Madhu Mita

Romance Tragedy

4  

Madhu Mita

Romance Tragedy

ହତଭାଗା

ହତଭାଗା

4 mins
421


ପଥର ଉପରେ ବସି ଗୋଡ଼ଟା ଲମ୍ବେଇ ଦେଇ ବେଲ ଗଛକୁ ଆଉଜି ବସି ଦେଖୁଥିଲି କିପରି ଦିନସାରା ଆତଙ୍କ ଖେଳେଇ ରଖିଥିବା ସୂର୍ଯ୍ୟ ଧୀରେ ଧୀରେ ଶିଥିଳ ପଡ଼ି ଆସୁଛି।ମେ ମାସର ସଂଜ ଏତେ ଜଲଦି ଆସେନି।ଆକାଶରେ ପକ୍ଷୀମାନେ ମଧ୍ୟ ନିଜ ବସାକୁ ଫେରି ଆସିବାକୁ ଉଡାଣ ଭରି ସାରିଥିଲେ।ଦି ପହରରେ ବନ୍ଦ୍ ଥିବା ସବୁ ଦୋକାନ ବଜାର ସନ୍ଧ୍ୟା ଆସିବା ପରେ ଖୋଲିବାକୁ ଆରମ୍ଭ ହେଉଥିଲା।ହେଲେ ମୋ ମନ ଦାକୁ ନଥିଲା ଦୋକାନ ଖୋଲିବାକୁ।ମୋବାଇଲ କଭର ଆଉ ଚାର୍ଜର ରଖିଥିଲି ମୁଁ।ତା ସହିତ ରିଚାର୍ଜ୍ ଭାଉଚର୍ ମଧ୍ୟ।ଅବଶ୍ୟ ଏବେ ଲୋକେ ଆଉ ଦୋକାନକୁ ଆସି ରିଚାର୍ଜ କରୁ ନାହାନ୍ତି।କିନ୍ତୁ ପ୍ରଥମେ ପ୍ରଥମେ ଦୋକାନରେ ହିଁ ଏଇ କାମଟା ହେଉଥିଲା।ଆଉ ସେଦିନ ସେମିତି ହିଁ ସନ୍ଧ୍ୟାରେ ରିଚାର୍ଜ କରିବାକୁ ଆସିଥିଲା ପିଙ୍କି।


ମୋ ଦୋକାନରେ ଠିଆ ହେଇ ସେ ସେଦିନ ଶହେ ଟଙ୍କାର ଟପ୍ ଅପ୍ ପକେଇଥିଲା।ବ୍ୟସ୍ତ ହେଇ ପଇସା ନଦେଇ ତରତର ହୋଇ ଚାଲିଗଲା।ମୁଁ ସେତେବେଳେ କିଛି କହି ପାରି ନଥିଲି କି ତାକୁ ଡାକି ପାରି ନଥିଲି ପଛରୁ।ପରେ ତାର ନମ୍ବରରେ ଫୋନ୍ କଲି।ପଇସା କଥା ମନେ ପକେଇ ଦେବାରୁ ସେ ଲଜ୍ଜିତ ହେଲା ଆଉ ପରଦିନ ସନ୍ଧ୍ୟାରେ ଆସି ଦେଇଯିବି ବୋଲି କହିଲା।


ପୁଣି ସେହି ସନ୍ଧ୍ୟା ସମୟ।ପିଙ୍କି ମୋ ଦୋକାନକୁ ଆସିଲା ଆଉ ଅଳ୍ପ ହସି ସରି କହିଦେଇ ଶହେ ଟଙ୍କିଆ ନୋଟ୍ ମୋ ଟେବଲ୍ ଉପରେ ରଖିଦେଲା।ତା ହସ,ତା ଆଖି,ତା ଲାଜୁଆ ଚାହାଣୀ ଆଉ ତା ସ୍ୱର ସବୁ ମିଶି ମୋତେ ପ୍ରାୟ ପାଗଳ କରି ପକେଇଲେ।ଆଉ ମୋ ପାଟିରୁ ପଦେ ହେଲେ କଥା ବାହାରିଲାନି।ପିଙ୍କି ଚାଲି ଯାଉଥିଲା।ମୁଁ ତା ପଛରେ ଦୋହଲୁଥିବା ବେଣୀକୁ ଆଉ ତା ଛନ୍ଦାୟତ ଚାଲିକୁ ଦେଖି ମୁଗ୍ଧ ହେଉଥିଲି।


ସେଦିନ ପରଠୁ ସନ୍ଧ୍ୟା ହେଲେ ମୋର ଗୋଟିଏ ମାତ୍ର କାମ ଥାଏ।କେମିତି ପିଙ୍କିକୁ ଟିକେ ଦେଖିଦେବି।ମୋ ମନ ଧୀରେ ଧୀରେ ପିଙ୍କିମୟ ହେବାରେ ଲାଗିଥିଲା।ମୋ ସ୍ବପ୍ନ ପିଙ୍କିମୟ ହୋଇ ସାରିଥିଲା।ହେଲେ ମୋ ବାସ୍ତବତା ତା ଠାରୁ ବହୁତ୍ ଦୂରରେ ଥିଲା।ପିଙ୍କି କଲେଜ ଯାଇ ସେହି ରାସ୍ତା ଦେଇ ଘରକୁ ଫେରେ।ସେକେଣ୍ଡ ଇୟର ହେଇଥିଲା ତାର।ଆହୁରି ବର୍ଷେ ପରେ କଲେଜ ସରିବ।ତା ବିଷୟରେ ଏତିକି ଜାଣି ମୁଁ ଖୁସି ହୋଇ ପଡ଼ିଲି। ଯା ହେଉ…ବର୍ଷେ ଯାଏଁ ସବୁଦିନ ତାକୁ ସେଇ ଛକ ବୁଲାଣି ଠାରୁ ମଦନାର ବରା ଦୋକାନ ଯାଏଁ ପାଖାପାଖି ଦଶ ମିନିଟର ଚଲାରାସ୍ତା ଉପରେ ମୁଁ ପିଙ୍କିକୁ ନିରେଖିବା ସୁଯୋଗ ଅକ୍ଳେଶରେ ପାଇଯିବି।କାଚ କବାଟ ଦେଇ ମଧ୍ୟ ଦେଖି ହୁଅନ୍ତା।ହେଲେ ଖାଲି ଆଖିରେ ଦେଖିବା ପାଇଁ ବାହାନା କରି ମୁଁ ସେଇ ସମୟରେ ଦୋକାନ ବାହାରକୁ ଚାଲି ଆସେ।ପ୍ରଥମେ ବାରଣ୍ଡା ସଫା,ତା ପରେ ଝରକା ପୋଛା,ଆଉ ତା ପରେ ମୋ ଦୋକାନ କଡ଼ରେ ଥିବା ବୋରୱେଲରୁ ପାଣିନିଆ …ଏମିତି କେତେ ଫନ୍ଦି ଫିକର କରି ସେଇ ସମୟଟା ବାହାରେ ରହିଲା ପରେ ଦିନେ କିଛି କାମ ନପାଇ ଦୋକାନ ବାରଣ୍ଡାରେ ପ୍ରାଣାୟମ କରିଲା ପରି ବସି ପଡ଼ିଲି ।ମୋତେ ସେମିତି କରିବା ଦେଖି ସାଙ୍ଗମାନେ କେତେ ଟେକାଟେକି କରି କହିଲେ।ଆଉ ସେଇ ଦିନରୁ ସବୁ ସନ୍ଧ୍ୟାରେ ପ୍ରାୟ ଅଧ ଘଣ୍ଟା ମୁଁ ବାରଣ୍ଡାରେ ବସି ପ୍ରାଣାୟାମ କରେ।ଆଉ ମନ ଭରି ପିଙ୍କିକୁ ଦେଖେ।ସିଏ ଜାଣି ପାରେ କି ନାହିଁ କେଜାଣି ହେଲେ ମୋ ଦୋକାନ ପାଖଦେଇ ଗଲାବେଳେ ବେଳେବେଳେ ଚାହିଁ ଦେଇ ହସିଦିଏ।ଆଉ ମୋ ପାଖରେ ହିଁ ଫୋନ୍ ରୀଚାର୍ଜ୍ କରେ।


ମୋ ଚପଳ ମନ ଏଇଟାକୁ ପ୍ରେମ ବୋଲି ମାନିନିଏ ଆଉ ମୁଁ ଆହୁରି ଆହୁରି ପ୍ରେମିକଟେ ସାଜିଯାଏ।ଅନ୍ୟ ପ୍ରେମୀ ଯୁଗଳଙ୍କୁ ଏକାଠି ବୁଲୁଥିବା ଦେଖିଲେ ମୋର ବି ମନେ ହୁଏ ମୁଁ ପିଙ୍କି ସହିତ ବୁଲନ୍ତି।ହେଲେ ଏଯାଏଁ କେବଳ ଟିକେ ହସ ଛଡା ଆଉ କିଛି ବି ମୁଁ ଆଗେଇ ପାରିନି।ପ୍ରାୟ ବର୍ଷେ ଉପରେ ହେଲାଣି ହେଲେ…!!ମନକୁ ଦୃଢ଼ କଲି।ତାକୁ ମୋ ମନକଥା କହିଲେ ସିନା ତା ମନକଥା ଜାଣିବି ଆଉ ତା ପରେ ଯାଇ ଆମ କାହାଣୀ ଆଗେଇବ।ଏଣୁ ବସିବା ଜାଗାରୁ ଉଠି ତା ପଛେ ପଛେ ମଦନା ଦୋକାନ ଯାଏଁ ଗଲି।ନା …ପାଟିରୁ ପଦେ ହେଲେ ବାହାରିଲାନି।ତା ପରଦିନ ବି ସେଇୟା।ପ୍ରାୟ ଆଜକୁ ଦଶଦିନ ହେଇ ଗଲାଣି।ହେଲେ ମୋ ପାଟିରୁ ପଦେ କଥା ବାହାରୁନି।ଖାଲି ତା ପଛରେ କିଏ ନ ଦେଖି ପାରିଲା ପରି ଯାଉଛି ଆଉ ସିଏ ମୋଡରେ ପଳେଇଲେ ମଦନା ପାଖରୁ ଗୋଟେ ବରା ଖାଇ ପଳେଇ ଆସୁଛି।ମଦନାକୁ କହୁଛି ଯେ ତୋ ବରା ବଢିଆ ଲାଗୁଛି ଆଉ ପ୍ରାଣାୟମ କରିବା ପରେ ମୋତେ ଭୋକ ହଉଛି।ଛିଃ…ଏମିତି ମିଛ ପଛେ କହୁଛି କିନ୍ତୁ ପିଙ୍କିକୁ ପଦେ ସତ କହି ପାରୁନି…!!କେଜାଣି କେବେ ମୋ କଣ୍ଠରୁ ଭାଷା ବାହାରିବ…!!??


ସବୁ ସନ୍ଧ୍ୟାରେ ପିଙ୍କିକୁ ଦେଖିବା ଅଭ୍ୟାସ ଯୋଗୁଁ ତା କଲେଜ୍ ଛୁଟି ହେଲେ ମୁଁ ଅଥୟ ହୋଇପଡେ ଆଉ ସେଇ ଦିନ ସନ୍ଧ୍ୟା ପରେ ଦୋକାନରେ ବସି ପାରେନା।ତା ପରେ ଦୋକାନ ଚାବି ପକେଇ ଏଇ ବେଲଗଛ ମୂଳକୁ ଚାଲିଆସେ।ରାତି ହେଲାଯାଏଁ ଏଇଠି ବସେ ଆଉ ଆକାଶ,ଚନ୍ଦ୍ର,ତାରା ଗଛ ,ଫୁଲ,ପକ୍ଷୀ ଦେଖି ମନ ଭୁଲାଏ।ନିଜ ନପାରିଲା ପଣକୁ ଧିକ୍କାରିଲା ବେଳକୁ ସେପଟୁ ପଲ୍ଟୁ ଦୌଡ଼ି ଦୌଡ଼ି ଆସିଲା।


"କଣ ହେଲା କି ରେ? ଭୂତ ଦେଖିଲା ପରି ଧାଉଁଛୁ??"


"ମାରି ପକେଇଲା ରେ…ମାରି ପକେଇଲା…"ମୋ ପାଖରେ ଲଥ କରି ବସି ଥରିଲା ସ୍ଵରରେ କହିଲା ପଲ୍ଟୁ।


"କିଏ କାହାକୁ କୋଉଠି କାହିଁକି ମାରିଲା?କେମିତି ମାରିଲା…?"


ମୋ ପାଖରେ ଥିବା ପାଣି ବୋତଲ ତା ଆଡକୁ ବଢେଇ ଦେଇ ପଚାରିଲି। ଢ଼କ ଢ଼କ କରି ବୋତଲଟା ପାଣି ପିଇଦେଇ ପଲ୍ଟୁ କହିଲା…


"ଆରେ ସେ କାଳୁ ଖାଁ…ସିଏ ଗୋଟେ ଝିଅକୁ ଭଲ ପାଉଥିଲା ତ…ସେଇ ଝିଅ ପଛରେ କୁଆଡେ ଗୋଟେ ପୁଅ ପଡ଼ିଥିଲା ଆଉ ସେ ପୁଅକୁ ଏଇ ଝିଅଟା କୁଆଡେ ଦେଖିକି ହସିଦେଉଥିଲା ବୋଧେ। ସୈତାନ୍ ଟା ଆଜି ବିଚ୍ ରାସ୍ତା ଉପରେ ମାର୍କେଟ ମଝିରେ ଛୁରୀଟେ ଧରି ଝିଅଟାକୁ କୋଡ଼ିଏ ଥର ଭୁଷି ପଳେଇଲା ରେ।କିଏ କେତେ ପାଟି କଲେ ଶୁଣିଲାନି କି ରହିଲାନି।ରାସ୍ତା ସାରା ଖାଲି ରକ୍ତ ଆଉ ରକ୍ତ।ଓଃ…କହନା କି ବିଭତ୍ସ ହତ୍ୟାକାଣ୍ଡ…!! କିଏ ଜଣେ ପୁଲିସ ଡାକି ଦେଇଥିଲା ସେତିକିବେଳେ ।ଏବେ କାଳୁ ଖାଁ ହାଜତରେ ଅଛି।"


"ଇସ୍…!!ଏମିତି ପିଶାଚ ଭଳିଆ ଭୂଷିଦେଲା ଆଉ ତମେ ସବୁ କିଛି କରି ପାରିଲନି…??"କ୍ରୋଧ ଆଉ ଘୃଣାର ମିଶାମିଶି ପ୍ରତିକ୍ରିୟା ଥିଲା ମୋର।


"ତୁ ଜାଣିନୁ…କାଳୁ ମୁଣ୍ଡରେ ଭୂତ ବସିଥିଲା।ଜଣେ ତା ପାଖକୁ ଯିବାକୁ ଚେଷ୍ଟା କଲାରୁ ତା ହାତକୁ ଛୁରୀରେ କାଟି ଦେଲା। ଫାଳେ କଟି ଯାଇଛି ମଣିବନ୍ଧ ପାଖରେ…ଓଃ…ସେ ଝିଅଟା ଯାହା ଚିତ୍କାର କରୁଥିଲା…!!ସିଏ ସେ ଟୋକାକୁ ଜାଣିନି ବୋଲି କାନ୍ଦି କାନ୍ଦି କହିଲା ଯାଏଁ ବି କାଳୁଟା ଶୁଣିଲାନି…"


ଦୁଇହାତ ମୁହଁରେ ଘୋଡେ଼ଇ ପଲ୍ଟୁ  କାନ୍ଦ କାନ୍ଦ ହୋଇ କହୁଥିଲା ବେଳେ ମୁଁ ପଚାରିଲି…"ଝିଅଟା କିଏ ଜାଣିଛୁ କି ତୁ…?"


"ମୁଁ ଜାଣିନି…ହେଲେ ମଦନା କହୁଥିଲା ସିଏ କୁଆଡେ ସବୁଦିନ ତା ଦୋକାନ ପାଖ ମୋଡ ଦେଇ କଲେଜରୁ ଯିବା ଆସିବା କରୁଥିଲା।ତା ନା ବୋଧେ ପିଙ୍କି ନା କଣ କହିଲା…."କହି ପଲ୍ଟୁ ମୁହଁ ଧୋଇବାକୁ ପାଖ ପାଇପ ମୂଳକୁ ପଳେଇଲା।


ପିଙ୍କି…!! ଟୋକାଟେ ପିଛା କରୁଥିଲା ବୋଲି କାଳୁ ତାକୁ ମାରି ପକେଇଲା…??ମାନେ…ସେ ହତଭାଗା ଟା କଣ ମୁଁ…??


ଛାତି ଭିତରେ ଏତେ କୋହ ଭରିଗଲା ଯେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି କାଳ ବୈଶାଖୀ ଆରମ୍ଭ ହେଇଗଲା ପରେ ମଧ୍ୟ ମୁଁ ସେମିତି ଭୂମି ଉପରେ କଚାଡି ହୋଇ ପଡ଼ିଯାଇ ଗେଣ୍ଡା ପୋକଟେ ପରି ମୋଡ଼ି ମାଡ଼ି ହେଇ କାଦୁଆ ମାଟି ଉପରେ ମୁଣ୍ଡ ପିଟି କାନ୍ଦୁଥିଲି…!!


Rate this content
Log in

Similar oriya story from Romance