STORYMIRROR

Kulamani Sarangi

Classics

5.0  

Kulamani Sarangi

Classics

କଥା କାଦମ୍ବରୀଭାଗ ୨୬

କଥା କାଦମ୍ବରୀଭାଗ ୨୬

5 mins
574



ପାଣ୍ଡବ ଏବଂ କୌରବ ରାଜପୁତ୍ରମାନେ ଯୁଦ୍ଧ ବିଦ୍ୟା, ପ୍ରଥମେ କୁଳଗୁରୁ କୃପାଚାର୍ଯ୍ୟ ଏବଂ ପରେ ପର୍ଶୁରାମ-ଶିଷ୍ୟ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଶିକ୍ଷା କରି ବିଶ୍ବରେ ଅଜେୟ ବୀର ଭାବରେ ନିଜ ନିଜର ପରିଚୟ ଦେବାପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ରୀତି ନୀତି ଅନୁଯାୟୀ,ଶିକ୍ଷାଲାଭ ଉପରାନ୍ତେ,ଯେ ଯାହାର ବିଦ୍ୟାର ପରୀକ୍ଷା ଦେବାପାଇଁ ବା ପ୍ରଦର୍ଶନ କରିବାପାଇଁ ଗୋଟିଏ ଦିନ ସ୍ଥିର କରାଗଲା।ରାଜ-ନବର ନିକଟସ୍ଥ ଏକ ପ୍ରଶସ୍ତ ପ୍ରାଙ୍ଗଣ ରଙ୍ଗଭୂମି ପାଇଁ ପ୍ରସ୍ତୁତ କରାଗଲା। ରାଜକୁମାର ମାନଙ୍କର ଯୁଦ୍ଧକୌଶଳ ଦର୍ଶନ କରିବା ପାଇଁ ରାଜ୍ୟର ଗଣ୍ୟମାନ୍ୟ ବ୍ୟକ୍ତି ନିମନ୍ତ୍ରିତ ହୋଇଥିଲେ। ଶାରଳା ମହାଭାରତ ଅନୁସାରେ ଶ୍ରୀକୃଷ୍ଣ ଏବଂ ଶ୍ରୀବଳରାମ ମଧ୍ୟ ଏହି ପ୍ରଦର୍ଶନ ଉପଭୋଗ କରିବା ପାଇଁ ଦ୍ବାରକାରୁ ଆସିଥିଲେ।


===== ପ୍ରଦର୍ଶନ ସ୍ଥଳରେ ସମ୍ରାଟ ଓ ସଭାସଦଙ୍କ ବ୍ୟତୀତ ଅନ୍ତଃପୁର ବାସିନୀ ମାନଙ୍କ ପାଇଁ ଆସ୍ଥାନର ବ୍ୟବସ୍ଥା କରାଯାଇଥିଲା। ସତ୍ୟବତୀ, ଗାନ୍ଧାରୀ ଏବଂ କୁନ୍ତୀ ଏବଂ ସେମାନଙ୍କର ଅନେକ ପରିଚାରିକା ଝିନ୍ନ ପରଦା ଅନ୍ତରାଳରେ ରହି କୁମାରମାନଙ୍କ ଯୁଦ୍ଧବିଦ୍ୟା ପ୍ରଦର୍ଶନ ଦେଖିବାପାଇଁ ଉଦ୍ବେଗ ସହିତ ଅପେକ୍ଷା କରି ରହିଲେ।


==== ସୁବର୍ଣ୍ଣ ସିଂହାସନରେ ଆସୀନ ହୋଇଥାନ୍ତି ରାଜା ଧୃତରାଷ୍ଟ୍ର। ନିକଟରେ ଉପବିଷ୍ଟ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ,କୁଳଗୁରୁ କୃପାଚାର୍ଯ୍ୟ ଏବଂ ବିଜ୍ଞ ବିଦୁର।

ରଙ୍ଗଭୂମିର ଚତୁର୍ପାଶ୍ବ ସୁରକ୍ଷିତ ହୋଇ ରହିଥିଲା ଏବଂ ପ୍ରବେଶ ଦ୍ଵାରରେ ସ୍ବାଗତ ପାଇଁ ସୁସଜ୍ଜିତ ତୋରଣ ଶୋଭା ପାଉଥିଲା।

ଏହି ସମୟରେ ସମସ୍ତ ରାଜପୁତ୍ର ପ୍ରାଙ୍ଗଣରେ ପ୍ରବେଶ କଲେ।ଗହ ଗହ ଶବ୍ଦରେ କମ୍ପି ଉଠିଲା ରଙ୍ଗଭୂମି। ନିଜ ନିଜର ଅସ୍ତ୍ରରେ ସୁସଜ୍ଜିତ ରାଜପୁତ୍ରମାନେ ଯେ ଯାହାର ସ୍ଥାନ ଗ୍ରହଣ କଲେ। ଏହି ସମୟରେ କୁଳଗୁରୁ କୃପାଚାର୍ଯ୍ୟ ଉତ୍ସବ ଆରମ୍ଭ ହେବା ଘୋଷଣା କଲେ।ଜଣ ଜଣ କରି ପ୍ରତି ରାଜପୁତ୍ର ମଞ୍ଚାସୀନ ଗୁରୁଜନ ମାନଙ୍କର ପାଦବନ୍ଦନା କରି ନିଜର ପରାକ୍ରମ ପ୍ରଦର୍ଶନ କରିବାପାଇଁ ପ୍ରସ୍ତୁତ ହୋଇ ରହିଲେ।


==== ପ୍ରଥମେ ଯୁଧିଷ୍ଠିର ନିଜର ଭାଲକ୍ଷୁଦ୍ଧ କୌଶଳ ଏବଂ ତା'ପରେ ଦୁର୍ଯ୍ୟୋଧନ ନିଜର ଗଦାଯୁଦ୍ଧ କୌଶଳ ପ୍ରଦର୍ଶନ କଲେ। ଦୁର୍ଯ୍ୟୋଧନଙ୍କ ପ୍ରଦର୍ଶନ ସମୟରେ କୌରବ ଭାଇମାନେ 'ସାଧୁ ସାଧୁ' ଶବ୍ଦରେ ରଙ୍ଗଭୂମି ପ୍ରକମ୍ପିତ କରିଦେଲେ। ତା'ପରେ ଆସିଲା ମହାବଳୀ ଭୀମଙ୍କ ପାଳି। ଅଦ୍ଭୁତ ଗଦା ଚାଳନା ବ୍ୟୁତ୍ପତ୍ତି ପ୍ରଦର୍ଶନ କରି ବୃକୋଦର ଉପସ୍ଥିତ ଜନ ସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲେ। କୌରବ ଭାଇମାନେ ସିନା ଜୋକ ମୁହଁରେ ଲୁଣ ଦେଲାପରି ଚୁପ୍ ହୋଇ ରହିଲେ; କିନ୍ତୁ ଉପସ୍ଥିତ ଜନସାଧାରଣଙ୍କ କରତାଳି ଓ ସାଧୁବାଦ ଶବ୍ଦରେ ପରିବେଶ ମୁଖରିତ ହୋଇ ଉଠିଲା। କୁନ୍ତୀଙ୍କ ହୃଦୟ ମଧ୍ୟ ଆନନ୍ଦରେ ପୁଲକିତ ହୋଇ ଉଠିଲା।ପାଖରେ ବସିଥିବା ଗାନ୍ଧାରୀ ପଚାରିଲେ...କାହାର ପ୍ରଦର୍ଶନ ଦେଖି ଜନସାଧାରଣ ଏତେ ଆନନ୍ଦିତ କୁନ୍ତୀ?

କୁନ୍ତୀ କହିଲେ... ଦିଦି, ଆପଣଙ୍କ ପ୍ରିୟ ଭୀମର ପ୍ରଦର୍ଶନ ଦେଖି ଜନସାଧାରଣ ଏତେ ଆନନ୍ଦିତ।

ଆନନ୍ଦରେ ଗାନ୍ଧାରୀ କହିଲେ...ମୋ ଭୀମକୁ ପ୍ରଭୁ କୋଟି ପରମାୟୁ ଦିଅନ୍ତୁ କୁନ୍ତୀ।


==== ଏହାପରେ ଅନ୍ୟ ରାଜପୁତ୍ର ମାନଙ୍କର ପ୍ରଦର୍ଶନ ସଭାସଦ ଓ ଜନସାଧାରଣ ମନଭରି ଉପଭୋଗ କରିବାରେ ଲାଗିଲେ।ସମସ୍ତଙ୍କ ପ୍ରଦର୍ଶନ ଭିତରେ ଅର୍ଜୁନଙ୍କ ପ୍ରଦର୍ଶନ ଥିଲା ଅନନ୍ୟ।ଦିବ୍ୟ ଅସ୍ତ୍ର ମାନଙ୍କର ପ୍ରୟୋଗ ସେ ଏଭଳି ପ୍ରଦର୍ଶନ କଲେ ଯେ ଉପସ୍ଥିତ ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ।ମେଘଅସ୍ତ୍ର କ୍ଷେପଣ କରି ସେ ଘୋର ଘନଘଟା ସୃଷ୍ଟି କରି ତାକୁ ବାୟବ୍ୟ ଅସ୍ତ୍ର ପ୍ରୟୋଗ କରି ଉଡାଇ ନେଉଥିଲେ। ଅଗ୍ନି ଅସ୍ତ୍ର ପ୍ରୟୋଗ କରି ଲେଲିହାନ ଅଗ୍ନି ଶିଖା ସୃଷ୍ଟି କରୁଥିଲେ ଏବଂ ଜଳଦ ଅସ୍ତ୍ର ପ୍ରୟୋଗ କରି ତାହା ନିର୍ବାପିତ କରିପାରୁଥିଲେ। ପର୍ଶୁରାମଙ୍କଠାରୁ ଯାହା ସବୁ ଦ୍ରୋଣ ଶିକ୍ଷାଲାଭ କରି ଅର୍ଜୁନଙ୍କୁ ଦାନ କରିଥିଲେ, ସେ'ସବୁ ଯୋଗ୍ୟ ଶିଷ୍ୟ ଅର୍ଜୁନ ଆତ୍ମସ୍ଥ କରି ପାରିଥିଲେ।ଏହା ଦେଖି ଆନନ୍ଦାଶ୍ରୁ ଝରି ଯାଉଥିଲା ଗୁରୁ ଦ୍ରୋଣଙ୍କ ଆଖିରୁ,ବକ୍ଷ ସ୍ଫୀତ ଏବଂ ହୃଦୟ ପ୍ରଫୁଲ୍ଲିତ ହୋଇ ଯାଉଥିଲା। ସମଗ୍ର ରଙ୍ଗଭୂମିରେ ସମ୍ପୂର୍ଣ୍ଣ ନିରବତା ଛାଇଯାଇଥିଲା।ଆଖି ବିସ୍ଫାରିତ କରି ସମସ୍ତେ ଚାହିଁ ରହିଥିଲେ ଅର୍ଜୁନଙ୍କ ବାଣ ପ୍ରଦର୍ଶନକୁ। ଈର୍ଷାରେ ହୃଦୟ ବିଦୀର୍ଣ୍ଣ ହୋଇଯାଉଥିଲା ଦୁର୍ଯ୍ୟୋଧନ ଏବଂ ଅନେଶ୍ବତ କୌରବ ଭାଇଙ୍କର।


==== ପିତାମହ, ଅର୍ଜୁନଙ୍କ ପ୍ରଦର୍ଶନକୁ ଶ୍ରେଷ୍ଠ ପ୍ରଦର୍ଶନ ଭାବରେ ଘୋଷଣା କଲେ ଏବଂ ଅର୍ଜୁନ ବିଶ୍ବର ଶ୍ରେଷ୍ଠ ଧନୁର୍ଦ୍ଧର ବୋଲି ଅଭିମତ ଦେଲେ।

ଏହି ସମୟରେ ରଙ୍ଗସ୍ଥଳରେ ଏକ ଅଦ୍ଭୁତ ଘଟଣା ଘଟିଲା।ରଙ୍ଗସ୍ଥଳରେ ଦ୍ବାର ଦେଶରେ ଉଭାହେଲା ଏକ ସୁଦୃଶ୍ୟ ଯୁବକ।ଦେବୋପମ କାନ୍ତି,ଦୀର୍ଘ ଶରୀର,ଆଜାନୁଲମ୍ବିତ ବିଶାଳ ଭୁଜରେ ଶୋଭାପାଉଛି ଦିବ୍ୟ ଜ୍ୟୋତିର୍ମୟ ♐ଧନୁ,ତୂଣୀରରେ ପରିପୂର୍ଣ୍ଣ ଶାଣିତ ବାଣ,ପୃଷ୍ଠରେ ବିଶାଳ ଫଳକ ଏବଂ କଟୀଦେଶରେ ଶାଣିତ ଖଡ୍ଗ, କର୍ଣ୍ଣରେ ଶୋଭା ପାଉଥିଲା ମକର କୁଣ୍ଡଳ,ବକ୍ଷରେ ଜ୍ୟୋତିର୍ମୟ ଅଭେଦ୍ୟ କବଚ।


==== ଗୁରୁ ଗୁରୁଜନ ମାନଙ୍କୁ ପ୍ରଣାମ କରି ଯୁବକ କହିଲା...ହେ କୁରୁ ଶ୍ରେଷ୍

ଠ ଭୀଷ୍ମ, ଅର୍ଜୁନର ତୁଚ୍ଛ ପ୍ରଦର୍ଶନକୁ କିପରି ଆପଣ ଶ୍ରେଷ୍ଠ ପ୍ରଦର୍ଶନ ବୋଲି କହୁଛନ୍ତି?ଏହା ତ ମୋ ଆଗରେ ଅତି ନଗଣ୍ୟ ଓ ସାଧାରଣ ଜଣାଯାଉଛି। 

ଅଜ୍ଞାତ କୁଳଶୀଳ ଆଗନ୍ତୁକର ଆସ୍ଫାଳନରେ ବିରକ୍ତ ହୋଇ ଦ୍ରୋଣାଚାର୍ଯ୍ୟ କହିଲେ..ହେ ଅନାହୂତ ଯୁବକ ! ଏପରି ବୃଥା ଆସ୍ଫାଳନରେ ଲାଭ କଣ? ଅର୍ଜୁନ ଠାରୁ ଅଧିକ ଧନୁର୍ବିଦ୍ୟା ତୁମେ ଯେବେ ପ୍ରଦର୍ଶନ କରିପାରିବ ତାହେଲେ ସିନା ଜଣାପଡ଼ିବ।

ଗୁରୁଜନ ମାନଙ୍କର ଅନୁମତି ନେଇ ଯୁବକ ନିଜର ଧନୁର୍ବିଦ୍ୟା ପ୍ରଦର୍ଶନ କଲା। ପ୍ରତ୍ୟେକ ପ୍ରଦର୍ଶନ ଅର୍ଜୁନର ପ୍ରଦର୍ଶନ ସହିତ ସମାନ ଥିଲା। ରଙ୍ଗଭୂମିରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ। ଦୁର୍ଯ୍ୟୋଧନଙ୍କର ମନ ଆନନ୍ଦରେ ଉତ୍'ଫୁଲିତ। ଧାଇଁଯାଇ ଯୁବକକୁ ଆଲିଙ୍ଗନ କରି କହିଲେ ଦୁର୍ଯ୍ୟୋଧନ..କିଏ ତୁମେ ବନ୍ଧୁ ! ଆଶ୍ଚର୍ଯ୍ୟ ତୁମର ଯୁଦ୍ଧବିଦ୍ୟା ପ୍ରଦର୍ଶନ।ମୋ ମତରେ ତୁମେ ହିଁ ଶ୍ରେଷ୍ଠ ଧନୁର୍ଦ୍ଧର ଏ ବିଶ୍ବରେ।


ବିନମ୍ରତା ସହିତ ଯୁବକ କହିଲା... କୁମାର ଦୁର୍ଯ୍ୟୋଧନ ! ମୋ' ନାମ କର୍ଣ୍ଣ; ମୋର କୌଣସି ଧନଧାନ୍ୟର ଆବଶ୍ୟକତା ନାହିଁ;ଆବଶ୍ୟକ ଦୁଇଟି ପଦାର୍ଥ, ତୁମର ସାହଚର୍ଯ୍ୟ ଏବଂ ଧନୁର୍ବିଦ୍ୟାରେ ଶ୍ରେଷ୍ଠତା।ଅର୍ଜୁନକୁ ଯୁଦ୍ଧରେ ପରାସ୍ତ କରି ମୁଁ ମୋର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଚାହେଁ।

ଏହାଶୁଣି ଭୟଙ୍କର କ୍ରୋଧରେ ବୃକୋଦର ଭୀମ ଗର୍ଜି ଉଠି କହିଲେ...କିଏ ତୁମେ ଅର୍ବାଚୀନ ପ୍ରାଣୀ ! ମଧ୍ୟମ ପାଣ୍ଡବ ଅର୍ଜୁନ ସହିତ ଯୁଦ୍ଧ ଭିକ୍ଷା କରୁଛ, ଭୟ ଲାଗୁ ନାହିଁ ମନରେ !! ମୃତ୍ୟୁ ଏତେ ପ୍ରିୟ କାହିଁକି ଯୁବକ ?

ସମ ସ୍ବରରେ ଗର୍ଜନ କରି ଦୁର୍ଯ୍ୟୋଧନ କହିଲେ.. ଅଯଥା ଆସ୍ଫାଳନରେ ପ୍ରୟୋଜନ ନାହିଁ ପବନ ପୁତ୍ର ! ଇନ୍ଦ୍ରପୁତ୍ର ମୋ ବନ୍ଧୁ ସହିତ ଯୁଦ୍ଧ କରି ତାର ଶ୍ରେଷ୍ଠତା ପ୍ରତିପାଦନ କରୁ।" ଏହାଶୁଣି ଧନୁର୍ବାଣ ଧରି ଅର୍ଜୁନ ରଙ୍ଗ ଭୂମିରେ ଲମ୍ଫଦେଲେ।ଦୁଇବୀର ଯୁଦ୍ଧ ପାଇଁ ପରସ୍ପର ମୁହାଁମୁହିଁ ହେଲେ।


==== ଏହି ସମୟରେ ଏକ ନୀତିଗତ ପ୍ରଶ୍ନ ଉଠାଇଲେ କୁଳଗୁରୁ କୃପାଚାର୍ଯ୍ୟ;କହିଲେ ...ହେ ଅଜ୍ଞାତ କୁଳଶୀଳ ଯୁବକ!, ଯାହା ସହିତ ତୁମେ ଯୁଦ୍ଧ କରିବାକୁ ଇଚ୍ଛା କରୁଛ,ସେ ହସ୍ତିନାର ରାଜପୁତ୍ର ମଧ୍ୟମ ପାଣ୍ଡବ ଅର୍ଜୁନ। କ୍ଷତ୍ରିୟ ବା ରାଜାଙ୍କ ବ୍ୟତୀତ ସାଧାରଣ ପ୍ରଜା ତାଙ୍କ ସହିତ ପ୍ରତିଯୋଗିତାରେ ଭାଗ ନେବା ନୀତି ବିରୁଦ୍ଧ।କୁହ କେଉଁ କ୍ଷତ୍ରିୟ ବଂଶରେ ତୁମ୍ଭର ଜନ୍ମ ଅଥବା କେଉଁ ରାଜ୍ୟର ତୁମେ ରାଜା !"

କୃପଙ୍କ ପ୍ରଶ୍ନରେ ମୁଣ୍ଡ ତଳକୁ ନୁଆଁଇ ଠିଆ ହେଲେ କର୍ଣ୍ଣ। ହଠାତ୍ ଯେପରି ଉତ୍ଫଣ ସର୍ପର ଫଣା ତଳକୁ ନଇଁଗଲା।


==== କ୍ରୋଧରେ ଜ୍ଞାନଶୂନ୍ୟ ହୋଇ ଦୁର୍ଯ୍ୟୋଧନ କହିଲେ....

ବଂଶ ସହିତ ପ୍ରତିଭାର କଣ ସମ୍ପର୍କ ଗୁରୁଦେବ ! ଏପରି ଦେଖିବାକୁ ଗଲେ ପାଣ୍ଡବ ମାନଙ୍କ ପିତୃତ୍ବକୁ ନେଇ ଅନେକ ପ୍ରଶ୍ନ କରାଯାଇପାରେ। ତଥାପି ଅର୍ଜୁନ ସହିତ ଯୁଦ୍ଧ କରିବାପାଇଁ କର୍ଣ୍ଣଙ୍କୁ ଯେବେ ରାଜା କିମ୍ବା କ୍ଷତ୍ରିୟ ହେବା ଆବଶ୍ୟକ ତା'ହେଲେ ମୋ ଅଧୀନରେ ଥିବା ଅଙ୍ଗଦେଶର ରାଜମୁକୁଟ ମୁଁ ଏହି ମୁହୂର୍ତ୍ତରେ କର୍ଣ୍ଣଙ୍କୁ ଦାନ କରୁଛି। ଏହି ମୁହୂର୍ତ୍ତରୁ ସେ ଅଙ୍ଗରାଜ କର୍ଣ୍ଣ।ଏବେ ଅଙ୍ଗରାଜ କର୍ଣ୍ଣଙ୍କ ସହିତ ଅର୍ଜୁନର ଯୁଦ୍ଧ କରିବାରେ କଣ ଆପତ୍ତି?"


କୃପାଚାର୍ଯ୍ୟ କହିଲେ... ଆପତ୍ତି ଅଛି ଦୁର୍ଯ୍ୟୋଧନ;ରାଜପଦରେ ଅଭିଷିକ୍ତ ନହେବା ପର୍ଯ୍ୟନ୍ତ କର୍ଣ୍ଣଙ୍କୁ ଅଙ୍ଗରାଜ କୁହାଯାଇପାରିବ ନାହିଁ।"

ସଙ୍ଗେ ସଙ୍ଗେ କର୍ଣ୍ଣଙ୍କ ଅଭିଷେକ ଆୟୋଜନ କଲେ ଦୁର୍ଯ୍ୟୋଧନ।କର୍ଣ୍ଣଙ୍କୁ ଦେଖିବାପରଠାରୁ କୁନ୍ତୀ ଅସୁସ୍ଥତା ଅନୁଭବ କଲେ।ଗାନ୍ଧାରୀ କୁନ୍ତୀଙ୍କୁ ନେଇ ପ୍ରାସାଦ ଭିତରକୁ ଚାଲିଗଲେ ବିଶ୍ରାମ ନେବାପାଇଁ।

==== ଏଭିତରେ ଆଉ ଗୋଟିଏ ଦୃଷ୍ଟି ଆକର୍ଷକ ଘଟଣା ଘଟିଗଲା।ପୁତ୍ରର ରାଜ୍ୟ ଅଭିଷେକ ସମ୍ବାଦ ପାଇ ସାରଥି ଅଧିରଥ ଆନନ୍ଦରେ ରଙ୍ଗପ୍ରାଙ୍ଗଣରେ ପହଞ୍ଚିଗଲେ।ପୁତ୍ରର ଶିରରେ ରାଜମୁକୁଟ ଦେଖି ଭାବାବେଗ ସମ୍ଭାଳି ପାରିଲେ ନାହିଁ ଅଧିରଥ।ପୁତ୍ରକୁ ଆଲିଙ୍ଗନ କରି ମଥାରେ ଚୁମ୍ବନ ଭରିଦେଲେ ସେ।ଆଖିରୁ ବହି ଯାଉଥାଏ ଅବିଶ୍ରାନ୍ତ ଆନନ୍ଦାଶ୍ରୁ।

ଅଧିରଥଙ୍କୁ ଦେଖି ଭୀମ ଅଟ୍ଟହାସ କରି ଅର୍ଜୁନଙ୍କୁ କହିଲେ..ଏହାର ବଂଶ ପରିଚୟ ଏବେ ମିଳିଗଲା ଫାଲ୍'ଗୁନୀ,ଏ'ତ ସୂତ ପୁତ୍ର ! ପରିଚୟ ମାଗିଲା ବେଳେ ଦେଖିନାହିଁ କିପରି ମଥା ତଳକୁ କରିଦେଲା?କଣ ବା କରିଥାନ୍ତା ବିଚରା !

==== ଭୀମଙ୍କର ଏହି ଶ୍ଳେଶବାକ୍ୟ ଶୁଣି କ୍ରୋଧରେ ଆରକ୍ତ ହେଲା କର୍ଣ୍ଣଙ୍କ ମୁଖମଣ୍ଡଳ। ଗର୍ଜନ କରି ଦୁର୍ଯ୍ୟୋଧନ କହିଲେ..ଅଙ୍ଗରାଜଙ୍କୁ ସମ୍ମାନ ଦେବା ଶିଖ ପବନପୁତ୍ର ଭୀମସେନ,ଏବେ ସେ ସାଧାରଣ ପ୍ରଜା ନୁହନ୍ତି।

ଦୁର୍ଯ୍ୟୋଧନଙ୍କ କଥା ଶୁଣି କର୍ଣ୍ଣଙ୍କ ବକ୍ଷ ଗର୍ବରେଫୁଲି ଉଠିଲା। ଦୁର୍ଯ୍ୟୋଧନଙ୍କୁ ଆଲିଙ୍ଗନ କରି କର୍ଣ୍ଣ କହିଲେ..ଜୀବନରେ ଏ ଋଣ ତୁମର ପରିଶୋଧ କରି ପାରିବି ନାହିଁ ସଖା। ଆଜିଠାରୁ ତୁମ ଋଣ ପରିଶୋଧ ପାଇଁ ବିସର୍ଜିତ ହେବ ଏ ଜୀବନ।


କର୍ଣ୍ଣ ଓ ଅର୍ଜ୍ଜୁନ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ, କିନ୍ତୁ ଏ ସମୟରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତମିତ ହେଲେ।ନିୟମ ଅନୁଯାୟୀ ସେହିଠାରେ ହିଁ ସ୍ପର୍ଦ୍ଧା ଶେଷ ହେଲା ବୋଲି ଘୋଷଣା କଲେ କୃପାଚାର୍ଯ୍ୟ।


କ୍ରମଶଃ...


Rate this content
Log in

Similar oriya story from Classics