Madhu Mita

Inspirational

4  

Madhu Mita

Inspirational

ମୋ ଆଖିରେ ତୁ

ମୋ ଆଖିରେ ତୁ

46 mins
275



ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍…

ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରେ ସଂଯୁକ୍ତମଚାଗ୍ରଜେନ ଭଦ୍ରାୟ ବାମଭାଗେ ରଥଚରଣ ଯୁଥମ…

ବ୍ରହ୍ମରୁଦ୍ରେନ୍ଦ୍ରଗମ୍ୟମ ବେଦାନାମ ସାରମିଶମ୍ ସ୍ୱଜନ ପରିବୃତମ୍…

ବ୍ରହ୍ମଦାରୁମ୍ ନମାମି... ବ୍ରହ୍ମଦାରୁମ ସ୍ମରାମି… ବ୍ରହ୍ମଦାରୁମ ପ୍ରତ୍ୟୟାମି…

ଜଗାରେ...ସତ କହ ତ...କଣ ମୁଁ ତୋ ବିଷୟରେ କିଛି ଲେଖି ପାରିବି କି?ତୁ ତ ଅବ୍ୟକ୍ତ...କିନ୍ତୁ ବ୍ୟକ୍ତ ହେଇଯାଉ ଯେତେବେଳେ ତୋର ଇଚ୍ଛା ହୁଏ।ତେବେ କହ ମୁଁ ଇଚ୍ଛା କରି ତୋତେ ଶବ୍ଦରେ କିପରି ବର୍ଣ୍ଣନା କରି ପାରିବି?ଯଦି ତୁ ଇଚ୍ଛା କରୁ ତେବେ ସିନା ଯାଇ କିଛି ଲେଖିହେବ..!!??ଆଉ ତୁ ଶବ୍ଦରେ ନୁହଁ ଭାବରେ ବନ୍ଧା।ଭାବରେ ହିଁ କେବଳ ବ୍ୟକ୍ତ ହୋଇପାରୁ...ତେବେ କେଉଁ ଶବ୍ଦର ସାହାରା ନେଇ ମୁଁ ତୋ ବିଷୟରେ ଲେଖିବି କହ…!!??


ତୁ ଅନନ୍ତ...ତୋର ଆଦି ନାହିଁ କି ଅନ୍ତ ବି ନାହିଁ।ତେବେ କହ ତୋ କଥା ବିଷୟ କେଉଁଠୁ ଆରମ୍ଭ କରି ପାରିବି?ସେହି ଦିନରୁ...ଯେଉଁ ଦିନ ସୃଷ୍ଟି ସଂରଚନା ହୋଇଥିଲା ନା ସେଦିନଠାରୁ ଯେଉଁଦିନ ପ୍ରଳୟ ହୋଇଥିଲା …??ସେହି ଦିନଠାରୁ ଯେଉଁ ଦିନ ପ୍ରାଣ ଜୀବିତ ହୋଇଥିଲା ନା ସେହି ଦିନଠାରୁ ଯେଉଁଦିନ ମୃତ୍ୟୁ ତୋ ପାଦପଦ୍ମତଳେ ଲୀନ ହୋଇଯାଇଥିଲା…!!??

ମତ୍ସ୍ୟ,କଚ୍ଛପ,ବରାହ,ନୃସିଂହ,ବାମନ, ରାମ,ପର୍ଶୁରାମ,ବଳରାମ କିମ୍ବା ବୁଦ୍ଧ ଅବତାର ପରେ ସମ୍ଭାବ୍ୟ କଳ୍କୀ ଅବତାର... କହ ତୁ କେଉଁଠି ନାହୁଁ ଆଉ କହ ତୋ ବିନା ଆଉ କିଏ ବା କେଉଁଠି ଅଛି?ତୁ ହିଁ କ୍ଷୀରସାଗର ଉପରେ ଅନନ୍ତ ଶୟନରେ ରହି ବ୍ରହ୍ମଦେବଙ୍କୁ ନିଜ ନାଭିଦେଶରେ ଧାରଣ କରିଛୁ ନା..?ତୁ ହିଁ ବାରମ୍ବାର ରୂପ ବଦଳେଇ ଭକ୍ତର ରକ୍ଷା ପାଇଁ ଅବତାର ନେଇ ନେଇ ଆଜି ଅବତାରୀ ହୋଇଛୁ ନା? ତେବେ ତୋ ବିଷୟ କହ କେଉଁଠାରୁ ଆରମ୍ଭ ହୋଇଛି…!!??


ତଥାପି କାଳିଆ...ଦ୍ଵାପର ଅବସାନ ପରେ କଳିଯୁଗ ଆରମ୍ଭ ହୋଇଛି ଆଉ ତୁ ଏଇ କଳିଯୁଗର ଦିଅଁ ହୋଇ ଧରାପୃଷ୍ଠରେ ବିରାଜମାନ କରିଛୁ।ତେଣୁ ସେହି ଦ୍ଵାପର ଯୁଗର ଅନ୍ତଠାରୁ ହିଁ ତୋ ଅଲୌକିକ କଥାବସ୍ତୁ ଉପରେ କିଛି ଆଲୋକପାତ କଲେ ବୋଧେ ଗ୍ରହଣୀୟ ହେବ…!!??


ମହାଭାରତ ମହାଯୁଦ୍ଧର ପରିସମାପ୍ତି ଘଟେଇ, ଧରା ବକ୍ଷରେ ପୁଣ୍ୟର ପୁନୋରୁଦ୍ଧାର କରେଇ ସାରିବା ପରେ ତୁ ...ବାସୁଦେବ ଶ୍ରୀକୃଷ୍ଣ ...ମୁଣ୍ଡ ପୋତି ସହି ନେଇଥିଲୁ ମାତା ଗାନ୍ଧାରୀଙ୍କ ସେହି ନିଷ୍ଠୁର ଅଭିଶାପ…!!ସେଦିନ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଥିଲା।ତୋ ପୁଣ୍ୟ ହାତରୁ ସେ ମୁକୁଟ ଧାରଣ କରିବା ଅବସରରେ ମାତା ଗାନ୍ଧାରୀ ଆସି ରାଜସଭାରେ ପ୍ରବେଶ କରିଥିଲେ।ଆଉ ନିଜ ଶତପୁତ୍ରଙ୍କୁ ହରେଇଥିବା ଅଭାଗୀ ଜନନୀ ହିସାବରେ ତୋ ଆଡେ ନିଜ କ୍ରୋଧର ତୀକ୍ଷ୍ଣ ବର୍ଚ୍ଛା ଚଲେଇ ଗାନ୍ଧାରୀ କହିଥିଲେ...ଯେପରି ସେ ନିଜ ସନ୍ତାନଗଣଙ୍କୁ ହରେଇ ସାରି ନିର୍ବଂଶ ହୋଇ ଏକୁଟିଆ ବିଳାପ କରୁଥିଲେ...ଠିକ୍ ସେହିପରି ତୁ ମଧ୍ୟ ଅଚିରେ ନିଜ ବଂଶ ଧ୍ଵଂସ ହେବା ବିଭତ୍ସ ରୂପର ମୁକସାକ୍ଷୀ ହୋଇ ଏକାକୀ ଜୀବନ ହାରିବୁ…!!


କେତେ କେତେ ବୀର ଜୀବନ ହରାଇଥିଲେ ସେହି ମହାଯୁଦ୍ଧରେ…!!ସମସ୍ତଙ୍କ ପ୍ରାଣରେ ରହି ସେମାନଙ୍କ କଷ୍ଟକୁ ଅଙ୍ଗେ ନିଭାଇ ମଧ୍ୟ ତୁ କିଛି କହିଲୁ ନାହିଁ।ସେମିତି ରଙ୍ଗ ଅଧରେ ଟିକେ ବାଙ୍କୁଆ ହସ ହସି ଦେଲୁ...ଯେମିତି ହସି ଦେଉ ତୁ...ଯଶୋଦା ମା ଲବଣୀ ଚୋରେଇ ଖାଇବା ପରେ ଯେତେବେଳେ ତୋ କାନ ଧରି ତୋତେ କିଛି କହି ଦେଉଥିଲେ…!!ସେମିତି ଅଳପ ହସ ହସିଦେଲୁ ଯେମିତି ତୁ ହସି ଦେଉଥିଲୁ ଯେତେବେଳେ ଗୋପୀଗଣ ତୋତେ ମନଇଚ୍ଛା ଗାଳି ଦେଉଥିଲେ...କି ଅନ୍ୟମାନେ ମଧ୍ୟ ତୋତେ ଛଳିଆ,ରଣଛୋଡ କି ଦଗାଦିଆ କାହ୍ନୁ କହି ଆକ୍ଷେପ କରି ଦେଉଥିଲେ..!!ତୋତେ ସତରେ କେବେ ଦୁଃଖ ଲାଗେନା ନା ଭକ୍ତ କିଛି କହିଦେଲେ…?? ଜାଣିଥିଲୁ ତୁ...ମାତା ଗାନ୍ଧାରୀଙ୍କ ଅଭିଶାପ କେବଳ ଏକ ମାଧ୍ୟମ ଥିଲା...ତୋ ମହାଲୀଳାର ଏକ ଅଂଶ ବିଶେଷ ଥିଲା…!!ଠିକ୍ ଯେମିତି...ଅଭିମନ୍ୟୁର ବଧ ଆଉ ପରୀକ୍ଷିତଙ୍କ ଜନ୍ମ…!!

କୁରୁକ୍ଷେତ୍ର ରକ୍ତରଞ୍ଜିତ ହୋଇ ଯାଇଥିଲା ନବଯୁବକ ଅଭିମନ୍ୟୁର ନିର୍ମମ ହତ୍ୟା ସହିତ…!!ଆତ୍ମୀୟ ମାନଂକ ହାତରେ କ୍ରୁର ଭାବରେ ଅମାନୁଷିକ ମୃତ୍ୟୁକୁ ସାମ୍ନା କରିଥିଲା ସେହି ବାଳକ...ଯିଏ ତୋର ଭଣଜା...ତୋର ଶିଷ୍ୟ ଆଉ ତୋର ହୃଦୟର ଏକ ଅଭିବାଜ୍ୟ ଅଂଶ ଥିଲା..!! ତା'ର ପ୍ରତ୍ୟେକ ବିକଳ ଚିତ୍କାର ତୋ ଆତ୍ମାରୁ ହିଁ ତ ବାହାରୁଥିଲା…!!କିନ୍ତୁ ଧର୍ମ ସଂସ୍ଥାପନରେ ଏହି ବିନାଶ ଲୀଳା ଅତ୍ୟାବଶ୍ୟକ ଥିଲା।ତେଣୁ ତ ତୁ ସେଦିନ ମଧ୍ୟ ମୌନ ରହି ସହି ଯାଇଥିଲୁରେ କାଳିଆ…!!ଅଶ୍ଵତ୍ଥାମା ଯେତେବେଳେ ନୃଶଂସ ହୋଇ ଦ୍ରୌପଦୀଙ୍କର ପାଞ୍ଚ ନିରୀହ ପୁତ୍ରଙ୍କୁ ହତ୍ୟା କରିଥିଲା...ତୋ ଆଖିରୁ ଅଗ୍ନି ବର୍ଷା ହୋଇଥିଲା।ଆଉ ବ୍ରହ୍ମାସ୍ତ୍ର ପ୍ରେରଣ କରି ସେ ଉତ୍ତରାର ଗର୍ଭ ନଷ୍ଟ କରିବାକୁ ଉଦ୍ୟମ କରିବା ପରେ ନିଜ ଜୀବନର ସମସ୍ତ ପୁଣ୍ୟଫଳକୁ ଦେଇ ତୁ ବଞ୍ଚେଇ ଦେଇଥିଲୁ ନା ପରୀକ୍ଷିତକୁ…??ସେହି ପରୀକ୍ଷିତକୁ... ଯାହାଙ୍କ ଦ୍ଵାରା କଳିଯୁଗର ପ୍ରାରମ୍ଭ ହୋଇଥିଲା ତୋର ଏହି ସଂସାରରେ..?ଅନ୍ୟାୟ ଦେଖି ସହି ତୁ ଚୁପ୍ ରହିଛୁ କେବଳ ଜଗତର କଲ୍ୟାଣ ପାଇଁ । ଆଉ ଆଜି କେମିତି ତୁ ପ୍ରତିବାଦ କରିଥାନ୍ତୁ?ତେଣୁ ଆଜି ମଧ୍ୟ ଚୁପ୍ ହୋଇ ସହିଗଲୁ ଗାନ୍ଧାରୀଙ୍କ ଅଭିଶାପ...ତୋ ବଂଶ ନଷ୍ଟ ହେବାର ଦାରୁଣ ଭବିଷ୍ୟତକୁ ସ୍ଵୀକାର କରିନେଲୁରେ କାଳିଆ…!!ଧନ୍ୟ ତୋ ନ୍ୟାୟ...ଧନ୍ୟ ତୋର ତ୍ୟାଗ..!!

ସେହି ଅଭିଶାପ ଫଳବତୀ ହେବା ପାଇଁ ବୋଧେ ସେଦିନ ଶାମ୍ବ ମନରେ ସେପରି ବିକାର ଭାବ ଉତ୍ପନ୍ନ ହୋଇଥଲା …!!ଋଷିମାନଙ୍କର ସିଦ୍ଧ ଶକ୍ତି ପରୀକ୍ଷଣ ଇଚ୍ଛା କଣ ଖାଲିଟାରେ କେହି କରିପାରେ କି?ତାହା ମଧ୍ୟ ତୋ ବଂଶଧର ହୋଇ ?ଶାମ୍ବ ଏକ ଅସନ୍ନପ୍ରସବା ନାରୀ ବେଶରେ ସଜ୍ଜିତ ହୋଇ ମୁନିଋଷି ଗହଣକୁ ଆସିଥିଲା ଆଉ ଅନ୍ୟ ଯାଦବ ମାନେ ସେହି ମିଥ୍ୟା ଗର୍ଭର ଆଗତ ଭବିଷ୍ୟତ ଜାଣିବାକୁ ଚାହିଁଥିଲେ... ତ୍ରୀକାଳଦର୍ଷୀ ମହାତ୍ମା ସବୁ ଜାଣିପାରି ଅଭିଶାପ ଦେଇଥିଲେ...ସେହି ଗର୍ଭଜାତ ହିଁ ଯାଦବ ବଂଶ ଧ୍ୱଂସର କାରଣ ହେବ…!!

ଦୁନିଆ ସାରା ଲୋକଙ୍କୁ ସତଶିକ୍ଷା ଦେଇ ତୁ ଗୀତାଜ୍ଞାନ ବାଣ୍ଟି ଚାଲିଥିଲା ବେଳେ ତୋ ନିଜ ବଂଶୋଜ କିପରି ଏତେ ଅସତ୍ ପଥରେ ଚାଲି ପାରିଲେ କାଳିଆ?କେବେ କଣ ତୁ ସେମାନଙ୍କୁ ସତ ରାସ୍ତାରେ ଆସିବାକୁ ପ୍ରେରଣା ଦେଇନୁ କି ନିର୍ଦ୍ଦେଶ ଦେଇନୁ?ନା ସେମାନଙ୍କ ଉତ୍ସୃଙ୍ଖଳତା ଦେଖି ସେମାନଙ୍କୁ ଦଣ୍ଡ ଦେବାକୁ ଉଦ୍ୟମ କରିନୁ ସତ କହ…!!କଳୁଷିତ ବାତାବରଣ ମଧ୍ୟରେ କଳୁଷିତ ଭାବ ଗ୍ରାସ କରିବା ଫଳରେ ଯାଦବମାନେ ପରସ୍ପର ଯୁଦ୍ଧ କରିବା ପ୍ରାୟ ସ୍ଥିତି ଉତ୍ପନ୍ନ ହେଲା।ଯାହା ତୋତେ ଭୀଷଣ ମାନସିକ ଯନ୍ତ୍ରଣା ଦେଲା।ସେଥିପାଇଁ ତ ନିଜ ସମୃଦ୍ଧ ଦ୍ୱାରକା ନଗରୀକୁ ଜଳ ପ୍ଲାବିତ କରେଇ ଦେଇ ନିଜ ଥକି ଯାଇଥିବା ଶରୀରଟାକୁ ଟିକେ ଲମ୍ବେଇ ଦେଲୁ ଶିଆଳି ଲତାର ମୂଳରେ…!!


କଣ ଭାବି ଚାଲିଥିଲୁ କାଳିଆ?ଗୋଡ଼ ଲମ୍ବେ଼ଇ ଆଖି ଅଧା ବନ୍ଦ୍ କରି କଣ ଭାବୁଥିଲୁ କି କିପରି ତୋ ଜନ୍ମ ଆଗରୁ ହିଁ ତୋ ପିତାମାତା କିପରି ବନ୍ଦୀଗୃହରେ ରହି ଦିନରାତି ଲୁହ ଝରେଇ ତୋ ଆସିବା ବାଟକୁ ଚାହିଁ ରହିଥିଲେ…!!କେବେ ତୁ ଜନ୍ମ ହେବୁ ଆଉ କେବେ ସେମାନଙ୍କ ଦୁଃଖ ଦୂର ହେବ..?ସେହି ଅମୃତ ବେଳାରେ ଅର୍ଦ୍ଧରାତ୍ରିରେ ବନ୍ଦୀଶାଳା ଉଜ୍ବଳ କରି ଦେବକୀ ମାତାଙ୍କ ଗର୍ଭରୁ ଜନ୍ମ ନେଲୁ ତୁ…!!ହେଲେ ତୁ କଣ ସେମାନଙ୍କୁ ରକ୍ଷା କରିଥାନ୍ତୁରେ... ??ବସୁଦେବ ତ ତୋତେ ରକ୍ଷା କରିବା ପାଇଁ ଟୋକେଇ ଭିତରେ ତୋତେ ସାଇତି ରଖି ଦେଇ ନେଇଗଲେ ନା ନନ୍ଦପୁରକୁ…!!


ଯମୁନା ବାଟରେ ବାଟ ଓଗାଳିଲା ହେଲେ ତୋ ପ୍ରତିଶ୍ରୁତି ପାଇ ଦି ଭାଗ ହେଲା।ତାକୁ ଧୀରେ କହି ଦେଇଥିଲୁ ନା ତୁ ଯେ ତା କୂଳରେ ତୁ ତୋର ଦିବ୍ୟଲୀଳା ସମ୍ପାଦନ କରିବୁ…!!ଗୋପପୁର ପୁରି ଉଠିଥିଲା ତୋ ଆଗମନରେ...ସବୁଠି ଖୁସିର ବାତାବରଣ ଥିଲା ବେଳେ ତୁ କିନ୍ତୁ ଭାବି ଚାଲିଥିଲୁ କିପରି କଂସ ପଠେଇଥିବା ଅସୁରମାନଙ୍କୁ ବିନାଶ କରି ତୋର ବାଲ୍ୟଲୀଳା ଦେଖେଇବୁ…!!??


ନନ୍ଦବାବାଙ୍କ ଅଭୟ,ଯଶୋଦା ମାଙ୍କ ସ୍ନେହ ପରଶ ସହିତ ଭାଇ ବଳରାମଙ୍କ ସହଯୋଗ ଆଉ ରାଧାରାଣୀର ପ୍ରେମଭାବ ତୋ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଥିଲା।କୁଆଡେ ଗଲା କାଳିଆ ବୃନ୍ଦାବନର ସେ ଖେଲୁଆଡ ଭାବ…!!ସେ ଲବଣିଚୋରା ଆଉ ସେ ରାସଲୀଳା?ଜୀବନର କଟୁସତ୍ୟ ତୋତେ ଟାଣି ଆଣିଲା କର୍ତ୍ତବ୍ୟ ଭୁଇଁକୁ…!!ଏଇଠି କେବଳ ନ୍ୟାୟ ସତ୍ୟ ଧର୍ମ ଅପେକ୍ଷା କରିଥିଲେ ମୁକ୍ତ ହେବାକୁ।ଆଉ ସେଇଥିପାଇଁ ତୋତେ ରଚିବାକୁ ହୋଇଥିଲା ଏ ବିନାଶ ଲୀଳା…!!

କଂସବଧ ପରେ ଆରମ୍ଭ ହୋଇଥିଲା ଏକ ଭିନ୍ନ ଅଧ୍ୟାୟ। ଗୋକୁଳର ସେହି ଚପଳ ଶିଶୁ ଦ୍ଵାରକାନଗରୀ ପ୍ରତିଷ୍ଠା କରିଥିଲା।ଯାଦବ ମାନଙ୍କୁ ଉଚିତ୍ ସମ୍ମାନ ଆଉ ମର୍ଯ୍ୟାଦା ଦେବା ପାଇଁ ଭବ୍ୟ ନଗର ସ୍ଥାପନା କରି ରାଜା ହୋଇନଥିଲୁ ତୁ…!!କିନ୍ତୁ ସେହି ରାଜ୍ୟ ମଧ୍ୟ ପରିତ୍ୟାଗ କରି ଛୁଟି ଆସିଥିଲୁ କୁରୁକ୍ଷେତ୍ରକୁ…!!ପାଞ୍ଚାଳୀ ବସ୍ତ୍ରହରଣ ସହିତ ଜଦୁଗୃହ ବିଧ୍ୱଂଶ ଏବଂ ଅନ୍ୟାନ୍ୟ ଅନ୍ୟାୟ ତୋତେ ବାଧ୍ୟ କରି ଦେଇଥିଲା ଏହି ମହାଯୁଦ୍ଧ ରଚନା କରିବାକୁ…!!କହିଲୁ କାଳିଆ...ଛ ଦିନର ଶିଶୁ ହୋଇ ପୁତନା ପରି ରାକ୍ଷସୀ କୁ ଯିଏ ଅଚିରେ ମୃତ୍ୟୁ ଦେଇଥିଲା ସେ କଣ ଚାହିଁଥିଲେ ଦୁର୍ଯ୍ୟୋଧନକୁ ଉଚିତ୍ ଶିକ୍ଷା ଦେଇ ପାରି ନ ଥାନ୍ତା ?କିନ୍ତୁ ତୁ କହିବା କଥା ପୁରା ଅଲଗା ଥିଲା।ଧର୍ମ ସ୍ଥାପନ ପାଇଁ ଅଧର୍ମ ନାଶ ହେବା କେବଳ ଏକ ସଂହାରଲୀଳା ମାଧ୍ୟମରେ ସମ୍ଭବ ଥିଲା…!!ଆଉ ସେଇଥିପାଇଁ ଭାଇ ବନ୍ଧୁ କୁଟୁମ୍ବ ପରସ୍ପର ସହିତ ମହାଯୁଦ୍ଧ କରି ନିଜ ନିଜ ପରମଗତି ଲାଭ କରିବା ପରେ ଯାଇ ତୁ ଫେରି ଯାଇଥିଲୁ ଦ୍ୱାରକାକୁ…!!

ଆଛା କହିଲୁ କାଳିଆ...ଏଇ ସବୁ ଲୀଳା ସହିତ ଶାମ୍ବ ହାତରେ ହୋଇଥିବା ଅପରାଧକୁ କାହିଁକି ଯୋଡ଼ିଦେଲୁରେ …?ସେତିକି କ୍ଷମା କରିଦେଇଥିଲେ ତ...


ସେତିକି କ୍ଷମା କରି ଦେଇଥିଲେ ହୁଏତ…!!


କେତେ ଡରି ଯାଇଥିଲା ଶାମ୍ବ ସେଦିନ…?ଯେତେବେଳେ ଋଷିଙ୍କ ଅଭିଶାପ ପାଇ ବ୍ୟସ୍ତ ହୋଇ ଖୋଲି ପକାଉଥିଲା ତାର ମିଥ୍ୟା ରଚିତ ଗର୍ଭକୁ…!!ଆଉ ତା ଭିତରୁ ବାହାରି ପଡ଼ିଥିଲା ଏକ ଲୁହାର ମୂଷା…!!ଏଇଟା କଣ କେବେ ସମ୍ଭବ କି ଯେ ଏକ ମିଛ କପଡ଼ା ଭର୍ତ୍ତି ପୋଷାକ ଭିତରୁ ଏକ ଲୌହ ମୂଷିକ ଜନ୍ମ ନେଇଯାଇପାରେ??ଲୋକକଥା କୁହେ ଶାମ୍ବ କୁଆଡେ ଗର୍ଭ ଯନ୍ତ୍ରଣା ସହ୍ୟ କରିଥିଲା ଏହି ସମୟରେ…!!ଏହି ବିଷୟ ଏଇଠି ସମାପ୍ତ କରିଦେବା ପାଇଁ ଉଗ୍ରସେନ ଆଜ୍ଞା ଦେଇଥିଲେ ମହାବଳୀ ଭୀମଙ୍କୁ…!!ଆଉ ସେହି ଲୁହା ମୂଷାକୁ ସମୂଳେ ନଷ୍ଟ କରିଦେବା ପାଇଁ…!!ତା ପରେ ଯାହା ହେଲା ସେଇଟା କେବଳ ତୋ ଲୀଳାରେ ହିଁ ସମ୍ଭବ କାଳିଆ…!!


ପଥର ଉପରେ ଘଷି ଘଷି ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପରେ ଅତି ସୂକ୍ଷ୍ମ ନଗଣ୍ୟ ଅବଶେଷକୁ ଭୀମ କାଳେ ସମୁଦ୍ର ମହାଗର୍ଭକୁ ନିକ୍ଷେପ କରିଥିଲେ…!!ଆଉ ଅତ୍ୟାଶ୍ଚର୍ଯ୍ୟ ଥିଲା ସେହି ଘଟଣା ଯାହା କୁହେ ସେହି ଲୌହଖଣ୍ଡକୁ ଏକ ମାଛ ଗିଳି ପକେଇଥିଲା…!!ତାହା ପହଞ୍ଚିଥିଲା ଶବର ରାଜାଙ୍କ ନିକଟରେ…!!ଆଉ ବିଶେଷ ଶିକାର ଉଦ୍ଦେଶ୍ୟରେ ସେ ସେହି ଲୁହାକୁ ପ୍ରସ୍ତୁତ କରି ରଖିଥିଲେ ନିଜ ତୀର ଅଗ୍ରଭାଗରେ ସଜେଇ ରଖି…!!

ଲୋକକଥା ପୁଣି କହେ ଯେ ଜରାଶବର ଯେଉଁଦିନ ପ୍ରଥମ କରି ଶିକାର କରିବାକୁ ବାହାରିଲେ ତାଙ୍କ ପିତା ତାଙ୍କୁ ଉକ୍ତ ତୀର ପ୍ରଦାନ କଲେ ନିଜର ଶିକାର ଉଦ୍ଧେଶ୍ୟରେ…!!


ବିଧିର ବିଡମ୍ବନା କି କାଳିଆ..?ନା ତୋର ଯୋଜନା ହିଁ ଥିଲା ଏଇୟା…?ଗୋକୁକର ଗାଈଆଳ କୃଷ୍ଣର କଠିନ ପାଦ ନରମ ମୁଲାୟମ ହୋଇ ଗୋଲାପି ବର୍ଣ୍ଣର ହୋଇଯାଇଥିଲା ଦ୍ଵାରକାକୁ ଆସି... ରାଜସୁଖରେ..!!ନିଜ ଜୀବନର ଅସରନ୍ତି ଅଧ୍ୟାୟ ସବୁକୁ ମନ୍ଥନ କରୁ କରୁ ତୁ ନିଜ ପାଦକୁ ଆସ୍ତେ ଆସ୍ତେ ହଲେଇ ଚାଲିଥିଲୁ...ଆଉ ଅପେକ୍ଷା କରିଥିଲୁ କାହାକୁ ଭାଲକାତୀର୍ଥରେ…!!


ଲୋକକଥା ମଧ୍ୟ ଏକଥା କୁହେ ଯେ ଯାଦବମାନେ ପରସ୍ପର ସହ ଯୁଦ୍ଧରେ ନିମଗ୍ନ ଥିଲା ସମୟରେ ଯେଉଁଠି ସେହି ବିଧ୍ୱଂଶି ଲୁହାଖଣ୍ଡକୁ ଘଷା ଯାଇଥିଲା ସେହି ସ୍ଥାନରୁ କିଛି ଘାସ ଉଠେଇବା କ୍ଷଣି ତାହା ଘାତକ ଲୁହାରେ ପରିଣତ ହେଇ ଯାଉଥିଲା…!!


ସେହି ଅଶୁଭ ମୁହୂର୍ତ୍ତ ଆସିଗଲା...ଯେତେବେଳେ ତୋ ପାଦକୁ କେଉଁ ଏକ ହରିଣର କାନ ଭାବି ଶର ଯୋଖିଦେଲା ଜରାଶବର…!!ଅଭେଦ୍ୟ... ଅକାଟ୍ୟ ଥିଲା ତା ପ୍ରହାର…!!ତୀର ସିଧା ଯାଇ ପଶିଗଲା ତୋ କୋମଳ ପାଦରେ..!!


ଆହାଃ…!!ଶେଷରେ କଣ ଏଇୟା ବି ହେବାକୁ ଥିଲା କି ରେ କାଳିଆ ?ଈଶ୍ଵର ନିଜ ପ୍ରାଣ ହାରିଲେ ଆଉ ତା ମଧ୍ୟ ଏକ ଶବରର ବାଣରେ ? ଜଗାରେ...ତୁ ସିନା ବୁଝେଇ ଦେଲୁ ଯେ ତ୍ରେତେୟା ଯୁଗର ମହାବଳୀ ବାଳୀକୁ ତୁ ଯେମିତି ଗଛ ଉହାଡରେ ଲୁଚି ଲୁଚି ମୃତ୍ୟୁ ଦେଇଥିଲୁ...ତୋର ସେହି କର୍ମର ଫଳ ଭୋଗିବାକୁ ଆଜି ତୋତେ ସେହି ବାଳୀ ରୂପୀ ଶବର ହାତରେ ଗଛ ପଛରୁ ଆସିଥିବା ତୀରର ଶିକାର ହେବାକୁ ହୋଇଛି…!!କିନ୍ତୁ ମନ କଣ ଏତିକି ତର୍କ ମାନିଯାଇ ହାରି ଦେବ ତା ପ୍ରାଣର ସ୍ପନ୍ଦନକୁ?ତା ଆପଣାର ଦିଅଁଙ୍କୁ?ତା ଜୀବନ ଧନକୁ??


ନିଜ ମାନବୀୟ ଲୀଳା ସମାପନ ସମୟରେ ଭକ୍ତ ପ୍ରାଣ ବିକଳରେ କାନ୍ଦିବା ଦେଖି ତୁ ବଚନ ଦେଇଗଲୁ...ଫେରିବୁ ତୁ...ନୀଳ କନ୍ଦରେ...ନୀଳ ମାଧବ ରୂପରେ...ଆଉ ଜରା ଶବର ହେବ ଶବର ରାଜା ବିଶ୍ଵାବସୁ…!!ତୋର ବିଶ୍ୱସ୍ଥ ସେବକ…!!


ପାଣ୍ଡବମାନେ ତୋର ପାର୍ଥିବ ଶରୀରକୁ ଅଗ୍ନି ସଂଯୋଗ କଲେ।ଏହା ହିଁ ସୃଷ୍ଟିର ନିୟମ।ହିନ୍ଦୁ ମାନ୍ୟତା ଅନୁସାରେ ମନୁଷ୍ୟ ଶରୀର ମହାପ୍ରୟାଣ ଲାଭ କଲା ପରେ ପଞ୍ଚମହାଭୂତରେ ଲୀନ ହେବା ହିଁ ଶରୀରୋପରାନ୍ତ ଧର୍ମ…!!କିନ୍ତୁ କହ କାଳିଆ...କେଉଁ ଅଗ୍ନି ସକ୍ଷମ... ଯେ କି ଜାଳି ପାରନ୍ତା ବିଶ୍ଵନିୟନ୍ତାର ହୃଦୟକୁ ??


ହାରିଗଲା ଦାବାନଳ...ତୋ ହୃଦୟକୁ ନିଜ ଲେଲିହାନ ଶିଖାରେ ପାଉଁଶ କରିବାକୁ ସେ ନିଜ ଅସମର୍ଥତା ପ୍ରକାଶ କଲା।ଆଉ ପାଣ୍ଡବ ସେହି ହୃଦୟକୁ ଜଳ ସମାଧି ଦେଇ ଅଶ୍ରୁଳ ବିଦାୟ ଦେଇଥିଲେ…!!


ସମୟକ୍ରମେ ତୋର ଲୀଳା ପୁନଃ ଆରମ୍ଭ ହେଲା। ତୁ ନୀଳମାଧବ ହୋଇ ନୀଳଗିରି ଶିଖରରେ ନୀଳକନ୍ଦରରେ ପ୍ରକାଶ ପାଇଲୁ।ଶବରରାଜା ବିଶ୍ଵାବସୁ ଏକ ଗୁମ୍ଫା ମଧ୍ୟରୁ ଆସୁଥିବା ନୀଳ ଆଲୋକ ଶିଖାକୁ ଅନୁଗମନ କରି ପାଇଥିଲା ତୋ ସାନିଧ୍ୟ…!!ହାତ ଯୋଡ଼ି ତୋତେ ପ୍ରଣାମ କରି ସମର୍ପି ଦେଇଥିଲା ନିଜ ହୃଦୟର ନିଷ୍ପାପ ଭକ୍ତିପୁଷ୍ପକୁ…!!ବଣରୁ ମିଳୁଥିବା ଫଳମୂଳକୁ ଭୋଗ ଲଗେଇ ଚାଲିଥିଲା ତୋତେ…!!କିନ୍ତୁ ଅନ୍ୟର ନଜର ଆଢ଼ୁଆଳରେ ରଖିବାକୁ ସେହି ମାର୍ଗ ଆଉ ସେହି ଗୁମ୍ଫା ବିଷୟକୁ ଗୁପ୍ତ ରଖିଥିଲା ସେ…!!ଏପରିକି ତା ପରିବାର ମଧ୍ୟ ଏହି ବିଷୟ ଜାଣିବାକୁ ସକ୍ଷମ ହୋଇ ନ ଥିଲେ…!!


ଏପଟେ ଉତ୍କଳ କେଶରୀ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଆଉ ମହାରାଣୀ ଗୁଣ୍ଡିଚାଙ୍କୁ ତୁ ସ୍ୱପ୍ନାଦେଶ ଦେଇ ଜଣେଇ ସାରିଥିଲୁ ଧରାବକ୍ଷରେ ତୋର ଅବସ୍ଥିତି ସମ୍ପର୍କରେ…!!କ୍ଷଣେ ମାତ୍ର ବିଳମ୍ବ ନ କରି ମହାରାଜ ପଠେଇ ଦେଇଥିଲେ ନିଜ ବିଶ୍ଵସ୍ଥ ବିଦ୍ୟାପତିଙ୍କୁ...ତୁରନ୍ତ ଯାଇ ଖୋଜିବାକୁ...ନୀଳମାଧବଙ୍କୁ…!!


ବିଧିର ନିର୍ଦ୍ଦେଶକ୍ରମେ ସେ ଜାଣି ପାରିଥିଲେ ଶବର ପଡ଼ାରେ ତୋର ଭବ୍ୟ ଅବସ୍ଥିତି…!!କିନ୍ତୁ କଣ କରନ୍ତେ ସେ ? ତୋ ସେବକ ବିଶ୍ଵାବସୁ ତ ସମ୍ପୂର୍ଣ ନୀରବ ରହୁଥିଲେ ନିଜ ଆରାଧ୍ୟଙ୍କ ଅବସ୍ଥିତି ବିଷୟରେ…!!ତାଙ୍କ ମୁଖମଣ୍ଡଳର ସୌମ୍ୟ ପ୍ରଶାନ୍ତି ଆଉ ହୃଦୟର ବିଶ୍ୱାସ ହିଁ ତୋ ଅଲୌକିକ ଶକ୍ତିର ଉପଲବ୍ଧିକୁ ଜଣେଇ ଦେଉଥିଲା।ଯେ କୌଣସି ପ୍ରକାରେ ତୋ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଥିବା ବିଦ୍ୟାପତି ବାଛିନେଲେ ଏକ ସରଳ ମାର୍ଗ... ଲଳିତା…!!


ରାଜା ବିଶ୍ଵାବସୁଙ୍କ ଏକମାତ୍ର ଅଲିଅଳି କନ୍ୟା ଥିଲା ଲଳିତା...ପ୍ରେମ ଜାଲରେ ସେ ବନ୍ଧା ହୋଇ କରି ବସିଲା ଏକ ଏପରି କାର୍ଯ୍ୟ ଯାହା ଇତିହାସ ବଦଳେଇ ଦେବାରେ ସାହାଯ୍ୟ କଲା…!!


ପ୍ରତ୍ୟହ ବିଶ୍ଵାବସୁଙ୍କ ଶରୀରରୁ ଆସୁଥିବା ମନମୋହକ ସୁଗନ୍ଧରେ ଝୁମି ଉଠୁଥିବା ନିଜ ପତିଙ୍କ ବିଭୁ ସନ୍ଧାନ ଇଚ୍ଛାକୁ ଲଳିତା କାଟି ପାରିଲାନି…!!ପିତାଙ୍କ ପାଖରେ ଅଳି କରି ସେ ତାଙ୍କୁ ମନେଇ ପାରିଲା ଥରୁଟିଏ ମାତ୍ର ପ୍ରଭୁ ଦର୍ଶନ ବିଦ୍ୟାପତି କରନ୍ତେ…!! ବିଶ୍ଵାବସୁ ସର୍ତ୍ତ ରଖିଲେ ଯେ ଯଦି ଆଖିରେ ପୁଟୁଳି ବନ୍ଧା ହୁଏ ତେବେ ଯାଇ ସେ ବିଦ୍ୟାପତିଙ୍କୁ ଦେଖେଇବେ ନିଜ ଠାକୁରଙ୍କୁ…!!ବିଦ୍ୟାପତି ମଧ୍ୟ ଭୀଷଣ ଚାଲାକି କରି ନିଜ ଅଣ୍ଟିରେ ବାନ୍ଧିନେଲେ ପୁଳାଏ ସୋରିଷ ଦାନା…!!


ଯାହା ସେ ବୁଣି ଦେଇଗଲେ ବାଟ ସାରା...ସମସ୍ତଙ୍କ ଅଗୋଚରରେ...ସନ୍ତର୍ପଣରେ…!!


ନୀଳକନ୍ଦର ଏକ ଉଜ୍ବଳ ନୀଳ ଆଲୋକରେ ଝଟକୁ ଥିଲା…!!ଆଖି ଉପରୁ ବନ୍ଧନୀ ଖୋଲା ହେଲା ପରେ ସେହି ସୌମ୍ୟ ଦିବ୍ୟକାନ୍ତି ଦର୍ଶନ କରି ଭାବ ସାଗରରେ ଭାସି ଉଠିଲେ ବିଦ୍ୟାପତି...ଧନ୍ୟ ଧନ୍ୟ କହି ଉଠିଲେ...ଆଉ ଲୋତକପୂର୍ଣ୍ଣ ଚକ୍ଷୁ ସହିତ ବିଦାୟ ନେଇ ଗୁମ୍ଫାରୁ ବାହାରି ଆସିଲେ…!!


ଲୋକକଥା କୁହେ ସେହି ସୋରିଷ ଦାନାସବୁ ଅତି ସ୍ୱଳ୍ପ ସମୟ ଭିତରେ ଦ୍ରୁମରେ ପରିଣତ ହୋଇଥିଲା।ଯେତେବେଳେ ସୈନ୍ୟ ସାମନ୍ତ ନେଇ ମହାରାଜ ଇନ୍ଦ୍ରଦ୍ୟୁମ୍ନ ନୀଳ ମାଧବଙ୍କୁ ନେଇଯିବା ପାଇଁ ସେହି ସ୍ଥାନରେ ପହଞ୍ଚିଲେ ରାସ୍ତା ଚିହ୍ନିବାରେ ଅସୁବିଧା ହେଲାନି…!!କିନ୍ତୁ ପ୍ରଭୁ ନୀଳ ମାଧବ ସେଇଠି ମିଳି ନ ଥିଲେ। ରିକ୍ତ ସିଂହାସନ ଦେଖି ବିଶ୍ଵାବସୁ ନିଜ ଉପରେ ନିୟନ୍ତ୍ରଣ ରଖି ପାରୁ ନ ଥିଲେ।ସେତିକିବେଳେ କାଳିଆ ତୁ କହିଥିଲୁ ନା ଯେ ତୋତେ ଆଉ ବଣର କନ୍ଦମୂଳ ,ଫଳ ଭଲ ଲାଗୁନି।ଭୋଜନ ପ୍ରିୟ ଦିଅଁ ତୁ ଆନନ୍ଦ ବଜାରେ ଭିଡ କରାଇବାକୁ ଚାହୁଁଥିଲୁ ଛପନ ଭୋଗର...ଆଉ ତେଣୁ ସ୍ଵଇଛାରେ ଏହି ଲୀଳା କରେଇଥିଲୁ ତୁ…!!ବଚନ ଦେଇଥିଲୁ ଶବର ରାଜାକୁ...ସିଏ ଯେପରି ମନ ଦୁଃଖ କରିବନି।ତୋତେ ଏତେ ଦିନ ପୂଜିଥିବା ଶବର କୁଳର ଉତ୍ତର ପୁରୁଷ ଲଳିତା ବଂଶଜ ସମସ୍ତେ ଦଇତାପତି ଆଉ ସୁଆର ହୋଇ ତୋର ଆତ୍ମୀୟଙ୍କ ପରି ତୋ ସେବାର ସୌଭାଗ୍ୟ ପାଇବେ…!!ତୋର ନୀତିକାନ୍ତି ଆଉ ଭୋଗରାଗ କରିବା ପୁଣ୍ୟ ଅଧିକାର ସେମାନଙ୍କୁ ହିଁ ମିଳିବ…!!


ଆଉ ସେତେବେଳେ କାଳିଆ ତୁ ହିଁ ଶୂନ୍ୟବାଣୀ ଶୁଣେଇ ଥିଲୁ ନା...ଯେ ଭବ୍ୟ ନିମକାଠର ଦାରୁ ହୋଇ ତୁ ଭାସି ଆସିବୁ ମହୋଦଧିରେ…!!


କି ଅପୂର୍ବ ଲୀଳା ତୋର କାଳିଆ…!!


କାଠରେ ପାଣି ଲାଗିଲେ ତାହା ଖରାପ୍ ହୋଇଯାଏ...ହେଲେ ତୋ ଦିବ୍ୟ ଦାରୁ ଫେରେ ପାଣିରେ ଭାସି ଆସିଗଲା…!! ମୁହାଣରେ ଲାଗିବା ପରେ କେତେ ବୀର ସୈନ୍ୟ ଚେଷ୍ଟା କଲେ ତାକୁ ଉଠେଇ ନେବାକୁ… ଉଠେଇବା ତ ଦୂରର କଥା ତାକୁ କେହି ଟିକେ ହଲେଇ ମଧ୍ୟ ପାରିଲେନି…!!ମହାରାଜ ଆଉ ମହାରାଣୀ ଅଧିଆ ପଡ଼ିବାରୁ ତୁ ଡାକିବାକୁ କହିଥିଲୁ ତୋର ପୁରୁଣା ସେବକ ବିଶ୍ଵାବସୁଙ୍କୁ...ଯିଏ କେବଳ ହାତ ଲଗେଇ ଦେବା ପରେ ଆରାମରେ ଆସି ଯାଇଥିଲୁ ତୁ... ରାଜମହଲକୁ…!!


ତୋ ବିଗ୍ରହର ରୂପରେଖ କଣ ହେବ ଆଉ କିଏ ବା ଦାରୁକୁ ଦିଅଁ କରି ଗଢି ତୋଳିବ ସେହି ଭାଳେଣି ପଡ଼ିଗଲା ରାଜ୍ୟସାରା…!!କେଉଁ ବିନ୍ଧାଣି ଫୁଟେଇ ପାରିବ କାଠରେ ଠାକୁରକୁ ??


ଶେଷରେ ପହଞ୍ଚିଲେ ଦେବଶିଲ୍ପୀ ବିଶ୍ଵକର୍ମା...ଏକ ବୁଢ଼ା ବଢେଇ ବେଶରେ…!!ଆଉ କହିଲେ ଏହି କାଠଗଣ୍ଡିରୁ ଦିଅଁ ନ ତିଆରି ହେଲା ଯାଏଁ ସେ ଏକୋଇଶ ଦିନ ରହିବେ ଏକ ଗମ୍ଭିରୀ ଭିତରେ…!!ସର୍ତ୍ତ ଥିଲା କେହି ଯେପରି ଗମ୍ଭିରା ଦ୍ଵାର ଖୋଲିବେନି..!!


ତାଙ୍କ ଆଜ୍ଞା ଶୁଣି ଦ୍ୱାରଦେଶରେ କୋଲପ ଲଗେଇ ରାଜାରାଣୀ ଦୁହେଁ ପହରା ଦେବାପ୍ରାୟ ଜଗି ରହିଲେ..!!କାଳିଆ..ତୋ ଲୀଳା କିଏ ବା ବୁଝିବ? ଚଉଦ ଦିନ ପରେ ସେହି ବନ୍ଦ୍ ଘରୁ ନିହାଣ ମୁନର ଶବ୍ଦ ଆଉ ଶୁଣାଗଲା ନାହିଁ…!!ରାଣୀ ଗୁଣ୍ଡିଚାଙ୍କ ମନରେ ଦକା ପଶିଲା…!!କଣ ହେଲା ?ଭିତରେ ଖାଦ୍ୟ ନାହିଁ ପାନୀୟ ନାହିଁ...ବୟସ୍କ ବଢେଇ ବାବା ଜଣକ ସେମିତି ବସି ଦାରୁକୁ ଦିଅଁ କରୁଛନ୍ତି...ହେଲେ ନିହାଣ ମୂନର ଶବ୍ଦ କାହିଁକି ଶୁଭୁନି ?ଆଉ କିଛି ଅନର୍ଥ ହୋଇ ଯାଇନି ତ ..??


କଣ କରିବେ କଣ ନ କରିବେ ଭାବି ଭାବି ବିକଳ ହୋଇ ସେ ଶେଷରେ ସେହି ବନ୍ଦ୍ ଦୁଆରକୁ ଖୋଲିଦେଲେ…!!


ଆଉ ତା ପରେ….


ଆଖି ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଥିଲା…!!ହାତ ନାହିଁ ପାଦ ନାହିଁ...ଅଧାଗଢ଼ା ତିନୋଟି ମୂର୍ତ୍ତି ଥିଲେ…!!ତିନୋଟି ରଙ୍ଗର ତିନୋଟି ଅପୂର୍ବ ଗଢଣ ହୋଇଥିଲା…!! କଳା ଧଳା ଆଉ ହଳଦିଆ…!! କଳା ମୂର୍ତ୍ତିର ଚକା ଚକା ଦୁଇଟି ବଡ ବଡ ଆଖିରେ ଆଖି ଲାଗି ଯାଇଥିଲା ରାଜାରାଣୀଙ୍କର..!!ଧଳା କଳା ମୂର୍ତ୍ତି ଦୁଇଟି ଅଧା ଖଣ୍ଡିଆ ହାତ ଆଗକୁ ବଢେଇ ଏପରି ଠିଆ ହୋଇଥିଲେ ଯେପରି ହାତ ଠାରି ଡାକୁଥିଲେ...ଆସ..ମୋ ଭିତରେ ନିଜକୁ ବିଲୀନ କରିଦିଅ…!!ମୂର୍ତ୍ତିମାନଙ୍କର ଅଣ୍ଟାର ତଳ ଭାଗ ନିର୍ମିତ ହୋଇ ନ ଥିଲା..!!ହଳଦିଆ ମୂର୍ତ୍ତିର ଅଧା ହାତ ମଧ୍ୟ ତିଆରି ହୋଇ ନଥିଲା…!!


କାନ୍ଦି ପକେଇଲେ ରାଣୀ ଗୁଣ୍ଡିଚା…!!କି ଅପରାଧ ହୋଇଗଲା ସତରେ…!!??କଳିଯୁଗର ଆରାଧ୍ୟଦେବତାଙ୍କ ମୂର୍ତ୍ତି ଅଧାଗଢ଼ା ରହିଗଲା..!!??ବୁଢ଼ା ବଢ଼େଇଙ୍କ କୁଶଳ ସମ୍ବାଦ ପାଇବା ପାଇଁ ସେ ଯେପରି ତରବରିଆ କାର୍ଯ୍ୟଟିଏ କରି ପକେଇଲେ...କଣ ଇତିହାସ ତାଙ୍କୁ କେବେ ସେଥିପାଇଁ କ୍ଷମା ଦେବ…!!??ସେ କଣ ନିଜକୁ କେବେ କ୍ଷମା କରି ପାରିବେ ?


ଦୁଃଖରେ ଭାଙ୍ଗି ପଡିଥିବା ମହାରାଣୀଙ୍କୁ ଶୂନ୍ୟବାଣୀ ହେଲା...ତାଙ୍କୁ କହିଲୁ ତୁ କାଳିଆ...ଆଉ ଦୁଃଖ ନ କରିବାକୁ।କାରଣ କଳିଯୁଗର ଅବତାରୀ ପୁରୁଷ ନିଜ ପାଇଁ ଏହି ରୂପ ହିଁ ନିଶ୍ଚିତ କରିଥିଲେ …!!


ଅଭୟ ବର ପାଇ ଦୁଃଖ ଦୂର ହେଲା ରାଜାରାଣୀଙ୍କର।ଆଉ ବରଦାନ ମାଗିବା ଆଳରେ ସମନେଇ ମାଗିନେଲେ ନିଜ ପାଇଁ ଏକ ଅଦ୍ଭୁତ ଭବିଷ୍ୟତ…ନିର୍ବଂଶ ହେବାର ବର ମାଗି ଦେଇଥିଲେ …!! କାରଣ ମଧ୍ୟ ଥିଲା ଅପୂର୍ବ…!ତାଙ୍କ ବଂଶରେ କେହି ଉତ୍ତରାଧିକାରୀ ରହିଲେ ତ ସେମାନେ ଗର୍ବ କରିବେ ନା ମହାପ୍ରଭୁଙ୍କୁ ରୂପ ଦେଇଥିବା କାର୍ଯ୍ୟରେ ତାଙ୍କ ପୂର୍ବପୁରୁଷଙ୍କ ଯୋଗଦାନ ଯୋଗୁଁ…!!


ଧନ୍ୟ ତୁ କାଳିଆ... ଧନ୍ୟ ତୋ ଭକ୍ତ…!!ଏପରି ଏକ ମହାନ୍ ଭକ୍ତର ଭକ୍ତି ନିବେଦନ ସ୍ବୀକାର କରି ତୁ ନିଜେ ବଚନ ଦେଇଥିଲୁ ଯେ ତୁ ନିଜେ ତାଙ୍କ ବଂଶର ଉତ୍ତରାଧିକାରୀ ହେବୁ। ଜଗାରେ... ଏଇଥି ପାଇଁ ତ ତୁ ପ୍ରତିବର୍ଷ ଶ୍ରାଦ୍ଧ ଦେଉଛୁ ନା ...ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଚାଙ୍କ ପାଇଁ।ଖାଲି ଏତିକି ନୁହେଁ ତୁ ନିଜକୁ ତାଙ୍କ ପୁଅ ବୋଲି କହୁ ନା...ସେଇଥିପାଇଁ ତ ଛୁଟି ଆସୁ ପ୍ରତିବର୍ଷ ମା'କୁ ଥରୁଟିଏ ଦେଖା କରିବାକୁ…!!


ବିଗ୍ରହ ସିନା ନିର୍ମିତ ହେଲା...ହେଲେ ମନ୍ଦିର ?ପୁନଃ ଆଦେଶ ଦେଲୁ ତୁ...ମହୋଦଧି କୂଳରେ ତୋ ବଡ଼ ଦେଉଳ ତୋଳିବାକୁ…!!ଦିନରାତି ଲାଗି ପଡ଼ିଲେ ମଣିମା...ଆଉ ତୋ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ ହେଲା।ସେହି ମନ୍ଦିର ପ୍ରତିଷ୍ଠା କରିବାକୁ ମହାରାଜ ଭାବିଲେ ବ୍ରହ୍ମଲୋକ ଯାଇ ସ୍ଵୟଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଆମନ୍ତ୍ରଣ କରିବା ପାଇଁ…!!


ଧରିତ୍ରୀ ପୃଷ୍ଠରୁ ଇନ୍ଦ୍ରଲୋକ ଯିବା ପରେ ବ୍ରହ୍ମା ମାତ୍ର ଏକ ମୁହୂର୍ତ୍ତ ପରେ ବାହାରିଲେ ଯିବା ପାଇଁ...ହେଲେ ତୋ ଲୀଳା ଅଦ୍ଭୁତ...ବ୍ରହ୍ମାଙ୍କ ଗୋଟିଏ ମୁହୂର୍ତ୍ତ ଧରଣୀର ଅନେକ ବର୍ଷ ସହ ସମାନ ଥିଲା।ଇନ୍ଦ୍ରଦ୍ୟୁମ୍ନ ରାଜା ଆସି ପହଞ୍ଚିବା ସମୟରେ ବହୁତ୍ କିଛି ବଦଳି ଯାଇଥିଲା ପୃଥିବୀରେ…!!


ଅଶ୍ୱର ଖୁର ଲାଗି ଯାଇଥିଲା ସେହି ସ୍ଥାନରେ ଯେତେବେଳେ ଗାଲମାଧବ ମନ୍ଦିର ଥିବା ସ୍ଥାନ ଉପର ଦେଇ ଗତି କରୁଥିଲେ।ଏକଥା କହିବା ବାହୁଲ୍ୟ ଯେ ପୃଥିବୀରେ ଏହି ବର୍ଷ ମାନଂକ ମଧ୍ୟରେ ଦେଉଳ ଉପରେ ବାଲୁକାର ପ୍ରସ୍ତର ଚଢ଼ି ଯାଇଥିବାରୁ ତାହା ପୋତି ହୋଇ ଯାଇଥିଲା।ଆଉ ଏତେ ବଡ କୀର୍ତ୍ତିରାଜି ଉଦ୍ଧାର କରିଥିବାରୁ ସେ ତାହାର ଶ୍ରେୟ ମଧ୍ୟ ନେବାକୁ ଚାହିଁଲେ।ବ୍ରହ୍ମା ଅଡ଼ୁଆରେ ପଡ଼ିଲେ।ଉଭୟ ପକ୍ଷଙ୍କୁ ନିଜ ନିଜ ସାକ୍ଷ୍ୟ ପ୍ରମାଣ ଦେବାକୁ କହିଲେ।କୁହାଯାଏ କଇଁଛମାନେ ନିଜ ପିଠିକୁ ଦେଖେଇଲେ।ମନ୍ଦିର ନିର୍ମାଣ ସମୟରେ ପଥର ବୋହି ନେଇଥିବାରୁ ସେମାନଙ୍କ ପିଠି ପଥର ପରି ହୋଇଯାଇଥିବା କଥା କହିଲେ।ଆଉ ସବୁଠୁ ବଡ ପ୍ରମାଣ ଦେଲେ କାକ ଭୂଷଣ୍ଡି।ସେ ପ୍ରତ୍ୟେକ ଘଟଣା ନିଜ ଆଖିରେ ଦେଖିଥିବା ବର୍ଣ୍ଣନା କଲେ।ଅତଏବ ଗାଲମାଧବଙ୍କ ମିଥ୍ୟା ସମସ୍ତଙ୍କ ସାମ୍ନାକୁ ଆସି ଯାଇଥିଲା।ମହାରାଜ ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ତାଙ୍କର ଉଚିତ୍ ବିଚାର କରି ତାଙ୍କୁ ଦେଉଳ ପାଖରେ ଏକ ସ୍ଥାନରେ ରହିବାକୁ ଆଦେଶ ଦେଇଥିଲେ।


ତୋ ଲୀଳା ଖେଳା ଅଦ୍ଭୁତରେ ଜଗା…!!ତୋ ମନ୍ଦିର,ତାର ବୈଶିଷ୍ଟ୍ୟ କିଏ ଭଲା ନିଜ କଥାରେ କହି ପାରିବ କହ..!!??ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଅଶ୍ଵମେଧ ଯଜ୍ଞ କରିଥିଲେ ଶୁଣାଯାଏ ସେତେବେଳେ ସେହି ସହସ୍ର ଅଶ୍ଵ ମାନଂକ ଖୁରା ପ୍ରହାର ଏବଂ ଗୋମୁତ୍ର ଗୋମୟ ଦ୍ଵାରା ଉକ୍ତ ସ୍ଥାନରେ ଏକ ବିରାଟ ବଡ଼ ପୁଷ୍କରିଣୀ ସୃଷ୍ଟି ହୋଇଥିଲା। ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ସେହି ପବିତ୍ର ପୋଖରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନାମରେ ନାମିତ ହୋଇଥିଲା।ବିଶ୍ୱାସ ଅଛି ଯେ ସେହି ପବିତ୍ର ସ୍ଥାନରେ ମୃତ୍ୟୁପୋରାନ୍ତ ଶ୍ରାଦ୍ଧ ଆଦି କର୍ମ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ।


ତୋ ବଡ ଦେଉଳ କଥା କାହାକୁ ଅଜଣାରେ କାଳିଆ…!!??କିମ୍ବା ଏମିତି କହ କିଏ ବା ସମ୍ପୂର୍ଣ ଜାଣି ପାରିବ ତୋ ବଡ ଦେଉଳର ମହିମା କଥା…!!??ଦୁନିଆରେ ଏମିତି କେଉଁ ସ୍ଥାନ ଅଛି ଯେଉଁଠି ପକ୍ଷୀ ବସା ତିଆରି କରେନାହିଁ ?କିନ୍ତୁ ତୋ ଦେଉଳରେ କୌଣସି ପକ୍ଷୀ ବସା ବାନ୍ଧି ପାରି ନାହାଁନ୍ତି।ବସା ବାନ୍ଧିବା ଦୂରର କଥା ତୋ ଦେଉଳ ଉପରେ ପକ୍ଷୀ ଉଡ଼ି ପାରନ୍ତି ନାହିଁ।ଏହି ଅପୂର୍ବ ଯୁକ୍ତିର କାରଣ କେବଳ ତୋ ମହିମା ନା କଳା ଠାକୁର..!!??କୁହାଯାଏ କୌଣସି ଉଡାଜାହାଜ ମଧ୍ୟ ମନ୍ଦିର ଉପର ଦେଇ ଗତି କରନ୍ତି ନାହିଁ…!!ଆଶ୍ଚର୍ଯ୍ୟ...


ଠିକ୍ ସେହିପରି ତୋ ବଡ଼ ଦେଉଳ ଭିତରେ କେତେ ଛୋଟବଡ ମନ୍ଦିର ଅଛି।ପ୍ରାୟ ସବୁ ଦେବାଦେବୀଙ୍କ ମନ୍ଦିର ସେହି ପ୍ରାଙ୍ଗଣ ଭିତରେ ଅଛି।ତଥାପି ଆଶ୍ଚର୍ଯ୍ୟ…!!କେଉଁ ମନ୍ଦିରର ଛାୟା ଅନ୍ୟ ମନ୍ଦିର ଉପରେ ପଡ଼େନି…!!ଏକଥା କେମିତି ହୁଏ କାହିଁକି ହୁଏ ସେଇୟା କେବଳ ତୁ ହିଁ ଜାଣିଛୁ ନା…!!ଭକତ ମନ ତ କେବଳ ଲାଖି ଯାଏ ସେହି ଦୁଇ ଚକା ଡୋଳାରେ...ଯେଉଁ ଆଖିକୁ ଥରେ ଦେଖିଦେବା ପରେ ଆଉ କିଛି ଦେଖିବାକୁ ହୁଏତ ବାକି ରୁହେନା…!!


କୁହାଯାଏ ତୋ ଆଖି ଦୁଇଟି ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କର ପ୍ରତୀକ।ଦିନ ଆଉ ରାତିର ପ୍ରତୀକ।ସୁଖ ଆଉ ଦୁଃଖର ପ୍ରତୀକ।ସତରେ...ତୋ ଚତୁର୍ଦ୍ଧା ମୂର୍ତ୍ତି କଣ ଯେ ସବୁ କହେ...ତାହା ସାରା ଦୁନିଆ ପାଇଁ ଶିକ୍ଷାର ଦ୍ଵାର ଖୋଲିଦିଏ ଚିର ଦିନ ପାଇଁ…!!


ଏଇ ଯେମିତି କୁହାଯାଏ ତୁ ଶଙ୍ଖକ୍ଷେତ୍ରରେ ଶତଦଳ କମଳ ଉପରେ ରତ୍ନ ସିଂହାସନ ଉପରେ ବସିଛୁ।ସତରେ ଜଗା...ଯେଉଁଠି ମା କମଳା ତୋର ଅର୍ଦ୍ଧାଙ୍ଗିନୀ ତୁ କଣ କମଳ ଉପରେ ଆସୀନ ହୋଇ ନ ଥାନ୍ତୁ କି..!!କେତେ କଷ୍ଟରେ ପାଇଥିଲୁ ନା ତୁ ମହାଲକ୍ଷ୍ମୀଙ୍କୁ…??


ଋଷି ଦୂର୍ବସାଙ୍କ ପାରିଜାତ ମାଳର ଅସମ୍ମାନ କରି ଦେଇଥିଲେ ଦେବରାଜ ଇନ୍ଦ୍ର।ଋଷିବର ତାଙ୍କୁ ଭେଟି ଦେଇଥିଲେ ଏହି ଦୂର୍ଲଭ୍ୟ ମାଳ।କିନ୍ତୁ ସେ ନିଜର ଇନ୍ଦ୍ରପଦ ଅଭିମାନ ପାଇଁ ସେହି ମାଳକୁ ନିଜ ଐରାବତ ହସ୍ତୀକୁ ପିନ୍ଧେଇ ଦେଇଥିଲେ। ହାତୀଟା ଭଲା କେମିତି ଜାଣନ୍ତା ଏହି ଫୁଲମାଳର ରହସ୍ୟ? ସେ ତାକୁ ତା ପାଦରେ ଦଳିଦେଇ ଆଗକୁ ବଢିଲା।ଆଉ ଏହା ଦେଖି କ୍ରୋଧିତ ଋଷି ଅଭିଶାପ ଦେଇଥିଲେ ସମସ୍ତ ଦେବଗଣଙ୍କୁ ଲକ୍ଷ୍ମୀଛଡ଼ା ହେବା ପାଇଁ।ଶ୍ରୀହୀନ ହୋଇଗଲା ସ୍ୱର୍ଗଲୋକ।ଦେବତାମାନେ ବିବ୍ରତ ହୋଇ ଉଠିଲେ…


ଶେଷରେ ସାଗର ମନ୍ଥନ ହେଲା। ଦେବ ଦାନବଙ୍କ ମିଳିତ ଶକ୍ତିର ମନ୍ଥନ ଆଣିଲା ଧରାବକ୍ଷରେ ନୂତନ ସୂର୍ଯ୍ୟାଲୋକ।ଅନେକ କିଛି ହେଇଥିଲା ନା କାଳିଆ ସେହି ସମୟରେ…!!??ହଳାହଳ ବିଷ ପ୍ରଭାବରୁ ମହାଦେବଙ୍କ ନୀଳକଣ୍ଠ ଅବତାରଠାରୁ ଆରମ୍ଭ କରି ଐରାବତ ହସ୍ତୀ, ଉଚୈଶ୍ରବା ଅଶ୍ଵ,ବହୁମୂଲ୍ୟ ରତ୍ନ ସବୁ ବାହାରିଥିଲା ନା…!!ଆଉ ସେତେବେଳେ ନିଜେ ସାଗର ଦେବ ନିଜ କନ୍ୟା ରୂପରେ ମାତା ମହାଲକ୍ଷ୍ମୀଙ୍କୁ ଧରି ତୋ ସମ୍ମୁଖରେ ଦଣ୍ଡାୟମାନ ହେଲେ।ଆଉ ହେ ତ୍ରିଲୋକନାଥ ତୁ ନିଜେ ମାତାଙ୍କୁ ବିବାହ କରି ନିଜ ବାମାଙ୍ଗୀ କରିଥିଲୁ।ଆଉ ଆଜି କେମିତି ମାତାଙ୍କ ବିନା ତୁ ଦର୍ଶନ ଦେଇଥାନ୍ତୁ ରେ କମଳାକାନ୍ତ..??କେବଳ ସେଇଥିପାଇଁ ବୋଧେ ଶ୍ରୀମନ୍ଦିରର ପ୍ରବେଶ ଦ୍ଵାର ଉପରେ ମା ବିରାଜମାନ ହୋଇଛନ୍ତି।ଆଉ ତାଙ୍କର ଆଜ୍ଞା ବିନା ଯଦି ପ୍ରବେଶ କରାଯାଏ ତେବେ ବିଶ୍ୱାସ ଅଛି ତୋ ଦର୍ଶନ ପ୍ରାପ୍ତି ହୁଏନା।ଯେତେବେଳେ ମା'ଙ୍କ ଅନୁମତି ମାଗି ମନ୍ଦିରକୁ କେହି ଯାଏ ତେବେ ତୋ ଦର୍ଶନରେ କୌଣସି ବାଧା ଉପୁଜି ନ ଥାଏ।ସତରେ କାଳିଆ…!!ତୋ ବିଷୟରେ କେତେ ଗୁପ୍ତ ରହସ୍ୟ ଅଛି ରେ…!!ଯେତେ ବୁଝିଲେ ମନ ବୁଝେନା କି ଯେତେ କହିଲେ ବି କଥା ସରେନା।


ଏଇ ଯେମିତି ମା ବାଟମଙ୍ଗଳା ଜଗି ରହିଛନ୍ତି ପୁରୀ ପ୍ରବେଶ ଦ୍ଵାର ଆଗରୁ…!!ପ୍ରତ୍ୟେକ ଯାନବାହାନ ଟିକେ ଅଟକି ଯାଆନ୍ତି ତାଙ୍କ ଚରଣ ତଳେ ମୁଣ୍ଡ ନୋଇଁବାକୁ।ବିଶ୍ୱାସ କହେ ମା'ର ଆଶିଷ ନେଇ ତୋ ଦୁଆରକୁ ଗଲେ ଆଉ କିଛି ବିପତ୍ତି ରୁହେନା।ସେଥିପାଇଁ ମା ଶକ୍ତିରୂପିଣୀ ବିଭିନ୍ନ ରୂପରେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଜଗି ରହି ମନ୍ଦିରର ସୁରକ୍ଷା କରୁଛନ୍ତି…!!


ଠିକ୍ ସେହିପରି ବୀର ହନୁମାନ ମଧ୍ୟ ବିଭିନ୍ନ ରୂପରେ ତୋ ଚାରିଆଡ଼େ ଜଗି ରହି ମନ୍ଦିର ସୁରକ୍ଷାର ଭାର ତୁଲାଉଛନ୍ତି।କେବଳ ମନ୍ଦିର ବେଢ଼ାଭିତରେ ନୁହେଁ ବରଂ ପୁରୀ ମନ୍ଦିର ଚାରିଆଡ଼େ ମହାବୀର ଏହି କାର୍ଯ୍ୟ କରି ଆସୁଛନ୍ତି।କିନ୍ତୁ ହେ ଜଗତପାଳକ...ତୋ ରକ୍ଷା ବା କରିବ କିଏ ?ନିଜେ ଅନାଥର ନାଥ ତୁ...ଅଗତିର ଗତି।ସେଇଥିପାଇଁ ତ ତୋର ଦେଉଳ ଆଗ ଦେଇ ତୋ ପତିତପାବନ ବାନାକୁ ଚାହିଁ ମଣିଷ ସବୁବେଳେ ଚାହେଁ ସ୍ଵର୍ଗଦ୍ଵାରକୁ ଚାଲିଯିବା ପାଇଁ।


ହଁ...ସ୍ଵର୍ଗଦ୍ଵାର…!!କୁହାଯାଏ ଏହି ସ୍ଥାନରେ ଦାରୁଦିଅଁ ଦାରୁ ସ୍ୱରୁପରେ ଭାସି ଆସିଥିଲେ।ଆଉ ପ୍ରତ୍ୟେକ ଅମାବାସ୍ୟା ରାତିରେ ନିଜ ଶ୍ଵଶୁର ଘରକୁ ତୁ କୁଆଡେ ଏହି ବାଟ ଦେଇ ଆସୁ।ମା ମହାଲକ୍ଷ୍ମୀ ସାଗର କନ୍ୟା।ଅନ୍ୟ ପକ୍ଷରେ ଦେବୀ ଶ୍ମଶାନ କାଳୀ ମଧ୍ୟ ତୋ ଭଗିନୀତୁଲ୍ୟା ହୋଇଥିବାରୁ ତୁ ତାଙ୍କୁ ଭେଟିବାକୁ ଆସିଥାଉ।ତେଣୁ ଏହି ସ୍ଥାନ ଅତ୍ୟନ୍ତ ପବିତ୍ର ହୋଇଥାଏ।ଏହା ସ୍ୱର୍ଗକୁ ଦ୍ୱାର ସଦୃଶ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି।ମୃତ୍ୟୁ ପରେ ପ୍ରତ୍ୟେକ ଓଡ଼ିଆର ଶରୀର ଏହି ପାବନ ମାଟିରେ ଅଗ୍ନି ତତ୍ତ୍ଵ ପ୍ରାପ୍ତ କରି ସ୍ବର୍ଗଗାମୀ ହେବାକୁ ଇଚ୍ଛା ରଖନ୍ତି।କାହିଁକି କରିବେନି କହିଲୁ ଜଗା…??ଏଇଟା ପରା ତୋ ଲୀଳାକ୍ଷେତ୍ର...ଆଉ ତୋ ବିନା ସତରେ କଣ ଅଛି କହିଲୁ ଏ ଦୁନିଆରେ…??

ତୋ ବିଗ୍ରହକୁ ଦେଖିଦେଲେ ହଜି ଯିବାକୁ ମନେ ହୁଏରେ କାଳିଆ…!! ମୁଁ ତ ଆଉ ଖୋଜି ପାଏନା ନିଜକୁ।କିନ୍ତୁ ଜାଣିଛୁ ତୋତେ ଦେଖିଲେ ମୋ ମନରେ ଗୋଟିଏ ଭାବନା ଆପଣାଛାଏଁ ଚାଲିଆସେ।ମନେ ମନେ ମୁଁ ବହୁତ୍ ଭାବେ ତୋ ଅବୟବ ଏମିତି କାଠରେ ଗଢା ହେଉ ବୋଲି ତୁ କାହିଁକି ନିଷ୍ପତ୍ତି ନେଲୁରେ…!?ଯେତେବେଳେ କି କାଠ ଅତ୍ୟଧିକ ପରିମାଣରେ ଦହନଶୀଳ ହୋଇଥାଏ।ନିଆଁ ପାଣିର ଭୟ ସବୁବେଳେ କାଠ ପାଇଁ ରହିଥାଏ।ତେବେ କାଳିଆ...ଏମିତି ଏକ ସମ୍ବେଦନଶୀଳ ବସ୍ତୁରେ ନିଜ ପ୍ରତିମା ଗଢେଇବାକୁ ତୁ ମନସ୍ଥ କରିବା ପଛରେ ମୋତେ କେବଳ ତ୍ରେତାଯୁଗର ତୋ ରାମବତାର ହିଁ ବିଦ୍ୟମାନ ଲାଗୁଛି।


ତୋର ସେହି ଅବତାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯିଏ ନିଜ ପିତୃସତ୍ୟ ପାଳନ ପାଇଁ ରାଜା ହେବା ସୁଖକୁ ତ୍ୟାଗ କରି ଘୋର ବନ ଭିତରକୁ ଚାଲି ଯାଇଥିଲେ ବିନା ସର୍ତ୍ତରେ…!!ଆଉ ମା ଜଗତଜନନୀ ମହାଲକ୍ଷ୍ମୀ ସ୍ୱରୂପା ମାତା ସୀତା ତୋ ହାତ ଧରି ଆଗେଇ ଯାଇଥିଲେ ନିଜ ପତ୍ନୀଧର୍ମକୁ ନିର୍ବାହ କରିବା ପାଇଁ।ପଛରେ ଛାଡ଼ି ଯାଇଥିଲେ ସବୁ ସୁଖ ସୁବିଧା,ସବୁ ସ୍ବପ୍ନ ..କିନ୍ତୁ ଦିନେ ମଧ୍ୟ କୌଣସି ପ୍ରତିବାଦ କିମ୍ବା ଅଭିଯୋଗ ସେ ଆଣି ନ ଥିଲେ ତୋ ବିରୁଦ୍ଧରେ…!!


ସେହି ସୁନ୍ଦରୀ ସୀତାଙ୍କ ଜୀବନରେ ଘୋର ବିପଦ ଘୋଟି ଆସିଲା ଯେତେବେଳେ ସୂର୍ପଣଖାର କୁମନ୍ତ୍ରଣା ଯୋଗୁଁ ଲଙ୍କାପତି ରାବଣ ତାଙ୍କୁ ହରଣ କରି ନେଇଯିବା ପାଇଁ ଘୃଣ୍ୟ ଯୋଜନା ପ୍ରସ୍ତୁତ କଲା। ଜାଣିଥିଲୁ ତୁ ସବୁକିଛି।ତୁ ନିଜେ ପରା ଭାଗ୍ୟ ବିଧାତା...କିନ୍ତୁ ଚୁପ୍ ରହିଲୁ ଆଉ ନୀୟତିକୁ ତା ଖେଳ ଖେଳିବାକୁ ହିଁ ଛାଡ଼ିଦେଲୁ।ସେହି କଳାମେଘ ତୋ ଜୀବନର ବଳକା ଖୁସି ସବୁକୁ ସତେ ଯେପରି ଧୋଇ ନେଇ ଚାଲିଗଲା…!!


ବଣ ଜଙ୍ଗଲ ଭିତରେ ବିକଳ ହୋଇ ପଶୁପକ୍ଷୀ ଗଛ ପାହାଡ ସମସ୍ତଙ୍କୁ ପଚାରି ଚାଲିଲୁ ପାଗଳପ୍ରାୟ ହୋଇ...ତୋ ପ୍ରାଣ ପ୍ରୀୟାଙ୍କୁ ଖୋଜି ବୁଲିଲୁ।କହିଲୁ କାଳିଆ...ସେହି ଗଛପତ୍ର ମାନଙ୍କୁ ନିଜର ଭାବି ମନକଥା କହୁଥିଲୁ ବୋଲି କଣ ଶେଷରେ ଏହି କାଷ୍ଠ ସ୍ୱରୂପ ତୋ ମନକୁ ଏତେ ଆପଣାର ଲାଗିଲା..??


ରାବଣର ଅନ୍ତ ପରେ ଜୀବନର ସର୍ବୋଚ୍ଚ ସମ୍ପତ୍ତି ପାଇଗଲା ପରି ମାତା ସୀତା ତୋ ବାହୁ ବନ୍ଧନୀ ଭିତରେ ଟିକେ ଶାନ୍ତିରେ ନିଃଶ୍ୱାସ ମାରିବା ସମୟରେ ମଧ୍ୟ ତୋ ଦୁଃଖର ଅନ୍ତ ହୋଇ ପାରିଲାନି ଯେ ଧୋବଣୀ କଥା ଶୁଣି ନିଜ ଅନ୍ତଃସତ୍ୱା ପତ୍ନୀଙ୍କୁ ତୋତେ ତ୍ୟାଗ କରିବାକୁ ହେଲା।…!!ରାଜା ହିସାବରେ ପ୍ରଜା ପାଳନର ଧର୍ମ ସେଦିନ ତୋତେ ପୁନଃ କାଷ୍ଠ ପ୍ରାୟ କରି ଦେଇଥିଲା ନା କାଳିଆ…??


ଦୁଇଟି କୋମଳ ପୁତ୍ରଙ୍କୁ ଜନ୍ମ ଦେଇ ବଣରେ ଅକଥନୀୟ କଷ୍ଟର ସାମ୍ନା କରୁଥିବା ନିଜ ଅର୍ଦ୍ଧାଙ୍ଗିନୀଙ୍କ ଦୁଃଖ ବୁଝିପାରି ତୁ ମଧ୍ୟ ଦୂରେଇ ଯାଇଥିଲୁ ନା କାଳିଆ...ଭୋଗବିଳାସ ଠାରୁ…!!ଆଉ ନିର୍ଜୀବ କାଠଟେ ପରି କେବଳ ସବୁ କାର୍ଯ୍ୟ କରି ଚାଲିଥିଲୁ…!!କଣ ସେଥିପାଇଁ ନିଜକୁ କାଠ ବୋଲି ତୁ ଭାବି ବସିଲୁ କି ରେ ଜଗା..!!??


ବିଧିର ଅଦ୍ଭୁତ ସଂଯୋଗ ପୁଣି ଆଣି ଠିଆ କରେଇଲା ତୋତେ ...ଏକ କାଠଗଡାରେ…!!ସେଦିନ ଧର୍ମ ସ୍ଥାପନ ପାଇଁ ତୋତେ ଆବାହନ କରିବାକୁ ହୋଇଥିଲା ଅକ୍ଷୟ ପୁଣ୍ୟକୁ।ଆଉ ସେଇଥିପାଇଁ ଅଶ୍ଵମେଧ ଯଜ୍ଞର ଆୟୋଜନ କରିବା ହିଁ ଏକମାତ୍ର ମାର୍ଗ ହୋଇ ରହିଲା ତୋ ସାମ୍ନାରେ।ହେଲେ ସୀତା ବିନୁ ରାମ କିପରି ଭଲା ଯଜ୍ଞ କରି ପାରିଥାନ୍ତେ..??ସେଥିପାଇଁ ତୋତେ ନିର୍ମାଣ କରିବାକୁ ହୋଇଥିଲା ସୁବର୍ଣ୍ଣ ସୀତାଙ୍କ ନିର୍ଜୀବ ପ୍ରତିମା। ଜୀବିତା ପ୍ରାଣ ସଙ୍ଗିନୀକୁ ଏହି ରୂପରେ ଦେଖି ତୋ ମନ ମଧ୍ୟ ପ୍ରାଣହୀନ ହୋଇ ଯାଇଥିବ ନା ସୀତାକାନ୍ତ…??ଆଉ ସେଇ କଷ୍ଟ କଣ ତୋତେ ଅଥୟ କରି ଦେଇଛି କି…!!??


ପରମପିତାଙ୍କ ଅପାର କରୁଣାରୁ ତୁ ସନ୍ଧାନ ପାଇଲୁ ନିଜ ଉତ୍ତରାଧିକାରୀମାନଙ୍କର।ଲବକୁଶଙ୍କ ସହିତ ସୀତାଙ୍କୁ ଫେରି ପାଇବା ସ୍ୱପ୍ନରେ ବିହ୍ବଳ ହେଲୁ ତୁ ଜଗା। ଫେରେଇ ଆଣିବାକୁ ଉଦ୍ୟମ ମଧ୍ୟ କଲୁ।ହେଲେ…!!


ମଣିଷ ରୂପରେ ରହିଥିବା କାଳିଆ ଠାକୁର ରାଜାରାମ ନିଜ ସହିତ ସେଦିନ ନ୍ୟାୟ କରିବାକୁ ସକ୍ଷମ ହେଲୁନି।ଦୁନିଆ ଯାହା କହିଲା ତାହା ତାକୁ କହିବାକୁ ସୁଯୋଗ ଦିଆଗଲା।ଆଉ ସେଇଥିପାଇଁ ସୀତାଙ୍କ ଚରିତ୍ର ଉପରେ ପୁନଃ ଅବାନ୍ତର ପ୍ରଶ୍ନ ଉଠିଲା।


ରାବଣବଧ ପରେ ଯେତେବେଳେ ତୁ ଯାଇଥିଲୁ ସୀତାଙ୍କୁ ଆଣିବା ପାଇଁ ସେତେବେଳେ ଦୁନିଆ ତାଙ୍କ ସତୀତ୍ୱ ଉପରେ ସନ୍ଦେହ କରିଥିଲା।ଆଉ ସେହି ସନ୍ଦେହର ମୂଳୋତ୍ପାଟନ ପାଇଁ ତୁ ମାତା ସୀତାଙ୍କର ଅଗ୍ନିପରୀକ୍ଷା କରେଇଥିଲୁ।ନିଜ ସ୍ତ୍ରୀକୁ କିଏ କଣ ଏମିତି ନିଆଁରେ ପଶିବା ପାଇଁ ଆଦେଶ କେହି ଦେଇପାରେ କି କାଳିଆ??ଯଦି ବିଶ୍ୱାସ ନ ଥିଲା ତେବେ ଆପଣେଇ ନେବାର ବି ଆବଶ୍ୟକତା ନ ଥିଲା ନା…!!ହଁ ତୁ କହିପାରୁ ସେତେବେଳେ ରାକ୍ଷସ ରାଇଜରୁ ଆସିଥିଲେ ବୋଲି ଏପରି ନ୍ୟାୟ ଅନିର୍ବାର୍ଯ୍ୟ ଥିଲା।କିନ୍ତୁ ଆଜି କଣ ହେଲା…!!??ଆଜି ତ ମହାରାଣୀ ସୀତା ତୋ ସାମ୍ନାରେ ଠିଆ ହୋଇଥିଲେ।ସତୀ ସାଧ୍ୱୀ ହୋଇ ସାଧୁଙ୍କ ଗହଣରେ ଥିଲେ।ଆଉ ବର୍ତ୍ତମାନ ତ ତୋର ରାମରାଜ୍ୟ ମଧ୍ୟ ସ୍ଥାପିତ ହୋଇସାରିଥିଲା ..!!!


ତୋର ଏହି ପଦକ୍ଷେପ ବୋଧେ ଅତ୍ୟନ୍ତ ବ୍ୟଥିତ କରି ଦେଇଥିଲା ମାତା ସୀତାଙ୍କୁ।ଅଥବା ତୋତେ ଅପରାଧୀଟେ ପରି ଲାଗିଥିଲା।ସେଥିପାଇଁ ଆଜି ତୁ ଏପରି ଏକ ରୂପ ନେଇଛୁ କି କାଳିଆ ଯେଉଁଥିରେ ତୁ ରାଜାଧୀରାଜ ହୋଇ ଆସନ ଉପରେ ତ ବସିଛୁ କିନ୍ତୁ କିଛି ବି କହୁନୁ।ଖାଲି ବଡ ବଡ ଆଖିରେ ଅସହାୟ ହୋଇ ଚାହିଁ ରହିଛୁ।ମାତାସୀତା ଭୁପ୍ରବେଶ କରିବା ସମୟରେ ଯେମିତି ବଡ ବଡ ବିସ୍ଫାରିତ ଆଖିରେ ତୁ ଖାଲି ଚାହିଁ ରହି ଯାଇଥିଲୁ ଏବେ ବି ଠିକ୍ ସେମିତି ରହିଛୁ କି କାଳିଆ…??ମାତା କଣ ତୋତେ ମନେ ମନେ ଅଭିଶାପ ଦେଇଗଲେ କି…?ଯେମିତି କାଠ ପରି ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଦେଖି ଚୁପ୍ ରହୁଥିଲୁ ସେମିତି କାଠବିଗ୍ରହ ଭିତରେ ତୋ ହୃଦୟ ରହିବ ବୋଲି ସେଦିନ ସେ କହିଗଲେ କି ଜଗା…!!ମୁଁ ଏକଥା ଜାଣେନା।ହେଲେ ଏତିକି ଜାଣିଛି ତୋ ଦିବ୍ୟଲୀଳା ପଛର କାରଣ କେବଳ ତୋତେ ହିଁ ଜଣା…!!


ତୋ ବିଗ୍ରହକୁ ଦେଖି କେତେ ଲୋକେ କେତେ କଥା କୁହନ୍ତି…!!କିଏ କହେ ଚତୁର୍ଦ୍ଧାମୂର୍ତ୍ତି ହେଉଛନ୍ତି ବ୍ରହ୍ମା,ବିଷ୍ଣୁ ଆଉ ମହେଶ୍ୱର।କିଏ କହେ ଯେତେବେଳେ ଲକ୍ଷ୍ମଣ ବହୁତ୍ ମନଦୁଃଖ କଲେ ଯେ ସେ କେବଳ ଛୋଟ ଭାଇ ହୋଇଥିବା କାରଣରୁ ଶ୍ରୀରାମଙ୍କ କଷ୍ଟ ଦେଖି ମଧ୍ୟ ତାଙ୍କୁ କୌଣସି କାର୍ଯ୍ୟ କରିବାରୁ ନିବୃତ କରି ରଖି ପାରିଲେନି।ସେଥିପାଇଁ କେବଳ ସେ ନେହୁରା ହେଲେ ତୋତେ ଯେ ପର ଜନମରେ ଯେମିତି ସେ ବଡ ହୁଅନ୍ତେ ଆଉ ତୋତେ ଏମିତି କଷ୍ଟ ସହିବାରୁ କ୍ଷାନ୍ତ କରନ୍ତେ…!!କେବଳ ସେହି କାରଣରୁ ଏହି ଜନ୍ମରେ ତୁ ଛୋଟ ହେଲୁ ଆଉ ଶେଷନାଗ ରୂପୀ ଲକ୍ଷ୍ମଣ ହୋଇଛନ୍ତି ବଡ ଭାଇ ବଳଭଦ୍ର।କିଏ ପୁଣି କୁହେ ଦୁନିଆର ସବୁ ବ୍ୟକ୍ତିଙ୍କ ରଙ୍ଗ ଏହି ବିଗ୍ରହ୍ରରୁ ହିଁ ଆସିଛି।କିଏ ପୁଣି କୁହେ ତୁ ଶୁନ୍ୟବ୍ରହ୍ମ...ତେଣୁ ଯେଉଁଠୁ ଆରମ୍ଭ ସେଇଠି ଶେଷ...ଏକ ଶୂନ୍ୟତା ଭିତରେ ତୁ ପୁର୍ଣ୍ଣବ୍ରହ୍ମ...ଆଉ ସବୁ ପୂର୍ଣ୍ଣତା ମଧ୍ୟ କୁହେ ସବୁ ମିଶିଯାଏ ସେହି ଶୁନ୍ୟତାରେ…!!ସତରେ କାଳିଆ ଜୀବନ ଆରମ୍ଭ ହୋଇଛି ସେହି ଶୂନ୍ୟରେ ଆଉ ସବୁ ସମାପ୍ତ ହୋଇଛି ମଧ୍ୟ ସେହି ଶୂନ୍ୟରେ...ସେହି ଚକା ଚକା ଦୁଇ ଆଖିରେ ଲୁଚି ରହିଛି ଏହି ଅନନ୍ତ ବ୍ରହ୍ମାଣ୍ଡ…!!


ଭକ୍ତ ପ୍ରାଣର ତୁ କୋଟିନିଧି...କରୁଣା ସିନ୍ଧୁ...ତୁ ପୁଣି କେତେବେଳେ ଲବଣୀଖିଆ ଗୋପାଳ ଆଉ କେତେବେଳେ ତୁ ହେଲୁ ଗୋବର୍ଦ୍ଧନ ଗିରିଧାରୀ…!! କାଳିଆରେ...ତୋ ବଡ ଦେଉଳକୁ ଥରେ ଚାହିଁ ଦେଲେ ସାରା ଦୁନିଆଟା ବହୁତ୍ ଛୋଟ ଦେଖାଯାଏ।ତୋ ପତିତପାବନ ବାନା ଫରଫର ହୋଇ ଉଡ଼ି ବୁଲିଲେ ସବୁ ଦୁଃଖ ଶୋକ ତା ସହିତ ଉଡ଼ି ଚାଲିଯାଏ।ଅରୁଣସ୍ତମ୍ଭ ପାଖରୁ ତୋ ପତିତପାବନ ବିଗ୍ରହର ଦର୍ଶନ ପାଇବା ପରେ ଦ୍ଵାରପାଖରୁ ମା ମହାଲକ୍ଷ୍ମୀଙ୍କ ଅନୁମତି ନେଇ ପ୍ରବେଶ କରେ ଭକ୍ତ ତୋ ବଡ ଦେଉଳକୁ। ସେଠି ଦୁଆର ମୁହଁରେ ଏକ ବିରାଟ ଲୌହ ପଥର ସଦୃଶ କଳା ବିଶାଳ ଶିଳା ଅପେକ୍ଷା କରିଥାଏ ଭକ୍ତମାନଙ୍କ ପାଇଁ।କୁହାଯାଏ ଦର୍ଶନ ପୂର୍ବରୁ ତା ଉପରେ ପାଦ ଥୋଇ ଆଗେଇଲେ ସେହି ଯମଶିଳା ସମସ୍ତଙ୍କ ପାପ ହରଣ କରି ନେଇଯାଏ।କିନ୍ତୁ ଆସିବା ସମୟରେ ପାଦ ରଖିଦେଲେ ପୁଣ୍ୟ ସବୁ ମଧ୍ୟ ସେ ସାଉଁଟି ନେଇଯାଏ।ଏଇୟା ମଧ୍ୟ ଲୋକକଥାରେ ପ୍ରଚଳିତ ଅଛି ଯେ ଏହି ଯମଶିଳା ଉପରେ ପାଦ ରଖିଦେଲେ ଯମଦଣ୍ଡରୁ ମୁକ୍ତି ମିଳେ।ଖାସ ଏହି କାରଣରୁ ଭକ୍ତମାନେ ଗଲାବେଳେ କ୍ଷଣେ ଅଟକି ଯାଆନ୍ତି ...ସେହି ସ୍ଥାନରୁ ପତିତପାବନ ବାନାକୁ ଟିକେ ଦର୍ଶନ କରି ହାତ ଯୋଡ଼ି ଦିଅନ୍ତି ଆଉ ଆସିଲା ବେଳେ କିନ୍ତୁ ଶୀଘ୍ର ଶୀଘ୍ର ଫେରି ଆସି ଯାଇଥାନ୍ତି।


ବାଇଶି ପାହାଚ ଚଢିବା ଆଗରୁ ଦର୍ଶନ ଦିଅନ୍ତି କାଶୀ ବିଶ୍ଵନାଥ।ବାଇଶି ପାହାଚର ମହିମା ମଧ୍ୟ ଅଦ୍ଭୁତ।କୁହାଯାଏ ଏହି ବାଇଶି ପାହାଚରେ ପ୍ରତ୍ୟେକ ଦେବାଦେବୀ ନିଜର କୃପା ବର୍ଷା କରନ୍ତି ଭକ୍ତମାନଙ୍କ ଉପରେ।ପ୍ରଥମ ପାଞ୍ଚୋଟି ପାହାଚକୁ ପଞ୍ଚେନ୍ଦ୍ରୀୟ ମନେ କରାଯାଏ।ଯାହା ଚଢିବା ପରେ ଭକ୍ତ ନିଜ ଇନ୍ଦ୍ରିୟ ସଞ୍ଜମକୁ ଶିଖିଯାଏ।ତା ପର ପାଞ୍ଚୋଟି ପାହାଚ ପଞ୍ଚବାୟୁର ପ୍ରତୀକ ମନେ କରାଯାଏ ଯାହା ନିରନ୍ତର ମନୁଷ୍ୟ ଶରୀରରେ ପ୍ରବାହିତ ହେଉଛି।ବିଶ୍ୱାସ ଅଛି ଏହି ପାଞ୍ଚଟି ପାହାଚ ଉଠିବା ସମୟରେ ମନୁଷ୍ୟ ନିଜ ନିଃଶ୍ୱାସ ପ୍ରଶ୍ୱାସ ଉପରେ ନିୟନ୍ତ୍ରଣ ଆଣିବା ମଧ୍ୟ ଶିଖିଯାଇଥାଏ।ପରବର୍ତ୍ତୀ ପାଞ୍ଚ ପାହାଚ ପଞ୍ଚବିକାରକୁ ବା ଶରୀରର ପାଞ୍ଚକ୍ରୀୟାକୁ ଦର୍ଶେଇ ଥାଆନ୍ତି।ଏହି ପାହାଚ ଗୁଡିକରେ ଉପରକୁ ଉଠିବା ସହିତ ମନୁଷ୍ୟ ନିଜ ଶରୀରର ବିକାର ସବୁ ଉପରେ ବିଜୟ ପାଇବା ଶିଖି ଯାଇପାରେ।ତା ପର ପାଞ୍ଚପାହାଚକୁ ପଞ୍ଚମହାଭୂତ ସହ ତୁଳନା କରାଯାଏ।ଏହି ପାହାଚ ସବୁ ଚଢିବା ସହିତ ବ୍ୟକ୍ତି ନିଜକୁ ପଞ୍ଚମହାଭୂତ ସହିତ ଏକାକାର ହେବାପରି ମନେକରି ଭୌତିକ ଜଗତରୁ ଉର୍ଦ୍ଧ୍ବକୁ ଯିବା ପାଇଁ ସକ୍ଷମ ହୁଏ।ପରବର୍ତ୍ତୀ ପାହାଚକୁ ଜ୍ଞାନ କୁହାଯାଏ ଏବଂ ସବା ଶେଷ ପାହାଚଟି ନିଜ ମୁଁତ୍ଵ ବା ସ୍ଵହମ୍ କୁ ବୁଝାଏ।ଅତଏବ ଏହି ବାଇଶି ପାହାଚ ଚଢିବା ସହିତ ଜୀବାତ୍ମା ପରମାତ୍ମାଙ୍କ ନିକଟତର ହେବା ପାଇଁ ସବୁ ବାଧାବିଘ୍ନ ଅତିକ୍ରମ କରି ତାଙ୍କ ସହ ଭେଟ କରିବାକୁ ଯୋଗ୍ୟ ହୋଇଯାଏ।ପ୍ରକୃତରେ ଏହି ବାଇଶିଟି ଶୃଙ୍ଖଳ ମନୁଷ୍ୟ ଆତ୍ମାର ଗତିକୁ ତା ଶରୀର ସହିତ ଯୋଡ଼ି ଦେଇ ନିୟନ୍ତ୍ରଣ କରିଦେଇ ଥାଆନ୍ତି।ଆଉ ବିଶ୍ବାସ ଅନୁଯାୟୀ ଶ୍ରୀମନ୍ଦିରର ବାଇଶି ପାହାଚ ଚଢିବା ସହିତ ମନୁଷ୍ୟ ଦେହ ଅପେକ୍ଷା ଦେହୀ ହେବାକୁ ଆରମ୍ଭ କରେ ଆଉ ବିଭୁ ଦର୍ଶନ ପାଇଁ ନିଜକୁ ପ୍ରସ୍ତୁତ କରେ।

ବାଇଶି ପାହାଚର ମାହାତ୍ମ୍ୟ ଯେତେ କହିଲେ ମଧ୍ୟ କେବେ ସରିବନି।କୁହାଯାଏ ବୈକୁଣ୍ଠକୁ ଯିବାକୁ ହେଲେ ବାଇଶି ପ୍ରକାର ତଳକୁ ପାର କରିବାକୁ ହୁଏ।ତା ପରେ ଯାଇ ବୈକୁଣ୍ଠବିହାରୀଙ୍କ ଦର୍ଶନ ହୁଏ।ଠିକ୍ ସେମିତି ତୋ ବାଇଶି ପାହାଚ ପାର କରିବା ପରେ ହିଁ ଯାଇ ତୋ ଦିବ୍ୟ ଦର୍ଶନ ଲାଭ କରିହୁଏ।ଏମିତିରେ ହେ ହରିବିଷ୍ନୁ...ଯୁଗ ଯୁଗ ଧରି ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁନିଆରେ ଧର୍ମର ସ୍ଥାପନା କରିବା ପାଇଁ ତୁ ଚବିଶ ଥର ଧରାବକ୍ଷରେ ଅବତାର ନେଇଥିଲୁ।ତା ମଧ୍ୟରୁ ବାଇଶିଟି ଅବତାର ସର୍ବତ୍ର ବିଦିତ।ଆଉ ସେଥିପାଇଁ ବୋଧେ ତୋର ବାଇଶି ପାହାଚ ଅଛି।ବାଇଶି ପାହାଚ ମହିମା ସତରେ ଅନେକ।ସେଥିପାଇଁ ତ ପିତୃପୁରୁଷ ମଧ୍ୟ ଏହି ପାବନ ପାହାଚରେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଲେ ପିଣ୍ଡ ପାଇ ପୁଣ୍ୟ ଲଭନ୍ତି।କୁହାଯାଏ ଏହି ବାଇଶି ପାହାଚରେ ପଡିଥିବା ଭକ୍ତଙ୍କ ପଦରେଣୁ ମୁଣ୍ଡରେ ମାରିଲେ ଜନ୍ମ ଜନ୍ମର ସମସ୍ତ ପାପ କ୍ଷୟ ହୁଏ।ଭକ୍ତମାନେ ସେଥିପାଇଁ ଗଡି ଗଡି ଯାଆନ୍ତି ଏହି ପବିତ୍ର ସ୍ଥାନରେ।ଛୋଟ ଶିଶୁମାନଙ୍କୁ ମଧ୍ୟ ଗଡ଼େଇ ଦେଇ ଗୁରୁଜନମାନେ ସେମାନଙ୍କ ଆରୋଗ୍ୟ ଆଉ ଦୀର୍ଘଜୀବନ କାମନା କରନ୍ତି।


କେମିତି ହେବନି କହ ତ ଜଗା ଏହି ବାଇଶି ପାହାଚ ଏତେ ଚମତ୍କାରୀ?ଏହି ପାହାଚ ଦେଇ ପରା ତୁ ବଡ଼ ଦେଉଳରୁ ଓହ୍ଲେଇ ଆସୁ ନନ୍ଦିଘୋଷ ରଥ ଉପରେ ଚଢିବା ପାଇଁ…!!ତୋ ରଥଯାତ୍ରାର ମହିମା କଣ ଶବ୍ଦରେ ବର୍ଣ୍ଣନା କରିହେବ କି କାଳିଆ…!!?? ପତିତଜନଙ୍କୁ ଉଦ୍ଧାର କରିବା ପାଇଁ... ସେମାନଙ୍କୁ ଟିକେ ଦର୍ଶନ ଦେବା ପାଇଁ ବରଷକୁ ଥରେ ରତ୍ନବେଦୀନିକଟରୁ ତୁ ସ୍ଵୟଂ ଆସିଥାଉ ରଥାରୂଢ଼ ହୋଇ ଜନ୍ମବେଦୀକୁ ଯିବାକୁ…!!


ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରା ହିଁ ତ ତୋର ସବୁଠାରୁ ବିଶେଷ ପର୍ବରେ କାଳିଆ…!!ରାଣୀ ଗୁଣ୍ଡିଚାଙ୍କ ଭକ୍ତିରେ ପ୍ରୀତ ହୋଇ ତୁ ତାଙ୍କୁ ବରଦାନ ଦେଇଥିଲୁ... ବର୍ଷକୁ ଥରେ ଶ୍ରୀମନ୍ଦିର ଛାଡ଼ି ଯିବୁ ତୁ ଗୁଣ୍ଡିଚା ମନ୍ଦିରକୁ ଆଉ ସେହି ଯାତ୍ରା ଶ୍ରୀଗୁଣ୍ଡିଚା ରଥଯାତ୍ରା ନାମରେ ବିଖ୍ୟାତ ହେବ।ଭାଇଭଉଣୀ ସହିତ ତୁ ବଡଦାଣ୍ଡର ଶୋଭା ବଢେଇ ଦୌଡ଼ି ଆସୁ…!!ତୁ ଭଲ ରୂପେ ଜାଣିଛୁ ଯେ ତୋର ଅଣହିନ୍ଦୁ ଭକ୍ତମାନେ ପ୍ରବେଶ କରି ପାରନ୍ତିନି ବଡ଼ଦେଉଳ ଭିତରକୁ।କିନ୍ତୁ ତୋ ଦର୍ଶନ ଟିକେ ପାଇବା ପାଇଁ ସେମାନେ କେତେ ବ୍ୟାକୁଳ ହୋଇ ଅନେଇ ରହିଥାନ୍ତି...କେବଳ ଏଥିପାଇଁ ତୁ ରଥରେ ବସି ସମସ୍ତଙ୍କୁ ଦର୍ଶନ ଦେଉ।କୁହାଯାଏ "ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ଲଭ୍ୟତେ"। ଥରେ ତୋତେ ରଥ ଉପରେ ଦେଖିଦେଲେ ଆଉ ପୁନର୍ଜନ୍ମ ଚକ୍ରରେ ମଣିଷ ଘାଣ୍ଟି ହୁଏନି।ତେଣୁ ହେ କଳା ସାଆନ୍ତେ...ତିନି ରଥରେ ଚଢି ତିନି ଦିଅଁ ଚତୁର୍ଦ୍ଧା ମୂର୍ତ୍ତି ଜନ ସମୁଦ୍ର ଭିତରକୁ ଚାଲିଆସ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ।ସେଦିନ ଅପୂର୍ବ ଶୋଭାରେ ସଜ୍ଜିତ ହୋଇ ଟାହିଆ ପିନ୍ଧି ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଯେତେବେଳେ ତିନି ଠାକୁର ଜଗନ୍ମୋହନ ପାଖରେ ପହଞ୍ଚି ଯାଅ...କୋଟି କୋଟି ଭକ୍ତଙ୍କ ଆଖି ଲୁହରେ ଭିଜିଯାଇଥାଏ…!!ହାତୀ ଝୁଲି ଝୁଲି ଆସିଲା ପରି ତୁ ଝୁଲି ଝୁଲି ଆସିଥାଉ।ସତେ ଯେମିତି ଛୋଟ ଶିଶୁଟି ନୂଆ ନୂଆ ଗୁରୁଣ୍ଡି ଚାଲିବା ଶିଖିଥାଏ ଠିକ୍ ସେହିପରି ଲାଗେ ଜଗା।ମୁଁ ଭାବେ ତୋର ଏହି ଅପୂର୍ବ ଚାଲିବା ଶୈଳୀ ଦ୍ଵାରା ତୁ ଜଗତକୁ ସନ୍ଦେଶ ଦେଉଛୁ ଯେ ଆମେ ସମସ୍ତେ ସବୁବେଳେ ଛୋଟ ଛୁଆ ପରି କିଛି ନା କିଛି ଶିକ୍ଷା ଲାଭ କରୁଛୁ।ଏଣୁ ବଡ ବୋଲି ଗର୍ବ କରିବା ଅନାବଶ୍ୟକ।


ସେବାୟତ ମାନଂକ ଦେହରେ ଘଷି ହୋଇ...ସେମାନଙ୍କ କାନ୍ଧରେ ହାତରେ ଭରା ଦେଇ ତୁ ସତରେ ଦୌଡ଼ି ଦୌଡ଼ି ଆସୁ...ସତେ ଯେମିତି ଛୁଆମାନେ ନିଜ ମାତୁଳ ଗୃହକୁ ଦୌଡ଼ି ଯାଇ ଥାଆନ୍ତି…!!ତାଳଧ୍ଵଜ,ନନ୍ଦିଘୋଷ,ଦର୍ପଦଳନ ରଥ ତିନୋଟି ଶ୍ରୀମନ୍ଦିର ଆଗରେ ଅପେକ୍ଷା କରି ରହିଥାଏ।ସତେ ଯେମିତି ଯାତ୍ରା ପାଇଁ ବାହନ ପ୍ରସ୍ତୁତ ହୋଇ ରହିଥାଏ…!!ତୋ ଦେହରେ ସେନାପଟା ବନ୍ଧା ହୋଇଥାଏ।ଆଉ ଏହି ସେନାପଟାକୁ ତୋର ରକ୍ଷାକବଚ ବୋଲି କୁହାଯାଏ।କି ମାନବୀୟ ଲୀଳାରେ କାଳିଆ..!!


ଅକ୍ଷତୃତୀୟା ଦିନ ତୋ ରଥକାମ ଆରମ୍ଭ ହୁଏ।ବିଶ୍ଵକର୍ମା (ବଢେଇ)ମାନେ ଦିନରାତି ଧରି ଲାଗି ପଡନ୍ତି ତୋ ରଥ ତିଆରି କରିବାରେ।ରଥ ନିର୍ମାଣ ସହିତ ସାରଥୀ ଓ ଘୋଡା ମଧ୍ୟ ତିଆରି କରା ଯାଇଥାଏ।ଆଜ୍ଞାମାଳ ବିଜେ ହେବା ପରେ ରଥ ବଡ ଦେଉଳ ଆଗରେ ଆସି ଲାଗି ଯାଇଥାଏ। ଆଉ ତା ପରେ ଅପେକ୍ଷା କରି ରହିଥାଏ ତୋ ଆସିବା ବାଟକୁ।ଚାରମାଳ ବନ୍ଧା ହେବା ପରେ ତା ଉପରେ ଚଢ଼ି ତୁ ରଥ ଉପରେ ବିରାଜମାନ ହେଉ।ଟାହିଆ ଖୋଲି ଦିଆଯାଏ।ଚାରମାଳ ଫିଟାଇ ଦିଆଯାଏ।ଆଉ ରଥ ଦଉଡ଼ି ଯୋଖି ଦିଆଯାଏ।ତା ପରେ ଭକତମାନଙ୍କୁ ଡାହୁକ ଡକା ଦିଏ…" ଓ ଭକତେ…" ଆଉ ତା ପରେ ଘୋର ଘର୍ଘର ନାଦରେ ଗଡିଚାଲେ ତୋ ରଥ...ମାଉସୀମା ମନ୍ଦିର ଆଡ଼କୁ…!!


ତା ଆଗରୁ ଏକ ବିଶେଷ ନୀତି ସମ୍ପାଦିତ ହୁଏ।ଛେରା ପହଁରା ନୀତି।ତା ସହିତ ଯୋଡ଼ି ରହିଥିବା କାହାଣୀ ଆଜି ମଧ୍ୟ ଶୁଣିଲେ ଲୋମ ଟାଙ୍କୁରିଦିଏ…!!


ଗଜପତି ପୁରୁଷୋତ୍ତମ ଦେବ ନିଜ ଲାଗି ଏକ ପଦ୍ମିନୀ କନ୍ୟା ଖୋଜୁଥିବା ବେଳେ କାଞ୍ଚି ରାଜକୁମାରୀ ପଦ୍ମାବତୀ ହିଁ ସେଥିପାଇଁ ଯୋଗ୍ୟା ବୋଲି ଶୁଣି ସର୍ବସମ୍ମତି କ୍ରମେ କାଞ୍ଚିରାଜାଙ୍କୁ ତାଙ୍କ ସହିତ ବିବାହ ପାଇଁ ପ୍ରସ୍ତାବ ପଠେଇ ଥିଲେ।କିନ୍ତୁ କାଞ୍ଚିରାଜ ନିଜ ଅହଙ୍କାରରେ ଗଜପତି ଛେରା ପହଁରା କରୁଥିବାରୁ ସେ ଜଣେ ଝାଡୁଦାର ବୋଲି କହି ନିଜ କନ୍ୟା ସହ ତାଙ୍କର ବିବାହ ପାଇଁ ସହମତି ପ୍ରକାଶ ନ କରିବାରୁ ଗଜପତି ଆଗପଛ ବିଚାର ନ କରି ଯୁଦ୍ଧ କରିବାକୁ ଆଗେଇ ଯାଇଥିଲେ।କିନ୍ତୁ ପରାସ୍ତ ହୋଇ ଫେରି ଆସିଥିଲେ।ଅପମାନ ଆଉ ଦୁଃଖରେ ମ୍ରିୟମାଣ ହୋଇ ତୋ ଆଗରେ ନିଜର ଅସହାୟତାକୁ ବର୍ଣ୍ଣନା କରିଥିଲେ। ତୋ ରଥ ଉପରେ ଛେରା ପହଁରା କରୁଥିବାରୁ ସେ କଣ ନ୍ୟୁନ ହୋଇଗଲେ କି ବୋଲି କହି ଭାଙ୍ଗିପଡ଼ିଲେ ।ଏହି ଘଟଣା ସମଗ୍ର ଓଡ଼ିଆ ଜାତିର...ଓଡ଼ିଆ ପରମ୍ପରାର ଅପମାନ ବୋଲି ସେ ନିଜକୁ ଧିକ୍କାର କରିବାକୁ ଆରମ୍ଭ କଲେ। ସେତେବେଳେ ତୁ ତାଙ୍କୁ ଦ୍ଵିତୀୟଥର କାଞ୍ଚି ଅଭିଯାନରେ ବାହାରିବାକୁ ନିର୍ଦ୍ଦେଶ ଦେଲୁ।ସେ ପ୍ରାୟ ଭୁଲି ଯାଇଥିଲେ ନିଜର ଶୌର୍ଯ୍ୟକୁ…!!ପରାଜିତ ହେବା ପରେ ପୁନଃ କିପରି ନିଜକୁ ସେ ପ୍ରସ୍ତୁତ କରି ପାରନ୍ତେ ଯୁଦ୍ଧ ପାଇଁ…!!??ତେଣୁ ଅମଙ୍ଗ ହେଉଥିଲେ।କିନ୍ତୁ ତୁ ତାଙ୍କୁ ଅଭୟ ଦେଇ ତାଙ୍କ ସହିତ ଯୁଦ୍ଧ କରିବାକୁ ଯିବୁ ବୋଲି ବଚନ ଦେଲୁ।ତୋ କଥା ଅଦ୍ଭୁତ କାଳିଆ…!!ଯାହା ମନରେ ଦମ୍ଭ ଆଣିବାକୁ ଚାହୁଁ ନିଶ୍ଚୟ ଆଣି ଦେଇପାରୁ।ଯେମିତି ମହାଭାରତ ଯୁଦ୍ଧରେ ଭାଙ୍ଗି ପଡିଥିବା ଅର୍ଜୁନଙ୍କୁ କର୍ମ କରିବାକୁ ପ୍ରେରଣା ଦେଇ ଗୀତାଜ୍ଞାନ ପ୍ରଦାନ କରିଥିଲୁ…!!


ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଅଗାଧ ଭକ୍ତି କାରଣରୁ ପୁରୀର ଗଜପତି ମହାରାଜ ତୋର ପ୍ରଥମ ସେବକ ହିସାବରେ ଗଣା ଯାଆନ୍ତି।ଆଉ ତୁ ତାଙ୍କ ସହିତ ସିଧା ସଳଖ କଥାବାର୍ତ୍ତା ମଧ୍ୟ କରୁ।ସେଇ କାରଣରୁ ସେଦିନ ପୁରୁଷୋତ୍ତମଦେଵଙ୍କୁ ମଧ୍ୟ ନିଜ ଅଭୟ ବଚନ ପ୍ରଦାନ କରିଥିଲୁ।ସେ ତୋ କଥାରେ ବିଶ୍ୱାସ କରି ପୁନଃ କାଞ୍ଚି ଅଭିଯାନରେ ବାହାରିଥିଲେ…!!କିନ୍ତୁ ମନରେ ଅଳ୍ପ ସଂଶୟ ଅବଶ୍ୟ ଥିଲା...ମହାପ୍ରଭୁ କଣ ସତରେ ତାଙ୍କ ସହିତ ଯୁଦ୍ଧ କରିବାକୁ ସ୍ଵୟଂ ଆସିବେ…!!??


କଳା ଘୋଡା ଧଳା ଘୋଡ଼ା ଚଢ଼ି ବଳଭଦ୍ର ମହାପ୍ରଭୁଙ୍କ ସହିତ ତୁ ନିଜେ ଆଗେଇ ଆସିଥିଲୁ ଯୋଦ୍ଧା ରୂପରେ।ପ୍ରବଳ ପ୍ରତାପୀ କଳିଙ୍ଗ ସେନାର ପ୍ରମୁଖ ସେନାନୀ ହୋଇ ଘୋଡା ଛୁଟେଇ ଆଗେଇ ଚାଲିଥିଲୁ।ବାଟରେ ପ୍ରତୀକ୍ଷା କରିଥିଲା ମାଣିକ ଗଉଡୁଣି…!!ନିଃସନ୍ତାନ ହୋଇଥିବାର ଦୁଃଖ ତାକୁ ଅଥୟ କରି ପକାଉଥିଲା।ତଥାପି ସେ ନିଜ କର୍ତ୍ତବ୍ୟ ଆଉ ତୋ ପ୍ରତି ଥିବା ତା ଭକ୍ତିରେ କୌଣସି ପ୍ରକାରେ ଉଣା କରି ନ ଥିଲା।ପହଞ୍ଚି ଗଲୁ ତୁ ଭକତବତ୍ସଳ ସେଇଠି ଆଉ ତାକୁ "ମା" ସମ୍ବୋଧନ କରି ତା ପାଖରୁ ଦହି ଟିକେ ମାଗିଲୁ ପିଇବା ପାଇଁ।


ଆତୁର ହୋଇ ଅପେକ୍ଷା କରିଥିଲା ବୋଧେ ମାଣିକ...ଠିକ୍ ସେହିପରି...ଯେପରି ଅପେକ୍ଷା କରିଥିଲା ଶବରୀ ବର୍ଷ ବର୍ଷ ଧରି ତୋ ଆସିବା ବାଟକୁ…!!ଠିକ୍ ଯେମିତି ସେ ଅପେକ୍ଷା କରିଥିଲା ତୁ କେବେ ଆସିବୁ ଆଉ କେବେ ତା ହାତରୁ ଫଳ ଖାଇ ତାକୁ ଧନ୍ୟ କରିବୁ…!! ମାତୃତ୍ୱର ଅପୂର୍ବ ମମତା ନେଇ ତା ଧନକୁ ଯେମିତି ଖଟା ପିତା କି କଷା ଖାଇବାକୁ ହେବନି ସେଇୟା ଭାବି ସବୁତକ ଫଳ ନିଜେ ଆଗ ଚାଖି ଦେଉଥିଲା ଆଉ ମିଠା ମିଠା ବାଛି ବଢେଇ ଦେଉଥିଲା ତୋ ପାଟିକୁ…!!ଭକତ ଭାବରେ ବନ୍ଧା ତୁ ଭାବଗ୍ରାହୀ ସେହି ଅଇଁଠା ଫଳସବୁ କେତେ ଖୁସିରେ ଖାଇ ଚାଲିଥିଲୁ ରେ…!!ତୋର ଏମିତି କାମରେ ଲକ୍ଷ୍ମଣ କେତେ ବିରକ୍ତ ହୋଇ ଚାଲିଥିଲେ ..ତ୍ରିଭୁବନ ପାଳକ ହୋଇ ତୁ ଶବରୀ ଅଇଁଠା ଖାଉଥିବା କଥା ତାଙ୍କୁ ବ୍ୟଥିତ କରି ଦେଉଥିଲା।କିନ୍ତୁ ତୁ...ଅବିଳମ୍ବେ ଦେଖେଇ ଦେଇଥିଲୁ ତୋ ଅଦ୍ୱିତୀୟ ପ୍ରଭୂପଣ…!!ଯାହା ଭକ୍ତର ହୃଦୟ ନିସୃତ ଭାବ ଟିକକ ଛଡା ଆଉ କିଛି ବି ଖୋଜିନି।ଆଉ ଆଜି କେମିତି ଚୁପ୍ ରହିଥାନ୍ତୁ ତୁ ??ପଚଣ୍ଡ ଖରାରେ ତୋ ପାଟି ଶୁଖିଯାଉଥିବା ଦେଖି ମାଣିକ ବଢେଇ ଦେଲା ଘୋଳଦହି…!!


ସତ କହିବୁ ତ ଜଗା...ସେ ଦହି ଖାଇ ତୁ ଗୋପ ଲଳନାଙ୍କୁ ମନେ ପକେଇ ଥିଲୁ ନା…?ସେମାନଙ୍କ ସ୍ନେହ ପରଶ ସହିତ ଲବଣୀ ଯେତେ ସ୍ଵାଦିଷ୍ଟ ଲାଗୁଥିଲା ସେମିତି ତୋତେ ସ୍ଵାଦିଷ୍ଟ ଲାଗିଲା ନା ସେହି ମାଣିକ ହାତର ଦହି…!!??ଦହି ଖାଇ ତୁ ଚାଲି ଯିବାକୁ ବାହାରି ଥିଲୁ।କିନ୍ତୁ ଭକ୍ତ ମନ ତୋତେ କଣ ଏତେ ସହଜରେ ଯିବାକୁ ଦେଇଥାନ୍ତା କି?ସେ ଚାହୁଁଥିଲା ତୁ ଆଉ କିଛି ସମୟ ତା ସହିତ ରହି ଥାଆନ୍ତୁ।ସେଥିପାଇଁ ତ ସେ କହିଦେଲା ଯେ ପାଉଣା ନ ପାଇଲେ ତୋତେ ଯିବାକୁ ଦେବନି।ତୁ ତ ଭକତ ଭାବରେ ବନ୍ଧାରେ କାଳିଆ।ଭକତ ପାଖରେ ବନ୍ଧା ପଡ଼ିବାକୁ ବହୁତ୍ ଭଲ ପାଉ।ଆଉ ସେଥିପାଇଁ ଆଙ୍ଗୁଠିରେ ପିନ୍ଧିଥିବା ରାଜ ମୁଦ୍ରିକା ଦେଇଦେଲୁ ମାଣିକକୁ।ଆଉ କହିଲୁ ସେହି ମୁଦି ଦେଖେଇବ ସେ ଓଡ଼ିଆ ଜାତିର ମଉଡମଣୀଙ୍କୁ। ସେ ହିଁ ସେହି ଦହିର ପ୍ରକୃତ ମୂଲ୍ୟ ତାକୁ ଦେଇଦେବେ…!!


ସେଇୟା ହେଲା।ତୁ ପୁଣି ଘୋଡା ଛୁଟେ଼ଇ ଆଗକୁ ଚାଲିଗଲୁ।ପଛରେ ମଣିମା ତାଙ୍କ ଅନ୍ୟ ସୈନ୍ୟ ସାମନ୍ତ ସହିତ ଆସି ପହଁଚିଲେ ମାଣିକ ପାଖାପାଖି।ନିଜେ ଖୋଜି ହେଉଥିଲେ ବଡ ଠାକୁରଙ୍କୁ...ସେ ସତରେ ତାଙ୍କ ସହିତ କାଞ୍ଚିକୁ ଯିବେ ତ…!!??ଅଧା ରାସ୍ତାରେ ଅଟକାଇ ମାଣିକ ତାଙ୍କୁ ଦେଖେଇଥିଲା ତୋର ନାମାଙ୍କିତ ରତ୍ନ ମୁଦି…!!ଆଉ ଦୁଇ କଳା ଧଳା ସୈନିକଙ୍କୁ ପିଏଇଥିବା ଦହି ବାବଦରେ ମାଗିଥିଲା କିଛି ଅର୍ଥ…!!


ଆଖିରୁ ଅନବରତ ଆନନ୍ଦାଶ୍ରୁ ବାହାରିଥିଲା ପୁରୁଷୋତ୍ତମ ଦେବଙ୍କର।ଧନ୍ୟ ତୁ ମାଣିକ...ତୁ ସ୍ଵୟଂ କାଳିଆ ବଳିଆ ଠାକୁରଙ୍କୁ ନିଜ ହାତରେ ଦହି ପିଏଇଛୁ କହି ତୁରନ୍ତ ତା ନାମରେ ସେହି ଗ୍ରାମର ନାମ ମାଣିକପାଟଣା ରଖି ଦେଇଥିଲେ।ଆଉ ତୋ ଅପାର କରୁଣାରୁ ସେ ମାତୃତ୍ଵର ଅମୀୟ ସ୍ପର୍ଶ ମଧ୍ୟ ପାଇଥିଲା ରେ କାଳିଆ…!!


ଧନ୍ୟ ତୁ ଆଉ ଧନ୍ୟ ତୋ ଭକ୍ତ ବତ୍ସଳତା…!!

ମାଣିକକୁ ଉପଯୁକ୍ତ ସମ୍ମାନ ଦେଇ ଗଜପତି ଆଗେଇ ଚାଲିଲେ କାଞ୍ଚି ଅଭିମୁଖେ।ଘମାଘୋଟ ଲଢେଇ ହୋଇଥିଲା।ଆଉ ସେହି ଲଢେଇରେ ବିଜୟ ହୋଇ ଗଜପତି ମହାରାଜା ରାଜକୁମାରୀ ପଦ୍ମାବତୀଙ୍କୁ ସାଙ୍ଗରେ ନେଇ ଫେରି ଆସିଲେ।ଆହୁରି ମଧ୍ୟ କାଞ୍ଚିର ଆରାଧ୍ୟ ଗଣପତିଙ୍କୁ ସାଙ୍ଗରେ ନେଇ ଆସିଥିଲେ ନିଜ ସହିତ।ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ କାଞ୍ଚି ଗଣପତି ବିରାଜମାନ କରିଛନ୍ତି।ଯୁଦ୍ଧରୁ ଫେରିବା ପରେ ଗଜପତି ମହାମନ୍ତ୍ରୀଙ୍କୁ କହିଥିଲେ ରାଜକୁମାରୀଙ୍କୁ ଏକ ଝାଡୁଦାର ସହ ବିବାହ ଦେଇ ନିଜ ଅପମାନର ଉଚିତ ପ୍ରତିଶୋଧ ନେବାକୁ…!!


ଶ୍ରୀଜୀଉ ବାହାରୁଥିଲେ ନିଜ ମାଉସୀ ଘରକୁ।ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ସମସ୍ତେ ସଜ ହେଉଥିଲେ।ସକାଳୁ ଟିକେ ଖେଚୁଡ଼ି ଭୋଗ ଖାଇ ମହାବାହୁ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥାନ୍ତି…!! ଉତ୍କଳର ମଉଡ଼ମଣୀ ଜାତିର ଗୌରବ ଗଜପତି ମହାରାଜ ପୁରୁଷୋତ୍ତମ ଦେବ ପ୍ରଥା ଅନୁଯାୟୀ ରଥ ଉପରକୁ ଆସିଲେ। ଗରାବଡୁ ହାତୁଆଣି ଦେବା ପରେ ଘଟୁଆରୀ ଘୋଳ ଚନ୍ଦନ ବା ଛେରା ସିଞ୍ଚନ କରିବା ପାଇଁ ହାତରେ ରୂପା କଳସ ଧରି ଠିଆ ହୋଇଥାନ୍ତି।ପାଖରେ ମନ୍ତ୍ର ଉଚ୍ଚାରଣ ସହିତ ଧବଳ ସୁଗନ୍ଧିତ ପୁଷ୍ପ ସିଞ୍ଚନ ପରେ ହାତରେ ଧରିଥିବା ସୁନା ବେଣ୍ଟ ଲଗା ରୂପା ଝାଡୁ ଧରି ମହାରାଜ ଛେରା ପହଁରା ଆରମ୍ଭ କଲେ।ପ୍ରତ୍ୟେକ ଥର ପାଦ ଆଗକୁ ବଢ଼େଇଲା ବେଳେ ନିଜକୁ ସେ ପ୍ରଭୁଙ୍କର ଭୃତ୍ୟ ମନେକରି ନିଜକୁ ସମର୍ପି ଚାଲିଥିଲେ ତାଙ୍କ ନିକଟରେ।ଜାତି ପ୍ରଥାର ସଙ୍କିର୍ଣ୍ଣତାକୁ ବହୁତ୍ ପଛରେ ପକେଇ ଆଗେଇ ଚାଲିଥିଲେ ସେ…!!ଠିକ୍ ଏହି ସମୟରେ ମହାମନ୍ତ୍ରୀଙ୍କ ଆଜ୍ଞା ପାଇ ରାଜକୁମାରୀ ପଦ୍ମାବତୀ ବରଣମାଳ ଲମ୍ବେଇ ଦେଇଥିଲେ ତାଙ୍କ ଗଳାରେ…!!ଆଉ ମହାମନ୍ତ୍ରୀ କହି ଉଠିଲେ ଯେ ସେ ମହାରାଜଙ୍କ ଆଜ୍ଞା ଅନୁସାରେ ଦୁନିଆର ସର୍ବଶ୍ରେଷ୍ଠ ଝାଡୁଦାରଙ୍କ ସହିତ କାଞ୍ଚି ରାଜଜେମାଙ୍କୁ ସମର୍ପି ଦେଇଥିଲେ।ଭଲା ମହାପ୍ରଭୁଙ୍କ ସେବକଠାରୁ ଉତ୍କୃଷ୍ଟ କିଏ ଆଉ ହେଇପାରେ ଏ ଜଗତରେ…!!??


ସତରେ...ଜାତି ଧର୍ମ ବର୍ଣ୍ଣ ନୁହଁ ବରଂ ଭକ୍ତି ହିଁ ଭକ୍ତର ପ୍ରକୃତ ପରିଚୟ ବୋଲି ଅନେକଥର ତୁ ପ୍ରମାଣ କରି ଆସିଛୁ।ନିଜର ଦିବ୍ୟଲୀଳା ସହିତ ଯୁଗ ଯୁଗ ଧରି ମାନବ ସମାଜକୁ ଦିଗଦର୍ଶନ ଦେବା ସହ ଅନେକ ଅନୈତିକ ଆଉ ଗତାନୁଗତିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ତୁ ରଚନା କରିଥିବା ଦିବ୍ୟ ପ୍ରସଙ୍ଗ ସବୁ ସତରେ ତୋ ପରି ହିଁ ବହୁତ୍ ଆକର୍ଷଣୀୟ କାଳିଆ…!!


ଏହି ପ୍ରସଙ୍ଗରେ ସବୁଠୁ ପ୍ରଥମେ ମନେପଡେ ଶ୍ରୀୟା ଚଣ୍ଡାଳୁଣୀର ଅନାବିଳ ପ୍ରେମଭକ୍ତି କଥା।ଲୋକକଥା ଅନୁସାରେ ମାର୍ଗଶିର ଗୁରୁବାର ଦିନ ସକାଳୁ ମା ମହାଲକ୍ଷ୍ମୀ ତୋତେ କହିଲେ ଯେ ସେ ଭ୍ରମଣରେ ଯିବାକୁ ବାହାରିଛନ୍ତି।କାରଣ ସେ ଅନ୍ନପୂର୍ଣ୍ଣା।ଆଉ ସମସ୍ତଙ୍କୁ ଧନଧାନ୍ୟ ପ୍ରଦାନ କରିବାକୁ ତାଙ୍କୁ ସେତେବେଳେ ଯିବାକୁ ହିଁ ଥିଲା। ତୁ ତାଙ୍କୁ କହି ଦେଇଥିଲୁ ଯେ ସେ ଯେମିତି ରୋଷେଇ କାର୍ଯ୍ୟ ସମାପ୍ତ କରି ଯାଇ ପାରିବେ।ଯାହା ହେଲେ ବି କାଳିଆ...ଖାଇବା ଲୋଭ ତୁ ସମ୍ଭାଳି ପାରୁନୁ ନା…??ସେ ଯାହା ବି ହେଉ ମା ଜଗତଜନନୀ ନଗର ଭ୍ରମଣ କରିବା ସମୟରେ ବ୍ରାହ୍ମଣ ସାହିରୁ ଆରମ୍ଭ କରି ଚାରିଆଡ଼େ ବୁଲିଲେ।କିନ୍ତୁ ଲୋକମାନଙ୍କ ଚଳଣୀ ଦେଖି ତାଙ୍କୁ କିଛି ଭଲ ଲାଗିଲାନି।କାହାର ବସ୍ତ୍ରରେ ଅସଂଜମତା ଥିଲା ତ କାହାର କେଶ ବିନ୍ୟାସରେ ଥିଲା ସମ୍ପୂର୍ଣ୍ଣ ଅନିୟମିତତା।ଘରଦ୍ୱାର ଅପରିଷ୍କାର ଦେଖି ତାଙ୍କ ମନ ଦୁଃଖ ହୋଇଯାଉଥିଲା ବେଳେ ସେ ହଠାତ୍ ଦେଖିଲେ ଏକ ଘର ଦୁଆରେ ଗୋବର ପାଣି ଲିପା ଯାଇ ସୁନ୍ଦର୍ ଝୋଟି ସବୁ ପଡ଼ିଥିଲା।ଧୂପ,ଦୀପ,ଝୁଣା ଆଦି ବାସ୍ନାରେ ସେହି ଘରଟି ମହକୁଥିଲା।ତା ସହ ସେହି ଝୋଟି ଉପରେ ପଡିଥିବା ଅଷ୍ଟଦଳ ପଦ୍ମ ଦେଖି ତାଙ୍କ ମନ ସ୍ନେହ ଶରଧାରେ ପୁରି ଉଠିଲା ଆଉ ସେ ନିଜେ ସେହି ପଦ୍ମ ଉପରେ ପାଦ ଦେଇ ସେହି କୁଟୀରରେ ପ୍ରବେଶ କଲେ।କେତେ ସୁନ୍ଦର ନା ଏହି ଉପାଖ୍ୟାନ…!!??ଏଠି ଦେବତାକୁ ଡାକିବା ପାଇଁ ମନ୍ତ୍ର ହୋମ ଯଜ୍ଞର ଆବଶ୍ୟକତା ହୁଏନି ବରଂ ସ୍ଵଛ ଆଧ୍ୟାତ୍ମିକ ବାତାବରଣରେ ମନ ଲଗେଇ ଈଶ୍ୱରଙ୍କୁ ଆବାହନ କଲେ ସେ ନିଶ୍ଚୟ ଆସିଯାଆନ୍ତି…!!


ସେହି ଘରଟି ଶ୍ରୀୟା ଚଣ୍ଡାଳୁଣୀର ଛୋଟିଆ କୁଡ଼ିଆ ଥିଲା। ବିଷ୍ଣୁଭକ୍ତିରେ ସେ ନିଜ ଜୀବନ କାଟୁଥିଲା।ମା ମହାଲକ୍ଷ୍ମୀଙ୍କ ମନ ତା ପୂଜାରେ ପ୍ରସନ୍ନ ହେବାରୁ ସେ ତାକୁ ବରଦାନ ଦେବାକୁ ଚାହିଁଲେ।କିନ୍ତୁ ସେ କଣ ଜାଣିଥିଲା କି କେମିତି ବର ମାଗନ୍ତି…!!??ତେଣୁ ମା ନିଜେ ତାକୁ ଯାଚିକରି ଅନେକ ବର ଦେଲେ।ଧନଧାନ୍ୟରେ ତା ଘର ପୁରି ଉଠିଲା। ନିସଂତାନ ସନ୍ତାପ ତାର ଦୁର ହେଲା।ଦୁନିଆରେ ମା ମହାଲଷ୍ମୀଙ୍କର ପୂଜାବିଧି ସମସ୍ତେ ଜାଣିଲେ…କି ସୁନ୍ଦର କଥା ଦୁନିଆକୁ ମା ଶିଖେଇ ଦେଲେ ସତରେ…!!ଭାବ ଭକ୍ତିର ଅପୂର୍ବ ସମନ୍ବୟ ରକ୍ଷା କରି ସେ ଭକ୍ତକୁ କେତେ ବରଦାନ ଦେଇ ଖୁସିରେ ଦେଉଳକୁ ଫେରି ଆସିଲେ…!!


କିନ୍ତୁ ତୁ କଣ କଲୁ କାଳିଆ?ବଳଭଦ୍ରଙ୍କୁ ବଚନ ଦେଇଥିଲୁ ତାଙ୍କ କଥା ଶୁଣିବୁ ବୋଲି।ତା ବୋଲି କଣ ନିଜ ବିବାହିତା ପତ୍ନୀଙ୍କୁ କିଏ ଏମିତି କଟୁ କଥା କୁହେ…? ଚଣ୍ଡାଳ ସାହିକୁ ଯାଇଥିଲେ ବୋଲି ସେ ମଧ୍ୟ ଚଣ୍ଡାଳୁଣୀ ହୋଇଗଲେ ବୋଲି କହିଲୁ।ଆଉ ତାଙ୍କର ଭୁଲ୍ ପାଇଁ ଶାସ୍ତି ବିଧାନ ମଧ୍ୟ କରିଥିଲୁ।ବାଃ ରେ ଜଗା…!!କେତେ ବଢିଆ ଭାବରେ ଦୁନିଆ ଆଗରେ ବିଭୁପ୍ରେମର ଏକ ଶକ୍ତ ଉଦାହରଣ ରଖିବାକୁ କେମିତି ରାସ୍ତା ବାହାର କଲୁ…!!??ଶେଷରେ ମା ଅନ୍ନପୂର୍ଣ୍ଣାଙ୍କଠାରୁ ନିଜେ ଦୂରେଇ ଗଲୁ…!!ଅସ୍ପୃଶ୍ୟ ଭକ୍ତ ଘରକୁ ଯାଇ ଥିବାରୁ ସେ ମଧ୍ୟ ଅସ୍ପୃଶ୍ୟ ହୋଇଯାଇଥିବା ଅପମାନ ସହି ନ ପାରି ସେ ବଡଦେଉଳ ଛାଡ଼ି ଚାଲିଗଲେ।ତୁ ତ ନିଜେ ଶବରୀ ଆଇଁଠାଖିଆ ... ଗୋପାଳୁଣି ଲବଣୀଚୋରା ନା…!!??ତେବେ ତୁ କେବେଠାରୁ ଏଇ ଜାତି ବର୍ଣ୍ଣ ଧର୍ମ ଦେଖିବାକୁ ଆରମ୍ଭ କଲୁ କହ…??ମା'ଙ୍କ ଏସବୁ କଥାର ସଠିକ୍ ଉତ୍ତର ନ ଦେଇ ଏହି ମହାଳୀଳା ଅନାୟାସରେ ହେବାକୁ ଦେଲୁ।ମା ମଧ୍ୟ ଅଭିଶାପ ଦେଇ ଚାଲିଗଲେ ଯେ ବିନା କାରଣରେ ତାଙ୍କୁ ଏତେ କଟୁକଥା କହି ଅପମାନିତ କରିଥିବା କାରଣରୁ ତୋତେ ମଧ୍ୟ ବାରବର୍ଷ ଯାଏଁ ଅନ୍ନ ଜଳ ମିଳିବନି।ଯେତେଦିନ ଯାଏଁ ସେ ନିଜେ ତୋତେ ଖାଇବାକୁ ଦେଇ ନାହାନ୍ତି... ତୁ ଓପାସ ରହିବୁ।


ମହାଲକ୍ଷ୍ମୀ ଚାଲିଗଲା ପରେ ନିଦ୍ରାଦେବୀଙ୍କୁ ଡାକି ସେ ତୋତେ ଗାଢ଼ ନିଦ କରେଇ ଦେବାକୁ କହିଲେ ଆଉ ସେତିକି ସମୟ ଭିତରେ ଅଷ୍ଟ ବେତାଳଙ୍କୁ ଡାକି ବଡ ଦେଉଳର ସବୁ ଧନରତ୍ନ ,ଜିନିଷପତ୍ର ଏପରିକି ବଡ ଠାକୁର ଆଉ ତୁ ପିନ୍ଧିଥିବା ପାଟ ବସ୍ତ୍ର ,ଅଳଙ୍କାର ସବୁ ମଧ୍ୟ ନେଇ ଆସିବାକୁ କହିଲେ।ବାବନକୋଟି ଭଣ୍ଡାରକୁ ବେତାଳମାନେ ବୋହିନେଲେ।ହେଲେ ସେମାନେ ତୋ ଦେହରେ ହାତ ଲଗେଇବାକୁ ଭୟ କଲେ।ମା ତେଣୁ ରତ୍ନ ପଲଙ୍କ ପାଖରେ ଏକ ଦଉଡିଆ ଖଟ ପକେଇ ତା ଉପରକୁ ତୋତେ ଗଡ଼େଇ ଦେଇ ସେହି ଖଟକୁ ଆଣି ଦେବାକୁ ଆଜ୍ଞା ଦେଲେ।ଯେଉଁ କାଳିଆର ନିଦ ରାଧାରାଣୀ କେଉଁ କାଳରୁ ହଜେଇ ଦେଇଛି ସେହି କାଳିଆକୁ ସେଦିନ ସତରେ କେତେ ନିଦ ଲାଗିଥିଲା ରେ…!!??


ଦିନ ଦୁଇଘଡି ସମୟରେ ଦୁଇଭାଇଙ୍କର ନିଦ ଭାଙ୍ଗିଲା।ହେଲେ ମୁହଁ ଧୋଇବାକୁ ପାଣି ଟିକେ ମିଳିଲାନି।ଭୋକରେ ପେଟ ଜଳୁଥିଲା...ତେଣୁ ରୋଷେଇ ଘରକୁ ଯାଇ କିଛି ଖାଇବା ପଦାର୍ଥ ଖୋଜିଲା ବେଳକୁ ଆଉ କେଉଁଠି କିଛି ବି ମିଳିଲାନି…!!ଏପରିକି ମିଳିଥିବା ଗୋଟିଏ ସୁନା ମୁଦି ବେଙ୍ଗି ପିତ୍ତଳ ହୋଇଗଲା।ଚେଷ୍ଟା କଲୁ ତୁ...ବଡ଼ ଭାଇଙ୍କୁ ବୁଝାଇବାକୁ...ଯେ ଲକ୍ଷ୍ମୀ ଘର ଛାଡ଼ି ଯିବାପରେ ଏମିତି ଅସୁବିଧା ହେଉଛି।ଏଥର ତାଙ୍କୁ ବୁଝେଇ ଶୁଝେଇ ଫେରେଇ ଆଣିବାକୁ ହେବ।କିନ୍ତୁ ବଳଭଦ୍ର ଠାକୁରେ ମାନିଲେନି।ଅତଏବ ତୁ ସେହି ମହାଳୀଳାକୁ ଆହୁରି ଆଗକୁ ବଢେଇ ନେଲୁ।


ପଦ୍ମନାଡ ଖାଇ ଜୀବନ ବଞ୍ଚାଇବାକୁ ଉଦ୍ୟତ ହେଲା ବେଳେ ଲକ୍ଷ୍ମୀଙ୍କ ଆଜ୍ଞାରୁ ପଦ୍ମ ପୋଖରୀ ଶୁଖି ପଙ୍କ ହୋଇଗଲା।ଶେଷରେ ଦୁଇଭାଇ ଛିଣ୍ଡା ଉତ୍ତରୀୟ ପକେଇ ଭିକ୍ଷା ମାଗିବାକୁ ବାହାରିଲ।ଲକ୍ଷ୍ମୀଙ୍କ କୋପରୁ ଚିତା ଗ୍ରହଣ କରିବାକୁ ମଧ୍ୟ ପାଣି ଟୋପେ ମଧ୍ୟ ମିଳିଲାନି।ସତରେ କାଳିଆ...ତୋ ଲୀଳା କଥା କଣ କହିବି…!!??ଜଗତର ସ୍ବାମୀ ହୋଇ ତୁ ଏଇ ଦଶା ଭୋଗିଲୁ ଶେଷରେ ? ବନ୍ଧୁପଣେ ଯାଇଥିବା ସୁଦାମାର ଖୁଦଭଜା ଖାଇ ତାର ସବୁ ଦୁଃଖ ଦୂରେଇ ତାକୁ ଧନ ପ୍ରଦାନ କରି ଦେଇଥିବା କାଳିଆ ସାଆନ୍ତ...ଫଳ ଟୋକେଇରୁ ଫଳ ନେଇ ତା ବଦଳରେ ସେଥିରେ ମଣିମୁକ୍ତା ଭରି ଦେଇଥିବା କାଳିଆ ସାଆନ୍ତ...ଗୋଟିଏ ଅନ୍ନର ଦାନା ଖାଇ ହେକୁଟି ମାରି ଦୁର୍ବାସା ସମେତ ଅନେକ ସାଧୁଙ୍କ ପେଟ ଭରିଦେଇଥିବା କାଳିଆ ସାଆନ୍ତ...ତୁ ଫେରେ ପାଣି ଟୋପେ ପାଇଲୁନି…!!??


ଭୋକରେ ବଡ଼ପଣ୍ଡାଙ୍କ ଘରକୁ ଯାଇ ଖାଇବାକୁ ଉଦ୍ୟତ ହେଲା ବେଳେ ଲକ୍ଷ୍ମୀଙ୍କ ଆଦେଶ ପାଇ ସବୁ ଖାଇବା ପଦାର୍ଥ ଉଭାନ ହୋଇଯିବା ଏବଂ କବୀର ଖଇ ପାଞ୍ଚମାଣ ଦେବାକୁ ଆଗେଇଲା ବେଳେ ତାଙ୍କ ହାତରୁ ପବନ ଆସି ଖଇ ଉଡ଼େଇନବା ଘଟଣା ଜଣେଇ ଦିଏ...କିପରି ମାତା ମହାଲକ୍ଷ୍ମୀଙ୍କ ପ୍ରତ୍ୟେକ ଆଦେଶକୁ ତୁ ମହତ୍ତ୍ଵ ଦେଇ ଦାମ୍ପତ୍ୟ କର୍ତ୍ତବ୍ୟର ପାଳନ କରିବା ଶିଖେଇ ଦେଉଛୁ…!!


ଶେଷରେ ନାରଦମୁନିଙ୍କ ସହାୟତାରେ ତୁ ମା ମହାଲକ୍ଷ୍ମୀଙ୍କ ବାସସ୍ଥାନ ଠିକଣା ପାଇ ବଡଭାଇଙ୍କ ସହିତ ସେଠାକୁ ଯାଇଥିଲୁ।ସେଇଠି ମଧ୍ୟ ନିଜ ଦିବ୍ୟଲୀଳା ଦେଖେଇ ବଡ ଭାଇଙ୍କ ଆଗ୍ରହ କ୍ରମେ ନିଜ ହାତରେ ନିଜେ ରୋଷେଇ କରି ଖାଇବାକୁ ନୂଆ ହାଣ୍ଡି ଆଉ ନୂଆ ସଞ୍ଚା ପାରିଚାରିକା ମାନଂକ ହାତରେ ମଗେଇଲୁ…!!ଏଇଠି ପୁଣି ଲକ୍ଷ୍ମୀ ମହିମା ବିସ୍ତାର କରିବାକୁ ଯାଇ ମାତାଙ୍କ ଆଜ୍ଞାରେ ଅଗ୍ନି ପ୍ରଜ୍ବଳିତ ହୋଇ ନ ପାରିବା ଆଉ ସବୁ କାଠ ପୋଡ଼ି ପାଉଁଶ ହେବା ପରେ ତୁ ନିଜ ଅସହାୟତା ପ୍ରକାଶ କଲୁ।ଆଉ ଶେଷରେ ମା'ଙ୍କ ହାତରୁ ଖାଇବା ପାଇଁ ଯାଇ ତାଙ୍କ ଭବନରେ ପ୍ରବେଶ କଲୁ…!!


କ୍ଷଣିକ ମଧ୍ୟରେ ତୋ ପସନ୍ଦର ବ୍ୟଞ୍ଜନ ସବୁ ତିଆରି କରି ମା ମହାଲକ୍ଷ୍ମୀ ତୋତେ ପେଟ ଭରି ଖୁଏଇଥିଲେ।ହେଲେ ତୋ ମନ କେଉଁଠୁ ବୁଝିଲା ?ତୁ ତ ଭୋଜନ ଶେଷରେ ପୋଡପିଠାକୁ ଅନେଇ ରହିଥିଲୁ ନା...ତେଣୁ ମହାଲକ୍ଷ୍ମୀ ଭୋଜନ ଶେଷରେ ପୋଡପିଠା ପଠେଇ ଦେଲେ ।ଯାହା ଖାଇବା ପରେ ବଳଭଦ୍ର ମଧ୍ୟ ମା ମହାଲକ୍ଷ୍ମୀଙ୍କର ହାତରନ୍ଧା ବୋଲି ଜାଣିପାରି ତୋତେ ପଠେଇଲେ ଯାଇ ନିଜ ପତ୍ନୀଙ୍କର ମାନ ଭଞ୍ଜନ କରିବାକୁ…!!କି ଚମତ୍କାର...କି ଭବ୍ୟ...କି ମନୋମୁଗ୍ଧକର ତୋର ଲୀଳାରେ ଲୀଳାଧର…!!ଯେତେ କହିଲେ ମନ ବୁଝେନା...କଥା ବି ସରେନା…!!

ଧୀରେ ଧୀରେ ଭିତରକୁ ତୁ ପ୍ରବେଶ କରିବା ଲକ୍ଷ୍ୟକରି ନବବଧୁଟିଏ ପରି ମହାଲକ୍ଷ୍ମୀ ସ୍ମିତହାସ୍ୟ ଦେଉଥିଲେ। ମହାମାନବୀୟ ମହାଳୀଳାର ସମାପନ ହେବାକୁ ଯାଉଥିଲା।ସାରା ସଂସାର ସାକ୍ଷୀ ରହିଥିଲା କିପରି ତୁ ମାନବ ସମାଜକୁ ସମାନତାର ଶିକ୍ଷା ଦେବାକୁ ଚାହୁଁଥିଲୁ...ତାହା ଦେଖିବା ପାଇଁ।ଜଣେ ଆଦର୍ଶ ପତ୍ନୀ ପରି ମା ତୋର ପଦକ୍ଷାଳନ କରି ସେହି ପାଦୁକ ପାଣିକୁ ଗର୍ଭକୁ କ୍ଷେପିଥିଲେ..!!


କାଳିଆ ରେ...ତୋର ଏଇ ପଦଧୁଆ ପ୍ରସଙ୍ଗ ସତରେ କେତେ ଅଦ୍ଭୁତ ନା…??ଶ୍ରୀରାମ ଅବତାରରେ ତୁ ଯେତେବେଳେ ପିତୃସତ୍ୟ ପାଳନ କରିବା ଉଦ୍ଦେଶ୍ୟରେ ଅଯୋଧ୍ୟା ତ୍ୟାଗ କରି ବନଗମନ ପାଇଁ ସୀତା ଆଉ ଲକ୍ଷ୍ମଣଙ୍କ ସହିତ ବାହାରିଥିଲୁ...ସେତେବେଳେ ଗଙ୍ଗାନଦୀ ପାର ହେବା ପାଇଁ କେଉଟକୁ କହିଥିଲୁ..!!ଇୟେ ଅତୀତର ସେହି ନାବିକ ଥିଲେ ଯେ କି ତୋର କଚ୍ଛପ ଅବତାରରେ ଖୋଳରୁ ବାହାରିଥିବା ତୋର ପାଦ ଧୋଇବାକୁ ଚେଷ୍ଟା କରି ଅସଫଳ ହୋଇଥିଲେ।ସେଥିପାଇଁ ସେ କଠିନ ତପସ୍ୟା କରିବା ସହ ଥରୁଟିଏ ମାତ୍ର ତୋ ପାଦ ଧୋଇବାକୁ ବରଦାନ ମାଗିଥିଲେ।ସେଇଥିପାଇଁ ତ୍ରେତାରେ ତୁ ତାଙ୍କରି ନାବ ନିକଟକୁ ଆସି ନଦୀ ପାର କରେଇ ଦେବାକୁ ଆଗ୍ରହ ପ୍ରକାଶ କରିଥିଲୁ।


କେଉଟ ମଧ୍ୟ ବହୁତ୍ ଚାଲାକ୍ ଥିଲେ।ସେଇଥିପାଇଁ ସେ ତୋ ପାଦ ନ ଧୋଇଲେ ତୋତେ ନାଆ ଉପରକୁ ଚଢ଼େଇ ଦେବେନି ବୋଲି ସିଧା ମନା କରିଦେଲେ।ତୁ ପରା ସେହି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଯିଏ ନିଜ ରାସ୍ତାରେ ମାତା ଅହଲ୍ୟାଙ୍କୁ ତାଙ୍କ ପାଶାଣ ସ୍ୱରୁପରୁ ମୁକ୍ତି ଦେଇଥିଲେ…!!?? କାଳ କାଳ ଧରି ପଥର ହୋଇ ପଡ଼ିରହି ଗୌତମ ପତ୍ନୀ ଅହଲ୍ୟା ଚାହିଁ ବସିଥିଲେ ତୋ ଆସିବା ବାଟକୁ।ଆଉ ତୁ ମଧ୍ୟ ଆସିଥିଲୁ।ଯିଏ ବି ତୋତେ ମନ ଦେଇ ଡାକିଲେ ତୁ ଚାଲି ଆସୁ ନା…!!ଅହଲ୍ୟା କିଛି ଦୋଷ ନ କରି ମଧ୍ୟ ଗୌତମ ଋଷି ତାଙ୍କୁ ଭୁଲ୍ ବୁଝିଥିଲେ।ଇନ୍ଦ୍ର ଅହଲ୍ୟାଙ୍କର ସୋନ୍ଦର୍ଯ୍ୟରେ ବିମୋହିତ ହୋଇ ଗୌତମ ମୁନି ଆଶ୍ରମରେ ନ ଥିବା ସମୟରେ ଛଦ୍ମବେଶରେ ତାଙ୍କରି ରୂପ ନେଇ ଆସି ଯାଇଥିଲେ ଆଶ୍ରମ ଭିତରକୁ।ଆଉ କଳଙ୍କିତ କରି ଦେଇଥିଲେ ମହାସତୀ ଅହଲ୍ୟାଙ୍କୁ…!! କାଳିଆରେ… ଗୌତମ ମୁନି ଏତେ ସିଦ୍ଧ ଯୋଗୀ ହୋଇ ମଧ୍ୟ କଣ ଜାଣି ପାରିଲେନି ତାଙ୍କ ପତ୍ନୀ କେତେବଡ ଷଡ଼ଯନ୍ତ୍ରର ଶିକାର ହୋଇ ସାରିଛନ୍ତି ବୋଲି…!!ତଥାପି ସେ ଅଭିଶାପ ଦେଇଦେଲେ ଯେ ଅହଲ୍ୟା ପଥର ହୋଇ ପଡ଼ି ରହିବେ ଚିରକାଳ ପାଇଁ।ଯେଉଁଦିନ ପ୍ରଭୁ ଚରଣର ପାବନ ସ୍ପର୍ଶ ମିଳିବ ସେଦିନ ଯାଇ ସେ ଜୀବନ ଫେରି ପାଇବେ…!


ସତରେ ସବୁ ଖରାପ୍ ପଛରେ କିଛି ଭଲ ନିଶ୍ଚୟ ଲୁଚି ରହିଥାଏ।ଏଇ ଯେମିତି ଅହଲ୍ୟା ପଥର ହୋଇଯିବା ପଛରେ ସେ ତୋ ସାନିଧ୍ୟ ଲାଭ କରିବା ପରି ସୌଭାଗ୍ୟ ନିହିତ ଥିଲା…!!


ସନ୍ତାନ ଯେପରି ମା ପେଟ ଭିତରେ ରହି ତାକୁ ନିଜ ପଦାଘାତ କରି ନିଜ ଉପସ୍ଥିତି ଦ୍ଵାରା ତା ଅସ୍ତିତ୍ୱକୁ ପରିପୂର୍ଣ୍ଣ କରିଥାଏ...ଠିକ୍ ସେହିପରି ଶ୍ରୀରାମରୂପୀ ତୁ ଅହଲ୍ୟାଙ୍କୁ ମାତା ବୋଲି ସମ୍ବୋଧନ କରି ତାଙ୍କୁ ନିଜ ପଦ ସ୍ପର୍ଶ କରି ପୁନଃ ଜୀବନ୍ତ କରି ଦେଇଥିଲୁ।ସତରେ କାଳିଆ...ସନ୍ତାନ ହିଁ ତ ମାତାକୁ ଜୀବନ୍ତ କରିଥାଏ ନା…!!ତୋ ସତ୍ତାର ସ୍ପର୍ଶ ତ କଡ଼କୁ ଚେତନ ଦେଇଥାଏ...ଏହା ହିଁ ଏହି ଦିବ୍ୟ ଲୀଳାର ସନ୍ଦେଶ ବୋଧେ ଥିଲାରେ ଜଗା…!!ଆଉ ସେଇୟା ହିଁ ହେଲା।ବିଭୁକୃପା ଲାଭ କରି ଅହଲ୍ୟା ଶାପମୁକ୍ତ ହୋଇଥିଲେ ।


ଏହି କଥାକୁ ସ୍ମରଣ କରେଇ କେଉଟ ଜିଦ୍ ଧରିଲେ ଯେ ସେ ତୋ ପାଦ ଧୋଇଦେବା ପରେ ଯାଇ ତୋତେ ତାଙ୍କ ନୌକାରେ ଚଢ଼େଇବେ।ଭାବଗ୍ରାହୀ ତୁ...ଭକ୍ତର ଜିଦ୍ ଆଗରେ ହାରିଯାଇ ତାକୁ ଜିତିଯାଉ ସବୁଦିନ ପାଇଁ…!!


ବଢେଇ ଦେଇଥିଲୁ ନିଜ ପାଦ…!! ଆହା...କି ଆନନ୍ଦ…!!ଯେଉଁ ପାଦପଦ୍ମ ଧୌତ କରିବା ପାଇଁ ସ୍ଵୟଂ ବେଦବ୍ରହ୍ମା ଅକ୍ଷମ ହୋଇଥିଲେ...ସେହି ପାଦ ଫେରେ ଛାର କୈବର୍ତ୍ତ ଧୋଇଲା…!!??ମନେ ଅଛି ନା କାଳିଆ…? ମହାଦାନୀ ବଳୀ ରାଜାଙ୍କର ଗର୍ବ ଚୂର୍ଣ୍ଣ କରିବାକୁ ତୁ ବାମନ ଅବତାରରେ କଶ୍ୟପ ମୁନିଙ୍କ ପୁତ୍ର ହୋଇ ଅଦିତି ମାତାଙ୍କଠାରୁ ଜନ୍ମ ନେଇଥିଲୁ…!!ଆଉ ତ୍ରିପଦ ଭୂମି ମାଗିବା ଛଳରେ ଭୁଃ...ଭୁବ…ସ୍ୱହ ନେଇଯାଇଥଲୁ…??ବଳୀ ତାଙ୍କ ନିଜ ମସ୍ତକ ଦେଖେଇ ଦେବା ପରେ ତୁ ତାଙ୍କ ଉପରେ ନିଜ କୃପାଶୀର୍ବାଦ ଢ଼ାଳି ଦେଇ ପାତାଳପୁରର ରାଜା ବି କରେଇ ଥିଲୁ…!!ସେତେବେଳେ ତୋର ଯେଉଁ ପାଦ ଭୁବ ଅର୍ଥାତ୍ ନଭକୁ ଆଚ୍ଛାଦିତ କରି ରଖିଥିଲା ସେହି ପାଦକୁ ଧୋଇବା ପାଇଁ ବ୍ରହ୍ମା ନିଜ କମଣ୍ଡଳୁରେ ଗଙ୍ଗାଜଳ ଭର୍ତ୍ତି କରି ଢାଳି ଚାଲିଲେ…!!ହେଲେ ତୋ ଲୀଳା କାରଣରୁ ସେହି ଜଳ ବୃଦ୍ଧାଙ୍ଗୁଳିର କୋଣରେ ହିଁ ରହିଗଲା।ଆଉ ତୋ ପାଦୁକ ଟିକେ ପାଇବା ଆଶା ନେଇ ପ୍ରତୀକ୍ଷା କରିଥିବା ମହାଦେବଙ୍କୁ ନିରାଶ ହେବାକୁ ପଡ଼ିଥିଲା…!!ଆଜି ସେହି ପଦ୍ମଚରଣ ଧୋଇବାକୁ ସକ୍ଷମ ହୋଇଛି ଜଣେ କୈବର୍ତ୍ତ…!!ଏହା ହିଁ ତ ସାର୍ଥକତା ତୋ ପତିତପାବନ ନାମର ରେ କାଳିଆ…!!ତୋ ରାଇଜରେ ଧନ, ସମ୍ପତ୍ତି,ପ୍ରତିପତ୍ତି କିଛି କାମକୁ ଆସେନି।ଏଇଠି କେବଳ ସମ୍ପୂର୍ଣ ସମର୍ପଣ ଆଉ ଅନାବିଳ ଭକ୍ତିର ହିଁ ରାଜୁତି ହୋଇଥାଏ...ପ୍ରମାଣ କରିଦେଲୁ ତୁ…!!


ତୋର ସେହି ପାଦ ଧୋଇଦେଇ ବିଜ୍ଞାନୀ କୈବର୍ତ୍ତ ସେହି ପାଦୁକକୁ ପିଇ ଦେଇଥିଲା ଚରମ ସନ୍ତୋଷରେ…!!ଆଃ...କି ତୃପ୍ତି…!!ସତେ ଯେପରି ଜନ୍ମ ଜନ୍ମାନ୍ତରର ତୃଷ୍ଣା ତାର ମିଟି ଯାଇଥିଲା…!!ଆଉ ସେ ପ୍ରାର୍ଥନା କରି ବସିଥିଲା ତୋତେ...ଯେମିତି ତୋତେ ସେ ନଦୀ ପାର କରେଇ କୂଳରେ ଲଗାଉଛି...ତୁ ମଧ୍ୟ ସେମିତି ଏ ଭବସାଗରରୁ ପାର କରି ତାକୁ କୂଳରେ ଲଗେଇବୁ…!!ସତରେ କାଳିଆ... କେଉଟକୁ ସିନା ସୁଯୋଗ ମିଳିଲା ସେ ନିଜ ପାଇଁ ଉତ୍ତମ ଭବିଷ୍ୟଟେ ବାଛି ଦେଇ ପାରିଲା...ହେଲେ ତୋର ସବୁ ଭକ୍ତ କଣ ସେମିତି କରି ପାରିବେ କି ?ସେଇଥିପାଇଁ ତ…


ସେଇଥିପାଇଁ ଯେତେବେଳେ ତୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ମାନ ତ୍ୟଜ୍ୟ କରି ତୋ ସହିତ ବଡ ଦେଉଳକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କଲୁ ସେ ତୋ ଆଗରେ ସର୍ତ୍ତ ରଖିଥିଲେ ନା...ଯେ ଯେମିତି ତୋ ମହାପ୍ରସାଦ ଉପରେ ସମସ୍ତଙ୍କ ସମାନ ଅଧିକାର ରହିବ…!!ଧର୍ମ ,ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବଡ ଦେଉଳକୁ ପ୍ରବେଶ ଅଧିକାର ପାଇବେ । ଚଣ୍ଡାଳ ହାତରୁ ବ୍ରାହ୍ମଣ ଛଡାଇ ଖାଇବେ ଆଉ ଖାଇସାରି ସମସ୍ତେ ହାତକୁ ମୁଣ୍ଡରେ ପୋଛିବେ…!!


ସତରେ ଅବଢ଼ା କେବେ ଅଇଁଠା ହୁଏନି…!!ଅବଢ଼ା ବଢ଼ା ବି ହୁଏନି…!!ଅବଢ଼ା ନାଁ ନେଇଗଲେ ଆଖି ଆଗରେ ନାଚି ଉଠେ ଘମ୍ ଘମ୍ ବାସ୍ନା ହେଉଥିବା ଠାକୁରର ସେ ମହାପ୍ରସାଦ ଯାହା ପାଟିରେ ଦେବା କ୍ଷଣି ପେଟ ସହିତ ମନ ପୁରିଯାଏ। କାଳିଆରେ… କଦଳୀ ପତ୍ରଟିଏ ପକେଇ ଲେମ୍ବୁ ଲଙ୍କା ଲୁଣ ଟିକିଏ ମନ୍ଥିଦେଲା ପରେ ଗରମ୍ ଗରମ୍ ଅବଢ଼ା ଘିଅ ଅନ୍ନ, କାନିକା,ଖେଚୁଡ଼ି,ଡାଲମା,ମିଠା ଡାଲି,ମହୁର,ବେସର,ଶାଗ, ଖଟା,ପୋଟଳ କଷା ଆଦି ସୁସ୍ୱାଦୁ ବ୍ୟଞ୍ଜନ ଭକ୍ତ ମନକୁ ଆନମନା କରିଦିଏ।ପ୍ରତ୍ୟେକ ଥର ପାଟିକୁ ଅବଢ଼ା ଗଲାବେଳେ ମା ଅନ୍ନପୂର୍ଣ୍ଣାଙ୍କ ସ୍ନେହ ପରଶ ଅନୁଭବ କରିହୁଏ।ତା ସହିତ ପୋଡପିଠା, କ୍ଷୀରି,ବଲ୍ଲଭ, ପୂଳି,ମିଠା ପୁଳି,ଝିଲ୍ଳି,ଖଜା,ଗଜା,କାକରା,ଆରିସା,ଚକୁଳି,ମାଲପୁଆ ଇତ୍ୟାଦି ଇତ୍ୟାଦି…କଣ ଭାଷାରେ କହିହେବ କି ସେ ଅସରନ୍ତି ସ୍ୱାଦର ସୁଆଦ କଥା…!!??କେବଳ ପାଟିର ସୁଆଦ କାହିଁକି ଏହି ଅବଢ଼ା ମନକୁ ବି ସମ୍ପୂର୍ଣ୍ଣ ତୃପ୍ତ କରି ଦେଇଥାଏ।ତୋ ଆନନ୍ଦବଜାର ମହିମା କାହାକୁ ଅଜଣାରେ କାଳିଆ…?ଏଇ ସ୍ଥାନକୁ ଆସିଲେ ଧନୀ, ଗରୀବ... ଜାତି , ଅଜାତି...ପୁରୁଷ,ମହିଳା...ପିଲାଠାରୁ ବୁଢା ଯାଏଁ ସମସ୍ତେ ପେଟପୂରା ଖାଇବାକୁ ପାଆନ୍ତି।କୁହାଯାଏ...ଆନନ୍ଦ ବଜାରରୁ କେହି କେବେ ଖାଲି ପେଟରେ ଫେରି ଆସିନି।ରାତି ହେଉ କି ସଞ୍ଜ ସକାଳ…!!ତୋର ଛପନ ଭୋଗ ଭିତରୁ କିଛି ନିଶ୍ଚୟ ମିଳିଯାଏ।ସକାଳ ବାଳଧୂପଠାରୁ ଆରମ୍ଭ କରି ଶଙ୍କୁଡ଼ି,ନିସଙ୍କୁଡ଼ି ହେଉ କି ଶୁଖିଲା ଭୋଗ...ନିଶ୍ଚୟ ଭକ୍ତର କ୍ଷୁଧା ନିବାରଣ କରି ଦେଇଥାଏ।ବୋଧେ ଏଇଥିପାଇଁ ଯେ ତୁ ଜାଣିଛୁ ଭୋକରେ ରହିଲେ କେତେ କଷ୍ଟ ହୁଏ…!!ଦୁଇଭାଇ ଖାଇବାକୁ ନ ପାଇ କେତେ ହନ୍ତସନ୍ତ ହୋଇଛ…!!??ସତରେ ଜଗା...ଖାଦ୍ୟ ପ୍ରିୟ ଠାକୁର ତୁ...ସେଥିପାଇଁ ତ ନୀଳକନ୍ଦର ଛାଡ଼ି ଛୁଟି ଆସିଛୁ ଏଇ ନୀଳାଭ ବେଳାଭୂମିକୁ…!!


ତୋ ମହାପ୍ରସାଦ ବିଷୟରେ ଯେତେ କହିଲେ ମଧ୍ୟ କମ୍ ହେବ।କୁହାଯାଏ ଥରେ ନାରଦ ମୁନି ଶ୍ରୀବିଷ୍ଣୁଙ୍କୁ ଦେଖା କରିବାକୁ ବୈକୁଣ୍ଠ ଯାଇଥିଲେ।ସେତେବେଳେ ମା ମହାଲକ୍ଷ୍ମୀ ଛପନ ଭୋଗ ପରସି ଦେଇଥିଲେ।ପ୍ରଭୁ ଖାଇବାକୁ ଉଦ୍ୟତ ହେଲାବେଳେ ନାରଦ ଆସି ପହଂଚି ଯିବାରୁ ସେ ସେହିପରି ଅଇଁଠା ହାତରେ ଲକ୍ଷ୍ମୀଙ୍କ ରାନ୍ଧଣାର ସ୍ଵାଦ ନେବାକୁ ତାଙ୍କୁ ନିଜ ଅନ୍ନରୁ କିଛି ଦେଇ ଦେଇଥିଲେ…!!ନାରଦ ସେହି ହରିପ୍ରସାଦ କଣିଏ ଖାଇଦେଇ ପରମାନନ୍ଦରେ ଝୁମି ଝୁମି ହରି କୀର୍ତ୍ତନ କରି ଯାଉଥିବା ବେଳେ ବାଟରେ ଭୋଳାନାଥଙ୍କୁ ଦେଖି ଅଭିବାଦନ ଜଣେଇବାକୁ ମଧ୍ୟ ସମ୍ବିତ ପାଇ ନ ଥିଲେ।ଆଉ ତାଙ୍କର ଏପରି ଅବସ୍ଥା ଦେଖି ଶିବଶମ୍ଭୁ ସେହି ଆନନ୍ଦର କିଛି ଅଂଶ ମାଗି ନିଜେ ପାଇ ଯାଇଥିଲେ।


ନାରଦ ଆଉ ମହାଦେବ ଉଭୟେ ଏପରି ପରମାନନ୍ଦରେ ହରିନାମ ଗାଇ ନୃତ୍ୟ କରୁଥିବା ଦେଖି ଦେବୀ ପାର୍ବତୀ ମଧ୍ୟ ସେହି ଦୁର୍ମୂଲ୍ୟ ହରିପ୍ରସାଦ ପାଇବାକୁ ଚାହିଁଲେ।ହେଲେ ଉଭୟଙ୍କ ପାଖରେ ତାହା ଆଉ କିଛି ବାକି ରହିବା ନ ଦେଖି ସେ ଅତ୍ୟନ୍ତ କ୍ରୋଧ,ଅଭିମାନ ଆଉ ଦୁଃଖର ସହିତ ବିଷ୍ଣୁଙ୍କ ଆରାଧନା କରିବାକୁ ଆରମ୍ଭ କଲେ…!!


ମା ପାର୍ବତୀଙ୍କ କଠୋର ତପ ଦେଖି ତୁ ନିଜେ ଆସି ପ୍ରକଟ ହେବା ସହ ତାଙ୍କ ଆବାହନର ମୂଳ କାରଣ ଜାଣିବାକୁ ପାଇଲୁ।ତୋ ପ୍ରସାଦ ପାଇବା ପାଇଁ ସେ ଏତେ କଷ୍ଟ କରିଥିବା ଦେଖି ତୁ ତାଙ୍କୁ ବିମଳା ସ୍ଵରୁପରେ ଶ୍ରୀମନ୍ଦିରରେ ବିରାଜମାନ ହେବାକୁ ବିନତି କଲୁ।ଆଉ କହିଲୁ ଯେ ପ୍ରତ୍ୟହ ତୋ ପାଇଁ ବଢ଼ା ଯାଇଥିବା ଭୋଗ ମା ବିମଳାଙ୍କ ପାଖରେ ପୁନଃ ଭୋଗ ଲାଗିଲେ ଯାଇ ତାହା ମହାପ୍ରସାଦ ହେବ।ଆଉ ସେଇ ମହାପ୍ରସାଦ ପାଇ ଭକ୍ତମାନେ ଧନ୍ୟ ହେବେ…!!

ସେହି ଦିନଠାରୁ ମା ପାର୍ବତୀ ବିମଳା ରୂପରେ ତୋ ମନ୍ଦିରରେ ପୂଜା ପାଇ ଆସୁଛନ୍ତି।ଆଉ ତାଙ୍କୁ ଭୋଗ ଲାଗିବା ପରେ ତୋର ସେହି ପ୍ରସାଦ ମହାପ୍ରସାଦ ହୋଇ ଆନନ୍ଦ ବଜାରକୁ ଆସେ।


ତୋ ମହାପ୍ରସାଦ ପ୍ରସ୍ତୁତ ହେବା ଶୈଳୀ ମଧ୍ୟ ଅତ୍ୟନ୍ତ ଅଦ୍ଭୁତ। ମାଟି କୁଡୁଆ ସବୁରେ ରନ୍ଧନ ସାମଗ୍ରୀ ଭର୍ତ୍ତି କରି ଗୋଟିଏ ଉପରେ ଗୋଟିଏ ସଜେଇ କରି ରଖି ଦିଆଯାଏ।ଆଉ ସେହି ସବୁ ମାଟିହାଣ୍ଡିକୁ ପାରମ୍ପରିକ ଚୁଲା ଉପରେ ବସେଇ ଦିଆଯାଏ।ଆଶ୍ଚର୍ଯ୍ୟଜନକ ଭାବେ ସବୁ ହାଣ୍ଡିରେ ଥରକେ ରୋଷେଇ ହୁଏ ଏବଂ ଆହୁରି ଚମକପ୍ରଦ ତଥ୍ୟ ଅନୁଯାୟୀ ସବା ଉପର କୁଡ଼ୁଆର ଖାଦ୍ୟ ସର୍ବପ୍ରଥମେ ପ୍ରସ୍ତୁତ ହୋଇଯାଇଥାଏ…!!ଏସବୁ କେବଳ ମା ଅନ୍ନପୂର୍ଣ୍ଣାଙ୍କର ହାତରନ୍ଧାର ହିଁ ମହିମା ନା କାଳିଆ…!!ଏତେ ରୋଷେଇ ଭିତରେ କେବେ କେଉଁଦିନ କୌଣସି ବ୍ୟଞ୍ଜନ ସ୍ଵାଦ ଦୃଷ୍ଟିରୁ ଅଥବା ଗୁଣାତ୍ମକ ମାନ ଦୃଷ୍ଟିରୁ ଉଣା କି ଅଧିକ ହୁଏନା…!! ସେହି ବାସ୍ନା...ସେହି ସ୍ଵାଦ...ସେହି ତୃପ୍ତି...ଆଃ…!!


ସବୁ ଦେଶୀ ପରିବା ହିଁ ବ୍ୟବହାର କରାଯାଇଥାଏ ଏଥିପାଇଁ।ଏପରିକି ବିଲାତି ବାଇଗଣ ବା ଟମାଟୋ କି ଆଳୁ ମଧ୍ୟ ବର୍ଜନୀୟ ହୋଇଥାଏ।ତୋ ରୋଷଶାଳରେ ପ୍ରତ୍ୟହ ଯେତିକି ରୋଷେଇ ହୁଏ କେଜାଣି କେମିତି ସେତିକି ସବୁ ଭକ୍ତଙ୍କ ପେଟ ପୁରେଇ ଦିଏ…!!??କେହି କେବେ ତୋ ଦୁଆରରୁ ଖାଇବାକୁ ମିଳିଲାନି ବୋଲି ଫେରି ଆସନ୍ତିନି।ମହାପ୍ରସାଦ ପାଖରେ ଛୋଟ ବଡ କିଛି ରୁହେନା।ବୟସ୍କ ବ୍ୟକ୍ତି, ରୁଗଣ ବ୍ୟକ୍ତିଙ୍କ ପେଟ ହେଉ କି ଛୋଟ ଶିଶୁର ପ୍ରଥମ ଅନ୍ନପ୍ରାସନ୍ନ ସଂସ୍କାର ପରି ମହାନ୍ କାର୍ଯ୍ୟ ହେଉ...ତୋ ମହାପ୍ରସାଦ ସମସ୍ତଙ୍କ ପ୍ରିୟ…!!


ମହାପ୍ରସାଦ ଅଇଁଠା ତ ହୁଏନି କେବେ ବାସି ମଧ୍ୟ ହୁଏନି।କାଣିଚାଏ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯାଏ।ଏଥିପାଇଁ ତ ଅନ୍ନପ୍ରସାଦକୁ ସୂର୍ଯ୍ୟ କିରଣର ସହାୟତାରେ ସମ୍ପୂର୍ଣ୍ଣ ଶୁଷ୍କ କରି ଦିଆଯାଇ ସେଥିରେ ନିର୍ମାଲ୍ୟ ବା କୈବଲ୍ୟ ପ୍ରସ୍ତୁତ ହୁଏ…!!ବିଧବା ମହିଳା ମାନେ ହୁଅନ୍ତୁ କିମ୍ବା ତୋ ନାମ ଜପ କରୁଥିବା ସମର୍ପିତ ଭକ୍ତ ହୁଅନ୍ତୁ ପ୍ରତ୍ୟହ ଗୋଟିଏ ନିର୍ମାଲ୍ୟ ପାଟିରେ ଦେଇଦେବା ପରେ ଯାଇ ନିଜର ଦୀନଚର୍ଯ୍ୟା ଆରମ୍ଭ କରନ୍ତି।କୁହାଯାଏ ବିବାହ ପୂର୍ବରୁ ଯେତେବେଳେ ଦୁଇ ନୂଆ ବନ୍ଧୁ ପରସ୍ପରକୁ ଜୀବନସାରା ପାଇଁ ଆପଣେଇ ନେବାକୁ ବଚନ ଦିଅନ୍ତି…ସେତେବେଳେ ନିର୍ବନ୍ଧ କାର୍ଯ୍ୟ ମହାପ୍ରସାଦ ଦିଆନିଆ ଦ୍ଵାରା ହିଁ ସମ୍ପନ୍ନ ହୁଏ।କାଳିଆ...ତୁ ହିଁ ଜଗି ରହିଥାଉ ଏ ସମ୍ବନ୍ଧକୁ।ଠିକ୍ ସେପରି ମୃତ ଶରୀର ପାଟିରେ ମଧ୍ୟ ତୁଳସୀପତ୍ର ଗୋଟିଏ ଆଉ ଟୋପେ ଗଙ୍ଗାଜଳ ସହିତ ଗୋଟିଏ କୈବଲ୍ୟ ଦାନା ଦିଆ ହୋଇଥାଏ।ବିଶ୍ୱାସ ଅଛି...ଏପରି କରିବା ଦ୍ବାରା ମୃତ ଶରୀର ଶୁଦ୍ଧ ହୁଏ ଆଉ ଆତ୍ମା ମଧ୍ୟ ବୈକୁଣ୍ଠପୁରକୁ ଆଗେଇ ଯାଇଥାଏ…!!


ନିର୍ମାଲ୍ୟ କିମ୍ବା କୈବଲ୍ୟ ହେବା ପାଇଁ ମହାପ୍ରସାଦକୁ ନିର୍ମାଲ୍ୟ ଖଳାରେ ଶୁଖାଯାଏ।ଏହି ସ୍ଥାନ କୋଇଲି ବୈକୁଣ୍ଠ ଭିତରେ ଅଛି।କୋଇଲି ବୈକୁଣ୍ଠ ବିଷୟରେ କଣ ବା କହିବି କାଳିଆ…!!ସତରେ ଜଣେ ମନୁଷ୍ୟ ପରି ତୁ ନିଜର ଦୈନନ୍ଦିନ ଲୀଳାଖେଳା କରିବା ସହିତ ଶରୀର ତ୍ୟାଗ ଲୀଳା କରିବାକୁ ମଧ୍ୟ ଭୁଲି ନ ଥାଉ।ପ୍ରତି ଆଠ, ବାର କିମ୍ବା ଉଣେଇଶ ବର୍ଷରେ ଥରେ ଯୋଡା ଆଷାଢ଼ ହେଲେ ବା ଅଧୀମାସ ହେଲେ ତୋର ନବ କଳେବର ବିଧି ଅନୁଷ୍ଠିତ ହୁଏ। ନବ ମାନେ ନୂଆ...ଆଉ କଳେବର ମାନେ ଶରୀର।ଜଗତଠାକୁର ତୁ ତୋର ଦାରୁ ନିର୍ମିତ ଅବୟବ ତ୍ୟାଗ କରି ନୂତନ ରୂପଟିଏ ଏହି ସମୟରେ ପାଇଥାଉ।ଜଗତରେ ସବୁକିଛି କ୍ଷୟଶୀଳ ବୋଲି ଶିକ୍ଷା ଦେଉଥିବା ଏହି ନବ କଳେବର ବିଧି ଅତ୍ୟନ୍ତ ଗୋପନୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।


ନବ କଳେବର ପୂର୍ବରୁ ତୋର ଦିବ୍ୟ ଦାରୁର ସନ୍ଧାନ ଆରମ୍ଭ ହୁଏ। କାକଟପୁର ମା ମଙ୍ଗଳାଙ୍କ ନିକଟରେ ପାଟିରେ କୃଶତୁଣ୍ଡି ଦେଇ ବଡ଼ପଣ୍ଡା ଅଧିଆ ପଡ଼ିବା ପରେ ମାଙ୍କ ଅପାର କରୁଣାରୁ ଭବ୍ୟଦାରୁ ଅବସ୍ଥିତି ସମ୍ପର୍କିତ ସୂଚନା ତାଙ୍କୁ ସ୍ଵପ୍ନାଦେଶରେ ମିଳେ।ତା ପରେ ତୋ ଦଇତାପତିମାନେ ଗୋଷ୍ଠୀ ଗୋଷ୍ଠୀ ହୋଇ ସେହି ସ୍ଥାନ ମାନଙ୍କରେ ପ୍ରତ୍ୟେକ ନିମ୍ୱ ବୃକ୍ଷ ଭିତରେ ସେହି ଦାରୁ ଖୋଜିବାରେ ଲାଗି ପଡନ୍ତି ଯାହା ତାଙ୍କର ଦିଅଁ ହୋଇ ପାରିବ…!!


ସୁଦର୍ଶନଙ୍କ ଦାରୁ ପାଇଁ ଯେଉଁ ନିମ୍ବ ବୃକ୍ଷ ଖୋଜାଯାଏ ସେଥିରେ କେବଳ ତିନୋଟି ଶାଖା ଥାଏ।ଆଉ ସେହି ବୃକ୍ଷର ଗଣ୍ଡି ଭିତରେ ଚକ୍ର ଚିହ୍ନ ଖୋଦିତ ହୋଇ ରହିଥାଏ।ବୃକ୍ଷର ଗଣ୍ଡଦେଶ ରକ୍ତିମ ବର୍ଣ୍ଣର ହୋଇଥାଏ।


ବଳଭଦ୍ରଙ୍କ ପାଇଁ ଉଦ୍ଦିଷ୍ଟ ନିମ୍ବ ବୃକ୍ଷ ସପ୍ତ ଶାଖାଯୁକ୍ତ ହୋଇଥାଏ।ବଳଭଦ୍ର ନିଜେ ସପ୍ତଫେଣୀ ଶେଷନାଗ ସ୍ୱରୂପ ହୋଇଥିବାରୁ ଏହି ବୃକ୍ଷ ଏପରି ହୋଇଥାଏ।ବୃକ୍ଷର ଗଣ୍ଡି ଧବଳ ବର୍ଣ୍ଣଯୁକ୍ତ ହୋଇଥାଏ।ଏହି ବୃକ୍ଷରେ ହଳ ମୁଷଳ ଚିହ୍ନ ରହିଥାଏ।ସ୍ଵୟଂ ହଳଧରଙ୍କ ପ୍ରତୀକ ଏହି ବୃକ୍ଷ ଦେହରେ ଏହି ସଂକେତ ରହିବା ସତରେ କେବଳ ଏକ ଆଶ୍ଚର୍ୟ୍ଯ ମାତ୍ର…!!


ମା ସୁଭଦ୍ରା ଦର୍ପଦଳୀନିଙ୍କ ପାଇଁ ପାଞ୍ଚୋଟି ଶାଖା ଥିବା ବୃକ୍ଷକୁ ଖୋଜାଯାଏ।ମା ସୁଭଦ୍ରା ସ୍ଵୟଂ ବ୍ରହ୍ମାଙ୍କ ସ୍ୱରୂପ ହୋଇ ବିରାଜି ଥିବା ଯୋଗୁଁ ତାଙ୍କ ପାଞ୍ଚୋଟି ମୁଖ ଥିବା କାରଣରୁ ଏପରି ହୋଇଥାଏ।ଏହି ପବିତ୍ର ବୃକ୍ଷରେ ପଦ୍ମ ଚିହ୍ନ ଖୋଦିତ ହୋଇ ରହିଥାଏ।ବ୍ରହ୍ମାଙ୍କ ସୃଷ୍ଟି ବିଷ୍ଣୁଙ୍କ ନାଭିପ୍ରଦେଶରୁ ବାହାରିଥିବା ପଦ୍ମରେ ହୋଇଛି ନା…!!ସେଥିପାଇଁ ଏହି ଚିହ୍ନ ମା ସୁଭଦ୍ରାଙ୍କ ପାଇଁ ଉଦ୍ଦିଷ୍ଟ ନିମ୍ବ ବୃକ୍ଷର ଲକ୍ଷଣ ହୋଇଥାଏ।ଆଉ ଏହି ବୃକ୍ଷର ଗଣ୍ଡି ଈଷତ୍ ହଳଦିଆ ବର୍ଣ୍ଣର ମଧ୍ୟ ହୋଇଥାଏ।


ଆଉ ତୋ ପାଇଁ ଉଦ୍ଧିଷ୍ଟ ନିମ୍ବବୃକ୍ଷର ଚାରୋଟି ଶାଖା ଥାଏ ରେ ମହାପ୍ରଭୁ…!!ଏକଥା କହିବା ବାହୁଲ୍ୟ ଯେ ସେହି ଚାରୋଟି ଶାଖା ନାରାୟଣଙ୍କ ପ୍ରତୀକ ମନେ କରାଯାଏ।ବୃକ୍ଷ ଉପରେ ତୋର ଶଙ୍ଖ ଚକ୍ର ଚିହ୍ନ ସ୍ପଷ୍ଟ ଦେଖାଯାଏ।ଆଉ ଗଛର ଗଣ୍ଡି ମଧ୍ୟ କଳା ରଙ୍ଗର ହୋଇଥାଏ…!!ଏହି ସମସ୍ତ ବୃକ୍ଷର ଶାଖା କି ପତ୍ର ଖଣ୍ଡିଆ ହୋଇ ନ ଥାଏ…!!


କାଳିଆରେ… କେବଳ ଏତିକି ନୁହେଁ ତୋ ଦାରୁ ବିଗ୍ରହ ପାଇଁ ଚିହ୍ନଟ ହେବାକୁ ଥିବା ବୃକ୍ଷ ଯେଉଁ ସ୍ଥାନରେ ମିଳେ ତା ନିକଟରେ ନିହାତି ଏକ ଶ୍ମଶାନ ଥାଏ।ଏହା ହୁଏତ ଏହି କଥାକୁ ସିଦ୍ଧ କରେ ଯେ ଯେଉଁଠି ଜୀବନ ଶେଷ ହୁଏ ସେହି ପାଖରେ ହିଁ ପୁନଃ ଜୀବନ ଆରମ୍ଭ ହେବାର ପ୍ରାକ୍ ସୂଚନା ମିଳେ।ଅର୍ଥାତ୍...ମୃତ୍ୟୁ ଏକ ଅନ୍ତ ନୁହେଁ ବରଂ ଏକ ନୂତନ ଆରମ୍ଭର ଦ୍ୱାରଦେଶ ଉନ୍ମୁକ୍ତ କରିଥାଏ…!!


ମହାଦେବଙ୍କ ମନ୍ଦିର ଆଉ ପୁଷ୍କରିଣୀ ସେହି ପାଖରେ ରହିବା ଅନ୍ୟ ଏକ ପ୍ରତୀକ ହୋଇଥାଏ।ତୋର ଆରାଧ୍ୟ ଯିଏ ତାଙ୍କ ଆରାଧ୍ୟ ତୁ...ତେଣୁ ଏକଥା ଅତି ସାଧାରଣ ଯେ ମହାଦେବଙ୍କ ଅବସ୍ଥିତି ପାଖରେ ହିଁ ନାରାୟଣ ମିଳିପାରନ୍ତି…!!ନା କଣ ରେ ଜଗା…??


ବୃଷ ନିକଟରେ ଏକ ଉଈହୁଙ୍କା ମିଳିବା ମଧ୍ୟ ବିଧେୟ ହୋଇଥାଏ।ବୋଧେ ଏହି ବିଲକ୍ଷଣ ଜଣେଇ ଦିଏ ଯେ ଉଈ ହୁଙ୍କା ନିକଟସ୍ଥ ବୃକ୍ଷ ହୋଇ ମଧ୍ୟ ଏହି ଦାରୁ ଶ୍ରୀଜୀଉଙ୍କ ନୂତନ ବିଗ୍ରହ ହେବାରେ ବ୍ୟବହାର ହୁଏ।ତାର ଅର୍ଥ ବୋଧେ ଏଇୟା ଯେ ଦୁନିଆରେ ସବୁ ପଦାର୍ଥ...ଜଡ ହେଉ କି ଚେତନ...ପରସ୍ପରର ସାହାଯ୍ୟ କରନ୍ତି।ଆଉ ବିଶ୍ୱାସ ଯେଉଁଠି ଥାଏ ସେଇଠି ବିଲୟ ମଧ୍ୟ ସୃଷ୍ଟିର ବାର୍ତ୍ତା ନେଇ ଆସିପାରେ…!!


ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ପବିତ୍ର ବୃକ୍ଷମାନଙ୍କରେ କୌଣସି ପକ୍ଷୀ ବସା କରି ନ ଥାଏ…!!ହଁ...ଅସମ୍ଭବ କଣ…?ତୁ ଚାହିଁଲେ ସବୁକିଛି ସମ୍ଭବ।ଏଇ ଯେମିତି ଛୋଟ ସେଇ ପକ୍ଷୀଟିର କଥା...ଯାହାର ମୃତ୍ୟୁ ଲେଖା ହୋଇଥିଲା ସେ ରହୁଥିବା ସ୍ଥାନଠାରୁ ଅନେକ ଦୂରରେ ଏକ ପଥର ଗହ୍ଵର ଭିତରେ…!! ଯମଦେବଙ୍କ ଚିନ୍ତା ହେଲା ସେ କିପରି ସେଇ ଛୋଟିଆ ଜୀବର ଜୀବନ ନିର୍ଦ୍ଧାରିତ ସ୍ଥାନରେ ନେଇ ପାରିବେ…??ପକ୍ଷୀରାଜ ଗରୁଡ ଏହି କଥାକୁ ବୁଝିପାରି ମନେ ମନେ ଭାବିଲେ ସେ ଯେହେତୁ ତୋର ବାହନ...ତେଣୁ ସେ କାଳ ବା ଯମଦେବଙ୍କୁ ପରାସ୍ତ କରି ପାରିବେ ଆଉ ପକ୍ଷୀଟିକୁ ବଞ୍ଚେଇ ପାରିବେ ।ସେ ଭାବିଲେ ତାକୁ ନେଇ ଅନେକ ଦୂରରେ ରଖିଦେବେ ଯେ ଯମରାଜ ତାକୁ ଖୋଜି ପାଇବେନି…!!ପକ୍ଷୀକୁ ବଞ୍ଚାଇବା ପାଇଁ ସେ ତାକୁ ନିଜ ଶକ୍ତ ଗୋଡ଼ରେ ଧରିଆସି ସେଇ ସ୍ଥାନରେ ପହଞ୍ଚିଲେ ଯେଉଁଠି ତାର ମୃତ୍ୟୁ ନିଶ୍ଚିତ ହୋଇଥିଲା।ତାକୁ ସଂପୂର୍ଣ୍ଣ ସୁରକ୍ଷିତ କରି ରଖିଦେଲେ ସେଇ ପଥର ଗହ୍ଵର ଭିତରେ ଯେଉଁଠି ଯମଦେବ ଆରାମରେ ନିଜ କର୍ତ୍ତବ୍ୟ ସମାପନ କରି ପକେଇଲେ…!!ଠିକ୍ ସେମିତି ଯେତେବେଳେ ଜଗତର ପାଳନକର୍ତ୍ତା ହିସାବରେ ତୁ କେମିତି ସବୁ ଜୀବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଛୁ ତାହା ଜାଣିବା ପାଇଁ ନାରଦମୁନି ଏକ କ୍ଷୁଦ୍ର ପିମ୍ପୁଡ଼ିକୁ ଏକ ବୋତଲ ମଧ୍ୟରେ ବନ୍ଦ୍ କରି ରଖିଦେଲେ।ଆଉ କିଛି ଦିନ ପରେ ଯେତେବେଳେ ତାକୁ ବାହାର କଲେ...ସେ ଦେଖିଲେ ସେହି ବୋତଲ ଭିତରେ କିଛି ଗୁଡ ଥିଲା ଯାହାକୁ ଖାଇ ପିମ୍ପୁଡ଼ିଟି ବଞ୍ଚି ଯାଇଥିଲା।ଅତି କ୍ଷୁଦ୍ର ହେଉ କି ବିରାଟକାୟ ଜୀବ...ସମସ୍ତେ ତୋ ସୃଷ୍ଟିର ହିଁ ଅଂଶ ବିଶେଷ।ମାରିବା... ତାରିବା ସବୁ କେବଳ ତୋ ହାତରେ…!!ସେଇଥିପାଇଁ ତ ...ସମସ୍ତଙ୍କ ମନ ବୁଝୁଛୁ ବୋଲି ହିଁ ତୁ ମନୁଆ…!!


ସତରେ କାଳିଆ...ତୋ ଲୀଳା ଅଦ୍ଭୁତ। ବାଟୋଇଟିଏ ଦିନେ ଖରାରେ ଚାଲି ଚାଲି ଯାଉଥିବା ବେଳେ କ୍ଳାନ୍ତି ମେଣ୍ଟାଇବା ପାଇଁ ଏକ ବିରାଟ ବଟବୃକ୍ଷ ତଳେ ଆଶ୍ରୟ ନେଲା ଆଉ ଶୋଇ ଶୋଇ ଭାବିଲା ବିଶ୍ଵନିୟନ୍ତାଙ୍କ ନ୍ୟାୟ ଠିକ୍ ହେଲାନି।ଏତେ ବଡ ଗଛରେ ଏତେ ଛୋଟ ଫଳ ଦେଇଛନ୍ତି ହେଲେ ପାଖରେ ଥିବା କଖାରୁ ଲତା ଦେହରେ ଏତେ ବଡ ବଡ କଖାରୁ ଫଳେଇ ଦେଇଛନ୍ତି…!!??କିଛି କ୍ଷଣ ପାଇଁ ସେ ଭାବିଲା ଈଶ୍ଵର ନିଶ୍ଚୟ ଭୁଲ୍ କରି ପକାଇଛନ୍ତି।ଆଉ ଠିକ୍ ସେତିକି ବେଳେ ବରଗଛରୁ କିଛି ଫଳ ଝଡି ଆସି ତା ଛାତି ଉପରେ ପଡ଼ିଲା।ସଙ୍ଗେ ସଙ୍ଗେ ସେ ବୁଝିଗଲା ତୋ ରହସ୍ୟକୁ।ଯଦି ବଡ ଗଛର ବଡ ଫଳ ତା ଉପରେ ପଡ଼ନ୍ତା ହେଲେ ବୋଧେ ତା ଜୀବନ ବିପଦରେ ପଡ଼ି ଯାଆନ୍ତା…!!ଆଉ ସେତେବେଳେ ସେ ତୋ ଚିନ୍ତାଧାରା ଆଗରେ ମଥାନତ କରି ତୋ ଉଦ୍ଦେଶ୍ୟରେ ହାତଯୋଡ଼ି ଜୁହାର ହୋଇଥିଲା…!!


ହେ ଲୀଳାଧର ...ଆଜି ମଧ୍ୟ ଠିକ୍ ସେମିତି ତୋ ଭବ୍ୟ ଲୀଳାର ଅଂଶ ବିଶେଷ ହୋଇଥିବା ବ୍ରହ୍ମଦାରୁ ବୃକ୍ଷ ଉପରେ କଣ ପକ୍ଷୀମାନେ ବସା କରି ରହି ପାରନ୍ତେ…??ନାହିଁ ନା…!!??ତୋ ଭବ୍ୟ ଦାରୁ ଚିହ୍ନଟ ହେବା ପରେ ଛ ଚକା ବିଶିଷ୍ଟ ଶଗଡ଼ି ଉପରେ ଘଣ୍ଟ ଘଣ୍ଟା ହୁଳହୁଳି ଶଙ୍ଖ ଆଦି ବଜେଇ ତାକୁ ଶ୍ରୀମନ୍ଦିରକୁ ଅଣାଯାଏ…!! ସେହି ଦାରୁରୁ ତୋର ନୂତନ ଶରୀର ଗଠନ ହୁଏ ନା…!!


କୋଇଲି ବୈକୁଣ୍ଠରେ ନିଜେ ମହାଦେବ ସୁରକ୍ଷା ଦିଅନ୍ତି।ବିଶ୍ୱାସ ଅଛି ଯେ କେହି ମଧ୍ୟ ମନଇଚ୍ଛା ଏଇଠି ବୁଲି ପାରିବେନି।ତୋ ପରି ଜଣେ ଅବତାରୀ ଦେହୀର ଦେହତ୍ୟାଗ ପ୍ରସଙ୍ଗ ଅତ୍ୟନ୍ତ ଲୋମହର୍ଷଣକାରୀ ହୋଇଥାଏ।ସାଧାରଣ ଅଣସର ତୋର ସ୍ନାନଯାତ୍ରା ଠାରୁ ଆରମ୍ଭ ହୋଇ ନବ ଯୌବନ ଦର୍ଶନ ଦିନଯାଏଁ ଚଉଦ ଦିନ ହେଉଥିବା ବେଳେ ତୋର ଏହି ଘଟ ପରିବର୍ତ୍ତନ ସମୟରେ ମହା ଅଣସର ଦୀର୍ଘ ପଇଁଚାଳିଶ ଦିନ ଧରି ଅନୁଷ୍ଠିତ ହୁଏ।

ସ୍ନାନ ମଣ୍ଡପରେ ସୁନାକୁଅଁରୁ ଅଣା ହୋଇଥିବା ଶହେଆଠ ଗରାରେ ଗାଧୋଇ ପଡ଼ିବା ପରେ ତୋତେ ଜର ହୁଏ।ରତ୍ନବେଦୀ ଉପରୁ ଆସିବା ପରେ ତୁ ଆଉ ସେଠାକୁ ଫେରି ନ ଯାଇ ସିଧା ଅଣସର ପିଣ୍ଡିକୁ ଯାଉ। ସେଠି ସେଇ ଦଇତାମାନେ ତୋ ସେବାରେ ଲାଗି ପଡନ୍ତି ଯିଏ ଶବର ବିଶ୍ଵାବସୁଙ୍କ ବଂଶଧର ହୋଇଥାନ୍ତି ।ସେମାନେ ତୋ ନିଜ ଆତ୍ମୀୟ ହୋଇ ତୋର ଯତ୍ନ ନିଅନ୍ତି।ଏହି ସମସ୍ତ ସେବାକୁ ଗୁପ୍ତସେବା କୁହାଯାଏ।ତୋ ଅନୁପସ୍ଥିତିରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରନ୍ତି ଆଉ ବାସୁଦେବ,ନାରାୟଣ ଆଉ ମା ଭୁବନେଶ୍ଵରୀ ରୂପରେ ପଟିଦିଅଁଙ୍କୁ ପୂଜା କରନ୍ତି।


ତୋ ଦେହ ଭଲ ନ ଥିବାରୁ ପ୍ରଥମେ କେବଳ ଶୁଖିଲା ଭୋଗ ପ୍ରସାଦ ହୁଏ ଆଉ ଧୀରେ ଧୀରେ ଫଳଭୋଗ କରାଯାଏ।ପ୍ରଥମେ ତୋର ଶ୍ରୀଙ୍ଗାର ଫିଟା ନୀତି ପାଳନ ହୁଏ।ଦେହ ଭଲ ନ ଲାଗିଲେ ତୋତେ ଆଉ ଶୃଙ୍ଗାର କେମିତି ଭଲ ଲାଗିବ?ତୋ ଦେହରେ ବୋଳା ହୋଇଥିବା ଚନ୍ଦନ,କର୍ପୁର ଆଦିର ପ୍ରଲେପ ପୋଛା ହେବା ସହ ବସ୍ତ୍ରାଭରଣ ଫିଟାଇ ଦିଆଯାଏ।


ତା ପରେ ପଇତା ଲାଗି ହୁଏ।ସେତେବେଳେ ତୋତେ ହାଲୁକା ରେଶମ ପୋଷାକ ପିନ୍ଧେଇ ଚନ୍ଦନ ପ୍ରଲେପ ଦିଆଯାଏ।ସବୁଠାରୁ ବଡ ଉପଚାର ହୁଏ ଫୁଲେରି ଲାଗି ରେ।ଔଷଧୀୟ ଫୁଲ ସବୁ ବର୍ଷକ ତଳୁ ମାଟିରେ କଳସ ଭିତରେ ରଖି ପୋତି ଦିଆ ଯାଇଥାଏ।ଏହା ସହିତ ଅନ୍ୟାନ୍ୟ ଚେରମୂଳି ମିଶେଇ ଏହି ଦିବ୍ୟତୈଳ ପ୍ରସ୍ତୁତ କରି ତୋ ଶ୍ରୀଅଙ୍ଗରେ ଲେପ କରାଯାଏ।ତା ପରେ ଓଷୁଅ ଲାଗି କରାଯାଏ।


ଏସବୁ ପରେ ତୋତେ ଟିକେ ଭଲ ଲାଗି ଆସିଲେ ଚକା ବିଜେ ନୀତି ହୁଏ ଆଉ ତା ପରେ ଯାଇ ଖଳି ଲାଗି କରାଯାଏ।ଗହମ ଅଟାରେ ପ୍ରସ୍ତୁତ ଖଳି ପ୍ରଲେପ ତୋ ବିଗ୍ରହ ଉପରେ ଦିଆଯାଏ।ତା ପରେ ରାଜପ୍ରସାଦ ବିଜେ ବା ଖଡ଼ି ପ୍ରସାଦ ବିଜେ ନୀତି ହୁଏ ଯେତେବେଳେ ତୋ ବିଗହରୁ ବାହାରିଥିବା ଆସ୍ତରଣକୁ ଗଜପତିଙ୍କ ପାଖକୁ ପଠେଇ ଦିଆଯାଏ।ଯାହା ହେଲେ ବି ସେ ତୋର ପ୍ରଥମ ସେବକ ଆଉ ଅତୀବ ଆପଣାର ନା…!!


ତା ପରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ନୀତି ଶ୍ରୀପୟର ପୂଜା କରାଯାଏ।ତୋ ପାଦ ପୂଜା ହୁଏ ଆଉ ନବ ବସ୍ତ୍ର ପିନ୍ଧେଇ ତୋତେ ସଜେଇ ଦିଆଯାଏ।ଢୋଲ,ମୃଦଙ୍ଗ ଆଦି ମଧ୍ୟ ବାଜିଥାଏ।ଅବଶ୍ୟ ଅଣସର ଘରେ ଏସବୁ ହେଉଥିବାରୁ ବାହାରକୁ ଶବ୍ଦ ଆସେନି।


ଏହାପରେ ଖଡିଲାଗି ନୀତିରେ ତୋ ଶ୍ରୀଅଙ୍ଗରେ ଶଙ୍ଖରୁ ପ୍ରସ୍ତୁତ କରାଯାଇଥିବା ଚୁନର ପତଳା ପ୍ରଲେପ ଦିଆଯାଏ ଆଉ ତୋ ଅଙ୍ଗ ମଧ୍ୟ ଶଙ୍ଖ ପରି ଚିକ୍ ଚିକ୍ ହୁଏ।ଶେଷରେ ବନକ ଲାଗି ହୁଏ ଯେତେବେଳେ ତୋର ବିଗ୍ରହରେ ତୂଳୀର ସ୍ପର୍ଶ ଦେଇ ଶୃଙ୍ଗାର କରାଯାଏ।


ଆଉ ତା ପରେ ହୁଏ ନବଯୌବନ ଦର୍ଶନ,ଉଭା ଯାତ୍ରା…!!ଆଉ ତୁ ପ୍ରସ୍ତୁତ ହେଉ ରଥରେ ଚଢ଼ି ନବଦିନାତ୍ମକ ଯାତ୍ରାରେ ବାହାରିବା ପାଇଁ।


କିନ୍ତୁ ଯେତେବେଳେ ମହା ଅଣସର ହୁଏ...ସେତେବେଳେ ନୂତନ ଦାରୁ ବିଗ୍ରହ ଗଢା ହେବା ପାଇଁ ଶଗଡ଼ିରେ କାଠଗଣ୍ଡି

ବୁହା ହୋଇ କୋଇଲି ବୈକୁଣ୍ଠକୁ ଆସନ୍ତି।ତା ପରେ ତିନିଜଣ ପୁରୁଖା ବିଶ୍ଵକର୍ମାଙ୍କ ସହିତ ନଅଜଣ ବିଶ୍ଵକର୍ମା ଲାଗି ପଡନ୍ତି ବିଗ୍ରହ ନିର୍ମାଣ କାର୍ଯ୍ୟରେ।ତାଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟାନ୍ୟ ବଢେଇମାନେ ମଧ୍ୟ ନିଯୁକ୍ତ ହୋଇଥାନ୍ତି।ଏହି କାମ ଅତି ଗୋପନରେ କରା ଯାଇଥାଏ।


କୋଇଲି ବୈକୁଣ୍ଠରେ ମୂର୍ତ୍ତି ଗଢଣ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ନିରବତା ରକ୍ଷା କରାଯାଇଥାଏ।ସେହି ବିଶ୍ଵକର୍ମାମାନେ ସେତିକି ଦିନ ନିଜ ନିଜ ପରିବାରବର୍ଗ ଠାରୁ ଦୂରରେ ରୁହନ୍ତି।ଘରକୁ ଯାଆନ୍ତି ନାହିଁ।ମହାପ୍ରସାଦ ଖାଇ ସେହି ସ୍ଥାନରେ ହିଁ ଦୀର୍ଘ ଏକୋଇଶ ଦିନ ରୁହନ୍ତି।ଏହି ସମୟରେ ଅନବରତ ନାମ ସଙ୍କୀର୍ତ୍ତନ ସହିତ ଦେବଦାସୀ ମାନଂକ ସଙ୍ଗୀତ ଗାନ ସେହି ସ୍ଥାନର ବାହାର ପରିବେଶକୁ ଭାବମୟ କରିଦିଏ।ମୁନିଆ ମୁହାଣରେ ହେଉଥିବା ଖୋଦେଇ କାମର ଶବ୍ଦ ମଧ୍ୟ ବାହାରକୁ ଶୁଣା ଯାଏନାହିଁ।


ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ସମାପନ ସହିତ ଚତୁର୍ଦ୍ଦଶୀ ତିଥିର ରାତ୍ରିର ଅନ୍ଧକାରରେ ତୋର ଘଟ ପରିବର୍ତ୍ତନ ନୀତି ସମ୍ପାଦିତ ହୁଏ।ସେହିଦିନ ସମ୍ପୂର୍ଣ୍ଣ ଅଞ୍ଚଳରେ ଅନ୍ଧକାର କରି ଦିଆଯାଏ।ଗମ୍ଭୀରୀ ଘରେ କେବଳ ଏକ ଦୀପ ଜଳୁଥାଏ।ନୂତନ ବିଗ୍ରହଙ୍କୁ ଆଣି ପୁରାତନ ବିଗ୍ରହଙ୍କ ସମ୍ମୁଖରେ ଦଣ୍ଡାୟମାନ କରାଯାଏ।ଆଉ ତତ୍ପରେ ସେହି ମହା ଗୋପନୀୟ ନୀତି ଆରମ୍ଭ ହୁଏ ଯାହାକୁ କୁହାଯାଏ "ବ୍ରହ୍ମ ପରିବର୍ତ୍ତନ"...!!


ଶୁଣିଛି ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଜଣେ ବୟୋଜ୍ୟେଷ୍ଠ ସେବକ ଅତି ସନ୍ତର୍ପଣରେ ତୋର ବ୍ରହ୍ମ ପଦାର୍ଥକୁ ପୁରୁଣା ବିଗ୍ରହଙ୍କଠାରୁ ଆଣି ନୂତନ ବିଗ୍ରହ ମଧ୍ୟରେ ସ୍ଥାପନା କରନ୍ତି...କଣ ଏହି ବ୍ରହ୍ମ ପଦାର୍ଥ ସେକଥା କେବଳ ତୁ ହିଁ ଜାଣୁ ଜଗା…!!ମୁଁ କିନ୍ତୁ ଏତିକି ଜାଣେ ଯେ ମନୁଷ୍ୟ ପରି ଲୀଳାଖେଳା କରୁଥିବା ଦାରୁଦିଅଁ ତୋର ଆତ୍ମା...ତୋ ହୃଦୟ ହେଉଛି ସେହି ବ୍ରହ୍ମ ପଦାର୍ଥ।ଯାହା ଚାଲିଯିବା ପରେ ପୁରାତନ ବିଗ୍ରହ ପ୍ରାଣଶୂନ୍ୟ ହୋଇଯାଏ ଆଉ ସେହି ବିଗ୍ରହ ମାନଙ୍କୁ ନେଇ କୋଇଲି ବୈକୁଣ୍ଠରେ ମାଟିତତ୍ତ୍ଵରେ ଲୀନ କରି ଦିଆଯାଏ।


ନୂତନ ବିଗ୍ରହ ତା ପରେ ରୀତିନୀତି ଅନୁଯାୟୀ ପୂଜା ଲାଭ କରି ସିଧା ନବଯୌବନ ଦର୍ଶନ ଦିଅନ୍ତି ଆଉ ଶ୍ରୀଗୁଣ୍ଡିଚା ଯାତରେ ବାହାରି ଯାଆନ୍ତି।ସତରେ କାଳିଆ... ତୋ ସହିତ ସବୁକିଛି ଜଣେ ମନୁଷ୍ୟ ଜୀବନର ଘଟଣା ପରି ହୁଏ ନା…??


ଏଇ ଯେମିତି ଭାଇ ଭଉଣୀ ସାଙ୍ଗରେ ବୁଲି ବାହାରି ଗଲାବେଳେ ତୁ ନିଜ ପତ୍ନୀଙ୍କ କଥା ଭୁଲିଯାଉ।ଆଉ ସେଇଥିପାଇଁ ତୋ ମାଉସୀ ଘରେ ତୁ ବିଶ୍ରାମ ନେବା ସମୟରେ ମା ଲକ୍ଷ୍ମୀ ଠାକୁରାଣୀ ନିଜ କ୍ରୋଧରେ ଅଙ୍କୁଶ ଲଗେଇ ନ ପାରି ସପ୍ତମୀ ତିଥିରେ ରାତି ସମୟରେ ଲୁଚି ଲୁଚି ଆଡ଼ପ ମଣ୍ଡପ ନିକଟକୁ ଯାଆନ୍ତି।ତୋ ନନ୍ଦିଘୋଷ ରଥର ଅଖ ଭାଙ୍ଗି ରଥଚକକୁ ବୁଲେଇ ଦିଅନ୍ତି ଆଉ ଖଣ୍ଡେ କାଠ ନେଇ ଲୁଚି ଲୁଚି ହରଗୌରୀ ସାହି ଭିତର ଦେଇ ମନ୍ଦିରକୁ ପଳେଇ ଆସନ୍ତି।ଆସିଲା ବେଳେ କିଛି ବଶିକରଣ ଗୁଣ୍ଡ ତୋ ରଥ ଉପରକୁ ଫୋପାଡି ଦିଅନ୍ତି।ଏହି ସବୁ ନୀତିକୁ ହେରାପଞ୍ଚମୀ ଉତ୍ସବ ରୂପେ ପାଳନ କରାଯାଏ।


ରଥର ଅବସ୍ଥା ଦେଖି ତୁ ସବୁକିଛି ବୁଝିଯାଉ।ଆଉ ଲକ୍ଷ୍ମୀଙ୍କ କଥା ମନ ପଡ଼ିବା ପରେ ବଡ ଦେଉଳକୁ ଆସିବାକୁ ସଜ ହେଉ।ରଥ ଦକ୍ଷିଣ ମୋଡ଼ ନିଏ।ଭାଙ୍ଗି ଯାଇଥିବା ଅଂଶର ମରାମତି ହୁଏ।ଆଉ ମାଉସୀଠାରୁ ବିଦାୟ ନେଇ ପୁଣି ଆସିବି ବୋଲି ପ୍ରତିଶ୍ରୁତି ଦେଇ ତୋ କର୍ମଭୂମିକୁ ଫେରି ଆସିବାକୁ ମନ କରୁ।


ରଥଯାତରାରେ ଯେମିତି ପହଣ୍ଡିରେ ତୁ ରଥରେ ଚଢ଼ିଥାଉ...ଠିକ୍ ସେମିତି ପହଣ୍ଡି ହୋଇ ଆସି ରଥରେ ଭାଇ ଭଉଣୀ ସହିତ ବସିଯାଉ।ପଛରେ ରହିଯାଏ ତୋ ଜନ୍ମବେଦୀ...ଆଡ଼ପ ମଣ୍ଡପ।କୁହାଯାଏ ତୋତେ ବର୍ଷସାରା ବଡ ଦେଉଳରେ ଦର୍ଶନ କଲେ ଯେତେ ପୁଣ୍ୟ ମିଳେନା ତାଠୁଁ ଅଧିକ ପୁଣ୍ୟ ଥରେ ଏହି ଆଡ଼ପ ମଣ୍ଡପରେ ଦର୍ଶନ କଲେ ମିଳିଥାଏ। ଅନନ୍ଦବଜାରରେ ଯେମିତି ଅବଢ଼ା ମିଳେ ଆଡ଼ପ ମଣ୍ଡପରେ ମଧ୍ୟ ସେମିତି ଅବଢ଼ା ପ୍ରସାଦ ବାହାରିଥାଏ।ସତରେ କାଳିଆ...ନିଜ ମା କୋଳକୁ ଛୁଆ ଆସିଲେ ବହୁତ୍ ଖୁସି ହୋଇଥାଏ ନା…!!??ସେହି କଥାକୁ ମନେ ପକାଇ ତୁ ମଧ୍ୟ ଏହି ଦିନସବୁରେ ଖୁସି ହେଇଯାଉ।ହେଲେ କେତେଦିନ ରହିପାରୁ ଭଲା…??ପହଞ୍ଚିଲା ବେଳକୁ ପ୍ରାୟ ତୃତୀୟା ସରି ଆସିଥାଏ।ଆଉ ଦଶମୀ ଦିନ ତୁ ବାହାରି ଆସୁ।ଏଇ ସପ୍ତାହକର ରହଣୀ ଭିତରେ ମା ମନର ତୃଷ୍ଣା କଣ ମେଣ୍ଟି ଥାଏ କି…!!??କିନ୍ତୁ କଣ କରାଯିବ..??ତା ପୁଅ ତ ଜଗତ ଠାକୁର।ତା ଛଡା କର୍ତ୍ତବ୍ୟପାଳନ ଆଗରେ ସବୁ ତୁଚ୍ଛ ହୋଇଥାଏ ବୋଲି ତ ଦୁନିଆକୁ ଶିଖେଇବାକୁ ପଡ଼ିବ ନା…!!??ତେଣୁ ବାହୁଡ଼ା ଯାତ୍ରା ଯଥାରୀତି ପାରମ୍ପରିକ ଢଙ୍ଗରେ ସମ୍ପାଦିତ ହୁଏ।


ଯେମିତି ଯେମିତି ତୋ ରଥ ବଡଦେଉଳ ପାଖକୁ ଆସେ...ଭକ୍ତମାନଙ୍କ କୋଳାହଳ ଆଉ ଘଣ୍ଟ ଘଣ୍ଟା ହୁଳହୁଳି ଶଙ୍ଖ ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୁଏ...ତୋ ସିଂହଦ୍ଵାର ସଜ ହୋଇଯାଏ ତା ସିଂହରାଜାକୁ ସ୍ଵାଗତ କରିବା ପାଇଁ। ତୋ ଭକ୍ତ ବତ୍ସଳତା ଆଗରେ ସତରେ ସବୁକିଛି ଫିକା ରେ କାଳିଆ…!! କାଳେ କିଏ କେଉଁ କାରଣରୁ ତୋର ଦର୍ଶନ ପାଇ ପାରି ନ ଥିବ...ଆଉଥରେ ବର୍ଷେ ପରେ ବାହାରକୁ ଆସିବୁ ନା...ଏଇୟା ଭାବି ରଥ ଉପରେ ତୁ ଦିନଟିଏ ରହିଯାଉ।ଏହିଦିନ ସ୍ଵର୍ଣ୍ଣ ଅଳଙ୍କାରରେ ଆପାଦମସ୍ତକ ସଜେଇ ହୋଇ ସୁନାବେଶରେ ଦର୍ଶନ ଦେଉ…!!ଆଉ ଏଇ ରଥ ଉପରେ ଆଉ ଏକ ଅଦ୍ଭୁତ ନୀତି ମଧ୍ୟ ସମ୍ପାଦିତ ହୋଇଥାଏ।


ଜୀବ ଜଗତ...କୀଟ ପତଙ୍ଗ…ପଶୁ ପକ୍ଷୀ...ମାନବ ଦାନବ ସହିତ ଭୂତ ପ୍ରେତ ମାନେ ମଧ୍ୟ ତୋ ଦୟାର ପାତ୍ର ହୋଇଥାନ୍ତି।ସେମାନଙ୍କ ଆଶା ମଧ୍ୟ ମହାପ୍ରସାଦ ଟିକେ ପାଇବାକୁ ଥାଏ।କୁହାଯାଏ ଶ୍ରୀମନ୍ଦିର ଦୁଆର ଭିତରକୁ କୌଣସି ଆତ୍ମା ପ୍ରବେଶ କରିପାରନ୍ତି ନାହିଁ।ତେଣୁ ସେମାନଙ୍କୁ ତୋର ପ୍ରସାଦ ଦେଇ ମୋକ୍ଷ ପ୍ରଦାନ କରିବା ଅଭିପ୍ରାୟ ରଖି ତୋର ଅଧରପଣା ନୀତି ଆରମ୍ଭ ହୁଏ।ଏଇ ନୀତିରେ ବଡ ବଡ ପଣାହାଣ୍ଡିକୁ ତୋ ଅଧରର ଉଚ୍ଚାରେ ତିଆରି କରାଯାଇ ଏଥିରେ ପଣା ଭର୍ତ୍ତି କରାଯାଏ।ତୋତେ ଭୋଗ ଲାଗିବା ପରେ ସେହି ହାଣ୍ଡିମାନଙ୍କୁ ରଥ ତଳକୁ ଗଡ଼େଇ ଦେଇ ଭାଙ୍ଗି ଦିଆଯାଏ।ସେତିକିବେଳେ ଯେଉଁ ପଣା ଗଡି ତଳେ ପଡ଼ିଥାଏ...ଭୂତ ପ୍ରେତଗଣ ସେହି ପ୍ରସାଦକୁ ସେତିକିବେଳେ ପାଇ ମୋକ୍ଷପ୍ରାପ୍ତିର ପ୍ରଥମ ଚରଣକୁ ପାର କରନ୍ତି।ଅଦ୍ଭୁତ...ସତରେ ଅଦ୍ଭୁତ ଜଗା ତୋ ପ୍ରେମ...ତୋ ପ୍ରୀତି...ତୋ କରୁଣା…!!ଅପୂର୍ବ ତୋ ଗାଥା…!!


ମା ମହାଲକ୍ଷ୍ମୀ ନିଜ ପ୍ରାଣପ୍ରିୟଙ୍କ ଆସିବା ବାଟକୁ ଚାହାଣୀ ମଣ୍ଡପରେ ଚାହିଁ ରହିଥାନ୍ତି।ବଡ ଠାକୁର ବଳଭଦ୍ର ଆଉ ଗେହ୍ଲି ଭଉଣୀ ସୁଭଦ୍ରା ଆଗ ପହଣ୍ଡି ହୋଇ ରଥରୁ ଓହ୍ଲେଇ ବଡ ଦେଉଳ ଭିତରକୁ ଚାଲି ଯାଆନ୍ତି।ଶେଷରେ ତୁ ଗହଳ 

ଲଗେଇ ଝୁଲି ଝୁଲି ଆସିଥାଉ ଶ୍ରୀମନ୍ଦିର ଅଭିମୁଖେ…!!ଆଉ ଠିକ୍ ସେତିକିବେଳେ….!!


ମା ମହାଲକ୍ଷ୍ମୀ ସିଧା ଉଠିଆସି ସିଂହଦୁଆରକୁ କିଳି ଦିଅନ୍ତି।ଆଉ ତୁ ଯେତେ ନେହୁରା ହେଲେବି ଦେଶ ଓ ବିଦେଶରେ ପତ୍ନୀ ବିନା ବୁଲିବାକୁ ଗଲେ କି ପରିଣତି ହୁଏ ଏଇୟା ଶିଖେଇବାକୁ ଏହି ଅଦ୍ଭୁତ ଲୀଳାର ଏକ ଅଂଶ ବିଶେଷ ହୋଇ ମା ମହାଲକ୍ଷ୍ମୀ ଜମାରୁ ବି ଦ୍ଵାର ଖୋଲନ୍ତି ନାହିଁ ।ଆଉ ଏତିକିବେଳେ ଅନୁଷ୍ଠିତ ହୁଏ ଲକ୍ଷ୍ମୀ ନାରାୟଣ ବଚନିକା।ଏହି ନାଟ ପାଇଁ ତୁ କେତେ ଫିକରଫନ୍ଦି କରିଥାଉ।ହେଲେ ମା ତୋ କଥା ଜମାରୁ ଶୁଣନ୍ତି ନାହିଁ। ତୁ ସେମିତି ଦେଉଳ ଆଗରେ କବାଟ ସେପଟେ ଥାଉ ଆଉ ତାଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଥାଉ…!!

ରସିକ ନାଗର ତୁ ...ଠିକ୍ ଜାଣିଛୁ କେମିତି ମାନ ଭଞ୍ଜନ କରାଯାଏ।ତୋତେ କଣ କିଛି ଶିଖେଇବାକୁ ହୁଏ କି…!!??କେବଳ ଏଇ ରସିକପଣିଆ ପାଇଁ ତ…

ତୋ ଭକ୍ତ ଜୟଦେବ ତୋ ପ୍ରେମଭକ୍ତିର ଅପୂର୍ବ ଗାଥା 'ଗୀତ ଗୋବିନ୍ଦ' ରଚନା କରି ଚାଲିଥିଲେ।ପ୍ରେମରସରେ ଉଦବୁଦ୍ଧ ହେଲାବେଳେ ହଜି ଯାଉଥିଲେ ଜୟଦେବ।ଏମିତି ଲେଖୁ ଲେଖୁ ମାନୀନି ଗୋପାଲୁଣୀ ରାଧିକା ରାଣୀଙ୍କ ମାନ ଭଞ୍ଜନ ଉଦ୍ଦେଶ୍ୟରେ ତୋତେ ତାଙ୍କ ପାଦ ଧରିବାକୁ ହେବ ବୋଲି ଭାବଟି ଆସିଥିଲେ ମଧ୍ୟ ନିଜ ପ୍ରଭୁଙ୍କ ପାଇଁ ସେ ଏହା ଲିପିବଦ୍ଧ କରିବାରେ ସକ୍ଷମ ହେଇ ନ ଥିଲେ।ମନ ତାଙ୍କର ବହୁତ୍ ଖରାପ ଥାଏ।ଏତେ ବଡ ପ୍ରେମଗ୍ରନ୍ଥର ସମାପ୍ତି ହୋଇ ନ ପାରିବାଟା ତାଙ୍କ ହୃଦୟକୁ ମନ୍ଥି ପକାଉଥିଲା।ତୁ ତ ପ୍ରେମର ମୂର୍ତ୍ତିମନ୍ତ ଦେବତା।ପ୍ରେମିକାର ମାନ ଭଞ୍ଜନ ପାଇଁ ଏଇଟା କରିବା ତୋ ପାଇଁ ଛୋଟିଆ କାମଟିଏ ଥିଲା।ଆଉ ତୋ ମନ ମଧ୍ୟ ତୋ ଭକ୍ତର ଦ୍ୱିଧାକୁ ବି ବୁଝି ସାରିଥିଲା।ଭାବରଠାକୁର ବୋଲି ତ ଜୟଦେବଙ୍କ ଅନୁପସ୍ଥିତିରେ ତାଙ୍କ ରୂପ ନେଇ ତୁ ଆସି ଲେଖିଦେଇ ଥିଲୁ ସେହି ଅମୂଲ୍ୟ ଧାଡ଼ି…"ଦେହି ପଦ ପଲ୍ଲବ ମୁଦାରଂ"...ଆଉ ସମ୍ପୂର୍ଣ୍ଣ ହୋଇଯାଇଥିଲା ଐତିହାସିକ ପ୍ରେମଭକ୍ତିର ଅଦ୍ୱିତୀୟ ଅମ୍ଳାନ କୀର୍ତ୍ତି…!!ଏହି ଗୀତଗୋବିନ୍ଦର ରସ ଆସ୍ଵାଦନ କରିବା ପାଇଁ ତୋ ମନ ଏତେ ବ୍ୟାକୁଳ ଯେ ସବୁଦିନ ରାତିରେ ବଡ଼ସିଂହାର ବେଶ ହେଲା ପରେ ଶୋଇବା ଆଗରୁ ତୁ ଗୀତଗୋବିନ୍ଦ ଗାଥା ଶୁଣିଥାଉ।ତୁ ପିନ୍ଧୁଥିବା ଖଣ୍ଡୁଆ ପାଟରେ ମଧ୍ୟ ଗୀତଗୋବିନ୍ଦ ଲେଖା ହୋଇଥାଏ…!!ଏହି ହୃଦୟ ନିସୃତ ସଙ୍ଗୀତର କେବଳ ଦୁଇଧାଡ଼ି ଶୁଣିବାକୁ ଛୁଟି ଯାଇଥିଲୁ ତୁ ସେଇ ବାଇଗଣ କୀଆରିକୁ...ଯେଉଁଠି ସେଇ ପରିବା ବିକାଳୀ ଝିଅଟି ଜୟଦେବ ଗାଉଥିବା ବେଳେ ଶୁଣି ଶୁଣି ଅଳପଟିକେ ମନ ରଖିଦେଇ ଗାଇ ଚାଲିଥିଲା।ସେତେବେଳେ ତୋ ଦେହରେ ଥିବା ବସ୍ତ୍ର ଚିରି ଯାଇଥିଲା ଆଉ ତାକୁ ଦେଖି ବଡ଼ପଣ୍ଡା ଜାଣି ପାରିଥିଲେ ସବୁକିଛି।ମାଦଳା ପାଞ୍ଜିରେ ଉଲ୍ଲେଖ ଥିବା ପରମ୍ପରା ଅନୁଯାୟୀ ଗୀତଗୋବିନ୍ଦ ଗାନ ତୋର ପୂଜାବିଧିର ଅଂଶ ବିଶେଷ ହୋଇପାରିଛି।


ଆଉ ଲକ୍ଷ୍ମୀ ଠାକୁରାଣୀଙ୍କୁ ମନେଇବାକୁ ତୁ କଣ ଠିକ୍ ରାସ୍ତା ପାଇ ନ ଥାନ୍ତୁ...!!??ତାଙ୍କ ମନଲାଗି ରସାଳ ରସଗୋଲା ଦେଇ ଆରାମରେ ତାଙ୍କୁ ମନେଇ ଦେଉ ତୁ କାଳିଆ…!!ମା ମାନିଯାଆନ୍ତି ତୋ କଥାକୁ ଯେତେବେଳେ ତୁ କହୁ ଯେ ଆଉ ତାଙ୍କୁ ଛାଡ଼ି ଏକୁଟିଆ ବୁଲିଯିବୁନି…!!କିନ୍ତୁ ତୁ ତ ଜଗତନାଥ ରେ...ଲକ୍ଷେ ଯୋଜନ ଦୂରରେ ଗଜରାଜ ଡାକି ଦେଲା ବୋଲି ଦୌଡ଼ି ଆସିଥିଲୁ ନା ତୁ ବୈକୁଣ୍ଠରୁ…!!?? ଚକ୍ରପେଶି ନକ୍ରନାଶି ତାକୁ ଉଦ୍ଧାର କରିଥିଲୁ…!! କୁରୁସଭା ସ୍ଥଳେ ଦ୍ରୌପଦୀ ବସ୍ତ୍ରହରଣ ସମୟରେ ହାତଟେକି ମାନରକ୍ଷା କରିବାକୁ ଗୁହାରି କରିବାରୁ ତାଙ୍କୁ କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଥିଲୁ ନା…!!ଘୋର ବନ ମଧ୍ୟରେ ମୃଗୁଣିର ଡାକ ଶୁଣି ପହଞ୍ଚି ଯାଇଥିଲୁ ନା ତାକୁ ଉଦ୍ଧାର କରିବାକୁ…!!??ଆଉ ତୁ ରଥରେ ଦର୍ଶନ ଦେଇ ପତିତଜନଙ୍କୁ ଉଦ୍ଧାର କରିବାକୁ କଣ ଆସି ନ ଥାନ୍ତୁ..!!??


ଦାସିଆ ବାଉରୀ ଅଛ୍ଛବ ବୋଲି ତୋ ନିକଟକୁ ଯାଇ ପାରିଲାନି...ହେଲେ ନିଜେ ହାତ ବଢ଼େଇ ତା ନଡ଼ିଆକୁ ଗ୍ରହଣ କରି ନେଇଥିଲୁ ନା ଦୟାନିଧି…!!ଆଉ ତା ପରେ ଭାତ ଉପରେ ଶାଗକୁ ଥୁଆ ହୋଇଥିବା ଦେଖି ସେ ତୋ ଚକାଡୋଳା ଦେଖିଦେଲା ପରି ଆନନ୍ଦରେ ଡେଇଁ ଚାଲିଥିଲା ନା କାଳିଆ…!!ଭକ୍ତି ନୈବେଦ୍ୟର କି ଅନନ୍ୟ ଉଦାହରଣ ସତରେ…!!ଶ୍ରୀଚୈତନ୍ୟ ମଧ୍ୟ ଏମିତି ଭକ୍ତିରସରେ ବୁଡି ରହି ନୃତ୍ୟ କରୁଥିଲେ କୀର୍ତ୍ତନର ତାଳେ ତାଳେ…!!ତୋତେ ନାଚ ଗୀତ ଭଲ ଲାଗେ ବୋଲି ତ ଦେବଦାସୀ ନିଜକୁ ସମର୍ପିଦିଏ ତୋ ଭକ୍ତିର ତାଳେ ତାଳେ ନିଜ ହୃଦୟର ଘୁଙ୍ଗୁରକୁ ବଜାଇ ଦେଇ…!!ଅବଶ୍ୟ ଏହି ପରମ୍ପରା ବର୍ତ୍ତମାନ ଆଉ ନାହିଁ।କିନ୍ତୁ କି ନାରୀ କି ନର...ତୋ ଭଜନ ଜଣାଣ ତାଳେ ତାଳେ କହ କାହାର ମନ ନ ଝୁମେ ରେ ବଂଶୀଧର…!!??


ବିଦୁର ଘରେ ଶାଗଭଜା ଖିଆ ହେଉ କି କାଳିଆ ଷଣ୍ଢ ରୂପରେ ଭକତ ବାରିରୁ କଦଳୀଖିଆ ହେଉ ...ଦେଖାଯାଏ ତୋ ମହାନତା…!!ଭାରି ମନୁଆ ଠାକୁର ନା ତୁ…??ମନ ନ ପାଇଲେ କାହା କଥା ଟିକେ ବି ଶୁଣିବୁନି।କେତେବେଳେ ବନ୍ଧୁ ମହାନ୍ତିର ଭୋକ ନ ସହି ନିଜ ରତ୍ନଥଳୀ ତାକୁ ଦେଇ ଆସିଛୁ ତ କେତେବେଳେ ଗୀତା ପଣ୍ଡା ଘରେ ନିଜେ ଭାର ନେଇ ପହଞ୍ଚେଇ ଆସିଛୁ…!!ଖାଲି ସେତିକି ନୁହେଁ ତାଙ୍କ ପତ୍ନୀ ଭଗବତ୍ ଗୀତାକୁ ଚିରି ଦେଇ ଥିବାରୁ ତାଙ୍କୁ ଦେଖେଇ ଦେଇଥିଲୁ ତୋ ଜିଭ କେମିତି ଦୁଇଫାଳ ହୋଇ ଯାଇଥିଲା…!!??କେତେବେଳେ ବଳରାମ ଦାସଙ୍କ ବାଲିରଥରେ ଉଭା ହୋଇ ଯାଇଛୁ ତ କେତେବେଳେ ସାଲବେଗ ନ ଆସିବା ଯାଏଁ ନନ୍ଦିଘୋଷରେ ସେମିତି ଗୁମ୍ ମାରି ବସି ରହିଛୁ... ଦୀର୍ଘ ସାତଦିନ ଯାଏଁ…!!ହାତୀ ଆସିଲେ ବି ତୋତେ ହଲେଇ ପାରେନା...ହେଲେ ଭକ୍ତଟିଏ ବିକଳ ହୋଇ ଡାକିଦେଲେ ତୁ ସମ୍ପୂର୍ଣ୍ଣ ଦୋହଲି ଯାଉ…!?କେତେବେଳେ ଭକ୍ତ ପ୍ରାଣଧନ ତୁ ଭକ୍ତ ତଳିଛା ମହାପାତ୍ରଙ୍କୁ ବଞ୍ଚେଇବା ପାଇଁ ଗହଳ କେଶକୁ ଧାରଣ କରିଛୁ ତ ଅନ୍ୟ କେତେବେଳେ ଗଣପତି ଭଟ୍ଟ ତୋତେ ମନ ପୁରେଇ ଦେଖିବେ ବୋଲି ସ୍ନାନ ମଣ୍ଡପରେ ଗଜରାଜଙ୍କର ବେଶରେ ସଜେଇ ହୋଇଛୁ…!!କଣ କହିହେବ ତୋ ମହିମା କଥା ରେ ଜଗା…!!ତୁ ତ କୋଣ କୋଣରେ ବିଦ୍ୟମାନ…!! ଘଟ ଘଟରେ ଭ୍ରାମ୍ୟମାନ…!!


ଗୀତା,ରାମାୟଣ ପାଠରେ ଯେତିକି ପୁଣ୍ୟ ମିଳେନି ତାଠୁଁ ଢେର୍ ଅଧିକ ପୁଣ୍ୟ ମିଳେ ତୋ ବେତବାଡି ପ୍ରହାର ମୁଣ୍ଡରେ ଥରେ ବାଜିଲେ…!!ଜପ ତପ ଉପବାସ ଯେତେ ତୋ ନିକଟକୁ ନେଇ ପାରେନି ତାଠୁଁ ତୋର ନିକଟକୁ ଯିବା ପାଇଁ କେବଳ ଭକ୍ତି ସମର୍ପଣରେ ଦୁଇ ହାତ ଟେକିଦେଲେ ଯଥେଷ୍ଟ ହୋଇଥାଏ…!!ତୋ ଡୋରି ନ ଲାଗିଲେ ତୋ ଦର୍ଶନ ମିଳେ ନାହିଁ।ଦେଉଳ ଭିତରକୁ ପ୍ରବେଶ କଲା ମାତ୍ରେ ଶିବଶକ୍ତିଙ୍କ ଯୁଗଳ ମୂର୍ତ୍ତି ପାଖରେ ସଧବା ସ୍ତ୍ରୀଲୋକମାନେ ଅଟକିଯାଇ ନିଜର ପାଣି କାଚ ବଜ୍ର ହେବାକୁ ପ୍ରାର୍ଥନା କରନ୍ତି ଆଉ ସ୍ଵୟଂ ପାର୍ବତୀ ସେମାନଙ୍କ ଗୁହାରୀ ଶୁଣନ୍ତି…!!ତୋ ଦେଉଳ ସାମ୍ନାରେ ଥିବା ମୁକ୍ତିମଣ୍ଡପ ଉପରେ କାଳେ ନିଜେ ଦେବତା ମାନେ ବସି ବ୍ରାହ୍ମଣ ବେଶରେ ଆଶିଷ ଦିଅନ୍ତି…!!ମନ୍ଦିର ପ୍ରାଙ୍ଗଣରେ ଅନେକ ଛୋଟ ବଡ଼ ମନ୍ଦିର ଅସରନ୍ତି ବିଶ୍ଵାସର ଗାଥା ଶୁଣେଇ ଚାଲନ୍ତି।ପ୍ରତ୍ୟେକ ଦେବାଦେବୀ,ଗ୍ରହ ନକ୍ଷତ୍ରଙ୍କର ଅବସ୍ଥିତି ଆଉ ଉପସ୍ଥିତି ସହ ଶ୍ରୀମନ୍ଦିର ଭାବମୟ ହୋଇଉଠେ।ଏଇଠି ଦିନରାତି କିଛି ଫରକ୍ ଜଣା ପଡେନି…!!କାର୍ତ୍ତିକ ମାସର ଲକ୍ଷାଦୀପ ନୀତି ହେଉ କି ରାଇ ଦାମୋଦର ଓଷା...ଏକାଦଶୀ ତିଥିର ସ୍ଵତନ୍ତ୍ର ପୂଜା ହେଉ କି ମଦନମୋହନଙ୍କ ବେଢ଼ା ପରିକ୍ରମା...ଦେବ ଦୀପାବଳୀ ହେଉ କି ଜନ୍ମାଷ୍ଟମୀ ଉତ୍ସବ…!!ସବୁକିଛି ବହୁତ୍ ନିଆରା ଆଉ ସବୁ ତର୍କବିତର୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ…!!ଏଠି ଥିବା ପୁରାତନ ବଟବୃକ୍ଷ ସୃଷ୍ଟି ଆରମ୍ଭରୁ ଅଛି ବୋଲି ବିଶ୍ୱାସ କରାଯାଏ।ସେହି କଳ୍ପବଟକୁ ଛୁଇଁ ଯାହା ମନାସିବ ତାହା ପାଇବ ବୋଲି କୁହାଯାଏ।ଏଠି ଥିବା ରୋହିଣୀକୁଣ୍ଡ ଜଳ ସ୍ପର୍ଶ ମାତ୍ରକେ କାକଟିଏ ନାରାୟଣ ସ୍ୱରୂପ ପ୍ରାପ୍ତ କରିଥିବା ବିଶ୍ୱାସ କରାଯାଏ।ଏଠି ଥିବା ଦେବ ମଣ୍ଡପରେ ପ୍ରତ୍ୟହ ଦେବସଭା ହେଉଥିବା ବିଶ୍ୱାସ କରାଯାଏ…!!ଏଠି ଯଦି ବିଶ୍ୱାସ ପ୍ରମାଣ ଖୋଜେ ତେବେ ନିଜେ ତା ଅସ୍ତିତ୍ବ ହରେଇ ବସେ।ଏତେ ଗହଳି ଚହଳି ଦିନରେ ଲାଗିଥିଲେ ମଧ୍ୟ ତୋ ପହଡ଼ ପଡ଼ିବା ପୂର୍ବରୁ ମନ୍ଦିରକୁ ଜନଶୂନ୍ୟ କରି ଦିଆଯାଏ।ଏଠି ପ୍ରାଙ୍ଗଣ ଭିତରେ କେବେ କୌଣସି ଭକ୍ତ ଇହଲୀଳା ତ୍ୟାଗ କରନ୍ତିନି ବୋଲି ବିଶ୍ୱାସ ଅଛି।ସବୁ ନୀତି ଅନୀତି ଉପରେ...ସବୁ ନିୟମ ବେନିୟମ ଉର୍ଦ୍ଧ୍ବରେ...ସବୁ ବିଶ୍ୱାସ ଅବିଶ୍ବାସ ଆଗରେ ଅଛୁ ତୁ...କେବଳ ତୁ ଜଗତ ଠାକୁର..!!ତୋ ବିନା ଆଉ କିଏ ଅଛି ରେ କାଳିଆ..??


ତୋତେ ସର୍ପ ଜଣାଣ କଲେ ବି ତୁ ଖୁସି ହୋଇଛୁ...ତୋତେ ପଥର କହିଲେ ବି ଶାଳଗ୍ରାମ ରୂପ ନେଇ ସାମ୍ନାକୁ ଆସିଛୁ…!!ତୋ ରତ୍ନବେଦୀ ତଳେ କାଳେ ଅସଂଖ୍ୟ ଶାଳଗ୍ରାମ ଅଛନ୍ତି।ତେଣୁ ଭିତର କାଠ ଆଗକୁ ଯିବା ପାଇଁ ପ୍ରାୟତଃ ଅନୁମତି ମିଳି ନ ଥାଏ…!!ଚକା ଚକା ତୋ ଦୁଇ ଆଖିରେ ଏ ଚର୍ମ ଆଖି ଦୁଇଟି ମିଶିଗଲା ପରେ ମନଟା କେମିତି କେଜାଣି ପୁରା ଖାଲି ହୋଇଯାଏ…!!କେତେ କଣ ମାଗିବାକୁ ଇଛା କରି ଛୁଟି ଆସିଥିବା ତୋ ଭକ୍ତମାନେ ତୋତେ ଦେଖି ସବୁ ଭୁଲି ଯାଆନ୍ତି।କି କିମିଆ ଜାଣିଛୁ କେଜାଣି ତୁ…!!ଥରୁଟିଏ ତୋତେ ଦେଖିଦେବା ପରେ ସତରେ ଆଉ କଣ କିଏ ମାଗି ପାରିବ କି ରେ ଦୟାନିଧି…!!??


ତୋ ଦେଉଳ ତୋ ଦାଣ୍ଡ ତୋ ଦୁଆର ତୋ ନେତ ସବୁତ ତୋ ପରି ବଡ ଆଉ ସବୁ ମଧ୍ୟ ଅଟନ୍ତି ଠାକୁର…!!ତୋ ଅରୁଣ ସ୍ତମ୍ଭ ଠାକୁର...ତୋ ଗରୁଡ ସ୍ତମ୍ଭ ଠାକୁର…!!ତୋ ମହାପ୍ରସାଦ ଠାକୁର...ତୋ ମହାଦୀପ ବି ତ ଠାକୁର…!!ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ମହାଲକ୍ଷ୍ମୀଙ୍କ ମନ୍ଦିର ସାମ୍ନାରୁ ଉପରକୁ ଦେଖିଲେ ଥରକରେ ତୋର ଆଉ ମା'ଙ୍କର ମନ୍ଦିର ଚୂଡାର ଏକ ସଙ୍ଗେ ଯୁଗଳଦର୍ଶନ ମିଳିଯାଏ…!!ଯେଉଁ ସ୍ଥାନରୁ ବଳିରାଜ ପାତାଳୀ ହୋଇଛନ୍ତି ବିଶ୍ୱାସ କରାଯାଏ ସେହି ବଳିବାମନ ମନ୍ଦିରକୁ ପିଠି କରି ଠିଆ ହୋଇଯିବା ପରେ ଦୁଇହାତ ଯୋଡ଼ି ତୋ ପତିତପାବନ ନେତକୁ ତୋ ନୀଳଚକ୍ରକୁ ଚାହିଁ ପୁଣି ଡାକିବାକୁ କହିଦେଲେ ତୁ ପୁଣି ବହୁତ୍ ଜଲଦି ନିଜ ପାଖକୁ ଡାକୁ ରେ କାଳିଆ…!!ଭୂତପ୍ରେତ ଭୟ ଲାଗିଲେ ବିଶ୍ୱାସ ଅଛି ତୋ ଦେଉଳର ଦକ୍ଷିଣଦ୍ଵାର ଯେଉଁଠି ଚିମିନ ଚଢ଼େଇମାନେ ବସାବାନ୍ଧି ରହିଛନ୍ତି...ତା ଭିତର ଦେଇ ଥରେ ଚାଲିଗଲେ ମନରୁ ସେ ଭୟ ସବୁଦିନ ପାଇଁ କୁଆଡେ ଉଭେଇ ଯାଏ…!!


କେତେ ବିଶ୍ୱାସ...କେତେ ଲୋକକଥା...କେତେ ସାକ୍ଷୀ ପ୍ରମାଣ...କେତେ ଯେ ତୋ ଅମ୍ଳାନ ଗାଥା ରେ ଜଗା…!!ଭକ୍ତ ସହିତ ଆସି ସାକ୍ଷୀ ଦେଇଛୁ ବୋଲି ତୁ ବୋଲାଉ ସାକ୍ଷୀ ଗୋପାଳ...ବଙ୍କେଇ ମୁକୁଟକୁ ପିନ୍ଧୁ ବୋଲି ଯେ ତୋର ବାଙ୍କଚୂଳ…!!ତୋ କଥା ଯଦି କଥାରେ କହିହେବ ତେବେ ସବୁ କଥା ଏଇଠି ନୂଆ ଭାଷାକୁ ଖୋଜିବ।ତୁ ଶୂନ୍ୟ...ତୁ ବ୍ରହ୍ମ...ତୁ ପୁଣ୍ୟ...ତୁ ସ୍ୱୟଂସମ୍ପୂର୍ଣ୍ଣ…!!ମୋ ମନରେ ତୁ...ମୋ ଧ୍ୟାନରେ ତୁ...ମୋ କର୍ମରେ ତୁ...ମୋ ଧର୍ମରେ ତୁ…!!ଯେଉଁଠି ନିଜେ ବେଦ,ଗ୍ରନ୍ଥ,ପୁରାଣ ନେତି ନେତି କହି ଅସମର୍ଥ ହୋଇଯାଇଛନ୍ତି ତୋ ଲୀଳାଖେଳା ପ୍ରକାଶ କରିବାକୁ... ସେଠି କହ ମୁଁ ବା କି ଶବ୍ଦସବୁ ସଂଯୋଜନା କରିପାରିବି ଯେଉଁଥିରେ ଜଗତପତି ବିଷୟରେ କିଛି କହି ପାରିବି…!?କେବଳ ଏତିକି କହିବି...ମୋ ସତ୍ୟ ତୁ...ମୋ ସ୍ବପ୍ନ ତୁ...ମୋ ନିଦ୍ରା ତନ୍ଦ୍ରା କଳ୍ପନା ବି ତୁ...ମୋ ଦୃଷ୍ଟି ତୁ...ମୋ ନଜରରେ ତୁ...ମୋ ଶକ୍ତି ତୁ...ମୋ ମୁକ୍ତି ବି ତୁ...ମୋ ଭକ୍ତି ତୁ...ମୋ ଯୁକ୍ତି ବି ତୁ…!!ତୋତେ ମନରେ ହୃଦରେ ଦେଖୁଛିରେ କାଳିଆ...ଦେଖ...ମୋ ଆଖିରେ ଅଛୁ ତୁ...ମୋ ଆଖିରେ ତୁ...ଜୟ ଜଗନ୍ନାଥ... ଜୟ ଜଗନ୍ନାଥ... ଜୟ ଜଗନ୍ନାଥ…!!


(ହରି ଅନନ୍ତ... ହରିକଥା ଅନନ୍ତ...)

ବର୍ତ୍ତମାନ ପାଇଁ...


ସମାପ୍ତ



Rate this content
Log in

Similar oriya story from Inspirational