Madhu Mita

Tragedy Inspirational

4  

Madhu Mita

Tragedy Inspirational

ଖେଳ

ଖେଳ

5 mins
302


ଲୁହ ଲେଞ୍ଜରା ମିଶି ଯିବାରୁ ଆଖି ଆଗର ଦୃଶ୍ୟଟା ଝାପସା ଦିଶୁଥିଲା।ସଞ୍ଜ ପାଖେଇ ଆସୁଥିବାରୁ ସମସ୍ତେ ବ୍ୟସ୍ତ ବିବ୍ରତ ହେଇ କାମ ଆଗେଇ ନେଉଥିଲେ।ଏଇ ଦୃଶ୍ୟ ଦେଖିବାକୁ ଶକ୍ତି ନଥିଲା ତା ପାଖରେ।ତେଣୁ ଝାପସା ଦିଶୁଥିଲେ ମଧ୍ୟ ସେ ସେହି ବୋହି ଯାଉଥିବା ଲୁହ ପୋଛି ନଥିଲା କି ଲେଞ୍ଜରା କାଢି ନଥିଲା।କାନ୍ଦି କାନ୍ଦି ମୁହଁ ଫୁଲି ଯାଇଥିଲା।ସବୁକିଛି ଠିକଠାକ ଥିଲା ବେଳେ ଏମିତି ସବୁ କଣ ଘଟିଗଲା ସେ କିଛି ବୁଝି ପାରୁ ନଥିଲା ।

"ରଘୁଆ ଗଲାବେଳେ କହିଦେବୁରେ। ତୋର ଯେଉଁ ଭୁଲାମନ ମୁଁ ଏଇଠି ସବୁ ଯୋଗାଡ ସାରି ଦେଇଥିବି ଆଉ ତୁ ଭୁଲିଗଲେ ସବୁ ଗଡବଡ ହେଇଯିବ "ମା ପାଟି କରି କହୁଥିଲା।

"ତୁ ବ୍ୟସ୍ତ ହ ନା ମୁଁ ଠିକ୍ ସମୟରେ ଆସି ପହଞ୍ଚି ଯିବି"କହୁଥିଲା ରଘୁ।

"ଭାଇରାବିଡି ନିଶ୍ଚୟ ଆଣିବୁ।"ମନ ପକେଇ ଦେଲା ମାନି।

ହଁ ହଁ କହି ରଘୁ ବାହାରିଗଲା।ତା କଥାରେ ବିଶ୍ବାସ କରି ମା କାମଧାମ ଆରମ୍ଭ କରିଦେଲେ।ବାପାଙ୍କର ଜନ୍ମଦିନ।ଜେଜେମା ଆଉ ଜେଜେ ମଧ୍ୟ ଗାଁରୁ ଆସି ପହଞ୍ଚି ଯାଇଥିଲେ।ଘରେ ପୂଜାପୂଜି କରି ସାରିବା ପରେ ସମସ୍ତେ ସାଙ୍ଗ ହେଇ ମନ୍ଦିର ଯାଇ ଅବଢ଼ା ପାଇ ଆସିବାକୁ ନିଷ୍ପତ୍ତି ନେଲେ।ହେଲେ ଜେଜେଙ୍କ ଆଣ୍ଠୁରେ ବିନ୍ଧା ହଉଥିଲା। ବସ ରେ ବସି ଆସିଥିଲେ ସିଏ।ଏଇ ବୟସରେ ତ ଏସବୁ ହୁଏ।ତେଣୁ ଆଶ୍ଚର୍ୟ୍ଯ ହେବାର କିଛି କାରଣ ନଥିଲା।ସିଏ ମନ୍ଦିର ଯିବାକୁ ମନା କରିଦେଲେ।ତାଙ୍କ ଦେଖାଦେଖି ଜେଜେମା ମଧ୍ୟ ଯିବନି କହିଲା।ମା ଘରେ ରୋଷେଇ କରିଦେବାକୁ ବାହାରିଲେ।ହେଲେ ବାପା ମନାକଲେ।

"ଅବଢ଼ା ଖାଇବା ବୋଲି ଭାବିଛେ।ଘରେ ରୋଷେଇ କରନି।ରଘୁ ବରଂ ମନ୍ଦିର ଯାଇ ନେଇ ଆସୁ"କହିଲେ ବାପା।

ପ୍ରସ୍ତାବଟା ସମସ୍ତଙ୍କୁ ଭଲ ଲାଗିଲା।ହେଲେ ରଘୁର ମନ ଯାଇ କ୍ରିକେଟ ଖେଳର ଫାଇନାଲ ରାଉଣ୍ଡରେ।କାଲିର ଖେକଟା ବର୍ଷା ଯୋଗୁଁ ବାତିଲ ହେଇ ଯାଇଥିଲା।ଦି ସାହି ଭିତରେ ହେଉଥିବା ଏହି ବାର୍ଷିକ ପ୍ରତିଯୋଗିତା ଆଜି ନିଶ୍ଚୟ ହେବ।ହେଲେ ବୋଧେ ଦି ପହରରେ।ଏଇ ସମୟରେ ମନ୍ଦିର ଅବଢ଼ା ଆଣିବା କାମଟା ତା ମୁଣ୍ଡ ଉପରେ ପଡ଼ିବାକୁ ବାକି ଥିଲା ଯାହା।ହେଲେ ତା ପାଖରେ ଆଉ କିଛି ଉପାୟ ବି ନଥିଲା।ଘରେ ସମସ୍ତେ ଏଇ ଗୋଟିଏ କଥାରେ ଏକମତ ହେଇଗଲେ।ରଘୁ ପଇସା ପକେଟରେ ଭର୍ତ୍ତି କରି ବଡ ବ୍ୟାଗ୍ ନେଇ ବାହାରିଲା ମନ୍ଦିର ଆଡ଼େ।

ଏମିତିରେ କାଳିଆ ପାଖରେ ସବୁଦିନେ ଭକ୍ତଙ୍କ ଗହଳି ଲାଗି ରହିଥାଏ।ହେଲେ ସେଦିନ ରଘୁକୁ ବେଶୀ ଅଧିକ ଗହଳି ଥିଲା ପରି ଲାଗୁଥିଲା।ବ୍ୟାରିକେଡ଼ ହୋଇଯିବା ପରେ ଲମ୍ବା ଲାଇନ୍ ଲାଗି ରହୁଛି ଭକ୍ତଙ୍କର।ବିରକ୍ତ ଲାଗୁଥିଲା ରଘୁକୁ।ଯେତେ ଚିହ୍ନା ପିଲା ହେଲେ ମଧ୍ୟ ତାକୁ ମଧ୍ୟ ଏଇ ଲାଇନ୍ ରେ ହିଁ ଯାଇ ମହାପ୍ରସାଦ ଆଣିବାକୁ ପଡ଼ିବ।ଅବଶ୍ୟ ଆଗରୁ ବି ଯେତେବେଳେ ଘରକୁ କିଏ କୁଣିଆ ଆସନ୍ତି କିମ୍ବା ପୁଜାପର୍ବ ହୁଏ ଆଉ ସମସ୍ତେ ଦିଅଁ ଦର୍ଶନ ପାଇଁ ଯାଇ ପାରନ୍ତିନି ସେତେବେଳେ ଏଇ କାମଟା କରାଯାଏ।ଅବଢ଼ା ଘରକୁ ନେଇ ଆସିବାକୁ ହୁଏ।ସେତେବେଳେ ଏଇ ଲାଇନ୍ ବହୁତ୍ ବାଧେ।ମନ ହୁଏ ଏଇ ଜିନିଷର କିଛି ଅଲଗା ବ୍ୟବସ୍ଥା ଥାଆନ୍ତା କି ?

ଉଦୁଉଦିଆ ଖରାବେଳେ ରଘୁର ମନ ଭିତରଟା ଖାଲି କ୍ରିକେଟ ପଡିଆକୁ ଧାଇଁ ପଳେଇ ଯାଉଥାଏ।ବାପା ତା ପାଇଁ ମୋବାଇଲ କିଣେଇ ଦେଇ ନାହାନ୍ତି।ଦଶମ ପରେ କୁଆଡେ ତାକୁ ମୋବାଇଲ ମିଳିବ।ହେଲେ ତା ଭଉଣୀ ମାନିକୁ ମା ତାର ମୋବାଇଲ ଦିଏ।ପଢାପଢି ପାଇଁ।ରଘୁ କୁଆଡେ ଖାଲି ଖେଳରେ ମନ ଦିଏ।ହେଲେ ସେ କେମିତି ବୁଝେଇବ ଯେ ଏଇ ଖେଳ ଖେଳି କେତେ ଖେଳାଳୀ ଦେଶର ନାଆଁ ରଖିଛନ୍ତି ଆଉ ସିଏ ଖେଳିଲେ ଘରେ କାହାକୁ ପସନ୍ଦ ନୁହେଁ।ବାପା ଚାହାଁନ୍ତି ସେ ଭଲ ମାର୍କ ରଖି ଚାକିରୀ ଖଣ୍ଡେ ପାଇଯାଉ।ତାଙ୍କର ଆଉ କିଛି ଦରକାର୍ ନାହିଁ।ହେଲେ କ୍ରିକେଟ ସାମ୍ନାକୁ ଆସିଗଲେ ରଘୁ ପରୀକ୍ଷା ହଲରୁ ବି ବାହାରି ପଳେଇ ଆସିବ।ସେଇଥିପାଇଁ ବାପା ବେଳେବେଳେ ଉତ୍ତମ ମଧ୍ୟମ ମଧ୍ୟ ଦେଇଛନ୍ତି।ଆଉ ତା ମୋବାଇଲ ଧରା ଉପରେ କଟକଣା ଲଗେଇ ଦେଇଛନ୍ତି।ନହେଲେ ଏତିକି ବେଳକୁ ସାଙ୍ଗମାନେ ଜଣେଇ ଦେଇଥାନ୍ତେ ଆଜିର ମ୍ୟାଚ୍ ବିଷୟରେ ଧେତ୍ ମନଟା ସ୍ଥିର ରହୁନି ଜମାରୁ।ସମୟ କଟାଇବା ପାଇଁ ପାଖ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ପାଟିରେ ପକେଇଲା ରଘୁ।ଗୋଟିଏ ଦୁଇଟି ଏମିତି ଚାରି ପ୍ୟାକେଟ ଖାଇ ସାରିଲା ବେଳକୁ ସେପଟୁ ଦୌଡ଼ି ଆସୁଥିଲା ଗୋବିନ୍ଦ।

"ରଘୁଆ ଏ ରଘୁଆ "ପାଟି କରି ଧଇଁସଇଁ ହୋଇ ତା ପାଖରେ ପହଁଚିଗଲା ଆଉ ତାକୁ କହିଲା "ଆରେ ତିନିଟାରେ ଫାଇନାଲ ଖେଳା ହବ।ବୋର୍ଡ କହିଛି ଏଥର ଯେଉଁ ସାହି ଜିତିବ ତାକୁ ହଜାରେ ଜାଗାରେ ଦି ହଜାର ଟଙ୍କା ପୁରସ୍କାର ଦିଆ ହବ। କାଲି ମ୍ୟାଚ୍ ବାତିଲ ହେଇଯାଇଥିଲା ହେଲେ ସବୁ ଖେଳାଳୀ ଆସିଥିଲେ ନା ସେଇଥିପାଇଁ । ତୁ ଜଲଦି ଚାଲେ କ୍ୟାପଟେନ ଡାକୁଛି ତୋତେ" ।

ଦୌଡ଼ି ପଳେଇଗଲା ଗୋବିନ୍ଦ।ହେଲେ ରଘୁ କେମିତି ଯିବ ଯେ?ଲାଇନ୍ ଆହୁରି ଅରୁଣ ସ୍ତମ୍ଭ ଛୁଇଁ ପାରିନି।ଦେଉଳ ଭିତରକୁ ଯିବ ଆଉ ଆନନ୍ଦ ବଜାରରେ ପହଞ୍ଚି ଅବଢ଼ା ଆଣି ଦୌଡ଼ି ପଳେଇ ଆସିବ।ମନ ଦୃଢ଼ କଲା ରଘୁ।ହେଲେ ମନ୍ଦିର ଭିତରେ କଣ ଡେରି ହେଉଥିଲା କେଜାଣି।ଭକ୍ତଙ୍କ ଲାଇନ୍ ଆଗକୁ ବଢ଼ୁ ନଥିଲା।ବିରକ୍ତ ହୋଇ ଏଣେତେଣେ ଦେଖିଲା ବେଳକୁ ମାଧିଆ ଭାଇନା କେତେକ ଭକ୍ତଙ୍କୁ କଣ କହିବାରୁ ସେମାନେ ଲାଇନ୍ ଛାଡ଼ି ତା ସହିତ ଯିବାର ଦେଖି ତାଙ୍କୁ ପଚାରିଲା।ସିଏ କହିଲେ ଯେ ମନ୍ଦିର କଡ ଗଳିରେ ଅବଢ଼ା ବିକ୍ରି ହେଉଛି।ଯିଏ ଦର୍ଶନ ପାଇଁ ନଯାଇ ଖାଲି ଅବଢ଼ା ପାଇଁ ଯାଉଛନ୍ତି ସେମାନେ ସେହି ଗଳିକୁ ଯାଇ ପ୍ରସାଦ ପାଉଛନ୍ତି।ରଘୁ ଖୁସି ହେଇଗଲା।ଆରେ ବାଃ ଆଉ ତାକୁ ଲାଇନ୍ ପାଇଁ ଡେରି ହବନି ତାହେଲେ !ମାଧିଆ ଭାଇନା କହୁଥିବା ଗଳି ଭିତରକୁ ଯାଇ ଦେଖିଲା କୁଡୁଆ କୁଡ଼ୁଆ ଅବଢ଼ା ଗଦା ହୋଇଛି।ଭକ୍ତମାନେ ନେଇକି ବି ଯାଉଛନ୍ତି।ସିଏ ବି ଡେରି କରିଲାନି ଆଉ ମା କହିଥିବା ଅନୁସାରେ ଅବଢ଼ା କିଣି ବ୍ୟାଗରେ ଭରି କରି ମାନି କହିଥିବା ରାବିଡି ଖୋଜିଲା।ଖୁସି ହେଇଗଲା। ରାବିଡି,ଗଜା ,ସବୁ ଶୁଖିଲା ଭୋଗ ମଧ୍ୟ ସେଇଠି ଥିଲା।ସବୁ ଜିନିଷ ମନେ ପକେଇ ଆଣି ସାରି ଜଲଦି ଜଲଦି ପାଦ ପକାଇ ଘରକୁ ଆସିଲା।

ମା ପଛରୁ ଡାକୁଥିଲେ।ହେଲେ ଚିପ୍ସ ଖାଇଛି ପେଟ ଭରିଛି।ମ୍ୟାଚ୍ ପରେ ଆସି ସନ୍ଧ୍ୟାରେ ପ୍ରସାଦ ଖାଇବ କହି ଦୌଡିଗଲା ପଡିଆକୁ।ବାପା ରାଗିଯାଇ କହୁଥିଲେ ସିଏ ଯାଉ।ତମେ ଆମ ସମସ୍ତଙ୍କ ପାଇଁ ଅବଢ଼ା ବାଢ଼।ଆସିଲେ ଖାଇବ ତମ ଗେଲା ପୁଅ । ଖେଳ ରୋମାଞ୍ଚକର ସ୍ଥିତିରେ ଥିବା ସମୟରେ ତାଙ୍କ ସାହିରୁ ଜଣେ ମଉସା ସାଇକେଲ ନେଇ ଆସି ତାକୁ ବ୍ୟସ୍ତ ହୋଇ ଡାକିଲେ ସବୁ ସରିଗଲା ରେ ରଘୁଆ ସବୁ ସରିଗଲା।ଜଲଦି ଆ ମୋ ସାଙ୍ଗରେ ।

କଣ ହେଇଛି ବୁଝିବା ଆଗରୁ ମଉସା ସାଇକେଲ ଛୁଟେଇ ଦେଇଥିଲେ। ଭାରି ରାଗ ଆସୁଥିଲା ତାକୁ।କଣ ଏମିତି ଆକାଶ ଛିଡି ପଡ଼ିଲା କେଜାଣି।ଆଉ ଦି ତା ଓଭର ଥିଲା ଖେଳ ସରିବାକୁ।ଅବଶ୍ୟ ସିଏ ଆଉଟ୍ ହେଇ ଯାଇଥିଲା।ହେଲେ ବି !

ଆକାଶ ସତରେ ଛିଡି ପଡ଼ିଥିଲା ! ସାମନାରେ ଧଳା ଚାଦର ଘୋଡେ଼ଇ ହେଇ ମା,ବାପା,ଜେଜେମା,ଜେଜେବାପା ଆଉ ମାନି ଶୋଇ ପଡ଼ିଥିଲେ ଚିର ନିଦ୍ରାରେ !

ଆଶ୍ଚର୍ଯ୍ୟ !ଅବଢ଼ା ଖାଇ ବିଷକ୍ରିୟା ହୋଇଛି ବୋଲି ଡାକ୍ତର କହୁଥିଲେ।ହେଲେ ସତକଥା ହେଲା ସେମାନେ ଯାହା ଖାଇଥିଲେ ତାହା ଅବଢ଼ା ନଥିଲା।ବରଂ ମହାପ୍ରଭୁଙ୍କ ଅବଢ଼ା ପରି ଦେଖା ଯାଉଥିବା ନକଲି ପ୍ରସାଦ ଥିଲା।ଯାହା ସମସ୍ତଙ୍କୁ ଭୁଆଁ ବୁଲେଇବାକୁ ପଇସା ରୋଜଗାର କରିବାକୁ ବିକ୍ରି କରା ଯାଉଥିଲା !ନକଲି ଅବଢ଼ା ଯେଉଁ ଗଳିରେ ପ୍ରସ୍ତୁତ କରା ଯାଉଥିଲା ସେଇଠି ବର୍ଷା ଯୋଗୁଁ ଛାତରୁ ଗୋଟିଏ ଝିଟିପିଟି ଖସି ପଡିଥିଲା ରୋଷେଇ ହାଣ୍ଡିରେ ଆଉ ସେଇ ଅବଢ଼ା ଯିଏ ଖାଇଥିଲେ ସେମାନଙ୍କ ଭିତରୁ କେତେକ ମୃତ୍ୟୁବରଣ କରିଥିଲେ ଆଉ କେତେଜଣ ବଞ୍ଚିବାକୁ ସଂଗ୍ରାମ କରୁଥିଲେ !ନକଲି ପ୍ରସାଦ ବିକ୍ରି ଅଭିଯୋଗରେ ସେଇ ପୁରା ଦଳକୁ ଗିରଫ କରି ଦିଆ ଯାଇଥିଲା।କିନ୍ତୁ କିନ୍ତୁ ରଘୁର ଲୁହ ବନ୍ଧବାଡ ମାନୁ ନଥିଲା।ସେଇ ଅଧବଢା ଅବଢ଼ା ପରି ଦେଖା ଯାଉଥିବା କୁଡୁଆ ସବୁ ଘରେ ଖୋଲା ପଡ଼ିଥିଲା। ରାଵିଡି କୁଡୁଆ ବି ଗଡୁଥିଲା ଭୂଇଁରେ !ରଘୁ ଖେଳିବାକୁ ପଳେଇ ଥିବାରୁ ବଞ୍ଚି ଯାଇଥିଲା !

ପାଞ୍ଚୋଟି କୋକେଇ ବନ୍ଧା ହେଇଥିଲା !ସମସ୍ତେ କାନ୍ଦୁଥିଲେ।ରଘୁ ବଞ୍ଚିଗଲା ବୋଲି କୁହାକୁହି ହେଉଥିଲେ।ହେଲେ ରଘୁ କିଛି ବୁଝି ପାରୁ ନଥିଲା !ଭାଗ୍ୟର କି ଖେଳ ଥିଲା କେଜାଣି ଏଇଟା?ଏଇଟା କଣ ଖେଳ ହିଁ ଥିଲା ଯାହା ପାଇଁ ସେ ମନ୍ଦିର ଭିତରକୁ ନଯାଇ ବାହାରୁ ଅବଢ଼ା କିଣି ଆଣିଥିଲା ?ନା ସେଇଟା ଖେଳ ଥିଲା ଯାହା ପାଇଁ ସେ ଖାଇବା ନଖାଇ ଦୌଡ଼ି ପଳେଇଲା ବୋଲି ବଞ୍ଚିଗଲା ?ନା ପ୍ରକୃତ ଖେଳ ସେଇଟା ଥିଲା ଯାହା ସେଇ ପାଇସାଖୋର୍ ଲୋକେ ନକଲି ଅବଢ଼ା ତିଆରି କରି ଲୋକମାନଙ୍କ ବିଶ୍ଵାସ ସହିତ ଖେଳୁ ଖେଳୁ ସେମାନଙ୍କ ଜୀବନ ସହିତ ମଧ୍ୟ ଖେଳି ପକେଇଲେ ? କାନ୍ଦି କାନ୍ଦି ଗଡି ଯାଉଥିଲା ରଘୁ। ସାହିଭାଇମାନେ ତାକୁ ହାତ ଧରି ଉଠେଇ ଦେଉଥିଲେ !

"ରାମ ନାମ ସତ୍ୟ ହୈ "ଧ୍ବନିରେ ଗୁଞ୍ଜରିତ ହେବା ସହ ସନ୍ଧ୍ୟା ଆକାଶଟା ଆହୁରି ଗୁରୁ ଗମ୍ଭୀର ହୋଇ ଉଠୁଥିଲା।ସ୍ଵର୍ଗଦ୍ଵାରକୁ ଆଗେଇ ଚାଲିଥିଲା ଶବଯାତ୍ରା ଯୋଡ଼ି ହେଇ ଯାଇଥିଲେ ଆହୁରି ଅନେକ ଶବବାହକ କାନ୍ଧେଇ ଚାଲିଥିଲେ ସେମାନଙ୍କୁ ଯେଉଁମାନଙ୍କ ଖେଳ ସବୁଦିନ ପାଇଁ ସରି ଯାଇଥିଲା ଏ ଦୁନିଆରେ ଅକାଳରେ ।


Rate this content
Log in

Similar oriya story from Tragedy