ଅନନ୍ୟା ଶକୁନ୍ତଳା
ଅନନ୍ୟା ଶକୁନ୍ତଳା
ଅନନ୍ୟା ଶକୁନ୍ତଳା
=================================
ଶକୁନ୍ତଳାଙ୍କ ପିଲାଦିନର କାହାଣୀ ଭାରି କରୁଣ। ପରିବାରର ତିନି ଝିଅ ଓ ଗୋଟିଏ ପୁଅ ଭିତରେ ସେ ଥିଲେ ସବା ବଡ଼ ଝିଅ।ଏହା ବିଂଶ ଶତାବ୍ଦୀର ପ୍ରାରମ୍ଭ ସମୟର ଘଟଣା । ସେତେବେଳେ 'ପିଲାକନ୍ୟା' ବାହାଘର ହେଉଥିଲା। ତାଙ୍କୁ ଯେତେବେଳେ ଦଶ/ଏଗାର ବର୍ଷ, ତାଙ୍କ ବୋଉ ସୁଲକ୍ଷଣା, ଝିଅ ବାହାଘର ପାଇଁ ବ୍ୟସ୍ତ ହୋଇ ପଡିଲେ,କଣ ବା କରନ୍ତେ ? "ଝିଅ ଘିଅ, ବେଶି ଦିନ ଘରେ ରଖି ହେବନାହିଁ",ଏହା ଥିଲା ତତ୍କାଳିନ ସାମାଜିକ ମନସ୍ତତ୍ତ୍ୱ।
ଶକୁନ୍ତଳାଙ୍କ ନନା (ବାପା) ସେତେବେଳକୁ ଦିବଙ୍ଗତ। ଅଧା ବୟସରେ ସେ ଚାଲିଗଲେ । ଚିକିତ୍ସା ଅଭାବରେ ଅକାଳରେ ଜୀବନ ଚାଲିଯିବା ତତ୍କାଳୀନ ସମାଜରେ ସାଧାରଣ କଥା ଥିଲା। ଦୁଇଟି ଝାଡା ଦୁଇଟି ବାନ୍ତି ପରେ ସବୁ ଶେଷ। ଆକାଶ ଛିଣ୍ଡି ପଡ଼ିଲା ବୋଉଙ୍କ ମୁଣ୍ଡରେ।ପିଲାଙ୍କ ପାଠ ପଢାକୁ କିଏ ପଚାରେ; କୌଣସି ପ୍ରକାରେ ଝିଅମାନଙ୍କୁ ହାତରୁ ଦି'ହାତ କରିଦେଲେ ମୁଣ୍ଡରୁ ବୋଝ ଓହ୍ଲେଇ ଯିବ।
ଯୂପ କାଠିକୁ ଯିବାପାଇଁ ପ୍ରଥମ ପାଳି ପଡ଼ିଲା ଶକୁନ୍ତଳାଙ୍କର। ଜୋଇଁଘରର ସବୁ ସର୍ତ୍ତରେ ସୁଲକ୍ଷଣା ରାଜି ହେଇଗଲେ। ଜୋଇଁ ଘରର ଲୋକେ କହିଲେ...ଆମର କିଛି ଯାନିଯୌତୁକ ଲୋଡା ନାହିଁ।ଖଣ୍ଡେ ଲୁଗାରେ ଆମେ ବୋହୂକୁ ଆମ ଘରକୁ ନବୁ; କିନ୍ତୁ ଝିଅ 'ଘରେ ରହିଲା' ପର୍ଯ୍ୟନ୍ତ (till puberty/maturity) ଆମେ ଅପେକ୍ଷା କରିବୁ ନାହିଁ,କାରଣ ବାହାଘର ପରେ ପରେ ଆମେ ସପରିବାର ଆମ କର୍ମସ୍ଥାନ ସମ୍ବଲପୁର ଚାଲିଯିବୁ।
ସୁଲକ୍ଷଣାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା।ସହଜେ ତ ଦାରିଦ୍ର୍ୟ ରାକ୍ଷସୀ ଭୟଙ୍କର ମୁଖ ବ୍ୟାଦାନ କରି ତାଙ୍କୁ ଅହରହ ଡରାଉଥିଲା ।ମରୁଡିରେ ଫସଲ ହାନି ଯୋଗୁଁ ଦୁଇ ଓଳି ଦୁଇ ମୁଠା ପେଟପୂରା ଖାଇବାକୁ ମିଳୁନଥିଲା। ପିଲାମାନଙ୍କୁ ଖୁଦ ଭାତ ଦେଇ ନିଜେ ପେଟରେ ଓଦାକନା ପକାଇ ଶୋଇ ଯାଉଥିଲେ।ତେଣୁ ଝିଅ ପାଇଁ ଆସିଥିବା 'ଚଳନ୍ତି ପକ୍ଷ'ର ପ୍ରସ୍ତାବଟି ସୁଲକ୍ଷଣା ହାତଛଡା କରିବାକୁ ଚାହୁଁ ନ ଥିଲେ। ଜୋଇଁ ପକ୍ଷର ସବୁ ସର୍ତ୍ତରେ ସେ ରାଜି ହେଇଗଲେ।
ଦଶ ଏଗାର ବର୍ଷ ବୟସରେ ଶକୁନ୍ତଳା ବୋହୂ ହୋଇ ଶାଶୂ ଘରକୁ ଗଲେ।ପନ୍ଦର ଦିନ ପରେ ଶାଶୂଘର ଲୋକମାନେ ସମ୍ବଲପୁର ଯିବାକଥା। ସେହି ପନ୍ଦର ଦିନ ଶକୁନ୍ତଳାଙ୍କୁ କାଳକୋଠରୀରେ ରହିଲା ଭଳି ଲାଗିଲା।ଖିଆପିଆ ଛାଡି ସେ ଦିନରାତି କାନ୍ଦୁଥାନ୍ତି । ଗାଁରେ ବୋଉ ପାଖରୁ ମୁହୂର୍ତ୍ତକ ପାଇଁ କୁଆଡେ ଯାଇନଥିଲେ ସେ। ଭାଇଭଉଣୀ ଏବଂ ଗାଁର ସାଙ୍ଗସାଥୀଙ୍କ କଥା ମନେ ପକାଇ ଆଖିରୁ ଧାର ଧାର ଲୁହ ବହି ଯାଉଥାଏ। ଏହା ତାଙ୍କର ଖେଳକୁଦ ସମୟ; ବୋହୂ ସାଜି ଆଜି ବସିଛନ୍ତି ଶାଶୁଘରେ।
ସମ୍ବଲପୁର ଯିବା ପୂର୍ବରୁ କୌଣସିମତେ ବୋଉ ଏବଂ ଭାଇଭଉଣୀଙ୍କୁ ଥରଟିଏ ଦେଖିବାକୁ ଇଚ୍ଛା;ମନର କୋହକୁ ଲୁହ ଆକାରରେ ସାଙ୍ଗସାଥିଙ୍କ ମେଳରେ ଅଜାଡ଼ି ଦେବାକୁ ଇଚ୍ଛା। ବହୁତ କାକୁତି ମିନତି ହୋଇ ସେ ଶାଶୂଙ୍କୁ ଅନୁରୋଧ କଲେ .. ଗୋଟିଏ ଦିନ ପାଇଁ ମତେ ଗାଁ କୁ ଯିବାକୁ ଦିଅ।"ଶାଶୂ କହିଲେ.. ନାଁ,ହୋଇ ପାରିବ ନାହିଁ। ଗାଁ ଫାଁ ଭୁଲି ଯା।ଜିଦ୍ କରି ଗଲେ ଫେରିବା ନାଁ ଧରିବୁନି।"
ଶକୁନ୍ତଳା ଆଉ ସମ୍ଭାଳି ପାରିଲେ ନାହିଁ।ମନରେ ଗୋଟିଏ ଉପାୟ ଚିନ୍ତା କଲେ।ବାପଘର ବେଶି ଦୂର ନୁହେଁ; ଶରଣକୁଳରୁ ଚିନାମାଳି ଗହିର ଡେଇଁଲେ ପଦ୍ମାଦେଈ ପୁର। ପଳାଇଯିବା ପାଇଁ ରାତିର ଅନ୍ଧାର ହିଁ ପ୍ରକୃଷ୍ଟ ସମୟ। ଦିନସାରା ଏମିତି ଭାବିଭାବି, ଦିନାନ୍ତ ପରେ ବିଳମ୍ବିତ ସନ୍ଧ୍ୟା ସମୟକୁ ସେ ଅପେକ୍ଷା କଲେ। ଟିକିଏ ରାତି ହେଲାପରେ,ବାଡିଆଡେ ପାଇଖାନା ଯିବା ବାହାନାରେ ଶାଶୂଘର ଛାଡି ପଳାଇଲେ ଶ
କୁନ୍ତଳା। ଅନ୍ଧାର ରାତିରେ ବିଲବାଡ଼ି ଡେଇଁ,ଜନ୍ତୁଜୁନ୍ତା,ସାପ ସରୀସୃପଙ୍କୁ ଖାତିରି ନକରି ସେ ବାପଘରେ ପହଞ୍ଚିଲେ ।ଏଣେ ଶଶୁର ଘରେ ଖୋଜା ପଡ଼ିଛି,କୁଆଡେ ଗଲା ନୂଆ ବୋହୂଟା !
ଶକୁନ୍ତଳା ତାଙ୍କ ବୋଉ କୋଳରେ ଶୋଇ ଏକା ଜିଦ୍'ରେ ଅଳିକଲେ..ବୋଉ ! ମୁଁ ଆଉ ଶାଶୂଘର ଯିବି ନାହିଁ।"
ସୁଲକ୍ଷଣା କହିଲେ... ଏମିତି କଣ କହୁଚୁ ! ମୁଁ ବାଟରେ ମୁଣ୍ଡଟେକି ଚାଲିପାରିବିଟି ? ଘରେ ଦୁଇ ଦୁଇଟା ଅଭିଆଡି ଝିଅ।ତୁ ଏମିତି କଲେ ସେମାନଙ୍କୁ ବରଂ ମିଳିବଟି ! ତୋ ପାଇଁ ସଂସାର ଆମର ଭାସିଯିବ।ମୋ ଧନଟା ପରା,ନଯିବା କଥା ମନକୁ ଜମା ଆଣେନା"।
ବୋହୂ, ବାପଘର ଚାଲିଯାଇଛି ବୋଲି ଶଶୁରଘର ଲୋକେ ଖବର ପାଇଲେ।ଦିନ ଦଶଟା ବେଳକୁ ଭଣ୍ଡାରି ଆସି ହାଜର;ଭଣ୍ଡାରି କହିଲା..ବଡବାବୁ କହିଛନ୍ତି,ଆଜି ସନ୍ଧ୍ୟାସୁଦ୍ଧା ବୋହୂକୁ ନେଇ ଛାଡି ଦେଇ ଆସିବ, ନଚେତ୍ ସବୁଦିନ ପାଇଁ ପାଖରେ ରଖିବ।"
ତାହା ହିଁ ହେଲା।କାନ୍ଦିବୋବେଇ ଝାଳନାଳ ହୋଇଥିବା ଝିଅକୁ ବୋହୂବେଶରେ ସଜେଇ ସୁଲକ୍ଷଣା ନିଜେ ଯାଇ ଶାଶୂଘରେ ଛାଡିଦେଇ ଆସିଲେ। ଝିଅକୁ ଛାଡି ଘରକୁ ଫେରିବା ବେଳେ ଅଭିମାନ ଭରା କଣ୍ଠରେ ସେ କହିଥିଲେ.. ଆଜିଠାରୁ ଝିଅ ମୋପାଇଁ ମରିଗଲା।
ତା'ପରଦିନ ଶଶୁର ଘର ଲୋକେ ବୋହୂକୁ ନେଇ ସମ୍ବଲପୁର ଚାଲିଗଲେ। ବହୁ ଦିନ ପର୍ଯ୍ୟନ୍ତ ଶକୁନ୍ତଳାଙ୍କ ଭାଗ୍ୟରେ ଗାଁ'ମାଟି ମାଡିବା ସୁଯୋଗ ନଥିଲା।ବୋଉ ମରିବା ପରେ ଶୁଦ୍ଧଘରକୁ ଆସି ଥିଲେ ସିନେ, କିନ୍ତୁ ବୋଉଙ୍କୁ ଦେଖିଵା ତାଙ୍କ ଭାଗ୍ୟରେ ନଥିଲା। ସୁଲକ୍ଷଣା ସେତେବେଳେକୁ ପଞ୍ଚତତ୍ତ୍ବରେ ବିଲୀନ ହୋଇ ସାରିଥିଲେ।ଶ୍ବଶାନରେ ତାଙ୍କ ଜୁଇ ପାଖରେ ବସି ଅସରା ଅସରା କାନ୍ଦିଥିଲେ ଶକୁନ୍ତଳା।ବୋଉ ବୋଉ ବୋଲି କେତେ ଡାକିଥିଲେ,ହେଲେ ଅଫେରା ରାଜ୍ୟରୁ କିଏ କେବେ ଫେରିଆସେ !!
ଏହି ଘଟଣା ଶକୁନ୍ତଳାଙ୍କ ମନରେ ଗଭୀର ରେଖାପାତ କରିଥିଲା।ସେ ଭାବିଲେ...ପାଠ ଦୁଇ ଅକ୍ଷର ପଢିଥିଲେ ତାଙ୍କପ୍ରତି କଣ ଏମିତି ଛେଳିମେଣ୍ଢା ଭଳି ବ୍ୟବହାର କରାଯାଇଥାନ୍ତା ? ମାଇନର ସ୍କୁଲରେ ମାଷ୍ଟ୍ର ଚାକିରି କରି କିମ୍ବା ଟିଉସନ କରି ନିଜର ଗୁଜୁରାଣ ମେଣ୍ଟାଇବା ସଙ୍ଗେ ସଙ୍ଗେ ପରିବାରକୁ ମଧ୍ୟ ସେ ସାହାଯ୍ୟ କରି ପାରିଥାନ୍ତେ। ଝିଅଟିଏ ସ୍ବାବଲମ୍ବୀ ନହେଲେ ସମାଜ ତା ଉପରେ ଏମିତି ଅତ୍ୟାଚାର କରି ଚାଲିଥିବ।
ଅଗତ୍ୟା ଶାଶୂଙ୍କ ପାଖରେ ସେ ଗୋଟିଏ ସର୍ତ୍ତ ରଖିଲେ। କହିଲେ...ଘରେ ଟିଉସନ ବ୍ୟବସ୍ଥା କରି ମତେ ଯଦି ପାଠ ନପଢାଇବ, ତାହେଲେ ମୁଁ ଘରୁ ପଳାଇବି, ନଚେତ୍ ଆତ୍ମହତ୍ୟା କରିବି।ସେ ଦୋଷ ତୁମମାନଙ୍କ ମୁଣ୍ଡରେ ଯିବ।
କହିବା ବାହୁଲ୍ୟ ଶାଶୂଘର ଲୋକେ ମାଷ୍ଟ୍ର ବ୍ୟବସ୍ଥା କରି ବୋହୂକୁ ପାଠ ପଢାଇଲେ। ଶକୁନ୍ତଳା ପାଠରେ ଅଉଲ ଥିଲେ। ପରୀକ୍ଷା ପରେ ପରୀକ୍ଷା ଦେଇ ସେ ଗ୍ରାଜୁଏସନ୍ କଲେ।ଶ୍ବଶୁର ଘରର ଆର୍ଥିକ ସ୍ବଚ୍ଛଳତା ଯୋଗୁଁ ତାଙ୍କ ପାଇଁ ଅବଶ୍ୟ କୌଣସି ଚାକିରି କରିବା ଆବଶ୍ୟକତା ନଥିଲା । କିନ୍ତୁ ଉଚ୍ଚ ଶିକ୍ଷା ତାଙ୍କୁ ସୁନ୍ଦର ସନ୍ତୁଳିତ ଘର ସଂସାର ଗଢିବାରେ ସାହାଯ୍ୟ କରିଥିଲା।ପୁଅ ମାନଙ୍କ ଛଡା ତାଙ୍କର ତିନୋଟି ଝିଅଙ୍କର ଶିକ୍ଷା ଉପରେ ସେ ସମ୍ପୂର୍ଣ୍ଣ ଗୁରୁତ୍ବ ଦେଇଥିଲେ। ଝିଅମାନେ ଉଚ୍ଚ ଶିକ୍ଷା ପରେ ଚାକିରି କରି ଉଚ୍ଚ ପଦପଦବୀରେ ପ୍ରତିଷ୍ଠିତ ହୋଇ ପାରିଥିଲେ।
(ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯେଉଁ ସମୟରେ ସମାଜରେ ଝିଅବୋହୂ ମାନଙ୍କର ପାଟିଫିଟାଇଵା ପାଇଁ ସାହସ ନଥିଲା ଏବଂ ଘରଭିତରେ ଅନ୍ଧାରକୋଣରେ ପ୍ରତିଭାର ଦୀପଶିଖା ଗୁଡିକ ଅଜଣା ଅଶୁଣା ହୋଇ ଲିଭିଯାଉଥିଲା,ସେ ସମୟର ଶକୁନ୍ତଳାଙ୍କ ସାହସିକତା ଓ ପ୍ରତିବଦ୍ଧତା ଉଦାହରଣୀୟ।)
©️ Kulamani Sarangi