ଶେଷ ସାହିତ୍ୟର ଯାତ୍ରୀ
ଶେଷ ସାହିତ୍ୟର ଯାତ୍ରୀ


(ଏହି ଗଳ୍ପଟି ସମ୍ପୂର୍ଣ୍ଣ କାଳ୍ପନିକ ଅଟେ । ଯଦି ଲେଖା ମାଧ୍ୟମରେ କାହାରି ହୃଦୟକୁ କଷ୍ଟ ଦେଇଥାଏ, ତେବେ କ୍ଷମା କରିଦେବେ ।)
ସଫଳତା ପାଇବା ପାଇଁ ହେଲେ ଜୀବନରେ ଅନେକ ପରିଶ୍ରମ କରିବାକୁ ପଡେ । ନିଜର ଅଧ୍ୟବସାୟ ଆଉ ଦୃଢ଼ ଇଚ୍ଛା ବଳ ଭିତରେ ମଣିଷର ଭାଗ୍ୟର ସହଯୋଗ ମିଳିଲେ ତାହା ପ୍ରାପ୍ତି ହୁଏ । ଜୀବନର ଅପରାହ୍ନରେ ଆଜି ବି ହାରିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବୋଲି, ନିଜର କୋହକୁ ଛାତିରେ ଚାପି ଧରି ଅନେକ ସଭା ସମିତି ଠାରୁ ଆରମ୍ଭ କରି ସାହିତ୍ୟ ଅନୁଷ୍ଠାନରେ ନିଜକୁ ସାମିଲ କରି ବି ଜଣେ ସଫଳ ସାହିତ୍ୟିକ ହେବାର ସୁନାମ ଅର୍ଜନ କରି ପାରିନାହାନ୍ତି ବୋଲି ବାପାଙ୍କ ମନରେ ଅନେକ କ୍ଷୋଭ ।
ଜୀବନର ଯାତ୍ରାରେ ସେ ସଫଳ ହୋଇ ପାରିଛନ୍ତି । ସରକାରୀ ଚାକିରୀ ଜୀବନରେ ସଫଳ ହୋଇ ଅବସର ନେଇ ସାରିଛନ୍ତି । ତେଲ ଲୁଣର ସଂସାରରେ କାହାରି ମନରେ କେବେ ବି ଦୁଃଖ ଦେବାକୁ ସେ ଚାହିଁନାହାନ୍ତି । କିନ୍ତୁ ସେ ନିଜର ଦୁଃଖ ସହ ନିଜକୁ ଭେଟନ୍ତି ସବୁବେଳେ ଏକାନ୍ତ ମୁହୂର୍ତ୍ତରେ । ଛାତିର କୋହରେ ଲୁହର ଅସ୍ମିତା ବି ଝରି ଯାଇ ତାଙ୍କର ଦୁର୍ବଳତା କାରଣ ହେବା ପାଇଁ ଲଜ୍ଜ୍ୟା ଅନୁଭବ କରେ । ସେଥିପାଇଁ ସେ ସବୁବେଳେ ବାହାର ପଟୁ କଠୋର ଦେଖା ଯାଆନ୍ତି । କିନ୍ତୁ ତାଙ୍କ ଭିତରେ ଯେ ଜଣେ ସରଳ ନିଷ୍ପାପ ଭଲ ମଣିଷଟିଏ ଲୁଚି ରହିଛି, ଏ କଥା ବା ମୋ ଠାରୁ ଆଉ କିଏ ବେଶି ଜାଣିଛି ।
ଆଜି ପରିକା ପବିତ୍ର ଦିନରେ ବାପାଙ୍କ ଠାରୁ ଆଶୀର୍ବାଦ ପାଇବାର ସୌଭାଗ୍ୟ ବି ମୋର ନାହିଁ । ସତରେ କେଡେ ହତଭାଗାଟା ମୁଁ ।
ଜୀବନର ଲକ୍ଷ୍ୟ ବୁଝିବାରେ ହୁଏତ ମୁଁ ଆଜି ଅସଫଳ । ପାଠ ପଢି ଚାକିରୀ କରିଦେଲେ ଯେ ମଣିଷ ନିଜ ଭିତରେ ସବୁ କିଛି ଖୁସି ପାଇ ପାରେ ନାହିଁ ତାହା ଆଜି ବାପାଙ୍କ ଠାରୁ ମୁଁ ଶିକ୍ଷା ପାଇଛି ।
ମଣିଷ ଚିହ୍ନିବାରେ ଯେଉଁ ମସ୍ତ ବଡ଼ ଭୁଲଟେ ମୁଁ କରିଦେଇଛି ତାର ଭରଣା କରିବା ହୁଏତ ମୋ ପକ୍ଷେ ଏ ଜନ୍ମରେ ଆଉ ସମ୍ଭବ ନୁହେଁ ।
" ନା" ଶ୍ରଵଣ କୁମାର ହୋଇ ଚାରିଧାମ ବାପାମାଆଙ୍କୁ ବୁଲେଇ ନେବାର ସୌଭାଗ୍ୟ ପାଇଲି, ନା" ରାମ ଚନ୍ଦ୍ରଙ୍କ ପରି ପିତୃ ସତ୍ୟର ପାଳନ କରି ପାରିଲି" ।
ଆଜି ବି ମୋର ମନେ ପଡୁଛି ସେ ଅଭୁଲା ମୁହୂର୍ତ୍ତ ସବୁ ....
ବୋଉ, ଏ ବୋଉ କୁଆଡେ ଗଲୁ କି ? ଅଫିସ ଟାଇମ ହେଲାଣି ଶୀଘ୍ର ଖାଇବାକୁ ଦେ । ଶ୍ରାବଣୀ ଅଫିସ ଚାଲି ଗଲେ, ବାଟରେ ଗଲା ବେଳେ ସ୍କୁଲରେ ପିଲା ଦୁହିଁଙ୍କୁ ଛାଡି ଦେଇଥିଲେ ହୋଇନଥାନ୍ତା ?
: ହଁ ଦେଉଛି ରହ । ଏଇ ନେ ଆଜି ତୋ ପସନ୍ଦର ଚକୁଳି ପିଠା ଆଉ ଆଳୁ ଦମ କଷା କରିଛି । ଶ୍ରାବଣୀର ଅଫିସ ପରା ଆଠଟାରେ ଆଉ ପିଲାଙ୍କର ସ୍କୁଲ ତ ଦଶଟାରେ ଅଛି । ଏତେ ଶୀଘ୍ର ପିଲାମାନେ ସ୍କୁଲ ଯାଇ କଣ କରିବେ !! ତୁ ଗଲାବେଳେ କାରରେ ପିଲାମାନଙ୍କୁ ସାଥିରେ ନେଇଯିବୁ ।
: ମୋ ପାଖରେ ଆଜି ସମୟ ନାହିଁ । ତୁ ବାପାଙ୍କ ସହ ପିଲାମାନଙ୍କୁ ସ୍କୁଲ ପଠେଇ ଦେ । ପିଲାଙ୍କର ସ୍କୁଲ ଏଇ ଗୋଟେ କିଲୋମିଟର ହେବ । ବାପାଙ୍କର ସକାଳୁ ଚାଲିବା ଦ୍ୱାରା ଶରୀର ବ୍ୟାୟାମ ବି ହୋଇଯିବ । ଆଉ ବୁଲା ବୁଲି କରିବା ଦ୍ୱାରା ତାଙ୍କର ବି ମାନସିକ ଅବସ୍ଥା ଭଲ ରହିବ । ଆଉ ଉଚ୍ଚ ରକ୍ତଚାପର ପ୍ରଭାବ ବି ଶରୀରରେ କମ୍ ପଡିବ । ମୁଁ ଯାଉଛି । ପିଲାମାନଙ୍କୁ କହିଦେ ତାଙ୍କର ଜେଜେ ବାପାଙ୍କ ସହ ଚାଲିଯିବେ । ମୋର ବିଳମ୍ବ ହେଲାଣି ।
: ଆରେ ସତ୍ୟ ଟିକେ ଶୁଣ ତ ?
: ଆଉ ପୁଣି କଣ କହିବୁ, କହିଲୁ ଶୀଘ୍ର । ତେଣେ ଅଫିସରେ ଆଜି ଗୋଟେ ଗୁରୁତ୍ତ୍ୱପୂର୍ଣ୍ଣ ମିଟିଙ୍ଗ ଅଛି ।
: ତୋ ବାପା ଘରେ ନାହାନ୍ତି । ପିଲା ମାନେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇ ରୁମରେ ବସିଛନ୍ତି । ତୁ ଟିକେ ନେଇ ଯାଆ, ତୋ ଅଫିସ ବାଟରେ ତ ସ୍କୁଲ ପଡିବ । ଛାଡି ଦେବୁ ।
: ବାପା ଘରେ ନାହାନ୍ତି ! ତେବେ କୁଆଡେ ଗଲେ ଆଉ ?
: କାଲି ସନ୍ଧ୍ୟାରୁ ସାହିତ୍ୟ ଆସରକୁ ଯାଇଛନ୍ତି । ବେଳାଭୂମି ମହୋତ୍ସବ ତରଫରୁ ସାହିତ୍ୟ ସଭାରେ ଭାଗ ନେବା ପାଇଁ । ବହୁ ସ୍ୱନାମଧନ୍ୟ ସାହିତ୍ୟିକ ଉକ୍ତ ସଭାକୁ ଆସିଥିବେ । ସେଠାରେ ଆୟୋଜିତ ଗଳ୍ପ କବିତା ଆସରରେ ଅଂଶଗ୍ରହଣ କରିବା ପାଇଁ । ଆଜି ସନ୍ଧ୍ୟାରେ ଫେରିବେ ।
: କଣ ଆଉ ତାଙ୍କୁ କହିବି । ବୟସ ଆସି ଅପରାହ୍ନରେ । ଦେହରେ ମଧୁମେହ ଆଉ ଉଚ୍ଚ ରକ୍ତଚାପଜନିତ ରୋଗରେ ସେ ଆକ୍ରାନ୍ତ । ଡାକ୍ତର ଘରେ ବସି ରହିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି । ହଜାର ହଜାର ଟଙ୍କା ଥରେ ଦେହ ଖରାପ ହେଲେ ପାଣି ଭଳି ବୋହି ଯାଉଛି । ଦେଖୁଛୁ ତ ଆମର ଅବସ୍ଥା । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ରୋଜଗାର କରିବା ପରେ ବି ଅର୍ଥର ଅଭାବ ରହୁଛି । ତାପରେ ବି ବାପା ସବୁ ଜାଣି କେମିତି ଯାଇ ପାରୁଛନ୍ତି, ମୁଁ କିଛି ବି ବୁଝି ପାରୁନାହିଁ !!!
କଣ ମିଳିବ ସେ ସାହିତ୍ୟ ସଭାରୁ । ସାହିତ୍ୟ ଭାଷା ପ୍ରତି ଆଉ କାହାରି ମନରେ ଟିକେ ବି ଆଗ୍ରହ ନାହିଁ । ଅଫିସ ଠାରୁ ଆରମ୍ଭ କରି ବିଦ୍ୟାଳୟ ଯାଏଁ ସବୁଠି ଇଂରାଜୀ ଭାଷା ଆଉ ହିନ୍ଦୀ ଭାଷାର ବହୁଳ ପ୍ରଚଳନ ହେଉଅଛି । ଘରେ ବି ପିଲାମାନେ ହିନ୍ଦୀ ନ ହେଲେ ଇଂରାଜୀରେ କଥା ହେଉଛନ୍ତି । ସରକାର ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ "ଭାଷା ବଞ୍ଚାଅ ଅଭିଯାନ" କାର୍ଯ୍ୟ କରୁଛନ୍ତି କିନ୍ତୁ ଖୋଦ ଅଫିସର ମାନେ ସରକାରୀ କାଗଜ ଠାରୁ ଆରମ୍ଭ କରି ନିଜର ଦସ୍ତଖତ ମଧ୍ୟ ଇଂରାଜୀରେ କରୁଛନ୍ତି । ତେବେ କହ ବୋଉ କେଉଁଠି ଓଡ଼ିଆ ଭାଷା ଆମର ଜୀବିତ ଅଛି ।
ମୁଁ ବି ଜଣେ ଓଡ଼ିଆ ହୋଇ ଦେଖ ଆଜି ଅଫିସରେ ଇଂରାଜୀ କି ହିନ୍ଦୀରେ କଥା ହେଉଛି । ମୋ ପିଲାମାନଙ୍କୁ ଟିକେ ଦେଖ ସେମାନେ ବି ସମୟ ସହ ତାଳ ଦେଇ ଓଡ଼ିଆ କହିବା ଭୁଲି ଗଲେଣି ।
ସବୁଠି ସାହିତ୍ୟକୁ ବଞ୍ଚାଇବାର ପ୍ରୟାସ କରୁଥିବା ସାହିତ୍ୟିକମାନେ ବି ସାହିତ୍ୟରେ ଅପମିଶ୍ରଣ କରି ସାରିଲେଣି ବୋଲି ବାପା ଅନେକ ଥର କହିବାର ଶୁଣିଛି । ସିନେମା ଆଉ ସଙ୍ଗୀତ ଚୋରି ହେବା ପରେ ଏବେ ଭାଷାଚୋରମାନଙ୍କର ସାହିତ୍ୟ କ୍ଷେତ୍ରରେ ରାଜୁତି ଚାଲିଛି ।
ପିଲାଟି ଦିନରୁ ବାପାଙ୍କୁ ଦେଖି ଆସୁଛି । ଗଦା ଗଦା ଡାଏରୀ ଘର ଭିତରେ ଲେଖା ଲେଖି କରି ଜମା କରି ରଖିଛନ୍ତି । କେବେ କେଉଁଠି ତାଙ୍କର ଲେଖାଟିଏ ପ୍ରକାଶ ହେବାର ଦେଖି ନାହିଁ କି ପଢି ନାହିଁ । ତା' ଛଡା ବାପାଙ୍କୁ କେଉଁଠି ସମ୍ମାନିତ କେହି କଲା ଭଳି ମୋର ମନେ ପଡୁ ନାହିଁ ।
ତେବେ ଏ ସବୁ ଜାଣିବି ବୟସର ଅପରାହ୍ନରେ ନିଜକୁ ଜଣେ ସାହିତ୍ୟିକ ବୋଲି ପରିଚୟ ପାଇବାର ଇଚ୍ଛାକୁ ଦେଖିଲେ ବାପାଙ୍କର ଆଶ୍ଚର୍ଯ୍ୟ ଲାଗେ ।
ତୁ ସେ ପଛ ଘରେ ଥିବା ବାପାଙ୍କର ଡାଏରୀ ସବୁ ବସ୍ତାରେ ଭରି କି ରଖିଦେ । ଫେରିବାଲା ଆସିଲେ ସେ ସବୁକୁ ମୁଁ କେବେ ସମୟ ଦେଖି ବିକି ଦେବି । ସେ ଡାଏରୀ ସବୁ ଖାଲିଟାରେ ଘରେ ପଡି ରହିଛି । ପୁଳାଏ ସ୍ଥାନ ବି ମାଡି ବସିଛି ।
: ତୁ ବୁଝି ପାରିବୁନିରେ ସତ୍ୟ । ମୁଁ ତ ମୂର୍ଖ । ତାଙ୍କ ସହ ଏତେ ଦିନ ରହିଲା ପରେ ବି ତାଙ୍କର ସାହିତ୍ୟିକ ହେବାର ନିଶାରୁ ତାଙ୍କୁ ନିବୃତ କରି ପାରିଲି ନାହିଁ । ଚେଷ୍ଟା କରି ତୁ ଥରେ କି ଦି ଥର ଦେଖ ! କାଳେ ସଫଳ ହେବୁ ।
: ଏଇ ତ ପିଲାମାନେ ଆସିଲେଣି ।
: ହଉ ଚାଲ ଚାଲ ସମସ୍ତେ, ବିଳମ୍ବ ହେଲାଣି । ଆସୁଛି !
: ଦେଖିକି ଯିବୁ ?
: ହଁ... ବୋଉ ।
ସମୟ ସ୍ରୋତରେ ବାରମ୍ବାର ପ୍ରୟାସ କରି କାହିଁକି କେଜାଣି ହାର ମାନିବାକୁ ହୁଏ । ଏ କଥା ବୁଝା ପଡେ ନାହିଁ । ସନ୍ଧ୍ୟାରେ ଘରକୁ ଫେରିବା ପର ଠାରୁ ବାପା ନିଜକୁ ନିଜେ ଘର ଭିତରେ ବନ୍ଦୀ କରି ରଖିଛନ୍ତି । ଯେତେ ଡାକିଲେ ବି ବୋଉ, ଶ୍ରାବଣୀ କି ପିଲାମାନେ ଘର କବାଟ ଖୋଲୁ ନାହାନ୍ତି ।
କାର୍ଯ୍ୟ ଵ୍ୟସ୍ତତା ଭିତରେ ଅଫିସରୁ ଆସିବାରେ ଟିକେ ବିଳମ୍ବ ହୋଇଗଲା । ସନ୍ଧ୍ୟା ବେଳରୁ ଏ ପାଲା ଚାଲି ଥିବାର ଜାଣି ମୋ ମୁଣ୍ଡ ପୁରା ଗରମ ହୋଇ ଗଲା । ଅଫିସରେ ବସର ସମାଲୋଚନା ଶୁଣି ଆସିଥିଲି, ଆଉ ଏଠି ବାପାଙ୍କର ଅଭିମାନ । କେମିତି ମଣିଷ ଏ ଘରେ ରହିବ କେଜାଣି । ବଡି ଭୋରରୁ ଉଠି କବିତା ଲେଖାଲେଖି କରି ତାକୁ ବଡ଼ ପାଟିରେ ଆବୃତ୍ତି କରନ୍ତି । ଏ ସବୁ ଶୁଣି ବିଳମ୍ବରେ ଶୋଇଥିବା କାରଣରୁ ଚିଡ ଚିଡା ଲାଗେ । କିନ୍ତୁ ବାପାଙ୍କର ମୁହଁକୁ ଚାହିଁ କିଛି କହି ପାରେ ନାହିଁ । କାରଣ ତାଙ୍କର କଷ୍ଟକୁ ମୁଁ ଆଖି ସମ୍ନାରେ ଯେ ହେତୁ ଦେଖିଥିଲି । କିନ୍ତୁ ଆଉ ନୁହେଁ । ସହିବାର ବି ଶକ୍ତି ଦେହରେ ରହିବା ଦରକାର ।
ଏଥର ରାଗିକି କବାଟ ନିକଟୁ ଯାଇ, ବାପା......ବାପା ! କବାଟ ଖୋଲନ୍ତୁ ବୋଲି ବଡ଼ ପାଟିରେ ଡାକିଲି ।
ହେଲେ ଭିତରୁ କିଛି ବି ଉତ୍ତର ମିଳିଲା ନାହିଁ ?
ରାଗ ତ ପୁରା ମୁଣ୍ଡକୁ ଚଡ଼ିକି ଥିଲା, ଏଥର ଆହୁରି ଜୋରରେ ପାଟି କରି କହିଲି, ତୁମେ କଣ ଚାହୁଁ ଅଛ । ତୁମର ସାହିତ୍ୟିକ ହେବାର ନିଶା ପାଇଁ ଆମେ ସବୁ ଭୋକିଲା ନ ଖାଇ ନ ପିଇ ମରି ଯାଉ । କାହିଁକି ଛୋଟ ପିଲାଙ୍କ ପରି ଜିଦି ଧରି ଘର ଭିତରେ ଅଛନ୍ତି । ଆପଣ ଖାଇବେ ଆସିଲେ, ପିଲାମାନଙ୍କୁ ବି ବହୁତ ଭୋକ ହେଲାଣି ।
ତଥାପି ଘର ଭିତରୁ କୌଣସି ଶବ୍ଦ ଶୁଣା ଯାଉନାହିଁ । ମନଟା କାହିଁକି ଭଲ ଲାଗିଲା ନାହିଁ । ଆଗରୁ ବାପା ଅଭିମାନ କରି ବସୁଥିଲେ ବି ପିଲାମାନଙ୍କର ଡାକରେ କବାଟ ଖୋଲି ଦେଉଥିଲେ । ହେଲେ ଦୀର୍ଘ ଚାରି ଘଣ୍ଟା ଏହା ଭିତରେ ବିତି ଗଲାଣି । କିନ୍ତୁ ଭିତରୁ ବାପାଙ୍କର କୌଣସି ଜବାବ ଆସୁ ନାହିଁ । ମନକୁ ପାପ ଛୁଇଁବାରୁ, ବାଧ୍ୟ ହୋଇ ଶେଷରେ କୌଣସି ଉପାୟ ନ ପାଇଁ ପଡିଶା ଘର ସାଙ୍ଗର ସାହାଯ୍ୟରେ କବାଟ ଭାଙ୍ଗି ଭିତରକୁ ଯାଇ ଯାହା ଦେଖିଲି, ମୋ ପାଦ ତଳୁ ମାଟି ଖସି ଗଲା ।
ଘର ଭିତରଟା ସମ୍ପୂର୍ଣ୍ଣ ଅନ୍ଧାର ଥାଏ । ଟେବୁଲ ନିକଟରେ ବାପା ଚେୟାରରେ ବସି ରହି ଥାନ୍ତି । ପାଖରେ ଲ୍ୟାମ୍ପ ଜଳୁଥାଏ । ଟେବୁଲ ଉପରେ ଗୋଟେ କାଗଜ ଆଉ କଲମ ଥୁଆ ହୋଇ ରହିଛି । ବୋଧହୁଏ କଣ ଲେଖା ଲେଖି କରୁଥିଲେ । ଏତେ ସବୁ ଘଟିଗଲା ପରେ ବି ସେ ନିରବ ଆଉ ନିଶ୍ଚଳ ହୋଇ ବସି ରହିଛନ୍ତି ।
ସମସ୍ତେ ପୁରା ବିଚଳିତ ହୋଇ ସାରିଥିଲୁ । ପାଖକୁ ଯାଇ ବାପା ବୋଲି ଯେତେବେଳେ ହଲାଇ ଡାକିଲି, ମୋ କୋଳକୁ ବାପାଙ୍କର ନିସ୍ତେଜ ଶରୀରଟା ଆଉଜି ପଡିଲା । ହଠାତ ଘର ଭିତରଟା କ୍ରନ୍ଦନର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଲା । ବୋଉ ଘରର ଗୋଟେ କୋଣରେ ବସି ମୁଣ୍ଡ ପିଟି ତାର ସଂସାର ଉଛନ୍ନ ହୋଇ ଗଲା ବୋଲି କହି କାନ୍ଦୁଥାଏ । ଶ୍ରାବଣୀ ବି ପିଲାମାନଙ୍କୁ ଜାବୁଡି ଧରି କାନ୍ଦୁଥିଲେ । ପିଲାମାନେ କଣ ଘଟିଲା କିଛି ବୁଝି ନ ପାରି ତାଟକା ହୋଇ ଚାହିଁ ରହିଥିଲେ । ଆଉ ମୁଁ ତ ନିସ୍ତବ୍ଧ ଶବ ସେଇଠି ହିଁ ପାଲଟି ଯାଇଥିଲି । ଟିକେ ପୂର୍ବରୁ ଯେଉଁ ରାଗ ପାଇଁ ବାପାଙ୍କୁ ଗାଳି କରୁଥିଲି, ଆଜି ସେଇ ରାଗ ହିଁ ମୋ ବାପାଙ୍କୁ ମୋ ଠାରୁ ଛଡେଇ ନେଇ ଥିଲା ।
ମୋର ମନେ ପଡୁଅଛି ଦିନେ ବାପା କହୁଥିଲେ,
ବୁଝିଲୁରେ ସତ୍ୟ ମଣିଷ ସିନା ଶରୀର ତ୍ୟାଗ କରେ କିନ୍ତୁ ତାର ଲେଖା ଦ୍ୱାରା ସେ ହଜାର ସାହିତ୍ୟ ପ୍ରେମୀଙ୍କ ହୃଦୟରେ ଜୀବିତ ହୋଇ ରହିଥାଏ । ଦିନେ ତୁ ବି ତୋ ବାପାକୁ ନେଇ ନିଶ୍ଚୟ ଗର୍ବ କରିବୁ । ଆଉ ସେଇ ଦିନ ଜାଣିବୁ ସାହିତ୍ୟର ଶକ୍ତି କେତେ ।
ଆଜି ବାପଛେଉଣ୍ଡ ପୁଅ ପାଖରେ ବା ଆଉ କି ଶକ୍ତି ଅଛି ସେ ଜାଣିବ । ମୁଣ୍ଡ ଉପରୁ ଭରସା ଆଉ ବିଶ୍ୱାସର ଛାତଟା ଯେମିତି ଅଦିନ କାଳବୈଶାଖୀର ଝଡ଼ରେ ଯେମିତି ଉଡି ଯାଇଥାଏ । ସମଗ୍ର ଘର ଭିତରେ ଆଜି ଶୋକାକୁଳ ପରିବେଶ । ଏହା ଭିତରେ ପୋଲିସ ଖବର ପାଇ ଆସି ବାପାଙ୍କର ମରଶରୀରର ପୋଷ୍ଟମର୍ଟମ କରାଇ ସାରିଥାନ୍ତି । ରିପୋର୍ଟରେ ହୃଦଘାତ ଜନିତ ମୃତ୍ୟୁର କାରଣ ଲେଖାହେବାର ଜଣାଇଲେ ।
ଦଶ କ୍ରିୟା ଠାରୁ ଆରମ୍ଭ କରି ସମସ୍ତ ନୀତି କର୍ମ ଓଡ଼ିଆ ପରମ୍ପରା ଆଉ ରୀତି ନୀତି ଅନୁସାରେ ବାପାଙ୍କ ଉଦ୍ଦେଶ୍ୟରେ ସମାପ୍ତ କରିଲି । ବୋଉ ଦେହରେ ଧଳା ଲୁଗା ଦେଖି ଭାରି କଷ୍ଟ ହେଉ ଥାଏ । ସଂସାର କରିବାର ଏତେ ଦିନ ଭିତରେ ବି ବାପା ବୋଉଙ୍କ ଭିତରେ କୌଣସି କଥାକୁ ନେଇ କେବେ ଝଗଡା ହେବାର ଦେଖି ନାହିଁ । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ।
ଆଜି ଅନେକ ଦିନ ପରେ ବାପାଙ୍କର ବିୟୋଗ ଜନିତ କ୍ଷତିକୁ ଅନୁଭବ କରି ପାରୁ ଥିଲି । ପୁଅ ରଶ୍ମି ଦୌଡ଼ି ଆସି କହିଲା, ବାପା......ବାପା, କଲି "ଫାଦର୍ସ ଡେ ", ସ୍କୁଲରେ କହିଛନ୍ତି କିଛି ଗୋଟେ ଡ୍ରଇଂ କି କବିତା ଗଳ୍ପ ଲେଖିକି ନେଇ ଦାଖଲ କରିବା ପାଇଁ । ଟିକେ ପଢି ଦେଲ ଦେଖି କବିତାଟିଏ ମୁଁ ଲେଖିଛି । ଭଲ ହୋଇଛି କି ?
ହଠାତ ପାଟିରୁ ବାହାରି ପଡ଼ିଲା ଯାଆ ଜେଜେ ବାପାଙ୍କୁ ଦେଖାଇ ଦେଇ ଆସେ । ସେ ଭଲ କରି ବୁଝେଇ କହିଦେବେ । ମତେ ସାହିତ୍ୟ ପଢିବାକୁ ଭଲ ଲାଗେ ନାହିଁ ।
ମୋ ମୁହଁକୁ ବଲବଲ କରି ଚାହିଁ ରହିଥାଏ । ଜେଜେ ବା ଭଗବାନଙ୍କ ନିକଟକୁ ଯାଇଛନ୍ତି । ସେ ଥିଲେ ତାଙ୍କ ପାଖକୁ ନ ଯାଇ ଆଉ କଣ ତୁମ ପାଖକୁ ଆସିଥାନ୍ତି ?
ଏତକ କହି ବୋଉ ......ବୋଉ ଡାକି ସେ ଭିତରକୁ ଚାଲିଗଲା ।
ରଶ୍ମିର କଥା ଶୁଣି ମନେ ପଡ଼ିଲା, ବାପାଙ୍କର ଶେଷ ଲେଖା ହୋଇ ରହିଥିବା କାଗଜର କଥା । ସେ ଦିନ ପୋଲିସ ଆସି ପୋଷ୍ଟମର୍ଟମ ହେବା ପାଇଁ ବାପାଙ୍କୁ ନେବା ପୂର୍ବରୁ ଟେବୁଲ ଉପରୁ କାଗଜଟାକୁ କାଢି ଆଣି ପକେଟରେ ପୁରାଇ ଦେଇଥିଲି ।
କାଗଜ କଥା ମନେ ପଡିବାରୁ ବ୍ୟସ୍ତ ହୋଇ ଖୋଜି ବସିଲି । ଶେଷରେ ସେ କାଗଜ ପାଇଲା ପରେ ପଢିବାକୁ ଆରମ୍ଭ କଲି ;-
ସତ୍ୟରେ,
ତୋ ବାପା ଆଜି ହାରିଗଲା । ମରିଗଲା ତୋ ବାପା ହୃଦୟରେ ଜୀବିତ ଥିବା ସାହିତ୍ୟିକ ହେବାର ଇଚ୍ଛା । ଜାଣିଛୁ ଆଜି ସଭାରେ କଣ ଘଟିଲା । ଆମ ସଂସ୍କୃତି ପରମ୍ପରା, ଦେବା ଦେବୀ ଆଉ ପର୍ବପର୍ବାଣୀକୁ ନେଇ ଖୁବ ଭଲ ଆସରଟେ ଆୟୋଜିତ ହୋଇଛି ବୋଲି ଭାବି ବାଲେଶ୍ଵର ଯାଇଥିଲି । ସେଠାରେ କିଛି ମେଟ୍ଟାଫର ସାହିତ୍ୟିକ ମାନେ ଯେଉଁ ଭଳି ଆମ ଭାଷା ଆଉ ପରମ୍ପରା ତଥା ଆମର ଆରାଧ୍ୟ ଭଗବାନଙ୍କୁ ନେଇ କିଛି ଏଭଳି ଟିପ୍ପଣୀ କଲେ ଯେ, ଯେଉଁ କଥା କି ଜଣେ ସଚ୍ଚା ଓଡ଼ିଆ ପୁଅ ଶୁଣିଲା ପରେ ତାର ରକ୍ତ ଗରମ ହୋଇ ଉଠିବ । ଏଇମାନେ କୁଆଡେ ପ୍ରସିଦ୍ଧ ସାହିତ୍ୟିକ ଅଟନ୍ତି । କିଛି ତ ଗଳ୍ପ ବି ବାହାର ଭାଷାରୁ ଚୋରି କରି ଆଣି ନିଜର ବୋଲି କହି ପଢିକି ପ୍ରଶଂସା ସାଉଁଟୁ ଥିଲେ । ଏତେ ନିମ୍ନ ସ୍ତରକୁ ମୋ ଭାଷା ଖସି ଯାଇଛି ବୋଲି ଭାବିଲା ବେଳକୁ ଖୁବ ବେଶି କଷ୍ଟ ହେଲା । ତା" ଠାରୁ ଆହୁରି ବେଶି କଷ୍ଟ ହେଲା ଯେ ସେମାନଙ୍କୁ ହିଁ ରାଜ୍ୟର ଶ୍ରେଷ୍ଟ ସାହିତ୍ୟିକ ବୋଲି ସମ୍ମାନିତ ହେବାର ଦେଖି ।
ଓଡ଼ିଆ ବୋଲି କହିବାର ସ୍ୱାଭିମାନ ରଖୁଥିବା ଓଡ଼ିଆ ପୁଅ ଆଉ ଓଡ଼ିଆ ଭାଷାର ଏମିତି ମୃତ୍ୟୁକୁ ଗ୍ରହଣ କରି ପାରିଲା ନାହିଁ ମୋର ସାହିତ୍ୟିକ ହୃଦୟ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଯେତେବେଳେ ଭାଗ ନେଇ ସେମାନଙ୍କୁ ଆମର ପରମ୍ପରା ଆଉ ସଂସ୍କୃତି ବିଷୟରେ ପ୍ରଶ୍ନ କଲି, ମଞ୍ଚରେ ଉପସ୍ଥିତ ଜଣେ ସୁନାମ ଧନ୍ୟ ପତ୍ରିକାର ସମ୍ପାଦକ ସେମାନଙ୍କୁ ରକ୍ଷା କରିବାକୁ ଯାଇ ମତେ ପାଲଟା ପ୍ରଶ୍ନ କରିଲେ,
ଆପଣ କଣ ଜଣେ ସାହିତ୍ୟିକ ? ଆପଣଙ୍କର ଲେଖା ସବୁ କେଉଁ ପତ୍ରିକାରେ ପ୍ରକାଶ ପାଇଛି । ଆପଣଙ୍କର କଣ କିଛି ପୁସ୍ତକ ଉନ୍ମୋଚିତ ହୋଇଛି । ଆପଣ କୌଣସି ବିଶେଷ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି କି ?
: ଉତ୍ତରରେ ଏତିକି ଖାଲି କହିଲି, ମୁଁ ଜଣେ ସାହିତ୍ୟିକ । ସାହିତ୍ୟର ରସରେ ନିଜକୁ ସବୁବେଳେ ବିଭୋର କରି ରଖୁଥିବା ଜଣେ ସାହିତ୍ୟପ୍ରେମୀ । ନା" ମୋର କିଛି ପୁସ୍ତକ ପ୍ରକାଶିତ ହୋଇଛି, ନା" ମୁଁ କେଉଁଠୁ ଉପାଧି ପାଇଛି ।
ମୋର ଏତକ କହିବା ଭିତରେ ସମ୍ପାଦକ ଜଣଙ୍କ ମତେ କଟାକ୍ଷ କରି କହିଲେ, ଆଜି କାଲି ଯେ କେହି ବି ଦୁଇ ଧାଡି ଲେଖି ଦେଲା ପରେ ନିଜକୁ ସାହିତ୍ୟିକ ବୋଲି କହି ହେଉଛନ୍ତି । ଆପଣମାନଙ୍କ ପାଇଁ ଆମ ଭାଷା ଆଜି ଅପମାନିତ । ମଞ୍ଚରେ ଉପସ୍ଥିତ ଅତିଥିମାନେ ବହୁ ପ୍ରତିଭାର ଅଧିକାରୀ । ସେମାନେ ସାହିତ୍ୟ ସମାଜ ଦ୍ୱାରା ସମ୍ମାନିତ । ଏମିତି ଆହୁରି ଅନେକ କଥା କହି ମତେ ଲଜ୍ଜିତ କଲେ । ମୁଁ ବି ଜବାବ ମଝିରେ ମଝିରେ ଦେଉ ଥାଏ । କିନ୍ତୁ ଶେଷରେ ମତେ ସେମାନେ ସାହିତ୍ୟର ପଥଭ୍ରଷ୍ଟ ପାଗଳ କହି ସଭାରୁ ସିକ୍ୟୁରିଟି ଲଗାଇ ବିଦା କରିଦେଲେ ।
ଯେଉଁମାନେ ଉକ୍ତ ସଭାରେ ଗଳ୍ପ କି କବିତା ପଢିଥିଲେ, ସେମାନଙ୍କର ଭିଡି଼ଓ ମୋ ମୋବାଇଲରେ ଅଛି । ତା ସହ ସେମାନେ ଯେଉଁଠୁ ଏ ସବୁ ଲେଖା କପି ବା ଚୋରି କରି ନିଜର ଲେଖା ବୋଲି କହୁଛନ୍ତି ତାହା ବି ତଳେ ଲେଖି ରଖୁଅଛି । ମୋ ପୁସ୍ତକ ଥାକରେ ଖୋଜିଲେ ଚୋରି ହୋଇଥିବା ଲେଖାର ଅସଲ ଲେଖକ ଆଉ ଲେଖା ସବୁ ପାଇବୁ । ମୁଁ ତଳେ ଲେଖା ଆଉ ଲେଖକଙ୍କର ନାଁ ବି ଲେଖିଦେବି ।
ଶେଷରେ କହୁଛି ଦୁନିଆଁରେ ଆଜି ତୋ ବାପା ନିଜର ଅସ୍ତିତ୍ୱର ସତ୍ତା ଖୋଜିବା ଭିତରେ ନିଜକୁ ହଜେଇ ଦେଇଛି ଏଇ କଳୁଷିତ ଲେଖକମାନଙ୍କ ମଧ୍ୟରେ । ତୁ ବି ମତେ ବହୁ ଥର କହିଛୁ, ଏଥିରୁ ନିବୃତ୍ତ ରହିବା ପାଇଁ ।
ଆଜିକ ପରେ ତତେ ଆଉ କହିବାର ସେ ସୁଯୋଗ ଦେବି ନାହିଁ । ମୋ ଘର ତତେ ଲା.............ଗି............….ଲା ।
ଶେଷରେ କଲମ ମୁନର ଭଙ୍ଗା ଖଣ୍ଡକୁ କାଗଜରୁ ସାଉଁଟି, ବାପାଙ୍କୁ ଖୋଜୁଥିଲି ସତ୍ୟ ଆଉ ମିଥ୍ୟାର ଲୁଚ କାଳି ଖେଳ ଭିତରେ । ଆଖିରୁ ଧାର ଧାର ଲୁହ ବୋହି ଆସୁଥିଲା ମୋର । ସାହିତ୍ୟ ପ୍ରତି ବାପାଙ୍କର ତ୍ୟାଗକୁ କଦାପି ନିରର୍ଥକ ହେବାକୁ ଦେବି ନାହିଁ । ନିଜ ଭିତରେ ଓଡ଼ିଆ ହେବାର ସ୍ୱାଭିମାନ ଜାଗ୍ରତ ହେଲା ମୋର । ଯେଉଁମାନଙ୍କ ପାଇଁ ଆଜି ଏ ଭାଷା କଳୁଷିତ ହେଉ ଅଛି ସେମାନଙ୍କର ଅସଲ ଚେହେରା ଲୋକଲୋଚନକୁ ନ ଆସିବା ଯାଏଁ, କେବେ ବି ମୁଁ ଚୁପ ହୋଇ ରହି ପାରିବି ନାହିଁ ବୋଲି ପ୍ରତିଜ୍ଞା କରିଲି । ବାପାଙ୍କର ଅପମାନର ପ୍ରତିଶୋଧ ନେବାକୁ ଯାଇ ସତ୍ୟର ସନ୍ଧାନ କରୁ କରୁ ଯାହା ବାପା କହିଥିଲେ ସବୁ ସତ ବୋଲି ଜାଣିଲି ।
ଲୋକପ୍ରିୟ ନ୍ୟୁଜ ଚ୍ୟାନେଲରେ ମୋର ଜଣେ ବନ୍ଧୁ କାର୍ଯ୍ୟ କରୁଥିଲେ, ତାଙ୍କର ସାହାଯ୍ୟ ନେଇ ସେ ଦିନର ସଭାର ଅସଲ ଚେହେରା ସାମ୍ନାକୁ ଆଣିବା ସହ ଉପସ୍ଥିତ ଲେଖକ ମାନଙ୍କ ଉପରେ ସାହିତ୍ୟରେ ଅପମିଶ୍ରଣ କରୁଥିବା ପ୍ରତିବାଦ କରି ନ୍ୟାୟାଳୟରେ ଆଶ୍ରୟ ନେଇ କେଶ୍ କରି ଜିତିଲି, ଆଉ ସେମାନଙ୍କୁ ଉଚିତ ଶାସ୍ତି ବି ମିଳିଲା । ଏବେ ବି ସମାଜ କଳୁଷିତ କିଛି ଏହି ଭଳି ସାହିତ୍ୟିକମାନଙ୍କ ପାଇଁ । ସେମାନଙ୍କୁ ଚିହ୍ନିବାକୁ ହେବ ଆଉ ଏ ବ୍ୟାଧିର ଉପଶମ ବି ଯଥା ସମ୍ଭବ କରିବାକୁ ପଡିବ ।
ଦୀର୍ଘ ବର୍ଷେ ପରେ ଆଜି ବିଶ୍ୱ ପିତୃ ଦିବସ ଅବସରରେ ବାପାଙ୍କ ଦ୍ଵାରା ଲିଖିତ ସମାଜ ଉପଯୋଗୀ ବଛା ବଛା ଭଲ ଗଳ୍ପ ସବୁକୁ ନେଇ ଗୋଟେ ପୁସ୍ତକ ନିଜସ୍ୱ ପବ୍ଲିକେଶନରେ ପ୍ରକାଶିତ କରିଅଛି । ଯାହାର ନାଁ ରଖିଅଛି,
"ଶେଷ ସାହିତ୍ୟର ଯାତ୍ରୀ !!!" । ଆଜିର ଏହି ଶୁଭ ମୁହୂର୍ତ୍ତକୁ ମନେ ପକେଇବାକୁ ଯାଇ ଆଉ ଥରେ ପ୍ରତିବଦ୍ଧତା କରିଛି ଯେ ଚାକିରୀ ଜୀବନ ପରେ ବି ବାପାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବି । ଭଲ ଲେଖା ଆଉ ପକୃତ ସାହିତ୍ୟିକଙ୍କୁ ତାଙ୍କର ନ୍ୟାୟ ପ୍ରଦାନ କରିବି । ଆଉ ସେଇମାନଙ୍କର ଲେଖାକୁ ବିନା ଅର୍ଥ ରାଶିରେ ନିଜର ପବ୍ଲିକେଶନରେ ପ୍ରକାଶିତ କରିବା ସହ ସେଥିରୁ ଆୟ ହେଉଥିବା ଅର୍ଥକୁ ମଧ୍ୟ ଉକ୍ତ ସାହିତ୍ୟିକଙ୍କୁ ପ୍ରଦାନ କରିବି । ଯାହା ଦ୍ୱାରା ଭଲ ଲେଖକ ସୃଷ୍ଟି ହେବେ, ଭଲ ଲେଖା ବି ପଢିବାକୁ ମିଳିବ ଆଉ ଆମ ଭାଷା ତାର ଅସ୍ତିତ୍ୱକୁ ଫେରି ପାଇବ । ଏହା ଛଡା ଆଜି ଏହି ପୁସ୍ତକ ଉନ୍ମୋଚିତ ଅବସରରେ ବାପାଙ୍କୁ ଉପହାର ଦେଲା ଭଳି ଆଉ କୌଣସି ଭଲ ଉପହାର ମୋ ପାଖରେ ନାହିଁ ।
ଏତକ କହିବା ଭିତରେ ମୋ ଆଖିରୁ ଲୁହଧାର ଖସି ପଡୁଥାଏ । ମଞ୍ଚରୁ ଓଲ୍ଲାଇ ଆସିବା ପରେ ବୋଉ ମତେ ଜାବୁଡି ଧରି କହୁଥିଲା, ତୋ ବାପାଙ୍କର ସ୍ୱପ୍ନ ତୁ ଆଜି ସାକାର କରି ଦେଲୁ । ତୋ ବାପା ଥିଲେ ଆଜି ବହୁତ ଖୁସି ହୋଇଥାନ୍ତେ । ବାପାଙ୍କୁ ଝୁରି ହୋଇ ସମସ୍ତେ କାନ୍ଦୁଥିଲୁ ।