Dinabandhu Mishra

Romance

4.7  

Dinabandhu Mishra

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

5 mins
491


ଅତୀତ ଏମିତି ଏକ ଯନ୍ତ୍ରଣା ଯେ, ସେ କେତେବେଳେ ଖଣ୍ଡିଆଭୂତ ଟିଏ ପରି ମାଡିଆସି ଚକିତ କରିଦିଏ ଓ ଯନ୍ତ୍ରଣାର ସ୍ବରଟିଏ କୁହୁରି ଉଠେ ମଣିଷର ମନ ଭିତରେ ଆଉ କେବେ କେବେ ଦୋହଲି ଯାଇଥାଏ ମଣିଷର ଅନ୍ତଃସତ୍ତା....


ବାବୁ ସେତେବେଳକୁ ଦଶମ ଶ୍ରେଣୀରେ ପଢୁଥାଏ। ସେତେବେଳକୁ ବାବୁ କୈଶୋର ଅତିକ୍ରମ କରି ଯୈାବନର ପାଦଦେଶରେ ପାଦ ଥାପି ଥାଏ। ଆଗରୁ କେବେ ସଂସ୍କୃତ ଟ୍ୟୁସନ ପଢିନଥିଲା। ସ୍କୁଲର ସଂସ୍କୃତ ମାଷ୍ଟ୍ରେ ବାଧ୍ୟ କରିବାରୁ ବାବୁ କିଛିଦିନ ପାଇଁ ରୁକ୍ମିଣୀ ଘରକୁ ଟ୍ୟୁସନ ପଢିବାକୁ ଗଲା। ରୁକ୍ମଣୀର ବଡ଼ଭାଇ ମଧ୍ୟ ବାବୁ ସହିତ ପାଠ ପଢ଼ୁଥିଲା, ତା' ବାପା ମଧ୍ୟ ବାବୁ ବାପାଙ୍କ ସହିତ ଖୁବ୍ ଆଗରୁ ପରିଚିତ ଥିଲେ, ତେଣୁ ତାଙ୍କ ଘରେ ପଢିବାକୁ କେହି ମଧ୍ୟ ମନାକଲେ ନାହିଁ। ଟ୍ୟୁସନରେ ବାବୁ କେବଳ ଜଣେ ପିଲା ଆଉ ସମସ୍ତେ ଝିଅ। ଟ୍ୟୁସନକୁ ଗଲେ ବାବୁ ଏକୁଟିଆ ମୁହଁକୁ ତଳ କରି ବସିଥାଏ। ଶବ୍ଦରୂପ, ଧାତୁରୂପ ଘୋଷି ପାରେ ନାହିଁ ବୋଲି ସମସ୍ତେ ତାକୁ ଖୁବ୍ ଥଟ୍ଟା ପରିହାସ କରୁଥାନ୍ତି ସେଠି। କିନ୍ତୁ ରୁକ୍ମିଣୀ କେବେ ତାକୁ ଥଟ୍ଟା କରେ ନାହିଁ... ଖାଲି ହସିଦିଏ। ଏମିତି ଅନେକ ଦିନ ବିତିଗଲା ପରେ ଦିନେ ଟ୍ୟୁସନ ସାର୍ କିଛିଦିନ ପାଇଁ ବାବୁକୁ ଅନ୍ୟ ଏକ ଘରକୁ ଟ୍ୟୁସନ ପାଇଁ ନେଲେ। ସେଠାରେ ଦିଲ୍ଲୀପ ମଧ୍ୟ ତା'ସହିତ ଯାଉଥାଏ। ସେ ଘରଟି ଜଣେ ବଙ୍ଗାଳୀ ଡାକ୍ତର ପରିବାରର... ତାଙ୍କ ବଡ଼ଭାଇ ଝିଅ ସେଠାରେ ତାଙ୍କ ଘରେ ରହି ପାଠ ପଢ଼ୁଥାଏ। ବାବୁ କେବେ ତାଙ୍କ ଘରକୁ ଯାଇନଥିଲା, ତେଣୁ ସେ ଖୁବ୍ ସତର୍କ ଭାବରେ ସେଠି ଯିବା ଆସିବା କରେ। ଦିନେ ଏମିତି ସେ ଡାକ୍ତରଙ୍କ ପତ୍ନୀ ବାବୁକୁ ବଙ୍ଗାଳୀ ରେ ପଚାରିଲେ - "ତୁମେ କ'ଣ ବଙ୍ଗାଳୀ?" ବାବୁ ଯଦିଓ ବଙ୍ଗଳା କହି ପାରୁନଥିଲା ସେତେବେଳେ କିନ୍ତୁ ଠିକ୍ ବୁଝିପାରୁଥିଲା। ବାବୁ ମୁଣ୍ଡ ହଲାଇ ମନା କଲା। କିନ୍ତୁ ସେ ଭଦ୍ରମହିଳା ଜଣଙ୍କ କହିଲେ - "ତୁମ ଚେହେରା କିନ୍ତୁ ବଙ୍ଗାଳୀ ପରିବାରର ବୋଲି ଦେଖାଯାଉଛି।" ବାବୁ ହସି ଦେଇଥିଲା। ଏମିତି ଟେଷ୍ଟ ପରୀକ୍ଷା ମଧ୍ୟ ସରିଗଲା। ପରୀକ୍ଷାର ଫଳ ବାହାରିବା ୩ଦିନ ପରେ ସନ୍ଧ୍ୟାରେ ବାହାରୁ ଖେଳି ଘରକୁ ଫେରିବା ପରେ ବାବୁ ବୋଉ ଘର ଦୁଆର ମୁହଁରେ ଛାଟ ଟିଏ ଧରି ବସିଥାନ୍ତି ଆଉ ବାବୁକୁ ଅପେକ୍ଷା କରୁଥାନ୍ତି। ବାବୁ ଦିଲ୍ଲୀପ ସହ ଯେତେବେଳେ ଘରକୁ ଆସିଲା, ଆରମ୍ଭ ହୋଇଗଲା ତା'ଉପରେ ଗାଳି ବର୍ଷା ସହ ଛାଟ ଉପରେ ଛାଟ। ବାବୁ କଥା କ'ଣ ପଚାରନ୍ତେ, ବାବୁ ବୋଉ ତା ମୁହଁ ଉପରକୁ ଚିଠି ଟିଏ ଫୋପାଡି ଦେଇ କହିଲା - "ତମେ ସବୁ ପାଠ ପଢ଼ିବାକୁ ଯାଉଛ ନା ପ୍ରେମ କରିବାକୁ? ଧନ୍ଦା ଲଗାଇଛ।" ବାବୁ ଓ ଦିଲ୍ଲୀପ ଉଭୟେ ଆବାକାବା ହୋଇ ଯାଉଥାନ୍ତି। ବାବୁ କହିଲା, "ମୁଁ କାହା ସହିତ ପ୍ରେମ କଲି? ତତେ କିଏ କହିଲା?" ଚିଠିଟିକୁ ତା'ଆଡକୁ ବଢେଇ ଦେଇ ବାବୁ ବୋଉ କହିଲେ - "ନେ ତୋ ମାଇପୋ ପଠେଇଛି।" ବାବୁ ତଳୁ ଚିଠିଟି ଉଠାଇ ପଢିଗଲା ଶେଷ ପର୍ଯ୍ୟନ୍ତ। ଚିଠିରୁ ବାବୁ ଜାଣିପାରିଲା ସେ ବଙ୍ଗାଳୀ ଘରର ଝିଅ ଏଇ ଚିଠି ଦେଇଛି। ଦିଲ୍ଲୀପ ଆଡ଼କୁ ଚିଠି ଟିଏ ବଢେଇ ଦେଇ ବାବୁ କହିଲା - "ବାହାର ତା'ଘରକୁ ଯିବା।" ଦିଲ୍ଲୀପ ଓ ବାବୁ ଦୁହେଁ ସାଇକେଲ ରେ ତାଙ୍କ ଘର ଆଡକୁ ଗଲେ। ସେ ଘର ଆଗରେ ଝିଅଟିର କକେଇ ପୁଅ ସାନଭାଇ (୮-୧୦ ବର୍ଷର ହେବ) ତା' ସାଙ୍ଗମାନଙ୍କ ସହ ଖେଳୁଥାଏ ଏବଂ କିଛି ଅନ୍ୟ ଝିଅପିଲା ମଧ୍ୟ ସେଠାରେ ଥାନ୍ତି। ବାବୁ ସାନଭାଇଟିକୁ ଡାକି ପଚାରିଲା - "ତୋ ନାନୀ ଅଛି?" ପିଲାଟି କହିଲା - 'ହଁ'। ବାବୁ କହିଲା, "ଯା' ତୋ ନାନୀକୁ ଡାକି ଦେ।" ପିଲାଟି ତା' ନାନୀ କୁ ଡାକିବାକୁ ଘର ଭିତରକୁ ଗଲା। କିଛି ସମୟ ପରେ ସେ ବଙ୍ଗାଳୀ ଝିଅଟି ଘରୁ ହସି ହସି ବାହାରି ଆସି ବାବୁ ପାଖରେ ଛିଡ଼ା ହେଲା। ବାବୁ ପଚାରିଲା - "ତୁ ଏଇ ଚିଠି ଲେଖିଛୁ?" ଝିଅଟି 'ହଁ' କହନ୍ତେ, ବାବୁ ତା' ଗାଲରେ ଦି ଚାପୁଡ଼ା ବଜେଇ ଦେଇ ଯାଚ୍ଛାତା ବକି ଦେଇ ଗଲା। ବାବୁର ରାଗ ଦେଖି ସମସ୍ତେ ଡରି ଯାଇଥାନ୍ତି। ଦିଲ୍ଲୀପ ଅତି କଷ୍ଟରେ ବାବୁକୁ ଟାଣି ଟାଣି ସେଠାରୁ ନେଇ ଆସିଲା।


ତା' ଆରଦିନ ଗାର୍ଲ୍ସ ହାଇସ୍କୁଲରେ ସେ କଥାଟି ସବୁଠାରେ ଚର୍ଚ୍ଚା ର ବିଷୟ ହେଇ ଯାଇଥିଲା। ସେଇଦିନଠୁ ବାବୁକୁ ନେଇ ସଂସ୍କୃତ ମାଷ୍ଟ୍ରେ ଯେଉଁଠିକୁ ନେବାକୁ ଚାହିଁଲେ, ପ୍ରତ୍ୟେକ ଘରେ ନାସ୍ତିବାଣି ଶୁଣିବାକୁ ମିଳେ। କେବଳ ରୁକ୍ମିଣୀର ବାପା ବାବୁର ଏ ବ୍ୟବହାରକୁ ନେଇ କୈାଣସି ଅଭିଯୋଗ କଲେ ନାହିଁ। ବାବୁ ଏଥର ରୁକ୍ମିଣୀ ଘରକୁ ସପ୍ତାହକୁ ଦୁଇ ଦିନ ପଢିବାକୁ ଯାଏ।


ସେ ଦିନ ବୋଧହୁଏ ରବିବାର କିମ୍ବା ଅନ୍ୟ କୈାଣସି ଛୁଟି ଦିନଟିଏ ଥିଲା। ସଂସ୍କୃତ ମାଷ୍ଟ୍ରଙ୍କ ନିର୍ଦ୍ଦେଶାନୁସାରେ ବାବୁ ସେଦିନ ଆଗରୁ ଟିକିଏ ରୁକ୍ମିଣୀ ଘରକୁ ଚାଲି ଆସିଥିଲା। ବାଟ ଘର କବାଟ ଖୋଲା ଥିବାରୁ ବାବୁ ଘର ଭିତରକୁ ପଶିଗଲା। ଦେଖିଲା ଘରେ କେହି ନାହାନ୍ତି, ବାବୁ ତେଣୁ ବୋଧହୁଏ ଘର ଲୋକେ ବାଡିପଟେ ଥିବେ ବୋଲି ଅଗଣା ଆଡ଼କୁ ଗଲା.... ଠିକ୍ ସେତିକି ବେଳେ ରୁକ୍ମିଣୀ ଛୋଟିଆ ଗାମୁଛା ଟିଏ ପିନ୍ଧି ଗାଧୁଆଘରୁ ବାହାରୁଥାଏ ଓ ଠିକ୍ ମୈନେ ପ୍ୟାରକିୟା ଷ୍ଟାଇଲ ରେ ହଠାତ୍ ବାବୁ ସାମ୍ନାରେ ତା ଗାମୁଛା ଖୋଲିଦେଲା ସେ ଅଜାଣତରେ। ବାବୁ କିଂକର୍ତ୍ତବ୍ୟ ବିମୁଢ ହୋଇ ଜଡ ପ୍ରାୟ ହୋଇଗଲା ଓ ରୁକ୍ମିଣୀ ମଧ୍ୟ ବାବୁକୁ ଦେଖି ଚକିତ ହୋଇଗଲା। ବାସ୍.... ସେଇଦିନଠୁ ରୁକ୍ମିଣୀ ଘରକୁ ବାବୁର ଯିବା ଆସିବା ବନ୍ଦ ହେଇଗଲା। ବାବୁ ସଂସ୍କୃତ ମାଷ୍ଟ୍ରଙ୍କୁ ଅନୁରୋଧ କରି ମାଷ୍ଟରଙ୍କ ଘରେ ରାତି ୯ଟା ପରେ ପଢିବାକୁ ଗଲା।


ଏ ଭିତରେ ଅନେକ ବର୍ଷ ବିତିଗଲା। ବାବୁ କେବେ ଆଉ ରୁକ୍ମିଣୀ ଘରକୁ ଯାଇନାହିଁ କିମ୍ବା ରୁକ୍ମିଣୀକୁ ମଧ୍ୟ ଦେଖିନାହିଁ। ବାବୁ ବାହାରର ଚାକିରି ଛାଡ଼ି ପୁଣି ନିଜ ଘର ପାଖରେ ଏକ ସରକାରୀ ସଂସ୍ଥାରେ ଚାକିରୀରେ ଯୋଗ ଦେବା ପରେ ବାବୁ ବୋଉ ବାବୁର ବାହାଘର ପାଇଁ ଯୋର୍ ଦେବା ଆରମ୍ଭ କରିବା ସହ ବାବୁକୁ ତା'ରି ମତାମତ ପଚାରିଲେ.... ବାବୁ କହିଲା - "ଯଦି ରୁକ୍ମିଣୀ ଘରେ ରାଜି ହୁଅନ୍ତେ ତେବେ ମୁଁ ତା'କୁ ବାହା ହେବାକୁ ଚାହିଁବି।" ବାବୁ ବୋଉ ରୁକ୍ମିଣୀ ଘରକୁ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ହାତରେ ଖବର ପଠାଇଲା। ରୁକ୍ମିଣୀର ବାପା ମାଁ ଏ ପ୍ରସ୍ତାବ ପାଇଁ ଖୁବ୍ ଖୁସି ହୋଇଥିଲେ। ଏପରିକି ରୁକ୍ମିଣୀର ବଡ଼ଭାଇ ସଞ୍ଜିବ ମଧ୍ୟ ଖୁବ୍ ଖୁସି ହୋଇ ବାବୁ ପାଖକୁ ଆସି ବାବୁକୁ ଧନ୍ୟବାଦ ଦେଇଥିଲା। ଦୁଇଦିନ ପରେ ହଠାତ୍ ସେମାନେ ଏ ପ୍ରସ୍ତାବକୁ ମନା କରି ଦେଇଥିଲେ। ସଞ୍ଜିବ ଓ ଅନ୍ୟମାନଙ୍କୁ ପଚାରିଲା ପରେ ଜଣାପଡ଼ିଲା ଯେ, ରୁକ୍ମିଣୀର ଭିନ୍ନ ମତ ଯୋଗୁଁ ଏ ପ୍ରସ୍ତାବ ଭାଙ୍ଗି ଯାଇଥିଲା। ରୁକ୍ମିଣୀ ତା ବାପା ମା'ଙ୍କୁ କହିଥିଲା - "ମୁଁ ତାଙ୍କୁ କେବେ ଏମିତି ନଜରରେ ଦେଖିନାହିଁ, ସେ ମୋର ବଡ଼ଭାଇର ବନ୍ଧୁ ବୋଲି ତାଙ୍କୁ ମୁଁ ସବୁବେଳେ ବଡ଼ଭାଇ ଭାବରେ ଦେଖିଛି.... ତେଣୁ ମୁଁ ଏ ବିବାହ କରିପାରିବି ନାହିଁ।" ବାସ୍ ସେତିକି... ବାବୁ ଆଉ କୈାଣସି ଜୋର ଜବରଦସ୍ତି କରିନାହିଁ। ବାବୁ ଅନ୍ୟଠି ବାହା ହେଲା। ମାଟ୍ରିକ ପଢି ସାରିଲା ପରେ ଆଜି ପର୍ଯ୍ୟନ୍ତ ବାବୁ କେବେ ମଧ୍ୟ ଆଉ ରୁକ୍ମିଣୀକୁ ଦେଖି ନାହିଁ, ହଁ ମଝିରେ ମଝିରେ ସଞ୍ଜିବ ଓ ତା ବାପା ମାଁ ଙ୍କ ସହିତ ବିଭିନ୍ନ ଭୋଜିଭାତରେ ଏବଂ ପାଖ ସହର ମାର୍କେଟ ରେ ବାରମ୍ବାର ଦେଖାହୁଏ। ପରେ ଜଣାପଡ଼ିଲା ରୁକ୍ମିଣୀ ନିଜ ମାମୁଁ ପୁଅ ବଡଭାଇକୁ ବାହା ହୋଇ ସେଇ ସହରରେ ରହୁଛି।


ବାବୁ ମଧ୍ୟ ନିଜ ବାହାଘରର ଗୋଟିଏ ବର୍ଷ ପରେ ସେଇ ସହରରେ ଯାଇ ରହିଥାଏ। ଏତେବେଳକୁ ବାବୁର ପୁଅଟିଏ ମଧ୍ୟ ହୋଇଥାଏ। ବାପ ପୁଅ ଦୁହେଁ ପ୍ରାୟ ବଜାର କରିବାକୁ ସେଇ ମାର୍କେଟକୁ ଯାଆନ୍ତି। ସେଠି ଅନେକ ଥର ରୁକ୍ମିଣୀର ବାପା ଓ ମାଁ ବାବୁର ପୁଅକୁ ଦେଖି ଖୁବ୍ ଖୁସି ହୁଅନ୍ତି ଆଉ ଆର୍ଶିବାଦ ମଧ୍ୟ ଦିଅନ୍ତି। ଏମିତି କିଛି ବର୍ଷ ବିତିଗଲା। ଦିନେ ବାବୁର ସଞ୍ଜିବ ସହିତ ଦେଖା ହେଲା। କଥା ପ୍ରସଙ୍ଗରେ ସଞ୍ଜିବକୁ ଯେତେବେଳେ ରୁକ୍ମିଣୀର କଥା ପଚାରେ, ସଞ୍ଜିବର ଆଖି ଛଳ ଛଳ ହୋଇଗଲା। ସେ କହିଲା, ତା' ଦୁଃଖ କଥା କ'ଣ କହିବି.... ଛାଡ ପରେ ସେ ବିଷୟରେ କଥା ହେବା... କିନ୍ତୁ ଆଉ ସଞ୍ଜିବ କେବେ ମଧ୍ୟ ତା' ବିଷୟରେ କିଛି କହିଲା ନାହିଁ କିମ୍ବା କେବେ ସେ କଥା ପକେଇଲା ମଧ୍ୟ ନାହିଁ।


ଏମିତି ଅନେକ ବର୍ଷ, ବାବୁକୁ ଏବେ ପ୍ରାୟ ୪୦ ବର୍ଷ ଉପରେ... ବାବୁର ଦେହ ଖୁବ୍ ଖରାପ ହେଇଥାଏ । ବାବୁ ଖୁବ୍ ଝଡି ଯାଇଥାଏ। ବାବୁ ବୁର୍ଲା ଡ଼ାକ୍ତରଖାନାର ହୃଦରୋଗ ବିଭାଗରେ ହୃଦଘାତ ଯୋଗୁଁ ଭର୍ତ୍ତି ହୋଇଥାଏ। ଆଇ.ସି.ୟୁ ଭିତରେ ଆଉ ୬-୭ ଜଣ ରୋଗୀ ଥାଆନ୍ତି। ବାବୁର ପୁଅ ବାବୁ ପାଖରେ ବସିଥାଏ। ଠିକ୍ ସେତିକିବେଳେ ଆଇସିୟୁ ଭିତରକୁ ଜଣେ ବିଧବା ଭଦ୍ରମହିଳା (ଅଳ୍ପ ମୋଟା) ପଶି ଆସିଲେ। ହାତରେ ଟିଫିନ୍ ଡବା, ବୋଧହୁଏ କାହାପାଇଁ ଖାଇବା ଆଣିଥିଲେ। ତାଙ୍କ ମୁହଁକୁ ଚାହିଁ ବାବୁ ଚମକି ପଡ଼ିଲା....। ଏ ତ ରୁକ୍ମିଣୀ.... ସେ ବିଧବା? ରୁକ୍ମିଣୀ ମଧ୍ୟ ବାବୁକୁ ଦେଖି ଚମକି ଗଲା। ତଥାପି ସାହସର ସହିତ ପାଖକୁ ଆସି ପଚାରିଲା - "କ'ଣ ହେଲା....?" ବାବୁର ପୁଅ କହିଲା.... "ବାପାଙ୍କୁ ହାର୍ଟ ଆଟାକ୍ ହେଇଛି ଗଲା ୨ଦିନ ତଳେ।" ରୁକ୍ମିଣୀ ଆଉ କିଛି କହିଲା ନାହିଁ, କେବଳ ବାବୁ ପୁଅ ମୁଣ୍ଡରେ ହାତ ଆଉଁସି ଦେଲା....। ରୁକ୍ମିଣୀ ଆଖିରୁ ଟପ୍ ଟପ୍ ଲୁହ ଗଡି ପଡୁଥିଲା। ବାବୁ କିନ୍ତୁ ଆଖି ବନ୍ଦ କରି ନିଜ ଅର୍ନ୍ତରାତ୍ମାକୁ ପ୍ରଶ୍ନ ପଚାରୁଥିଲା - "ଏହା କ'ଣ ମୋର ସେଇ ପ୍ରଥମ ପ୍ରେମ, ଯାହା ମୋତେ ପ୍ରତ୍ୟାଖ୍ୟାନ କରିଥିଲା?"



Rate this content
Log in

Similar oriya story from Romance