ନୋହ କାଲିକାଇ
ନୋହ କାଲିକାଇ
(ମେଘାଳୟର ଲୋକକଥା)
=================================
ଚେରାପୁଞ୍ଜିରେ 'ନୋହ କା'ଲିକାଇ' ନାମକ ଗୋଟିଏ ମନୋରମ ଜଳପ୍ରପାତ ଅଛି; ତାହା ଦେବୀ କାଳୀଙ୍କ ନାମ ଅନୁସାରେ ନାମିତ ବୋଲି ମୋ ମନରେ ଭୁଲ୍ ଧାରଣା ଥିଲା।ମୋର ଚେରାପୁଞ୍ଜି ଭ୍ରମଣ ସମୟରେ ଜଣେ ବନ୍ଧୁ 'ନୋହ କାଲିକାଇ' ଜଳପ୍ରପାତ ସହିତ ଜଡିତ ଗୋଟିଏ ଲୋକକଥା କହି ମୋର ଭ୍ରମ ଦୂର କଲେ । କାହାଣୀଟି ଏଭଳି ଲୋମହର୍ଷଣକାରୀ ଥିଲା ଯେ ଏବେ ମଧ୍ୟ ମନେ ପଡିଲେ ଦେହ ଶୀତେଇ ଉଠେ।
........ଅତୀତରେ ଚେରାପୁଞ୍ଜିର ନାଁ ଥିଲା 'ସୋହରା'। ସୋହରା ଠାରୁ ପାଞ୍ଚ ସାତ ମାଇଲ୍ ପଶ୍ଚିମରେ ଏହି ଜଳପ୍ରପାତଟି ଅଛି,ଯାହାର ରୂପ ଅତି ସୁନ୍ଦର ହେଲେ ମଧ୍ୟ ଭୟପ୍ରଦ। ଏହା ଭାରତର ସବୁଠାରୁ ଉଚ୍ଚତମ ଜଳପ୍ରପାତ। ମନେହୁଏ ଯେପରି ଭୟଙ୍କର ବେଗରେ ଜଳରାଶି ଧାଇଁ ଆସି ଘୋର ଚିତ୍କାର କରି ପର୍ବତ ଉପରୁ ୧୧୫୦ ଫୁଟ ତଳକୁ ଡେଇଁ ପଡୁଛି। ଜଳରାଶି ଯେଉଁଠାରେ ପଡେ, ସେଠାରେ ସୃଷ୍ଟି ହୋଇଛି ବିରାଟ ଗୈାହର। ସେଠାରୁ ଜଳକଣା ଛିଟିକି ଚତୁଃପାର୍ଶ୍ଵ ଧୂମାୟିତ ହୋଇଯାଏ। ସେହି ଜଳକଣାରେ ସୂର୍ଯ୍ୟ କିରଣ ପଡି ସୃଷ୍ଟି ହୁଏ ଅସଂଖ୍ୟ ଇନ୍ଦ୍ରଧନୁ। ବର୍ଷା ଋତୁରେ ଏହାର ଦୃଶ୍ୟ ଅତି ମନୋରମ।ତାକୁ ଦେଖି ମନକୁ ଆସେ..."ବାସ୍ତବ ବିଶ୍ବରେ କି ଏ ଛବି ସମ୍ଭବ !!"
ନୋହ କା ଲିକାଇ (Noh Ka likai) ଶବ୍ଦର ଅର୍ଥ ହେଉଛି
ଲିକାଇ ନାମକ ମହିଳାର ଲମ୍ଫ ପ୍ରଦାନ(the jump of a lady named Likai)।ଲୋକ କଥା ଅନୁସାରେ ଏହି ପ୍ରପାତ ପାଖରେ ଗୋଟିଏ ଗାଁ ଥିଲା। ସେହି ଗାଁରେ 'ଲିକାଇ' ନାମକ ଗୋଟିଏ ସୁନ୍ଦର ଝିଅ ରହୁଥିଲା।ଝିଅଟି ବଡ ହେଲା ପରେ ଗାଁର ଜଣେ ଯୁବକ ସହିତ ତା'ର ବାହାଘର ହୋଇଗଲା। ସେମାନେ ଗରିବ ଥିଲେ। କିନ୍ତୁ ଦାରିଦ୍ର୍ୟ ସେମାନଙ୍କ ଦାମ୍ପତ୍ୟ ପ୍ରେମର ପ୍ରତିବନ୍ଧକ ନଥିଲା,କାରଣ ସେମାନେ ପରସ୍ପରକୁ ଜୀବନରୁ ବଳି ଭଲ ପାଉଥିଲେ।ଯାହା ମିଳେ ସେଥିରେ ସନ୍ତୁଷ୍ଟ ହୋଇ ସେମାନେ ଅତି ଆନନ୍ଦରେ ଜୀବନଯାପନ କରୁଥିଲେ।
କିଛି ଦିନ ପରେ ସେମାନଙ୍କ ସଂସାରକୁ ଉଜ୍ଜ୍ବଳ କରି ଝିଅଟିଏ ଲିକାଇ'ର କୋଳ ମଣ୍ଡନ କଲା।ଝିଅଟି ଜାପାନୀ କଣ୍ଢେଇ ପରି ଅତି ସୁନ୍ଦର ହୋଇଥାଏ।ଲିକାଇ ଝିଅକୁ ଛାଡି କୁଆଡେ କାମକୁ ଯାଏ ନାହିଁ।ତାର ସ୍ବାମୀ ମଧ୍ୟ କହେ..."ଲିକାଇ,ତୋର କାମକୁ ଯିବା ଦର୍କାର ନାହିଁ, ଯାହା ମୁଁ ରୋଜଗାର କରୁଛି ତାହା ଆମପାଇଁ ଯଥେଷ୍ଟ।ତୁ ଝିଅ ପାଖରେ ସବୁବେଳେ ରହିଥା।ମୋ କଣ୍ଢେଇର ଯେପରି କୌଣସି ଅସୁବିଧା ନହୁଏ।"
ଲିକାଇର ସ୍ବାମୀ କାମରୁ ଫେରିବା ପରେ,ଖାଇବା ପିଇବା କଥା ତାର ମନେପଡେନି।ଝିଅକୁ ଧରି ଗେଲ କରିବାକୁ ବସିଯାଏ।ଗେଲ ହଉ ହଉ ବାପ ଝିଅ ଶୋଇ ପଡନ୍ତି;ଲିକାଇ ରୋଷେଇ ଶେଷକରି ଡାକେ ଖାଇବାକୁ।ରାତିରେ ବାପା ମାଆଙ୍କ ମଝିରେ ଶୋଇଥାଏ ଝିଅ, ଦୁଇ ଜଣଙ୍କ ହାତ ପଡ଼ିଥାଏ ଝିଅ ଉପରେ।ଦାମ୍ପତ୍ୟର ମଧୁରତମ ମଧୁ ଆସ୍ବାଦନ କରି ଅତି ଆନନ୍ଦରେ ସମୟ ବିତିଯାଉଥିଲା ଏହି ଗରିବ ପରିଵାରଟିର।
ସମୟ ସବୁବେଳେ ସମାନ ନଥାଏ। କେଉଁ ଅପ-ଦେବତାର ଅଭିଶାପ ଲିକାଇର ହସଖୁସିର ପରିବାର ଉପରେ ପଡ଼ିଲା କେଜାଣି, ଦିନେ ହଠାତ୍ ତାର ସ୍ବାମୀ ସମସ୍ତଙ୍କୁ ଲୁହର ସାଗରରେ ଭସେଇ ଦେଇ ସେପାରିକୁ ଚାଲିଗଲା।ଲିକାଇ'ର ଜୀବନରେ ଭୟଙ୍କର ଅନ୍ଧକାର ମାଡିଆସିଲା।ଘରେ ଖାଇବାପାଇଁ କିଛି ନଥାଏ।ଭୋକରେ ଦିନେ ଓଳିଏ ସିନା ନିଜେ ରହିପାରିବ, କଅଁଳା ଛୁଆଟା ରହୁଚି କୋଉଠି,ଚିହୁଳି ଛାଡି କାନ୍ଦିଲା।କଣ କରେ ଲିକାଇ,ଲୁହ ପିଆଇ ତ ଝିଅର ଭୋକ ଦୂର କରିପାରିବନି,ଶେଷରେ ଦୁନିଆଁକୁ ସାମ୍ନା କରିବାକୁ ଅଣ୍ଟାଭିଡିଲା।ଝିଅକୁ ପିଠିରେ ପକେଇ କୋଇଲା ଖଣିରେ କାମପାଇଁ ବାହାରିଗଲା।
ଯେଉଁ ଛୁଆ ଦେହରେ ସୂର୍ଯ୍ୟ କିରଣ ପଡ଼ିବାକୁ ଦେଉ ନଥିଲା ଲିକାଇ,ତାକୁ ଖରାତରାରେ ପିଠିରେ ପକେଇ ଖଣିକାମ କଲାବେଳେ ଛାତି ଭିତର ତାର କୋରି ହୋଇ ଯାଉଥିଲା।ଖରାରେ କୁନି ଝିଅଟିର ଦେହ ମୁଣ୍ଡ ଶିଝିଗଲା ଏବଂ ଦେହ ଖରାପ ହୋଇ ଜର ଲାଗି ରହିଲା।
ଧାର ଧାର ଲୁହ ବହିଗଲା ଲିକାଇ ଆଖିରୁ।ଝିଅକୁ ବୁକୁରେ ଜାବୁଡ଼ି ଧରି କହିଲା...ଏ ହତଭାଗିନୀ ମାକୁ କ୍ଷମାକରିଦେ ଧନ, ମୁଁ ତତେ କେତେ କଷ୍ଟ ଦେଉଛି ସତେ !! କିନ୍ତୁ ଏ କୁଳଦୀପଟିକୁ ଦୁର୍ଦ୍ଦିନର ଝଡରୁ କିପରି ରକ୍ଷା କରିବ ଜାଣି ପାରୁନଥିଲା ଲିକାଇ।
ସେହି ଗାଁର ଜଣେ ଅବିବାହିତ ଯୁବକର ଆଖି ଲିକାଇ ଉପରେ ପଡ଼ିଲା।ତା ସୌନ୍ଦର୍ଯ୍ୟଦେଖି ସେ ବିମୋହିତ ହୋଇଯାଇଥିଲା।ଲିକାଇ ପାଖକୁ,ଜଣେ ମହିଳା ମାଧ୍ୟମରେ ସେ ବିବାହ ପ୍ରସ୍ତାବ ପଠାଇଲା।ଲିକାଇ କହିଲା... ଏହା ତ ଅସମ୍ଭବ ମାଉସୀ; କେମିତି
ମୋ ପତିଙ୍କ ସ୍ମୃତିକୁ ମୁଁ ଭୁଲିଯାଇ ଆଉଥରେ ବାହା ହେବି; ସେପାରିରେ ଥାଇ କଣ ଭାବିବ ତାଙ୍କ ଆତ୍ମା?"
ପ୍ରୌଢା ମହିଳା ଜଣକ କହିଲେ... ସେ ଭାବପ୍ରବଣ କଥା ଗୁଡାକ ଛାଡ଼େ ଲିକାଇ।ନିଜେ ବଞ୍ଚି ଝିଅକୁ ବଞ୍ଚାଇ ରଖିବାର ଅନ୍ୟ କଣ ଉପାୟ ଅଛି କହ?ଆଉଥରେ ବାହା ହେଲେ ଅନ୍ତତଃ ତୁମ ଦୁଇଜଣଙ୍କ ଭିତରୁ ଜଣେ ଛୁଆ ପାଖରେ ଘରେ ରହିଲେ, ଅନ୍ୟଜଣକ ବାହାରେ କାମକରି କିଛି ରୋଜଗାର କରି ଆଣିବ।ତୁ ଏମିତି କେତେଦିନ ପିଲାଟାକୁ ଖରାତରାରେ ପିଠିରେ ପକେଇ ଖଣିକାମ କରିବୁ? ଭଗବାନ ନକରନ୍ତୁ,କୋଉଦିନ ଯଦି ପିଲାଟା ଛାଡି ତତେ ଚାଲିଯାଏ ! କିମ୍ବା ତୁ ପିଲାକୁ ଛାଡି ଚାଲିଯାଉ !!"
ଏକଥା ଶୁଣି କାନରେ ହାତଦେଇ ଚିତ୍କାର କରି ଉଠିଲା ଲିକାଇ.. ନାଁ ମାଉସୀ, ସେମିତି କୁହନି, ମୁଁ ମୋ ଝିଅକୁ ବଞ୍ଚେଇବି, ତାର କିଛି ହେବାପାଇଁ ଦେବି ନାହିଁ; ମୁଁ ବାହାହେବାକୁ ରାଜି।
ଗାଁ'ର ସେହି ନୂଆ ଯୁବକଟି ସହିତ ଲିକାଇର ବାହାଘର ହେଇଗଲା।କିନ୍ତୁ ଲୋକଟା ଥିଲା ଏକ ନମ୍ବର ନିକମ୍ମା।ଲିକାଇ ତ କେବଳ ଝିଅର ଭଲ ପାଇଁ ବାହା ହେଇଥିଲା।ତେଣୁ ତା'ମନରେ ଯୁବକଟି ପ୍ରତି ପ୍ରେମଫେମ କିଛି ନଥିଲା।ଝିଅ ବାହାନାରେ ନୂଆ ସ୍ବାମୀ ଠାରୁ ସେ ଦୂରେଇ ରହିବାକୁ ଲାଗିଲା।ଲୋକଟି ମନରେ ଦୃଢ ଧାରଣା ହେଲା ଯେ ଝିଅ ଯୋଗୁଁ ଲିକାଇ ତାଠାରୁ ଦୂରେଇ ରହୁଛି। ଝିଅ ପ୍ରତି ତାର ଘୃଣା ବଢ଼ି ଚାଲିଲା।
ଲିକାଇକୁ ଖଣି କାମକୁ ପଠାଇ ଦେଇ ନୂତନ ସ୍ବାମୀ ଘରେ ଝିଅ ପାଖରେ ରହେ।ସହଜେ ତ ଝିଅପ୍ରତି ତାର ଘୃଣା ଭାବ ଥାଏ,ଲିକାଇର ଅନୁପସ୍ଥିତିରେ ସେ ଝିଅକୁ ମାରେ, ପିଟେ, ଅତ୍ୟାଚାର କରେ।ଲିକାଇ ଏସବୁ ଜାଣି ପାରେନାହିଁ।
ଦିନେ ଲୋକଟିର ଝିଅ ପ୍ରତି ନୃଶଂସତା ସବୁ ସୀମା ଡେଇଁ ଗଲା। କୁନିଝିଅଟି ଉପରେ ଅତ୍ୟାଚାର କରୁ କରୁ ଝିଅଟି ମରିଗଲା। ଘଟଣାକୁ ଚପାଇବାକୁ ଯାଇ ସେ ଝିଅଟିକୁ କଟୁରିରେ କାଟି ତାର ମାଂସକୁ ରାନ୍ଧି ଲିକାଇର ଫେରିବା ପାଇଁ ଅପେକ୍ଷା କରି ରହିଲା।
ଲିକାଇ ଘରକୁ ଫେରି ଝିଅକୁ ନଦେଖି ଭାବିଲା ଝିଅ ଶୋଇଯାଇଥିବ। ଖାଇ ସାରିବା ପରେ ଝିଅକୁ ଗେଲ କରିବ ଭାବି ପ୍ରଥମେ ଖାଇ ବସିଲା।ତାର ସ୍ବାମୀ ସେଦିନ ଭାରି ସୋହାଗ ଦେଖାଇଲା।ନିଜେ ସ୍ତ୍ରୀ ସହିତ ବସି ଖାଇବା ସମୟରେ ମାଂସ ତର୍କାରିର ପ୍ରଶଂସା କରି ନିଜ ପିଠି ଥପ୍'ଥପେଇଲା।କା'ଲିକାଇ ସ୍ବାମୀର ଏତେ ପ୍ରେମ ଉଛୁଳିବାର କାରଣ ବୁଝିପାରୁନଥାଏ।
ଖାଇ ସାରିବା ପରେ ସବୁଦିନ ପାନ ଖାଏ ଲିକାଇ। ସେଦିନ ପାନ-ପେଡି ଖୋଲି ତା' ଭିତରେ ଯାହା ସେ ଦେଖିଲା,ଆକାଶ ଖସିପଡିଲା ମୁଣ୍ଡ ଉପରେ ତାର। ଛୋଟ ପିଲାର ପାପୁଲିଟିଏ ରକ୍ତ ଜୁଡୁବୁଡୁ ହୋଇ ରଖାହୋଇଥିଲା ତା ଭିତରେ।ଭୟରେ ଶୀତେଇ ଉଠିଲା କା'ଲିକାଇ।ପାଗଳୀଙ୍କ ଭଳି ଝିଅ ଝିଅ ଡାକି ସବୁ ଘର ଖୋଜି ବୁଲିଲା କା'ଲିକାଇ;ଝିଅକୁ କେଉଁଠି ନପାଇ ସେ ଚିତ୍କାର କରି କାନ୍ଦିଉଠିଲା। ଗାଁ ଲୋକମାନେ ଜମା ହୋଇଗଲେ।ଲିକାଇ ସ୍ବାମୀର ପିଠିରେ ଗାଁ ଲୋକମାନେ କିଛି ଉତ୍ତମ ମଧ୍ୟମ ଦେବାପରେ ,କରିଥିବା ଘୃଣ୍ୟକର୍ମ କଥା ସେ ମାନିଗଲା।
ଯେତେବେଳେ ଲିକାଇ ଜାଣି ପାରିଲା ଯେ ନିଜ ଝିଅର ମାଂସରେ ରନ୍ଧାଯାଉଥିବା ତର୍କାରି ସେ ଖାଇଛି, ଚିତ୍କାର କରି, ଭୂଇଁ ସାଉଁଟି ତଳେ ଲୋଟିଗଲା। ବାରମ୍ବାର ନିଜ ପେଟକୁ ଆଘାତ କରି ବିକଳରେ ଝିଅ ନାଁ ଧରି ଡାକୁଥାଏ..."କୁଆଡେ ଗଲୁ ମୋ ଧନ, କେମିତି ମୁଁ ରାକ୍ଷସୀ ନିଜ ଛୁଆକୁ ଖାଇଗଲି !!"
ଆକାଶରେ ମାଡିଆସିଲା ଭୀଷଣ ଝଡ଼, ଝରିଯାଉଛି ଶ୍ରାବଣର ବାରି ଧାରା।ସତେ ଯେମିତି କା'ଲିକାଇର ଅନ୍ତର ବେଦନା ପ୍ରକୃତିର କ୍ରୋଧରେ ପରିଣତ ହୋଇଛି।
ଭୂଇଁରୁ ଉଠି ଠିଆହେଲା କା'ଲିକାଇ;ପବନରେ ଉଡୁଛି ଉନ୍ମୁକ୍ତ କେଶ,ଆଖିରୁ ବହି ଯାଉଛି ଅବିରତ ଲୁହ ଧାର । ବିଜୁଳି ବେଗରେ ଜଳପ୍ରପାତ ଆଡ଼କୁ ଧାଇଁଲା କା'ଲିକାଇ। ଗାଁର ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇଁଲେ ତା ପଛରେ, ଚିତ୍କାର ଛାଡିଲେ...ରହ କା'ଲିକାଇ ରହ।
କାହାର ବାରଣ,କାହାର ଡାକ ଶୁଣିଲାନି କା'ଲିକାଇ।ଜଳ ପ୍ରପାତ ଉପରୁ ଡେଇଁ ପଡିଲା ୧୧୫୦ଫୁଟ ତଳକୁ। ଦୁଃଖିନୀର ଦୁଃଖ ସହିତ ଶରୀର ଓ ଆତ୍ମା,ସବୁ କ୍ଷଣକରେ ବିଲୀନ ହୋଇ ଗଲେ ଜଳପ୍ରପାତରେ।
ସେହିଦିନ ଠାରୁ ଏହି ଜଳପ୍ରପାତଟି'ର ନାଁ ହେଲା...ନୋହ କା'ଲିକାଇ ଯାହାର ଇଂରାଜୀରେ ଅର୍ଥ ହେଉଛି..the jump of lady Ka'Likai.ଏବେ ମଧ୍ୟ ମେଘାଳୟରେ କେହି ବିଧବା ନୂତନ ସ୍ବାମୀ ଗ୍ରହଣ କଲେ,ସାଇ-ଭାଇ ତାକୁ କା'ଲିକାଇର କାହାଣୀ କହି, ସାବଧାନ ରହିବାକୁ ଚେତେଇ ଦିଅନ୍ତି।
(©️ କୁଳମଣି ଷଡଙ୍ଗୀ)