ଅନୁଲିପ୍ତା କୃଷ୍ଣଚୂଡା
ଅନୁଲିପ୍ତା କୃଷ୍ଣଚୂଡା
ସମୟ ଚକ୍ରର ଗତିକୁ ପ୍ରତିରୋଧ କରିବାର ସାମର୍ଥ୍ୟ ପରମାଣୁ ଶକ୍ତିର ମଧ୍ୟ ନଥାଏ। ଏକଥା ଭଲ ଭାବରେ ବୁଝିଥିବା ଶ୍ୱେତପଦ୍ମା ତଥାପି ବିଶ୍ବାସ କରିପାରୁ ନଥିଲା ଯେ ତାର ରୂପା-ଜହ୍ନ ଭଳି ସଂସାରକୁ ଗ୍ରହଣ ଲାଗିଯାଇଛି। କଳିଙ୍ଗ ହସ୍ପିଟାଲର ନେଫ୍ରୋଲୋଜୀ ବିଭାଗରେ ନିକଟ ଅତୀତରେ ପାରାମେଡିକାଲ୍ ସେବାରେ ଯୋଗ ଦେଇଥିବା ଶ୍ବେତପଦ୍ମା ସେଦିନ ନିଜ କ୍ୟାବିନ'ରେ ବସି ତାର ସୁନାର ସଂସାରକୁ ଚୁନା କରିଥିବା ଘଟଣାବଳୀର ରୋମନ୍ଥନ କରିବା ଅବସରରେ ଭାବପ୍ରବଣ ହୋଇ ଉଠିଥିଲା।
ଶ୍ୱେତପଦ୍ମା ଐଶ୍ୱର୍ଯ୍ୟଶାଳୀ ପିତାମାତାଙ୍କର ଏକମାତ୍ର ସନ୍ତାନ। ପାଞ୍ଚବର୍ଷ ତଳେ ସତ୍ୟବ୍ରତ ସହିତ ତାର ପ୍ରେମ ବିବାହ ହୋଇଥିଲା।ସତ୍ୟବ୍ରତ ତାର ପଡୋଶୀ ତଥା ବାଣୀବିହାରରେ ପଦାର୍ଥବିଜ୍ଞାନ ବିଭାଗରେ ଅଧ୍ୟାପକ ଥିଲେ। ସତ୍ୟବ୍ରତ ସୁନ୍ଦର,ଶୁଶୀଳ ଏବଂ ମାର୍ଜିତ ଚରିତ୍ରର ବ୍ୟକ୍ତି । ଶ୍ୱେତପଦ୍ମା ଥିଲା ଅନନ୍ୟା ସୁନ୍ଦରୀ। ଦୁଇଟି ଚୁମ୍ବକର ବିଷମ କେନ୍ଦ୍ର ନିକଟତର ହେଲେ ଆକର୍ଷଣ ଅବଶ୍ୟମ୍ଭାବୀ; ତାହା ହିଁ ଘଟିଥିଲା ସେମାନଙ୍କ ଜୀବନରେ। ସେମାନଙ୍କ ଭଲପାଇବା ପାଗଳାମୀର ସୀମାରେଖା ଅତିକ୍ରମ କରିବା ପୂର୍ବରୁ ଦୁଇ ପରିବାରର ମୁରବିମାନେ ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ। ବିବାହ ପରେ ସେମାନଙ୍କର ପ୍ରତିଟି ରାତି ଥିଲା ମଧୁଚନ୍ଦ୍ରିକାର ପ୍ରଗଲ୍'ଭ ରାତି। ମିଳନ ବଂଶୀର ମଧୁର ସ୍ବରରେ ତରଙ୍ଗାୟିତ ହୋଇଥିଲା ଦୁହିଙ୍କର ଜୀବନ।ଖୁସି ସମୟରେ ଜୀବନ ରେସକୋର୍ସ'ର ଘୋଡାପରି ଦଉଡେ; ତାହାହିଁ ଥିଲା ସେମାନଙ୍କ ପାରିବାରିକ ଜୀବନର ଚିତ୍ରପଟ।
ଆଜି କେତେବେଳୁ ସନ୍ଧ୍ୟା ଅତିକ୍ରାନ୍ତ ହୋଇ ରାତି ଦ୍ବିତୀୟ ପ୍ରହରର ପ୍ରଥମ ପାହାଚରେ ପାଦ ଥାପିଲାଣି।କଳିଙ୍ଗ ହସ୍ପିଟାଲରେ ଶ୍ୱେତପଦ୍ମାର ଆଜି ରାତି ଡ୍ୟୁଟି।ଅଳ୍ପ ସମୟ ପୂର୍ବରୁ ଓ୍ବାର୍ଡରେ ରୋଗୀମାନଙ୍କୁ ଦେଖିସାରି ସେ ଫେରିଛି। ଆଜି କାହିଁକି ଆଖିରେ ତାର ଲୁହ ମନା ମାନୁନି। ବାରମ୍ବାର ତାର ଅବଚେତନ ମନ ଭିତରକୁ ସତ୍ୟବ୍ରତଙ୍କ ସ୍ମୃତି ଅମାନିଆ ହୋଇ ପ୍ରବେଶ କରୁଛି। ସତ୍ୟବ୍ରତ ତା ନିକଟରୁ ଦୂରେଇ ଯିବାର ଆଜିକୁ ପାଞ୍ଚ ମାସ ପୁରିଲା। ଏହି ପାଞ୍ଚ ମାସ ଭିତରେ ବିଗତ ଦିନର ମଧୁର ସ୍ମୃତି ମନ ଭିତରକୁ ଅନେକ ଥର ଅନଧିକାର ପ୍ରବେଶ କରିଛି।ଯେତେ ସେ ଚେଷ୍ଟା କରିଛି ତାକୁ ମନରୁ ଦୂରେଇ ଦେବାପାଇଁ, ସେତେ ଜିଦ୍ ଧରି ବସିଛି ସେ ସ୍ମୃତି, ଫେଭିକଲ୍ ବୋଳିହୋଇ କଲିଜା ସହିତ ଲାଖି ରହିବା ପାଇଁ ।
କେମିତି ବା ନହେବ ! ସେ ଭଲପାଇବା କଣ ଭୁଲିଯିବା ଭଳି ଭଲ ପାଇବା ?ସତ୍ୟବ୍ରତଙ୍କ ବାହୁ ବନ୍ଧନ ଭିତରେ ସେ ପାଇଥିଲା ଶତ କଦମ୍ବର ରୋମାଞ୍ଚ,ସହସ୍ର ପଦ୍ମର ସୀତ୍କାର ଏବଂ କୋଟି ପାରିଜାତର ବେପଥୁ। ସବୁବେଳେ ସତ୍ୟବ୍ରତ ତାକୁ କହୁଥିଲେ.. ଶ୍ୱେତପଦ୍ମା ! ତୁମେ ମୋର ପ୍ରୀତି ପଦ୍ମବନର ରାଜହଂସୀ,ତୁମ ବିନା ମୋ ଜୀବନ ଛିନ୍ନ ବୀଣାର ତାର ସହିତ ସମାନ। ତୁମେ ମୋ 'ଅଭିସାର-ଜ୍ୟାମିତିକ-ବୃତ୍ତ'ର ଅନତିକ୍ରମ୍ୟ ସୀମାରେଖା।ତାହା ଭିତରୁ ବାହାରିଯିବା ମୋ ଶକ୍ତିର ଅନ୍ତର୍ଗତ ନୁହେଁ।
କିନ୍ତୁ କେମିତି ସୀମାରେଖା ପାର ହୋଇ ସେ ବାହାରିଗଲେ, ଆଜି ଭାବିଲେ ଶ୍ବେତପଦ୍ମାକୁ ଆଶ୍ଚର୍ଯ୍ୟ ଲାଗେ । ହଠାତ୍ ଦିନେ ଝଡବେଗରେ ଘର ଭିତରେ ପ୍ରବେଶ କରି ସେ କହିଲେ... ପଦ୍ମା, ଗୋଟିଏ ସପ୍ତାହ ପାଇଁ ମୁଁ ମୁମ୍ବାଇ ଯାଉଛି। କିଛି ଜରୁରୀ ଅଫିସିଆଲ୍ କାମ ଅଛି।" ମୁମ୍ବାଇରୁ ଫେରି ଆଉ ଘରକୁ ଆସିଲେ ନାହିଁ ସତ୍ୟବ୍ରତ।ନୀଡ଼ ଛାଡି ପକ୍ଷୀଟି ଉଡିଗଲା।ନିଜେ ଅନ୍ୟ ଗୋଟିଏ ଘର ନେଇ ସତ୍ୟବ୍ରତ ଏକାଏକା ରହିଲେ ।ଫୋନରେ କହିଲେ..ତୁମେ ମତେ ଭୁଲିଯାଅ ଶ୍ବେତପଦ୍ମା।ତୁମ ସହିତ ମୋର ଏ ଜନ୍ମରେ ଆଉ ମିଳନ ସମ୍ଭବ ନୁହେଁ। ମୁଁ ତୁମ ପାଖକୁ ବିବାହ ବିଚ୍ଛେଦ ନୋଟିସ୍ ପଠାଇବି। ଦୟାକରି ସେଥିରେ ତୁମେ ଦସ୍ତଖତ କରିଦେବ । ମୁଁ ତୁମପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ। ତୁମେ ଅନ୍ୟତ୍ର ବିବାହ କରିନିଅ।
ଶ୍ୱେତପଦ୍ମା ଏଭଳି ପରିବର୍ତ୍ତନର କାରଣ ଜାଣିବାକୁ ଅନେକ ଥର ଚେଷ୍ଟାକରି ବିଫଳ ହୋଇଛି। ବିବାହ ବିଚ୍ଛେଦ ନୋଟିସ୍'ରେ ଦସ୍ତଖତ ନକରି ସେ ଫେରାଇ ଦେଇଛି।ନୋଟିସ୍ ଧରି ଆସିଥିବା ଓକିଲକୁ ଶ୍ୱେତପଦ୍ମା କହିଛି... ଦୁଇଟି ମନର ବିଚ୍ଛେଦ ଲୋକାଚାର କିମ୍ବା ନୀତିଗତ-ବିଚ୍ଛେଦ(legal divorce) ଠାରୁ ଆହୁରି ଦୃଢ଼।ମୋର ଏପରି ଲିଗାଲ୍ ବିଚ୍ଛେଦ ଉପରେ ବିଶ୍ବାସ ନାହିଁ।ତାଙ୍କୁ କହିଦେବେ, ମୁଁ ତାଙ୍କୁ ସବୁ ଦାୟରୁ ମୁକ୍ତି ଦେଲି।ସେ ଅନ୍ୟତ୍ର ବିବାହ କଲେ ମଧ୍ୟ ମୋର କୌଣସି ଆପତ୍ତି ନାହିଁ।"
ଓକିଲ ଚାଲିଯିବା ପରେ ଅଭିମାନରେ ଭାରାକ୍ରାନ୍ତ ମନ ନେଇ ଅନେକ ସମୟ କାନ୍ଦିଥିଲା ଶ୍ୱେତପଦ୍ମା।ତାର ମନେ ହେଲା ସତେ ଯେପରି ଶରୀରର ଭୋକ ମେଣ୍ଟାଇବା ପାଇଁ ସତ୍ୟବ୍ରତ ତାକୁ ବ୍ୟବହାର କରିବା ପରେ, ଦୁଧରେ ପଡିଥିବା ମାଛି ଭଳି ବାହାରକରି ଫିଙ୍ଗି ଦେଇଛନ୍ତି।ଏକ ଭୟଙ୍କର ଅପମାନ-ବୋଧ ଶ୍ୱେତପଦ୍ମାର କଲିଜାକୁ ଚିରି ରକ୍ତାକ୍ତ କରି ଦେଉଥିଲା। ଐଶ୍ୱର୍ଯ୍ୟଶାଳୀ ପିତାର ସନ୍ତାନ ସେ। ଚାକିରି କରିବା ଆବଶ୍ୟକତା ନଥିଲେ ମଧ୍ୟ ଜୀବନରେ ଆସିଥିବା ଯନ୍ତ୍ରଣା ଦାୟକ ସମୟକୁ ଭୁଲିଯିବା ପାଇଁ କଳିଙ୍ଗ ହସ୍ପିଟାଲରେ ନର୍ସ ଭାବରେ ସେ ଯୋଗ ଦେଇଥିଲା।
ଆଜି ମନ ତାର ଅସ୍ତବ୍ୟସ୍ତ ତ୍ରସ୍ତ ବଣହରିଣୀ ପରି ଆନ୍ଦୋଳିତ ।ଟେବୁଲ୍ ଉପରୁ ମୁଣ୍ଡ ଟେକି ଓଢଣୀରେ ଲୁହ ପୋଛିଲା ଶ୍ୱେତପଦ୍ମା ।ତାର ଭାବନାରେ ବାଧା ପଡିଲା, ଯେତେବେଳେ ନେଫ୍ରୋଲୋଜୀ ବିଭାଗର ମୁଖ୍ୟ ତା କ୍ୟାବିନ୍ ଭିତରକୁ ପଶିଆସି କହିଲେ.. ଗୋଟିଏ ଅର୍ଜେଣ୍ଟ କେଶ୍ ଆସିଛି ଶ୍ୱେତପଦ୍ମା,ରୋଗୀର ଦୁଇଟିଯାକ କିଡନୀ ଖରାପ। ଯଦି ଅନ୍ତତଃ ଗୋଟିଏ କିଡନୀ ପାଇଁ ଡୋନର୍ ଯୋଗାଡ଼ ହୋଇପାରିବ ଭଲ କଥା,ନହେଲେ ଡାୟାଲେସିସ୍ ବ୍ୟବସ୍ଥା କରିବାକୁ ପଡିବ।ରୋଗୀ ବର୍ତ୍ତମାନ ଏମରଜେନ୍'ସିରେ; ତୁମେ ଶୀଘ୍ର ଯାଇ ରୋଗୀକୁ ପରୀକ୍ଷା କର। ମୁଁ ସଙ୍ଗେସଙ୍ଗେ ଆସୁଛି।"
ଏମରଜେନ୍'ସି ଓ୍ବାର୍ଡରେ ପହଞ୍ଚି ଶ୍ୱେତପଦ୍ମା ଯାହା ଦେଖିଲା,ନିଜ ଆଖିକୁ ବିଶ୍ବାସ କରିପାରୁ ନଥିଲା।ରୋଗୀ ଅନ୍ୟ କେହି ନୁହଁନ୍ତି, ନିଜେ ସତ୍ୟବ୍ରତ। ଆଶ୍ଚର୍ଯ୍ୟ ହୋଇ ଶ୍ୱେତପଦ୍ମା କହିଲା...ଏ କଣ ସତ୍ୟ ! ତୁମର ଅବସ୍ଥା ଏମିତି କେମିତି ହେଲା ? କାହିଁକି ତୁମେ ମୋତେ ଆଗରୁ ନକହିଲ? କାହିଁକି ତୁମେ ମୋତେ ଏତେ ପର ବୋଲି ଭାବିଲ ସତ୍ୟବ୍ରତ ?
ସତ୍ୟବ୍ରତ କହିଲା...କଣ କରିଥାନ୍ତି ପଦ୍ମା ? କହିଥିଲେ ତୁମେ କଣ ବା କରି ପାରିଥାନ୍ତ ?ମୋର କିଡନୀ ଖରାପ ହେବାର ଆଭାସ ପାଇବାପରେ ମୁଁ ମୁମ୍ବାଇରେ ଜଣେ ନେଫ୍ରୋଲୋଜିଷ୍ଟ୍ ବନ୍ଧୁଙ୍କ ପାଖରେ ପରୀକ୍ଷା ନିରୀକ୍ଷା କରି ଜାଣିଲି ଯେ ମୋର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଛି। ବିନା ଡାୟାଲେସିସରେ ମୁଁ ବଞ୍ଚିବା ଅସମ୍ଭବ। କେଉଁଠୁ ବା ମୁଁ ଡୋନର୍ ପାଇବି? ତୁମ ଜୀବନକୁ ନଷ୍ଟ ନକରିବାପାଇଁ ତୁମ ପାଖରୁ ଦୂରେଇ ଗଲି ପଦ୍ମା। ମୋତେ କ୍ଷମା କରିଦିଅ।
ଏମିତି କେମିତି ତୁମକୁ କ୍ଷମା କରିଦେବି ? ଯାହାକୁ ତୁମେ ସବୁବେଳେ ନିଜର ପ୍ରାଣଠାରୁ ପ୍ରିୟତମ ବୋଲି କହୁଥିଲ, ତାଠାରୁ କିପରି ଏତେବଡ଼ କଥା ଲୁଚାଇ ରଖିପାରିଲ ! ତୁମ ବ୍ୟତୀତ ମୋ ଜୀବନର ମୂଲ୍ୟ କଣ ବା ଅଛି ସତ୍ୟ !! ତୁମେ କେମିତି ଭାବି ପାରିଲ ଯେ ତୁମକୁ ଛାଡି ମୁଁ ଅନ୍ୟତ୍ର ବିବାହକରି ସୁଖରେ ଜୀବନ ବିତାଇ ପାରିବି ?"
ଧାର ଧାର ହୋଇ ଲୁହ ବହି ଯାଉଥିଲା ଶ୍ବେତପଦ୍ମାର ଆଖିରୁ।ଅଳ୍ପ ନିରବତା ପରେ ଶ୍ୱେତପଦ୍ମା କହିଲା...ତୁମେ ସାବିତ୍ରୀ ପୁରାଣ ପଢିଛ ନା ସତ୍ୟବ୍ରତ ? ସାଧ୍ୱୀ ପତିପ୍ରାଣା ପତ୍ନୀ ମନରେ ପ୍ରତିବଦ୍ଧତା ଥିଲେ ସେ ଯମ ପାଖରୁ ମଧ୍ୟ ପତିର ଜୀବନ ଛଡ଼ାଇ ଆଣି ପାରିବ। ଭଗବାନ କରନ୍ତୁ ମୋ କିଡନୀ ତୁମ ଶରୀର ପାଇଁ ଉପଯୁକ୍ତ ହେଉ।ଆମେ ଦୁହେଁ ଗୋଟିଏ ଗୋଟିଏ କିଡନୀରେ ସୁସ୍ଥ ଜୀବନ ବିତାଇ ପାରିବା।ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସୀମିତ ଜୀବନ ବିରହ ବିଜଡ଼ିତ ଦୀର୍ଘ ଜୀବନ ଠାରୁ ଅନେକ ଗୁଣରେ ଭଲ ସତ୍ୟବ୍ରତ!"
କହିବା ବାହୁଲ୍ୟ, ଶ୍ୱେତପଦ୍ମାର କିଡନୀ, ସତ୍ୟବ୍ରତଙ୍କ ଶରୀର ପାଇଁ ଗ୍ରହଣ ଯୋଗ୍ୟ ହେଲା। ପତ୍ରଝଡ଼ା ପରେ ନବ କିଶଳୟରେ ପରିପୂର୍ଣ୍ଣ ହୋଇଗଲା ଶ୍ବେତପଦ୍ମାର ପରିବାର-ଉପବନ। ଏହା ଭିତରେ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଦୁହିଁଙ୍କର ବୃକକ ସମ୍ବନ୍ଧୀୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଯାଇନାହିଁ। ପାରସ୍ପରିକ ସ୍ନେହ ସୁଗନ୍ଧରେ ପରିପୂର୍ଣ୍ଣ ହୋଇଯାଇଛି ସେମାନଙ୍କ ସୁଖୀ ସଂସାର।
