ହାର ଜିତ
ହାର ଜିତ
"ତୋତେ ଜିତିବାର ଅଛି ବୋଲି ଆଉ ଜଣେ ହାରିଯାଉ ଜରୁରୀ ନୁହେଁ। ସମୁଦ୍ର ସବୁରି। ସମସ୍ତଙ୍କୁ ପହଁରିବାର ଅଧିକାର ଅଛି" ସ୍ବର୍ଗବାସୀ ବାପାଙ୍କ ଏ କଥାପଦକ ଭାରି ମନେପଡୁଥିଲା ଅରିତାର। ଠିକସେ ମନେ ଅଛି ସେତେବେଳେ ତାର ଡିଗ୍ରୀ ଫାଇନାଲ ଇଅର। ଇଣ୍ଟର କଲେଜ ଆର୍ଟ-କମ୍ପିଟିସନ ଥାଏ। ଦେହ ଖରାପ ସତ୍ତ୍ୱେ ସ୍ପଟ ରେଜିଷ୍ଟ୍ରସନ କରିଥିଲା କ୍ଲାସମେଟ ଆଉ କମ୍ପିଟିଟର ତୃପ୍ତିଦାସ। ଟାଇଫଏଡ ପରେ ତାକୁ ଡାକ୍ତର ରେଷ୍ଟ ନେବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ପ୍ରତିଯୋଗିତାରେ ଅରିତାକୁ ହରାଇବାର ପ୍ରବଳଇଛା ତାକୁ ଟାଣି ଆଣିଥାଏ ହସ୍ପିଟାଲ ବେଡ଼ରୁ । ତୃପ୍ତି ଆର୍ଟର ଆଡ଼ଭାନ୍ସ କୋର୍ସ କରିଥାଏ। ଖୁବ ପ୍ରଫେସନାଲ। ତାର ସଉକ ଚିତ୍ର ଅଙ୍କିବା, ଏକଜିବିଶନରେ ଲଗାଇବା। ଚିତ୍ରାଙ୍କନ ଅରିତା ପାଇଁ ସାଧନା। ସେ ଆଖିବୁଜି ଧ୍ୟାନ ମାଧ୍ୟମରେ ଦେଖିପାରେ ତାର ମନପସନ୍ଦର ସିନେରି ଆଉ ମଧ୍ୟ ଉତାରିପାରେ ତାକୁ କ୍ୟାନଭାସ ଉପରେ। ବାପା ତାର ରାଜ୍ୟର ଜଣେ ସୁନାମଧେୟ ଆର୍ଟିଷ୍ଟ। ସେ ଜଣେ ଅସାମାନ୍ୟ ଚିତ୍ରକର ଯେତେବେଳେ ଅରିତାର ଚିତ୍ର ଅଙ୍କିବାର ସଉକ ରକ୍ତରେ। କିନ୍ତୁ କଳା କାହୁଁ ପେଟ କଥା ବୁଝେ? ଫୋଟୋବନ୍ଧେଇ ଦୋକାନଟିଏ କରି ଗୁଜୁରାଣ ମେଣ୍ଟାନ୍ତି ଅରିତାର ବାପା। ତାଙ୍କ ସ୍ବପ୍ନ, ପ୍ରତିଭାଶାଳୀ ପିଲାମାନଙ୍କୁ ଟ୍ରେନିଂ ଦେବା.... ଜିତିବ କି ନାହିଁ ଜାଣିନାଥାଏ...ବାପାଙ୍କ ସ୍ବପ୍ନ କିନ୍ତୁ ଆଜି ନହେଲେ କାଲି ସାକାର କରିବାକଥା କରିବ। ତାଙ୍କ ଖୁସିହିଁ ସର୍ବୋପରି। ପ୍ରତିଯୋଗିତା ଆରମ୍ଭ ହୁଏ।ସେଦିନର ଥିମ ଥାଏ "ବିରହର କରୁଣ ରଙ୍ଗ।" ତୃପ୍ତି ଆଙ୍କିଥାଏ -ଗ୍ରାହକ ମାନଙ୍କ ଭିଡ଼ ଭିତରେ ଏକ ନଗରବଧୂର ଏକାକୀତ୍ତ୍ୱ। କାହାକୁ ଅପେକ୍ଷା କରି ରହିଥାଏ କେଜାଣି? ...ଦୁଃଖ କଣ ଧନୀ କି ଗରିବବୁଝେ? ଖୁବ ଦାମୀ ରଙ୍ଗ ଓ କ୍ୟାନଭାସ ୟୁଜ କରି ଆବଷ୍ଟ୍ରାକ୍ଟ ଆର୍ଟଟି ଆଙ୍କି ପ୍ରଶଂସା ସାଉଁଟିଥାଏ ତୃପ୍ତି। ବାପାଙ୍କର ଅରିତା ଉପରେ ପ୍ରଚୁର ଭରସା। ମାତ୍ର ଅଧଘଣ୍ଟା ଅରିତା ଅଙ୍କିଦେଲା କୃଷ୍ଣଙ୍କର ଏକ ପ୍ରତିଛବି। ଦେଖିବା ଲୋକ ଘଡିଏ ଭାବି ବସିବାକୁ ବାଧ୍ୟ। କେଉଁଏକ କରୁଣ ମୂର୍ଚ୍ଛନାରେ ବଂଶୀବାଦନ କରୁଥାନ୍ତି ଶ୍ରୀକୃଷ୍ଣ। ଆଖି ଲୁହରେ ଭିଜିଥାଏ ବଂଶୀଟି ପୁରାପୁରି।ପରିପାର୍ଶ୍ଵକୁ ସଞ୍ଚରିତ କରିଥାଏ ସେ କରୁଣ ରାଗ। କୁଞ୍ଜବନରେ ତାରାଫୁଲ ମାନେ ମଉଳି ଯାଇଥାନ୍ତି। ଖୀର ଖାଇବା ଛାଡି ମୁହଁ ଓହଳାଇ ରହିଥାନ୍ତି ବାଛୁରୀଗଣ ଓ ମୟୁର ପୁଚ୍ଛର ଘନନୀଳ ରଙ୍ଗରେ ରଙ୍ଗୀନ ଆକାଶକୁ ଯେପରି ଆଛନ୍ନ କରିଥାଏ ଏକ ନିରବ ଗମ୍ଭୀରତା। ଅଏଲ ପେଣ୍ଟର ଶେଷ ଷ୍ଟ୍ରୋକ...ଆଉ କମ୍ପିଟିସନ ସହ ବିଚାରକ ମାନଙ୍କ ମନ ଜିତି ଯାଇଥାଏ ଅରିତା। ଚିତ୍ରଟି ଖୁବ ବାସ୍ତବ ଲାଗୁଥାଏ । ହାରିବାର ତିକ୍ତତା ତୃପ୍ତିକୁ ଅସହ୍ୟ ଯନ୍ତ୍ରଣା ଦେଇଥାଏ। ପ୍ରତିଶୋଧର ବଶବର୍ତ୍ତୀ ହୋଇ ସେ ମନେ ମନେ ଅରିତାକୁ ହଇରାଣ କରିବାକୁ ନିଶ୍ଚିତ କରେ। ଦୁହେଁ କଲେଜ ସାରି ଗୋଟିଏ ୟୁନିଭର୍ସିଟିରେ ପଢ଼ନ୍ତି। ସେଠି ଅରିତାର ଦେଖାହୁଏ ଅଭିମନ୍ୟୁ। ଅରିତା ଏବଂ ଅଭିମନ୍ୟୁଙ୍କୁ ସାଙ୍ଗହୋଇ ପଢାପଢି କରିବାର ଦେଖି ଅନେକ ସମୟରେ ଖରାପ କମେଣ୍ଟ କରନ୍ତି ତୃପ୍ତି ଓ ତାର ସାଙ୍ଗମାନେ। ତାର ମନୋବଳ କମାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି। କ୍ଲାସ ସାରି ରାତି ରାତି ଅନିଦ୍ରାରହି ପଢ଼େ ଅରିତା। ଫଳରେ ଦିନେ ସକାଳୁ ସକାଳୁ ମୁଣ୍ଡ ବୁଲା ଏବଂ ଦୁଇତିନି ଥର ବାନ୍ତି। ପ୍ରଫେସର କ୍ଲାସ ବନ୍ଦକରି ତାକୁ ବିଶ୍ରାମ ନେବାକୁ କହନ୍ତି। ଅରିତାକୁ ଧରି ଧରି ସିକ ରୁମକୁ ଆଣି ଶୁଆଇ ଦେଇଥାଏ ଅଭିମନ୍ୟୁ। ନିଜ ଟିଫିନରୁ ପିଜୁଳି କିଛି ଖାଇବାକୁ ଦିଏ, କିନ୍ତୁ ଅରିତା ମନାକରେ। ତୃପ୍ତି କିଛି ଦୂରରେ ଠିଆ ହୋଇ ସାଙ୍ଗମାନଙ୍କୁ କହୁଥାଏ, "ଦେଖ ଦେଖ... ପ୍ରେମର ସାଇଡ ଇଫେକ୍ଟ। ମୋତେ ଲାଗୁଛି ଅରିତାର ମର୍ନିଙ୍ଗ ସିକନେସ ହୋଇଥିବ।" ଅଭିମନ୍ୟୁର ଇଚ୍ଛାହୁଏ ତୃପ୍ତିକୁ ଗୋଟେ ଶକ୍ତ ଚାପୁଡ଼ା ଦେବାକୁ। ହେଲେବି ଝିଅପିଲା ବୋଲିଭାବି ନିଜ କ୍ରୋଧକୁ କାବୁ କରିନିଏ। ଅରିତା ପ୍ରଥମ କରି ଅନୁଭବ କରେ ଅଭିମନ୍ୟୁ କେବଳ ସହପାଠୀ ନୁହେଁ, ସେ ଏକ ପୁରୁଷ ମଧ୍ୟ। ଯଦିଓ ସେ ସେପରି ଦୃଷ୍ଟିରେ କେବେବି ଅଭିମନ୍ୟୁକୁ ଦେଖି ନଥାଏ। ତଥାପି କହେ, "ଅଭିମନ୍ୟୁ, ଆଜିଠାରୁ ଆମର ଦୁରେଇ ରହିବା ଠିକ।" ପ୍ରତିଭା ଏବଂ ଇର୍ଷାର ସଂଘର୍ଷ ଭିତରେ ଅଭିମନ୍ୟୁର ପାଠପଢ଼ା ବଳି ପଡ଼ିଯାଏ। କାହିଁ କେଜାଣି ଅଭିମନ୍ୟୁ ପରୀକ୍ଷା ଡ୍ରପ କରି ଚାଲିଯାଏ....କୁଆଡେ... କେହି ଜାଣନ୍ତିନି। ବୁଝି ପାରନ୍ତିନି। ମାତ୍ର ଅରିତା ସେଦିନ ଠିକ ବୁଝିପାରିଥାଏ ଅଭିମନ୍ୟୁକୁ।ମଣିଷ ସବୁଠୁ ବେଶୀ ନିଜକୁ ଭଲପାଏ। ହେଲେ ନିଜଠୁ ବେଶୀ କାହାକୁ ଭଲପାଇଗଲେ ତା'ପାଇଁ ବଳିଦାନ କରିହୁଏ ସହଜରେ, ସବୁକିଛି ସମର୍ପଣ କରିହୁଏ ଅଚିରେ। ଆଜି ଅରିତା ଡେପ୍ୟୁଟି କଲେକ୍ଟର।ରାଜ୍ୟ ପ୍ରଶାସନିକ ସେବାରେ ନିୟୋଜିତ ହୋଇ ପରିବାର ପାଇଁ ଗର୍ବ ପାଲଟିଯାଇଛି। ଦିନେ ସହରର ବଡ଼ ବିଜନେସମ୍ୟାନ ଜଣେ ଦେଖା କରିବାକୁ ଆସିଥାନ୍ତି ତା ଅଫିସକୁ।ତାଙ୍କ ନିକଟରେ ତୃପ୍ତି ଚୁଡ଼ି ସିନ୍ଦୁର ପିନ୍ଧି ଠିଆ ହୋଇଥାଏ ତାଙ୍କ ହାତଧରି । ବୁଝିବାକୁ ବାକି ରହେନି ତୃପ୍ତି ବାହାହୋଇ ସାରିଛି। ଆଜି ସେ ଓ ତାର ସ୍ୱାମୀ ମିଶି ଆସିଛନ୍ତି ତାକୁ ସାହାଯ୍ୟ ମାଗିବାକୁ। ହୁଏତ ଅଜାଣତରେ। ତାଙ୍କର ପ୍ରପର୍ଟିକୁ କାଳେ ଜବରଦଖଲ କରାଯାଇଛି। ଦେଖାକରିବାକୁ ଆସି ଭୂଲ କରିଦେଇଛି ଭାବି ତୃପ୍ତି କାରକୁ ଲେଉଟି ଯାଉଥାଏ। ତାର ସ୍ୱାମୀ ଆପ୍ଲିକେସନ ଦାଖଲ କରି ବିଦାୟ ନେଇଥାନ୍ତି। ଅଫିସରେ ଅନେକ କାମ ଭିତରେଥାଇ ସେ କାହିଁ ଛୋଟ ମୋଟ ଆପ୍ଲିକେସନକୁ ଧ୍ୟାନ ଦେବ? ତାର ଯାଏ ଆସେ କଣ? ହେଲେ ବାପାଙ୍କ ନିତି ଆଦର୍ଶ ତାକୁ ମନେ ପଡ଼ିଯାଏ। ବାରମ୍ବାର ଚୋଟଖାଇବା ପରେବି ସେ ତୃପ୍ତିକୁ କ୍ଷମା କରି ତାର କାମଟି କରିଦିଏ। ଅନୁତାପ କରେ ତୃପ୍ତି। ମଣିଷ ଯାହାହେଲେ। ସେ ଠିକଣା ବାହାର କରି ଦେଖାକରିବାକୁ ଆସେ ଅରିତାକୁ। "ଅରିତା, ମନେଅଛି ତୋର ଅଭିମନ୍ୟୁ କଥା? ଅଭିମନ୍ୟୁ ନାଁ ଶୁଣି ଚମକି ପଡେ ଅରିତା। ଝର୍କା ପାଖକୁ ଯାଇ ସୁଦୂର ଦିଗବଳୟ କୁ ଦେଖେ। କିଛି ଝାପ୍ସା କିଛି ରହସ୍ୟମୟ... ମାତ୍ର ସୁନ୍ଦର। ସେ ଯେ ତା ଜୀବନର ଅଭୁଲା ଅଧ୍ୟାୟ। ଅରିତା ଆହୁରି କହେ, "ଗଲାବର୍ଷ ବନ୍ଧୁମିଳନରେ ଅଭିମନ୍ୟୁ ସାଙ୍ଗେ ଦେଖାହୋଇଥିଲା। ବର୍ତମାନ ସେ ଏକ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର କମ୍ପାନୀର ମାଲିକ। ତାକୁ ପିଲା ଓ ୱାଇଫଙ୍କ ବିଷୟରେ ପଚାରିବାରୁ ମଜାରେ କହିଲା, "ୱାଇଫ ନୁହେଁ, ମୁଁ ଓ ମୋ ୱାଇଫାଇ। ବାସ" "ଅରିତା ତୁ କଣ ଜାଣୁ ଅଭିମନ୍ୟୁ ତୋତେ ସତରେ ଖୁବ ଭଲପାଇଥିଲା? ତୋ ପାଇଁ ଆଜି ଅଭିମନ୍ୟୁ ଅବିବାହିତ। ସେ ତୋ ବାପାଙ୍କ ସ୍ବପ୍ନ ପୁରା କରିବାଲାଗି ନିଜ ଘର ପାଖରେ ଏକ ଆର୍ଟ ସ୍କୁଲ ଖୋଲି ପ୍ରଶିକ୍ଷିତ ଶିକ୍ଷକଙ୍କ ଦ୍ୱାରା ପ୍ରତିଭା ମାନଙ୍କୁ ମାଗଣା ପ୍ରଶିକ୍ଷଣ ଦେବା ବ୍ୟବସ୍ଥା କରୁଛି" ଅରିତା ଭାବେ, ମଲ୍ଟି ଅର୍ଗlନ ଫେଲ୍ୟୁଅର ହୋଇ ବାପା ତାର ଚାଲିଗଲେ।ଦଶବର୍ଷ ହୋଇଗଲାଣି। ତାଙ୍କ ସହ ତାଙ୍କ ସ୍ବପ୍ନଟିକକ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଏବେ ସେ କାର୍ଯ୍ୟବ୍ୟସ୍ତ। ତାଙ୍କ ସ୍ବପ୍ନ ତାର ମନେବି ନାହିଁ କି ପୁରା କରିବାକୁ ଆଉ ସ୍ପୃହା ବି ନାହିଁ। କେଉଁକାଳେ ସେ କହିଥିବା କଥାକୁ ସତରେ କଣ ଅଭିମନ୍ୟୁ ଏତେ ଗୁରୁତ୍ୱ ଦେଇ ମନେ ରଖିଛି ? ବାପାଙ୍କ ଆତ୍ମା ନିଶ୍ଚିତ ଦେଖୁଥିବ। ଅରିତାର ମନ ବ୍ୟାକୁଳ, ପ୍ରାଣ ଅଥୟ। ତୃପ୍ତି ବୁଝିପାରେ ଅରିତା ଭିତର ଆଲୋଡନକୁ। ଡେରି ହୋଇଗଲାଣି। ତଥାପି ପ୍ରାୟଶ୍ଚିତର ଏ ମଉକାସେ ହାତଛଡା କରିବନି। ନିଜ ଭିତର ମଣିଷତ୍ତ୍ୱକୁ ଆଉ ତଳକୁ ଖସିବାକୁ ଦେବନି। ଅଭିମନ୍ୟୁ ଓ ଅରିତା ଅଭିନ୍ନ। ଦୁହିଁଙ୍କୁ ମିଶାଇବାର ପୁନଃ ପ୍ରାୟସରେ ଲାଗିପଡିଛି ତୃପ୍ତି। ହାରିବା ତାର ପସନ୍ଦ ନୁହେଁ। ଏଥର ନିଶ୍ଚିତ ଜିତିବ....ସାଙ୍ଗଦୁହିଁଙ୍କ ଭରସା ସାଙ୍ଗକୁ ନିଜର ଆତ୍ମ ସମ୍ମାନ ।

