Gargi Mishra

Drama Romance Inspirational

5.0  

Gargi Mishra

Drama Romance Inspirational

ମରୀଚିକା ସେପାରେ

ମରୀଚିକା ସେପାରେ

4 mins
560



ହିମାଂଶୁ ଆସୁଥାନ୍ତି ଆସ୍ଥାକୁ ଦେଖା କରିବାପାଇଁ ।

ମନରେ ମନେ ଭର୍ତ୍ତି କଣ କେଜାଣି?


 ନା....ଏହାକୁ କେବଳ ଉତ୍ସାହ କୁହାଯିବା ଉଚିତ ହେବନାହିଁ । ଆସ୍ଥାଙ୍କ ଭିତରର ଅସ୍ଥିରତାକୁ କଣ କୁହାଯିବ? ଆଶା,ଉଦ୍ଦୀପନା, ଆବେଗ, ଉଦବିଘ୍ନତା ଏସବୁ ଶବ୍ଦ ଖୁବ ନ୍ୟୁନ ।


ଯେତେବେଳେ କୌଣସି ସମ୍ପର୍କକୁ ପାର୍ଥିବ ସଂଜ୍ଞା ସଂକୁଚିତ କରିପାରେ ନାହିଁ, ତେବେ ଭିତରର ସ୍ବର୍ଗୀୟ ପ୍ରତିକ୍ରିୟାକୁ କେଉଁ ଶବ୍ଦାବଳୀ ଆବଦ୍ଧ କରି ପାରିବ?

ଭୃଣଟିଏ ଭୂ -ପୃଷ୍ଠରେ ପଦ ଅର୍ପଣ କରିବାର ମୁହୂର୍ତ୍ତ, ଅଭିଶପ୍ତ ଆତ୍ମା କର୍ମର ମିଶାଣ ଫେଡ଼ାଣରୁ ମୁକ୍ତ ହୋଇ ପରମାତ୍ମାରେ ମିଳିତ ହେବାର ମୁହୂର୍ତ୍ତ, ଚାତକଟିଏ ଶୋଷ ମେଣ୍ଟାଇବାର ମୁହୂର୍ତ୍ତକୁ କେଉଁ ଅଭିଧାନ ଶବ୍ଦରେ ରୂପାନ୍ତରିତ କରିବାର ସାମର୍ଥ୍ୟ ରଖିନାହିଁ । କାରଣ ଏହା ଏକ ମିଶ୍ରିତ ଅନୁଭବ । ଏତ ଏକ ଶ୍ୱେତ ସମ୍ମୋହନ ଯେଉଁଥିରେ ଅଭିମାନ, ଅପେକ୍ଷା, ଅତି-ଚେତନା, ନିବିଡ଼ତା, ବିଶ୍ୱାସ ଏ ସବୁ ରଙ୍ଗ ସମାହିତ । 


ଜୀବନରେ ପୂର୍ଣ୍ଣଛେଦ ପଡି ଯାଉଥିବା ବେଳେ ହିମାଂଶୁ ତାକୁ ବିଜୟ ଟୀକା ଲଗାଇ ସ୍ମରଣୀୟ କରି ଦେଇଥିଲେ ।

 ହିମାଂଶୁ ସେନ - ଭାରତୀୟ ସେନାରେ ଏକ ସମ୍ମାନିତ ଯୋଦ୍ଧା । ତାଙ୍କର ବ୍ୟକ୍ତିତ୍ତ୍ୱ ଏବଂ ଵୀରତ୍ତ୍ୱର ପରିଚୟ ଦେଉଥିଲା ତାଙ୍କ ଅର୍ଜିତ ମେଡାଲ ଏବଂ ସାର୍ଟିଫିକେଟରେ ଭର୍ତ୍ତି ତାଙ୍କ ଛୋଟ ଟେଣ୍ଟଟି ।


ଷ୍ଟଡିଟୁରରେ ଜାମ୍ମୁକାଶ୍ମୀର ଗସ୍ତରେ ଯିବାବେଳେ ଦେଖା ହୋଇଥିଲା ଆସ୍ଥାଙ୍କର ହିମାଂଶୁଙ୍କ ସାଙ୍ଗେ । ହିମାଳୟର ପାଦଦେଶରେ ଥିବା ଔଷଧୀୟ ବୃକ୍ଷରାଜୀ ଉପରେ ରିସର୍ଚ୍ଚ କରିବାକୁ ଶ୍ରୀଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ଡାକ୍ତରଙ୍କର ଏକ ଟିମ ଯାଇଥାନ୍ତି ପୁରୀରୁ । କିଛି ଦିନ ଡାଲ ଲେକ ନିକଟରେ ଏକ ହୋଟେଲରେ ସବୁ ସହପାଠୀ ସହପାଠିନୀ ମାନେ ଏକାଠି ରହିଥାନ୍ତି । ଏକ ନୈସର୍ଗିକ ବାତାବରଣ ମନ ଭିତରେ ଅଦ୍ଭୁତ ପବିତ୍ରତାର ସଂଚାର କରୁଥାଏ ।


ହୋଟେଲ ସାମ୍ନା ସାମନି ଆର୍ମି କ୍ୟାମ୍ପ । କେତେ ଆର୍ମି ଲୋକ ଆତଯାତ ହେଉଥାନ୍ତି ସେଠି । ସମସ୍ତଙ୍କ ହାତରେ ବନ୍ଧୁକ । ହେଲେ ସେପଟ ଇଲାକା ଥିଲା ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧାଞ୍ଚଳ ।


ଆସ୍ଥାଙ୍କ ସାଙ୍ଗର ଜନ୍ମଦିନ ଥାଏ । ଖୁବ କୋଳାହଳ ସେଦିନ ସାରା ରୁମ ଭିତରେ । ହଠାତ ନୋଟ୍ସ ବନେଇବା ପାଇଁ ନିଜକୁ ସମସ୍ତଙ୍କଠୁ ଅଲଗା କରି ଏକ ଶାନ୍ତ ନିଶ୍ଚଳ ବୋଟ ଉପରେ ବସି ଯାଇଥାନ୍ତି ଆସ୍ଥା ।


ସେଦିନ ସେ ଅଲଗା ହୋଇ ଯାଇଥିଲେ ନା ଅସ୍ତଗାମୀ ସୂର୍ଯ୍ୟ କିଛି ଷଡ଼ଯନ୍ତ୍ର କରି ତାଙ୍କୁ ଭିଡି ନେଇଥିଲା କାଗଜରେ ଲେଖିବା କଷ୍ଟ । ପ୍ରକୃତି ମାୟାବୀ ମରିଚ ଋଷି । ସୁନେଲି ହରିଣ ସାଜି ହୃଦୟକୁ କବଳିତ କରି ନେଲେ ଦେବୀ ବୈଦେହୀ କ'ଣ କିଏବି ସମ୍ମୋହନର ଶିକାର ହୋଇଯାଇଥାନ୍ତା ।


ସେ ନୈସର୍ଗିକ ମୁହୂର୍ତ୍ତରେ ବସି ନୋଟ୍ସ ବନାଇବା ସମ୍ଭବ ନୁହେଁ... ନୋଟ୍ସ ଜାଗାରେ ଏକ କବିତା ସର୍ଜନା କରି ଦେଇଥିଲେ ଆସ୍ଥା । ବୋଟଟି ବନ୍ଧା ହୋଇ ନଥିଲା । କେମିତି କେଜାଣି ଜାଣିନପାରି ବସି ଯାଇଥିଲେ... ଧୀରେ ଧୀରେ ଘୁଞ୍ଚି ଘୁଞ୍ଚି ଯାଉଥିଲା ତୁଠରୁ ଆଉ ସାହାଯ୍ୟ ପାଇଁ ଯେତେ ଡାକିଲେଵି ସାଙ୍ଗ ମାନେ କିଛିଵି ଶୁଣି ପାରୁ ନଥିଲେ । ତୁଠ ବେଶୀ ଦୂର ନଥିଲା । ଶେଷରେ ପାଣି ଭିତରେ ପଶି ଚାଲି ଚାଲି ବାହାରି ଆସିବାକୁ ହେବ ବୋଲି ଧରିନେଇ ବୋଟରୁ ଡେଇଁ ପଡ଼ିଥିଲେ ଆସ୍ଥା । କିନ୍ତୁ ତାଙ୍କୁ ପହଁରା ନ ଆସିବାକୁ ସେପଟେ ପାଦ ଥଳ କୁଳ ପାଉ ନଥାଏ । ପ୍ରାଣମୂର୍ଚ୍ଛା ହାତଟେକି ଜୋର ଚିତ୍କାର କଲେ ଏଥର । 


ଭାଗ୍ୟକୁ କ୍ୟାମ୍ପରେ ଅନେକ ସୈନିକମାନେ ଆସ୍ଥାଙ୍କୁ ଦେଖିନେଲେ କିନ୍ତୁ ହିମାଂଶୁ ବାଡ଼ ଡେଇଁ ଆସି ପାଣି ଭିତରେ । ପହଁରି ପହଁରି କୂଳକୁ ନେଇ ଆସିଲେ ତାଙ୍କୁ । କେଜାଣି କେତେ ପାଣି ପି' ଯାଇଥିଲେ ସେତେବେଳକୁ..... ଆସ୍ଥାଙ୍କ ଚେତା ବୁଡିବା ଉପରେ । ଅନ୍ଧାର ହେବା ଆଗରୁ ତାଙ୍କୁ ଦିଶୁଥିଲା ଓଦା ସରସର ଏକ ପ୍ରଶସ୍ତ ଛାତି ଉପରେ ଆଉଜି ପଡିଛନ୍ତି ନିର୍ଜୀଵପରି । ଦୁଇ ନିର୍ଭରଯୋଗ୍ୟ ଦୃଢ଼ହାତ ତାଙ୍କୁ ଜଡ଼ାଇ ରଖିଛି । ଆଖିରେ ଆଖିଏ ବିଶ୍ୱାସ । ଦେହ ନିସ୍ତେଜ ହୋଇ ଆସୁଥିଲେ ହେଁ ସଦ୍ୟସ୍ନାତ ପ୍ରେମରେ ମନ ଜାଗ୍ରତ ।


 ଯେତେବେଳେ ଆଖି ଖୋଲିଲା, ସାମ୍ନାରେ ଆଉ ନଥିଲା ସେ ଦିବ୍ୟ ପ୍ରତିମୂର୍ତ୍ତି । ସାଙ୍ଗମାନେ ବେଢ଼ିଥିଲେ ତାଙ୍କୁ ଆଉ କହିଲେ କିପରି ହୋଟେଲରୁ ଆର୍ମି ଲୋକଙ୍କ କୋଳାହଳ ଶୁଣି ସେମାନେ ପାଇଥିଲେ ତାଙ୍କୁ । 

ଏହାପରେ.... ମନ ଝୁରୁଥିଲା ସେହି ପୂର୍ବ ତନ୍ମୟତା । ପ୍ରତି ବେଳା ପ୍ରତି ମୁହୂର୍ତ୍ତ । 


ଝର ଝର ହୋଇ ମନ ନିର୍ଝରିଣୀ ଝରି ପଡୁଥିଲା ଲୁହ ଆକାରରେ । ଆକର୍ଷଣର ତୀବ୍ରତା ଅସାଧାରଣ । ମସ୍ତିଷ୍କ ସିନା କିଛି ଜାଣିବୁଝି କଲେ ସ୍ଥିତି ନିୟନ୍ତ୍ରଣରେ ରହେ!!! କିଛି ପ୍ରତିକ୍ରୀୟା ଲାଗେ ଯେପରି ଭିନ୍ନ । ସମୟ ହାତରେ ନିୟନ୍ତ୍ରଣ । ହେଲେ ସମୟ କହେ କଣ ?

ପ୍ରତିଦିନ ରିସର୍ଚ୍ଚ କାମରୁ ଦ ସମୟ ମିଳିଲେ ଝରକା ବାହାରୁ ଆଶାର ଦୃଷ୍ଟି ବୁଲାଇ ଆଣନ୍ତି ଆସ୍ଥା । ଆର୍ମି ଆଉଟଫିଟ ରେ ସମସ୍ତେ ଏକା ପରି ଲାଗନ୍ତି । ଦିନେ ହଠାତ ଚିନ୍ହା ହାତଟିଏ ତାଙ୍କୁ ହସି ଠାରିଲା । ପ୍ରେମ ନିଜ ଅବସ୍ଥିତି ସୂଚାଉ ଥାଏ ଆଉ ପ୍ରୀୟାର ପ୍ରତୀକ୍ଷା ସଫଳ ହେଉଥାଏ । ସତରେ ଯେଉଁ ଲୋକଟି ପାଇଁ ମନ ଝୁରୁଥାଏ, ସେ ଲୋକଟି ମଧ୍ୟ ଯଦି ସେତିକି ଆବେଗ ଦେଖାଏ ତେବେ ଏହାଠୁ ବଳି କୌଣସି ଅନୁଭୂତି ନାହିଁ, କୌଣସି ପ୍ରାପ୍ତି ନାହିଁ, କୌଣସି ତୃପ୍ତି ନାହିଁ । 


ସମ୍ପର୍କଟିଏ ଅଙ୍କୁରିତ ହେବାର ଅନୁକୂଳ ସମୟ । କିଛି ଆତ୍ମାର ସମ୍ପର୍କ ଜନ୍ମାତୀତ । ତାହାକୁ କୌଣସି ଜିନିଷ ଅଛପା ନଥାଏ । ସୁକ୍ଷ୍ମ ରୂପେ ଉଭୟ ଭିତରେ ଭିତରେ କଥା ହେଉଥାନ୍ତି ହେଲେ ଓଠ ଚୁପ ଥାଏ । କିଛିଦିନ ଏକାନ୍ତରେ ଦେଖା ସାକ୍ଷାତ ଏବଂ ଔପଚାରିକ ଚିନ୍ହା ପରିଚୟ ଭିତରେ କେତେଦିନ କଟିଗଲା କେଜାଣି, ଜଣା ପଡିଲାନି । 


ଏକ ନିର୍ମାଣାଧୀନ କୋଣାର୍କ ମୁଣ୍ଡଟେକୁଥାଏ ମନ ଅଧୀର ହେଉଥାଏ ସମ୍ପୂର୍ଣ ମନ୍ଦିରଟିକୁ ଦେଖିବାକୁ । ଅନତିଦୂରରେ ମା'ଦୁର୍ଗାଙ୍କ ମନ୍ଦିର । ଅପେକ୍ଷା କରିଵାର କାରଣ ନାହିଁ । ମନରେ ଅସରନ୍ତି ଇଛା ଏବଂ ଛାତିରେ ପୁଳାଏ ସ୍ବପ୍ନ ନେଇ ଆଗେଇ ଯାଇଥାନ୍ତି ଉଭୟ । ଶୃଙ୍ଗଟିଏ ପରି ଦୃଢ଼ ଅଚଳ ଦିଶୁଥାନ୍ତି ସେଦିନ ହିମାଂଶୁ । ସିନ୍ଦୁର ଲଗାଇ ପବିତ୍ର ସମ୍ପର୍କକୁ ସବୁଦିନ ପାଇଁ ସ୍ନେହର ସ୍ଵାକ୍ଷର ଦେଇଥାନ୍ତି ହିମାଂଶୁ ।


ହେଲେ ସାମାଜିକ ସ୍ୱୀକୃତି ଦେଇ ଜୀବନରେ ପରିପୂର୍ଣତାର ମୁଣ୍ଡି ମାରିବା ପୂର୍ବରୁ ଆସିଥାଏ କର୍ତ୍ତବ୍ୟର ଡାକ । ମା' ପାଇଁ, ମାଟି ପାଇଁ ଅନୁମତି ନେଇ ରଣଭୂମିକୁ ଯିବାକୁ ହେବ ଏଥର ହିମାଂଶୁଙ୍କୁ । ଏକ ଯୋଦ୍ଧା ସ୍ତ୍ରୀର ଉଚ୍ଚ ନୈତିକତା ଏବଂ ଗାରିମା ସ୍ପଷ୍ଟ ବାରି ହେଉଥାଏ ସେଦିନ ଆସ୍ଥାଙ୍କ ଆଖିରେ ।


ସେବେଠୁ ଆଉ ଦେଖା ହେବା ଭାଗ୍ୟରେ ନଥିଲା । ହିମାଂଶୁ ମୁକୁଳି ପାରି ନଥିଲେ ପାକିସ୍ଥାନୀ ଆର୍ମି କଷ୍ଟଡିରୁ ଆଉ ଆସ୍ଥା ମୁକୁଳି ପାରି ନଥିଲେ ଭଲ ପାଇବାର ଚକ୍ରବ୍ୟୁହରୁ । ଅନେକ ଦୁଃଖ,କଷ୍ଟ ଏବଂ ନିର୍ଯାତନା ର ରାତି ଯାଇ ସକାଳ ହେଉଥାଏ । ଆସ୍ଥା ସରକାରଙ୍କ ଦ୍ୱାରସ୍ଥ ହେଉଥାନ୍ତି ହିମାଂଶୁଙ୍କୁ ମୁକୁଳେଇ ନେବାକୁ । ପିତା ମାତାଙ୍କୁ ବିବାହ ନ କରିଵାର ନିଷ୍ପତ୍ତି ବି ଜଣାଇ ସାରିଥାନ୍ତି । ହେଲେ ପରିସ୍ଥିତି ବଦଳୁ ନଥାଏ । 


ସମ୍ଭାବନା... ଏ ଏକ ଏମିତି ମରୀଚିକା ଯାହା ପଛରେ ନ ଗୋଡ଼ାଇବାକୁ ଅନେକ ପରାମର୍ଶ ଦେଇଥାନ୍ତି । ନ ଗୋଡ଼ାଇବାକୁ ଇଛୁକ ଲୋକ ପାଇଁ ସେସବୁ ମନ୍ତ୍ର କାମଦିଏ । କିନ୍ତୁ ସମ୍ଭାବନାର ମରୀଚିକା ପାରହୋଇ ଯିଏ ଆଗକୁ ବଢ଼େ ସେ ହି ପାଇଥାଏ ଜୀବନର ଅନୁଭୂତି ।


ଜୀବନ କିଛି ଅନନ୍ୟ ଅନୁଭୂତିର ସମନ୍ୱୟ ମାତ୍ର । ଯିଏ ସେ ଅନ୍ତରଙ୍ଗ ମୁହୁର୍ତ୍ତ ମାନଙ୍କୁ ଉପଲବ୍ଧି କରେ ସେ ହି ବଞ୍ଚେ । ବାକି ସବୁ କେବଳ ଉପର ଉପର କଥା । କେତେବେଳେ ମରୀଚିକା ପଛରେ ଗୋଡ଼ାଇବାରେ ବି ମହାଆନନ୍ଦ ଥାଏ କେବଳ ଜୀବନର ଏକ ସ୍ପର୍ଶ ପାଇଁ । ଶୋଷରେ ବି ତୃପ୍ତି ଜଡିତ । ଶୋଷର ଜ୍ୱାଳା ଯେତେ ତୀବ୍ର, ତାର ପ୍ରଶମନ ମଧ୍ୟ ସେତେ ଆନନ୍ଦ ଦାୟକ । 


ଆସ୍ଥାଙ୍କ ଅଟଳ ବିଶ୍ୱାସ କେମିତି ହିମାଂଶୁଙ୍କୁ ମୁକୁଳେଇ ଆଣିଥାଏ ପାକିସ୍ଥାନରୁ । ହିମାଂଶୁ ଜଡେଇ ନେଇଥାନ୍ତି ନିଜ ଅତି ପ୍ରିୟର ଆସ୍ଥାକୁ ନିଜ ଭିତରେ । କିଛି ବି ବଦଳି ନଥାଏ ଖାଲି ସମୟ ଛଡା । ମରୀଚିକା ପାର ହୋଇ ଏକ ସୁନ୍ଦର ଜୀବନ ଜଳାଶୟଟିଏ ପ୍ରତିଭାତ ହୋଇଥାଏ । ଦୁଇ ଆତ୍ମା ଜୁଡୁବୁଡୁ ହୋଇଯାଇଥାନ୍ତି ଏକ ଶାଶ୍ୱତ ସମ୍ପର୍କରେ ।


Rate this content
Log in

Similar oriya story from Drama