Rasmita Dixit

Romance Tragedy Others

4.0  

Rasmita Dixit

Romance Tragedy Others

ଡ୍ରାଏ ରୋଜ

ଡ୍ରାଏ ରୋଜ

4 mins
458



      ବିରେନ ଆଉ ନାହିଁ " । ଛାତି ଭିତରେ କେଉଁଠି ଗୋଟେ ମୃଦୁ ହଲଚଲ ହେଇଗଲା । 

      ଆଖି ଆଗରେ ଭାସି ଉଠିଲା ଏକ ଚିଲା ଆଖିଆ , କହରା ବାଳ , ଗୋଲାପୀ ଓଠ ଵାଲା , ରଷିଆନ ଚେହେରା ।ଉଦ୍ଧତ ଚାଲି , ବଦମାସୀ ରେ ଓସ୍ତାଦ ।

        କେରେ ବା ବୟସ ସେତେବେଳେ । ଏଇ ଏଗାର କି

 ବାର , ଆଦ୍ୟ କୈଶୋର ର କୋମଳ ପାହାଚ । ନୂତନ କୌତୁହଳ , ଅନୁରାଗର ଗୋପନ ବୀଜ ଅଙ୍କୁରିତ ହେବାର ସମୟ । ଅଦ୍ଭୁତ ଏକ ଅନୁଭବ । ଉଡିବାର ଇଚ୍ଛା ଥାଇ ସାଥିରେ ଉଡି ହେଉ ନଥିବ , ଧରିବାର ଇଚ୍ଛା ଥାଇ ହାତରୁ ଖସି ଯାଉଥିବ ଛଟକୀ କଙ୍କି ପରି ମୁହୂର୍ତ୍ତର ଗୁଡ଼ି । 

        ପଞ୍ଚମ ଶ୍ରେଣୀ ର ଦୁଇ ଦୁଇ ଧାଡ଼ିଆ ବେଞ୍ଚରୁ ଦୁଇ ଧାଡି ଝିଅଙ୍ଙ୍କର , ଦୁଇ ଧାଡି ପୁଅଙ୍କର । ଜଣା ଅଜଣା ଅନେଜ କଥା କିଛି କିଛି ଆଖିରେ ପଡ଼େ କିଛି ପଡେନି । ସାଙ୍ଗ ମାନେ କିଛି ଚୁପଚୁପ କୁହନ୍ତି ହେଲେ ତା ବି ଅଧା । କୌଣସି କଥାକୁ ସଠିକ ବିଶ୍ଳେଷଣ କରିବାର ସମୟ ନଥିଲା ସେତେବେଳେ । ସେଇ ସମୟରେ ମଧ୍ୟ ବୟସରେ ଟିକେ ବଡ଼ ପୁଅମାନେ ଟିକେ ଚାହିଁ ଦିଅନ୍ତି । ଇସାରାରେ କିଛି କଥା ହେବାର ଦକ୍ଷତା ଦେଖାନ୍ତି । ଝିଅମାନେ ଆଗରୁ ଧୁରନ୍ଧର ଏଥିରେ । କିନ୍ତୁ ମୋ ଦୁନିଆ ସମ୍ପୂର୍ଣ୍ଣ ଅଲଗା । କେବଳ ବହି ଆଉ ବହି । ଗପବହି ଖଣ୍ଡେ ମିଳିଲେ ମୋ ଚାରିପାଖ ପୃଥିବୀରେ କିଛି ଘଟେ ଏକଥା ମୁଁ ଜାଣି ପାରେନି । 

       ସମାନ ସମୟରେ ସ୍କୁଲ ଶେଷ । ଦଶମ ପରୀକ୍ଷା ପରେ ଦେହ ମନରେ ପ୍ରଜାପତି ଉଡି ବୁଲେ । ପ୍ରକୃତିର ନିୟମ ରେ ବସନ୍ତ ଆସିଯାଏ ଷୋହଳ ବର୍ଷରେ । ୟା ଭିତରେ ଦଶମ ଯାଏ ଏକାଠି ପଢିଥିଲେ ମଧ୍ୟ ମୁଁ କିଛି ଅନୁଭବ କରି ନଥିଲି , କେବଳ ସାଙ୍ଗ ପରି କଥାବାର୍ତ୍ତା ଅଳ୍ପ କିଛି । ବହି ଦେବାନେବା ଏତିକିରେ ସୀମିତ । 

       କିନ୍ତୁ କଲେଜ ଟିକେ ଭିନ୍ନ । ସେକ୍ସନ ଅଲଗା ଥିଲେ ମଧ୍ୟ କ୍ୟାମ୍ପସ ରେ ଦେଖା ହେବା ସ୍ବାଭାବିକ ଥିଲା । ଚେହେରା ସୁନ୍ଦର ହେତୁ ବିରେନ ପାଇଁ ଅନେକ ଝିଅ ଆକର୍ଷିତ ଥିଲେ । ଲମ୍ବା କରିଡର ଦେଇ ଯିବା ଆସିବା କଲାବେଳେ ଅନେକ ବାର ଦେଖା ହୁଏ । କମେଣ୍ଟ ମାରିବା , ହୁଇସିଲ ବଜେଇବା ଆଦି ନାନା ବଦଭ୍ୟାସ ଥିଲା ତାର  । ଏସବୁ ପ୍ରତି ମୋର ପ୍ରବଳ ଆଲର୍ଜି । ତାକୁ ଦେଖିଲେ ମୁଁ ମୁହଁ ବୁଲେଇ ନିଏ ।

        ତଥାପି ମୁଁ ବସୁଥିବା ସିଟ୍ କଡ଼ ଦେଇ ଯିବା ଆସିବା କରିବା , ସାମ୍ନା ବିଲ୍ଡିଙ୍ଗ ରେ ଠିକ ମୋ ସିଧାରେ ଠିଆ ହୋଇ ରହିବା ଯେ ମୋ ଆଖିରେ ପଡୁନଥିଲା ସେକଥା ନୁହେଁ । କିନ୍ତୁ ମୋ ଭଳି ପାଠମନସ୍କ ଆଉ ଗ୍ରନ୍ଥକୀଟ କୁ ସେସବୁର କିଛି ଫରକ ପଡୁନଥିଲା ।

         ଏବେ ମନେ ପଡୁଛି ଦିନେ ବୀରେନ ଏକ ଅଜବ କାରନାମା କରିଥିଲା । ସୁନ୍ଦର ରକ୍ତ ଗୋଲାପ ର ଅଧାଫୁଟା କଢଟିଏ ଛାତି ପକେଟ ରେ ମାରି କଲେଜ ଆସିଥାଏ ସେ । ଲେଡିସ୍ କମନ୍ ରୁମ ସାରା ଅସରନ୍ତି ଚର୍ଚ୍ଚା , କାହାପାଇଁ ସେ ଫୁଲ ? ଏଣେ ବିଦ୍ୱେଷ ରେ ମୋ ଭିତରଟା ପିତା । ପାଠ ପଢୁଛନ୍ତି ନା ଫିଲ୍ମ କରିବାକୁ ଆସୁଛନ୍ତି ?? ବଜାରୀ , ବାରବୁଲା ଟା । ତା ବଡ଼ଭାଇଙ୍କ ପ୍ରତି ମୋ ଭିତରେ ଅଜସ୍ର ସମ୍ମାନ , ଯେମିତି ସୁନ୍ଦର ସେତିକି ଭଦ୍ର ଓ ଅମାୟିକ । ହେଲେ ଇଏ ବିପରୀତ । ସେ ଗୋଲାପ ସେମିତି ସାରା ଦିନ ପକେଟ ରେ ମାରି ବୁଲିଲା ସେ । ରିସେସ ରେ ଶୁଣିଥିଲି , ସିଏ କାଳେ କହୁଥିଲା ," ନେଲାବାଲି ଚାହିଁଲେ ସିନା ଦିଅନ୍ତି ।" ମନେମନେ ଭାବୁଥିଲି , ପୋଡ଼ାମୁହାଁ ଟା କାହା ଭାଗ୍ୟରେ କେଜାଣି ??

         ତା ପରଦିନ ଦେଖିଥିଲି ଠିକ ମୋ ସିଟ ପାଖ ଝରକା କଡ଼ରେ ଥୁଆ ହେଇଥିଲା ଗୋଲାପ ଟି । ଅନ୍ୟମନସ୍କ ଭାବେ ଉଠାଇ ଆଣିଥିଲି ମଉଳା ଗୋଲାପଟିକୁ । ରଖିଦେଇଥିଲି ଡାଏରୀ ର ପଛ ପଟ କଭର ଭିତରେ ଏବଂ ଭୁଲି ଯାଇଥିଲି । ତା ପରର କଥା ସେତେ କିଛି ଖାସ ନଥିଲା । ଯେତେଥର ସମ୍ନାସାମ୍ନି ହେଇଛୁ ମୁଁ ଏଡେଇ ଯାଇଥିଲି ତାର ପ୍ରଶ୍ନିଳ ଚକ୍ଷୁ କୁ । କଲେଜ ର ଫେଆରୱେଲ ଫଙ୍କ୍ସନ ରେ ସେ ଗାଇଥିବା ସେଇ ଗୀତ ଏବେ ବି ମନେ ଅଛି , ....ଯାହାକୁ ମୁଁ ଏତେ ଭଲ ପାଉଛି ,ତା ପାଇଁ ଆଜି ଗୀତ ଗାଉଛି ........." । ମୋ ଭିତରେ କିଛି ଭାବାନ୍ତର ହିଁ ନଥିଲା ସେତେବେଳେ । 

       ଆନୂଆଲ ଏକ୍ସାମ ପରେ ଯିଏ ଯେଝା ରାସ୍ତାରେ । କିଛିଦିନ ଅବଶ୍ୟ ସେ ମୁଁ ରହୁଥିବା କଲୋନୀ ରାସ୍ତାରେ ଏପଟ ସେପଟ ହେଇଥଲା କିନ୍ତୁ , ବାପାଙ୍କ ଧମକରେ ସେତକ ମଧ୍ୟ ବନ୍ଦ ହୋଇଗଲା ।

        ୟାପରେ ଜୀବନ ବହିଗଲା ନୂଆ କାହାଣୀକୁ ସାଥିରେ ନେଇ । ଏମିତି କିଛି ଖବର ରଖି ନଥିଲି ତାର । ଉଡା ଖବର କିଛି କିଛି କାନରେ ପଡିଥିଲା , ଅର୍କେଷ୍ଟ୍ରା ଦଳଟିଏ କରିଛି ..... ଯାତ୍ରା ପାର୍ଟି ରେ ଅଛି  ..ତେବେ କେଉଁଠି ତା ମୁଁ ଜାଣିନଥିଲି । କହିବା ବାହୁଲ୍ୟ ମୋ ସଂସାର ଜଞ୍ଜାଳ ମତେ ଭାବିବାଜୁ ହିଁ ଦେଇନଥିଲା । ଓଃ - - - - - - -।

      --ହାଲୋ - - - ସେପଟରୁ ଅନିମା କହୁଥିଲା । ତୁ କୁଆଡେ ହଜିଗଲୁ ନା କ'ଣ   ? ସେତେବେଳୁ ମୁଁ ହାଲୋ ,ହାଲୋ କହୁଛି । 

     -- ଓଃ , ସରି . ... ହଁ , କହ , କଣ ହେଇଥିଲା ତା'ର ? 

    -- ଠିକ ଜାଣିନି । ହୁଏତ ହାର୍ଟ ଫେଲିଓର । ସ୍ତ୍ରୀ ଛାଡି ଚାଲିଗଲା ପରେ ପ୍ରଚୁର ଡ୍ରିଙ୍କ କରୁଥିଲା । ହେଲେ ଯାହା ହେଲା ଭଲ ହେଲାନି । 

       -- କାହିଁକି ? 

      -- ଆରେ ଆମେ ସବୁ ତତେ ଏତେ ଦିନ ପରେ ଖୋଜି ପାଇଲୁ । ତୋର କିଛି ଖବର ନଥିଲା । ଏକାଠି ଗେଟ ଟୁ ଗେଦର ଅନେକ ବାର କରିଛୁ । ହେଲେ ତୁ ନଥିଲୁ । ଏଥର ତୁ ସାମିଲ ହୋଇଥାନ୍ତୁ । ସିଏ ଅର୍କେଷ୍ଟ୍ରା ଆଣିଥାନ୍ତା ସବୁଥର ପରି । 

        -- ହୁଁ ............ ହଉ ରଖୁଛି କହି ଅନ୍ୟମନସ୍କ ଭାବେ ଉତ୍ତର ଦେଇ ଫୋନ ରଖିଲି ମୁଁ ।

     ଭାବୁଥିଲି ଏଇ କେଇଦିନ ତଳେ କାହିଁକି କେଜାଣି ସିଏ ବହୁତ ମନେ ପଡୁଥିଲା । ସିଏ କ 'ଣ ମତେ ମନେ ପକଉଥିଲା ? କଣ ଥିଲା ସଂଯୋଗ ??? ଉପର ଘରକୁ ଯାଇ ବହି ଥାକରୁ କାଢି ଆଣିଲି ସେଇ ନୀଳ ରଙ୍ଗର ଡାଏରୀଟିକୁ । ମୋର ପ୍ରଥମ କବିତା ର ଶବ୍ଦ ସବୁ ସେଥିରେ ସାଇତା । ତା ପଛପଟ କଭର ଖୋଲିବାରୁ ଖସି ପଡିଲା ଶୁଷ୍କ ଗୋଲାପଟିଏ । ଯାହା ବୀରେନ ପରି ମୃତ ହୋଇ ପଡ଼ିଥିଲା । 


    ଉଠାଇ ଆଣିଲି ଗୋଲାପଟିକୁ । ଝରଝର ହୋଇ ଝରି ପଡ଼ିଲା ଗୋଲାପ । ଏତିକିବେଳେ ମନେ ପଡ଼ୁଥିଲା ବହୁଦିନ ତଳେ କଥା ହେଲା ବେଳେ ରବିନ କହୁଥିଲା , " ତତେ ଲାଇନ ମାରୁଥିଲା ବିରେନ କଲେଜ ପଡ଼ିଲା ବେଳେ । ହେଲେ ତୁ ତାକୁ ଆଡ଼ ଆଖିରେ ଚାହିଁଲୁନି । " 

      ମୁଁ ହସିଦେଇ କହିଥିଲି ,"ସେ ସବୁ ପଛଦିନର କଥା । ଏବେ ଆମେ ସବୁ ବୟସ ର ଶେଷ ପାହାଚରେ । ଯାହା ବହି ଯାଇଛି ତାକୁ ପଛକୁ ଫେରେଇ ଲାଭ କଣ ? "

      କି ଏକ ଅବ୍ୟକ୍ତ ବେଦନାରେ ମୋ ଭିତର ରୁନ୍ଧି ହେଇ ଯାଉଥାଏ । ସତରେ କଣ କାହାର ଆଜୀବନ ନାୟିକା ହୋଇ ରହିବାରେ ଆନନ୍ଦ ଥାଏ ? ଏ ପରିଣତ ବୟସରେ ଯାହା ମୁଁ ସାକ୍ଷାତ ରେ ଜାଣି ଖୁସି ହେଇଥାନ୍ତି । ଗୋଲାପ ଗୁଣ୍ଡକୁ ଗୋଟାଇ ଆଣୁ ଆଣୁ ମନକୁ ମନ କହୁଥିଲି --- ସତରେ ଭଲ କଲୁନି ବିରେନ । ଥରଟିଏ ପଚାରିବାର ସୁଯୋଗ ବି ଦେଲୁନି । ଏଇଥର ଦେଖା ହେଇଥିଲେ ମୁଁ ନିଶ୍ଚୟ ପଚାରିଥାନ୍ତି - - ତୁ କ'ଣ ସତରେ ମତେ ଭଲ ପାଉଥିଲୁ ?????? 


 


Rate this content
Log in

Similar oriya story from Romance