STORYMIRROR

Gargi Mishra

Drama Fantasy Inspirational

4  

Gargi Mishra

Drama Fantasy Inspirational

ନାନୀଘର ମିଠା

ନାନୀଘର ମିଠା

4 mins
14

ଝିଅ ଟ୍ୟୁସନ କ୍ଲାସରେ ପରୀକ୍ଷା। ପରୀକ୍ଷା ଫଳ ଭଲ ହେଲେ ଆଗାମୀବର୍ଷ ଫିଜରେ ରିହାତି। ଝିଅର ପଢ଼ାପଢି ପାଇଁ ସୁବିଧା ହୋଇଯାନ୍ତା। ଝିଅ ସ୍କୁଲରୁ ଆସି ରେଡି ହେଉଥାଏ, ମୁଁ ଅଫିସରୁ ଆସି ପହଞ୍ଚିଲି। ମୋର ଅଫିସ ଯିବା ରାସ୍ତାରେ ହି "ସ୍ୱିଟଇଣ୍ଡିଆ ମିଠା" ଦୋକାନ। ଖଜା, ଗଜା, ମୋହନଭୋଗ, ଘେୱର,ରସମଲାଈ, କେରଳ ହଲୱା, ଛେନାପୋଡ଼, କଣ ନ ମିଳେ ସେଠି -ଦୋକାନ ନୁହେଁ ଇଣ୍ଡିଆ ଯାକର ପ୍ରସିଦ୍ଧ ମିଠା, ଛଣା ଛଣି ମିକ୍ସଚର ଆଦିର ଖଣି। ଭାବିଲି ମିଠା କିଛି ନେଇଯିବି। ପିଲାଦିନରୁ ମୋର ମିଠା ଅତି ପ୍ରୀୟ। ଯେଉଁଦିନ ଘରକୁ ଗେଷ୍ଟ ଆସିଥାନ୍ତି ମୁଁ ପଚାଶ ଥର ଫ୍ରିଜ ପାଖରେ ଟଙ୍ଗର ଟଙ୍ଗର ହେଉଥାଏ। ଦିନେ ଦିନେ ଘରକୁ ଜଣେ ଜଣେ ଆଗନ୍ତୁକ ଆସିଥାନ୍ତି, ମୁଁ ମିଠା ଲୋଭରେ ତାଙ୍କ ପ୍ରବଚନ ସବୁ ବସି ବସି ଶୁଣେ, ହାଲିଆ ହେଇଗଲେ ପାଣି ଗ୍ଲାସ ବଢ଼େଇ ଦେଇ ମୁଁ ମିଠା ଜରି ଧରି ଚମ୍ପଟ ମାରେ। ଆଗରୁ ଗେଷ୍ଟମାନେ ଏତେ ମିଠା ଆଣନ୍ତି ଯେ ବାପାଙ୍କୁ ଅଲଗା କିଣିବାକୁ ପଡ଼େନି। କିନ୍ତୁ ଆଜିକାଲି ନା ଅତିଥି ନା ଅଭ୍ୟାଗତ କେହି ଆସନ୍ତିନି ଆମ ଘରକୁ, ମୋତେ ହିଁ ମୋ ପିଲାଙ୍କ ପାଇଁ ମିଠା କିଣିବାକୁ ପଡେ। ବି ଏସ ସି ପଢୁଥାଏ। ମୋର ସେବର୍ଷ ପରୀକ୍ଷା ଖରାପ ହେଇଥାଏ। ଘରେ ମୋ ପ୍ରତି ଅବିଶ୍ୱାସ ଭରା ଆଖିରେ ସମସ୍ତେ ଚାହୁଁ ଥାନ୍ତି.... ଯେମିତି ମୋ ଠୁଁ ଆଉ କିଛି ଆଶା କରିବା ବୃଥା। ପ୍ରପୋଜାଲ ପକାଇ ମୋତେ କେମିତି ଘରୁ ତଡିବେ... ମନଦୁଃଖ ଜାଣି ସାନପିୟୁସୀ, ପିୟୁସା ଆଉ ତାଙ୍କ ଝିଅ ମୋତେ ତାଙ୍କ ଘରକୁ ଡାକିଲେ। ଆମେ ସନ୍ଧ୍ୟା ସନ୍ଧ୍ୟା କେନ୍ଦ୍ରାପଡ଼ା ଅଭିମୁଖେ ଚାଲିଲୁ। ଭୁବନେଶ୍ୱରରୁ ପ୍ରାୟ ଚାରି ପାଞ୍ଚ ଘଣ୍ଟା ଲାଗେ କେନ୍ଦ୍ରାପଡ଼ା ଟାଉନ। ମଝିରେ ସାଲେପୁରରେ ରହଣି। ଡେରିରାତି... କିଛି କଉଠି ମିଳୁ ନଥାଏ ଖାଇବାକୁ। ଶେଷରେ ପିୟୁସା ଥାକେ ପୁରି ଆଉ ବିକଳିକର ଫେମସ ମିଠା କିଲେ ଆଣି ଆସିଲେ। ପୁରି ସହ ତରକାରୀ ଖାଇଥିଲି, ମିଠା ଟିକେ ଅବାଗିଆ କମ୍ବିନେସନ। ସହଜେ ପରୀକ୍ଷା ଖରାପ.. ମନ ଆମ୍ବିଳା। ପରୀକ୍ଷା କେମିତି ଖରାପ ହେଲା ଆଜିଯାଏ ମୋତେ ରହସ୍ୟମୟ ଲାଗେ। ମୋ ହ୍ୟାଣ୍ଡ ରାଇଟିଙ୍ଗ ଟିକେ ଖରାପ ବୋଲି ମାଷ୍ଟ୍ରେ ବୁଝି ପାରିଲେନି ସିନା କିନ୍ତୁ ଠିକ ଲେଖିଥିଲି ତ!!!.. ମୋ ବୋଉ ହେଇଥିଲେ ବୁଝିପାରିଥାନ୍ତା। ରି-ଚେକିଂ ପାଇଁ ଦିଦି ମନାକଲା, କହିଲା ରି ଚେକିଂ ପରେ ଫେଲେ ହବୁ ଯାଇ ମନ ଶାନ୍ତି ହବ, ଯାହା ପାସ କରିଛୁ ସେତିକି ନେଇ ଖୁସି ରହ.... ମୋ ସ୍ବପ୍ନ ଧୁଳିସାତ ଭାବିଲି ଖାଲି ପାଣି ପି' ରାତିଟା ଶୋଇପଡିବି। ନାନୀ ମୋ ମନ ବୁଝିପାରିଲେ... କହିଲେ, ଜାଣିଛୁ ରୁଚି, ମୁଁ ପିଲା ହେଇଥିଲି, ପଢିବା ମୋର ସଉକ ଥିଲା। ତୋ ବାପା ଆଉ ଅନ୍ୟ ଭାଇମାନେ ନଈ ପାର ହୋଇ ଆର ଗାଁ ସ୍କୁଲ ଯାଉଥିଲେ, ମୁଁ ବି ଜିଦ କଲି, ସମସ୍ତେ ଡ଼ଙ୍ଗାରେ ବସିଚାଲିଗଲେ। ଡ଼ଙ୍ଗା ଫଙ୍ଗା ଦରକାର ନାହିଁ ମୁଁ ନଈକୁ ଡେଇଁ ପଡିଲି। ବୁଡିବା ଉପରେ। ବହେ ପାଣି ପି ଗଲି...ଆଖିରେ କିନ୍ତୁ ଭାରି ଶକ୍ତି ଦେଇଥାନ୍ତି ଠାକୁରେ। ଗୋଳି ପାଣିରେଭିତରେବି ଆଗକୁ ରାସ୍ତା ଦେଖାଗଲା। ବୁଡି କରି ଉଠିଲି। ସ୍କୁଲକୁ ବାଟ ଛାଁ ଫିଟିଗଲା। ମୋ ସାଙ୍ଗମାନେ ପିଲାବୟସରେ ବାହା ହେଇଯାଇଥିଲେ। କିନ୍ତୁ ମୋ ଜିଦ ଦେଖି ବାପା ମୋତେ ଦି' ଅକ୍ଷର ପଢ଼େଇଥିଲେ।ପଡିଗଲେ ହେବନାହିଁ। ନିଜପାଇଁ ନିଜେ ନ୍ୟାୟ ମାଗିବାକୁ ହେବ। ମୋ ବିଶ୍ୱାସ..... ତୁ ବି ବୁଡିକି ଉଠିବୁ। ଗାଡି ଆଗକୁ ଚାଲିଥାଏ। ଭୀଷଣ ଭୋକ। ପ୍ଲେଟ ଫ୍ଲେଟ ନଥାଏ...ପୁରିକୁ ପ୍ଲେଟ ପରି କରି ମଝିରେ ମିଠା ରଖି ଖୁଆଇ ଖୁଆଇ ଦେଲେ ନାନୀ। ଭାରି ସୁଆଦିଆ ଲାଗିଲା। ଘରେ ସମସ୍ତଙ୍କ ନାକଟେକା ସହି ସହି ନାନୀଙ୍କ ପରିବାର ଲୋକଙ୍କ ବ୍ୟବହାର ଏତେ ମିଠା ଲାଗୁଥାଏ ଯେ କହିବାର ନାହିଁ। କେନ୍ଦ୍ରାପଡ଼ାରେ ପହଞ୍ଚି କି ନା ନିଦ। ନାନୀଙ୍କ ଘରକାନ୍ଥକୁ ଲାଗି ଆଇସକ୍ରିମ ଫ୍ୟାକ୍ଟ୍ରି । ପର୍ଯ୍ୟାପ୍ତ ଥଣ୍ଡା ରହେ। ଖରାଦିନ ବୋଲି ଜଣା ପଡିଲାନି। ସକାଳୁ ସକାଳୁ ବ୍ରାହ୍ମୀ ସାଗ, ରକମ ରକମ ପରିବା, ମାଛ, ଚିଙ୍ଗୁଡ଼ି, କେତେକଣ ଧରି ପିୟୁସା ଚାଲି ଆସନ୍ତି। ଅତ୍ମୀୟତାରେ ଫେଣ୍ଟା ସାଧା ପଖାଳ, ବଡ଼ିଚୁରା ବି ଭୋଜି ପରି ଲାଗେ । ସାଧାରଣ ଭାତଥାଳିରେବି ବାଢିବା ଲୋକର ମନ ପ୍ରତିଫଳିତ ହୁଏ, ପ୍ରଥମ କରି ଜାଣିଲି। ଏତିକି କହିବି, ମୁଁ ନାନୀଙ୍କ ପରି ଦେଖିବାକୁ, ତାଙ୍କ ଘରଲୋକ...... ହେଲେବି କାହିଁ କେଜାଣି ପିୟୁସାଙ୍କର ଗେଲ୍ହାଝିଅ ହୋଇଯାଇଥିଲି। ସବୁଦିନ ସନ୍ଧ୍ୟାରେ ସପରିବାର ମିଶି ଟିଭି ଦେଖୁଥିଲୁ,ବାପାଙ୍କ ପିଲାଦିନ ବିଷୟରେ କଥା ହେଉଥିଲୁ। ଆଲବମରେ ମା',ଜେଜେଙ୍କ ଫଟୋ ଆଉ ଫଟୋ ସହ ସମ୍ପୃକ୍ତ ଗପସବୁନାନୀଙ୍କ ଠାରୁ ଶୁଣି ଭାବୁଥିଲି, ଜେଜେମା' ହୁଏତ ମୋ ନାନୀଙ୍କ ପରି ମଣିଷଟିଏ ହୋଇଥିବେ ଯାହାଙ୍କ ସଂସ୍କାର ତାଙ୍କ ଝିଅ ଠି ଖୁନ୍ଦି ଖୁନ୍ଦି ଭରିଛି। ପିୟୁସା ତାଙ୍କ ଜୀବନ ବୃତ୍ତାନ୍ତ କହୁଥିଲେ। ଘରେ ଆଠ ଭାଇ, ଚାରି ଭଉଣୀ। ପ୍ରଥମେ ପରିବାର ଲୋକଙ୍କ ଚାପରେ ଆସି ସେ ଗାଁ ସ୍କୁଲରେ ଅଙ୍କ ପଢାଉ ଥିଲେ। ସ୍କୁଲର ଯାବତୀୟ କାମ ଭିତରେ ପାଠପଢା କାହିଁ? ତାଙ୍କ ମନକୁ ଶିକ୍ଷକତା ପାଇଲାନାହିଁ। ସେ ନିଜ ପ୍ରୟାସ ବଳରେ କେମିତି ଶିକ୍ଷକତା ଛାଡି ସରକାରୀ ଦପ୍ତର ଆକାଉଣ୍ଟସ କାମ କରି ଖୁବ କମ ଦିନରେ ଉଚ୍ଚ ପଦବୀକୁ ନିୟୋଜିତ ହେଲେ, କାହାକୁ କେଉଁ କାମ ସୁହାଏ, ତାହାହିଁ କରିବା କଥା। ଏ କଥା ମୋତେ ଖୁବ ଉତ୍ସାହିତ କଲା। ଭାବିଲି ସାଇନ୍ସ ଛାଡି ମୋ ମନ ପସନ୍ଦ ସବଜେକ୍ଟ ବାଛି କରିଅର କରିବି। ଶେଷରେ ବାପା ମୋତେ ଭୁବନେଶ୍ୱର ନେଇଯିବାକୁ ଆସି ଅଚାନକ ପହଞ୍ଚି ଯାଇଥିଲେ। ମୋ ମନେ ପଡିଗଲା ମୋତେ ଫେରି ଯିବାକୁ ପଡିବ। ନାନୀ ରାଗି ପାଚି ରହିଥିଲେ ବାପାଙ୍କ ଉପରେ। ତାଙ୍କ ଉପରେ ହେଲା ଉତ୍ତମ ମଧ୍ୟମ। "ଝିଅର ବୟସ ବା କେତେ? ତାକୁ ବହକାରି ଦେବାକଥା ଚିନ୍ତା ବି କେମିତି କଲୁ?........ ଖବରଦାର ମୋ ଛୁଆକୁ ଯଦି ହଇରାଣ କରିବୁ... ତାକୁ ଯୋଗ୍ୟ କରେ। ସେ ତା ମନଇଛା ପାଠ ପଢିବ.... ତା ପରେ ଦେଖାଯିବ। ମୁଁ ବି ତ ଘରେ ସବୁ ଭାଇ ଭଉଣୀଙ୍କ ଭିତରେ ଭଲ ପଢ଼ୁଥିଲି, ଭାବିଛୁ କମ ବୟସରେ ବାହା କରି କାମ ତୁଟେଇ ଦବୁ...ଯୁଗ ବଦଳିଲାଣି।ସେ କଥା ଆଉ ହେବନି। ମୋ ଛୁଆ ପଢିବ। ତାର ଭବିଷ୍ୟତ ଉଜ୍ଜଳ ହେଉ।" ମନେ ମନେ ହେଜୁଥିଲି ନାନୀ ପୁରୁଣା କାଳର ଲୋକ ହେଲେବି କେତେ ନୂଆ ବିଚାର!! ନାନୀଙ୍କ କଥା ବାପା କେବେବି ଅମାନ୍ୟ କରନ୍ତିନି। ପିୟୁସା ମୋ ଲାଗି ଭଲ ଜାମା, ଖାଇବା,ପିଇବା, ଜିନିଷ, ବୋଉ ପାଇଁ ବାଡ଼ି ପରିବା ଇତ୍ୟାଦି କେତେ କଣ ଯୋଗାଡ଼ି ମୋ ବ୍ୟାଗ ଫୁଲ କରିଦେଇଥାନ୍ତି। ଫେରିଲା ବେଳକୁ ମନ ଭାରି ହୋଇଯାଉଥାଏ। "ପୁଣି ଆସିବୁ" କହି ବିଦାୟ ଦେଲେ। ନାନୀ ପିୟୁସା ମୋତେ ମୋ ପରୀକ୍ଷା ରେଜଲ୍ଟ ଭଲ ନ ହେବା କଥା ଭୁଲାଇ ଦେଇଥିଲେ। ଅନେକ କଥା ମୁଁ ତାଙ୍କ ସାଙ୍ଗରେ ରହି ଶିଖିଥିଲି। ଅତ୍ମୀୟତା କଣ ନ କରାଇ ପାରେ.... ମୋ ନିଜ ଲୋକମାନେ ମୋ ସାଙ୍ଗରେ ଅଛନ୍ତି, ମୋର ଡରିବାର ଆବଶ୍ୟକତା ଆଉ କଣ? ଯାହା ଗଲା, ତାକୁ ମନେ ପକାଇ ଲାଭ ନାହିଁ, ତେଣୁ ଆଗକୁ ମନଲଗାଇ ପଢ଼ିବି ବୋଲି ନିଶ୍ଚିତ କଲି। ଭଗବାନଙ୍କ ଦୟାରୁ ନିଜ ଗୋଡ଼ରେ ଆଜି ମୁଁ ଠିଆ। ଝିଅ ନ ଖାଇ ଚାଲି ଯାଉଥିଲା ଟ୍ୟୁସନ। ଘରେ ଖାସ କିଛି ନଥିଲା....ସାଙ୍ଗେ ସାଙ୍ଗ ତେଲ ଗରମ କରି ପୁରି ଦିଟା ଛାଣିଦେଲି। ପୁରିକୁ ପ୍ଲେଟ କରି ତା ଉପରେ ମିଠା ରଖି ଖୁଆଉ ଖୁଆଉ ସେ ଗୋଟେ ଚାପ୍ଟର ପଢି ଦେଇଥିଲା। ପୁରି ଆଉ ମିଠା ନାନୀ ପିୟୁସାଙ୍କ କଥା ମନେ ପକାଉଥିଲା। ମୋ ଆଖି ଜକେଇ ଯାଉଥାଏ। ଦୁଇ ସପ୍ତାହ ପରେ ରିଜଲ୍ଟ ଆସିଗଲା। ଝିଅ ଭଲ ମାର୍କ ରଖି ସ୍କଲାର ଶିପ ପାଇଁ ମନୋନୀତ ହୋଇଛି। କହିଲା, "ମାମା, ସବୁ ପରୀକ୍ଷା ପୂର୍ବରୁ ପୁରି ମିଠା ମୋତେ ଖୁଆଇ ପଠାଇବ।" ମୋ ଝିଅ ପାଇଁ ମଧ୍ୟ ମନେ ମନେ ସଂକଳ୍ପ ନେଲି ସେ ତା ମନ ଖୁସି ଯାଏ ପଢିବ। ତାକୁ ଉଚ୍ଚଶିକ୍ଷିତ କରିବାରେ ଆଉ ସମାଜରେତାର ସ୍ଥିତି ସୁଦୃଢ କରିବାରେ ମୁଁ ସମ୍ପୂର୍ଣ ସହଯୋଗ କରିବି। ଠିକ ନାନୀପରି।


Rate this content
Log in

Similar oriya story from Drama