ଭରଜିନ
ଭରଜିନ
【 ଏହି କାହାଣୀ ଟି ସମ୍ପୂର୍ଣ୍ଣ କାଳ୍ପନିକ ଅଟେ। କାହାଣୀର ବିଷୟବସ୍ତୁ ସମାଜର ଚରିତ୍ର ମାନଙ୍କ ଉପରେ ଆଧାରିତ। କାହାକୁ କାହାଣୀ ମାଧ୍ୟମରେ କଷ୍ଟ ଦେବା ମୋର ଲକ୍ଷ୍ୟ ନୁହେଁ। ଯଦି କାହାଣୀ ମାଧ୍ୟମରେ କେହି ବି ପାଠକ ଏବଂ ପାଠିକାଙ୍କୁ କଷ୍ଟ ଦେଇଥାଏ ତେବେ କ୍ଷମା କରି ଦେବେ । ଆଶା କରେ ସବୁ ଉପନ୍ୟାସ ର କାହାଣୀ ପରି ଏ କାହାଣୀଟିକୁ ଆପଣ ମାନଙ୍କ ର ଭଲପାଇବା ଅବଶ୍ୟ ପ୍ରଦାନ )
ଉଭୟ ପୁରୁଷ ଏବଂ ନାରୀ ସମାଜ ନିଜ ନିଜର ଅସ୍ତିତ୍ୱ ର ପରିଚୟ ପ୍ରଦାନ କରି ଥାନ୍ତି । ପୁରୁଷତ୍ବ ଏବଂ ନାରୀ ମାନଙ୍କର ସତିତ୍ୱ କୁ ନେଇ ସବୁ ବେଳେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରେ ଦୋଷାରୋପ ଶୁଣିବାର ଖବର ସମାଜରେ ପ୍ରଘଟ ହୋଇ ଥାଏ। ଜୀବନର ଏମିତି ଏକ ଘଟଣା ଉପରେ ଏହି ଉପନ୍ୟାସ ଟି ଆଧାରିତ ।
【ଭାଗ-୧】
ଅଭିରାମ ଗତିରେ ସମୟ ଆଗେଇ ଚାଲିଛି । ମେଘାଛହ୍ନ ଆକାଶରେ ପୁନେଇଁର ଶଶୀ ଆଜି ରାତିର ବୟସର ସୌନ୍ଦର୍ଯ୍ୟ କୁ ଆହୁରି ଦ୍ଵଗୁଣିତ କରୁଅଛି । ବାରି ପଟୁ ଗଙ୍ଗଶିଉଳି ର ବାସ୍ନା ଝରକା ଦେଇ ମଳୟ ସହ ଦୋଳି ଖେଳି ଖେଳି ଭାସି ଆସୁଅଛି ।
ଏଇ କିଛି ସମୟ ପୂର୍ବରୁ କାଳବୈଶାଖୀ ଝଡ଼ ବୋହି ଯାଇଛି। ଜୀବନରେ ଅନେକ ରଙ୍ଗ ଏ ଦେହରେ ଲାଗି ସାରିଲାଣି। ସୁଖ ଦୁଃଖ ,ହସ ଆଉ ଲୁହର ଜୀବନ ବି ଏ ଦେହ କାଟି ସାରିଲାଣି । ଏବେ କିନ୍ତୁ ମୋକ୍ଷ ମିଳିବାର ସମୟ ଆସିଛି । ଏ ମୋକ୍ଷ ଜୀବନର ଶେଷ ଦର୍ଶନର ନୁହେଁ ବରଂ ଏ ମୋକ୍ଷ ଦୈହିକ ଦହନ ର । ଯାହାକୁ ପାଇବା ପାଇଁ ଆଜକୁ ପଚିଶ ବର୍ଷ ହେଲା କାମିନୀ ଆଉ କୁମାର ଅପେକ୍ଷା କରିଥିଲେ ।
ମଧ୍ୟସ୍ଥି ର ପ୍ରସ୍ତାବ କୁ ଉଭୟ ପକ୍ଷ ସ୍ୱୀକୃତି ଦେଲା ପରେ ନିର୍ବନ୍ଧ କାର୍ଯ୍ୟ ଏଇ କିଛି ଦିନ ତଳେ ସମାପନ ହୋଇ ସାରିଛି । ରାତି ପାହିଲେ ବିବାହ ଉତ୍ସବ। ମନରେ ନୂଆଁ ଦୁନିଆଁ ଘଡ଼ିବାର ନୂତନ ପୁଲକ। ଦେହରେ ନୂତନ ଉର୍ଜା ର ସଞ୍ଚାରଣ ହୋଇ ସାରିଛି ଉଭୟ ଙ୍କର ।
କିଏ ବା ଅତୀତକୁ ମନେ ରଖିବାକୁ ଚେଷ୍ଟା କରେ ? କାରଣ ଅତୀତ ହିଁ ଦୁଃଖର କାରଣ ହୋଇଥାଏ । ଆଜି ସେ ଅତୀତ ବାଡୁଅ ପାଣିରେ ଦେହରୁ ପ୍ରେମର ରଙ୍ଗ ଧୋଇ ନେଇ ସଫେଦ କରି ଦେଇଛି ।
ଟିକେ ବି କଳା ରଙ୍ଗ ଦେହରେ ଆଉ ଦାଗ ହୋଇ ଲାଗି ନାହିଁ। କିନ୍ତୁ ମନରେ ? ସେ କଥା କହି ହେବ ନାହିଁ !!! ସହି ଗଲେ ସାତ ଜନ୍ମକୁ ହିଁ ଭଲ ।
ଘର ଲୋକ ଅନୁମତି ଦେଇଥିଲେ ଉଭୟଙ୍କୁ ବିବାହ ପୂର୍ବରୁ ଚିହ୍ନିବା ପାଇଁ ।ମିଳିମିଶି କିଛି ମୁହୂର୍ତ୍ତ ବିତେଇବା ପାଇଁ କିନ୍ତୁ ଉଭୟ ଘର ଲୋକଙ୍କର ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ ବରଂ କହିଥିଲେ ଆଜି ଯାଏଁ ଆପଣ ମାନଙ୍କ ର ଆଦେଶ ହିଁ ଆମେ ପାଳନ କରି ଆସିଛୁ। ଯଦି ଆପଣ ମାନେ ଏ ବାହାଘରରେ ଖୁସି ତେବେ ଆମର ଆପତ୍ତି ନାହିଁ।
ଉଭୟଙ୍କର ଏ କଥା ପଦକ ଶୁଣି ଘର ଲୋକଙ୍କର ଛାତି କୁଣ୍ଡେମୋଟ ହୋଇ ଯାଇଥିଲା। ଉଭୟ ବି ଗୋଟେ ମୁହୂର୍ତ୍ତ ପାଇଁ ଖୁସି ହୋଇଥିଲେ ।
"କାମିନୀର" ରୂପ ଆଉ ଗୁଣ ଆଗରେ ଏ ମହୀ ମଣ୍ଡଳରେ ତାର କେହି ବି ସରି ହେବେ ନାହିଁ । କେତେ ରାଜକୁମାର ମାନେ ତାକୁ ପ୍ରେମ ନିବେଦନ କରିଛନ୍ତି ତ ଆଉ କେତେଜଣ ବିବାହ ପାଇଁ ପ୍ରସ୍ତାବ ବି ଦେଇଛନ୍ତି କିନ୍ତୁ କାମିନୀ କାହାର ବି ପ୍ରସ୍ତାବ କୁ ନିଜ ଆଡୁ ସ୍ୱୀକୃତି ଦେଇ ନାହାନ୍ତି। ସଂସ୍କାରି ,ଆଉ ଆଭିଜାତ୍ୟ ଘର ର ଝିଅ କହି ବାପା ତାର ଗର୍ବ କରନ୍ତି। ଝିଅ ପ୍ରତି ଥିବା ଭଲପାଇବା ବାପାର ଆଖିକୁ ଅନ୍ଧ ସଜେଇ ଦେଇଛି। ଗୋଟେ ବୋଲି ଝିଅ ତାଙ୍କର , କେବେ ବି ତାଙ୍କ ଇଛା ବିରୁଦ୍ଧରେ ଯାଇ ଖରାପ ଅନୈତିକ କାର୍ଯ୍ୟ କରି ପାରିବନି କହି ଗର୍ବରେ ଛାତି ରେ ହାତ ବାଡେଇ ବାଡେଇ କୁହନ୍ତି।
ହେଲେ କାମିନୀ ଜୀବନର ଅନ୍ଧାର କଥା କେବେଳ ସେ ହିଁ ଜାଣିଛି। ସମସ୍ତ ଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜକୁ ସମର୍ପି ଦେଇଛି ଘର ଲୋକଙ୍କର ଶେଷ ନିଷ୍ପତ୍ତି ରେ । ତା" ଛଡା ବା ଆଉ କିଛି ହିଁ ବାଟ ନ ଥିଲା ତା' ପାଖରେ ।
" କୁମାର"ରୂପରେ କନ୍ଦର୍ପ । ଦେହରେ ସତ ସିଂହ ର ବଳ। ବାହୁ ଯୁଗଳ ଖୁବ ପ୍ରଶସ୍ତ ଯେ କେହି ବି ଦେଖିଲେ କୁମାରକୁ ବିମୋହିତ ହୋଇ ଯାଏ । ମର୍ତ୍ତ୍ୟରେ ଦୁହେଁ ଦୁହିଁଙ୍କର ରୂପ ଆଉ ବେଶ ବୁଶା କୁ ନେଇ ଗର୍ବ କରନ୍ତି।
କୁମାର ର ବାପା ବି ପୁଅର ସଫଳତା କୁ ନେଇ ଗର୍ବ କରନ୍ତି। ପୁଅ କୁମାର ହାଇସ୍କୁଲ ରେ ଶିକ୍ଷକତା କରେ । ପଞ୍ଚାୟତର ସବୁ ଗାଁର ଲୋକ ମାନେ କୁମାର କୁ ନେଇ ଖୁବ ପ୍ରଶଂସା କରନ୍ତି। ଯାହାକୁ ଶୁଣି କୁମାରର ବାପର ଛାତି ଖୁସିରେ ଚଉଡା ହୋଇ ଯାଏ।
ସରକାରୀ ଚାକିର ପାଇଲା ପରେ ଘରେ ବ୍ୟସ୍ତ କରାଇବାରୁ କୁମାର ବିବାହ ପାଇଁ ଇଚ୍ଛା ବିରୁଦ୍ଧରେ ଯାଇ ରାଜି ହେଲା।
କାମିନୀ ବି ଉଚ୍ଚ ଶିକ୍ଷା ସମାପନ କରି ସାରିଲା ପରେ ଚାକି
ରୀ ଖୋଜିବା ଭିତରେ ବର୍ଦ୍ଧିତ ବୟସ କୁ ଦେଖି ତାର ,ଘର ଲୋକ ବି ଜିଦି କଲେ । ଶେଷରେ କାମିନୀ ବି ନିଜ ଇଛା ବିରୁଦ୍ଧରେ ଯାଇ ନିଜର ସ୍ୱୀକୃତି ଦେଲା।
ସନ୍ଧ୍ୟାରେ ମେହେନ୍ଦୀ ପୋଗ୍ରାମ କାମିନୀର ଚାଲି ଥିବା ବେଳେ। କୁମାର ନିଜ ସାଙ୍ଗ ମାନଙ୍କ ସହ ମିଶି ବ୍ୟାଚଲର ପାର୍ଟିର ଆୟୋଜନ କରିଥାଏ। ଉଭୟ ବିବାହର ସ୍ୱପ୍ନର ଦୁନିଆଁ ରେ ଖେଳି ବୁଲୁ ଥିଲେ।
ଠିକ ଏତିକି ବେଳେ ପଡିଶା ଘର ଆଈ ଥଟାରେ କହିଲା ବୁଝିଲୁ କାମିନୀ ଶେଜ ରେ ପଡିଥିବା ଧଳା ସଫେଦ ଚାଦର କୁ ଟିକେ ଦେଖିଲେ ଭୟ କରିବୁ ଲୋ ଝିଅ ?
ପାଖରେ କାମିନୀ ର ସାଙ୍ଗ ଜଣେ ପରିହାସ କରି କହିଲା, ଆଛା ଆଈ କାହିଁକି ସେ ଦେଖିବ ?
ଆଲୋ ଚଣ୍ଡୀ ବାହାଘର ତ ଏକ ଶୁଭ କାର୍ଯ୍ୟ । ଉଭୟ ପୁରୁଷ ଆଉ ନାରୀ ମିଶିବା ନିମନ୍ତେ କିନ୍ତୁ ତା ପଛରେ ଥାଏ ଦୈହିକ ସୁଖ ।
ବିବାହର ମାନେ ତ ପରିବାର ର ସ୍ୱୀକୃତି ରେ ଉଭୟ ଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନା କୁ ବୁଝେଇ ଥାଏ । ତେବେ ଏଇ କାମନାର ଉଜାଗରର କାହାଣୀ କୁ କାହିଁକି ସର୍ବ ସମ୍ମୁଖରେ ରେ ପ୍ରକାଶ କରିବାକୁ ଲୋକେ କୁଣ୍ଠା କରନ୍ତି ଜାଣିଛୁ ?
ନାରୀ ପାଇଁ ବୁଝିଲୁ ଝିଅ ସୁନା, ରୂପା କି ହୀରା ର ଅଳଙ୍କାର ଯେତିକି ମୂଲ୍ୟବାନ ହୋଇଥାଏ । ତା" ଠାରୁ ଅଧିକ ମୂଲ୍ୟବାନ ତାକୁ କରାଥାଏ ତାର ସତିତ୍ୱ ।
ସତିତ୍ୱ ??? ଏ ଶବ୍ଦ କେବେଳ ନାରୀ ମାନଙ୍କ ଉପରେ କାହିଁକି ନ୍ୟସ୍ତ କରାଯାଇଛି। ସତୀ ଆଉ ଅସତୀ ଶବ୍ଦ ନାରୀର ଆତ୍ମୋସମ୍ମାନ କୁ ଆଘାତ ପହଞ୍ଚାଇ ଥାଏ।
ଯେମିତି ନାରୀଙ୍କୁ ସତୀ ଆଉ ଅସତୀ ର ଉପାଧି ମିଳିଛି ଠିକ ସେମିତି ପୁରୁଷ ଙ୍କୁ ସତୀ କି ଅସତୀ ପୁରୁଷର ଉପାଧି କାହିଁକି ଆଜି ଯାଏଁ ମିଳି ନାହଁ ?
ଜେଜେମାଆ କହୁଥିଲେ , ବାସର ରାତିରେ ସ୍ୱାମୀ ନିଶ୍ଚୟ ସତିତ୍ୱ ର ପରୀକ୍ଷା କରାଇ ନେବ। ଯଦି ସେ ଜାଣିଲା ତୁମେ ସତୀ...ତେବେ ତୁମକୁ ଦୁନିଆଁ ର ସବୁ ଖୁସି ସେ ପ୍ରଦାନ କରିବ। ଆଉ ଯଦି ସେ ଚାହୁଁଥିବା ସତିତ୍ୱ କୁ ତୁମ ଠାରେ ପରିଲକ୍ଷିତ ନ ହେବାର ଦେଖେ ତେବେ ବିବାହ ପରେ ବୈବାହିକ ଜୀବନ ଦୁଃଖଦ ହୋଇ ଉଠେ। ଏ ତ ଆଗ କାଳର କଥା । ହେଲେ ଆଜି କାଲି ଆଲୋ ଫୁଲ ସେ ଶବ୍ଦଟାକୁ ଇଂରାଜୀ ରେ କଣ କୁହନ୍ତି ତ ?
ଆଈ. ଭରଜିନ । ହଁ ହଁ ସେଇ ଶବ୍ଦ ଟା କୁ ତ ନେଇ ଆଜିକା ଦିନରେ କେତେ ଘରେଇ ମହାଭାରତ ହେଇ ଥାଉଛି। ଆଈ ର କଥା ଶୁଣି କାମିନୀ ର ହୋସ ଉଡ଼ିଗଲା। ସମସ୍ତେ ତାଙ୍କୁ ଟେକି ନେଇ ବେଡ଼ରେ ସୁଆଇଦେଲେ।
ଅନ୍ୟ ପଟେ ବ୍ୟାଚଲର ପାର୍ଟିରେ ସାଙ୍ଗ ମାନେ କୁମାରର ପୁରୁଷତ୍ବ କୁ ନେଇ ବାରମ୍ବାର ଆକ୍ଷେପ କରୁଥାନ୍ତି । ମଦନିଶାରେ ଥାଇ ସେମାନେ କୁମାରର ପ୍ରେମ ଜୀବନର ଚରିତ୍ର ସଂହାର କରୁଥାନ୍ତି। ସାଙ୍ଗ ମାନଙ୍କ ମଧ୍ୟରୁ କେଶବ ବୋଲି ସାଙ୍ଗ ଜଣେ ଛଳନା କରି ପଚାରିଲା କହିଲୁ ସାଙ୍ଗ ସତରେ ତୁ ଆଜି ଯାଏଁ ଭରଜିନ ଅଛୁ ?
କେଶବ ର ଏଇ ଗୋଟେ ପ୍ରଶ୍ନ ବାରମ୍ବାର କୁମାରର ମନକୁ ବିଚଳିତ କରୁଥିଲା।
ଉଭୟେ ଏବେ ବାହାଘର ଠିକ ହେବା ପର ଦିନ ଠାରୁ ଏ ବିଷୟକୁ କେବେ ବି ମୁଣ୍ଡରେ ପୁରେଇ ନ ଥିଲେ। ବରଂ ବାହାଘର ପାଇଁ ବିଭିନ୍ନ ସାମଗ୍ରୀ ସପିଂ କରୁଥିଲେ।
ରାତିର ବୟସ ଦ୍ଵତୀୟ ପ୍ରହର ଅତିକ୍ରମ କରି ସାରିଥାଏ। ଦୁହିଁଙ୍କର ଆଖିରେ ନିଦ ନାହିଁ। ଏକ ଅଛପା କୋହ ଦୁହିଁଙ୍କର ଛାତି କୁ ବାରମ୍ବାର ଭୀଷଣ ଯନ୍ତ୍ରଣା ଦେଉ ଥାଏ।ଉଭୟ ମନ ମଧ୍ୟରେ ଭୟଭୀତ ଥିଲେ। ସତରେ କଣ ଏଇ ଭରଜିନ ପାଇଁ ବୈବାହିକ ଜୀବନରେ ଝଡ଼ ଉଠିବ। ଉଭୟେ ଉଭୟଙ୍କର ସତ ଯଦି ଜାଣିଯିବେ.... ତେବେ ପରବର୍ତ୍ତୀ ସମୟରେ ପରିବାର ଲୋକ ମଧ୍ୟ ଜାଣିବେ। ଅତୀତର ଗୁମର ପୁଣି ଥରେ ଲୋକଲୋଚନକୁ ଆସିବ। କଣ ହେବ ଦୁହିଁଙ୍କର ଆତ୍ମୋସମ୍ମାନ ?ମନରେ ଭୟ ସଂଚାରିତ ହୋଇ ସାରିଥାଏ। ରାତି ପାହିଲେ ବାହାଘର। ଆଉ ଏବେ ଜୀବନର ଅଡୁଆ ସୂତା ରେ ଅଟକିଛି ଭବିଷ୍ୟତର ଖୁସି। କେମିତି ଦୁହେଁ ସମ୍ମୁଖୀନ ହେବେ। କାମିନୀ ଡରି ଯାଇଥାଏ । ଡାରିବା ବା ତା ପକ୍ଷେ ସ୍ଵାଭାବିକ। କାହିଁକି ନା' ସେ ଝିଅ। ସବୁ ଅପନିନ୍ଦା ପ୍ରଥମେ ତାକୁ ହିଁ ଶୁଣିବାକୁ ମିଳିବ। ସତରେ କଣ କୁମାର ମତେ ବିଶ୍ୱାସ କରବେ ନାହିଁ ?
ଅନ୍ୟପଟେ କୁମାର ଆଶ୍ୱସ୍ତ ଥିଲା ଏହି କଥା ଭାବି ଯେ ସେ ପୁରୁଷ। ତେଣୁ ପ୍ରଥମେ ଆଙ୍ଗୁଡ଼ି ତ ତା ଉପରକୁ ଉଠିବ ନାହିଁ। ତଥାପି ନିଜର ଆତ୍ମୋ ଦହନ କଲା ବେଳକୁ ସେ ବି ହୃଦୟ ମଧ୍ୟରେ ଖୁସି ହୋଇପାରୁ ନ ଥାଏ। ଦୁହେଁ ଉଜାଗର। ସ୍ୱପ୍ନ କୁ ନେଇ ନୁହେଁ ବରଂ ଅତୀତର ଭୂଲ ପାଇଁ ।
ଦୁହେଁ ଏବେ ଫେରୁଥିଲେ ଅତୀତ କୁ । ଆଉ ସେଇ ଅତୀତର ଜୀବାଶ୍ମ ର ପାଉଁଶ କୁ ଶୀତଳ କରି ସବୁ ଦିନ ପାଇଁ ମାରି ଦେଇ ଆସିଥିବା ଯବାନ ବେଳର ଯୌବନ କୁ ଲୁହ ଭିଜା ଆଖିରେ ମନେ ପକାଉ ଥିଲେ ।
କ୍ରମଶଃ