ଜୀବନର ନୂଆମୋଡ଼
ଜୀବନର ନୂଆମୋଡ଼
ଆଜି ସାତ ଡିସେମ୍ବର... କଥାବାର୍ତ୍ତା ବାତିଲ ହେବାର ତିନିବର୍ଷ ପୁରିଗଲା। ୟୁନିଭର୍ସିଟି ହଷ୍ଟେଲରୁ କଲେଜ ଲେକ୍ଚରର ଚାକିରୀ ଭିତରେ ସମୟର ଅଙ୍କା ବଙ୍କା ରାସ୍ତାରେ ଅନେକ ଝୁଣ୍ଟିବା, ସଳଖିବାକୁ ଉପଲବ୍ଧି କରି ଆଗେଇ ଚାଲିଛି ଝରଣା। ଡିସେମ୍ବର ମାସର ଅନ୍ଧାରିଆ ଶୀତଳତା ମନକୁ ଉଦାସ କରିପକାଏ। କେଜାଣି କାହିଁକି ଝରଣାର ମନ ପୁରୁଣା କଥାକୁ ଘାଣ୍ଟି ହେଲା। ସାଙ୍ଗମାନେ କହନ୍ତି ତାର ସ୍ମୃତି ବହୁତ ପ୍ରଖର। ଏହା ପାଠ ପଢ଼ାପାଇଁ ଅନୁକୂଳ। ହେଲେ ଆଜି ସେ ଭାବୁଥିଲା... ଏ ଗୋଟେ ଅଭିଶାପ। ତାର ଏ ସ୍ମୃତି ଶକ୍ତି ଟିକେ ହ୍ରାସ ପାଇଯାଆନ୍ତା ନାହିଁ? ପୁରୁଣାକଥା ବିବ୍ରତ କରେ, ହେଲେ ପୁରୁଣା କଥାର ଆକର୍ଷଣକୁ ଏଡାଇ ହୁଏନି। ଭୁଲିଯିବାକୁ ଇଛା ହୁଏ ସେଦିନ ଯେବେ ସେ ସାହସ ଜୁଟାଇ ନିଜ ମନକଥା କହି ଦେଇଥିଲା ତା ସିନିଅର ବ୍ୟାଚର ପିଲା ବିଜୟକୁ ଆଉ ପ୍ରତିବଦଳ ରେ ପାଇଥିଲା ସ୍ୱୀକୃତି। କିନ୍ତୁ ପରେ ପରେ କିଛି ବ୍ୟକ୍ତିଗତ କାରଣରୁ ଦୁହେଁ କଥା ହୁଅନ୍ତି ନାହିଁ କିମ୍ବା ସମ୍ପର୍କ ଆଗକୁ ବାଢ଼ନ୍ତି ନାହିଁ। ବିଜୟ କହୁଥିଲା, ଝରଣାର ପ୍ରତିଭା ବଣମଲ୍ଲୀ ପରି ବାସେ। ହେଲେ ଦୁହିଁଙ୍କ ଭିତର କଥା ବସିବା ଜାଗାରେ ବନାଗ୍ନି ପରି ବ୍ୟାପି ଯାଇଥିଲା କ୍ୟାମ୍ପସରେ। ଚାଲିବା ବାଟରେ ଚପା ଗୁଞ୍ଜରଣ ଶୁଭେ। ସାଙ୍ଗ ମାନେ ଦୁରେଇ ଯାଆନ୍ତି। ବିଜୟ ବ୍ୟାଚରେ ସାଇପ୍ରଭା ଦିଦି ଝରଣା ର ପୁରୁଣା ରୁମମେଟ ଆଉ ଭଉଣୀ ପରି। ତାଙ୍କୁ କିଛି ଅଛପା ନୁହେଁ... ସେ ଖୁବ ସ୍ନେହୀ। ୟୁନିଭରସିଟି ଛାଡିସାରି ଦୁହେଁ ଏକା କଲେଜରେ ଲେକ୍ଚରସିପ କରନ୍ତି। ସାତ ଡିସେମ୍ବର ଦିନ ଉଭୟ ଯାଆନ୍ତି କେକ୍ କିଣିବାକୁ। ସେହିଦିନ ହିଁ ଝରଣା ଓ ବିଜୟ ଦୁହେଁ ଦୁହିଁଙ୍କୁ ଭଲପାଇବା ବ୍ୟକ୍ତ କରିଥିଲେ ଏବଂ ସେହିଦିନ ହିଁ ପରସ୍ପର କଥାହୋଇ ଦୁରେଇ ଯାଇଥିଲେ। ତେଵେ ଦୁରେଇ ଯିବାରେ ଉଭୟଙ୍କ ମଙ୍ଗଳ ବୋଲି ସେ କଥା ସେଲିବ୍ରେଟ କରେ ଝରଣା। ସାଇପ୍ରଭା କହନ୍ତି... "ମଫସଲିଟା, ତାକୁ ଝିଅ ମାନଙ୍କ ସହ କଥାବାର୍ତ୍ତା କିମ୍ବା ବ୍ୟବହାର ଜଣା ନାହିଁ। ପାଠୁଆ, ସୁନ୍ଦର ଏବଂ ସେଇଥିପାଇଁ ଅହଙ୍କାରୀ।ତା ସହ ନାଁ ଯୋଡି କେବଳ କଳଙ୍କ, ଅପବାଦ, ନିରାଶା ଛଡା କିଛି ମିଳିବନି। କାହାରିକୁ ସେ ପାଖରେ ପୁରାଏନି, ମାନବିକତା ଶୂନ୍ୟ ଓ ଗର୍ବୀ ମଣିଷକୁ ଏକ ତରଫା ଭଲପାଇ ଲାଭ କଣ?" ଝରଣା ଭିତରେ ଯେତେ ସନ୍ତୁଳି ହେଲେବି ପ୍ରଭାଦିଦିଙ୍କୁ ବୁଝାଇବା ବାହାନାରେ ନିଜକୁ ପ୍ରବୋଧନା ଦିଏ.....କହେ, "ହୋଇଥାଇପାରେ... ଟିକେ ଅହଂକାର ପ୍ରତିଭାବାନ ବ୍ୟକ୍ତିକୁ ଶୋଭାପାଏ, ଯେମିତି ସୁନ୍ଦର ଝିଅଙ୍କ ଠାରେ କଳଙ୍କ ଶୋଭାପାଏ। ତା'ଛଡା ଜୀବନଟା ଗୋଟେ ହାନୀ ଲାଭର ହିସାବ ଖାତା ନୁହେଁ ଯେ ସେ ଭଲପାଇ କଣ ପାଇଛି କଣ ହରାଇଛି ସେସବୁର ତାଲିକା ରଖିବ। ଭଲପାଇବା କଣ ସଉଦା ନା ଜୋର ଜବରଦସ୍ତି ଦାବୀ କରାଯାଏ? ଭଲପାଇବା ତ ଏକ ଅନୁଭୂତି ଯାହା ମଣିଷକୁ ଆଗକୁ ବଢିବାକୁ ପ୍ରେରିତ କରେ, ହୃଦୟରେ ସ୍ପନ୍ଦନ ଆଣିଦିଏ, ଆତ୍ମ ବିଶ୍ୱାସକୁ ସକ୍ରିୟ କରେ। ଏକ ପ୍ରତିଶୃତି ରହିତ ହୋଇ ପରସ୍ପର ସ୍ୱାଧୀନତାକୁ ସମ୍ମାନ ଦେଇ ଆଗେଇବାର ପ୍ରତିଶୃତି ହେଲା ପ୍ରେମ। କିଏ କାହାର କ୍ଷତି ନାଚାହିଁ ଉଭୟ ଉଭୟଙ୍କ ମଙ୍ଗଳ କାମନା କରିବା ଏତିକି ପ୍ରାର୍ଥନା ଯଥେଷ୍ଟ ନୁହେଁ କି? ସେ ବି ତ ଫଗୁଣର ବଉଳ ବାସ୍ନା, ଶୀତ ରେ ହୃଦୟର ଉଷ୍ମତା ଏବଂ ରିମଝିମ ବର୍ଷାରେ ପ୍ରଣୟରେ ଭିଜି ଗୀତ ଗାଇବାର ପୁଲକକୁ ଅନୁଭବ କରିଛି? ତାର ଦେଇଥିବା ସୁମଧୁର ସ୍ମୃତି ସବୁକୁ ପାଥେୟ କରି ଅଜଣା ଅଲୌକିକ ଖୁସିରେ ପ୍ରଗଳ୍ଭ ହୋଇଛି? ଗର୍ବିତ ହୋଇଛି। ତାର ଏ ଅନୁଭୂତ ଜୀବନ କଣ ଅନ୍ୟଠୁ ସ୍ୱତନ୍ତ୍ର ନୁହେଁ? ଭାବିଲେ କୃତଜ୍ଞତା ରେ ମନ ଭରିଯାଏ।" "ହେଲେ ଭଲପାଉଥିବା ଲୋକ ଇର୍ଷାରେ ଜଳି ମରେ। ଇଛା ହେଲେବି ନିଜମନ ମୁତାବକ କଥା ଟିକେ ହୋଇପାରେନା, ସମୟ ଦେଇ ହୁଏନା। ପର ଚିନ୍ତାରେ ନିଜର ଅମୁଲ୍ୟ ସମୟ କାଟେ" " ଇର୍ଷା, ରାଗ, ମୋହ, ଅଧର୍ଯ୍ୟପଣ, ଆଶଙ୍କା, ସନ୍ଦେହ, ନିରାଶା, ନୀରବତା, ଲୁହ- ଏ ସବୁ ପ୍ରେମର ଅଲଗା ଶେଡ଼ ହିଁ ତ। ତା ବାଦ ସବୁକିଛି କହିଦେଲେ ଆଉ ମଜା ରହେନା ପ୍ରଭା ଦିଦି। କିଛି ଗୁପ୍ତ ରଖିବାକୁ ଦେବାବି ଆବଶ୍ୟକ। ସେଇ କଣ ଖାଇଲ, କଣ ପିଇଲ, କଣ କରୁଛ, ଆଳୁ ପିଆଜ ତେଲ ଲୁଣ ଢ଼ିଙ୍କି ବଗ ଆଦି ଖବର ବୁଝି ବୁଝି ମାତ୍ର କିଛି କେଇଟାରେ ବୋର ହେବା ଅପେକ୍ଷା ବରଂ ଅମୁଲ୍ୟ ସ୍ମୃତିକୁ ନେଇ ବଞ୍ଚିବା ଭଲ। ଆଉଗୋଟିଏ କଥା ଦିଦି, ଏ ଯେଉଁ ବ୍ଲାକ ଫରେଷ୍ଟ କେକ୍ ଦାମ କମ, ରେଡ ଭେଲଭେଟ କେକ୍ ର ଅଧିକା କାହିଁକି ଜାଣ? ସହଜଲବ୍ଧ ଦ୍ରବ୍ୟର ଚାହିଦା ଟିକେ କମ।" "ଓହୋଃ... ସବୁକଥାରେ ଫିଲସଫର ପରି ବକ୍ତୃତା ଦେବା ଜରୁରୀ? ବେଳେବେଳେ ଲାଗେ ସେ ଗୋଟେରେ ସନ୍ତୁଷ୍ଟ ନୁହେଁ। ତାକୁ ବଗିଚାରେ ଫୁଟିଥିବା ସବୁ ଫୁଲ ର ମହକ ଦରକାର।" "ହଁ, ଭଗବାନ ଡେଣା ଦେଇଛନ୍ତି ଯେତେବେଳେ ପ୍ରଜାପତିଟିଏ ଘୁରିବୁଲିବାର ଅଧିକାର ଅଛି...ବାସ୍ନା ଆଘ୍ରାଣ କରିବାର ସ୍ୱାଧୀନତା ଅଛି। ଦଳି ଚକଟି ଫୁଲମାନଙ୍କ କ୍ଷତି ତ କରି ପକାଉନି। ସେଥରେ ମୋର କିଛି ଫରକ ପଡ଼େନି। ମୋତେ ମୋର ସ୍ୱତନ୍ତ୍ର ମହକ ସେ ମନେ ପକାଇ ଦେଇଛି, ସେଇ ଯଥେଷ୍ଟ। କହିଲ ଦିଦି, ହନୁମାନ ଶ୍ରୀରାମଙ୍କ ଦ୍ୱାରା ନିଜ ଅଲୌକିକ ଶକ୍ତିର ଆଭାସ ପାଇବାର ମହାର୍ଘ୍ୟ ମୁହୁର୍ତ ତାଙ୍କ ଜୀବନକୁ ନୂଆ ମୋଡ଼ ଦେଇଥିଲା ନା ନାହିଁ? ବାସ, ଭଲସାଙ୍ଗର କର୍ତ୍ତବ୍ୟ ସେ ତୁଲାଇଛି ତ।" "ତୁ ତ ଖୁବ ଅଭିଜ୍ଞ ପରି କଥା ହେଉଛୁ, ଲାଗୁଛି ମୁଁ ବି ଏଥର ଭଲପାଇ ବସିବି।" ଆଉ ଡେରି କାହିଁକି, ଭଲପାଇବା ଖୁବ ସୁନ୍ଦର ଅନୁଭୂତିଟିଏ। ଭରପୁର ଭଲ ପାଇଯା' ଆଉ ଜୀବନର ସବୁ ଦୁଃଖ, ନକାରାତ୍ମକତା ତା ପ୍ରଭାବରେ ଦୁରେଇ ଯାଉ। ଦୁଇଜଣ ମିଶି ପୂର୍ବରୁ ଅର୍ଡର କରିଥିବା ରେଡ ଭେଲଭେଟ କେକ୍ ଟି କାଟି ସୁଖକର ଅନୁଭୂତି କିଛି ସେଲିବ୍ରେଟ କରୁଥିଲେ। ଜୀବନର ସିଧାରାସ୍ତାରେ ଯିବାବେଳେ, ଲକ୍ଷ୍ୟସ୍ଥଳକୁ ସହଜରେ ପହଞ୍ଚିବା ନିମନ୍ତେ ମୋଡ଼ଟିଏ ନିହାତି ଜରୁରୀ।

