Dinabandhu Mishra

Inspirational

3.8  

Dinabandhu Mishra

Inspirational

ପୃଥିବୀ ପଛକୁ ଫେରନ୍ତା ନାହିଁ

ପୃଥିବୀ ପଛକୁ ଫେରନ୍ତା ନାହିଁ

8 mins
1.0K


ରାଜରାସ୍ତାରୁ ଓହ୍ଲାଇବା ପରେ ନିଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ ୭-୮ କିଲୋମିଟର ଚାଲି ଚାଲି ଗଲାପରେ ପଡେ ମୋର ପିଲାଦିନର ଛୁଟି ଘର, ହୀରାକୁଦ ବନ୍ଧର ଉଦବାସ୍ତୁ ମାନଙ୍କର ଗାଁ, ମୋ ମାମୁଁ ଘର ଗାଁ। ମାମୁଁ ଘର ଗାଁ କୁ ଯିବା ଆଗ ଏତେ ସହଜ ନଥିଲା। ମାଁ ଭେରିକା ସମ୍ବଲପୁରରୁ ବାହାରିବା ଗୋଟିଏ ମାସ ଆଗରୁ ଖବର ଦେବାକୁ ପଡେ। ଶଗଡ଼ ଉପରେ ଟୋପଟିଏ ଓ ବସିବା ଯାଗାରେ ପାଳ ଓ କନ୍ଥା ସଜେଇ ହୋଇ ମୋଟା ମୋଟା ବଳଦଙ୍କୁ ବନ୍ଧା ହୋଇ ଶଗଡ଼ ଆସିଥାଏ ତାଙ୍କୁ ନେବା ପାଇଁ। ଆଉ ଆମେ ମାନେ ଗଲେ ଚାଲି ଚାଲିକି କିମ୍ବା ଆଗରୁ ଖବର ଦେଇଥିଲେ ସାଇକେଲରେ କିଏ ନେବାପାଇଁ ଗାଁ ରୁ ଆସନ୍ତି। ଜଙ୍ଗଲର ଶୀତଳତା ଭିତରେ ବାଟ ଜଣା ପଡ଼େ ନାହିଁ। ହଁ ଦିନେ ଦିନେ ଖରାଛୁଟିରେ ଯିବା ସମୟରେ ରାସ୍ତା କଡ଼ରେ ଭାଲୁ ମହୁଲ ଖାଇବାର ବହୁବାର ଦେଖିଛୁ। ଥରେ ତ ଏମିତି ହେଲା - ଶଗଡ଼ରେ ଯାଉଯାଉ, ଭାଲୁ ହୁଙ୍କାରି ଦେଲା ଯେ, ବଳଦ ଆଉ ରହେ - ରାସ୍ତା ଘାଟ ନ ମାନି ସିଧା ଦୈାଡି ଦୈାଡି ନେଇ ଘର ସାମ୍ନାରେ ଥୋଇଦେଲା। ଅଣ୍ଟାପିଠି ପୁରା ଛାଟ୍ ହୋଇଗଲା। ଆଜି ମଧ୍ୟ ମାମୁଁ ଘର ପଛପଟର କୂଅ ପାଣି ତଥା ମାମୁଁ ଘର ଗାଁ ହାଣ୍ଡି ରନ୍ଧା ପଖାଳର ସୁଆଦ ମୋ ମୁହଁରେ ରହିଯାଇଛି। ଖରା ଦିନେ କିଛି ନ ମିଳିବା ସମୟରେ ଜଙ୍ଗଲି ଶାଗ, ଶୁଲ୍ହା (ଶୁଖା ବାଇଗଣ), ଖଡା, ବଡ଼ି, ବିଲାତି ଆଳୁ ପକା ଘାଣ୍ଟ ତରକାରୀ ସହିତ ଭେରାଇଟିର ଲେତି (ଛୋଟ ଚୋଷା ଆମ୍ବ) ଆଉ ତା ପରେ ଢବା (ଖମାର) ଘରେ ଦିନ ଦି'ପହର କଟାଇବା ଆଜି ମଧ୍ୟ ଝୁରି ହେଉଛି ମୁଁ। ଗାଁ ର ପ୍ରାରମ୍ଭରେ ହିଁ ମାମୁଁ ଘର। ଘର ଭିତରକୁ ପଶିବା ମାତ୍ରେ ଦି ପଟେ ଗାଇ ଓ ଛେଳି ଗୁହାଳ। ଚଉରୀ ଘରଟିଏ। ସ୍ତ୍ରୀ ଲୋକମାନଙ୍କ ପାଇଁ ଝାଡ଼ା ଯିବାର ବ୍ୟବସ୍ଥା ବାରି ଶେଷ ପଟେ। ପୁରୁଷ ପିଲାମାନେ ଝାଡ ଭିତରକୁ ନ ହେଲେ କ୍ଷେତରେ। ଗାଁ ଟି ଯାକର ଲୋକେ ମାମୁଁ ଘର ବାରିପଟ କୂଅରୁ ଖାଇବା ପାଣି ବ୍ୟବହାର କରନ୍ତି। ବାରିପଟରେ ବିରାଟ ବିରାଟ ୪ଟି ପଣସ ଗଛ। ମାମୁଁ ଘରେ ପ୍ରାୟ ବର୍ଷକୁ ୧ ଟ୍ରକ ପଣସ ଖାଲି ବିକୁଥିବେ। ଅଜା ଥିବା ସମୟରେ ବାଡିରେ ବହୁ ପନିପରିବା ଚାଷ ହେଉଥିଲା ଓ ଚାଉଳ ମଧ୍ୟ ବିକୁଥିଲେ। ଅନ୍ୟ ମାଉସୀଙ୍କ ପିଲାମାନେ ସେଥିପାଇଁ ଆଜି ମଧ୍ୟ ଚାଉଳ ଅଜାଙ୍କ ଘର ବୋଲି କହିଥାନ୍ତି।


ପାଞ୍ଚୋଟି ମାଉସୀଙ୍କ ଛୁଆପିଲା ଭିତରୁ ମୁଁ ବୋଧହୁଏ ଯେତିକି ଉପଭୋଗ କରିଛି ମୋ ମାମୁଁ ଘର ଗାଁ, ଅନ୍ୟମାନେ ସେତିକି ଉପଭୋଗ କରିନାହାନ୍ତି। ପ୍ରକୃତି ସହିତ ପ୍ରକୃତିମୟ ହେଇଯିବା କାହିଁକି ପିଲାଟି ଦିନରୁ ମୋର ମାନସିକତା ରହିଛି। ସକାଳୁ ସକାଳୁ ଉଠି ହାଫ୍ ପ୍ୟାଣ୍ଟ୍ ଓ ଗଞ୍ଜିଟିଏ ତଥା ଅଣ୍ଟାରେ ଗାମୁଛା ଟିଏ ଭିଡ଼ି ଛେଳି ଚରାଉଥିବା ପିଲାଙ୍କ ସହ ଜଙ୍ଗଲ ବୁଲିବା ମୋର ଗୋଟିଏ ନିଶା ଥିଲା କହିଲେ ଚଳେ। ହେତୁ ହେବା ଦିନରୁ ଆରମ୍ଭ କରି ୧୦ମ ଶ୍ରେଣୀ ପଢିବା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଖରା ଛୁଟିରେ ମାମୁଁ ଘର ଗାଁ ରେ ମୋର ଆଡ୍ଡା ଜମୁଥିଲା। ଅଜା ରିଟାୟାର୍ଡ ସ୍କୁଲ ଶିକ୍ଷକ ସାଙ୍ଗକୁ ଗାଁ ବଇଦ ଭାବରେ ବେଶ୍ ଜଣାଶୁଣା ଥିଲେ‌। ତାଙ୍କ ସହିତ ଜଙ୍ଗଲ ଭିତରକୁ ଗଲେ ଏ ଗଛର ଏଇ ଗୁଣ, ସେ ଗଛର ସେ ଗୁଣ କହି ଗଛ ଚିହ୍ନାଇବା ସହିତ ତା'ର ବ୍ୟବହାର ବିଧି ଓ ସଂଗ୍ରହ ବିଧି ମଧ୍ୟ ବତାଉଥିଲେ। ତାଙ୍କ ଗୁତି (ଖେତ ଶ୍ରମିକ) ଭାବରେ କାମ କରୁଥିଲା ଖେରା ବାବା। ତା' ଭଲ ନାଁ ମୁଁ ଆଜି ପର୍ଯ୍ୟନ୍ତ ଜାଣି ନାହିଁ, କିନ୍ତୁ ଠେକୁଆ (ଖେରା) ମାରିକି ମୋତେ ଖୁଆଇଥିବାରୁ ତା ନାଁ ମୁଁ ଦେଇଥିଲି 'ଖେରା ବାବା'। କନ୍ଧ ଜାତିର ଲୋକଟିଏ। ମୋ ଅଜାଙ୍କୁ ମଧ୍ୟ ତୁ-ତା ସମ୍ବୋଧନ କରେ। କିନ୍ତୁ ଭାରି ସ୍ନେହୀ ପରିବାର ଟିଏ।


ପଶ୍ଚିମାଞ୍ଚଳ କାହିଁକି ସବୁ ଯାଗାରେ ଗାଁ ଗହଳିର କେଉଁ ଘରର ଭଣଜା କି ଜୋଇଁ ସେ ଗାଁ ଟି ଯାକର ଭଣଜା ଓ ଜୋଇଁ ହୋଇ ଚିହ୍ନା ପଡେ। ମାମୁଁ ଘର ଗାଁ କୁ ଯିବା ସମୟରେ ଜୋର (ପାହାଡି ନାଳ) ଭିତରେ ଅନେକେ ଫୁଟି/କାକୁଡି ଆଦି ଚାଷ କରନ୍ତି। ଖେରା ବାବା ମଧ୍ୟ ଖରାଟିଆ କାକୁଡି ଓ ତରଭୁଜ ଆଦି ଲଗାଏ। ତା ସ୍ତ୍ରୀ ଓ ପିଲାମାନେ ତାକୁ ତା କାମରେ ସାହାଯ୍ୟ କରନ୍ତି। ଅନ୍ୟ ସମୟରେ ଘରେ ବସି ବିଡ଼ି ବଳନ୍ତି। ୨ଟି ଝିଅ ଓ ଗୋଟିଏ ପୁଅକୁ ନେଇ ତା ସଂସାର। ଆମେ ମାନେ ତା ବଗିଚାରୁ ଯାହା କିଛି ଓଟାରି ଖାଇଦେଲେ ମଧ୍ୟ ଦିନେ ହେଲେ ସେ କାହାକୁ ଫେରାଦ ହେଇନାହିଁ ଏ ବିଷୟରେ। ମୋ ନାତି ଖାଇଲା ବୋଲି କହେ। ମୁଁ ଦଶମ ଶ୍ରେଣୀରେ ପଇତା ପକେଇଲି। ତେଣୁ ମୋ ଅଜାଙ୍କୁ କହେ - 'ଆରେ ପିଲା ବାହ୍ମନ ନୁହେଁ ହୁଏ ତାଏଲ୍, ମୋ ଘରକୁ ଛାଡ଼ ସେ ମୂଷା ମାଂସ ଟିକିଏ ଖାଇବ'। ଅଜା ମଧ୍ୟ ଆଈଙ୍କୁ ନ ଜଣାଇ - 'ଯା ଖାଇ ଆସିବୁ' ବୋଲି କହନ୍ତି। ତା ଘରେ ମୁଁ ବହୁ ଜଙ୍ଗଲି ଚିଜ ଖାଇଛି। ତା ଝିଅ ଦୁଇଟା ମୋଠୁ ଖୁବ୍ ବଡ଼। ପୁଅଟି ମୋ ସାଙ୍ଗର - ନାଁ ଗୁଲଠୁ। ସାଙ୍ଗ ସରସିଆ ହେଲେ କଣ ହେବ ମୁଁ ତାକୁ ମାମୁଁ ବୋଲି ଡାକେ ଓ ତା' ସ୍ତ୍ରୀ କୁ ମାଇଁ ବୋଲି ଡାକୁଛି। ଛୋଟ ଦିନରୁ ଭାଙ୍ଗ (ଦୋକତା) ଖାଇ ଖାଇ ଗୁଲଠୁ ମାମୁଁ ର ମୁହଁ କାହିଁକି ମୋତେ ଭାରି ଗନ୍ଧାଏ। ତେଣୁ ତା ସହିତ କଥା ହେବାକୁ କେମିତି ଅସଜ ଲାଗେ।


୧୦ମ ପଢିଲା ବେଳକୁ ମୋ ଅଜାଙ୍କ ଦେହାନ୍ତ ହେଲା, ତା'ପରେ ପରେ ମୋ ଗାଁ କୁ ଯିବାଆସିବା କେମିତି କମିଗଲା। ଏମିତି ବର୍ଷ ପରେ ବର୍ଷ ବିତିଗଲା। ଏ ଭିତରେ ମୁଁ ବାହା ହେଇ ମୋ ପୁଅ ପାଠ ପଢିବା ଆରମ୍ଭ କରିଥାଏ‌। ହଠାତ୍ ଦିନେ କାହିଁକି ମାମୁଁ ଘର ଗାଁ କଥା ମନେ ପଡ଼ିଲା। ପୁଅକୁ ନେଇ ବାହାରିଲି ମାମୁଁ ଘର ଗାଁ ଆଡକୁ। ଶୁଣିବାକୁ ପାଇଥିଲି ଗାଁ କୁ ଏବେ ବସ୍ ଚାଲିବା ଆରମ୍ଭ କଲାଣି। ବସ୍ ରେ ଉଠିଲୁ ବାପ ପୁଅ ଦୁଇଜଣ। ଯେତେ ଗାଁ ପାଖକୁ ପାଖ ହେଉଥାଏ ମୁଁ ଦେଖୁଥାଏ ଆଉ ଜଙ୍ଗଲର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ। ସବୁ ଯେମିତି ପଦା ହେଇଯାଇଛି। ଜଣକୁ ପଚାରିଲି - 'ଆରେ ବାବୁ ଜଙ୍ଗଲ ଗଲା କୁଆଡେ?' ବାଟୋଇଟି ଉତ୍ତର ଦେଲା - 'ବାବୁ ଏଠି ପରା ଫ୍ୟାକ୍ଟ୍ରି ହେବ, ଆଉ ଜଙ୍ଗଲ ନା ଜମି.... କିଛି ପାଇବ ନାହିଁ'। ରାଜରାସ୍ତାରେ ଓହ୍ଲାଇ ପଡ଼ିଲି। ଭାବିଲି ଚାଲି ଚାଲି ଯିବି କିମ୍ବା କାହାଠୁ ସାଇକେଲ ଖଣ୍ଡିଏ ମାଗି ଯିବି। କାହାଠୁ କିଛି ନ ପାଇ ପୁଣି ମାମୁଁ ଘର ଗାଁ ପଟ ଦେଇ ଯାଉଥିବା ପିକ୍ଅପ୍ ଭ୍ୟାନରେ ଚଢିଲି। ରାସ୍ତାରେ ସେଇ ଜୋର ପଡ଼ିଲା, ଖୋଜିଲି ଖେରା ବାବା କାଳେ କେଉଁଠି କିଛି କରିଛି କି? କିନ୍ତୁ କିଛି ଚିହ୍ନବର୍ଣ୍ଣ ମଧ୍ୟ ପାଇଲି ନାହିଁ। ଗାଁ ରାସ୍ତା ଆଉ ଚିହ୍ନି ହେଉନଥାଏ। ନିର୍ମଳ ପରିବେଶର ରାସ୍ତାଟି ତଥାକଥିତ ଫ୍ୟାକ୍ଟ୍ରି ପାଇଁ ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଉଥିବା ବଡ଼ ବଡ଼ ଟ୍ରକ ମାନଙ୍କ ଧୂଆଁ ତଥା ରାସ୍ତାର ଅସହ୍ୟ ଧୂଳି ମଧ୍ୟରେ ପୋତି ହୋଇ ପଡିଥାଏ ଯେମିତି। ସେ ଯାହା ହେଉ ବହୁ କଷ୍ଟରେ ଗାଁ ରେ ପହଞ୍ଚିଲି। ଗାଁ ରୁ ୧୦୦ ମିଟର ଦୂର ପୂର୍ବର ସେଇ ଆମ୍ବ ବୁରେଇ (ବଗିଚା) ମଧ୍ୟରେ ଭ୍ୟାନ୍ ଟି ଲୋକଙ୍କୁ ଉତ୍ତାରି ଦେଇ ବାଟ ଭାଙ୍ଗି ତାର ଗନ୍ତବ୍ୟ ସ୍ଥଳ ଅନ୍ୟ ଗାଁ ଆଡକୁ ଚାଲିଗଲା।


ଆଉ ଆମ୍ବ ଗଛର‌ ଚିହ୍ନ ମଧ୍ୟ ସେଠାରେ ନଥିଲା। ଘର ମାନଙ୍କୁ ମଧ୍ୟ ଚିହ୍ନି ହେଉନଥାଏ। ଆଗର ମାଟି ଘର ବଦଳରେ ସେଠି ଥିଲା ସବୁ ପକ୍କା ଘର। ଅଜାଙ୍କ ଘର ସାମ୍ନାରେ ଥିବା ଖେରା ବାବାର ଘର ମଧ୍ୟ ପକ୍କା ହୋଇଯାଇଥିଲା। ମାମୁଁ ଘରେ କେହି ନଥିବାରୁ ଖେରା ବାବା ପାଖରେ ମାମୁଁ ଘର ଚାବି ରହୁଥିଲା। ସେ ମାମୁଁ ଘରର ସମସ୍ତ ଜମିବାଡ଼ିର ଦେଖାଶୁଣା କରୁଥିବାର ମୁଁ ଜାଣିଥିଲି। ତେଣୁ ତା ଘରକୁ ପ୍ରଥମେ ଗଲି। ମୋତେ ଦେଖି ବାବା ଯେମିତି କୋଟିନିଧି ପାଇଗଲା। ପାଟି କରି ସମସ୍ତଙ୍କୁ ଡାକିଲା - 'ଆସରେ ଦେଖିବ ଆସ ମୋର ପୁତା ଆଜି ବଡା ଦିନ ଉତାରୁ ତା'ର ବବାର ଘରକେ ଆସିଛେ... ମୋର ସାହେବ ଆସିଛେ (ମୋ ପୁଅକୁ) ଆସରେ ଦେଖବ ଆସ'। ମୋ ପୁଅ କିଛି ବୁଝି ପାରୁନଥିଲା କେବଳ ଭକ୍ ଭକ୍ ହୋଇ ଦେଖୁଥାଏ। ବାବା ମୋ ପୁଅକୁ କାଖରେ ଉଠେଇ ନେଇ ଘର ଭିତରକୁ ପଶିଗଲା। ମୁଁ ମଧ୍ୟ ତା ପଛେ ପଛେ ଘର ମଧ୍ୟକୁ ପଶିଲି। ବୁଢ଼ୀ ଆସି ମୋ ପୁଅ ମୁହଁକୁ ଆଉଁସି ଚୁମା ପରେ ଚୁମା ଦେଇ ଚାଲିଥାଏ। ଏହି ସମୟରେ ଗୁଲଠୁ ମାମୁଁଙ୍କ ନୂଆଁ ବିବାହିତା ସ୍ତ୍ରୀ ତାଙ୍କ ଝିଅକୁ ନେଇ ଦୁଆର ପାଖକୁ ଆସିଲେ ଓ ମୋତେ ମୁଣ୍ଡିଆ (ଜାତିରେ ବ୍ରାହ୍ମଣ ମାନ୍ୟ କରି) ମାରିଲେ। ମୁଁ ମନା କରନ୍ତେ ବୁଢ଼ା କହିଲା - 'ଆରେ ପିଲା ସେତେବେଳେ ବାହ୍ମନ ନାଇଁ ହେଇଥାଇ। ଇହାଦେ ବିହା ହେଲୁନ। ବାହ୍ମନ ଲୋକ ଆଉ ମୁଡିଆଟେ ମାରିଦେଲା ଯେ କାଁ ହେଲା।' ମୁଁ କିଛି କହିଲି ନାହିଁ। ସେ କିନ୍ତୁ ମୋ ପିଲାକୁ ଖଟରେ ବସାଇ ଅନେକ ପ୍ରଶ୍ନ ପଚାରି ଚାଲିଥାଏ - 'କେନ ପଢ଼ୁଛୁ? କେତେ ପଢଲୁନ? ତୋର ବା ପଢାସି କି ଆର୍ କିଏ? ତୋର ମାଁ କେ କାଁ ଯେ ନାଇଁ ଆନଲୁ?' ଏମିତି ଅନେକ ପ୍ରଶ୍ନ। ପୁଅ ତା'ର ଜବାବ୍ ଦେଉଥାଏ। ଏମିତି କିଛି ସମୟ ବିତିଗଲା ଉତାରୁ ମୁଁ ପଚାରିଲି - 'ବାବା, ତୋର ବାଏର୍ (ବଗିଚା) କାହିଁ ଗଲା ବୋ... ଆଏଜ୍ କାଏଲ୍ କାଣା ଆଉ କିଛି ନାଇଁ କରବାର୍ କେ?' ବୁଢ଼ା ହସିଲା..... କହିଲା - 'ଆରେ ପିଲା ବାଏର୍ ବଗିଚା ଆର୍ କାଣା କରମି ବୋ... ଯାହା କଲେ ତ ସବୁ ଧୁଇଲ୍ (ଧୁଳି) ଖାଇ ଦେଉଛେ। ଫେର୍ ଆଉର୍ ବଲ୍ ବୁତା ନାଇଁ ଲାଗବାର୍ କେ। ବୁଢ଼ା ହେଲିନ। ତୋର଼ ମାମୁଁ ଗଲା ଆଉ ନିଘା ନାଇଁ ଦେବାରକେ। ଫ୍ୟାକ୍ଟ୍ରି ରେ କାଏଁ କାମ୍ କରବା ବଲି କହୁଛେ ତ।' ମୁଁ ଚୁପ୍ ରହିଗଲି। ତା'ଠୁ ଚାବି ନେଇ ମୁଁ ମାମୁଁ ଘରକୁ ଗଲି। ସେଠାରେ କୂଅରେ ବହୁଦିନ ପରେ ଗାଧୋଇ ପାଧୋଇ ଘର ବାରଣ୍ଡାରେ ଖଟ ପକେଇ ବସିଲି। ଆଗରୁ ମାମୁଁ ଘରେ ଲାଇଟ୍ ନଥିଲା, ଏବେ କିନ୍ତୁ ଗାଁ ରେ ଲାଇଟ୍ (ମିଞ୍ଜି ମିଞ୍ଜି ହେଇ ଜଳିଲେ ମଧ୍ୟ) ଅଛି। ପଙ୍ଖାଟିଏ ଆଣି କିଏ ଗୋଟିଏ ଲଗାଇ ଦେଲା। ଏମିତି ଅନେକ ସମୟ ଗଲା ପରେ ବାବା ଆସିଲା। କହିଲା - 'ଆରେ ପିଲା ଖାଏବାରଟା କେନ୍ତା କରବୁ?' ମୁଁ କହିଲି - 'ବାବା ତୋର୍ ଘରେ ମୁଠେ ନାଇଁ ଦେଉ କାଏଁ?' ବୁଢ଼ା ମୋ ଉପରେ କହିଲା - 'ତୁଇ ବାହ୍ମନ ଘରର ପିଲା ଆମର ହାତର ରନ୍ଧା କେନ୍ତା ଖାଏବୁ?' ମୁଁ ପୁଣି କହିଲି - 'ଛୋଟବେଳେ ତୋ ଘରେ କେତେ ଖାଇଛି, ଆଜି ଖାଇଦେଲେ କ'ଣ ଅସୁବିଧା ହୋଇଯିବ?' ବୁଢ଼ା ଉତ୍ତର ଦେଲା - 'ସେତେବେଳେ ତୁଇ ବରୁ ନାଇଁ ହେଇଥାଇ, ଖାଇ ଦେଉଥିଲୁ... ଆଏଜ୍ ଆଉ ଖାଏବୁ।' ମୁଁ କହିଲି - 'ତୋ ଘରେ ଖାଇଲେ ମୋ ପଇତା ମାରା ହେବ ନାହିଁ.... କିନ୍ତୁ ମୋ ମନକୁ ଶାନ୍ତି ମିଳିବ। ପାରିବୁ ଯଦି କିଛି ପୋଡ଼ା ପୋଡ଼ି କରି ପଖାଳ ଟିକେ ଯୋଗାଡ଼ କରିଦେ।' ବୁଢ଼ା ବହୁତ ଖୁସି ହୋଇଯାଇଥିଲା ଓ ମୋ ପାଇଁ ଖାଇବା ଯୋଗାଡ଼ କରି ରାତିରେ ନେଇ ଆସିବା ପାଇଁ ଘରକୁ ଫେରି ଯାଇଥିଲା।


ସନ୍ଧ୍ୟାରେ ମୁଁ ପୁଅକୁ ନେଇ ଗାଁ ଭିତରକୁ ଅନ୍ୟମାନଙ୍କ ଘରକୁ ବୁଲିବାକୁ ଗଲି। ଗାଁ ରେ ଆମୂଳଚୁଳ ପରିବର୍ତ୍ତନ ହୋଇ ଯାଇଥିବା ଦେଖିଲି। ଗାଁ ରେ ଠାଏ ଠାଏ ଅଣ୍ଡା ଦୋକାନ ସାଙ୍ଗକୁ ପ୍ରତ୍ୟେକଙ୍କ ଘରେ ଟେଲିଭିଜନ ଓ ଗାଁ ରେ ଦୁଇ ଦୁଇଟି ମଦ ଦୋକାନ ମୋତେ ଆଶ୍ଚର୍ଯ୍ୟାନ୍ବିତ କରୁଥାଏ। ବେଶି ସମୟ ବୁଲିବାକୁ କାହିଁକି ଖରାପ ଲାଗିଲା। ପୁଣି ଘରକୁ ଫେରି ଆସିଲି। ରାତି ପ୍ରାୟ ୮-୯ ବେଳକୁ ବୁଢ଼ା ଆସିଲା, ପଚାରିଲା - 'ପୁତା ଖାଇ ବସବୁ କାଏଁ, ତୋର ମାଇଁ ଖାଏବାରଟା ନେଇକରି ଆଏବା।' ମୁଁ ହଁ କରନ୍ତେ ସେ ପାଟିଟିଏ କରି ଘରକୁ ଖବର ଦେଲା ଓ ମୋ ପାଖେ ବସି ରହିଲା। ମୁଁ ବି ତା ସହିତ ଗପିବାକୁ ଚାହୁଁଥାଏ। ପଖାଳ ଖିଆ ସାଙ୍ଗକୁ ଗାଁ ବିଷୟରେ ପଚାରି ଚାଲିଥାଏ। ପଖାଳ ସାଙ୍ଗରେ ବଜାରର କାର୍ବାଇଡ ଦିଆ ଆମ୍ବ ଦେଖି ମୁଁ ପଚାରିଲି - 'ହଏବୋ ବାବା ଇ ଲେତି ମାନେ କାହିଁ ଗଲା ଯେ ତୁଇ ଇ ଆମ୍ବ ଆନିଛୁ?' ବୁଢ଼ା କହିଲା - 'ଆର୍ ଗଛ୍ କାଇଛେ ଯେ ତୁଇ ଲେତି ପାଏବୁ? ଯଦରି ଭି ଗୁଟେ ଜୁଡେ କେନ୍ ଝାର୍ ଭିତରୁ ମିଲଲେ ଗଲା ସେଟା ଭି ଦୁକାଲ୍ (ଦୁର୍ଲଭ) ହେଲାନ। ତୁଇ ସହରିଆ ଲୋକ୍ ଆରୁ ଲେତି ଖୁଜୁଛୁ କାଏଁ ବୋ?' ମୁଁ ହସିଲି। ପୁଣି ପଚାରିଲି - 'ଆଘୋ ଗାଁ ଥି କୁକରା ଅଣ୍ଡାଟେ ଖୁଜଲେ ନାଇଁ ମିଲୁଥାଇ। ମଦ୍ ପାଏନ୍ ତ ଦୂରର କଥା। ଇହାଦେ ତ ପୁରା ଉଲ୍ଟା ଟା ଦେଖି କରି ଅସଲି।' ବୁଢ଼ା କହେଲା - 'ପିଲା ତୁଇ ଆମର ଗାଁ କେ କାଁ ବଲି ଭାବଲୁ... ଇନ ଯାହା ଚାହେଁବୁ ସେଟା ମିଲବା। ମଦ୍ ପାଏନ୍ କାଣା... ସବୁ। ହଏବୋ ତୋର୍ ମାମୁଁ ପରେ ଗୁଟେ ଫଟଫଟି (ମଟର ସାଇକେଲ) ଆନିଛେ ଯେ ସେଟା ଚଲେଇ ନାଇଁ ଜାନେ ବଲି ଗୁଟେ ଡାଏଭର ରଖିଛେ।' ମୁଁ ପୁରା ଆଶ୍ଚର୍ଯ୍ୟରେ ବୁଡ଼ି ଯାଇଥିଲି। ମୋ ପୁଅ ଆଡ଼କୁ ଦେଖି ପୁଣି କହିଲା - 'ତୋର୍ ପୋ କାଣା ପଢୁଛେ, ମୁଇଁ ମୋର ନାତେନ୍ କେ ଇଙ୍ଗଲିସ୍ ଇସ୍କୁଲଥି ପଢାମି ଆର ବଛରକେ। ଇନ ଗୁଟେ କାଣା ନରସରି ଇସ୍କୁଲ ଖୁଲିଛେ। ଦେଖୁଥା ମୋର୍ ନାତେନ୍ ଗଲା ସାହେବ ହେବା ଆରୁ ତୋର୍ ସାଙ୍ଗେ ଇଙ୍ଗଲିସ୍ ଥି କଥା ହେବା। ଆମକୁ କାଣା ବଲି ଭାବୁଛୁ.... ଗଉଁଲିଆ....। ଦେଖୁଥା କାଣା ହେଉଛେ।' ମୁଁ କିଛି କହିଲି ନାହିଁ।


ଆର ଦିନ ସକାଳୁ ସକାଳୁ ବାପ ପୁଅ ଦୁହିଜଣ ବାହାରି ଆସିଲୁ ସମ୍ବଲପୁର ସହରକୁ। ପ୍ରାୟ ୩ ବର୍ଷ ପରେ ପୁଣି ଯାଇଥିଲି ବୁଢ଼ାର ସ୍ତ୍ରୀ ଓ ଝିଅ ମରିଯାଇଥିଲା ବୋଲି ଖବର ପାଇ ବୁଢାକୁ ସଙ୍ଖୁଳିବାକୁ। ବୁଢ଼ା ମୋତେ ଧରି କାନ୍ଦିଲା। କହିଲା - 'କାଁ କରମି ପୁତା, ତୋର ମାମୁଁ ଆର୍ ମୁନୁଷ୍ ହେଇକରି ନାଇଁନା। ସବୁ ନାରଖାର କରିଦେଉଛେ। କାହୁଁ ମଦ୍ ପିଆ ଶିଖଲା ଯେ ସବୁ ନଷ୍ଟ କରିଦେଲାନ। ଜମି ବାଡ଼ି ଯେନ୍ ହାତେ ଦୁଇହାତ୍ ଥିଲା ତାହାକେ ଭିଲ୍ ଫ୍ୟାକ୍ଟ୍ରି ନୁ ପୈସା ପାଏମି ବଲି ବିକି ଦେଲାନ। ଯେନ୍ଟା କମେଇ ଖୁଟେଇ କରି ସୁନା ଗହନା ରଖିଥିଲି ତାହାକେ ଗଲା ସାରି ଦେଲାନ। କାଁ କରମି... ଇ ବୁଢ଼ା ବଏସେ କେନକେ ଯିମି? ଭୁଆସେନ୍ କେ ମାରୁଛେ ପିଟୁଛେ। ମତେ ଭିଲ୍ କେତେବେଳେ କେନ୍ତା ହୁଡି ନେଉଛେ ଆର୍ ମାରବାକେ କୁଦୁଛେ। ମୋର୍ ସବୁ ସରିଗଲା ପୁତା।' ମୁଁ ବୁଢାକୁ ସାନ୍ତ୍ଵନା ଦେଇ ଚାଲିଥାଏ। ବୁଢ଼ା କିନ୍ତୁ କାନ୍ଦିବାରେ ଲାଗିଥାଏ। ଅନେକ ସମୟ ପରେ ବୁଢ଼ା ଚୁପ୍ ହେଲା। ମୋତେ ପଚାରିଲା - 'ହଏରେ ପୁତା, ବିଜ୍ଞାନ ପରେ ବଡା କାମ୍ କରି ପାରୁଛେ! ଆର୍ ଲୋକମାନେ ପରେ ଆନ୍ଦୋଳନ କରି ସବୁ ବନ୍ଦ କରି ଦେଇ ପାରୁଛନ୍?' ମୁଁ ବୁଝି ପାରିଲି ନାହିଁ। ପଚାରିଲି - 'କାଁ ଯେ ପଚରାଲୁ?' ବୁଢ଼ା କହିଲା - 'ପୁତା ଏନ୍ତା ନାଇଁ ହେତା - ପୁରଥି ଘାଏ ଉଲ୍ଟା ଘୁରତା ଆଉ ଆମର ଗାଁ ଫେର୍ ଘାଏ ଆଘର ଗାଁ ହେଇଯାଏତା। ଇଲେକ୍ଟ୍ରୀ ନାଇଁଥିତା ଆର୍ ଆଘର ସେ ଜଙ୍ଗଲ ଭିତରର ମାଟିର ଘର୍ ଭିତରେ ଆମେ ଯେନ୍ତା ଥିଲାଁ ହେନ୍ତା ପଖାଲ୍ ଆର୍ ଜଙ୍ଗଲି ଶାଗ୍ ମୁଠେ ଖାଇକରି ଶାନ୍ତିଥି ଘଡେ ଶୁଇ ପାରତାଁ।' ମୁଁ ନିର୍ବାକ ରହିଯାଇଥିଲି। ମନ ମଧ୍ୟରେ ମୋ ମାମୁଁ ଘର ଗାଁ ର ସେଇ ପୂର୍ବ ରୂପ ମୋତେ କେମିତି କନ୍ଦାଇବାକୁ ଚେଷ୍ଟା କରୁଥିଲା ଓ କହୁଥିଲା - ପୃଥିବୀ ପଛକୁ ଫେରିଯାଆନ୍ତା ନାହିଁ।



Rate this content
Log in

Similar oriya story from Inspirational