Madhu Mita

Classics Inspirational

4  

Madhu Mita

Classics Inspirational

ବା

ବା

16 mins
8


ବା..

ସକାଳୁ ରାତି ଯାଏଁ ଖାଲି "ଏପଟେ ଯିବୁନି" .."ସେପଟେ ଯିବୁନି"।ବା ' ର ତାଗିଦ୍ ଶୁଣି ଶୁଣି ସତରେ ବିରକ୍ତ ହେଉଥିଲା ପାର।ମନ ପ୍ରଜାପତି ପରି ଉଡ଼ି ବୁଲୁଛି ବୟସର ରଙ୍ଗ ନେଇ। ସଂଗମେଳରେ କେତେବେଳେ କେଉଁଆଡେ ବୁଲି ଆସିବାକୁ କଣ ଇଚ୍ଛା ହେବନି ତାର??ଆଉ ବା..??

ତା ବୋଉ କୁଆଡେ ମରିଗଲା ବେଳେ ତାକୁ ବା ହାତକୁ ଟେକି ଦେଇଥିଲା।ଆଉ ସେଇଥିପାଇଁ ବା ସବୁବେଳେ ଡରେ..କାଳେ ପାରର କିଛି ହେଇଯିବ..!!"ହୁଁ ଏମିତି କେମିତି କିଛି ହେଇଯିବ..?ତୁ ଖାଲି ଟାରେ ଡରୁଛୁ"କହି ଯେତେ ବୁଝେଇଲେ ବା କିନ୍ତୁ ବୁଝେନି।ତରତର ହୋଇ ସଞ୍ଜ ନ ହେଲା ଆଗରୁ ବିଲରୁ ଘରକୁ ଆସିଯାଏ।କଣ ଟିକେ ଫୁଟେଇ ଦେଇ ପାର ମୁହଁରେ ଦିଏ।ଅନ୍ୟ ଚାଷୀମାନେ ଆହୁରି କେତେ ବେଳ ଯାଏଁ ବିଲରେ ରୁହନ୍ତି।କିଏ କିଏ ଖଳା ଜଗିବାକୁ ରାତିରେ ଯାଆନ୍ତି।ହେଲେ ବା..!!??

ସକାଳୁ ରୋଷେଇ ସାରି ଯାଏ ଆଉ ବେଳ ଥାଉ ଥାଉ ପଳେଇ ଆସେ।ଦିନରେ ସବୁ ଚାଷୀମାନଙ୍କ ଖାଇବା ତାଙ୍କ ଘରୁ ଯାଏ।ହେଲେ ବା ପାରକୁ ମନା କରେ।" କଣ ଫଳ ଦି ଟା ଗଛରୁ ଆଣି ଖାଇ ଦେବିନି ଯେ ତୁ ଫେରେ ଦ୍ୱିପହର ଖରା ମୁଣ୍ଡେଇ ବିଲକୁ ଆସିବୁ..!!"ଆଉ ଗଲା ବେଳେ କହିଯାଏ.."ସଅଳ ଗାଧୋଇ ପଡ଼ି ଖାଇ ଘରେ ରହିବୁ।କୁଆଡେ ଖରାରେ ପଦାକୁ ଯିବୁନି..!!"

ଆଉ ପାର..!!

ବା ସେଇ ଛକ ବୁଲାଣି ବୁଲିବା ପରେ ପରେ ଲାଖି, ଚମିଆ ଆଉ ଅନ୍ୟ ସାଙ୍ଗ ମାନଙ୍କୁ ଡାକି ବହାରିପଡେ ପୋଖରୀ ହୂଡାକୁ।ସେଇଠି ନିଜ ଚମ୍ପା ରଙ୍ଗର ଦେହରେ ହଳଦୀ ମାଖି ଘଷି ହୁଏ ଢେର୍ ସମୟ।ଆଉ ପହଁରି ପୋଖରୀର ଏକୁଳରୁ ସେକୁଳ ଚାଲିଯାଏ ମାଛଟେ ପରି।ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଯାଇ ଘରକୁ ଫେରେ।ଖାଇଦେଇ ପୁଣି ବାହାରିଯାଏ ଆଉ ବରଗଛ ମୂଳେ ବସି ସାଙ୍ଗମାନଙ୍କ ସହ ଗପ ପେଡ଼ି ଖୋଲିଦିଏ।ବା ବିଲରୁ ଆସି ପଚାରିଲେ ପୁଣି କୁହେ.." ତୁ ମନା କରିଥିଲୁ ବୋଲି ଅଳପ ଗାଧୋଇ ଆସିଗଲି।ଆଉ କୁଆଡେ ଯାଇନି।"ବା କଣ ସତରେ ଜାଣି ପାରେନି ପାର କେମିତି ବୁଲୁଛି ଦିନସାରା..??ସେ ସବୁ ଜାଣେ।କିନ୍ତୁ ପାରକୁ ତାଗିଦ୍ କରି କହିବା ଛାଡେନି।କେତେ ଦିନ ଆଉ ଏମିତି ବଞ୍ଚି ପାରିବ?ଝିଅ ପିଲା।ଜନ୍ମ ତାର ପରଘରକୁ।ସେତିକି ଦିନ ଯାଏଁ ଜଗି ରଖି ଚଳି ଗଲେ ଗଲା।ତା ଛଡା ଏଇ ଖରାରେ ବୁଲି କାଳେ ତା ରଙ୍ଗ କଳା ପଡ଼ିଯିବ ଭାବି ସେ ବ୍ୟସ୍ତ ହୋଇପଡେ।ପାର ମଧ୍ୟ ସବୁ ବୁଝୁଛି।ଜାଣିଛି।କିନ୍ତୁ..ମନ ଉପରେ କାହାର ଅକ୍ତିଆର ଅଛି ଯେ ପାର ରଖି ପାରନ୍ତା..!!??

ଗାଁ ମୁଣ୍ଡରେ ଥିବା ଗାଧୁଆ ତୁଠରେ କେତେଥର ଓଦା ଲୁଗା ଭିତରୁ ତା ଫୁଟି ଉଠୁଥିବା ସୌନ୍ଦର୍ଯ୍ୟ ସନିଆଇ ଲୁଚି ଲୁଚି ଦେଖିଛି ସେକଥା କଣ ସେ ଜାଣିନି? ଜାଣିଶୁଣି ନିଜ ଟ୍ରକ୍ ଟିକେ ଦୂରରେ ଠିଆ କରି ତୁଠ ପାଖ ଗଛ ମୂଳେ ସେ ଥକା ମାରି ବସିଥିବା ଅଭିନୟ କରେ।ଆଉ ପାର..ସେ ବି ସେମିତି ଟିକେ ଜାଣି ଅଜଣା ହେଇ ସାଙ୍ଗ ମାନଙ୍କ ସହ ତୁଠ ଛାଡ଼ି ଗଲା ବେଳେ ବାଙ୍କ ଚାହାଣୀ ଦେଇ ଦେଖେ.. ସନିଆଇ କେମିତି ମିଛି ମିଛିକା ଆଖି ବନ୍ଦ କରି ତାକୁ ଚାହିଁଥାଏ..!! ଗାଆଁ ପିଲା ସନିଆ ଓରଫ ସନାତନ। ପାଠ ଦି ଅକ୍ଷର ପଢ଼ିଛି।ଆଉ ସହର ଯାଇ ଏଇ ଡ୍ରାଇଭର କାମ ଆରମ୍ଭ କରିଛି।ଟ୍ରକ୍ ମାଲିକ ତା ଉପରେ ଭାରି ଖୁସି।ସେଇଥିପାଇଁ ତ ତାଙ୍କ ଗାଁ ଚାଷୀ ମାନଙ୍କ ଅମଳ ଫସଲ ସବୁ ନେଇ ସେ ମାଲିକର ମିଲ୍ ରେ ପହଞ୍ଚେଇବା କାମ କରେ।ଗହମ, ଧାନ,ମାଣ୍ଡିଆ ସବୁ ବୋହିନିଏ ସହରକୁ।ଆଉ ସହର କାମ ସାରି ଆସିଲେ ନିଶ୍ଚୟ ଆସେ ଏ ପୋଖରୀ ତୁଠକୁ..ଯେଉଁଠି ପାର ହଳଦୀ ମାଖି ଗାଧୋଇ ହୁଏ ତା ବାଟ ଚାହିଁ..

ସନିଆଇ ପାଖରେ ଗାଆଁ ସାରା ଝିଅ ଆସି ରୁଣ୍ଡ ହୋଇ ଯାଆନ୍ତି।ସେ ଟିକିଲି,ଅଳତା, ନେଲପଲିସ, ପାନିଆ ଆହୁରି କେତେ କଣ ଆଣିଦିଏ ସହର ବଜାରରୁ।ଝିଅ ମାନେ ହସି ହସି ସବୁ ଜିନିଷ କିଣି ନିଅନ୍ତି ତା ଠୁଁ..!!ସମସ୍ତେ ଚାଲିଗଲା ପରେ ସନିଆ ଦିନେ ଅଣ୍ଟିରୁ ଛୋଟ କାଚ ଶିଶି ବାହାର କରି ପାରକୁ କହିଲା.."ନେ..ତୋ ପାଇଁ ଆଣିଛି। ଅତର..ଟୋପେ ଲଗେଇଲେ ତୋ ଦିହ ମଲ୍ଲି ପରି ବାସିବ..!!"

" ହେଲେ ମୋ ପାଖରେ ପଇସା ନାଇ..କେମିତି କିଣିବି କହିଲୁ..?"କହିଲା ପାର..

"ମରଣ ହେବନି ମୋତେ..ତୋ ଠୁଁ ଫେରେ ପଇସା ନେବି..??"ଜିଭ କାମୁଡି କହିଲା ସନିଆ..ଆଉ ଅଳ୍ପ ହସି ଅତର ଶିଶି ବଢେଇ ଦେଲା।"କାଲି ମଲ୍ଲି ବାସିବୁ ଲୋ.."କହି ଗୋଟିଏ ଡିଆଁ ମାରି ଟ୍ରକ୍ ରେ ବସି ଆଗକୁ ଚାଲିଗଲା।

ପାର ଶିଶିଟି ଧରି ଧୂଳି ଉଡ଼ିବା ଯାଏଁ ଚାହିଁ ରହିଲା।ସେ ବୁଝି ପାରୁଛି ସନିଆଇ ହସର ଅର୍ଥ..ହେଲେ ସନିଆଇ ସେମିତି କିଛି ତ କହିନି..!!ଏକଥା ଭାବିବା ବେଳକୁ ତା ହଳଦୀମଖା ଗାଲ ନାଲି ପଡି ଆସିଲା..!!

ତା ପରଦିନ ସନିଆ ଟ୍ରକ୍ ପାଖରେ ଝିଅମାନେ ସେମିତି ଭିଡ଼ ଜମେଇ ଥିଲେ।ପାର ଟିକେ ଦୂରରେ ଠିଆ ହୋଇଥିଲା।ଭିଡ଼ ଭାଙ୍ଗିଲା ପରେ ସନିଆ ପାଖକୁ ଆସିଲା.. ନାକ ଉଁଚେଇ ଶୁଙ୍ଘିଲା ଆଉ ଫେରେ ହସିଲା।ପାର ବୁଲିପଡ଼ି ଯିବାକୁ ବାହାରିଲା ବେଳେ କହିଲା.."ରହ ପାର..!! ପକେଟ୍ ଭିତରୁ ମୋବାଇଲ କାଢି କହିଲା .."ଦେଖିଲୁ..ସହର ଝିଅ ମାନେ କେମିତି ଫ୍ରକ୍ ପିନ୍ଧୁଛନ୍ତି।ତୋ ପାଇଁ ରଜକୁ ଗୋଟେ ଆଣିଦେବି..ତୁ ପିନ୍ଧିବୁ ନା..?"

ପାର ମିଛ ରାଗ ଦେଖେଇ ମୁହଁ ମୋଡି କହିଲା.."ତୁ ତା ହେଲେ ସହରର ଝିଅ ମାନଂକୁ ଦେଖୁଛୁ..ଆଉ ମୋତେ କାହିଁକି ପିନ୍ଧିବାକୁ କହୁଛୁ ଫ୍ରକ୍..?ମୋ କସ୍ତା ଲୁଗା ଭଲ ତ ମୁଁ ଭଲ। ତୋ ଠାରୁ ମୁଁ କାହିଁକି ନେବି କିଛି..?"

ସନିଆ ମୁଣ୍ଡ କୁଣ୍ଡେଇ କହିଲା.."ତୋତେ ନାଲି ରଙ୍ଗ ସତରେ ଭାରି ମାନିବ.."ଆଉ ପୁଣି ଟିକେ ହସି ଦେଇ ଟ୍ରକ୍ ଉପରକୁ ଚଢିଗଲା।

ରଜ ସକାଳୁ ପାଦରେ ଅଳତା ପିନ୍ଧି ବାହୁଙ୍ଗା ତିଆରି ପାଣ୍ଢୋଇ ଚଢି ଝିଅମାନେ ସଜବାଜ ହୋଇ ଦୋଳି ଖେଳିବାକୁ ବାହାରିଲେ..ପାର ବି ବାହାରିଲା।ହେଲେ ତା ଆଖି କିନ୍ତୁ କାହାକୁ ଖୋଜୁଥାଏ..!!

ଦୋଳି ପଡିଆ ପାଖ ଗଛମୂଳେ ବସି ପାର ଧୂଳି ଉଡିବା ରାସ୍ତାକୁ ଅନେଇ ଥାଏ..!!ପଛରୁ କିଏ ଆସି ହଠାତ୍ ତା ଆଖି ବନ୍ଦ କରିଦେଲା..!!ସେ ହାତକୁ ଛୁଇଁ ସେ ଜାଣି ଗଲା ସିଏ କିଏ..ଆଉ ସେ ଦେହର ଯେଉଁ ବାସ୍ନା..!!ସେକଥା କଣ ସେ ଜାଣି ପାରିବନି..??ଲାଜେଇ ଗଲା ପାର..କିନ୍ତୁ ଆଖିରୁ ହାତ ବାହାର କର..କହି ପାରିଲାନି..!!

ସନିଆ ଆପେ ହାତ ହଟେଇ ଆଗକୁ ଆସିଲା। ଆର ହାତରେ କିଛି ଲୁଚେଇ ରଖିଥିଲା।ପାର ଆଗ୍ରହରେ ସେଇଟାକୁ ଦେଖିବାରୁ ସେ କହିଲା.."ପିନ୍ଧିକି ଆସିବୁ?"

" ଉହୁଁ..ଆଜି ନାଇ..ଯେଉଁଦିନ ସହର ଯିବି ସେଦିନ.." ଅଳପ ହସି କହିଲା ପାର…

"ନେଇଯିବି ଲୋ ତୋତେ ସହରକୁ..ମୋ ଟ୍ରକ୍ ରେ ବସେଇ..ଆଉ ସେତେବେଳେ ଏଇ ଫ୍ରକ୍ ପିନ୍ଧିବୁ..ହେଲା?"ସନିଆ ବି ହସି କହିଲା..

ସେ ଦି ଜଣଙ୍କ ଖିଲିଖିଲି ହସରେ ରଜଟା ଆଉରି ମଉଜିଆ ଲାଗି ଆସୁଥିଲା..!!

ବେଳେବେଳେ ପାର କିନ୍ତୁ ଡରିଯାଏ..!!ଯଦି ବା ଏସବୁ ଜାଣିବ..!!??ସେ କଣ ସନିଆଇକୁ ନିଜର କରି ଗ୍ରହଣ କରିବ..!!??ସହର ଆଉ ସହରିଆଙ୍କୁ ବା ଦୁରୁ ଜୁହାର କରେ। ସନିଆଇ ଗାଁ ପିଲା ହେଲେ ବି ସହର ଯାଇ ସହରୀଆ ହେଇ ଗଲାଣି ବୋଲି ସମସ୍ତେ କୁହନ୍ତି।ବା ବି କୁହେ।ଆଉ ତା ସହିତ ସିଏ ଭାବ ରଖିଛି ବୋଲି ଜାଣିଲେ ବା କଣ ଚୁପ୍ ରହିବ..!!??

ବା କଥା ମନ ପଡ଼ିବା ପରେ ପାର ହଠାତ୍ ଟିକେ ଦୁଃଖୀ ହେଇଗଲା..!!କେଜାଣି ବା ର କଣ ହେଇଛି ଏଇ ଦଶ ପନ୍ଦର ଦିନ ହେଲା..??ଖାଲି ମୁହଁ ଶୁଖେଇ ବସୁଛି।ଆଗ ପରି ତାକୁ ପଚାରୁନି ଡେରି କାହିଁକି ହେଲା ବୋଲି କି ତିଆରି କହୁନି ସଅଳ ଫେରି ଆସିବାକୁ।ଏମିତି କି ତା ଦିହରୁ ଅତର ବାସ୍ନା ଶୁଙ୍ଘି ମଧ୍ୟ କିଛି କହିଲାନି।ସେ ତ ଭାବିଥିଲା ବା ସେଦିନ ହିଁ ସିଏ ଜାଣି ଯିବ ସନିଆଇ କଥା।ହେଲେ..ବା ରୋଷେଇ କରି ଖାଇ ଚୁପ୍ କିନା ଶୋଇ ପଡ଼ିଲା।ପାର ମନ କେଉଁଠି ଲାଗିଲାନି।ମନେ ମନେ ଭାବିଲା ଆଜି ଯାହା ବି ହେଉ..ବା କୁ ସବୁ ପଚାରି ବୁଝିବ..ତା'ର କଣ ହେଇଛି..??

"ଏ ବା..ତୋର କଣ ହେଇଛି ଯେ? ତୁ ଏମିତି କାଇଁକି ମନ ଶୁଖେଇ ବସୁଛୁ କେତେ ଦିନ ହେବ..ମତେ କହିବୁନି..?"ଗେହ୍ଲେଇ ହୋଇ ପଚାରିଲା ପାର।

"ଆଲୋ କିଛି ନାଇଁ।ତୁ ୟାଡୁ ସ୍ୟାଡୁ ଚିନ୍ତା କରନା।ତୋ ଆଖି ତଳ କଳା ପଡ଼ିଯିବ ଲୋ।ଯା..ଶୋଇବୁ।ମୋର କିଛି ହେଇନି.." କହି ବା ନିଜ ଗାମୁଛାରେ ଆଖି ପୋଛିଲା।

"ବା..ତୁ କାନ୍ଦୁଛୁ..?"ତା କାନ୍ଧ ଉପରେ ହାତ ରଖି ପଚାରିଲା ପାର।

"ନାଇ ଲୋ ମା..ମତେ ଖାଲି ତୋ ଚିନ୍ତା ଲାଗୁଛି।ତତେ ଭଲରେ ଭଲରେ କୂଳରେ ଲଗେଇ ଦେଲେ ଯାଇ ନିଶ୍ବାସ ମାରିବି..!!"

"ବା..ମୁଁ କଣ ତୋ ପାଇଁ ବୋଝ..?"

"ଛିଃ ପାର..ଆଜି କହିଲୁ ଆଉ ଏମିତି ଆଲଖନିଆ କଥା କେବେ କହିବୁନି।ଆଲୋ ତୁ ପରା ମୋ ଛାତିର ବଳ.."

"ହେଲେ ତୁ ମୋତେ କୂଳରେ ଲଗେଇଲେ ଶାନ୍ତି ପାଇବୁ ବୋଲି କାଇଁ କହିଲୁ?"

"ନାଇ ଲୋ ମା..ଏଇ ଗତ ମାସରେ ସହର ବାବୁମାନେ ନୂଆ ଗୋଟେ ନିୟମ କରିଛନ୍ତି।ଆମ ଅମଳ ବିହନ ଉପରେ କର ବସେଇଛନ୍ତି।ଆଉ ବିକି ହେଲା ପରେ ବି କୁଆଡେ ଆମକୁ ଟିକସ ଦବାକୁ ପଡ଼ିବ।ହେଲେ ଏସବୁରେ ଆମେ ଚାଷୀମାନେ କେତେ ହଇରାଣ ହବୁ ସେଇଟା ଭାବୁ ନାହାନ୍ତି।ଏମିତି ହେଲେ ଆମର କେତେ ନୋକସାନି ହବ।ଏମିତି ନିୟମ କରି କୁଆଡେ ଆମ ବିହନ ସବୁ ଆଉ କିଏ ଠକି ନେଇ ପାରିବେନି କି ଅଲଗା ଦର କଷି ପାରିବେନି କହୁଛନ୍ତି।ହେଲେ କେତେବେଳେ କଉ କଥା।ବାଆ ବତାସ ଅଛି। କାଲି ଯଦି କିଛି ବେଶୀ ଅସୁବିଧା ହୁଏ ହେଲେ ତୋ ବିଭାଘର ନେଇ ଯେତେ ମୁଁ ସପନ ଦେଖୁଛି ସେଇଟା କେମିତି କରିବି ଭାବି ଟିକେ କଣ କହିଦେଲି।"

ବା ଛାତିରେ ମୁଣ୍ଡ ଦେଇ ସବୁ ଶୁଣୁଥିବା ପାର ହଠାତ୍ ଉଠି ପଚାରିଲା.."ମୋ ବିଭାଘର ପାଇଁ ତୁ ଚିନ୍ତା କରନା।ହେଲେ ଏମିତି ଅନ୍ୟାୟ ବନ୍ଦ୍ କରିବା ପାଇଁ ତମେ ସବୁ ସେ ସହର ବାବୁଙ୍କୁ କହୁନ.. ନିଶାପ ବସାଉନ..? ପଞ୍ଚ ମହାପ୍ରୁ କହିଲେ ସମସ୍ତେ

ସବୁ ଶୁଣିବେ ନା..!!"

"ମୋ ଝିଅର କେତେ ବୁଦ୍ଧି ସତେ..କିନ୍ତୁ ନାଇ ଲୋ ପାର..ଏସବୁ ନିୟମ ସେ ସହରିଆଙ୍କ ପାଖରେ ହୁଏନି।ସେମାନଙ୍କ ଆଡେ କୁଆଡେ ରାସ୍ତାରୋକ,ଆନ୍ଦୋଳନ ପରି ସବୁ କଣ ଯୋଗାଡ଼ ହଉଛି।ହେଲେ ଯାଇ କିଏ ଶୁଣୁଛନ୍ତି।"

"ଅସୁବିଧା ହେଲେ ଆଉ କଣ ରହିଲା କି? ଏ ବା..!!ତୁ ଯାହା ସବୁ କହିଲୁ ଏବେ ସେସବୁ କର।ଯିଏ ଯେମିତି ବୁଝିବ ତାକୁ ସେମିତି ବୁଝେଇବୁ ନା..?ଏମିତି ମୁହଁଟାକୁ ହାଣ୍ଡି କରି ବସିଲେ କଣ ଚଳିବ କି କହିଲୁ..?"

"ପାର..ମା ଲୋ.. ହେଲେ ସେ ସବୁ କରିବାକୁ ସବୁ ଚାଷୀଭାଇ ଏଇ ପଞ୍ଚମୀ ଦିନ ବାହାରିଛନ୍ତି ମେଳି କରି..ସହରକୁ।ଦି ଚାରି ଦିନ ସେଇଠି ଡେରା ପକେଇ ରହିବେ ଆଉ ଫଇସଲା କରି ଆସିବେ କହୁଛନ୍ତି.."

ତାଳି ମାରି ପାର କହିଲା.."ହେଇଟି..ପଞ୍ଚମୀ ଆଉ କେତେ ଦିନ କି..?ଆଜି ପରା ପୁନିଅଁ ଚାନ୍ଦ ହସୁଛି..ଆଉ ଚାରି ଦିନ ରହିଲା ମଝିରେ !!ତା ପରେ କାମ ସଲା।ଆଉ ତୁ ଖାଲିଟାରେ ମୁଣ୍ଡ ବାଡଉଛୁ.."

"ଆଲୋ ହୁଣ୍ଡି..ମୁଁ ସେ କଥା ପାଇଁ ବିକଳ ହଉନି।ମୁଁ ଯେତେ ଦିନ ଗାଁ ଛାଡ଼ି ଯିବି ତୁ ଏକୁଟିଆ କେମିତି ରହିବୁ ସେକଥା ମତେ ଘାରୁଛି।"ବା ବୁଝେଇ କହିଲା।

"ଓ ଏମିତି କଥା।ବା ମୁଁ କଣ ଆଉ ଛୋଟ ପିଲା ହେଇଛି ଯେ ତୁ ଡରୁଛୁ..?"

"ଛୋଟ ପିଲା ହେଲେ କାଇଁକି ଡରନ୍ତି ଲୋ..? ଯୁଆନ ମାଇପି ଝିଅକୁ ଏକେଲା ଛାଡ଼ିବାକୁ ଡରୁଛି…"

ହସିଲା ପାର.."ବା.. ଚମିଆ, ଲାଖି ସବୁ ଅଛନ୍ତି ନା।ସାଇ ପଡ଼ିଶା ଅଛନ୍ତି।ମୋର କାହାକୁ ଡର କି?ତୁ ମନ ଖୁସିରେ ଯା ଆଉ ଖୁସି ଖବର ଘେନି ହସିକି ଆ..ହେଲା.?"

"ଦେଖେ ମା..ଜାଗ୍ରତରେ ଥିବୁ।ଗାଁ ଆଉ ଆଗପରି ନାଇଁ।କେତେ ସହରୀ ଏଇ ଗାଁକୁ ଆସୁଛନ୍ତି।କେତେ ଫନ୍ଦି ଫିକର ଅଛି।ଜଗି ରଖି ଚଳିବୁ।ଆଉ ଗୋଟେ କଥା ହେଜି ରଖିବୁ। ତୋର ମାଇପୀ ଦିହଟା ଦୁବଳିଆ ହେଇପାରେ।ହେଲେ ମନ ତୋର ଅଣ୍ଡିରା ପରି ଟାଣ।ତୁ ତୋ ବା ର ଛାତିର ବଳ।କେବେ ନିଜକୁ ଏକୁଟିଆ ମଣିବୁନି।ଆଉ ବେଶୀ ବୁଲାବୁଲି କରିବୁନି।ମୁଁ ଅତି ବେଶୀରେ ଚାରିଦିନ ରହି ଫେରି ଆସିବି।"

ବା କଥାରେ ମୁଣ୍ଡ ହଲେଇଲା ପାର।କିନ୍ତୁ ଟିକେ ପରେ କହିଲା.."ବା..ତୁ ମତେ ତୋ ସାଙ୍ଗରେ ସହରକୁ ନଉନୁ।ମୁଁ ଟିକେ ବୁଲି ଆସିବି।କେତେ ବଡ଼ ବଡ଼ ଘର ଅଛି,କେତେ ବଡ଼ ଦୋକାନ.. ଲାଇଟ୍ ମାଳମାଳ...ସନିଆଇ ସବୁ କହୁଥିଲା।ଟିକେ ଦେଖି ଆସିବି ମୁଁ ବି..!"

"ପାଗଳ ହେଲୁ କି ପାର? " ବା ଟିକେ ରାଗି କହିଲା.."ତୁ ସହର ଆସିବୁନି। କଉଠି ରହିବୁ କେମିତି ଚଳିବୁ ଭାବିଛୁ?ସବୁବେଳେ ସେଇ ପିଲାଳିଆ କଥା ।"

ପାର ମିଛ ରାଗରେ ମୁହଁ ମୋଡ଼ି ଆଣ୍ଠୁ ଭିତରେ ମୁଣ୍ଡ ଲୁଚେଇ ବସିଲା।

ବା ତା ପାଖକୁ ଆସି ତା ମୁଣ୍ଡ ଆଉଁସି କହିଲା.."ହଉ ହେଲା।ଏବେ ମୁଁ ଆଗ ଯାଇ ସହର କେମିତି କଣ ସବୁ ଦେଖି ଆସିବି।ତା ପରେ ଦଶହରା ବଳକୁ ତତେ ସାଙ୍ଗରେ ନେଇ ବୁଲେଇ ଆଣିବି।ଆଉ ଋଷେନା.."

ଫେଁ କିନା ହସିଲା ପାର….

ଚାରିଦିନ ଅତି ବେଶୀରେ ହବ କହି ଯାଇଥିଲା ବା। ଆଜକୁ ପୁରା ଛ ଦିନ ହେଇଗଲାଣି।ଆହୁରି ସିଏ ଆସିନି।ଗାଁ ର ଅନ୍ୟ ଚାଷୀମାନେ ବି ଯାଇଛନ୍ତି। ସନିଆଇ ସହରରେ ସେମାନଙ୍କ ଭଲ ମନ୍ଦ ଦେଖିକି ଆସି କହୁଛି...ଆହୁରି କେତେ ଦିନ ବି ଲାଗି ଯାଇପାରେ।ସେମାନଙ୍କ ଆନ୍ଦୋଳନ ଭାରି ଜୋରରେ ଚାଲିଛି।କିଛି ଫଇସଲା ନ ହେଲେ କେହି ସେଇଠୁ ଘୁଞ୍ଚିବେନି।

ପାରର ଚନ୍ଦ୍ରଉଦିଆ ମୁହଁଟା ପୁରା ଝାଉଁଳି ଗଲା ପରି ଲାଗୁଛି।ବା ମନା କଲା ପରେ ମଧ୍ୟ ସେ କେତେ ଖୁସିରେ ଗାଆଁ ଦାଣ୍ଡରେ ଦଉଡ଼ି ଯାଉଥିଲା।ହେଲେ ବା ଗଲା ପରଠୁ ସେ କେମିତି ଘର ଭିତରେ ବନ୍ଦୀ ହେଇ ଯାଇଛି।ଇଚ୍ଛା ହେଲେ କିଛି ଟିକେ ଫୁଟେଇ ଦେଉଛି ନିଜ ପାଇଁ। ନ ହେଲେ ଚମିଆ କି ଲାଖି କିଛି ଖାଇବା ନେଇ ଆସନ୍ତି ନିଜ ଘରୁ।ଏଇ ଛ ଦିନ ଛ ଯୁଗ ପରି ଲାଗିଲାଣି ପାରକୁ…

"ତୁ ମନ ଦୁଃଖ କରନା ଲୋ ପାର।ତୋ ବା ଭଲ ଅଛି।ମୁଁ କାଲି ଯାଇଥିଲି ମେଳି ପଡିଆକୁ।ତୋ କଥା ପଚାରୁ ଥିଲା। କହିଁଛି ତୁ ଜାଗ୍ରତରେ ରହିବୁ।ସିଏ ଝଅଟ ପଳେଇ ଆସିବ।ଆଉ କେଇଟା ଦିନ ଟିକେ ମନ ଟାଣ କର୍।"ବୁଝେଇ କହିଲା ସନାତନ।

"ଆଖି ଖୋଲିଲା ପରଠୁ ବା କୁ ଏତେ ଦିନ ନ ଦେଖି ରହିନି ସନିଆଇ।ମନ ଗୋଳେଇ ଘାଣ୍ଟି ହଉଛି। ଥରୁଟିଏ ତାକୁ ଦେଖି ଆସିବାକୁ ଭାରି ଛଟପଟ ଲାଗୁଛି।"ଆଖିରେ ଆଖିଏ ଲୁହ ଭରି କହିଲା ପାର।

"କଣ କଲେ ତୁ ତୁନି ହବୁ କହିଲୁ।ମୁଁ ସେଇଟା କରିବି।ହେଲେ ତତେ ଏମିତି ଦେଖିଲେ ମୁଁ ସହି ପାରୁନି…"

"ସନିଆଇ..ତୁ ମତେ ସହରକୁ ନବୁ?ମୁଁ ବା କୁ ଟିକେ ଦେଖି ପୁଣି ପଳେଇ ଆସିବି।"

"ମୁଁ ନେଇଯିବି ଯେ ହେଲେ ତୋ ବା ଯଦି ରାଗିବ..?"

"ମତେ ଦେଖିଲେ ବା ରାଗ ପାଣି ହେଇ ବହିଯିବ। ତୁ ସେ ଚିନ୍ତା କରନା...ତୁ ଖାଲି ମତେ ଟିକେ ମେଳି ପଡିଆକୁ ନେଇ ଯା...ନେହୁରା ହଉଛି..!!"

"ଏତେ ପର ଭାବିଲୁ କି ପାର?ମୋ ଆଗରେ ନେହୁରା ହବୁ? କାଲି ସକାଳୁ ତୁ ବାହାରି ପଡ଼।ଆମେ ଦି ପହର ଆଗରୁ ସହରରେ ପହଞ୍ଚି ଯିବା..!ହେଲା..?"

"ସକାଳୁ ନାଇ ସନିଆଇ..ତୁ ଭୋର ହେଲା ଆଗରୁ ଆସିବୁ।ଗାଁ ଲୋକେ ଉଠି ପଡ଼ିଲେ ଆଉ ଯିବାକୁ ଦେବେ କି ନାଇ କେଜାଣି..!!"

"ହଉ..ହେଲେ ତୁ ସାଙ୍ଗରେ ସେ ଫ୍ରକ୍ ଟା ନବୁ ତ?"କହି ହସିଦେଲା ସନିଆ…

ତା ହସ ଦେଖି ଲାଜରେ ଗୋଟା ଭିଜିଗଲା ପାର…!!

କୁଆଁତାରା ଦେଖି ବାହାରି ପଡିଲେ ଦି ଜଣ।କିଛି ବାଟ ଚାଲି ଚାଲି ଗଲା ପରେ ଟ୍ରକରେ ଚଢିଲେ।କେତେ ବୁଦ୍ଧି ସତେ ସନିଆଇର..!!ଗାଁ ଦାଣ୍ଡରେ ଟ୍ରକ୍ ଚାଲିଲେ ସମସ୍ତେ ଦେଖି ଦିଅନ୍ତେ।ହଇରାଣ ହୁଅନ୍ତେ ଅକାରଣରେ...ସେଇଥିପାଇଁ ଖଣ୍ଡେ ଦୂରରେ ରଖିଛି ସେ ଟ୍ରକ୍..!!

ତା ହାତ ଧରିବାକୁ ହାତ ବଢେଇ ଦେଲା ସନିଆ।ପାର ଅଣ୍ଟା ପାଖରେ ହାତ ରଖି ଚଢ଼େଇ ଦେଲା ଟ୍ରକ୍ ଉପରକୁ।ପାର ଦେହରେ କରେଣ୍ଟ ମାରିଲା..!!ହାତରେ ଧରିଥିବା ଲୁଗା ଗଣ୍ଠିଲିଟା ତଳେ ପଡ଼ିଗଲା..ଖୋଲି ଯିବାରୁ ସନିଆ ଦେଖିଲା..ସବା ଉପରେ ନାଲି ଫ୍ରକ୍ ଟା ଅଛି..ପାର ଆଡେ ଚାହିଁ ଟିକେ ହସିଦେଲା।ପାର ତାକୁ ଦେଖି ନ ଦେଖିଲା ପରି ଆର ପଟେ ମୁହଁ ବୁଲେଇ ଦେଲା।

ଟ୍ରକ୍ ପୁଣି ଗାଁ ଦାଣ୍ଡରେ ଧୂଳି ଉଡେଇ ଚାଲିଲା..!!ଜୀବନରେ ପ୍ରଥମ ଥର ଗାଁ ଡେଇଁ ପାର ସହର ଆଡ଼କୁ ଆଗେଇ ଗଲା.!!ବା ଥିଲେ ଛାଡ଼ି ନ ଥାନ୍ତା।ହେଲେ ଆଜି ବା ପାଇଁ ସେ ଯାଉଛି…!!ପାହାନ୍ତି ଶୀତୁଆ ପବନ ଟିକେ ବାକି ଯିବାରୁ ପାର ଦେହରେ କଣ୍ଟା ଫୋଡ଼ି ହେଲା ପରି ଲାଗିଲା।ସନିଆ ପଛକୁ ହାତ ଲମ୍ବେଇ ଦେଇ ଗୋଟିଏ ଚାଦର ଟାଣି ଆଣି କହିଲା.."ଘୋଡି ହେଇ ବସ..ଟ୍ରକ୍ ଆଉରି ଜୋରରେ ଚାଲିବ..!!"

ଚାଦର ଘୋଡି ହୋଇ ପଡିବା ପରେ ପାର ଆଖି ଲାଗି ଯାଇଥିଲା ଆଉ ସେ ସ୍ବପ୍ନ ଦେଖୁଥିଲା..ସହରର ପିଚୁ ରାସ୍ତାରେ ଦୌଡ଼ି ଯାଇ ତା ବା କୁ କୁଣ୍ଢେଇ ଧରିଛି...ଆଉ ଅଜାଣତରେ ତା ଆଖି କୋଣରୁ ଲୁହ ଝରି ଆସିଥିଲା..!!

ଉଇଁ ଆସୁଥିବା ସୂର୍ଯ୍ୟର ଲାଲିମା ସହିତ ପାର ଗାଲର ଲାଲିମାକୁ ଏତେ ପାଖରେ ଦେଖି ସନାତନ ଦେହରେ ମଧ୍ୟ ଶୀତକଣ୍ଟା ଫୋଡି ହେଲା ପରି ଲାଗୁଥିଲା..ଏକ ଅଜଣା ଶିହରଣରେ ସକାଳର ଶୀତୁଆ ପବନ ସହିତ ତା ନିଜର ଗରମ ନିଶ୍ବାସ ଏକାକାର ହୋଇଯିବା ପରେ ତା ଆଖି କୋଣରୁ ମଧ୍ୟ ଟିକେ ତତଲା ଲୁହ ବାହାରି ଆସୁଥିଲା…!!

ଟ୍ରକ୍ ଚାଲିଥିଲା...ଆଗକୁ...ଆଗକୁ…

ଖରା ଟାଣ ହୋଇ ଆସୁଥିଲା।ସହର ମଧ୍ୟ ପାଖେଇ ଆସିଥିଲା।ଗାଁ ମାଟି ରାସ୍ତା ଆଉ ପୋଖରୀ କୂଳ ଶୀତୁଆ ପବନ ବଦଳରେ ପିଚୁରାସ୍ତାର ଉତ୍ତପ୍ତ ହାୱା ଭାରି ଅସ୍ଵସ୍ତ ଲାଗୁଥିଲା..କିନ୍ତୁ ବା କୁ ଦେଖିବା ମୋହରେ ପାର ଚାରିଆଡକୁ ଆଗ୍ରହରେ ଚାହିଁଥିଲା..!!ରଙ୍ଗ ବେରଙ୍ଗ ଜିନିଷ ଭର୍ତ୍ତି ଦୋକାନ,ଗାଡ଼ି ମଟରର କର୍କଶ ଶବ୍ଦ ଆଉ ସହରିଆ ପୋଷାକ ପିନ୍ଧିଥିବା ଲୋକ ମାନଙ୍କୁ ଦେଖି ପାରର ପାଟି ଆଁ ହୋଇଯାଇଥିଲା..

"ନେ..ପାଣି ପି.."କହି ବୋତଲଟିଏ ବଢେଇ ଦେଲା ସନାତନ ତା ହାତକୁ। ଢକ ଢ଼କ କରି ପିଇ ଦେଲା ପାର…!!

ଆଗରେ କେତେ ରଙ୍ଗୀନ କପଡ଼ା ଘେରା ବଡ ପଡିଆ ଆଡେ ହାତ ଦେଖେଇ ସନାତନ କହିଲା.."ଏଇଟା ସେଇ ମେଳି ପଡିଆ..ଯେଉଁଠି ତୋ ବା ଅଛି..!!"ପାର ଝାଙ୍କି ଦେଖିଲା..କେତେ ଲୋକ ସେଇଠି ରୁଣ୍ଡ ହୋଇଛନ୍ତି।କେତେ ଗହଳି ହେଇଛି।କଥା ଗୁଡାକ କେତେ ଜୋର ଶୁଭୁଛି..ମଣିଷ କଣ ଏତେ ଜୋର କହିପାରେ..?ଗୋଟିଏ ବଡ କଳା ଗୋଲ ଜିନିଷ ଆଡେ ଦେଖେଇ ସନାତନ କହିଲା.."ଏଇଟା ଡ଼ାକବାଜି ଯନ୍ତ୍ର।କଥା ୟା ଭିତର ଦେଇ ଆସୁଛି..!!"ଖୁସି ହେଲା ପାର। ସନିଆଇ ମନ କଥା ବୁଝି କହିଦେଲା..ହେଲେ…!!

ଟ୍ରକ୍ ନ ଅଟକାଇ ଆଗକୁ ଚାଲିଲା କଣ ପାଇଁ?"ଆରେ..ତୁ ରଉନୁ।ବା ଅଛି ଟି ଏଇଠି?ଆଉ ମୁଁ ତାକୁ ଦେଖିବି ବୋଲି ଆସିଚି ନା..?"

"ଆଲୋ..ଏମିତି କଣ ସେ ଠାବକୁ ଯାଇହେବ?ତୁ ଏବେ ମୋ ସହିତ ମୋ ବସାକୁ ଯିବୁ।ସଞ୍ଜ ହେଲେ ମୁଁ ଏଇଠୁ ଆସି ବା କୁ ସେଠିକି ନେଇଯିବି।ରାତିରେ ସିଏ ଆମ ସାଙ୍ଗରେ ରହିବ।ଆଉ କଣ ତୁ ମୋ ସାଙ୍ଗରେ ଏକୁଟିଆ ଗୋଟେ ଛାତ ତଳେ ରାତି କଟେଇଥାନ୍ତୁ..?" ଟିକେ ହସି କହିଲା ସନାତନ।

ଲାଜରେ ଗଣ୍ଠିଲିକୁ ଭିଡ଼ି ଟିକେ ଜାକିଜୁକି ବସିଗଲା ପାର। ସନିଆଇର ବୁଦ୍ଧି ସତେ କେତେ..!!ସବୁ କଥା କେତେ ବଢିଆ ବିଚାରି କରେ ସେ..!!ତା ସହିତ ଅଛି ଯେତେବେଳେ ପାରର ଆଉ କି ଚିନ୍ତା..!!??ଆଉ ମେଳି ପଡିଆକୁ ନ ଚାହିଁ ଏଥର ଦେଖିଲା ସହର ଆଡେ।ତା ପରି ଲୁଗା ପ୍ରାୟ କେହି ପିନ୍ଧି ନ ଥିଲେ। ସନିଆଇ ସତ କହୁଥିଲା।ଏଇଠି ଏମିତି ଲୁଗା ପିନ୍ଧିବା ଠିକ୍ ନାଇ।ଇଚ୍ଛା ହେଉଥିଲା ସଙ୍ଗେ ସଙ୍ଗେ ସେ ଫ୍ରକ୍ ବାହାର କରି ବଦଳେଇ ଦେବାକୁ…!!

ଝିଅ ପୁଅ ସବୁ ଏକ ଜାଗାରେ ଠିଆ ହେଇ କେଉଁଠି କେଉଁଠି ଗପୁ ଥିଲେ।ଦି ଚକିଆ ଗାଡ଼ିରେ ବସି ଉଡ଼ି ପଳାଉ ଥିଲେ।ସମସ୍ତେ ଖାଲି ବ୍ୟସ୍ତ।ସତେ ଯେମିତି କାହା ପାଖରେ କାହା ପାଇଁ ଟିକେ ସମୟ ନାହିଁ..ଗାଡ଼ି ମଟର ଆବାଜ କାନ ଅତଡା ପକେଇ ଦେଉଥାଏ।ଏସବୁ ଗାଁରେ ସେ କେବେ ଦେଖିନି।ଟ୍ରକ୍ ଧୀରେ ଧୀରେ ବଡ଼ ବଡ ଘର ଥିବା ଜାଗାରୁ ଯାଇ ଟିକେ ତଳିଆ ଘର ଥିବା ଜାଗାରେ ରହିଲା। ସନିଆଇ କହିବାରୁ ଟ୍ରକ୍ ରୁ ଓହ୍ଲେଇ ଗଣ୍ଠିଲି ହାତରେ ଧରି ତା ପଛେ ପଛେ ଚାଲିଲା ପାର।

ଆଶ୍ଚର୍ଯ୍ୟ ଲାଗୁଥିଲା।ଏଇ ଜାଗା ସେ ଏବେ ଏବେ ଦେଖିଥିବା ସହର ଠୁଁ ଅଲଗା କେଜାଣି କେମିତି ..!!ଏଇଠି ଘର ସବୁ ଛୋଟ ଛୋଟ ଅଛି।କେଉଁଠି ପାଣି, କାଦୁଅ ରାସ୍ତାରେ ଚାଲିଛି। ନାଳ ବି ଅଛି।ସ୍ତ୍ରୀ ଲୋକମାନେ ପାଣି ହାଣ୍ଡି ନେଇ ଯିବା ଦେଖାଗଲା ତାକୁ।କିନ୍ତୁ ସେମାନଙ୍କ ଲୁଗାପିନ୍ଧା ଆଉ କେଶସଜ୍ଜା ଅଲଗା ଥିଲା।ଏଇଠି ବି ସେମିତି ବ୍ୟସ୍ତତା..!!ଗାଁ ଠୁ ପୁରା ଅଲଗା ସତରେ ଏ ସହର..!!ଗାଁ ରେ ଦିନ ପବନ ବି ଥଣ୍ଡା ଲାଗୁଥିଲା।ହେଲେ ଏଇଠି ଦେହ ଜଳିଗଲା ପରି ଲାଗୁଛି..

ତାଲା ଖୋଲି ବଖରା ଭିତରକୁ ପଶି ଡାକିଲା ସନିଆ.."ଭିତରକୁ ଆ.."

ଏରୁଣ୍ଡି ନ ଥିଲା।କିନ୍ତୁ କବାଟ ଭିତରେ ଯେଉଁ ବଖରା ଥିଲା ତା ଭିତରେ ପଶିଲା ପାର। ସନିଆଇ କାନ୍ଥରେ କଣ ଗୋଟେ ଚିପି ଦେଲା ଆଉ ସେ ବଖରାଟା ଆଲୁଅ ହେଇଗଲା।ମୁଣ୍ଡ ଉପରେ କଣ ଗୋଟେ ଜୋରରେ ବୁଲିଲା ଆଉ ତାକୁ ଥଣ୍ଡା ଲାଗିଲା।"ଆରାମରେ ରହ ଲୋ ଏଇଠି..ଏଇଟା ପରା ମୋ ବଖରା..ମାନେ ତୋର…"କହି ସନିଆଇ ଫେରେ ହସିଲା।

ପାର ବି ହସିଲା।ହେଲେ ତା ପେଟ ବଥା ମାରୁଥାଏ।ଭୀଷଣ ଭୋକ।ଗାଆଁରେ ଏତେ ବେଳକୁ ପଖାଳ ବେଲାଏ ଖାଇ ହେକୁଟି ମାରନ୍ତାଣି..!!ଆଉ ଏଇଠି ଚୁଲି କେତେବେଳେ ଲାଗିବ କେଜାଣି..!!ସେମିତି କାଠ ପରି ଠିଆ ହୋଇ ସେ ଭାବୁଛି... ସନିଆଇ କଣ ଗୋଟେ ବେଣ୍ଟ ଲଗା ରସ ଭିତରେ ପାଣି,ଡାଲି,ଚାଉଳ,ଆଳୁ ସବୁ ପକେଇ ଦେଲା।ଚକ୍ ଚକ୍ ଗୋଲେଇ ଗୋଟେ ଜାଗାରେ ନିଆଁ ଜଳେଇ ସେଇଟା ବସେଇ ଦେଲା ଆଉ ଚାହୁଁ ଚାହୁଁ ସେ ଭିତରୁ ସୁଁ ସୁଁ କିଛି ଆବାଜ୍ ଆସିଲା...କୋଣରେ ଡରିକି ଠିଆ ହେଇଥିବା ପାର କୁ ଡକା ପକେଇଲା.."ଆ..ଖାଇବା…"

ହାଉ ବାହାରୁଥିବା ଗରମ ଗରମ ଭାତ,ଡାଲି,ଆଳୁ ଭର୍ତା ଦେଖି ପାର ଆଗପଛ ନ ଭାବି ଆଗ ଖାଇବା କାମ ସାରିଦେଲା।ସନିଆ ତାକୁ ବୁଝେଇ ଦେଲା.."ଏଇଟା ପ୍ରେସର୍ କୁକର ଆଉ ଗ୍ୟାସ ଚୁଲା।ସହରରେ ଏମିତି ରୋଷେଇ ହୁଏ।ତୁ ଖାଇ ସାରି ଟିକେ ଗଡି ପଡ଼..ମୁଁ ସାଉକାର ପାଖକୁ ଯିବି।ତା ପରେ ମେଳି ପଡିଆକୁ..."

ପାରକୁ ଅଜଣା ରାଇଜ ଆପଣା ଲାଗୁଥିଲା।ଖାଇସାରି ଗୋଟେ କୋଣରେ ବସି ସେ ସେହି ବଖରାକୁ ନିରେଖି ଦେଖୁଥିଲା।ଛୋଟ ହେଲେ ବି କେତେ ଚିକଣ ହେଇଛି..!!ହଠାତ୍ ଗରମ ନିଃଶ୍ୱାସ ଟିକେ ତା ବେକମୂଳେ ବାଜିବାରୁ ଚମକି ଉଠିଲା…!!

"ସନିଆଇ…"ଏତେ ପାଖରେ ତାକୁ ଦେଖି ବନ୍ଦ୍ ବଖରାରେ କେଜାଣି କାହିଁକି ଶିହରୀ ଉଠିଲା ପାର..

"ଆଉ ଅଳପ ଦିନ ଲୋ..ତୋ ବା ଖାଲି ହଁ କରିଦେଲେ.. ତୁ ମୋ ସହିତ ଏମିତି ଏଇଠି ସବୁବେଳ ପାଇଁ ରହିବୁ…"କହିଲା ସନିଆ ଆଉ ଲକ୍ଷେ ସ୍ବପ୍ନ ଭିତରେ ପାରକୁ ଛାଡ଼ି କାମରେ ବାହାରି ଗଲା..

ଦିନସାରା ଭାରି ଏକା ଏକା ଲାଗୁଥିଲା ..କାହାକୁ ଜାଣିନି।କାହା ସହିତ ସେ କଥା ହୁଅନ୍ତା ..? ବଖରିଏ ଘରକୁ ସଫା କରି ସଜେଇ ଦେଲାଣି।ସଞ୍ଜ ବେଳକୁ ବା କୁ ନେଇ ସନିଆଇ ଆସିବ।ତା ଆଗରୁ ଟିକେ ସେ ଫ୍ରକ୍ ପିନ୍ଧିବାକୁ କାହିଁକି କେଜାଣି ମନ ଉଚ୍ଛନ୍ନ ହେଲା..ଥରେ ଦେଖେ ତ..ସହରୀ ଢଙ୍ଗ ତା ଗାଉଁଲି ଦେହରେ କେମିତି ଖାପ ଖାଉଛି..!!

ଇସ୍..ସେ ଏତେ ସୁନ୍ଦର..!!ଗାଢ଼ ନାଲି ରଙ୍ଗର ଫ୍ରକ୍ ପିନ୍ଧି ଛୋଟ ଆଇନାରେ ନିଜକୁ ନିରେଖି ଦେଖିଲା ପାର..!!ହଳଦୀ ରଙ୍ଗର ଚମ୍ପା ଦେହ ତାର ଆହୁରି ଝଟକି ଉଠୁଥିଲା…!!ବା ଆସିବା ଆଗରୁ ସେଇ ଲୁଗା ବଦଳେଇଦେବାକୁ ହେବ। ନ ହେଲେ ବା ରାଗ ରଖିବ..!!ଏମିତି ଭାବିଲା ବେଳକୁ ଦରଜାରେ କିଏ ଠକ୍ ଠକ୍ କଲା…

ଚମକି ଉଠିଲା ପାର।ସଞ୍ଜ ହେବାକୁ ଆହୁରି ତ ଡେରି ଅଛି।ବା ଆସିଗଲା କି ଆଉ..?ଖୁସିରେ ଆଗପଛ ନ ଭାବି ଦୌଡ଼ି ଯାଇ ଖୋଲିଦେଲା କବାଟ…

"ସନିଆଇ ତମ ସାଙ୍ଗ ବୋଲି ଜାଣି ପାରିଲିନି..!!"କହି ହାତ ଯୋଡ଼ି ଭୁଲ୍ ମାଗିଲା ପାର।ଚାରିଜଣ ଅଜଣା ଲୋକ ଆସି ସନିଆକୁ ଚିହ୍ନିଛନ୍ତି ଆଉ ସକାଳେ ସନିଆ ସହିତ ତାକୁ ଆସିଥିବା ଦେଖିଛନ୍ତି ବୋଲି କହି ଆସି ବସିଥିଲେ ସେହି ବଖରାରେ। ପାର ସେମାନଙ୍କୁ ଜାଣିନି ସିନା ହେଲେ ଯଦି ସତରେ ସନିଆଇ ଚିହ୍ନିଛି ହେଲେ ଅସୁନ୍ଦର ହେବ ନା..!!

କିନ୍ତୁ ଭାରି ଅବାଗିଆ ଥିଲା ସେମାନଙ୍କ ଚାହାଣୀ।ପାର କାହାକୁ ଚିହ୍ନିନି କି ଜାଣିନି।କଣ ବା ତାଙ୍କ ସହିତ କଥା ହେବ?ହେଲେ ଏମାନେ ଏମିତି ତାକୁ ଖାଇ ଦେଲା ପରି ଦେଖୁଥିବା ଜାଣି ତାକୁ ଭାରି ଅଲଗା ଅଲଗା ଲାଗିଲା।ଏମିତି ଚାହାଣୀ ସେ କେବେ ଆଗରୁ ଗାଁ ରେ ଦେଖିନି..ସହଜେ ଫ୍ରକ୍ ପ୍ରଥମ ଥର ପିନ୍ଧିଛି..ଆଉ ଟିକେ ଟିକେ ପବନରେ ସେଇଟା ଉଡ଼ି ଯାଉଛି ଯେ ଜାକି ଧରି ଠିଆ ହେବାକୁ ପଡୁଛି।ଲୁଗାରେ କିନ୍ତୁ ଏସବୁ ହୁଏନା।ସତରେ ଏ ସହରିଆ ଚଳଣି ଭାରି ଅବୁଝା..!!

ଅଧିକ କିଛି ଭାବିବା ଆଗରୁ ସେମାନଙ୍କ ଭିତରୁ ଜଣେ ହଠାତ୍ ଦରଜାଟା ବନ୍ଦ୍ କରି ପକେଇଲା।ଆଉ ସେମାନେ କେମିତି ବିକୃତିଆ ହସ ହସି ତା ଆଡେ ବଢ଼ି ଆସୁଥିଲେ..!!ପାର ଛାତି ଭିତରଟା ଜୋରରେ ବାଡେଇ ହେଉଥିଲା। ଏମାନଙ୍କ ଉଦ୍ଦେଶ୍ୟ କଣ ହେଇପାରେ ?ଏମିତି ଶିକାର କରିବାକୁ ଆସିଲା ପରି କାଇଙ୍କି ଆସୁଚନ୍ତି.. ଭାବିବା ଭିତରେ ଜଣେ ଆସି ତା କାନ୍ଧ ଉପରେ ହାତ ପକେଇ ଦେଲା..

ପାର ବୁଝିଗଲା.. ତ୍ରସ୍ତ ହରିଣୀ ପରି ସେ ଏବେ ହିଂଶୃକ ଶାର୍ଦୂଳଙ୍କ ଗହଣରେ..!!ଚାରିଜଣ ରାକ୍ଷସ ଘେରି ରହିଥିଲେ ତାକୁ।ଛୋଟ କମରା ଭିତରୁ ବାହାରିବାର କୌଣସି ରାସ୍ତା ନ ଥିଲା...ଆଖିରୁ ଧାର ଧାର ଲୁହ ବାହାରି ଆସିଲା ତାର..ଆଉ ପାଟିରୁ ବାହାରିଗଲା…"ବା.."

"ତୋର ମାଇପି ଦିହଟା ସିନା ଦୂବଳିଆ ହେଇପାରେ..ହେଲେ ତୋ ମନ ଅଣ୍ଡିରା ପରି ଟାଣ..ତୁ ପରା ମୋ ଛାତିର ବଳ…!!" ବା ର ଏହି କଥା ପାର କାନରେ କେମିତି ଶୁଭିଲା ପରି ଲାଗିଲା..!!

ଗାଁ ପାଣି ପବନର ମୁକ୍ତ ବିହଙ୍ଗ ସିଏ..ଦେଖିବାକୁ ଚିକ୍କଣ ବରଫ ପରି ହେଲେ ବି ହାତ ଲଗେଇଲେ ଲୁହାଠୁ ଟାଣ ଅଟେ..ତାକୁ କଣ ଏ ସହରର ଲଫଙ୍ଗା ବାଳୁଙ୍ଗା ଏମିତି ସହଜରେ କାବୁ କରିଦେବେ..!!??

ଲୁଗା କାଚିଲା ପରି ଗୋଟା ଗୋଟାକୁ ଯେମିତି ପାରିଲା ସେମିତି ଆଖିବୁଜା ମାଡ଼ ବଜେଇ ଚାଲିଲା ପାର..!!ଚାରି ଚାରି ଜଣ ମରଦ ତା ଆଗରେ ମୂଷା ପରି ନିସ୍ତୁକ ମାଡ଼ ଖାଇ ଦମ୍ ହରେଇ ତଳେ ପଡ଼ିବା ପରେ ଟଳମଳ ପାଦରେ ଆଗକୁ ଆସି ଦରଜା ଖୋଲିଲା ବେଳକୁ ସନିଆଇ ଆଉ ବା ଆସୁଥିବାର ଦେଖିଲା …

"ବା.."କହି କ୍ଷୀଣ ହସଟେ ହସି ତା ଉପରକୁ ଜଳି ପଡ଼ି ଅଚେତ୍ ହୋଇଗଲା ସେ…

ପାରକୁ ଏ ଅବସ୍ଥାରେ ଦେଖି ଆଉ ବଖରା ଭିତରେ ପଡ଼ିଥିବା ଲୋକ ଗୁଡ଼ାକୁ ଦେଖି ବା ନିଜକୁ ଆଉ ସମ୍ଭାଳି ପାରିଲାନି..!! ଠାଏ କିନା ଚଟକଣୀଟିଏ କଷି ଦେଲା ସନିଆ ଗାଲରେ…!!

ଆଉ ସିଏ କିଛି କହିବା ଆଗରୁ ଅଚେତ ପାରକୁ ଦି ହାତରେ ଉଠେଇ ଦଉଡ଼ି ଚାଲିଥିଲା ଡାକ୍ତର ପାଖକୁ..!!ନିଜ ଇଜ୍ଜତ ସିନା ପାର ବଞ୍ଚେଇ ଦେଇଛି ହେଲେ ଚେତା କିନ୍ତୁ ବଞ୍ଚେଇ ପାରିନି…

ଦୁଇଦିନ ହେଲା ବିଛଣାରେ ପଡ଼ିଛି ପାର।ଅତ୍ୟଧିକ ଚିନ୍ତା ଆଉ ଭୟ କାରଣରୁ ରକ୍ତଚାପ ଏପଟ ସେପଟ ହେଇଯାଇଥିବା କହିଲେ ଡାକ୍ତର ପ୍ରକାଶ।ପାର ଆଉ ତା ବା କୁ ଦେଖି ସେ ଠିକ୍ ଚିହ୍ନି ପାରିଲେ।ପିଲାଦିନେ ସେ ସେହି ଗାଁରେ ପାର ସହିତ ଖେଳି କୁଦି ସେ ବଡ଼ ହେଇଥିଲେ।କିନ୍ତୁ ସମୟ ସହିତ ତାଳ ଦେଇ ତାଙ୍କ ବାପା ତାଙ୍କୁ ନେଇ ସହରକୁ ଆସି ଯାଇଥିଲେ।ଉଚ୍ଚ ଶିକ୍ଷା ପାଇ ବର୍ତ୍ତମାନ ସେ ଏହି ହସପିଟାଲରେ ଡକ୍ଟର ହୋଇ ପାରିଛନ୍ତି।ପ୍ରକାଶ ଥିବା ଯୋଗୁଁ ପାର ପାଇଁ ସେଇଠି କିଛି ବି ଅସୁବିଧା ହେଉନି।ଗୋଟିଏ ମୁହୂର୍ତ୍ତ ମଧ୍ୟ ନର୍ସମାନେ ତା ପାଖ ଛାଡ଼ୁ ନାହାନ୍ତି।ପ୍ରକାଶ ନିଜେ ପାରର ଯଥେଷ୍ଟ ଯତ୍ନ ନେଉଛନ୍ତି।ବା କୁ ସେ କିଛି କହିବେ କହିବେ ହେଉଥିଲେ।ହେଲେ ଟିକେ ଥତମମ ହୋଇ କେଜାଣି କାହିଁକି ରହି ଯାଉଥିଲେ…!!

ଅପରାଧୀଟିଏ ପରି ମୁଣ୍ଡ ତଳକୁ କରି ସେହି ହସପିଟାଲରେ ତଳେ ମନ ଦୁଃଖରେ ବସି ରହୁଥିଲା ସନାତନ।ବା ଠିକ୍ କହିଛି..ପାର ସିନା ଦୁନିଆଦାରି ଜାଣିନି।ହେଲେ ସିଏ କଣ ଏତିକି ଜାଣି ପାରିଲାନି ଯେ ଏ ସହର କେତେ ଅସୁବିଧାରେ ପକେଇ ଦେଇପାରେ ପାରକୁ..??ତା ପିଲାଳିଆ ଜିଦ୍ ଆଗରେ ମୁଣ୍ଡ ନୁଆଇଁ ସେ ବି ବଡ ଭୁଲ କରିଛି।ଦି ଦିନ ହେବ ତା ଆଖିରେ ନିଦ ନାହିଁ କି ପେଟରେ ଭୋକ ନାହିଁ।ବା କୁ ସିଏ ବି କିଛି କହିବ କହିବ ହେଉଥିଲା..ହେଲେ ଟିକେ ଥତମମ ହୋଇ କେଜାଣି କାହିଁକି ରହି ଯାଉଥିଲା..!!

ପାର ଚେତା ଫେରି ପାଇଥିଲା.. ଜୁସ ଟିକେ ପିଏଇ ତାକୁ ଧୀରେ ବସେଇ ଦେଲେ ପ୍ରକାଶ।ତା ବାହାଦୂରୀ କଥା ଶୁଣି ସାରିଥିଲେ।ଝିଅଟିଏ କେତେ ସାହସର ସହିତ ଏତେ ବଡ ବିପଦର ସାମ୍ନା କରି ସଫଳ ହୋଇ ପାରିଛି ସେକଥା ପାଇଁ ମନେ ମନେ ବହୁତ୍ ତାରିଫ କରୁଥିଲେ ନିଜ ପିଲାଦିନର ସାଙ୍ଗକୁ।

ପାର ଭଲ ହୋଇ ଆସିବା ଦେଖି ବା ଖୁସି ହୋଇ କହିଲା.."ପ୍ରକାଶିଆ..ତୋତେ କି ଭାଷା ଦେଇ ମନକଥା କହିବି କିଛି ମୁଣ୍ଡରେ ପଶୁନି।ଆଜି ଯଦି ତୁ ନ ଥାନ୍ତୁ..କେଜାଣି ମୋ ପାରର କି ଅବସ୍ତା ହୁଅନ୍ତା।ତୋ ରୂପରେ ଦଇବ ଆସି ମୋତେ ସଦୟ ହେଇଚନ୍ତିରେ ।କଣ ଦେଇ ଶୁଝି ପାରିବି କେଜାଣି ତୋ ଉପକାର..!!??

"ଆରେ..ଉପକାର କଣ ମଉସା?ମୁଁ ଏତେ ପର ହେଇଗଲି କି ତୋ ପାଇଁ?ପିଲାବେଳେ ତୋ କାନ୍ଧରେ କେତେ ଥର ବସେଇଛୁ କଣ ଭୁଲି ଗଲୁଣି..?ପାର ମୋ ପିଲା ଦିନର ସାଙ୍ଗ।ତା ପାଇଁ ଆଜି କିଛି କରି ପାରିଛି ଏତିକି ମୋର ଆନନ୍ଦ.."ବା ହାତ ଧରି କହିଲେ ଡାକ୍ତର ପ୍ରକାଶ।

ଗାମୁଛାରେ ଲୁହ ପୋଛି ବା କହିଲା.."ଈଶ୍ୱର ତୋତେ କୋଟି ପରମାୟୁ ଦିଅନ୍ତୁରେ ପ୍ରକାଶିଆ।ଏତେ ବଡ ଡାକ୍ତର ହେଇ କିଛି ହେଲେ ବି ଗରବ ନାଇ ତୋର..ହେଲେ ବି ଯଦି ଏ ମଉସା ତୋ ପେଇଁ କିଛି କରି ପାରିବ ମନ ଖୋଲି କଇବୁ।"

କାଳବିଳମ୍ବ ନ କରି ପ୍ରକାଶ କହିଲେ.."ମଉସା..ଯଦି ତୁ କିଛି ଦେବାକୁ ଚାହୁଁ ହେଲେ ମୁଁ ପାରକୁ ମାଗିବି।ତା ସହିତ ଜୀବନ କାଟିବାକୁ ଚାହିଁବି।ମୁଁ ତାକୁ ବିବାହ କରିବାକୁ ଚାହେଁ ମଉସା।ମା ଯେତେବେଳେ ଜାଣି ପାରିଲା ମୁଁ ପାରକୁ ବିବାହ କରିବାକୁ ଇଚ୍ଛା କରୁଛି ସେତେବେଳେ ସେ ସଙ୍ଗେ ସଙ୍ଗେ ତୋ ପାଖକୁ ଆସିବାକୁ କହିଲା ହେଲେ ମୁଁ ପ୍ରଥମେ ତୋର ମନକଥା ଶୁଣିବାକୁ ଚାହେଁ।ତୁ ରାଜି ତ..!!??"

ଏତେ ବଡ କଥା ହଠାତ୍ ଶୁଣି ବା ବହୁତ୍ ଖୁସି ହୋଇଗଲା।ଥରେ ପଛକୁ ବୁଲିପଡ଼ି ପାର ମୁହଁକୁ ଚାହିଁଲା।ଆଉ ତା ପରେ କହିଲା..

"ପ୍ରକାଶିଆ..ତୋ ପରି ଜୋଇଁ ପାଇବାକୁ କେତେ ଯେ ପୁଣ୍ୟ କରିବାକୁ ପଡ଼ିବ କିଏ ଜାଣିଚି..!!ରୂପ,ରଙ୍ଗ,ବେଭାର ସବୁଥିରେ ତୁ ନିଖୁଣ।ଆଉ ତୋ ମା ବାପା ମୋର ତ ଅତି ଆପଣାର ଲୁକ।ତୋ ଘରକୁ ଯାଇ ପାରିଲେ ପାର ମୋର ଭାଇଗଶାଳୀ ହେଇଯିବରେ…!!ହେଲେ…"

ବା ପାଟିରୁ "ହେଲେ" ଶୁଣି ସେ ଜାଗାରୁ ଚୁପଚାପ୍ ଉଠି ବାହାରକୁ ପଳେଇ ଯାଉଥିବା ସନାତନ ଦରଜା ପାଖରେ ଟିକେ ଅଟକି ଗଲା।

ବା ପ୍ରକାଶଙ୍କ ହାତ ଧରି କହିଲା.."କଣ କରିବି କହିଲୁ ପ୍ରକାଶିଆ..ମୁଁ ପରା ଏ ସନିଆ ହାତରେ ପାରକୁ ଟେକି ଦେବି ବୋଲି ମନ ବଳେଇଚିରେ…!!"

ବା ପାଟିରୁ ଏକଥା ଶୁଣି ସନିଆ ଆଉ ପାର ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଦେଖୁଥିଲେ..ବା ପୁଣି କହିଲା..

"ତୁ ପାରକୁ ପସନ୍ଦ କରୁଚୁ ଖୁସିର କଥା। ହେଲେ ସନିଆ ସେଇ ପିଲା ଯିଏ ମୋ ଝିଅକୁ ପସନ୍ଦ କରୁଚି ବୋଲି କହି ନ ପାରିଲେନି ବି ତାକୁ ମନ ଦୁଃଖରେ କେବେ ଦେଖି ପାରିବନି।ତା ଖୁସି ପେଇଁ ସିଏ ଯାହା ହେଲେ ବି କରିବ। ତାର ଫାଇଦା ଉଠେଇବନି କେବେ।ଆଉ ଯଦି ତାର କିଛି ଭଲମନ୍ଦ ହୁଏ ହେଲେ ସିଏ ନିଜକୁ ହିଁ ଦୋଷୀ ମଣିବ।ଆଉ ସବୁଠୁ ବଡ କଥା ହେଲା ସିଏ ପାର ସହିତ ଘର କରିବାକୁ ଏ ସହରକୁ ଛାଡ଼ିଦେଇ ଗାଁ କୁ ପଳେଇ ଆସିବ।ମୋ ସହିତ କାନ୍ଧ ମିଶେଇ ହଳ ଯୋଚିବ..ନା କ'ଣ ରେ ସନିଆ..??"

ପଚାରିଦେଇ ବା ସନିଆ ଆଡ଼କୁ ମୁହଁ କରି ଚାହିଁଲା। ଗତ ଦି ଦିନ ହେବ ସେ ତା ମୁହଁ ଦେଖୁ ନ ଥିଲା।ସନିଆ ଖୁସିରେ ଗଦଗଦ ହେଇ ଦୌଡ଼ି ଆସି ତା ଗୋଡ଼ ଧରି ପକେଇ କହିଲା.."ତୁ ଯାହା କହିବୁ ସେଇଟା କରିବି..ତୁ ଖାଲି ଆମ ମୁଣ୍ଡ ଉପରେ ତୋ ହାତ ଟିକେ ରଖିଥା..!!"

ପାର ଦେଖୁଥିଲା.. ଧୋବ ଫରଫର ଧଳା ସାର୍ଟ,ନୀଳ କୋଟ, ସୁଟ, ବୁଟ, ଟାଇ, ବେଲ୍ଟ ପିନ୍ଧା ପାଠ ପଢୁଆ ସଭ୍ୟ ସୁନ୍ଦର ଡାକ୍ତରକୁ ଛାଡ଼ି ବେକରେ ଗାମୁଛା ପକେଇଥିବା ଗାରପକା ସାର୍ଟ ଆଉ ଢିଲା ପ୍ୟାଣ୍ଟ୍ ପିନ୍ଧା ତା ମନର ମଣିଷକୁ ବା କେତେ ସହଜରେ ବାଛି ଦେଲା ତା ପେଇଁ..ଆଉ କଥା କଥାରେ ରାଜି ବି କରେଇଦେଲା ତାକୁ ଗାଁ ମୁହାଁ ହେଇ ଯିବାକୁ..!!

ତା ହେଲେ ବା କଣ ଆଗରୁ ଜାଣି ଯାଇଥିଲା ତାର ଆଉ ସନିଆଇର ମନ ଦିଆନିଆ କଥା..!!??

ତା ଭାବନାରେ ଗାର ଟାଣି ତାକୁ ହଲେଇ ଦେଇ ବା କହିଲା.."କଣ କି ଲୋ ପାର..!!ଏତେ ଭାବୁଚୁ??ମୁଁ ପରା ତୋ ବା..ଜନମ ଦେଇଚି ତତେ।ଆଉ ତୋ ଆଖିର ଚମକ ଲୁହର କି ଖୁସିର ସେକଥା କଣ ଅଜଣା ହବ କି ମତେ…?"

ପ୍ରକାଶ ସନାତନକୁ କୁଣ୍ଢେଇ ପକେଇ ବଧେଇ ଦେଉଥିଲେ...ଆଉ ପାରର ଖୁସି ଆନନ୍ଦ ଭର୍ତ୍ତି ମନ ଭିତରୁ ତା ପାଟି ଦେଇ ଖାଲି ପଦେ ବାହାରିଗଲା…"ବା….!!"ଆଉ ସେ ଲୋଟି ପଡ଼ିଲା ବା ର ଅଭୟ ଛାତି ଉପରେ….।।


Rate this content
Log in

Similar oriya story from Classics