ମୌନତା, ମତାନ୍ତର ଓ ମୀମାଂସା
ମୌନତା, ମତାନ୍ତର ଓ ମୀମାଂସା
"ବାରମ୍ବାର ମୋତେ ତୁମେ କୁଢ଼ି, ଅକର୍ମଣ୍ୟ କହି ଅପମାନିତ କଲଣି। ମୁଁ ଆଜିଯାଏ ଚୁପ ଅଛି। ଭାବିଛ ନିଜେ ଇଣ୍ଡିଆ ଆଉ ମୁଁ ପାକିସ୍ତାନ। ସାଙ୍ଗମାନଙ୍କ ଆଗରେ ସିନା ନିଜ ନିର୍ମଳ ଭାବମୂର୍ତ୍ତି ଦେଖାଇ ସହାନୁଭୂତି ସାଉଁଟିବ, ହେଲେ ନିଜେ କଣ ସେକଥା ନିଜକୁ ପଚାରି ଦେଖ!" ସ୍ୱାମୀଙ୍କ ସହ ଘମାଘୋଟ ଝଗଡା ପରେ ରିମା ୱାର୍କିଙ୍ଗ -ଉଇମେନ୍ସ -ହଷ୍ଟେଲ ଚାଲିଯାଇ ରହିଲେ ଗାୟତ୍ରୀ ମ୍ୟାଡ଼ାମଙ୍କ ସହ। ମହିଳା ଆବାସିକ ମହାବିଦ୍ୟାଳୟରେ ଅଧ୍ୟାପିକା ଯେତେବେଳେ ରିମାଙ୍କ ପାଇଁ ହଷ୍ଟେଲ ରୁମ ଆଉ ଖାଇବା ପିଇବା ଖର୍ଚ୍ଚ ମାଗଣା ନ ହେଲେବି ନାମକୁମାତ୍ର । ରାତିରେ ଉଭୟ ସହକର୍ମୀ କଥା ହେଉଥାନ୍ତି। ଗାୟତ୍ରୀ ମ୍ୟାଡ଼ାମଙ୍କୁ ରିମା କହୁଥାନ୍ତି, "ସବୁବେଳେ ତ ଘରେ ନିଆଁ ଲଗାଇ ଚୁପଚାପ ଚାଲିଯାଆନ୍ତି ବାହାରି। ପରିସ୍ଥିତି ଅସମ୍ଭାଳ ହେଲେ ମୁଁ ଏଠି ଏକା ହିଡିମ୍ବା ହୋଇ ଡେଉଁଥାଏଁ। ଭୁଲିଗଲେଣି ଦୁଇ ବର୍ଷ ପୁରୁଣା କଥା। ତଳଘରେ ଝିଅମାନେ ଚାଲାଖି କାଢି ବାହାନା ଦେଖାଇ ସାତ ମାସ ହେଲା ଭଡା ନ ଦେଇ ମାଗଣା ରହୁଥିଲେ। "ଆହା.. ବିଚାରି".. କହି ଭଦ୍ରଲୋକୀ ଦେଖାଇ ଘରେ ରଖିଲେ ତ ରଖିଲେ, ଶେଷରେ ତାଙ୍କ ଖାଇବା ପିଇବା ବ୍ୟବସ୍ଥା କରିବାକୁ ମୋତେ ବରାଦ କରିଦେଲେ। ସେମାନେ ଗୀତ ନାଚ କରି ରିଲସ ଛାଡିଲେ। କଲୋନୀ ସାରା ଲୋକ ଛି ଛାକର କଲେ ଯେତେବେଳେ ମୁଁ ହି ରାକ୍ଷାସୁଣୀ ହୋଇ ତାଙ୍କୁସବୁ ଘରୁ ତଡିଲି। ଝିଅଗୁଡା ଯାଇ ପ୍ରଚାରକଲେ ମଉସା ଭାରି ନିର୍ମାୟା ଲୋକ। ମାଉସୀ ଡାହାଣୀ। ମାଉସୀ କେଉଁ କଣରେ ଅଳିଆ ପରି ପଡି ରହିଥାଏ। ଘର ବୁଡି ପାଣି ଆଣ୍ଠିଏ ହେଲାଠୁଁ ଖୋଜାପଡେ। ସେମିତି କୋରାପୁଟରୁ ଆସିଛି, ନିଜ ଗାଁ ଲୋକ ବୋଲି ସିକ୍ୟୁରିଟି ପିଲାକୁ ମୋତେ ଲୁଚାଇ ପଚାଶ ହଜାର ଟଙ୍କା ଦେଇ ଅଟୋ କିଣିବାକୁ କହିଥିଲେ, ସେ ପିଲା ମଦ ପି' ପଇସା ଯାକ ଉଡାଇ ଦେଉଥିଲା, ତା ସ୍ତ୍ରୀକୁ ତାଗିଦ କରି ପୋଲିସ ଧମକ ଦେଇ ତିରିଶ ହଜାର ଟଙ୍କା ଫେରାଇ ଆଣିଆସିଥିଲି। ୟାଙ୍କପରି ଦୋମୁହାଁ ଲୋକଙ୍କ ଦୁନିଆରେ ଦୃଷ୍ଟାନ୍ତ ନାହିଁ। ପାଟିରେ ଗୋଟିଏ କଥା ପେଟରେ ଆଉଗୋଟିଏ। ନିଜେ କେଉଁ କଥା କହନ୍ତି ତା'ଉପରେ ନିଜର ବିଶ୍ୱାସ ନଥାଏ। ମିଛୁଆ ନମ୍ବର ୱାନ। କିନ୍ତୁ ଅନ୍ୟକୁ ମିଛୁଆ, ରଙ୍ଗ ବଦଳା ଏଣ୍ଡୁଅ ଆଦି କହି ଅପମାନିତ କରିବେ। ଏଥର ଏକା ରୁହନ୍ତୁ ଜାଣିବେ... ଜାଣନ୍ତି ମ୍ୟାଡ଼ାମ, ପିଲାଦିନୁ ମୁଁ ଭାରି ଅଲିଅଳି ଥିଲି। ବାପାମୋର ବିଚାରଶୀଳ ଲୋକ। ସ୍ତ୍ରୀ ଲୋକଙ୍କ ସହ ମାପି ଚୁପି କଥା କହନ୍ତି, ଖୁବ ନରମ କଥା କହନ୍ତି। ପୁରୁଷ ଲୋକ ଯେମିତି ହେବା କଥା ଠିକ ସେମିତି ମୋ ବାପା। ବୋଉ କେତେବେଳେ କେମିତି ଆକଟକରେ... ମୁଁ ରୁଷିଯାଏ। ବାପା ମୋତେ ଘଣ୍ଟା ଘଣ୍ଟା ମନାଉଥାନ୍ତି, କାହିଁ କେଜାଣି? ମୁଁ ବାପାଙ୍କ ଗୋଟେ ବୋଲି ସନ୍ତାନ ବୋଲି ବନ୍ଧୁ ବାନ୍ଧବ କହନ୍ତି ଝିଅକୁ ଏକବାର ମୁହବଢିଆ କରି ନଷ୍ଟ କରି ସାରିଲେଣି। ବାପା କହନ୍ତି, "ମୋ ଝିଅ ମୁଁ ସମ୍ଭାଳିବି ତୁମର ଯାଏ ଆସେ କଣ?" କେଜାଣି ଏଇ ମୁହଁ ଫୁଲେଇବାଟା ମୋର ପିଲାଦିନୁ ଅଭ୍ୟାସ କି ବଦଭ୍ୟାସ ଜାଣିନି... ସେ ଗୋଟେ ମୋହ। ମୋହରେ ସବୁକିଛି ଯେତିକି ଭଲଲାଗେ, ଛାଡ଼ିଗଲେ ସେତିକି କଷ୍ଟଦିଏ। ଘରେ ଭାଇ ଭଉଣୀଙ୍କ ସହ ଆବୁରୁ ଜାବୁରୁ କଥା ପରେ ପରେ ମାଡ଼ଗୋଳ, ହୋ ହାଲ୍ଲା, ଭୂମିକମ୍ପ, ତୁମ୍ବି-ତୋଫାନ ଆଦି ନିତିଦିନିଆ ଘଟଣା। ରୋଷଇ ଘରୁ ବୋଉ ହାତରନ୍ଧା ଦ୍ରବ୍ୟର ମହକ କିନ୍ତୁ ସବୁ ମାନ ଅଭିମାନକୁ ଭୁଲାଇ ଦିଏ। ଶିକାର ଓ ଶିକାରୀ ଗୋଟିଏ ଘାଟରୁ ପାଣି ପିଉ।ପିଲାଦିନ କଥା ମନେ ପଡିଲେ ଆଖିଲୁହ ରୋକିବା କଷ୍ଟ ପଡେ। ବାହାହୋଇ ଶାଶୁଘର ଆସିଲି। ସ୍ୱାମୀଙ୍କ ସରକାରୀ ଚାକିରୀ। କୋରାପୁଟରେ ପୋଷ୍ଟିଙ୍ଗ। ଘରେ ମୋ ସ୍ୱାମୀ ହେଲେ ସବା ସାନପୁଅ। ଠିକ ମୋ ପରି ୟାଙ୍କୁ ବି ସମସ୍ତେ ଗେଲ ବସର କରି ବଢ଼ାଇ ଛନ୍ତି....ପ୍ରଥମେ ପ୍ରଥମେ ବଡ଼ କଷ୍ଟ ହେଲା ତାଙ୍କସହ ଆଡ଼ଜଷ୍ଟ କରିବାକୁ। ମୁଁ ରାଗିଲେ ଇୟେ ମନଇବେ କଣ ମୋତେ ଓଲଟା ୟାଙ୍କୁ ମୋ ସୁନା, ବାପା, ଧନ, ଜୀବନ, ରାଜା ଆଦି କହି ଗୋଡ଼ ତଳେ ପଡି ମନେଇବାକୁ ପଡେ। ଏମିତି ବର୍ଷ ପରେ ବର୍ଷ କଟିଗଲା। ଝିଅର ନବମ, ପୁଅର ହାଇଅର ସେକେଣ୍ଡାରୀ। ପିଲାମାନେ ଆମକୁ ସବୁବେଳେ ଲଢେଇ ଝଗଡା କରିବାର ଦେଖି କୁଆଡେ ଡ଼ିଫେକ୍ଟିଭ ପର୍ସନାଲିଟିର ହୋଇ ଯାଇଛନ୍ତି ବୋଲି ସ୍କୁଲ କାଉନସିଲର କହିଲେ ଓ କଥା କମ କରିବାକୁ ପରାମର୍ଶ ଦେଲେ, ଆମ ଭିତର କଳି ଝଗଡା ବଢ଼ି ନଯାଉ ବୋଲି । ଦୁଇ ଦିନରେ ଥରେ ବାବୁଙ୍କ ପାଟିରୁ ଗୋଟିଏ ଶବ୍ଦ... "ଓଟିପି?" କହିଲି, ଏମିତି ମାପି ଚୁପି କଥା ହେଲେ ଏଘରେ ସେଘରେ ଆମେ ମରି ଯାଇଥିବା, ଜଣା ପଡ଼ିବନି ମ, ପଡିଶା ଆସି ଖବର ଦେବେ!! ଥାଉ। ମୋତେ ଯାହା ରାଗ ଲାଗୁଥାଏ କହିବା କଥା ନୁହେଁ। ବାସନ ଏକାଠି ରହିଲେ ବାଜିବା ସ୍ୱଭାବିକ। କଉ ଘରେ ଝଗଡା ନାହିଁ? କଥା କମ କରିବ ନା ଠିକସେ କଥାହେବ......... କେଉଁଟା ସମାଧାନ କହିଲେ? ଶେଷରେ ମୁଁ ହଷ୍ଟେଲରେ ରହିବାକୁ ନିଷ୍ପତ୍ତି ନେଲି। ଏଥିରେ ଭୂଲ କଣ ରହିଲା? ୟାଙ୍କଠୁ ଅଲଗା ରହିବାରେ ୟାଙ୍କର ଖୁସି। ଶାଶୂଘର ଲୋକଙ୍କର ଏଇ ଛୋଟ କଥାକୁ ନ୍ୟାସନାଲ ଇସ୍ୟୁ କରିବା କଣ ଦରକାର ଥିଲା?" ପାଞ୍ଚ ଦିନ ପରେ ନନ୍ଦା ମ୍ୟାଡ଼ାମ ବୋଲି ଅନ୍ୟ ଜଣେ ଇଂରାଜୀ ପ୍ରାଧ୍ୟାପିକା କଲେଜରେ ଯୋଗଦେଲେ। ରିମା ଗାୟତ୍ରୀ ମ୍ୟାଡ଼ାମଙ୍କୁ ଚାହିଁ ପଚାରିଲେ "କାହା ରିପ୍ଲେସମେଣ୍ଟ ଟିଚର ଇୟେ?" ଗାୟତ୍ରୀ ମ୍ୟାଡ଼ାମ କହିଲେ, "ମୋତେ ଲାଗୁଛି ଆପଣଙ୍କ ବଦଳରେ ଆସିଛନ୍ତି ବୋଧେ" "କିନ୍ତୁ ମୋର ତ ଏବେ ଏବେ ପ୍ରମୋସନ ହୋଇଛି, କଲେଜ ଅଧ୍ୟକ୍ଷା ତ ଖୁସି ମୋ ଉପରେ।" ରାତି ଅଧ ଯାଏ ଚିନ୍ତାରେ କାଟିଲା। ଭାବିଲେ ସକାଳେ ନନ୍ଦା ମ୍ୟାଡ଼ାମଙ୍କୁ ହିଁ ଯାଇ ପଚାରିବବେ କାହା ଜାଗାରେ ଆସିଛନ୍ତି। ଜାଣି ନାହାନ୍ତି କେତେବେଳେ ଶୋଇ ପଡିଲେ। ଉଠି ଦେଖିଲେ, ଭୋରୁ ଗାୟତ୍ରୀମ୍ୟାଡ଼ାମ ହଷ୍ଟେଲ ଛାଡି ଦେଇଥିଲେ। ହାତଲେଖାଚିଠିଟିଏ ଟେବୁଲରେ ଥିଲା। "ରିମା ମ୍ୟାଡ଼ାମ, ଆପଣ ଜାଣନ୍ତି, ମୋ ସ୍ୱାମୀ ଓ ମୋ ଭିତରେ କୌଣସି ମତାନ୍ତର ନଥିଲା। ମୁଁ ଆପଣଙ୍କ ପରି ଅଲିଅଳି ନୁହେଁ, ଏକ ଅନାଥାଶ୍ରମରୁ ମୁଁ ପ୍ରତିପାଳିତା। ଚାକିରୀ ଆରମ୍ଭରୁ ଗୋଟିଏ କଲେଜରେ ସହକର୍ମୀ ଭାବେ ମୋ ସ୍ୱାମୀଙ୍କୁ ମୁଁ ପ୍ରଥମ କରି ଭେଟିଥିଲି। ସେ ମୋତେ ଖୁବ ଭଲ ପାଉଥିଲେ। ବାହାଘର ଆଠ ମାସ ମାତ୍ର, ସ୍ନେହ ମମତାର ସ୍ପର୍ଶରେ ଗୋଡ଼ ତଳେ ଲାଗୁ ନଥାଏ। ସ୍ବର୍ଗର ସବୁସୁଖ ହାତ ପାନ୍ତାରେ ମିଳିଗଲା ପରି ଲାଗିଲା.....ଦୁହେଁ ଦୁହିଁଙ୍କୁ ପ୍ରତିଶୃତି ଦେଲୁ କେବେବି ଆମ ଭିତରେ କଳି କଜିଆ ହେବନି। ଆଉ ସେ ଦୁର୍ଘଟଣାରେ....!! ଏକା ବଞ୍ଚିବା ହୁଏତ ମୋ କପାଳରେ ଲେଖାଥିଲା। ନିଜ ଭାଗ୍ୟକୁ ଆଦରି ଜବରଦସ୍ତି ବଞ୍ଚିବାକୁ ପଡୁଥିଲା ହଷ୍ଟେଲରେ। କିନ୍ତୁ ପରିବାରଟିଏ ପାଇଁ ଝୁରି ଝୁରି ରହିବା କଣ, ଦୁନିଆରେ ମୋ ଠାରୁ ଅଧିକ କେହି ଜାଣି ନଥିବେ। । ମୁଁ ହୁଏତ ହଷ୍ଟେଲରେ ରହିଥିବା ଯାଏ ଆପଣଙ୍କୁ ମୋ ସହ ରହିଯିବା ସୁବିଧା ଲାଗିବ। ହେଲେ ମୋ ସାହାରାରେ ଆପଣ ଚଳିବେ ମୁଁ ଚାହେଁନି।ଆପଣ ନିଜ ସ୍ୱାମୀଙ୍କୁ ନିଜ ବାପାଙ୍କ ସହ ତୁଳନା କରନ୍ତୁ ନାହିଁ। ତାଙ୍କ ସରଳତା ଓ ନରମ ହୃଦୟ ପାଇଁ ଏ ସ୍ୱାର୍ଥପର ଦୁନିଆ ତାଙ୍କଠୁଁ ଫାଇଦା ଉଠାଇବ। ଆପଣଙ୍କ ଛଡା ତାଙ୍କୁ କିଏ ଚଳେଇବା କଷ୍ଟ। ନିଜକୁ କିମ୍ବା ତାଙ୍କୁ ଅଧିକ କଷ୍ଟ ନ ଦେଇ ଫେରିଯା'ନ୍ତୁ ପ୍ଲିଜ। ମୋ ଠିକଣା ଖୋଜିବାକୁ ଚେଷ୍ଟା କରିବେନି। ନୂଆ ଅଧ୍ୟାପିକା ନନ୍ଦା ମ୍ୟାଡ଼ାମ ମୋ ବଦଳରେ ପଢ଼ାଇବେ। ଆଶା, ତାଙ୍କୁ ଆପଣ ଆବଶ୍ୟକ ପଡିଲେ ସାହାଯ୍ୟ ସହଯୋଗ କରିବେ। ଇତି ଗାୟତ୍ରୀ।" ଚିଠି ପଢି ହଠାତ ରିମାଙ୍କ ମନରେ ଡର ମାଡି ବସିଲା। ଦେହ ଗୋଟାପଣେ ଝାଳେଇ ଗଲା। ସାଥିଟିଏ ଅଛି ବୋଲି ଏତେ କଥାକଟା କଟି, ଏତେ ଅଭିଯୋଗ। କାଲି ଯଦି ସେ ନ ରହେ? ରିମା ମ୍ୟାଡ଼ାମ ସୁପରିଟେଣ୍ଡେଣ୍ଟଙ୍କ ସହ କଥା ହୋଇ ହଷ୍ଟେଲରୁ ନାଁ କଟାଇ ଘରକୁ ଫେରିଗଲେ। କେହି କେହି ବାଟ କାଟି ଚାଲିଯାଆନ୍ତି, ନା କିଛି ଅତୀତ ପ୍ରତିଶୃତି ନା ଆଗରେ ନା ଭେଟ ହବାର ସମ୍ଭାବନା ଥାଏ। କେବଳ ଦେଇଯାଆନ୍ତି ଜୀବନଟି ବଞ୍ଚିବାପାଇଁ ଜରୁରୀ ଜ୍ଞାନର ଅମୂଲ୍ୟ ରତ୍ନ, ଯାହା କୌଣସି ବିଦ୍ୟାଳୟ ଶିଖାଏନାହିଁ, ହେଲେ ସେମାନଙ୍କ ଅନୁପସ୍ଥିତି ସବୁବେଳେ ମନେ ପକାଇଦିଏ ।
