Dinabandhu Mishra

Fantasy Others

3  

Dinabandhu Mishra

Fantasy Others

ସହଯାତ୍ରୀ

ସହଯାତ୍ରୀ

6 mins
542


ଅନେକ ବର୍ଷ ନୁହେଁ ଏଇ କିଛି ବର୍ଷ ତଳର କଥା.... ମୁଁ ଛିଡ଼ା ହୋଇଥାଏ ସମ୍ବଲପୁର ରେଳ ଷ୍ଟେସନରେ ଠିକ୍ ସନ୍ଧ୍ୟା ସମୟରେ। ବୋକାରୋ -ଏଲିପି ଟ୍ରେନ୍ ଟି ଆସି ଲାଗିଗଲା ପ୍ଲାଟଫର୍ମରେ। ଚେହେରା ଖୋଜୁ ଖୋଜୁ ହଠାତ୍ ମୋର ନଜର ପଡିଲା ଝରକା ପାଖକୁ ଲାଗି ବସିଥିବା ମାଳିନୀ ଉପରେ। ଅନେକ ଦିନ ପରେ ତା ଚେହେରା ଦେଖି ମୋ ଭିତରେ ଅନେକ ଝଡଝଞ୍ଜା ବୋହିଯିବା ପରେ ଚିନ୍ତା କଲି ତା'ସହିତ ଦୁଇପଦ କଥା ହେବା ପାଇଁ। କିନ୍ତୁ ସେତେବେଳକୁ ରେଳଗାଡ଼ି ହ୍ବିସିଲ୍ ଦେଲାଣି ଛାଡ଼ିବାକୁ। ପକେଟ୍ ଅଣ୍ଡାଳିଲି ପାଖରେ କିଛି ଟଙ୍କା ଥିଲା.... ତେଣୁ କିଛି ନ ଭାବି ନ ଚିନ୍ତି ଚଢ଼ିଗଲି ଟ୍ରେନ୍ ରେ।


ସାଧାରଣ ବଗିରେ ମତେ ଦେଖି ଯଦିଓ ସେ ଠିକ୍ ଜାଣିଲା କିନ୍ତୁ ତା ମନରେ ମୋର ଚେହେରା ତାକୁ ବୋଧହୁଏ ଠିକ୍ ଲାଗୁନଥିଲା। ସତେ ଯେମିତି ସେ ନିଜକୁ ଅଖାଡୁଆ ମନେ କରୁଥିଲା। ତଥାପି ସେ ମତେ ନିରେଖି ଚାହିଁ ରହିଥାଏ। ମୁଁ କିନ୍ତୁ ନିର୍ବିକାର ଭାବରେ ତା ଗତିବିଧି ଓ ମାନସିକତାକୁ ତନ୍ନ ତନ୍ନ କରି ପଢି ଚାଲିଥାଏ। ସେତେବେଳେ ମୁଁ ନୁଆଁ ନୁଆଁ ଫେସବୁକ୍ ରେ ଲେଖାଲେଖି କରୁଥାଏ। ଯଦିଓ ହାଇସ୍କୁଲ ଓ କଲେଜରେ ପଢ଼ିବା ସମୟରୁ ବିଭିନ୍ନ ପତ୍ରପତ୍ରିକାରେ ମୋର ଲେଖା ସବୁ ବାହାରୁଥିଲା କିନ୍ତୁ କିଏ କିଏ ସବୁ ସେ ଲେଖା ପଢୁଥିଲେ କି ନାଇଁ ସେତେବେଳେ ମୁଁ ଜାଣିନଥିଲି। ଫେସବୁକରେ ଯୋଗ ଦେବା ପରେ ମୋ ଲେଖା ବାବଦରେ ଟିପ୍ପଣୀ ଓ ଲାଇକ୍ ରୁ ଅନେକେ ପଢୁଥିବା ଜାଣିଲି ଓ ତା ଭିତରେ ସେ ବି ଜଣେ ଥିଲା।


ଜୀବନରେ ଦିନେ ଦିନେ ଏମିତି ମନ ଭିତରେ ଝଞ୍ଜା ସବୁ ବୋହିଯାଏ ଓ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡେ ଯାହା ମଣିଷ କଳ୍ପନା କରିବାର ତ ଦୂରର କଥା ସ୍ବପ୍ନରେ ସୁଦ୍ଧା ଭାବି ନଥାଏ।


ମୁଁ ମନରେ କୈାତୁହଳର ସହ ହଠାତ୍ ତାରି ପାଖରେ ଖାଲିଥିବା ଲମ୍ବା ସିଟ୍ ରେ ଯାଇ ବସିଗଲି ଓ ତାକୁ ନ ଜାଣିଲା ପରି ପକେଟ୍ ରୁ ରୁମାଲ୍ କାଢି ନିଜ ମୁହଁ ପୋଛିଲା ପରେ ପକେଟରୁ ମୋବାଇଲ କାଢି ମୋ ଷ୍ଟାଟସ୍ ଦେଖିବାକୁ ଲାଗିଲି। ସେ କିନ୍ତୁ ମତେ ତାଳୁରୁ ତଳିପା ଯାଏ ଘୁରି ଚାଲୁଥାଏ। ମୁଁ ଦେଖିଲି ସେ ଯଦିଓ ବୟସ୍କା ଜଣା ପଡୁନି କିନ୍ତୁ ଟିକିଏ ମୋଟି ହେଇଯାଇଛି ଆଉ ମୋର ଅଧା ଚୁଟି ପାଚି ଯାଇଥିବା ବେଳେ ସେ ତାର ଡାଇ ଲଗା ଚୁଟି ଭିତରେ ଥିବା କିଛି ରଙ୍ଗିନ୍ ନାଲିଆ ଚୁଟି ସବୁକୁ ଲୁଚାଇବାକୁ ଚେଷ୍ଟା କରୁଥାଏ। ସେ ବୋଧେ ଭାବୁଥିଲା ମୁଁ ବୁଢା ହେଇଯାଇଛି ଆଉ ତାକୁ ଚିହ୍ନି ପାରୁନି। କିନ୍ତୁ ସେ ନିଜର ପରିଚୟ ଦେବାକୁ ମଧ୍ୟ କୁଣ୍ଠାବୋଧ କରୁଥାଏ। 


ହଠାତ୍ ସେ ଉଠିପଡ଼ି ନିଜ ଶାଢ଼ୀ ର କୁଞ୍ଚ ଠିକ୍ କରୁ କରୁ ଟୟଲେଟ୍ ଆଡ଼କୁ ଗଲା। ଆଉ ମୁଁ ମଧ୍ୟ ପବନ ଖାଇବା ଲାଗି ଘୁଞ୍ଚି ଯାଇ ତା ଜାଗାରେ ବସିପଡ଼ିଲି। କିଛି ସମୟ ପରେ ସେ ଟୟଲେଟ୍ ରୁ ମୁହଁକାନ ଧୋଇ କୁଣ୍ଡାଇ ହେବା ସହ ପାଉଡର ଟିକିଏ ମାଖି ସଜେଇ ହେଇ ଆସିଲା ଓ ମତେ ତରାଟି ଚାହିଁଲା। ମୁଁ ବି ହସିଦେଇ କହିଲି.... ତରବରରେ ଟିକେ ଧାଇଁ ଧାଇଁ ଆସିଲି ତ ଝାଳ ଶୁଖାଇବାକୁ ଝରକା ପାଖକୁ ଚାଲିଆସିଲି.... ଝାଳ ଶୁଖିଗଲେ ନିଜ ଜାଗାକୁ ଚାଲିଯିବି କହି ନିଜ ମୋବାଇଲ ଭିତରେ ବୁଡ଼ି ଯିବାର ଅଭିନୟ କଲି। କିନ୍ତୁ ତା ଚେହେରା ମତେ କିଛି କହିବି କହିବି ହେଉଥାଏ... ଆଉ ମୁଁ ସୁଯୋଗ ନ ଦେବାରୁ ଅଭିମାନରେ ଫାଟି ପଡୁଥାଏ। ସେ ବୋଧହୁଏ ଭାବୁଥିଲା ବାବୁ ଏଇ ୨୦ ବର୍ଷ ଭିତରେ ମତେ ଏମିତି କେମିତି ଭୁଲିଗଲା? ସେ ଭାବୁଥିଲା ଯାହାକୁ ମୁଁ ଆଜିଯାଏଁ ଭୁଲିପାରିନି... ସେ କେମିତି ମତେ ଭୁଲିଗଲା....😔 ଏତେ ଗମ୍ଭୀର ତ ନଥିଲା ବାବୁ.... ବେଶ୍ ହସଖୁସି ମିଜାଜର ପିଲା.... ବଲର ବଲର ନ ହେଲେ ନ ଚଳେ.... ସେଥିରେ ଆଜି କେମିତି ଚୁପ୍ ହେଇ ବସିଛି।😖


ମୁଁ ନୁଆଁ କବିତା ଟିଏ ଛାଡିଥାଏ। କିଛି ସମୟ ପରେ ସେ ମୋବାଇଲ ରେ ଲାଇକ୍ କଲା ମତେ ମେସେଜ୍ ଆସିଲା... ମୁଁ ବି ଠିକ୍ ଜାଣିଲି। ସେତେବେଳେ ହଠାତ୍ ମୋ ମନରେ ଗୋଟିଏ ଚିନ୍ତା ଆସିଲା.... ମତେ ସେ କ'ଣ ଭାବୁଥିବ.... ବାବୁ ତ ଆମ ଆଗରୁ ବାହା ହେଲା, ତାର ତ ଘର ସଂସାର ଅଛି... ହେଲେ ସେ କାହିଁକି ଅବା କାହା ସହିତ ସମ୍ପର୍କ ରଖିବାକୁ ଯିବ.... ତା ପରେ ଆମର ତ ଆଉ ପ୍ରେମ କରିବାର ସମୟ ନାହିଁ। ସେ ଯାହା ହେଉ ମନସ୍ତତ୍ତ୍ୱର ଖୋରାକ ଗୋଟାଇବା ମୋ କାମ ତେଣୁ ମୁଁ ତା ଉପରେ ନଜର ଗଡ଼ାଇ ରଖିଲି.... ଆଉ ସେ ନିଜ ମୋବାଇଲ୍ ରେ ବ୍ୟସ୍ତ ହେଇ ରହିବାର ଅଭିନୟ କରୁଥାଏ। ମୋର ମନେ ପଡିଗଲା ସ୍କୁଲ ସମୟର ସେଇ ଘଟଣା ସବୁ।


ଆମେ ହାଇସ୍କୁଲରେ ପଢିଲା ସମୟରେ ଅଳ୍ପ କିଛିଦିନ ପାଇଁ ତାଙ୍କ ଘରକୁ (ତା କକା ଖୁଡି ଘର) ଟିଉସନ ପଢିବାକୁ ଯାଇଥିଲି। ସେମାନେ ଯେହେତୁ ବଙ୍ଗାଳୀ ଥିଲେ ତେଣୁ ତାଙ୍କ ଭିତରେ ହେଉଥିବା ବଙ୍ଗଳା ଭାଷାର କଥାବାର୍ତ୍ତା ସବୁ ମୁଁ ଠିକ୍ ଜାଣିପାରୁଥିଲେ ହେଁ ମୋ ସାଙ୍ଗରେ ଯାଉଥିବା ବନ୍ଧୁ ଓ ସଂସ୍କୃତ ଶିକ୍ଷକ ଜଣକ କିଛି ବୁଝି ପାରୁନଥିଲେ। ମୁଁ କିନ୍ତୁ ଚୁପ୍ ଚାପ୍ ହସି ଦିଏ। ଏମିତି ମାଟ୍ରିକ ପରୀକ୍ଷା ସରିବା ପରେ ଦିନେ ହଠାତ୍ ଆମ ଘରକୁ ଗୋଟିଏ ଚିଠି ଆସିଥିଲା.... ସଂପୂର୍ଣ୍ଣ ପ୍ରେମପତ୍ର ଟିଏ। ସିଧା ବୋଉ ହାତରେ ଲାଗିଥିଲା। ବୋଉ ମୁଁ ଖେଳି କି ଆସିବା ପର୍ଯ୍ୟନ୍ତ ସେ ଚିଠି ଓ ଛାଟ ଟିଏ ଧରି ବାହାର ଭିତର ହେଉଥାଏ। ମତେ ଦେଖିବା ମାତ୍ରେ ଦୁଇ ଚାରି ପାହାର ବସେଇ ଯାଚ୍ଛାତା ବକିଗଲା ଆଉ ଚିଠିଟି ମୋ ମୁହଁ ଉପରକୁ ଫୋପାଡି ଦେଇ ବକିଗଲା। ମୁଁ ଚିଠିଟି ପଢିଲା ପରେ ରାଗରେ ତମତମ ହେଇ ଦଉଡ଼ି ଯାଇଥିଲି ତାଙ୍କ ଘରକୁ ଆଉ ଖୁବ୍ ଝଗଡ଼ା କରିଥିଲି ମାଳିନୀ ସହ। ସେ କିନ୍ତୁ ହସୁଥିଲା। କିଛି ଦିନ ପରେ ମୋ କଲେଜରେ ପଢ଼ୁଥିବା ସମୟରେ ଟେନ୍ସାରେ ତା ସହିତ ଦେଖା ହେଇଥିଲା। ସେଠି ମୁଁ ମୋ ବ୍ୟବହାର ଉପରେ ଯେତେବେଳେ ପଶ୍ଚ୍ୟାତାପ କରିଥିଲି.... ସେ ମତେ ପ୍ରେମର ସଂଜ୍ଞା ବତାଇ କହିଥିଲା.... "ପ୍ରେମ କ'ଣ ପ୍ରେମିକ ପ୍ରେମିକା ଭିତରେ କେବଳ ହୁଏ.... ମାଁ, ବାପା, ଭାଇ, ଭଉଣୀ ଭିତରେ କ'ଣ ପ୍ରେମ ସଂପର୍କ ରହିପାରିବନି?" ମୁଁ ଚୁପ୍ ହେଇ ଯାଇଥିଲି। ସେ ଦିନ ତାଙ୍କ ଘର ଅଗଣାରେ ସେ ମୋ ହାତରେ ବାନ୍ଧି ଦେଇଥିଲା ତା' ଅନାବିଳ ପ୍ରେମର ସନ୍ତକ ଟିଏ। ପ୍ରଥମେ ପ୍ରଥମେ ଯେତେବେଳେ ଫେସବୁକ୍ ରେ ଲେଖା ଆରମ୍ଭ କଲି ସେ ପ୍ରଥମେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠେଇଥିଲା ଆଉ ମୁଁ ଗ୍ରହଣ ମଧ୍ୟ କରିଥିଲି।


ଏମିତି ଅସମଞ୍ଜସ ଭିତରେ କେତେବେଳେ ବରଗଡ଼ ଆସିଗଲା ମୁଁ ଜାଣିପାରିଲି ନାହିଁ କାହିଁକି ନା ମୋ ଆଖିରେ ତ କେବଳ ସେ ହିଁ ଥିଲା। ଅଚାନକ ଟିଟିର ଡାକରେ ମୁଁ ସଚେତନ ହେଲି। 

ଟିଟି ମତେ ଟିକଟ ମାଗିବାରୁ ମୁଁ କହିଲି ଟିକଟ କରିନି। 

ଟିଟି କହିଲା ଫାଇନ୍ ଲାଗିବ। 

ମୁଁ କହିଲି ଲଗା। 

ପୁଣି ଟିଟି ପଚାରିଲା କେଉଁଠିକୁ ଯିବେ... 

ମୁଁ କହିଲି ବଲାଙ୍ଗୀର। କାହିଁକି ନା ମୁଁ ଜାଣିଥିଲି ସେ ବଲାଙ୍ଗୀରରେ ରହେ। 

ଟିଟି ଟିକଟ କାଟି ଚାଲିଗଲା। ମୁଁ ପୁଣି ମୋବାଇଲ୍ ରେ ବୁଡ଼ି ଯିବାର ଅଭିନୟ କଲି।


ସେ ଆଉ ରହି ପାରିଲା ନାହିଁ... ମତେ ପଚାରିଲା ବଲାଙ୍ଗୀରରେ କେଉଁଠି ରୁହ... ମୁଁ ତଳକୁ ମୁହଁ କରି କହିଲି ମୁଁ ସମ୍ବଲପୁରରେ ରହେ।

ସେ ପୁଣି ପଚାରିଲା.... କିଛି କାମରେ ଯାଉଛ? ମୁଁ କହିଲି - ହଁ। 


ସେ କିଛି ସମୟ ପାଇଁ ଚୁପ୍ ହେଇଗଲା। ତା ମୁହଁରେ କେମିତି ଗୋଟିଏ ନୈରାଶ୍ୟ ଭାବ ସୃଷ୍ଟି ହେବାର ଦେଖିଲି। କିନ୍ତୁ ସେ ପୁଣି ପ୍ରଶ୍ନ କଲା କାହା ଘରକୁ ଯାଉଛ? କେହି ତମର ଅଛନ୍ତି ସେଠି? 

ମୁଁ କହିଲି - କାହା ଘରକୁ ଯାଉନି।

ସେ ଚୁପ୍ ହେଇଗଲା।

ଏବେ ମୁଁ କହିଲି - ଏବେ ପଚାର ମୋର କେହି ଅଛନ୍ତି କି ନାଇଁ..? 

ସେ ସାଙ୍ଗେ ସାଙ୍ଗେ ପଚାରି ପକେଇଲା - କିଏ ଅଛନ୍ତି? ଆଉ କେଉଁଠି ରହୁଛନ୍ତି? ପୁଣି କାହିଁକି ଲାଜେଇ ଗଲା ନିଜେ ନିଜେ।


ମୁଁ କହିଲି ବହୁ ଦିନ ପରେ ହଠାତ୍ ମୋର ଜଣେ ବନ୍ଧୁ ତଥା ଗୁରୁଙ୍କୁ ଦେଖିଲି ଓ ସେ ଏକୁଟିଆ ଥିବାରୁ କାଳେ ଆଉ କିଛି ଜ୍ଞାନକୋଷର ବୃଦ୍ଧି ହେବ ଭାବି ଚାଲିଆସିଛି ତାଙ୍କ ସାନିଧ୍ୟକୁ। ଏତକ ଶୁଣିବା ପରେ ସେ ନିଜ ହସକୁ ଚାପିବାର ଅସଫଳ ଅଭିନୟ ଭିତରେ ପୁଣି ପ୍ରଶ୍ନ କଲା - ଗୁରୁ... ପୁଣି ବନ୍ଧୁ... କେଉଁଠି?

ମୁଁ ହସି ହସି କହିଲି - ଏଇଠି ମୋ ସାମ୍ନାରେ ଯିଏ ମତେ ପ୍ରେମର ସଂଜ୍ଞା ବତାଇଥିଲା।


ଏତକ ଶୁଣିବା ପରେ ଖୁସିରେ ଫାଟିପଡି କାନ୍ଦିବାକୁ ଲାଗିଲା। ମୋ ଆଖିରୁ ମଧ୍ୟ ଦୁଇବୁନ୍ଦା ଆନନ୍ଦାଶ୍ରୁ ବାହାରି ଯାଇଥିଲା। ପଚାରିଲି - କାନ୍ଦୁଛୁ କାହିଁକି?

ସେ ଅଭିମାନ ଭରା ସ୍ବରରେ କହିଥିଲା - ତୋ ଭଳିଆ ନିଷ୍ଠୁର ଲୋକ ମତେ ବୁଝିପାରିବ ନାହିଁ।

ମୁଁ କହିଲି - ହଁ କବି ମଣିଷ ମତେ ଅନ୍ୟର ଲୁହ ବୁଝିବାରେ କଷ୍ଟ ହୁଏନି।

ସେ ନିଜକୁ ସମ୍ଭାଳି ନେଇ ମୋର କୁଶଳତା ଓ ପରିବାର ବିଷୟରେ ଆଲୋଚନା କରିବାକୁ ଲାଗିଲା।

ମୁଁ ଯେତେବେଳେ ତା ପରିବାର ବିଷୟରେ ପ୍ରଶ୍ନ କଲି - ସେ ହଠାତ୍ ଗମ୍ଭୀର ହେଇଗଲା। କହିଲା - ବାବା ବୋଉ ମଲା ପରେ ଭାଇମାନେ ଅଲଗା ଅଲଗା। ୟାଙ୍କୁ ତ ତାଙ୍କ ଡାକ୍ତରୀ ପେଶାରୁ ଛୁଟି ନାହିଁ। ସାନଭାଇ ରାଉରକେଲାରେ ରହେ...  ତେଣୁ ମୁଁ ଏକୁଟିଆ ଚାଲି ଆସିଥିଲି ଭାଇକୁ ନ ଜଣାଇ ରାକ୍ଷୀ ର ସରପ୍ରାଇଜ ଦେବାପାଇଁ। କିନ୍ତୁ ଭାଇ ତ ଭାଉଜକୁ ଧରି ତା ଶଳା ଘରକୁ ଚାଲିଯାଇଛି... ତେଣୁ ହରବରରେ ରିଜର୍ଭେସନ ନ କରି ସିଧା ଚାଲି ଆସିଲି।


ତା ପରେ ପୁଣି କହିଲା... କେମିତି ଅଛୁ? ପୁରା ବୁଢ଼ା ଦିଶୁଲୁଣି। ମୁଣ୍ଡରେ ଡାଇ କାଇଁ କରୁନୁ? ମୁଁ କିଛି କହିଲି ନାହିଁ। ମନରେ ଅନେକ ସାହାସ ସଞ୍ଚୟ କରି ପଚାରିଲି - "ମୋ କଥା କେବେ ମନେ ପଡେନି? କେବେ ମନେ ପଡେନି ଏଇ ଡାହାଣ କଚଟି ଯେଉଁଠି କିଛି ଜ୍ଞାନ ସହିତ ତୁ ବାନ୍ଧି ଦେଇଥିଲୁ ସେଇ ନାଲି ରଙ୍ଗର ରାକ୍ଷୀ ଟିଏ ଯାହା ଆଜି ପର୍ଯ୍ୟନ୍ତ ଖାଲି ରହିଛି?" ତା' ଆଖିରୁ ଗଙ୍ଗା ଯମୁନା ବହି ଚାଲିଥାଏ। 

ସେ ଝଟପଟ ତା ଭ୍ୟାନିଟି ବ୍ୟାଗ୍ ରୁ ରାକ୍ଷୀ ଟିକୁ କାଢି ମୋ ଆଡ଼କୁ ଅନାଇ ପଚାରିଲା ବାନ୍ଧିଦେବି? ତୋ ହାତରେ?


ମୁଁ କହିଲି - ମତେ ଛୁଇଁଲେ ତତେ ପାପ ଲାଗିବ ନାହିଁ।

ସେ କାନ୍ଦି କାନ୍ଦି ମୋ ହାତଧରି ବଲାଙ୍ଗୀର ପର୍ଯ୍ୟନ୍ତ ବସି ରହିଲା। ସେଦିନ ଅନେକ କଥା ହେଲା ଅନେକ ସ୍ମୃତି ର ରୋମନ୍ଥନ ହେଲା। ଆଜି ବି ସେ ଦିନ ମୁଁ ଭୁଲି ପାରିବି ନାହିଁ। ତା ଘର ସାମ୍ନାରେ ତାକୁ ଛାଡି ଚାଲିଆସିଲି।


ଆମ ଭିତରେ ହେମିତି କିଛି ଅନୈତିକ ସମ୍ପର୍କ ନଥିଲା କିନ୍ତୁ ଭାବ ଓ ବିଶ୍ବାସ ଭିତରେ ସବୁ ଠିକ୍ ଚାଲୁଥିଲା। ୨୦୧୨ରେ ମୋର ପ୍ରଥମ ହୃଦ୍ ଅସ୍ତ୍ରୋପଚାର ପରେ ମୁଁ ଯେତେବେଳେ ପୁର୍ନବାର ବମ୍ବେ ଯାଉଥିଲି ସେତେବେଳେ ତା ସ୍ବାମୀ ସହ ଦେଖା ହେଲା ଶିରିଡ଼ିରେ ଆଉ ସେଇଠୁ ମୁଁ ଖବର ପାଇଲି ତାର କ୍ୟାନ୍ସରରେ ଦେହାନ୍ତ ସମ୍ବନ୍ଧରେ।


ପ୍ରତ୍ୟେକଟି ରକ୍ଷା ପୂର୍ଣ୍ଣିମା ରେ ମୋର ଆଖି ଓ ମନ ମସ୍ତିଷ୍କ କାହିଁକି କେଜାଣି ଅପେକ୍ଷା କରିଥାଏ ସେଇ ପାଗେଳୀର ସ୍ବରକୁ ଆଉ ମନ କେମିତି ଅଖାଡୁଆ ଲାଗେ ତା ରାକ୍ଷୀ ବିନା। ଯଦିଓ କେହି ଭଉଣୀ ନାହାନ୍ତି ଆଉ କେହି ରାକ୍ଷୀଟିଏ ବି ପଠାନ୍ତି ନାହିଁ କିନ୍ତୁ ବିଳମ୍ବରେ ହେଲେ ସୁଦ୍ଧା ଶାଳୀ ସାହିବା ପଠାଉଥିବା ରାକ୍ଷୀଟିକୁ ସାଇତି ପିନ୍ଧି ଥାଏ ମାସ ମାସ କାଳ ଯେ ପର୍ଯ୍ୟନ୍ତ ସେ ଆପେ ଛିଡି ନ ଯାଏ ପ୍ରେମର ସେଇ ଅଭୁଲା ଜ୍ଞାନକୋଷ ଭିତରେ.... ଏକ ସ୍ୱର୍ଗୀୟ ସମ୍ପର୍କର ଅନୁଭୂତିକୁ ଆହୁରି ଅନୁଭବ କରି।



Rate this content
Log in

Similar oriya story from Fantasy