଧ୍ୟ ମୁଁ ୩-୪ ଥର ତାଙ୍କର ସେଇ ଘରକୁ ଯାଇଥିବି । ସୈାମେନ୍ ଦା'ଙ୍କ ମଧ୍ୟରେ ଯେମିତି ଘଟିଥିଲା ଅନେକ ପରିବର୍ତ୍ତନ । ସୈାମେନ୍ ଦା ଭାରି ଚୁପଚାପ୍ ହୋଇଯାଇଥିଲେ.... ପ୍ୟାକେଟ ପ୍ୟାକେଟ ସିଗାରେଟ୍ ଆରମ୍ଭ କରି ଦେଇଥିଲେ । ମୁଁ ବୁଝାଇଥିଲି - ଦାଦା.... ଅପା ଆଉ ତମେ ମତେ ସିଗାରେଟ୍ ପିଇବାକୁ ମନା କରୁଥିଲ... ଆଉ ଆଜି ତୁମେ ପୁଣି ସିଗାରେଟ୍ ପିଉଛ? ସୈାମେନ୍ ଦା କେବଳ ମରିବାକୁ ଚାହୁଁଛି କହି ମତେ ଚୁପ୍ କରାଇ ଦେଇଥିଲେ । ତା'ପରେ ଆଉ ସୈାମେନ୍ ଦା'ଙ୍କ ସହିତ କାହାରି ଦେଖାସାକ୍ଷାତ ହୋଇନଥିଲା । 


ଦୀର୍ଘ ୧୦-୧୨ ବର୍ଷ ପରେ ଆଜି ସୈାମେନ୍ ଦା'ଙ୍କୁ ଦେଖି ମୁଁ କାନ୍ଦି ପକାଇଥିଲି । କିନ୍ତୁ ସୈାମେନ୍ ଦା ହସି ହସି ମତେ ଆଉଁସୁଥିଲେ ଆଉ କହିଥିଲେ - ଆରେ ସମୟର ଚକ୍ରର ମଧ୍ୟେ ଆର୍ କେହି କିଛୁ କରତେ ପାରେନା.... ଏ ସବାୟ ସମୟର ଦୋଷ୍ ଆବାର କିଛୁ ନଏ । ମୁଁ ନୀରବ ହୋଇଯାଇଥିଲି । ତାଙ୍କରି ଅମର ପ୍ରେମର ସ୍ୱାକ୍ଷର ଆଜି ମଧ୍ୟ ଘୁରି ବୁଲୁଛି ସେଇ ପଥର ଖାଦାନର ଆଖପାଖରେ ବାଙ୍ଗାଲୋରର ସେଇ ବଖୁରିକିଆ କୋଠରୀଟାର ମଧ୍ୟରେ....



Rate this content
Log in

Similar oriya story from Romance