ବୋଉର ପଣତ
ବୋଉର ପଣତ
"ବୋଉ, ବୋଉ... ଶୋଇପଡ଼ିଛୁ ନା କଣ?"
ଅରୁ ବହିଟେ ଧରାଇ କହିଲା,
"ଦେଖେତବୋଉ, ଆମ ସୁନନ୍ଦର ପ୍ରଥମ ବହି ଉନ୍ମୋଚିତ ହୋଇଛି..... ଶୀର୍ଷକ'ବୋଉର ପଣତ'। ଗାଁ ଗହଳି ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଗୋଟେ ନର୍ସର ବଳିଦାନର ଓ ସମର୍ପଣର କଥା, ତୋ କଥା ବୋଉ..। ଶୁଣିଲି କୁଆଡେ ବହିଟି ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛି।
ଝର୍କା ଆଡୁ ମୁହଁ ଫେରାଇ ବୁଲି ଚାହିଁଲି ।
ମୋମୁଣ୍ଡ ପାଖ ଟେବୁଲ ଉପରେ ମେଡ଼ିସିନ ଆଣି ଧୀରେ କି ଥୋଇ ଦେଲା ଅରୁ। ପଚାରିଲା...
"ବୋଉ,ଔଷଧ ଏତକ ବଳିଛି କାହିଁକି? ଏକ୍ସପାୟାର କରିଯିବ। ସମୟରେ ଖାଇବୁ। ଆଉ ହଁ,କ୍ୟାଟରାକ୍ଟ ଅପରେସନ ପରେ ବେଶୀ ମୋବାଇଲ ଫୋବାଇଲ ଦେଖିବା ମନା"
ଆମ ଗାଁ ଡାକ୍ତରଖାନରେରେ କମ୍ପାଉଣ୍ଡର ଅଛି ଅରୁ । ଅରୁ ପରି ଚୈତନ୍ୟ, ବିନୁ, ସୁଧୀର ଓ କୁସୁମ -ଏମାନେ ମୋ ପେଟର ପିଲା ନୁହେଁ ଯଦିଓ, କିନ୍ତୁ ସେଇମାନେ ହିଁ ମୋ ସନ୍ତାନସନ୍ତତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ, ମୋରି ଘରେ ଖେଳି ବୁଲି ବଡ଼ ହୋଇଛନ୍ତି। ପିଲାଦିନୁ ସେମାନଙ୍କୁ ପାଟିକରି ମାଉସୀ ବଦଳରେ ବୋଉ ଡାକିବା ଶିଖାଇଛି। ଆଜି ସେମାନେ ମୋ ସବୁକଥା ବୁଝୁଛନ୍ତି ନିଜ ପିଲାପରି।
ବୁଢ଼ୀ ହେଲିଣି। କିନ୍ତୁ ସେମାନଙ୍କ ଦେଖା ଦେଖି ଗାଁ ସାରା ପିଲାମାନେ ମୋତେ ବୋଉ ହି ଡାକନ୍ତି। ସୁନନ୍ଦର ଏମାନେ ତଳି ଉପର ଭାଇ ଭଉଣୀ ଭଳି।
ମୋ ପୁଅ ସୁନନ୍ଦ, ସେତେବେଳେ ପାଞ୍ଚ ବର୍ଷର ହୋଇଥାଏ। ସ୍ୱାମୀ ହୃଦଘାତରେ ଚାଲିଗଲେ।ବିଧବା ଝିଅକୁ ଘରେ ରଖିବାକୁ ମୋ ବାପା ଓ ଭାଇ କୁଣ୍ଠିତ ଜାଣି ମୁଁ ସବୁଦିନ ପାଇଁ ଶାଶୁଙ୍କ ଘରକୁ ଚାଲି ଆସିଲି।
ଦିନବେଳେ ନର୍ସ ଚାକିରୀ ଓ ସନ୍ଧ୍ୟାରେ ଟ୍ୟୁସନ କରି, ଶାଶୁଙ୍କ ସେବା ଯତ୍ନ କରି ଘର କେମିତି ଚଳାଇଛି ତାହା ମୁଁ ଜାଣେ ଓ ଏ ଗାଁ ଲୋକେ। ଧାର କରଜ, ହାନୀ,ଲାଭ, ଦେହପା - ଏପରି କେତେ ଘଟଣା କ୍ରମାଗତ ଭାବେ ଘଟି ଆସିଛି। କିନ୍ତୁ ସବୁଥିରେ ମୋ ଗାଁଲୋକେ ମୋତେ ଖୁବ ଭରସା ଓ ଧର୍ଯ୍ୟ ଦେଇଆସିଛନ୍ତି। ପୁଅକୁ ଡାକ୍ତର କରି ଗାଁ ଲୋକଙ୍କ ଦୁଃଖ ବୁଝି ପାରିଲେ ସେମାନଙ୍କ ଋଣ ସୁଝିବି ବୋଲି କେତେ କଷ୍ଟରେ ତାକୁ ମଣିଷ କଲି।
ଶେଷରେ ମୋ ସ୍ବପ୍ନ ସାକାର ହେଲା। ଆଜି ମୋ ପୁଅ ସ୍ତ୍ରୀ- ରୋଗ ଓ ପ୍ରସୂତିବିଭାଗର ଡାକ୍ତର....ତାର ହାତ କୁଆଡେ ଭଲ। କେତେ ଲୋକଙ୍କ ଉପଚାର କଲା। ଗୋଟିଏ ସୁପୁତ୍ର ମା' କୁ ସର୍ବ ସମ୍ମୁଖରେ ସମ୍ମାନ ଓ ଗର୍ବ ଆଣିଦିଏ । ତାକୁ ଜନ୍ମ କରି ମୋର ମଣିଷ ଜନ୍ମ ସାର୍ଥକ ହେଲାପରି ଲାଗିଲା।
ସୁନନ୍ଦ ପଢିଲା ସମୟରେ ଭଲପାଇ ବାହା ହୋଇଗଲା। ମୋ ବୋହୁ ମଞ୍ଜୁ ବି ଡାକ୍ତରାଣୀ।
ପାହାଡି ଝର... ଗଡ଼ାଣି ଦେଖି ନିଜ ବାଟ କାଢି ଆଗକୁ ଆଗକୁ ବୋହି ଚାଲିଯାଏ ସିନା ପାହାଡ଼ କୋଳକୁ ଆଉ ଫେରେନା। ବର୍ଷ କେଇଟାରେ ପୁଅ ବୋହୁ ଦୁହେଁ ବିଦେଶ ଚାଲିଗଲେ ଯେ ଆଉ ଫେରିଲଲେନି। କାହିଁକି, କହିପାରିବିନି।
ଗାଁରେ ଭଲ ଡାକ୍ତରଙ୍କ ଘୋର ଅଭାବ। ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା ନକହିଲେ ନ ହୁଏ। ଆମ ଗାଁ ଲୋକେ ଅନ୍ଧବିଶ୍ଵାସୀ। ଚୀନ ଆଡ଼ଭାନ୍ସ ମିଜାଇଲ ବାହାର କରି ଭାରତର ପ୍ରତି ସହରକୁ ଏକା ସାଙ୍ଗରେ ଧ୍ବଂସ କରିବାର ସାମର୍ଥ୍ୟ ରଖୁଥିଲା ବେଳେ, ମଣିଷ ଲାଳରୁ ଆମେରିକା କ୍ୟାନ୍ସର ନିରାକରଣ ପାଇଁ ଔଷଧ ବାହାର କରିବା ସମୟରେ, ଚନ୍ଦ୍ରଗ୍ରହଣରେ ଗର୍ଭବତୀ ନାରୀ ରାତିସାରା ଶୋଇବ କି ଉଜାଗର ରହିବ ବୋଲି ଲଜ୍ଜାକର ଆଲୋଚନା ହୁଏ ଆମ ଗାଁରେ। ଆମ ଗାଁର ପ୍ରାଥମିକ ଚିକିତ୍ସାଳୟର ଅବ୍ୟବସ୍ଥା କଥା ନା କହି ହେଉଥାଏ ନା ସହି ହେଉଥାଏ। ସରକାରୀ ଅନୁଦାନ ସବୁ ଖୋଳ।
ଏହା ଫଳରେ ଫି'ବର୍ଷ ପ୍ରସବକାଳୀନ ମୃତ୍ୟୁ, ମହାମାରୀ, ଶିଶୁମୃତ୍ୟୁ ଇତ୍ୟାଦି ଇତ୍ୟାଦି। ଏସବୁକୁ ନେଇ ମୋତେ ଗାଁ ଲୋକେ ପ୍ରଶ୍ନ କରନ୍ତି। ମୁଁ ମୁହଁ ତଳକୁ କରେ। କଣ କହିବି? ପିଲାମାନେ ଗୁଜୁରାଣ ପାଇଁ ବିଦେଶୀ ସଂସ୍ଥାରେ ମୁଣ୍ଡ ବିକି ଦେଇଛନ୍ତି, ଯେତେବେଳେ.....
ସୁନନ୍ଦ ମୋତେ ବହୁତ କହେ ଗାଁ ଛାଡି ବିଦେଶରେ ରହିବାକୁ। ପ୍ରାୟଦିନ ଏ ବାବଦରେ ତାର ମୋର ପାଟିତୁଣ୍ଡ ।
ଦିନେ ଭିତର କ୍ରୋଧ ନ ଅଟକାଇ କହିଲି,
" ଗାଁ ଲୋକଙ୍କ କଥା ଛାଡେ। ମୋ କଥା ବି ଛାଡେ, ତୋ ସାଙ୍ଗ ମମତା କଥା ମନେ ଅଛି ନା ତାକୁବି ଭୁଲିଗଲୁ? ଯିଏ ନିଜେ ନ ଖାଇ ଆଗେ ତୋ ଖାଇବା କଥା ବୁଝେ। ତୋର କିଛି ହେଲେ ଅନିଦ୍ରା ଓପାସ ଦିନ ଦିନ ଆମ ଘରେ ପଡି ରହେ, ତୁ ସୁସ୍ଥ ହେବାଯାଏ। ସେଇ ଝିଅ ଯିଏ ନିଜ ସାଇକେଲ ବିକ୍ରି କରି ତୋ ପାଇଁ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ଫର୍ମ କିଣି ଆଣିଥିଲା.... ରୋଗ ସଂକ୍ରମଣରେ ମରିଗଲା। ତୁ ବିଦେଶରେ ଥା, ସେମାନଙ୍କୁ ଆରୋଗ୍ୟ କର"
ସୁନନ୍ଦ ହଠାତ ଚୁପହୋଇ ରହିଲା। ମୁଁ ରାତିସାରା କାନ୍ଦିଲି।ଜାଣେ,ସେ ବି..
ବୋହୁ ମଞ୍ଜୁ ସକାଳୁ ଫୋନ କଲା,
"ବୋଉ,ଆଜି ସେ ଜଲଦି ବାହାରିଗଲେ। ତାଙ୍କ ତକିଆ ଭିଜିଥିବାର ଦେଖିଲି। ଏତେ ପାଠସାଠ ପଢି ଇୟେ କାଦୁଅ ପଙ୍କ ଅନ୍ଧାର ଓ ମଶାବଣରେ ଲୋକଙ୍କ ସେବା କରିବେ ବୋଲି ଆପଣଙ୍କ ଇଛା..ପଇସା ଆସିବ କେଉଁଠୁ? ସମୟ ଅସମୟରେ ତ ସବୁରି କଥା ପଚାରି ବୁଝୁଛନ୍ତି। ଗାଁ ଉନ୍ନତି ପାଇଁ ଫଣ୍ଡ ଉପରେ ଫଣ୍ଡ ଦେଇ ଲାଗିଛନ୍ତି। ଆଉ କିଏ କରିବ ଏତକ? ଆଉ ଦିନେ ତାଙ୍କ ମନକୁ କଷ୍ଟ ହେଲାପରି କେବେବି କିଛି କହିବେନି।"
ମୁଁ ମନକୁ ମନ କହିଲି, ସୁନନ୍ଦ ମୋର ନୁହେଁ,ଏ ଗାଁର ଛୁଆ। ବୋହୁ ତା ଜୀବନକୁ ଆସିବା ବହୁତ ପୂର୍ଵରୁ ଏ ଗାଁ ଲୋକ ପୁଅକୁ ପାଳି ପୋଷି ମଣିଷ କରିଛନ୍ତି। ବୋହୁ ପିଲାଲୋକ। ଏ ଗାଁର ମାଟି, ପାଣି,ପବନର କରଜ ଓ ମିଛ ବାହାନାର ସାହାଯ୍ୟ ନେଇ ମୋ ପୁଅ ଫେରୁ ନଥିବାରୁ ମୋ ଛାତିର ଦରଜ କଥା ସେ କଣ ଜାଣେ?
ଠିକ ଭୂଲ ଶିଖାଇବା ପାଇଁ ମା ଛୁଆ ଗାଲରେ ଚାପୁଡ଼ା ମାରେନି ତ ନିଜକୁ ଲହୁ ଲୁହାଣ କରେ। ପିଲାର ସବୁ ଲୁହ ମାଆ ଆଖିରୁ ଝରେ। ବୋହୁର ଗୋଟାପଣେ ସେ କେବେଠୁ ହୋଇଗଲା ଏ ଭିତରେ? ସେବେଠୁ ଆଉ ସେମାନଙ୍କ ସହ କଥା ହୋଇନି ଯେ ହୋଇନି।
ମେଡ଼ିସିନ ରଖି ଅରୁ ଚାଲିଗଲାଣି। ସଞ୍ଜ ନଇଁ ଆସିଲା।ଖଟରୁ ଉଠି ବସିଲି ବହିଟି ଦେଖିବାକୁ। ଏ ଭିତରେ ମୋ ଫୋନରେ କଲ ଆସିଲା, ପଡିଶା ଘର ବୋହୁ ମିନିର କାଳେ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଗଲାଣି।
କ୍ୟାଟାରାକ୍ଟ ଅପରେସନ ପରେ ମୋ ଆଖିକୁ ଜାଲୁଜାଲୁଆ ଦିଶୁଥାଏ। ନିକିଟେଇ ଦେଖିଲି... ଅକ୍ଷର ପଢି ପାରିବିନି ସିନା ଜାଣେ ଭଲ ଲେଖିଥିବ, ମୋ ସୁନନ୍ଦ ଯାହା କରେ ମନଯୋଗ ସହକାରେ କରେ।
କଭର ଉପରେ ପୁଅର ଫୋଟୋ ଥିବାର ଜାଣି ପାରିଲି,ମୋ ବୋହୁ ତାକୁ ଲାଗି ଠିଆ ହୋଇଥାଏ, ଲକ୍ଷ୍ମୀ ନାରାୟଣଙ୍କ ଯୋଡି। ଦୁହେଁ ଆଗକୁ ଆହୁରି ଉନ୍ନତି କରନ୍ତୁ...ଦୁହିଁଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲି। ମନେ ମନେ ପୁଅ ଉଦ୍ଦେଶ୍ୟରେ କହିଲି, ମୋ ପାଖରେ ନ ରହିଲୁ ନାହିଁ, ମୋ କଥା ତ ଅନ୍ତତଃ ଭୁଲିନାହୁଁ।
ହେଲେ ଏତେ ବହି ଲେଖା କଣପାଇଁ ଯେ? ମାଆ କଣ ପିଲାମାନଙ୍କ ପାଇଁ କିଛି କରିବାକୁ ବଳିଦାନ କୁହାଯାଏ? ଦିନସାରା କାମ କରି ରାତି ରାତି ବସି ଲେଖିଥିବୁ ନା? ନିଦ ଠିକସେ ହୋଇନଥିବ। ଥକି ଯାଇଥିବୁ। ଶୋଇପଡ଼। ମନ କହୁଥିଲା,ତାପାଖେ ନିଶ୍ଚିତ ମୋ କଥା ପହଂଚି ଥିବ।
ଆଗକୁ ସମ୍ପୂର୍ଣ ଅନ୍ଧାର ହୋଇଯିବ। ତା ଆଗରୁ ମିନିକୁ ଦେଖିବାକୁ ବାହାରି ପଡିଲି।
