ପାଇଛି ମୁଁ ଶାମୁକା
ପାଇଛି ମୁଁ ଶାମୁକା
ଦିନସାରା ଅକ୍ଲାନ୍ତ ପରିଶ୍ରମରେ ଥକି ଯିବା ପରେ ମଧ୍ୟ ନିଦ ଆସୁ ନ ଥିଲା ସାଗରକୁ..।କଣ କରିବ?ଏକା ଏକା ଏଇ ସହରରେ ରହି ରହି ବିରକ୍ତ ଲାଗିଲାଣି।ମା ବାପା ସବୁ ଗାଁରେ ରହିଲେ।ଚାକିରୀ ପରେ ସେ ଏକୁଟିଆ ଆସି ଯାଇଛି।କଥା ଥିଲା କିଛି ଦିନ ଭିତରେ ତା ବାହାଘର କରି ସେମାନେ ବୋହୂ ସହ ଏକାଠି ରହିବାକୁ ସହରକୁ ଆସିଯିବେ।କିନ୍ତୁ..
ଚାରି ଚାରିଟା ପ୍ରସ୍ତାବ ଭାଙ୍ଗିଗଲା।ସାଗର ଦେଖିବାକୁ ନିହାତି ଅସୁନ୍ଦର ନୁହେଁ।ଚାକିରୀ ଟି ଅତି ଭଲ ନ ହେଲେ ମଧ୍ୟ ମନ୍ଦ ନୁହେଁ।କେବଳ ଗୋଟିଏ ଅବଗୁଣ ବୋଲି କହିହେବ ସାଗର ଭିତରେ।ତା ହେଲା ତାର ଡାହାଣ ଆଖି ଟିକେ ଛୋଟ ଦେଖାଯାଏ।ମୁହଁ ଦେଖୁ ଦେଖୁ ସେଇଟା ହିଁ ଆଗେ ନଜରରେ ପଡେ।କିନ୍ତୁ ସେଇଟା ଯେ ଅତିଶୟ ଦୂର୍ଗୁଣ ନୁହଁ ସେକଥା କାହାକୁ ବା ବୁଝେଇ ହେବ?ଅନାୟାସରେ ଚାରିଟା ପ୍ରସ୍ତାବ ଭାଙ୍ଗିଗଲା।ତା ମଧ୍ୟ କେବଳ ଛ ମାସ ଭିତରେ।ଆଉ ସାଗର ମନ ସତରେ ଟିକେ ଦବିଗଲା।କେଉଁ ଯୁବକ ଏ କଥାକୁ ସାଧାରଣ ଅର୍ଥରେ ନିଅନ୍ତା ଭଲା?ବାହାଘର ଠିକ୍ ହୋଇଯାଇଥିଲେ ମା ବାପା ପୁରୁଣା ଘର ବିକି ହୁଏତ ଆସି ପାରିଥାନ୍ତେ କିନ୍ତୁ। ସେତିକି ବି ହେଲାନି।ଆଉ ତା ସହିତ ମାନସିକ ସ୍ତରରେ ମଧ୍ୟ ସାଗର କେମିତି କେଜାଣି ଟିକେ ଭାଙ୍ଗିଗଲା ପରି ଲାଗୁଥାଏ।ସକାଳୁ ନିଜ କାମ ସାରି ଅଫିସ୍ ଯିବା.. କ୍ୟାନ୍ଟିନ ନ ହେଲେ ହୋଟେଲ୍ ରେ ଖାଇ ବସାକୁ ଫେରିବା ପରେ କେମିତି ଏକ ନିସଂଗତା ଗ୍ରାସ କରି ବସୁଥିଲା।ବୟସର ଉଦ୍ଦାମତା ହେଉ ଅଥବା ସାଙ୍ଗମାନଙ୍କ ଯୁବସୁଲଭ କଥାବାର୍ତ୍ତା..ସାଗର ଏକ ରକମ ଅସହଜ ବୋଧ କରୁଥିଲା।ସେଥିପାଇଁ ଖାସ୍ କିଛି ପୁସ୍ତକ ଅଧ୍ୟୟନ ପସନ୍ଦ କରେ ସେ।ଏମିତିରେ ସେ ଲେଖକ..!!କିନ୍ତୁ…!!ଟିଭି ଦେଖିବାକୁ ସେ ଜମା ଭଲ ପାଏନା।ମୋବାଇଲ ଜରିଆରେ ମଧ୍ୟ କେତେ ସମୟ ସାରିବ?ଏମିତି ଗୋଟିଏ ଜୀବନରେ ଆସେ ଯେତେବେଳେ କାହାରି ନିବିଡ଼ ଉପସ୍ଥିତି ଛଡା ଆଉ କିଛି ହୁଏତ କାମ୍ୟ ହୋଇ ରହେନା..!
ଆଉ ସେଦିନ ତ ଜଣେ ବନ୍ଧୁ ର ବିବାହ ସମାରୋହରେ ସେ ଯୋଗ ଦେଇ ଫେରିଥିଲା..!!ମନ ଅସ୍ଥିର ହେବା ତ ସ୍ବାଭାବିକ କଥା।ତଥାପି ନିଜ ଶରୀର ଖଟରେ ଲେଉଟାଇ ଚେଷ୍ଟା କଲା ଶୋଇବାକୁ।କିନ୍ତୁ ନିଦ ଆସୁ ନ ଥାଏ।ଢେର୍ ସମୟ ଉପରକୁ ଚାହିଁ ରହିଲା ପରେ ଆଉ ପାରିଲାନି।ନା..କୁଆଡେ ଟିକେ ବୁଲି ଆସିଲେ ହେବ।ହେଲେ ଏତେ ରାତିରେ କୁଆଡେ ଯିବ?ସବୁ ବନ୍ଧୁ ଏବେ ବିଶ୍ରାମ ନେଉଥିବେ ନିଶ୍ଚୟ।ବେଳେବେଳେ ନିସଂଗ ହୋଇ ନିରୋଳାରେ ରହିବାକୁ ବି ଭଲ ଲାଗେ।ଅବଶ୍ୟ ଏକୁଟିଆ ରହିବା ଆଉ ନିରୋଳାରେ ରହିବା ଭିତରେ ବହୁତ୍ ପାର୍ଥକ୍ୟ ଅଛି।ଏକୁଟିଆ ରହିବା ବାଧ୍ୟତାମୂଳକ ହୋଇପାରେ ହେଲେ ନିରୋଳା ରହିବାଟା ନିଜସ୍ବ ପସନ୍ଦ..
ଆଉ ପାରିଲାନି ସାଗର। ଗାଡ଼ି ବାହାର କରି ଦଶ କିଲୋମିଟର ଦୂରରେ ଥିବା ସମୁଦ୍ରକୂଳକୁ ବାହାରିଗଲା...ହୁଏତ ଏଇଠି ହିଁ ତାକୁ ଶାନ୍ତି ମିଳିପାରେ..!!
ଅନେକ ଥର ସେ ଆସିଛି ଏଇ ଜାଗାକୁ।ମନ ବିଚଳିତ ହେଲେ ଚୁପଚାପ୍ ଚାଲି ଆସି ଏମିତି ବସେ କିଛି ସମୟ।ଦିଗବଳୟକୁ ଚାହିଁ..ଚନ୍ଦ୍ର ତାରା ଆଉ ଲହରୀ ଶବ୍ଦରେ ନିଜକୁ ହଜାଇ କିଛି ସମୟ ବାଲୁକା ଶଯ୍ୟାରେ ଶୋଇଲା ପରେ ତାକୁ ଆରାମ ଲାଗେ ଆଉ ସେ ଫେରିଯାଏ ତା ବସାକୁ..!!ମନର ସବୁ କଥା ଖୋଲି କହିଦିଏ।ବେଳେବେଳେ ଭୋର୍ ହେଲା ଯାଏଁ ଏମିତି ବସିରହେ।ଆଉ ଘରକୁ ଯାଇ ଲୁଗା ବଦଳେଇ ଅଫିସ୍ ବାହାରି ଯାଏ।
ସବୁଦିନିଆ ଜାଗାରେ ଗାଡ଼ି ରଖି ତା ହ୍ୟାଣ୍ଡେଲରେ ଶ୍ଳିପର ଓହଳେଇ ଦେଇ ଆଗକୁ ବଢ଼ିଗଲା ସାଗର ଖାଲି ପାଦରେ।ଏମିତି ଚାଲିବାକୁ ତାକୁ ଭଲ ଲାଗେ।ପାଣିରୁ ଟିକେ ଦୂରରେ ବସିଗଲା ଯେମିତି ସବୁବେଳେ ବସେ।ଆଉ ପ୍ରତିଥର ପରି ଏଥର ମଧ୍ୟ ନିର୍ଜନ ବେଳା ଭୂମିରେ ସମ୍ରାଟ ପରି ହାତ ଗୋଡ଼ ଖୋଲାମେଲା ପକେଇ ଆକାଶକୁ ଚାହିଁ ବାଲିରେ ଶୋଇଲା।ତା ମନକଥା ସେ ପ୍ରଗଳ୍ଭ୍ ହୋଇ କହିଦିଏ ଏଇଠି..ତାକୁ ଲାଗେ.. ଶୁଣୁଛନ୍ତି ଲହରୀମାଳା..ତରକାଗଣ..ଆଉ ମେଘମାଳା ସହ ସେହି ଚନ୍ଦ୍ର ଯେ ଲୁଚକାଳି ଖେଳିବାର ପ୍ରୟାସ କରେ..!!
"ଏଇଟା କଣ ମୋର ଭୁଲ୍ ଯେ ମୋ ଡାହାଣ ଆଖି ଟା ଟିକେ ଛୋଟ..!!??"ପଚାରିଲା ସେ ଚିରାଚରିତ ଢଙ୍ଗରେ..!!
"ନା..ଜମା ନୁହେଁ.."କେହି ଜଣେ ଉତ୍ତର ଦେଲା ପରି ଲାଗିଲା।
ଚମକି ପଡ଼ିଲା ସାଗର..ଏଇଠି ତ କେହି ନାହିଁ..ତେବେ..!!କିଏ ଉତ୍ତର ଦେଲା??
ଟିକେ ରହିଯାଇ ପଚାରିଲା.."କିଏ"?
"ମୁଁ..ମୁଁ.."କହିଲା ସେ ମହିଳା ସ୍ୱର।
ଟିକେ ଡରିଯାଇ ସାଗର ପ୍ରଶ୍ନ କଲା.."କିଏ ସାମ୍ନାକୁ ଆସ.."
"ତୁମେ ଡରିବନି ତ?" ସେ କହିଲା ..
ସାଗର ଭାବିଲା ଭୂତ କି ପ୍ରେତ ହେଲେ ମଣିଷ ପରି କଥା କେମିତି ହୁଅନ୍ତା ? କିଏ ହେଇଥିବ..ହେଉ.. ଡରିବାରେ କଣ ଅଛି?ଏକୁଟିଆ ବୋର୍ ହେବା ଅପେକ୍ଷା କାହା ସହ ଗପିବା ବରଂ ଭଲ।ମୁଣ୍ଡ ହଲେଇ ନା କହିଲା ଆଉ ଆହ୍ୱାନ ଦେଲା ସାମ୍ନାକୁ ଆସିବାକୁ..
ହଠାତ୍ ତା ବାମ ପାଖରେ ବାଲି ଜୋରରେ ହଲଚଲ ହେବାକୁ ଆରମ୍ଭ କଲା।ଟିକେ ପଛକୁ ଘୁଞ୍ଚିଗଲା ସାଗର..!!ଯାହା ଦେଖିଲା..ଆଖିକୁ ବିଶ୍ବାସ ହେଲାନି..!!
ବାଲି ଭିତରୁ ବାହାରି ଆସିଲା ଏକ ଚମକୁଥିବା ମସୃଣ ଦେହଧାରୀ ଅପୂର୍ବ ଜୀବ।ଅଣ୍ଟା ଉପରକୁ ଏକ ସୁନ୍ଦର ଝିଅ ଆଉ ତା ତଳକୁ ମାଛ ପରି ଲାଞ୍ଜ..ସୁନ୍ଦର୍ ସୁନେଲି ଘନ କେଶ ତା ପିଠି ଘୋଡେଇ ରଖିଛି.. ସ୍ତନ ଅଗ୍ରଭାଗ ଉପରେ କେବଳ ଦୁଇଟି ଶାମୁକା ଖୋଳ ଯତ୍ନରେ ଥୁଆ ହୋଇଛି।ହାତ ଦୁଇଟି ମାର୍ବଲ ପରି ଚିକ୍କଣ।ଆଖି ଦୁଇଟି ସତେ ଯେମିତି ଦୁଇଟି ସମୁଦ୍ରକୁ ଧରି ରଖିଛି..ସମ୍ପୂର୍ଣ୍ଣ ନୀଳ ରଙ୍ଗ.. ଅଖିପତା ଓ ଭ୍ରୁଲତା ଏତେ କଳା..!!ରାତ୍ରିର ଅନ୍ଧକାର ମଧ୍ୟ ହାର ମାନିଯିବ ତା ଆଗରେ..!!ଆଉ ଓଠ..!!ଏତେ ରକ୍ତ ରଙ୍ଗର ଆଉ ଢଳ ଢଳ ହେଉଛି..!!ଯେମିତି ନାଲି ରଙ୍ଗର କୌଣସି ଆଇସକ୍ରିମ..!!
ଇସ୍..ଏତେ ସୁନ୍ଦର..!!ଇଏ କଣ ତେବେ ସେ କାହାଣୀ ବର୍ଣ୍ଣିତ ମତ୍ସ୍ୟକନ୍ୟା..!!
ସାଗରର ମନକଥା ବୁଝିଗଲା କି କଣ ସେ ସୁନ୍ଦରୀ..ଅଳ୍ପ ହସି କହିଲା.."ହଁ..ମୁଁ ମତ୍ସ୍ୟକନ୍ୟା..ଆଶ୍ଚର୍ଯ୍ୟ ଲାଗିଲେ ବି ସତ।ମୋତେ ଡରନି..ଆସ..ମୋ ପାଖରେ ବସ ସାଗର..!!"
ସାଗର ଆଶ୍ଚର୍ଯ୍ୟ ହେଲା ସେ କିପରି ତା ନାମ ଜାଣିଲା?ତଥାପି ଏକ ଆଦିମ ଆହ୍ୱାନର ବଶୀଭୂତ ହୋଇ ତା ପାଖରେ ବସିଗଲା।
"ତୁମେ କଳ୍ପନା ନା ସତ୍ୟ.."ପଚାରିବସିଲା ସାଗର..!
"ମୋ ନାଆଁ ଶାମୁକା.."କହିଲା ସେ ମତ୍ସ୍ୟକନ୍ୟା।"ଆମ ପ୍ରଜାତିର ଜୀବ ଲୋପ ପାଇଗଲେଣି ପ୍ରାୟ।ତଥାପି ଗଭୀର ଜଳରେ ଆମେ କିଛି ମତ୍ସ୍ୟକନ୍ୟା ଏବେବି ରହୁଛୁ।"
ଆଗ୍ରହ ନେଇ ସାଗର ପଚାରିଲା " କାଇଁ ମୁଁ ଏତେଥର ଆସିଛି।ଦେଖିନି ତ..!!ଆଉ ତା ଛଡା ତୁମେ ମୋ ନାମ କେମିତି ଜାଣିଲ..?"
"ସାଗର.."ଶାମୁକା କହିଲା.."ଆମେ ସବୁବେଳେ ବାହାରକୁ ଆସୁନାହିଁ।ରାତ୍ରିର ଦ୍ଵିତୀୟ ପ୍ରହରରେ ଯଦି ଶୁନଶାନ୍ ଥାଏ ବେଳାଭୂମି ତେବେ ଆମେ ଆସି ଏଇଠି କିଛି ସମୟ ରହି ପୁଣି ଫେରିଯାଉ।ପ୍ରକୃତରେ ଆମର ବାହାରକୁ ଆସିବା ଆବଶ୍ୟକ ନୁହେଁ।କାରଣ ଆମେ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଆମକୁ ଆମ ପ୍ରଜାତି ଘୃଣା କରେ।ସେମାନେ ମଧ୍ୟ ଆମ କ୍ଷତି ଘଟେଇବାର ଆଶଙ୍କା ଥାଏ।ତେଣୁ ଆମେ ଲୁଚି ଲୁଚି ଆସୁ ଆଉ ଚାଲିଯାଉ।ଆମ କ୍ଷୀପ୍ର ଗତି ଯୋଗୁଁ କେହି ଆମ ବିଷୟ ଜାଣି ପାରନ୍ତି ନାହିଁ।"
"ତେବେ ଆଜି ମୋ ଆଗକୁ ଆସିବା ପଛରେ କଣ କାରଣ ଅଛି ଶାମୁକା?"ସାଗର ପ୍ରଶ୍ନ କଲା।
"ଆମକୁ ଅଭିଶାପ ମିଳିଛି।ବଞ୍ଚିଥିବା ଯାଏଁ ଆମେ ବ୍ୟାକୁଳ ହେବୁ ପୁରୁଷ ସଂଗ ପାଇଁ।ପୁରୁଷ ଆମ ସାମ୍ନାକୁ ଆସିଲେ କାମନା ବଶବର୍ତ୍ତୀ ହୋଇ ଆମ ସଂଗ ଖୋଜିବ। ଅନନ୍ତକାଳ ଯାଏଁ ଆମେ ବଞ୍ଚି ରହିବୁ ..ସେଇଦିନ ପର୍ଯ୍ୟନ୍ତ ଯେଉଁ ଦିନ କୌଣସି ଅବିବାହିତ ପୁରୁଷ କାମନା ରହିତ ହୋଇ ଆମ ଶରୀରକୁ ଏଇ ବାଲିରେ ଜୀବନ୍ତ ପୋତି ନ ଦେଇଛି.!! "
ଶିହରୀ ଉଠିଲା ସାଗର.."ଇସ୍..!!କି ଅଦ୍ଭୁତ କଥା।କିନ୍ତୁ ଏହା ସହିତ ତୁମେ ମୋତେ ଦେଖା ଦେବା ପଛର କାରଣ କଣ?ପୁରୁଷ ସଂଗ କାମ୍ୟ??"କହି ଦେଖିଲା ଶାମୁକା ଆଡେ..
"ନା ସାଗର.." ଧୀରେ କହିଲା ଶାମୁକା.." ସେ ସଂଗ କଥା ମୁଁ ସବୁବେଳେ ଘୃଣା କରେ।କାରଣ ମୁଁ ଏପରି ଜୀବନକୁ ଘୃଣା କରେ।ଯେଉଁ ଦିନଠାରୁ ମୁକ୍ତି ପାଇବାକୁ ଇଚ୍ଛା କରୁଛି ସେ ଦିନଠୁ ଏ ଦୈହିକ ସୁଖ ମୋ ପାଇଁ ବିଷମୟ ହୋଇଯାଇଛି।ଅବିବାହିତ ପୁରୁଷ ଦ୍ଵିତୀୟ ପ୍ରହରରେ ଏକାକୀ ଆସିଲେ ମୁଁ ବାହାରକୁ ଆସେ।ସେମାନଙ୍କୁ ବୁଝେଇଛି ମୋ ସଂଗ ନ ଚାହିଁ ମୋତେ ମୁକ୍ତି ଦେବାକୁ..କେତେ ନେହୁରା ହୋ
ଇ ମୁଁ କହିଛି କାମନା ରହିତ ହୋଇ ଟିକେ ବାଲିରେ ପୋତି ଦେବାକୁ।ମୁଁ ମୁକ୍ତି ଚାହେଁ..!!କିନ୍ତୁ.."
ଅଧାରେ କଥା ରହିଯିବା ଦେଖି ସାଗର ପ୍ରଶ୍ନ କଲା.."କିନ୍ତୁ କଣ ଶାମୁକା..!!ମୋତେ କୁହ.."
"ତୁମକୁ କହିବି ବୋଲି ତ ଆଜି ଦେଖା ଦେଲି ସାଗର.."ତା ଆଡେ ନିଜ ଦେହକୁ ବୁଲେଇ ଦେଇ କହିଲା ଶାମୁକା।"ମୋତେ ଶୟନାବସ୍ଥାରେ ଦେଖି ବାଲିରେ ପୋତିବା କଥା ଭୁଲିଯାଇ ପ୍ରତ୍ୟେକ ପୁରୁଷ ମୋ ସଂଗ ଥରୁଟିଏ କାମନା କରି ଦେଇଛନ୍ତି।ଆଉ ତା ପରେ ମୁଁ ଫେରେ ଏମିତି ହିଁ ଘୁରି ବୁଲୁଛି..ମୁକ୍ତି ସନ୍ଧାନରେ।ଏଇ ସ୍ୱଳ୍ପ ସମୟ ଭିତରେ ଏତେ ରାତିରେ ଅବିବାହିତ ପୁରୁଷ ପାଇବା କଷ୍ଟ ହେଉନି।ହେଲେ..ସେମାନଙ୍କ ଦୈହିକ ଜ୍ୱାଳାରେ ମୋ ମୁକ୍ତି ପଥ ବନ୍ଦ ହୋଇଯାଉଛି ସାଗର..!!"
"ଶାମୁକା..!!ପୁରୁଷ ହିସାବରେ ସତରେ ତୁମ ସଂଗ କାମନା କରିବା ନିହାତି ସାଧାରଣ କଥା।କିନ୍ତୁ..!!ତୁମର ଏ କରୁଣ କାହାଣୀ ଯେ ମୋତେ ବହୁତ ବିବ୍ରତ କରୁଛି.."କହିଲା ସାଗର।
"ଜାଣେ ସାଗର.."କହିଲା ଶାମୁକା.."ଗତ ଛଅ ମାସ ହେଲା ତୁମେ ଆସୁଛ।ନିଜ ଦୁଃଖ କହି ଏଇଠି ଶାନ୍ତି ପାଉଛ।ନିର୍ଜନତା ତୁମ ସଂଗୀ ହୋଇଯାଇଛି।ବିବାହ ପ୍ରସ୍ତାବ ଭାଙ୍ଗିବା ତୁମକୁ ଭାଙ୍ଗି ଦେଉଛି।କିନ୍ତୁ ଏଥିରେ ତୁମର ଦୋଷ କଣ?ବିଧାତା ତୁମକୁ ଏପରି କରିଛି। ଆଚ୍ଛା ତୁମକୁ ଗୋଟିଏ ଗୁପ୍ତ କଥା କହିବି..!!"
"କୁହ ଶାମୁକା.."ସମ୍ଭବତଃ ଆପଣା ପଣ ସହିତ ପଚାରିଲା ସାଗର।
"ମୁଁ ତୁମକୁ ଦେବି ଏକ ଏପରି ଵସ୍ତୁ ଯାହାକୁ ତୁମ ଚକ୍ଷୁରେ ଲଗେଇ ଦେଲେ ତାହା ସଂପୂର୍ଣ୍ଣ ଠିକ୍ ହୋଇଯିବ।ମୋ ସାରା ଜୀବନରେ ଅର୍ଜନ କରିଥିବା କ୍ଷମତା ବଳରେ ମୁଁ ଏତିକି କରିଦେବି।ମୋ ଶରୀର ନଷ୍ଟ ହେବା ପରେ ମଧ୍ୟ ବଞ୍ଚି ରହିବି ତୁମ ସହିତ।ବିଶ୍ୱାସ କର।ତା ପରେ ତୁମର ବିବାହ ହୋଇଯିବ...ସବୁ ଠିକ୍ ହେବ..କଣ ତୁମେ..ମୋତେ ମୁକ୍ତି ଦେବ ସାଗର..!!??କୁହ.."କହି ହଠାତ୍ ଶାମୁକା ସାଗର ହାତକୁ ଧରି ପକେଇଲା…
ବୈଦ୍ୟୁତିକ ତରଙ୍ଗଟିଏ ଖେଳିଗଲା ସାଗର ଦେହସାରା..!!
କି ଅଦ୍ଭୁତ କଥା ଇୟେ..!!ଏତେ ସୁନ୍ଦର ଅବୟବ..!! ତାକୁ ପୋତି ଦେବାକୁ ହେବ ବାଲି ତଳେ..!!ସେ ବି ଜିଅନ୍ତା ଅବସ୍ଥାରେ..!!କିନ୍ତୁ..ଯଦି ସେ ଏହା ନ କରେ ତେବେ ଶାମୁକା ଯେ ପୁଣି କଷ୍ଟ ପାଇବ..!!ଅନନ୍ତ କାଳ ପାଇଁ..!!
ସାଗର ଦେଖୁଥିଲା ଶାମୁକା ଆଡେ..!!ତା କଥାକୁହା ଦୁ୍ଇ ନୀଳ ଆଖିରୁ ବୁନ୍ଦା ବୁନ୍ଦା ଲୁହ ଖସି ଯାଇ ମୁକ୍ତା ହୋଇ ତଳେ ପଡି ଯାଉଥିଲା..ତା ଓଠ ଥରୁଥିଲା..ତା ଶୂନ୍ୟ ଚାହାଣୀ ଯେମିତି ଏକ ପ୍ରତିଶ୍ରୁତି ଖୋଜୁଥିଲା..!!
"କିନ୍ତୁ ତୁମେ..!!ତୁମକୁ ହତ୍ୟା କରିବାକୁ କହୁଛ ଶାମୁକା..!!"ସାଗର ଆଖିରେ ମଧ୍ୟ ଲୁହର ବନ୍ୟା..!!
"ନା ସାଗର..ହତ୍ୟା ନୁହେଁ..ମୁକ୍ତି ମାଗୁଛି।ଥରେ ଭାବିଲ ଦେଖି ଯଦି ତୁମେ ମୋ ମୁକ୍ତିଦାତା ହେବ ତାହେଲେ ତୁମକୁ କେତେ ଖୁସି ଲାଗିବ ସତେ..!!ମୋ ଜୀବନ ସଦା ରୂଣୀ ରହିବ ତୁମ ପାଖରେ।ତୁମେ ଏହା ନ କଲେ ବାଧ୍ୟ ହେବ ମୋ ଶରୀର ମୋହରେ ବଶ ହେବାକୁ।ଆଉ ମୁଁ..ପୁଣି ଯନ୍ତ୍ରଣା ପାଇବି।ମୋ ପ୍ରତି ଦୟା କର..ଦୟା କର.ସାଗର।"କହି ଶାମୁକା ନିଜକୁ ବାଲିରେ ଲୋଟାଇ ଦେଲା..!!
ସାଗର ଦେଖୁଥିଲା ଏକ ଅଦ୍ଭୁତ ଦୃଶ୍ୟ..!!
ଶାମୁକାର ସୁନେଲି କେଶ ବାଲିକୁ ସୁନା କରି ଦେଇଥିଲା।ନିଜ ସୁନ୍ଦର ଅବୟବ ନେଇ ଶୋଇଥିଲା ଶାମୁକା.. ସାଗରକୁ ଚାହିଁ।
ସାଗର ଭାବିଲା..ଏଇ କିଛି କ୍ଷଣରେ ସେ ଜାଣି ସାରିଛି ଶାମୁକା ଛାତି ତଳର କୋହ..!!ସେ ଯଦି ଆଜି ଏଇଠୁ ଅନ୍ୟ ପୁରୁଷଙ୍କ ପରି ତା ସଂଗ ପାଇ ଚାଲିଯାଏ ତେବେ ହୁଏତ ଶାମୁକା ବଞ୍ଚିଁବ..କିନ୍ତୁ ବଞ୍ଚିବ ଏକ ଅବାଞ୍ଛିତ ଜୀବନ..!!ଯେଉଁଠି ନିଜ ପାଇଁ କେବଳ ଘୃଣା ଥିବ ତା ମନରେ..!!ନା..ଶାମୁକା ପରି ଏକ ସୁନ୍ଦର ହୃଦୟ ଜଳି ଜଳି ମୃତ୍ୟୁ କାମନାରେ ବଞ୍ଚି ରହିବା ଅପେକ୍ଷା ଶାନ୍ତିର ଶେଷ ନିଃଶ୍ୱାସ ଛାଡିବା ହୁଏତ ଅଧିକା ପ୍ରଯୁଜ୍ୟ ହେବ..!!
ସାଗରର ଶାର୍ଟ୍ ଲୁହରେ ଭିଜି ଯାଇଥିଲା..ନିଜକୁ ସଞ୍ଜତ କରି ଥରିଲା ହାତରେ ସେ ମୁଠାଏ ବାଲି ପକେଇ ଦେଲା ଶାମୁକା ଉପରେ.।
ଶାମୁକା ତୃପ୍ତିର ହସ ହସି ନିଜ ବକ୍ଷାଗ୍ର ଆବୃତ କରି ରଖିଥିବା ଶାମୁକାଖଣ୍ଡ ଦୁଇଟିକୁ ବାହାର କରି ଯୋଡିଦେଲା ଆଉ ବଢ଼େଇ ଦେଲା ସାଗର ହାତକୁ…!!
"ଏଇ ନିଅ ସାଗର..ମୋ ଛାତିର ଉଷ୍ମତା ଆଉ ତୃପ୍ତି ମୁଁ ଏଇ ଶାମୁକାରେ ଭରି ଦେଇଛି।ମୁଁ ଏଥିରେ ବଞ୍ଚି ରହିବି ତୁମ ପାଖରେ..ଏଇଟା ତୁମ ଆଖିରେ ଲଗେଇଦେବ।"କହି ଚୁପ୍ ହୋଇଗଲା ଶାମୁକା..!!
ତା ଉନ୍ମୁକ୍ତ ବକ୍ଷଦେଶକୁ ଦେଖି ପାରୁ ନ ଥିଲା ସାଗର..!!ଆଖି ବନ୍ଦ କରି ଏକ ନିଃଶ୍ୱାସରେ ବାଲି ପକେଇ ଚାଲିଲା ଅନବରତ…
ବାଲିରେ ସମ୍ପୂର୍ଣ ପୋତି ହୋଇଯାଇଥିଲା ଶାମୁକା..କାନ୍ଦି କାନ୍ଦି ଅଲକ୍ଷ୍ୟରେ ସେ ଦେଇଥିବା ଛୋଟ ଶାମୁକାଟିକୁ କେତେବେଳେ ସେ ଆଖିରେ ଲଗେଇ ଦେଇଥିଲା ଜାଣି ପାରିଲାନି।କିଛି ସମୟ ପରେ ସମ୍ବିତ ପାଇ ବିବ୍ରତ ହୋଇ ପୁଣି ସେହି ବାଲି ଆଡେଇ ଚାଲିଲା..!!
ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ଥିଲା ସାଗର..!!ବାଲି ତଳେ କେବଳ ଏକ ମାଛ କଣ୍ଟା ଛଡା ଆଉ କିଛି ନ ଥିଲା..!!ଏତେ ଶୀଘ୍ର ମତ୍ସ୍ୟକନ୍ୟା ଶରୀର ମିଳେଇ ଯାଇଥିଲା..!!??ଏକ ଅଦ୍ଭୁତ ମନୋଭାବ ନେଇ ସେ କେତେବେଳେ ବସାକୁ ଆସିଥିଲା ଆଉ ଶୋଇ ଯାଇଥିଲା ସେ ନିଜେ ଜାଣି ପାରିଲାନି।
ଏସବୁ ସ୍ବପ୍ନ ଥିଲା ନା ସତ..!!ଭାବି ସକାଳୁ ଉଠି ମୁହଁ ଧୋଇ ଆଇନା ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇଗଲା। ଗାଢ଼ ସମୁଦ୍ର ପରି ତା ଆଖି ଦୁଇଟି ସୁନ୍ଦର୍ ନୀଳବର୍ଣ୍ଣ ହୋଇଯାଇଛି..ଆଉ ଛୋଟ ବଡ଼ ହେବା ଦୂରର କଥା ତା ଆଖି ଏତେ ସୁନ୍ଦର ଦେଖା ଯାଉଛି ଯେ..!!
କଣ ଗୋଟେ ମନେ ପଡ଼ିଗଲା ପରି ଦୋୖଡି ଆସି ରାତିରେ ପିନ୍ଧିଥିବା ପ୍ୟାଣ୍ଟ୍ ଶାର୍ଟ୍ ସବୁ ଅଣ୍ଡାଳି ପକେଇଲା ଆଉ ଖୋଜି ପାଇଲା ସେ ଶାମୁକାଟିକୁ ଯାହାକୁ ମତ୍ସ୍ୟକନ୍ୟା ଶାମୁକା ଦେଇଥିଲା…
ତାକୁ ଶୁଭିଲା ଶାମୁକାର ସ୍ଵର.
"ଏ ସାଗର..ମନ ଦୁଃଖ କାହିଁକି କରୁଛ?ତୁମ ଯୋଗୁଁ ତ ମୁଁ ମୁକ୍ତି ପାଇଛି।"
ସାଗର ବିକଳରେ କହି ଉଠିଲା.."ଶାମୁକା..ମୋତେ କିନ୍ତୁ ଅପରାଧୀ ପରି ଲାଗୁଛି।ତୁମେ ବଞ୍ଚି ରହିଥିଲେ.."
"ସାଗର..ମୁଁ ଶରୀର ନେଇ ବଞ୍ଚି ରହିଥିଲେ ପ୍ରତି ମୁହୂର୍ତ୍ତରେ କେବଳ ମରିଥାନ୍ତି।ତୁମ ଉପକାର ପାଇଁ ମୁଁ ମୋ ଶକ୍ତି ବଳରେ ଏ ଛୋଟ ଶାମୁକା ଭିତରେ ମୋ ପ୍ରାଣ ଭରିଦେଇଛି।ନିଜେ ତୁମେ ସାଗର ଗର୍ଭରେ ଏ ଶାମୁକା ଫୋପାଡି ନ ଦେବା ଯାଏଁ ମୁଁ ତୁମ ସହ ଖୁସିରେ ରହିବି।ତୁମେ ଯେତେବେଳେ ଚାହିଁବ ମୋ ସହ କଥା ହୋଇପାରିବ।ଆଉ କେବେ ଏକୁଟିଆ ଲାଗିବନି ତୁମକୁ..!!"କହିଲା ଶାମୁକାଟି।
ଏଥର ବହୁତ ଖୁସି ଲାଗୁଥିଲା ସାଗରକୁ..!!ସେ ଆଉ ଏକା ନୁହେଁ।ସବୁବେଳେ ତା ସହ ତା ଶାମୁକା ଅଛି…!!??
ମୋ ମୁହଁରୁ ଏସବୁ ଶୁଣି ସାରି ମୋ ନବ ବିବାହିତା ପତ୍ନୀ କହିଲେ.."ତୁମ କଥା ଏତେ ଜୀବନ୍ତ ଲାଗୁଛି ଯେ ମୁଁ ଆଜିର ଦୁନିଆରେ ଏପରି ମତ୍ସ୍ୟକନ୍ୟା ଥିବା କଥାକୁ ସତ ଭାବିନେଲି..ଆଉ ତୁମର ଏ ନୀଳ ଆଖି..ସତରେ ଏତେ ଲୋଭନୀୟ ଯେ ମୁଁ ନିଜେ ତା ପ୍ରେମରେ ପଡି ଯାଇଛି ପ୍ରଥମ ଦେଖାଠାରୁ..ଲାଗୁଛି ତୁମେ ଯେପରି ନିଜ ଅନୁଭୂତି କିଛି କହୁଥିଲ.."
"ଲେଖକକୁ ତୁମେ ବିବାହ କରିଛ...ଜୀବନରେ କିଛି ଗପ ସତ ହୋଇଥିବା ପରି ଅନୁଭବ ହେବ ଆଉ କିଛି ସତ ଗପ ପରି ଲାଗିବ.. ଚାଲ ଏଥର ରୁମକୁ ଯିବା" କହିଲି ମୁଁ ଆଉ ତାଙ୍କ ସହ ହୋଟେଲକୁ ଫେରି ଆସିଲି।ମଧୁଚନ୍ଦ୍ରିକା ପାଇଁ ଆମେ ସମୁଦ୍ରତଟର ସୁରମ୍ୟ ହୋଟେଲକୁ ଆସିଥିଲୁ ଗତ ତିନିଦିନ ତଳେ।ଆସନ୍ତା କାଲି ଫେରିବାକୁ ହେବ କର୍ମସ୍ଥଳୀକୁ।ତା ଛଡା ସେଇଠି ମୋ ମା ବାପା ମଧ୍ୟ ଆମ ଅପେକ୍ଷାରେ ଥିଲେ।ବିବାହ ପରେ ସେମାନେ ଆମ ସହ ରହିବାକୁ ଆସିଯାଇଥିଲେ।
ଆମ ଦାମ୍ପତ୍ୟ ଜୀବନ ଅତି ଆନନ୍ଦରେ କଟୁ ଥିଲା।ପତ୍ନୀ ମୋ ପରି ଏକ ପତି ପାଇ ଭାରି ଖୁସି ଥିଲେ।ଆଉ ମୁଁ…
ଘର ଲୋକଙ୍କ ସ୍ନେହ ସହିତ ମୋତେ ପ୍ରତି ମୁହୂର୍ତ୍ତରେ କାହାର ନିଃସ୍ୱାର୍ଥ ସହଯୋଗଟିଏ ମିଳୁଥିଲା..ମୋ ଶାମୁକାର ସହଯୋଗ..ଯାହାକୁ ମୁଁ ଲୁଚେଇ ରଖି ଦେଇଛି ସବୁଦିନ ପାଇଁ ଦୁନିଆ ଆଖିରୁ..ସଯତ୍ନରେ..ନିଜ ହୃଦୟ ଭିତରେ..ଚିରକାଳ ପାଇଁ..ଯାହାକୁ ମୁଁ ପାଇଛି ହୃଦୟର ନିଭୂତ କନ୍ଦରରୁ..ପ୍ରେମର ଗଭୀର ଅଥଳ ସାଗର ବୁକୁରୁ..
ସତରେ କଣ ମୁଁ ଶାମୁକାକୁ ନିଷ୍କାମ ରୂପେ ନିସର୍ତ୍ତ ଭଲ ପାଏ...ବହୁତ୍ ଭଲ ପାଏ..!!??