ସ୍ମୃତିର ଶ୍ରାବଣୀ
ସ୍ମୃତିର ଶ୍ରାବଣୀ
ବାପା ! ମୁଁ ତୁମ ଝିଅ ସୁଧା ; ସ୍ମୃତିଭିଜା ଲୁହ ଝରାଇ ତୁମକୁ ଖୋଜୁଛି, କୁଆଡ଼େ ଚାଲିଗଲ ବାପା ! ତମେ ଆମ ସମସ୍ତଙ୍କୁ ଲୁହର ସାଗରରେ ଭସେଇ ଦେଇ କାହିଁକି ଚାଲିଗଲ , କେଉଁ ଅଫେରା ରାଜ୍ୟକୁ ଚାଲିଗଲ ଯେ ଯେତେ ଡାକିଲେ ବି ଶୁଣୁନ।ବୋଉ ତୁମକୁ ଏତେ ଭଲ ପାଏ,ପାଖେ ପାଖେ ତୁମର ଛାଇ ଭଳି ରହିଥାଏ,ତା'ର ସବୁକଥା ତୁମେ ଶୁଣ,ସବୁ ଇଚ୍ଛା ପୂରଣ କର; ଆଜି ତା ଡ଼ାକ ବି ତୁମେ ଶୁଣୁନ ବାପା !
ବାପା ଫେରିଆସ,ଆଉ ଭଲ ଲାଗୁନାହିଁ।ବିଗତ ବର୍ଷେ ଧରି ଘରର ଯେଉଁ କୋଠରୀ ତୁମପାଇଁ ଆଇ ସି ୟୁ ଭଳି ସଜା ହୋଇଥିଲା, ତାହା ଆଜି ଖାଲି ଖାଲି ଲାଗୁଛି ବାପା,ତା ଭିତରକୁ ପଶିବାକୁ ଆଉ ଇଚ୍ଛା ହେଉନି।
ସେହି କୋଠରୀ ଭିତରେ ଭେଣ୍ଟିଲେଟର୍, ଅକ୍ସିଜେନ ସିଲିଣ୍ଡର୍,ଲିନିଙ୍ଗ୍ ବେଡ୍, କେତେ ପ୍ରକାରର ଔଷଧ, ନାନାପ୍ରକାର ନଳୀ ସେଇମିତି ପଡ଼ି ରହିଛନ୍ତି, ସେଗୁଡିକ ଫିଙ୍ଗିବାକୁ ବି ଇଚ୍ଛା ହେଉନି, ସେଗୁଡ଼ିକ ସହିତ ତୁମର ଅନେକ ଯେ ସ୍ମୃତି ବିଜଡ଼ିତ। ସେ କୋଠରୀ ଭିତରକୁ ଗଲେ ତୁମକୁ ଅନୁଭବ କରି ହେଉଛି ବାପା ! ସେ କୋଠରୀ ବାପା ବାପା ବାସ୍ନା ହେଉଛି। ତାହା ତୁମ ସ୍ମୃତିର ଗନ୍ତାଘର ପାଲଟି ଯାଇଛି !
ତୁମେ ଚାଲିଯିବାର ମାସଟିଏ ପୁରିଗଲା, ତଥାପି ଆମକୁ ଲାଗୁଛି ତୁମେ ଆମ ସହିତ କଥାବାର୍ତ୍ତା କରୁଛ, ବୋଉକୁ ଧୈର୍ଯ୍ୟ ଦେଉଛ;କହୁଛ...ତମେ ଅଧୈର୍ଯ୍ୟ ହୁଅନି ପଦ୍ମା,ସାତ ଜନ୍ମର ଆମର ସମ୍ପର୍କ। ମୁଁ ଗଲାପରେ ତୁମପାଇଁ ଅପେକ୍ଷା କରିଥିବି।ପର ଜନ୍ମରେ ଆମେ ପୁଣିଥରେ ନୂଆ ସଂସାର ଗଢିବା।ଆମର ପୁଅ ନଥିଲେ କଣ ହେଲା,ମୋ ଦୁଇ ଝିଅ ଆମ ସ୍ନେହର ଗଙ୍ଗା ଯମୁନା, ଶକ୍ତିର ହିମାଳୟ।ସେମାନେ ଆମର ଯେତେ ଖିଆଲ ରଖୁଛନ୍ତି,କୋଉ ପୁଅ ଆଜିକାଲି ରଖିବ ?"
ସେବାନିବୃତ୍ତି ପରେ ମାତ୍ର ପାଞ୍ଚବର୍ଷ ବିତିଥିଲା। ତୁମର ସୁନ୍ଦର ବଳିଷ୍ଠ ଚେହେରା ଦେଖି ତୁମ ସାଙ୍ଗମାନେ ଈର୍ଷା କରୁଥିଲେ, କହୁଥିଲେ.. ଅବିନାଶ ! ଏତେ ସୁନ୍ଦର ସ୍ବାସ୍ଥ୍ୟରକ୍ଷାର ମନ୍ତ୍ର କଣ ? କେଉଁ ଗାଈର ଖିର ତୁମେ ପିଉଛ ?ବରବେଶ ହେଲେ ଏବେ ବି ତୁମର ବାହାଘର ପାଇଁ କନ୍ୟା ଅଭାବ ହେବେନି।
ହସି ଦେଉଥିଲ ତୁମେ,କହୁଥିଲ..ସେବା ନିବୃତ୍ତି ପରେ ବହୁତ୍ ସମୟ ମିଳୁଛି ଯୋଗ ପ୍ରାଣାୟାମ ଏବଂ କସରତ କରିବାକୁ।ତା ସହିତ ଦିନକୁ ପାଞ୍ଚ କିଲୋମିଟର ଚଲା ଏବଂ ନିରାମିଷ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଛି।
ତୁମେ ବନ୍ଧୁ ମାନଙ୍କ ପାଇଁ ଘରେ ଗୋଟିଏ କୋଠରୀରେ ଯୋଗ କ୍ଲାସ୍ ଖୋଲି ଦେଇଥିଲ। କିଏ ବିଶ୍ବାସ କରିବ ସେହି ଯୋଗ କ୍ଲାସଟି ପରେ ତୁମର ଆଇସିୟୁରେ ପରିଣତ ହେଲା !
ସକାଳ ପାଞ୍ଚଟା ସମୟରେ ଯୋଗ,୬ଟା ବେଳେ ଜଗିଙ୍ଗ୍, ସନ୍ତୁଳିତ ଖାଦ୍ୟ ଏବଂ ସବୁପ୍ରକାର ଅନୁଶାସନ ଭିତରେ ତୁମେ ସେବାନିବୃତ୍ତ ଜୀବନ କଟାଉଥିଲ,କିଏ ଜାଣିଥିଲା ତମେ ହଠାତ୍ ଏପରି ଦୁରାରୋଗ୍ୟ ରୋଗର ଶିକାର ହେବ ! ତୁମେ କୌଣସି ମାଦକ ଦ୍ରବ୍ୟ ଗ୍ରହଣ କରିବା ଆମେ ଦିନେ ବି ଦେଖି ନଥିଲୁ କି ଶୁଣି ନଥିଲୁ। ତଥାପି ଏ ଅଜଣା ଅଶୁଣା ରୋଗ କୁଆଡୁ ଆସିଲା ବାପା !!
ମୋଟର୍ ନ୍ୟୂରୋ ଡିଜିଜ୍ (MND), ଏଭଳି ରୋଗର ନାମ ଆମେ ନାଁ ଶୁଣିଥିଲୁ, ନାଁ ଜାଣିଥିଲୁ।ଏବେ ମଧ୍ୟ ଏହି ରୋଗର କାରଣ ଓ ଚିକିତ୍ସା ବିଷୟରେ ଚିକିତ୍ସା ଜଗତ ନିରବ। ଏବେ ଭାବୁଛି, ସୃଷ୍ଟିରେ ଯେଉଁମାନେ ଭଗବାନଙ୍କର ଅତି ପ୍ରିୟ,ସେମାନଙ୍କୁ ଏହିଭଳି ଦୁରାରୋଗ୍ୟ ରୋଗ ଦେଇ ଶୀଘ୍ର ପାଖକୁ ଜଗନ୍ନାଥ ନେଇ ଯାଆନ୍ତି।
ଏହି ରୋଗ ଆରମ୍ଭ ହେଲେ ଅତି ଶୀଘ୍ର ପୁରା ଶରୀରକୁ ମାଡିଯାଏ।ଶରୀରର ମେରୁଦଣ୍ଡ ଏବଂ ମସ୍ତିସ୍କର ସ୍ନାୟୁ ମଣ୍ଡଳକୁ ଏହା ଶୀଘ୍ର ପ୍ରଭାବିତ କରେ।ପ୍ରଥମେ ତୁମର ଜିଭ ଅଚଳ ହୋଇଗଲା। କଥା କହି ପାରିଲ ନାହିଁ। ତାପରେ ମାଂସପେଶୀ ସବୁ ଦୁର୍ବଳ ହୋଇଗଲା। ଠିଆ ହେବାକୁ ବଳ ପାଇଲା ନାହିଁ। ଏକ ବିତ୍ତୀୟ ସଂସ୍ଥାର ତୁମେ ଜଣେ ନାମଜାଦା ଓକିଲ ଥିଲ। କଥା କ
ହିବା ତୁମର ପ୍ରଫେସନ୍ ଥିଲା। ସେହି କଥା କହିବା ଶକ୍ତି ଭଗବାନ ତୁମ୍ଭଠାରୁ ପ୍ରଥମେ ଛଡାଇ ନେଲେ। କଥା କହିବା ଶକ୍ତି ହରାଇ ତୁମକୁ କେତେ କଷ୍ଟ ହୋଇନଥିବ ସତେ ବାପା !
ପୁରା ଶରୀର ତୁମର ଚଳତଶକ୍ତିହୀନ ହୋଇଗଲା।ଲାଇଫ୍ ସପୋର୍ଟ୍ ସିଷ୍ଟମରେ ତୁମେ ଆଇ ସି ୟୁ'ରେ ରହିଥିଲ ।ତଥାପି ମସ୍ତିସ୍କ ତୁମର ତୀକ୍ଷ୍ଣ ଥିଲା,ତୁମେ ସବୁ ଶୁଣି ପାରୁଥିଲ,ଜାଣି ପାରୁଥିଲ; ଏଭଳି ସମୟରେ ଡାକ୍ତର କହିଲେ.."ଆଉ କାହିଁକି ତାଙ୍କୁ ଅଧିକ କଷ୍ଟ ଦେଉଛ?୬ ମାସରୁ ୨୪ ମାସ ଭିତରେ ତାଙ୍କର ମୃତ୍ୟୁ ସୁନିଶ୍ଚିତ।ଭେଣ୍ଟିଲେଟର ଇତ୍ୟାଦିର ସାହାଯ୍ୟ ନେଇ ଯେତିକି ଦିନ ତୁମେ ତାଙ୍କୁ ଅଧିକ ବଞ୍ଚାଇବ ,ସେ ସେତିକି ଅଧିକ କଷ୍ଟ ପାଇବେ।ତାଙ୍କୁ ଶାନ୍ତିରେ ମରିବାର ଅଧିକାର ଦେବା ଉଚିତ।
ଡାକ୍ତରଙ୍କ କଥା ଶୁଣି ସେଦିନ ଆମ ସମସ୍ତଙ୍କ ଆଖିରେ ଲୁହର ସମୁଦ୍ର ସୃଷ୍ଟି ହୋଇଥିଲା। ଏହା କିପରି ସମ୍ଭବ ! କେମିତି ଆମେ ଜାଣି ଜାଣି ବାପାଙ୍କୁ ମାରିଦେବୁ ! ତା ପୂର୍ବରୁ ଆମେ ସମସ୍ତେ ମରିଯିବା ଉଚିତ।
ବାପା ! ସେଦିନ ହସ୍ପିଟାଲରେ ତୁମ ଛାତିରେ ଶୋଇ ରହି ଆମେ ଦୁଇ ଭଉଣୀ ଓ ମାଆ ଅସରା ଅସରା କାନ୍ଦିଛୁ। ଡାକ୍ତରଙ୍କୁ କହିଥିଲୁ..ଆପଣ ଏମିତି କେମିତି କହିପାରୁଛନ୍ତି ଡକ୍ଟର ! ବାପା ଆମ ହୃଦୟର ସ୍ପନ୍ଦନ, ସ୍ପନ୍ଦନ ବନ୍ଦ୍ ହୋଇଗଲେ ଶରୀରର ମୂଲ୍ୟ କଣ ଅଛି !!
ଡାକ୍ତର କହିଲେ.. ଆପଣଙ୍କ ଠାରେ କିଛି ନାହିଁ,ଯିଏ କଷ୍ଟ ଭୋଗ କରୁଛନ୍ତି ତାଙ୍କର ଅନୁକମ୍ପା ମୃତ୍ୟୁ (compassionate death) ଆବଶ୍ୟକ କି ନାହିଁ ତାଙ୍କୁ ପଚାରି ବୁଝନ୍ତୁ। ଆଇନ୍ ଅନୁଯାୟୀ ଇଚ୍ଛା ମୃତ୍ୟୁ ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଭୁକ୍ତ।ସେ ନିଜେ ଜଣେ ଆଡଭୋକେଟ୍।ଆମମାନଙ୍କ ଅପେକ୍ଷା ନିୟମ କାନୁନ ତାଙ୍କୁ ଅଧିକ ଜଣା।
ଡାକ୍ତର ମହାଶୟ ବାପାଙ୍କର ଜଣେ ପ୍ରିୟ ବନ୍ଧୁ।ଆଜି.ସି.ୟୁ ଭିତରକୁ ଯିବାକୁ ସାଧାରଣତଃ ଅଧିକ ଲୋକଙ୍କୁ ଅନୁମତି ଦିଆ ଯାଏନାହିଁ ; ତଥାପି ସେଦିନ ଡାକ୍ତର ଆମେ ଦୁଇ ଭଉଣୀ ଓ ମାଆଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦେଇଥିଲେ।
ବାପାଙ୍କ ହାତରେ କାଗଜ କଲମ ଧରାଇ ଡାକ୍ତର କହିଲେ..ଅବିନାଶ,ଏଇ କାଗଜରେ ଲେଖି ତୁମର ଇଚ୍ଛା ବ୍ୟକ୍ତ କର। ସେଦିନ ତୁମ ଆଖିରେ ଏକ ଅଦ୍ଭୁତ ଝଲକ ଆମେ ଦେଖିଥିଲୁ ବାପା।ଲେଖିବା ତୁମପାଇଁ କଷ୍ଟକର ଥିଲା ତଥାପି ବହୁତ ସମୟ ନେଇ ବଡ଼ କଷ୍ଟରେ ତୁମେ ଲେଖିଥିଲ..Dr.! Iam a fighter like Arjun.I will fight till the end of my life.I want my entire family to be around me from now onwards till death.
ଆମେ ସମସ୍ତେ ଆଜି.ସି.ୟୁ ଭିତରେ ତୁମ ଶଯ୍ୟା ପାଖରେ ସବୁବେଳେ ରହିଵା ସମ୍ଭବ ନଥିଲା। ତୁମପାଇଁ ଘର ଭିତରେ ଆମେ ଆଇ ସି ୟୁ ତିଆରି କଲୁ। ନିଶ୍ବାସ ନେବା ତୁମପାଇଁ କଷ୍ଟ ହେଉଥାଏ। ତଣ୍ଟିରେ କଣା କରି ନଳୀ ସାହାଯ୍ୟରେ ପେଟ ଭିତରକୁ ଖାଦ୍ୟ ଛଡ଼ା ଯାଉଥାଏ।ତୁମ ଚାରିପାଖରେ ଆମେ ବେଢି ବସିଥାଉ।ତୁମ ଇଚ୍ଛା ଅନୁସାରେ କୋଠରୀରେ ଟିଭି ଲଗାଇ ତୁମର ଅତି ପ୍ରିୟ ରାମାୟଣ ଓ ମହାଭାରତ ଧାରାବାହିକ ଲଗା ଯାଇଥାଏ। ଶ୍ରୀମଦ୍ଭଗବଦ୍ ଗୀତା ଶ୍ଳୋକର କ୍ୟାସେଟ୍ ମଝିରେ ମଝିରେ ଲଗା ଯାଉଥାଏ।
ସେଦିନ ତୁମ ହାତ ପାପୁଲି ଗୋଟିଏ ଥାଏ ମୋ ହାତରେ, ଆରଟି ଥାଏ ସାନ ଭଉଣୀ ଅନୁକମ୍ପା ହାତରେ।ମାଆ ତୁମର ମଥା ଆଉଁସି ଦେଉଥାଏ। ତୁମେ ମୋତେ ଠାରରେ କହିଲ ୟୁ ଟ୍ୟୁବରୁ ଅଚ୍ୟୁତାନନ୍ଦଙ୍କ ରଚିତ ଗୀତଟି ଶୁଣିବା ପାଇଁ..."ବନ୍ଧୁ ବାନ୍ଧବ ମୋହରି/ଚତୁର୍ପାଶ୍ବେ ରହି ଥିବେଟି ଘେରି ହେ ରାଧା ମାଧବ/ଏହି ସୁଦୟା ଥିବଟି କରି ହେ ରାଧା ମାଧବ।"
ଗୀତଟି ଶୁଣୁ ଶୁଣୁ ତୁମର ଶେଷ ନିଶ୍ବାସ ଚାଲି ଯାଇଥିଲା। ମୁହଁରେ ଲାଗି ରହିଥିଲା ଅନନ୍ତ ପ୍ରଶାନ୍ତି । ମୃତ୍ୟୁ ତୁମକୁ ଡରାଇ ପାରିନଥିଲା ବାପା !ତୁମେ କେଉଁଠାରେ ଅଛ ବାପା ! ମୋ ବାପା ।