Madhu Mita

Romance Fantasy Inspirational

3  

Madhu Mita

Romance Fantasy Inspirational

ସାଗର ର ଶାମୁକା

ସାଗର ର ଶାମୁକା

6 mins
164


ସରିତା କିଛି କମ୍ କରି ନଥିଲେ ମୋ ପାଇଁ…ମୁଁ ମଧ୍ୟ ନିଜ ସାଧ୍ୟମତେ ତାଙ୍କୁ ସବୁ ଖୁସି ଦେଇ ଚାଲିଥିଲି।ହେଲେ ଜାଣିନି…ଆମ ଦାମ୍ପତ୍ୟ ଜୀବନର ମଜଭୁତ ଅଟ୍ଟାଳିକାଟା କାହିଁକି କେଜାଣି ତାସଘରଟେ ପରି ଦୋହଲି ଯାଉଥିଲା…!!ବୋଧେ ସେଇ ଅପୂରଣୀୟ ସ୍ଥାନ ରହି ଯାଇଥିଲା ଆମ ଜୀବନରେ…ଯାହା ବିବାହର ଏତେ ବର୍ଷ ପରେ ମଧ୍ୟ ଆମକୁ ଅଭାବୀ କରି ରଖି ଦେଇଥିଲା।ଆମ ବୈବାହିକ ଜୀବନ ଅସମ୍ପୂର୍ଣ୍ଣ ଥିଲା।


ମା ବାପା କେବେଠୁ ଆମକୁ ଏକୁଟିଆ କରି ଆର ପାରିକୁ ଚାଲି ଯାଇଥିଲେ।ଆଉ ବିବାହର ଏତେ ବର୍ଷ ପରେ ଆଉ କୌଣସି ବନ୍ଧୁବାନ୍ଧବ ଆସି ଆମ ନୀରବ ସଂସାରକୁ କୋଳାହଳମୟ କରିଦେବେ ସେଇ ସମ୍ଭାବନାଟା ମଧ୍ୟ ପ୍ରାୟ କ୍ଷୀଣ ହୋଇ ଯାଇଥିଲା।ସରିତା ନିଜ ମନ ଲଗେଇବା ପାଇଁ ବୁଣାବୁଣି ସିଲାସିଲି କରୁଥିଲେ ଆଉ ଯାବତୀୟ ଗଛପତ୍ର ଲଗେଇ ସେମାନଙ୍କ ପାଖରେ ନିଜ ମାତୃତ୍ୱକୁ ସାକାର କରିବାର ବିକଳ ପ୍ରୟାସ କରୁଥିଲେ।ଆଉ ମୁଁ…


କଣ କରିଥାନ୍ତି…?ଉଦ୍ଦୀପନାହୀନ ଜୀବନଟିଏ ବଞ୍ଚି ଚାଲିଥିଲି ଏକ ରକମ୍…!!


ହେଲେ…ମୋ ଭିତରେ ଶତ ସିଂହର ବଳ ଚାଲିଆସେ ଯେତେବେଳେ ମୁଁ ପୂର୍ଣ୍ଣମୀ ରାତିର ଦ୍ଵିତୀୟ ପହରରେ ସେଇ ବାଲୁକା ଭୂମିକୁ ଯାଏ…!! ସରିତା ଜାଣିଥିଲେ ଯେ ମୁଁ ଏକ ମନ୍ଦିରରେ ସେଇ ରାତିଟା କଟାଏ। ତେଣୁ ସେ ସେଇ ଗୋଟିଏ ରାତି ମୋର ଏଇ ବାହାରକୁ ଯିବା ନେଇ କେବେ ଆପତ୍ତି କି ଅଭିଯୋଗ କରନ୍ତିନି।ହେଲେ ମୁଁ…ମୁଁ ଚାଲିଯାଏ ଦୁନିଆଠାରୁ ଦୂରକୁ…ସମସ୍ତଙ୍କ ଅଗୋଚରରେ…ସାଗର କୂଳରେ ଥିବା ସେଇ ବିସ୍ତୀର୍ଣ୍ଣ ବାଲୁକା ଭୂମିକୁ…ମୋ ଶାମୁକା ପାଖକୁ…!!ସେଇ ଶାମୁକା ଯିଏ ଦେବୀଟିଏ ହୋଇ ପୂଜା ପାଉଥିଲା ମୋ ମନ ମନ୍ଦିରରେ…ଯାହାକୁ ମୁଁ ଲୁଚେଇ ରଖିଥିଲି ସମସ୍ତଙ୍କ ଠାରୁ…!!ମୋ ନିଷ୍କାମ ନିସର୍ତ୍ତ ଭଲ ପାଇବା ଶାମୁକାକୁ ମୋ ପ୍ରେମର ଜୀବନ୍ତ ପ୍ରତୀକ କରି ଉଜ୍ଜୀବିତ କରି ରଖିବା ପାଇଁ ସର୍ବଦା ବଦ୍ଧ ପରିକର ଥିଲା…!!


ଶାମୁକା ଦେଇଥିବା ଛୋଟିଆ ଶାମୁକାଟିକୁ ଯତ୍ନରେ ମୁଁ ରଖିଥାଏ ମୋ ପାଖରେ ।ଅନ୍ୟ ସମୟରେ ମୋତେ କେବଳ ଶାମୁକାର ସ୍ୱର ଶୁଭେ ହେଲେ ଏଇ ବାଲି ଉପରେ ଆଖି ବନ୍ଦ କରି ବସି କଥା ହେବାକୁ ଆରମ୍ଭ କଲେ ଶାମୁକା ମୋ ପାଖରେ ଥିଲା ପରି ମୋତେ ଲାଗେ। ଏକ ଅଦ୍ଭୁତ ପ୍ରଶାନ୍ତିର ଅନୁଭବ ହୁଏ ଯାହା ବର୍ଣ୍ଣନାତୀତ…!! ଶାନ୍ତ ହୋଇ ପୁଣି ମନରେ ଦମ୍ଭ ଧରି ସତେଜ ହୋଇ ମୁଁ ଆଗେଇ ଆସେ ସକାଳୁ…ମୋ ସଂସାରକୁ ପୁଣି ଆଗେଇ ନିଏ …


ଶାମୁକା ଆଉ ମୁଁ ବହୁତ୍ ଗପୁ…ସେ ପଚାରି ବୁଝେ ମୋ ନିତିଦିନିଆ ଜୀବନ ବିଷୟରେ…ମୋ କାମ ମୋ ସୁଖ ମୋ ଦୁଃଖ ଆଉ ସରିତା ବିଷୟରେ…!!ପ୍ରଗଲଭ ହୋଇ ମୁଁ କହିଯାଏ ସାରା ମାସର କଥା ସେଇ ପହରକ ଭିତରେ। ଶମୁକାର କଥା…ତା ହସ…ତା ଆତ୍ମୀୟତା ଭରା ତାଗିଦ୍…ମୋ ଅସ୍ଥିର ମନକୁ ସ୍ଥିର କରିଦିଏ।ମୋ ହଜିଲା ଶାନ୍ତିକୁ ଫେରେଇ ଆଣେ ଅଶାନ୍ତିର ସାଗର ଭିତରୁ…ମୋ ବ୍ୟଗ୍ରତା ପୁଣି ନିରବୀ ଯାଏ ଆଉ ମୁଁ ତୃପ୍ତ ହୁଏ…!!ଶାମୁକା କୁହେ…ମୁଁ ତାକୁ ବାଲିରେ ପୋତିଦେବା ପରେ ସେ କେମିତି ଖୁସିରେ ଅଛି…ମୁକ୍ତ ଅଛି…ଶାନ୍ତିରେ ଅଛି…ଆଉ ସବୁଠୁ ବଡ଼ କଥା ହେଲା….ସେ ମୋ ସହିତ ମୋ ମନ ଭିତରେ ଅଛି…!! ଏଇୟା କହି ସେ ହସିଦିଏ…ଆଉ ସିଏ ହସିଦେଲା ପରେ ସମୁଦ୍ର ଭିତରୁ କେମିତି ଏକ ମଧୁର ଧ୍ଵନି ବାହାରି ଆସେ। ତାରାମାନେ ଆଉ ଟିକେ ଉଜ୍ବଳ ଦିଶନ୍ତି…ପବନଟା ଶୀତଳ ହୋଇ ଶୀତେଇ ଦିଏ ଦେହମନକୁ ଆଉ ମୋ ଲୋମକୁପ ସବୁ ଟାଙ୍କୁରି ଯାଇ ଥରିଉଠେ ଏକ ଅଦ୍ଭୁତ ଶିହରଣରେ…ଏକ ବୈଦ୍ୟୁତିକ ତରଙ୍ଗର ଅମାନିଆ ଛୁଆଁରେ…!!


ସେଦିନ ବି ସେମିତି ଯାଇ ବସିଥିଲି ସେଇ ବାଲି ଉପରେ।ପୂର୍ଣ୍ଣମୀ ରାତିର ଦ୍ଵିତୀୟ ପ୍ରହର। ବେଳାଭୂମି ଜନଶୂନ୍ୟ।ତରଙ୍ଗାୟିତ ସାଗରର ଗର୍ଜନ ଆଉ ତାରକାମାନଂକ ଲୁଚକାଳି ନୃତ୍ୟ ସହିତ ଥଣ୍ଡା ଶୀତୁଆ ପବନରେ ପ୍ରକୃତିର ବାସ୍ନାକୁ ପେଟେ ଆଘ୍ରାଣ କରି ଆଖି ବନ୍ଦ କରି ମନ ଭିତରୁ ଡାକିଲି…"ଶାମୁକା…"


"କୁହ ସାଗର…' ମୋ ଶାମୁକାର ସ୍ୱର…


"କେମିତି ଅଛ …"


"ମୁଁ ବହୁତ୍ ଶାନ୍ତିରେ ଅଛି।ହେଲେ…ତୁମେ …ତୁମେ ଯେ ଏତେ ଅଶାନ୍ତ…?"


"ଶାନ୍ତ ହେବା ବୋଧେ ସାଗରର ଭାଗ୍ୟରେ ନାହିଁ…!!"


"ଭୁଲ କହିଲ ତୁମେ…ସାଗର ଭିତରେ ଯେତେ ପ୍ରଶାନ୍ତି ଥାଏ…ତାହା ଆଉ କେଉଁଠି କିପରି ମିଳିବ….?"


ଏଇ କଥା ଶୁଣି ମୋ ଆଖି କୋଣରେ କେଜାଣି କେମିତି ଟୋପେ ଲୁହ ଆସିଗଲା…!!


ବ୍ୟସ୍ତ ହୋଇ ଶାମୁକା କହିଲା…"ନା ସାଗର…ନା…ତୁମେ ଜାଣିଛ ତୁମ ଆଖିରେ ଚମକ୍ ଶୋଭା ପାଏ…ସ୍ବପ୍ନ ଶୋଭାପାଏ…ତେବେ ଆଜି ଏ ଲୁହ…?"


ନିଜର ଅଭାବ ଅସୁବିଧା କଥା କହିବି କି ନାହିଁ ଭାବିଲା ବେଳକୁ ଶାମୁକା କହିଲା…"ସନ୍ତାନ ଅଭାବରେ ଭାଙ୍ଗି ପଡୁଛ ସାଗର…?"


ଚମକି ପଡିଲି ମୁଁ…କିନ୍ତୁ ପରକ୍ଷଣରେ ଜାଣିଗଲି ଯେ ଶାମୁକା ତ ମୋ ପାଖରେ…ମୋ ସହିତ…ମୋ ମନରେ ଅଛି।ତେବେ ମୋ ଅସୁବିଧା ସେ ଜାଣିବାରେ ଏତେ ଆଶ୍ଚର୍ଯ୍ୟ ହେବାର କଣ ଅଛି…?


ସ୍ୱାଭାବିକ ରୂପରେ କେବଳ ମୁଣ୍ଡ ହଲେଇଲି।ମୋତେ ଲାଗିଲା ଶାମୁକା ଯେମିତି ମୋ କାନ୍ଧରେ ହାତ ରଖି ମୋତେ କହୁଛି…

"ଏ ସାଗର…ମୁଁ ଥାଉ ଥାଉ ତୁମେ ଏତେ ଦୁଃଖୀ ହେଇ ପାରୁଛ କେମିତି ଯେ…?"


ମୁଁ ସାଙ୍ଗେ ସାଙ୍ଗେ ନିଜକୁ ସଜାଡି ଦେଇ କହିଲି…"ଆରେ ନା ନା…କଥା କଣ କି ଶାମୁକା ଆମେ ମଣିଷ…ତେଣୁ ଜଲଦି ଭାଙ୍ଗି ପଡୁ।ଆଉ ବାହାଘର ହେବାର ଏତେ ବର୍ଷପରେ ମଧ୍ୟ ଏଇ ଅସମ୍ପୂର୍ଣ୍ଣ ଦାମ୍ପତ୍ୟ ମୋତେ ଖାଇବାକୁ ଗୋଡ଼େଇଲାଣି…!!ମୁଁ ନିଜକୁ ବୁଝେଇ ଦେଇଛି।ଯଦି ଭାଗ୍ୟରେ ପିତୃତ୍ଵ ନାହିଁ ତେବେ ସ୍ଵୀକାର କରିଦେବି।ହେଲେ ସରିତା…ସେ ନିଜ ବାତ୍ସଲ୍ୟକୁ ମଉଳି ଯାଉଥିବା ଦେଖି ସହିପାରୁ ନାହାନ୍ତି।ଆମର କାହାରି କିଛି ଶାରୀରିକ ଅକ୍ଷମତା ନାହିଁ ଶାମୁକା।ହେଲେ ତଥାପି କାହିଁକି କେଜାଣି…!!'


ହୁଏତ ଆଉ ଅଧିକ କହିବା ପାଇଁ ମୋ ପାଖରେ ଭାଷା ନଥିଲା।ମୋତେ ଚୁପ୍ ହେବା ଦେଖି ପଚାରିଲା ଶାମୁକା…


"ସନ୍ତାନ ସୁଖ କଣ ଏତେ ଶାନ୍ତି ଦେଇଥାଏ ସାଗର…?"


"ହଁ ଶାମୁକା…ଜଣଙ୍କ ନିବିଡ଼ ସାନିଧ୍ୟ ପାଇବାଟା ଯେତେ ତୃପ୍ତି ଦିଏନି…ତା ଠାରୁ ଅୟୁତ ଗୁଣ ଅଧିକ ଶାନ୍ତି ମିଳିଥାଏ ନିଜ ସନ୍ତାନକୁ ଛାତିରେ ଲଗେଇ ଦେଲେ…ପୁରୁଷ କିମ୍ବା ନାରୀ ହେଉ ନା କାହିଁକି…ୟାଠୁ ବଳି ସୁଖ ଆଉ ଦୁନିଆରେ ନାହିଁ।ସରିତା ସେଇଥିପାଇଁ ପାଗଳି ହୋଇ ଯାଉଛନ୍ତି ଶାମୁକା…!!"


"ତୁମେ ଏ କଣ କହୁଛ ସାଗର…?ସନ୍ତାନ ପ୍ରାପ୍ତି କଣ ସତରେ ସର୍ବୋଚ୍ଚ ତୃପ୍ତିର ଅନୁଭବ…??"


"ହଁ ଶାମୁକା…ସନ୍ତାନ ବିନା ଜୀବନ ନିରର୍ଥକ।ଫୁଲ କି ଫଳ ବିନା କଣ ବୃକ୍ଷଟିଏ କେବେ ସମ୍ପୂର୍ଣ୍ଣ ହୋଇ ପାରିବ…?? ଶସ୍ୟ ବିନା କଣ ଧରିତ୍ରୀ ସମ୍ପୂର୍ଣ୍ଣ ହୋଇ ପାରିବ…??କିନ୍ତୁ…ମୁଁ ଯେ ନିଜ ଅସଫଳ ପିତୃତ୍ୱର କାରଣ କି ନିରାକରଣ ଖୋଜି ପାଉନି…କ୍ଳାନ୍ତ ହୋଇ ପଡିଲିଣି…କ୍ଳାନ୍ତ ହୋଇ ପଡ଼ିଲିଣି …!!"


"ତେବେ ଟିକେ ବିଶ୍ରାମ କର ସାଗର…ଆସ…ବିଶ୍ରାମ କର…"


ମୋତେ ଲାଗିଲା ଯେମିତି ଶାମୁକା ଶୋଇଛି ସେଇ ବାଲି ଉପରେ ଆଉ ତା ସୁନେଲି କେଶରେ ବାଲୁକାରାଶି ସୁନେଲି ରଙ୍ଗ ଧାରଣ କରୁଛି।ହାତ ମେଲେଇ ଡାକୁଛି ସେ…ତା ବାହୁ ବନ୍ଧନୀ ଭିତରେ ନିଜକୁ ହଜେଇ ଦେବାକୁ…!!ଆଉ ମୁଁ ସେଇ ଜାଗାରେ ଆଲିଙ୍ଗନ ମୁଦ୍ରାରେ ଶୋଇଗଲି ଯେଉଁଠି ପୋତି ଦେଇଥିଲି ସେଦିନ ଶାମୁକାକୁ…ସେଇ ସ୍ଥାନର ବାଲି ଉଚ୍ଚ ହୋଇ ରହିଥିଲା…!!ଶାମୁକା ମୋତେ ଗାଢ଼ ଆଲିଙ୍ଗନ କଲା ପରି ମୋତେ ଲାଗିଲା।ମୋର ପ୍ରତିଟି ଅଙ୍ଗରେ,ଧମନୀରେ,ଶିରା ପ୍ରଶିରାରେ ବୈଦ୍ୟୁତିକ ତରଙ୍ଗ ସବୁ ଖେଳିଗଲା…!!ମୋ ଛାତି ଭିତରଟା କେମିତି ଏକ ଅଦ୍ଭୁତ ଆନନ୍ଦର ପରଶରେ ପୁରା ଶୂନ୍ୟ ହୋଇଗଲା…!! ଅକଳ୍ପଣୀୟ ତୃପ୍ତିର ଅନୁଭବରେ ମୋ ଆଖି ବୁଜି ହୋଇ ଆସିଲା।ଆପଣାଛାଏଁ ପାଟିରୁ ବାହାରିଗଲା…"ଶାମୁକା…"ଆଉ ଆଖିରୁ ଟୋପେ ଲୁହ ଖସିଗଲା…ବୋଧେ…!!


ଜାଣିନି…କେତେ ସମୟ ବିତିଗଲା..!!


ହଠାତ୍ ଶାମୁକା କହିଲା…"ଏ ସାଗର…ଦେଖ ମୁଁ ଯେଉଁ ଛୋଟ ଶାମୁକା ଦେଇଥିଲି…ମୋର ପ୍ରାଣଶକ୍ତି ତା ଭିତରେ ସାଇତି ହୋଇ ରହିଥିଲା।ଆଜି ଏଇ ପବିତ୍ର ବେଳାଭୂମିରେ ତୁମର ସ୍ଵାର୍ଥରହିତ ଅନାବିଳ ନିସର୍ତ୍ତ ପ୍ରେମ ବଳରେ ବାହାରିଥିବା ଲୁହବୁନ୍ଦାଟିଏ ମୋ ହୃଦୟର ନିଭୃତ କୋଣରେ ମାତୃତ୍ୱର ଅଦମ୍ୟ ଇଚ୍ଛାକୁ ଜାଗ୍ରତ କରିଦେଲା।ସତରେ ମୁକ୍ତା ବିନା କଣ ଶାମୁକା କେବେ ସମ୍ପୂର୍ଣ୍ଣ ହୋଇ ପାରିଥାନ୍ତା…??ସାଗର…ଆମର ଏଇ ଦେହାତୀତ ମିଳନର ସନ୍ତକ ସ୍ୱରୂପ ମୋର ଅଲୌକିକ ଶକ୍ତି ବଳରେ ଆମ ପ୍ରେମର ସନ୍ତକ "ମୁକ୍ତା" ଆମ ପାଖରେ ସ୍ଥାନ ପାଇ ସାରିଛି…!!ସେଇ ଶାମୁକା ଭିତରେ …!!ତୁମେ ସେଇ ମୁକ୍ତାକୁ ନେଇ ନିଜ ପତ୍ନୀଙ୍କ ଖାଦ୍ୟରେ ମିଶେଇ ତାଙ୍କ ଶରୀରରେ ସ୍ଥାପନ କରିବ।ସମୟ ଅନୁସାରେ ସରିତା ଜନ୍ମ ଦେବେ…ସାଗର ଆଉ ଶାମୁକାର ମୁକ୍ତାକୁ…!!ତା' ପରେ ଆମେ ସମସ୍ତେ ସମ୍ପୂର୍ଣ୍ଣତା ଲାଭ କରିବା…!!"


ଚମକି ପଡ଼ି ଉଠି ଦେଖେ ତ ପୂର୍ବ ଆକାଶରେ ଲାଲ ସୂର୍ଯ୍ୟ ଆସିବା ପାଇଁ ଆହୁରି ସମୟ ବାକି ରହିଥିଲା।ତାରାମାନେ ନିଜର ଔଜଲ୍ୟ ସେଯାଏଁ ହରେଇ ନଥିଲେ।ତେବେ ମୁଁ ଯାହା ଶୁଣିଲି…ତାହା କଣ ମୋ ସ୍ବପ୍ନ ଥିଲା ନା ପୁଣି ସତ୍ୟ ଥିଲା…!!ପୁଣି ଦ୍ବନ୍ଦରେ ଥିଲି।ଆଖି କୋଣର ଲୁହ ମୋର ଶୁଖି ଯାଇଥିଲା।ଆଖିକୁ ଟିକେ ମଳିଦେଇ ଯନ୍ତ୍ରବତ୍ ମୋ ପାଖରେ ଥିବା ସେଇ ଛୋଟ ଶାମୁକାକୁ ଖୋଲିବାକୁ ଚେଷ୍ଟା କଲି…!!


ଓଃ..ଓଃ…ସେଇ ଶାମୁକା ଭିତରୁ ବାହାରୁଥିବା ଅଦ୍ୱିତୀୟ ପ୍ରକାଶ ଏତେ ଉଜ୍ବଳ ଥିଲା ଯେ ମୁଁ ଚାହିଁ ପାରିଲିନାହିଁ। ଏ କଣ…??ତେବେ ମୁଁ ଏଇ ସଦ୍ୟ ଶୁଣିଥିବା ଶାମୁକାର କଥା ସତରେ ସତ ଥିଲା…??ଇୟେ କଣ ତେବେ ଆମ ମୁକ୍ତା..??ତା ଭିତରୁ ଏତେ ପ୍ରକାଶ ଆସୁଛି…??ବନ୍ଦ୍ କରିଦେଲି ଶାମୁକାଟିକୁ…!!


କ୍ଷଣିକ ପରେ ଥରିଲା ହାତରେ ପୁଣି ଖୋଲିଲି ସେଇ ଛୋଟିଆ ସୁନ୍ଦର ଶାମୁକା ଯାହା ମୋତେ ମତ୍ସ୍ୟକନ୍ୟା ଶାମୁକା ସେଦିନ ଦେଇଥିଲା ନିଜ ଅନାବିଳ ପ୍ରେମର ସନ୍ତକ ରୂପେ…!!ଖୋଲି ଦେଖେ ତ…ତା ଭିତରେ ଚମକୁଥିଲା ଏକ ସୁନ୍ଦର୍ …ଅତି ସୁନ୍ଦର୍ …କ୍ଷୁଦ୍ର…ବହୁମୂଲ୍ୟ.. ମୁକ୍ତା…ଆମ ମୁକ୍ତା…ଶାମୁକା ଆଉ ସାଗରର ମୁକ୍ତା!!


ଏ ଭିତରେ ବର୍ଷେ ବିତି ଯାଇଛି।ସରିତା ଆଉ ମୁଁ ଏବେ ସମ୍ପୂର୍ଣ୍ଣ ହୋଇ ସାରିଛୁ।ଆମେ ବୁଲିବାକୁ ଯାଉଥିଲୁ ସମୁଦ୍ର କୂଳକୁ…!!ମୋ କୋଳରେ ଥାଏ ମୋ ମୁକ୍ତା…ମୋ କୁନି ମୁକ୍ତା…ଯାହାର ସୁନେଲି କେଶ ସ୍ଵର୍ଣ୍ଣଠାରୁ ଆହୁରି ଉଜ୍ବଳ ଥିଲା।ଛୋଟିଆ ଗାଢ଼ ନୀଳ ଆଖି ଦୁଇଟି ଭିତରେ ଯେମିତି ସାଗର ଲହଡ଼ି ମାରୁଥିଲା।ଆଉ ତା କୁନି ନାଲି ଓଠ…ଯାହା ମୋ ସ୍ବପ୍ନର ବାସ୍ତବ ନାୟିକା ଶାମୁକାର ଓଠ ପରି ଥିଲା…!! ମୂକ୍ତାକୁ ଦେଖି ସରିତା ପ୍ରାୟ କହୁଥିଲେ…"ଇୟେ ମୋ ପରି ମାନବୀର ଝିଅ ବୋଲି ସତରେ ବିଶ୍ଵାସ କରି ହେଉନି।"ଆଉ ମୁଁ ହସି ଦେଉଥିଲି…କାରଣ ସରିତା ସିନା ଜନ୍ମ ଦେଇଥିଲେ ହେଲେ ମୋ ମୁକ୍ତା ତ ଶାମୁକାର ସାରା ଜୀବନର ପୁଞ୍ଜିଟିଏ ଥିଲା…!!


ସେମିତି ସେଦିନ ବୁଲୁ ବୁଲୁ ହଠାତ୍ ସରିତା ଝୁଣ୍ଟିପଡ଼ିଲେ …ତାଙ୍କ ହାତରୁ ମୁକ୍ତା ଖସି ଯାଇଥିଲା…ହେଲେ ବାଲିରେ ପଡ଼ିବା ଆଗରୁ ତାକୁ ଯେପରି କେହି ଶୂନ୍ୟରେ ତୋଳି ଧରି ଦେଇଥିଲା ସେଇ ବେଳାଭୂମିରେ…!!ସରିତା ଜାଣିବା ଆଗରୁ ମୁକ୍ତାକୁ କୋଳାଗ୍ରତ କରି ଦେଇଥିଲି…ହେଲେ ଜାଣିଛି ଶାମୁକା …ଜାଣିଛି ତୁମେ ହିଁ ନିଜ ସନ୍ତାନର ରକ୍ଷା କରିଛ…!!


ଶାମୁକା…ତୁମକୁ ମୁଁ ଲୁଚେଇ ରଖିଥିବି ଏମିତି ମୋ ହୃଦୟର ନିଭୃତ କୋଣରେ…ଯତ୍ନରେ…ସନ୍ତର୍ପଣରେ…କାରଣ…ମୁଁ ପ୍ରକୃତରେ ତୁମକୁ ନିସର୍ତ୍ତ ଭାବରେ ଭଲପାଏ…ବହୁତ୍ ଭଲପାଏ…!!



Rate this content
Log in

Similar oriya story from Romance