ଭିନ୍ନ ଏକ ବୃହନ୍ନଳା
ଭିନ୍ନ ଏକ ବୃହନ୍ନଳା
ସେ ଦିନ ସଂସାରର ଝଡଝଞ୍ଜାରେ ବ୍ୟତିବ୍ୟସ୍ତ ହୋଇ ମନ କରିଥିଲି ଚାଲିଯିବି କେଉଁ ଜଙ୍ଗଲ ଭିତରକୁ ଆଉ ପୁଣି ଅୟମାରମ୍ଭ କରିବି ଅନ୍ୟ ଏକ ବୈପ୍ଳବିକ ଜୀବନ। ଜୀବନର ଅନେକ ଝଡଝଞ୍ଜାକୁ ଯଦିଓ ପଦାନତ କରିବାର ତାକତ ଥିଲା ଏ ମନଟା ଭିତରେ, କିନ୍ତୁ ଧିରେ ଧିରେ ସବୁକିଛି ଅସହ୍ୟ ହେଇ ପଡୁଥିଲା। ଯଦିଓ ମୋ ଅର୍ଦ୍ଧାଙ୍ଗିନୀକୁ ଅସ୍ତ୍ର ନ ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲି କିନ୍ତୁ ପୁଣିଥରେ ଅସ୍ତ୍ର ଉଠାଇବାର ସେହି ପ୍ରବଳ ଅଭିପ୍ସା ମନରେ ଉଙ୍କି ମାରିଥିଲା। ବିଗତ ଦିନର କେତେକ ବୈପ୍ଳବିକ ବନ୍ଧୁଙ୍କ ସହିତ ଯୋଗାଯୋଗ କରିବା ଆଶାରେ ଟ୍ରେନରେ ଚଢ଼ିଲି। ଗନ୍ତବ୍ୟ ସ୍ଥଳ ଥିଲା ରାୟପୁର। ଟ୍ରେନଟି ତାର ବଜ୍ର ନିର୍ଘୋଷ ଦେଇ ଆଗକୁ ଆଗକୁ ବଢି ଚାଲିଥାଏ। ରାୟଗଢ ପାରି ହେଲା ପରେ ଝରକା କଡର ଲମ୍ବା ସିଟ୍ ରେ ଗୋଡଟି ଲମ୍ବାଇ ଦେଇ ନିଜ ଭିତରେ କେମିତି ଗୋଟିଏ ମଗ୍ନ ହେଇଗଲି। ହଠାତ୍ କେତେକ ହିଞ୍ଜଡ଼ାଙ୍କ କରତାଳିରେ ମୁଁ ସଚେତନ ହେଲି। ମନେ ମନେ କହି ଉଠିଲି.... ଧେତ୍ ତେରିକି ପୁଣି ଶଳେ ଆସିଗଲେ ଭିଖ ମାଗିବାକୁ। ମୁହଁଟିକୁ ବୁଲେଇ ଦେଇ ଝରକା ଆଡ଼କୁ ମୁହଁକରି ଶୋଇବାର ବାହାନା କଲି। ହଠାତ୍ କାହା ହାତ ସ୍ପର୍ଶରେ ମୁଁ ମୁହଁ ଲେଉଟାଇଲା ବେଳକୁ ହିଞ୍ଜିଡା ଟାଏ। ସେ ମୋତେ ଦେଖି ଚମକି ଗଲା ଓ ମୁଁ ତାକୁ ଦେଖି। ଏ ଯେ ଅଶୋକ। ମୋର କଲେଜ ଜୀବନର ବନ୍ଧୁ, ରୁମମେଟ୍। ତା'କୁ ଏପରି ଅବସ୍ଥାରେ ଦେଖି ମୁଁ ପୁଣି ମୋ ଯୈାବନକୁ ଫେରିଗଲି।
.....ଅଶୋକ, ମୁଁ ଆଉ ଦୁଇଜଣ ବନ୍ଧୁ ଏକାସାଙ୍ଗରେ ଗୋଟିଏ ରୁମରେ ବହୁତ ଦିନ କାଟିଛୁ। ବହୁତ ପରିଶ୍ରମୀ ପିଲାଟିଏ। ଭଲ କବିତା ଲେଖେ। ଆମ ସାଙ୍ଗରେ ଛାତ୍ର ରାଜନୀତିରେ ଭାଗ ନେଇ ଅନେକ ସମାଜସେବା କାର୍ଯ୍ୟ ମଧ୍ୟ କରିଛି। ମନେ ପଡିଯାଏ, ଯେଉଁଦିନ ଭାରତବନ୍ଦ ଡାକରାରେ ସାରା ସମ୍ବଲପୁର ବନ୍ଦ ଥିଲା, ସେ ଛାତ୍ର ଓ ଶ୍ରମିକ ମାନଙ୍କ ନେତୃତ୍ୱ ନେଇ କଲେକ୍ଟରିଏଟର ଉପରେ ଉଡୁଥିବା ଜାତୀୟ ପତାକାକୁ ଟାଣି ଫୋପାଡି ମଧ୍ୟ ଦେଇଥିଲା। ସବୁବେଳେ କହୁଥିଲା ସ୍ବାଧୀନ ଭାରତରେ ଗୋରା ରାଜତ୍ଵ ଚାଲିଗଲା ଓ କଳା ରାଜତ୍ଵ ଆରମ୍ଭ ହୋଇଛି। ଏଠି ନ୍ୟାୟ ବୋଲି କିଛି ନାହିଁ। ସାଧାରଣ କୃଷକ ପରିବାରରୁ ଆସିଥିବା ସେଇ ଗୋରା ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଯୁବକଟି ଭିତରେ ଭରି ରହିଥିଲା ଅଦମ୍ୟ ସାହସ ଓ କିଛି ଗୋଟିଏ କରିବାର ଉତ୍ସାହ। ପାଠପଢାରେ ମଧ୍ୟ କିଛି କମ୍ ନଥିଲା ସେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିସାରିବା ପରେ ଅନେକଠି ପରୀକ୍ଷା ଦେଉଥିଲା। ମୁଁ ସକ୍ରିୟ ରାଜନୀତି ଛାଡିବା ପରେ ସେ କିନ୍ତୁ ଛାତ୍ର ରାଜନୀତିରୁ ଲମ୍ଫ ପ୍ରଦାନ କରିଥିଲା ଶ୍ରମିକ ରାଜନୀତିକୁ। କିଛିଦିନ ରାଜନୀତିରେ ରହିବା ପରେ ସାମ୍ବାଦିକତା ମଧ୍ୟ କରିବାର ଚେଷ୍ଟା କରିଥିଲା। ସେତେଦିନ ପର୍ଯ୍ୟନ୍ତ ତା'ର ଓ ମୋର ଦେଖାସାକ୍ଷାତ ଥିଲା ଓ ସମ୍ପର୍କ ମଧ୍ୟ ଥିଲା। କିନ୍ତୁ ତା'ପରେ ଆଉ କୈାଣସି ସମ୍ପର୍କ ନାହିଁ। ମଝିରେ ମଝିରେ ତା'ରି ଲେଖା ଗୁଡିକ ପଢିବାକୁ ପାଉଥିଲି ସମ୍ବାଦପତ୍ର ମାନଙ୍କରେ। ଚତ୍ମକାର ବୈପ୍ଳବିକ ଚେତନା ଭରି ରହିଥିଲା ତା'ର ସମସ୍ତ ଲେଖାମାନଙ୍କରେ। ମଣିଷ ପ୍ରତି ସମାଜର ଦାୟିତ୍ଵ କଥା ଚିନ୍ତା କରିବା ପୂର୍ବରୁ ସମାଜ ପ୍ରତି ପ୍ରତ୍ୟେକ ମଣିଷର ସାମାଜିକ ଦାୟିତ୍ଵ ସର୍ବପ୍ରଥମ ବୋଲି ବକ୍ତବ୍ୟ ରଖୁଥିଲା। ସାମାଜିକ ଜୀବନର ପ୍ରତ୍ୟେକଟି ପଦକ୍ଷେପରେ ନିଜର କର୍ତ୍ତବ୍ୟ ଓ ନିଷ୍ଠାପର ଜୀବନ ଉପରେ ଜୋର ଦେଉଥିଲା।....
ହଠାତ୍ ମୋତେ ଦେଖି ଅଶୋକ ସ୍ତବ୍ଧ ହୋଇ ଯାଇଥିଲା। କିଛି କହି ପାରିନଥିଲା କି ଆଗକୁ ଚାଲି ମଧ୍ୟ ଯାଇପାରିନଥିଲା। କିଂକର୍ତ୍ତବ୍ୟବିମୁଢ ଅବସ୍ଥାରେ ତାର ଆଖିରୁ ବହି ପଡୁଥିଲା ଗଙ୍ଗା ଯମୁନାର ଧାର। ଆଖିରେ ଭରି ରହିଥିଲା ଅନେକ କହିବାର କଥା କିନ୍ତୁ ଓଠରୁ ସ୍ଫୁରଣ ହେଉନଥିଲା କୈାଣସି ଭାଷା। ଏମିତି କିଛି ମୁହୂର୍ତ୍ତ ଦୁହେଁ ଚୁପ୍ ହୋଇ ରହି ଯାଇଥିଲୁ। ତା' ହାତଧରି ମୁଁ ଟାଣି ବସାଇଲି ତାକୁ ମୋ ସିଟ୍ ରେ। ମୋତେ କୁଣ୍ଢେଇ ପକାଇ କିଛି ସମୟ କାନ୍ଦିଥିଲା ସେ। ପରେ ଚୁପ୍ ହୋଇ ଦେଖିଲା ମୋ ମୁହଁକୁ। ମୁଁ ମଧ୍ୟ ଅନେକ ଆଶଙ୍କା ଓ ପ୍ରଶ୍ନ ଭରା ନୟନରେ ତାକୁ ଚାହିଁ ରହିଲି। ପଚାରିଲା - 'କ'ଣ ଭାବୁଛୁ! ମୁଁ କାହିଁକି ଏପରି ହେଲି?' ମୁଁ କିଛି କହି ପାରିନଥିଲି କିନ୍ତୁ ଜିଜ୍ଞାସା ତ ନିଶ୍ଚୟ ଥିଲା ମୋ ଭିତରେ। ମୁଁ ଭୁଲି ଯାଇଥିଲି ଯେ, ମୋର ସ୍ଥିତି କ'ଣ, ମୁଁ କେଉଁ କାର୍ଯ୍ୟରେ ଯାଉଛି ଇତ୍ୟାଦି ଇତ୍ୟାଦି। ସେ ମନ ଖୋଲି ହସିଥିଲା ବୋଧହୁଏ ସେଦିନ। ନିସ୍ତୁକ ହସି ସାରିଲା ପରେ ସେ ବଖାଣିଥିଲା ତା' ଜୀବନ କାହାଣୀ.....
ସାଧାରଣ କୃଷକ ପରିବାରରୁ ଆସିଥିବା ଅଶୋକ ଥିଲା ତାଙ୍କ ଘରର ଏକମାତ୍ର ଭାଇ। ୪ ଭଉଣୀଙ୍କ ମଧ୍ୟରେ ଅଶୋକ ଥିଲା ମଝିଆଁ। ଛୋଟ ବେଳୁ ମାଁ ମରି ଯାଇଥିଲେ। ଆମେ କଲେଜ ପଢ଼ିବା ସମୟରେ ଦୁଇ ବଡ଼ ଭଉଣୀଙ୍କ ବାହାଘର ହେଇଥିଲା। ବାକି ଦୁଇ ଭଉଣୀଙ୍କୁ ବାହା ଦେବା ପୂର୍ବରୁ ବାପା ମଧ୍ୟ ଇହଧାମ ତ୍ୟାଗ କଲେ। କଷ୍ଟେ ମଷ୍ଟେ ୩ ଏକର ଜମିରେ ଚାଷବାସ କରି ସେ ଗୁଜୁରାଣ ମେଣ୍ଟାଇବା ସହ ବାକି ଭଉଣୀମାନଙ୍କୁ କିପରି ବିବାହ ଦେବ ତାହା ଚିନ୍ତା କରି ଚାଲିଥିଲା। ଦେଢ଼ ଦେଢ଼ ଏକର
ଦୋ ଫସଲି ଜମି ବିକି ଦେଇ ସେ ବିବାହ କରାଇଥିଲା ବାକି ଦୁଇ ଭଉଣୀଙ୍କୁ। ସମ୍ବଲପୁର ସହରରେ ଟ୍ୟୁସନ ପଢ଼ାଇ ନିଜର ଗୁଜୁରାଣ ମେଣ୍ଟାଇବା ସଙ୍ଗେ ସଙ୍ଗେ ଚାକିରୀ ଖୋଜିବା ଆରମ୍ଭ କରି ଦେଇଥିଲା। ଯେଉଁ ନେତାଙ୍କ ନେତୃତ୍ୱରେ ସେ ତାର ଛାତ୍ର ଜୀବନରେ ରାଜନୀତିର ମୈଦାନକୁ ଓହ୍ଲାଇଥିଲା ସେମାନଙ୍କୁ ନେହୁରା ହେଲା ଚାକିରୀ ଖଣ୍ଡିଏ ପାଇଁ। ଜଣେ ଅତି ଦୟା ପରବଶ ହୋଇ ତାଙ୍କ ଫ୍ୟାକ୍ଟ୍ରିରେ ଚାକିରୀ ଖଣ୍ଡିଏ ମଧ୍ୟ ଦେଲେ.... ମାତ୍ର ସେଇ ଶୋଷଣ। ଟଙ୍କାଏ ଯଦି ନେଉଛ ତା'ହେଲେ ତୁମଠୁ ଆମେ ୧୫ ଟଙ୍କା ଆଦାୟ ନକଲେ କେମିତି ହେବ? ଅନେକ ବାକ୍ ବିତଣ୍ଡା ପରେ ସେଠି ମଧ୍ୟ ଚାକିରୀ ଛାଡ଼ିଲା। ସରକାରୀ ଚାକିରୀ ତ ସ୍ବପ୍ନ ଜଣେ ସାଧାରଣ ବର୍ଗର ଗରୀବ ପରିବାର ପାଇଁ। ତଥାପି ନିଜ ପେଟକୁ ଦିମୁଠା ଅନ୍ନ ଦେବାକୁ ସେ ପରିଶ୍ରମରେ ହେଳା କରିନାହିଁ। ପେପର ବିକିଛି, ଟ୍ୟୁସନ କରିଛି, ଛୋଟକାଟିଆ ପେପରରେ ସାମ୍ବାଦିକତା କରିଛି। ସବୁଠି ସେଇ ଗୋଟିଏ କଥା - ନିଜର ସ୍ବାଭିମାନ ରଖି କୈାଣସି ଚାକିରୀ କରିହେବ ନାହିଁ। ଚାକିରୀ ହେଉଛି ଚାକରର ଜୀବନ... ଯଦି ସ୍ବାଭିମାନ ରଖିବ, ଚାକର ହେବ କିପରି? ସମ୍ବାଦପତ୍ରର ମାଲିକ କହିଛନ୍ତି - ବାବୁ ମୁଁ ତୁମକୁ ଦରମା ଦେଇ ପାରିବି ନାହିଁ, ତୁମେ ତୁମର ଦରମା ଯୋଗାଡ଼ କରିବାକୁ ହେବ। ଅର୍ଥାତ୍ ତୁମକୁ ଅନ୍ୟଠି ହାତ ପତେଇବାକୁ ହେବ ଓ ତାଙ୍କ ହିସାବରେ ଦୁର୍ନୀତିକୁ ଦେଖି ମଧ୍ୟ ନ ଦେଖିଲା ପରି ନିଜର ସ୍ବାଭିମାନକୁ ବିକ୍ରି କରିବାକୁ ହେବ।
ବିକ୍ରି କରିପାରିନଥିଲା ନିଜର ସ୍ବାଭିମାନକୁ। ବୟସ ବଢି ଚାଲିଥିବା ସମୟରେ ଭଉଣୀମାନେ ଲାଗିପଡି ତାକୁ ବିବାହ କରିଦେବା ପାଇଁ ମଧ୍ୟ ପ୍ରଚେଷ୍ଟା କଲେ। ବାରମ୍ବାର ମନା କରି ଚାଲିଲା ଅଶୋକ। ନିଜେ ନିଜର ପେଟ ପୋଷିବାକୁ ଅସମର୍ଥ ପୁଣି ଆଉ ଗୋଟେ କି ଦୁଇଟି ପେଟ କେମିତି ପୋଷିବ? ଏହି ଚିନ୍ତାରେ ମନା କରି ଚାଲିଥିଲା। ହଠାତ୍ ଦିନେ ପୁରୁଣା ବନ୍ଧୁଙ୍କ ପତ୍ନୀ ଜଣେ ଠିକ୍ କରିଦେଲେ ଗୋଟିଏ ମାଷ୍ଟରାଣୀକୁ ତା ପାଇଁ। ବୁଝାଇଲେ - 'ଅଶୋକ ତୁମେ ତ ଚାକିରୀ କରୁନ, ସେ ମାଷ୍ଟ୍ରାଣୀ, ତା'ର ଦରମାରେ ତୁମେ ଦୁହେଁ ଆରାମରେ ଚଳିଯିବ। ତାକୁ ମଧ୍ୟ ବୟସ ହେଲାଣି.... ହଁ ଦେଖିବାକୁ ମଧ୍ୟ ଏତେ ସୁନ୍ଦର ନୁହେଁ। ଏହି ଦୁଇଟି କଥାକୁ ଆଖି ବୁଜି ଦେଲେ ତୁମର ଆଉ କୈାଣସି ଅସୁବିଧା ରହିବ ନାହିଁ। ତୁମେ ମଧ୍ୟ ସ୍ୱଚ୍ଛନ୍ଦରେ ନିଜର ରାଜନୈତିକ ଜୀବନକୁ ଆଗକୁ ବଢାଇ ପାରିବ। ଟିକିଏ କମ୍ପ୍ରମାଇଜ୍ କର.... ନଇଁ ଗଲେ ସମୁଦ୍ରର ଲହଡି ମଧ୍ୟ ପାରି ହୋଇଯାଏ' ଏମିତି ଅନେକ କିଛି। ବହୁତ ନାଇଁ ନାଇଁ ପରେ ସେ ରାଜି ହୋଇଥିଲା ବାହାଘର ପାଇଁ।
ବାହା ହେଲା ପରେ ଆରମ୍ଭ ହୋଇଗଲା ଘରଣୀଙ୍କ ଦୈାରାତ୍ମ୍ୟ। ଅଶୋକ ଜାଣିନଥିଲା ଯେ, ଘରଣୀ ମହାଶୟା ତାଙ୍କର ଦୁଃଶ୍ଚରିତ୍ରା ଗୁଣ ଯୋଗୁଁ ବିବାହ କରି ପାରୁନଥିଲେ। ଅଶୋକର ଅନୁପସ୍ଥିତିରେ ସେ ସମ୍ପର୍କ ରଖିଥିଲେ ଅନ୍ୟ ପୁରୁଷ ମାନଙ୍କ ସହିତ। ଯେଉଁଦିନ ସେ ସବୁକଥା ଜାଣିଥିଲା, ସେ ଖସି ପଡିଥିଲା ସବୁଠାରୁ। ମୃତ୍ୟୁକୁ ଆପଣେଇ ନେବାକୁ ଚାହିଁଥିଲା। ଟ୍ରେନ୍ ରେ କଟିବାକୁ ଟ୍ରେନ ଲାଇନ କଡ଼କୁ ମଧ୍ୟ ଯାଇଥିଲା। କିନ୍ତୁ ତା'ର ପୈାରୁଷତ୍ବ ପୁଣି ସେଠି ପ୍ରଶ୍ନ କରିଥିଲା - 'ଆରେ ଏଡେ ଏଡେ ବିପ୍ଲବର ବାର୍ତ୍ତାବହ ସାଜିଥିଲୁ, ଆଜି କ'ଣ ଏତିକି ଟିକିଏ କଥାରେ ହାରିଗଲୁ।' ସବୁକିଛି ଛି କରିଦେଇ ଚାଲିଗଲା ହରିଦ୍ଵାର। ସେଠି କିଛିଦିନ କାଟିଲା ପରେ ତା'ର ଯେମିତି ଜୀବନ ପ୍ରତି ଆହୁରି ଘୃଣା ବଢ଼ିଗଲା। ସାଧୁ ନାମରେ ଗୈରୀକ ବସନ ଭିତରେ ଲୁଚି ରହିଥିବା ସେଇ ସୈତାନ୍ ଓ ରାକ୍ଷସୀ ମାନଙ୍କୁ ଦେଖି ତା'ର ସମାଜ ପ୍ରତି ବଢ଼ିଗଲା ଆହୁରି ନୈରାଶ୍ୟ ଓ ବୈରାଗ୍ୟ। ହରିଦ୍ଵାରରୁ ଫେରିବା ସମୟରେ ଦିଲ୍ଲୀରେ କିଛିଦିନ ରହିଥିଲା ଚାନ୍ଦିନୀଚୌକ ନିକଟରେ ଥିବା ଛୋଟ ଗୋଟିଏ ଝୋପଡ ପଟ୍ଟିରେ। ସେଠାରେ ତା'ର ପରିଚୟ ହେଇଥିଲା ସବନମ୍ ନାମ୍ନୀ ଆଉ ଜଣେ କିନ୍ନର ସହିତ। ସିଗାରେଟ୍ ଫୁଙ୍କୁ ଫୁଙ୍କୁ ନିଜର ମନର ସବୁ କଥା ଖୋଲି କହିଥିଲା ତାକୁ। ସବନମ୍ ମଧ୍ୟ ତାକୁ ନିଜ ଅନ୍ତର ଭିତରର କଥା ବଖାଣି ଥିଲା। କଥାରେ ଅଛି 'ସମଧର୍ମୀ ମଧ୍ୟେ ବନ୍ଧୁତା ପ୍ରକାଶେ'। ନିଜର ପୈାରୁଷତ୍ବକୁ ବଳୀ ଦେଇ ଅଶୋକ ହୋଇଯାଇଥିଲା ଆଶା।
ଏତିକି କହିଲା ପରେ ଅଶୋକ / ଆଶା ଚୁପ୍ ହେଇଯାଇଥିଲା। ମୁଁ ପଚାରିଥିଲି - 'ଏବେ ତୋର ସ୍ବାଭିମାନ କ'ଣ କହୁଛି?' ଅଶୋକ ଉତ୍ତର ଦେଇଥିଲା - 'ଆରେ ହାତ ପିଟି ପିଟି ଇଜ୍ଜତର ପୈସା କମଉଛି। ହଁ ମୁଁ ନିଜକୁ କିନ୍ନର ବୋଲି ପରିଚୟ ଦେଇ ନିଜର ଜୀବନ ଜୀଇଁବାକୁ ଚେଷ୍ଟା କରୁଛି। ଆଉ ବାକି ରହିଲା ସ୍ବାଭିମାନର କଥା..... ଯେଉଁଠି ପୈାରୁଷତ୍ବ ନାହିଁ, ସେଠି ଆଉ ସ୍ବାଭିମାନର ପ୍ରଶ୍ନ କେଉଁଠି ରହିଲା!' ମୁଁ ନିର୍ବାକ ହୋଇ ରହିଯାଇଥିଲି।
ଟ୍ରେନଟି ବିଳାସପୁର ଷ୍ଟେସନରେ ଅଟକି ଯାଇଥିଲା ଆଉ ଅଶୋକ / ଆଶା ଓହ୍ଲାଇ ପଡ଼ିଥିଲା ଟ୍ରେନ ମଧ୍ୟରୁ। ମୁଁ କିନ୍ତୁ କିଛି ସମୟ ଧରି ଚଳତ୍ ଶକ୍ତି ମଧ୍ୟ ହରାଇ ଦେଇଥିଲି। ଟ୍ରେନ୍ ଚାଲିବା ପୂର୍ବରୁ ମୁଁ ମଧ୍ୟ ଓହ୍ଲାଇ ପଡ଼ିଥିଲି ଟ୍ରେନରୁ ଓ ଫେରନ୍ତା ଗାଡ଼ି ଧରିଥିଲି ସମ୍ବଲପୁରକୁ।