ତେନ୍ତୁଳି
ତେନ୍ତୁଳି
ରୋଜି..ଜମାରୁ ଚାରି ବର୍ଷର ଝିଅଟିଏ ।ମୁଁ ସେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥାଏ।ପଦ୍ମନାଭ ପୁର ପରି ଏକ ଛୋଟ ସହରରେ ବାପାଙ୍କୁ ଏକ ବର୍ଷ ରହିବାକୁ ହେଲା।ଅଗତ୍ୟା ଆମେ ମଧ୍ୟ ସେଇଠି ପଢା ପଢି କରିଥିଲୁ।ସହରଟି ଏତେ ଛୋଟ ଯେ ଏକ ରକମ ଶ୍ୱାସରୁଦ୍ଧ ଲାଗୁଥାଏ।ତଥାପି ରହିବାକୁ ତ ହେବ।ଆଉ ସେଇ ରହଣି ଭିତରେ ମୋ ମନର ଏକ କୋଣରେ ଏହି ରୋଜି ନାମ୍ନୀ ନିଷ୍ପାପ ଶିଶୁ ଘର କରି ଯାଇଥିଲା।
ସୁନ୍ଦର କଣ୍ଢେଇ ପରି ଝିଅ ଟି।ଆମ ଘରକୁ ସବୁଦିନେ ଆସେ।ମୋର ଅନ୍ୟ କେହି ଭଲ ସାଙ୍ଗ ନ ଥିବାରୁ ମୁଁ ତା ସହ ଖେଳିବାକୁ ଭଲ ପାଏ।ତାର ଦରୋଟି କଥା ଓ କୁନି କୁନି ପ୍ରଶ୍ନ ମୋତେ ଭାରି ମଜା ଲାଗୁଥିଲା।ତାର ଗୋଟିଏ ବଡ଼ ଦୁର୍ବଳତା ଥିଲା।ତାହା ହେଲା ତେନ୍ତୁଳି।ଟିକେ ତେନ୍ତୁଳି ମୋ ମା ଦିଅନ୍ତି ବୋଲି ସେ ସନ୍ଧ୍ୟା ହେଲେ ଦୋୖଡି ଆସେ ଆମ ଘରକୁ।ଆଉ ମୁଁ ବି ତେନ୍ତୁଳି ମୁଠିରେ ବନ୍ଦ କରି ତାକୁ ବେଳେ ବେଳେ ନାଚିବାକୁ କୁହେ, ଗାଇବାକୁ କୁହେ ଆଉ ସିଏ ସେ ତେନ୍ତୁଳି ଲୋଭରେ ମୋ କଥା ମାନେ ।
ଛ ମାସ ତଳେ ତାର ଛୋଟ ଭଉଣୀଟିଏ ହୋଇଥାଏ। ରାନୀ।ମୁଁ ଦେଖି ନ ଥିଲି ରାନୀକୁ।କିନ୍ତୁ ରୋଜି କୁହେ ସେ କାଳେ ଭାରି ସୁନ୍ଦର ଥିଲା।ମୁଁ ହସିଦିଏ।କୁହେ "ତୁ ନିଜେ ତ କଣ୍ଢେଇ ଟେ।ଆଉ ତୋ କଣ୍ଢେଇ କିପରି ହେଇଥିବ କେଜାଣି।ବେଳେବେଳେ ମୁଁ କୁହେ "ତୁ ଏକା ତେନ୍ତୁଳି ଖାଉଛୁ..ତୋ ଭଉଣୀ କାନ୍ଦିବ ଯେ.."ଆଉ ରୋଜି କୁହେ.."କାନ୍ଦିଲେ କାନ୍ଦୁ ।କିନ୍ତୁ ସେ ନ ମାଗିଲେ ମୁଁ ବି ତେନ୍ତୁଳି ଦେବିନି.."ଆଉ ହସି ହସି ଲୋଟିଯାଏ..କେଜାଣି କଣ ମନରେ ଭାବି ଦିଏ...
ଦିନେ ରାନିକୁ ଭାରି ଜ୍ଵର ହେଲା।ମୁଁ ସ୍କୁଲ ଯାଇଥାଏ।ଆସିଲା ପରେ ଖବର ପାଇଲି ଯାହା ଶୁଣି ମୋ ବାଳୁତ ମନ ବିଳପି ଉଠିଲା।ବହୁତ କାନ୍ଦିଲି।ମା ମଧ୍ୟ ମୋତେ ବୁଝାଇ ପାରିଲେ ନାହିଁ।ଏମିତି ଘଟଣା ହଜମ କରିବା ବହୁତ
କଷ୍ଟ ହୁଏ। ରାନୀ କୁଆଡେ ଜ୍ବରରେ ଆଉଟୁ ପାଉଟୁ ହେଉଥିଲା।ତା ବାପା କାମରୁ ଆସି ତାକୁ ଡାକ୍ତର ଖାନା ନେଲେ।ହେଲେ ରାସ୍ତାରେ..ସେ ଛୋଟିଆ ପ୍ରାଣଟି ..ଉଡିଯାଇଥିଲା।ରାସ୍ତାରୁ ଘରକୁ ନ ଫେରି ରାନୀକୁ ସେମାନେ ଶ୍ମଶାନ ନେଇ ଯାଇଥିଲେ।ଘରେ ରୋଜି ଅନ୍ୟ ମାନଙ୍କ ପାଖରେ ଥିଲା।ସେ ପଚାରିଲାରୁ କେହି ଜଣେ କହି ଦେଲେ ରାନୀ ଆଈ ଘରକୁ ବୁଲି ଯାଇଛି।ଆଉ ଯେତେବେଳେ ତା ମା ବାପା ଫେରିଲେ ରୋଜି ପଚାରିଲା,"ରାନୀ ଆଈ ଘରୁ କେବେ ଆସିବ?"
ଚାରିବର୍ଷର କୁନି ଝିଅକୁ ସଦ୍ୟ ସନ୍ତାନ ହରାଇଥିବା ମା ବାପା କହିଦେଲେ ତାକୁ ଜର ହେଇଛି,ଭଲ ହେଇଗଲେ ଆସିଯିବ।କିନ୍ତୁ ଆତ୍ମା ତାଙ୍କର କାନ୍ଦୁଥାଏ..ରାନୀ ଯେ ଆଉ କେବେ ଫେରିବ ନାହିଁ...
ସନ୍ଧ୍ୟା ହେଲାରୁ ରୋଜି ସବୁଦିନ ପରି ଘରକୁ ଆସିଲା।ହସୁଥିବା ମୁହଁଟି କିନ୍ତୁ କାହିଁକି ମଳିନ ଦେଖା ଯାଉଥିଲା।ମୁଁ ତା ତେନ୍ତୁଳି ଦେଲି।ମୁଁ ବି ଅନ୍ୟମନସ୍କ ହେଇ ପଚାରି ଦେଲି "ରୋଜିରେ..ରାନୀ କାହିଁ..!!??"
"ଆଈ ଘରକୁ ଯାଇଛି।ଦେହ ଭଲ ହେଲେ ଆସିବ।ମୁଁ ଆଉ ତେନ୍ତୁଳି ଖାଇବିନି।ଏଥର ରାନୀ ପାଇଁ ନେବି।ମୁଁ ଏକା ଖାଇ ଦେଉଛି ବୋଲି ସେ ମୋତେ ଛାଡ଼ି ଯାଇଛି।ତେନ୍ତୁଳି ରଖିକି ଡାକିଦେବି।ସିଏ ଆସିଲେ ସାଙ୍ଗ ହେଇ ଖାଇବୁ।"ରୋଜି ତେନ୍ତୁଳି ନେଇ ବାହାରି ଯାଇଥିଲା।
ମୋ ଲୁହ କିନ୍ତୁ ବୋଲ ମାନୁ ନ ଥିଲା।ଆଉ ସେ ସହରରେ ରହିପାରିବା ଆମ ପାଇଁ ବହୁତ କଷ୍ଟ ଥିଲା।ଏଣୁ ଆମେ ସେ ଜାଗା ଛାଡ଼ି ଚାଲି ଆସିଲୁ।
ଆଜି ବି ତେନ୍ତୁଳି ଦେଖିଲେ ଭାବେ..ରୋଜିର ମା ବାପା ରାନୀ ବିଷୟରେ କେବେ କଣ କହି ପାରିଥିବେ ସେ ଅବୋଧ ଶିଶୁକୁ..!!??ଆଉ ରୋଜି..ସେ କଣ ଜୀବନରେ କେବେ ଏକା ଏକା ତେନ୍ତୁଳି ଖାଇ ପାରିଥିଵ..!!??ନା ଆଜି ବି ତେନ୍ତୁଳି ସାଇତି ରଖୁଥିବ ରାନୀ ଆସିଲେ ସାଙ୍ଗ ହେଇ ଖାଇବ ବୋଲି..!!??