Rasmita Dixit

Romance Tragedy Others

3  

Rasmita Dixit

Romance Tragedy Others

ସରପ୍ରାଇଜ

ସରପ୍ରାଇଜ

6 mins
251


  

    ଜାନୁଆରୀର ଏଇ ଫେରନ୍ତା ଶୀତରେ ବି ଏତେ ଶିହରଣ , ଏତେ ଉନ୍ମାଦନା ! ପୂର୍ବ ନିର୍ଦ୍ଧାରିତ ପାର୍କର ସାମ୍ନା ଗେଟ ଅତିକ୍ରମ କରିବା ପରେ ଚାରିପଟେ ଆଖି ବୁଲେଇ ଆଣିଲା ସ୍ମରଣୀକା । ଖୋଜୁଥିଲା ଗତ ଦୁଇବର୍ଷ ତଳେ ଅନେକ ସମୟ ବିତେଇ ଥିବା ସେଇ ସିମେଣ୍ଟ ବେଞ୍ଚ ଓ ସେ ପାଖରେ ମୂକସାକ୍ଷୀ ଭାବେ ଠିଆ ହୋଇଥିବା କୃଷଚୂଡ଼ା ଗଛଟିକୁ । ଏତେ ଭିଡ଼ ନଥିଲେ ବି କିଛି ଲୋକ ଓ ପ୍ରେମୀ ଯୁଗଳ ଏପଟ ସେପଟ ହେଉଥିଲେ । ସେ ଏ ସହର ରେ ଦୁଇବର୍ଷ ହେଲା ରହିଛି ସତ କିନ୍ତୁ ସମସ୍ତେ ପ୍ରାୟ ଅପରିଚିତ ଏଇଠି । ତାର ସେଇ ପୂର୍ବ ପରିଚିତ ସିମେଣ୍ଟ ବେଞ୍ଚ ଉପରେ ବସିପଡି ସ୍କାର୍ଫ୍ଟିଟିକୁ ଆଣି ମୁଣ୍ଡରେ ଭିଡି ଦେଇ ହାତଘଣ୍ଟା କୁ ଚାହିଁଲା । ଆହୁରି କୋଡିଏ ମିନିଟ ବାକି ।

          କାଳେ କିଛି ମେସେଜ ଥିବ ଭାବି ମୋବାଇଲ୍ ର ହ୍ଵାଟ୍ସଆପ୍ ଅନ୍ କଲା ସ୍ମରଣୀକା ।

         ଉଁ ..... ନା ...... କିଛି ମେସେଜ ନାହିଁ। ସବୁବେଳେ 

କେଆର୍ ଲେସ ଅନୁରାଗ , ଏଇଠି ତ ଦେଖାହେବାକୁ ନିଜେ କହିଥିଲା ତା ତରଫରୁ । ହେଲେ କାଲି ମେସେଜଟିଏ ଛାଡି ଦେଇ ବାବୁ ଗାଏବ । ନା ଫୋନ ନା ଆଉ ମେସେଜ । ....... ଧେତ୍ ତେରିକା  ............। ଅପେକ୍ଷା କରିବା ଖୁଵ କଷ୍ଟ , ସମୟ ଟା ଉଡିଯାଆନ୍ତାନି ଡେଣା ଲଗେଇ । ନିଶ୍ଚିତ ପ୍ରାପ୍ତି କେଇ ଗଜ ଦୂରରେ ଥିଲାବେଳେ ଅପେକ୍ଷା ର ମୁହୂର୍ତ୍ତଟିଏ ବି ଲମ୍ୱା ପ୍ରହର ପରି ଲାଗେ । ବ୍ୟସ୍ତ ହୋଇ ପାର୍କର ଚାରିଆଡେ ନଜର ପକେଇଲା ସ୍ମରଣୀକା । ଋତୁକାଳୀନ ଫୁଲରେ ପାର୍କଟି ପୁରି ଉଠିଛି। ହାଲକା ବାସ୍ନା ପବନରେ , ସ୍ନାୟୁ ରେ ବିଚିତ୍ର ଏକ କମ୍ପନ ଅନୁଭବ କଲା ସେ । ଆଗରୁ ଏପରି କେବେ ଲାଗିନି । 

         ଏମିତି ବି ନୁହେଁ ସେ ଅନୁରାଗକୁ ପ୍ରଥମ ଥର ଭେଟୁଛି । ଦୁଇବର୍ଷ ତଳେ ଅନେକ ଥର ଦୁହେଁ ଏଇଠି ସାକ୍ଷାତ କରିଛନ୍ତି । ଏଣୁତେଣୁ ଅନେକ ଗପିଛନ୍ତି , କେବଳ ହୃଦୟର ସାତ ସିନ୍ଦୁକରେ ଥିବା ଗୁପ୍ତ କଥାଟିକୁ ଖୋଲିପାରିନାହାନ୍ତି । 

        ମନେ ଅଛି ସ୍ମରଣୀକା ର ......ଯେତେବେଳେ ତାକୁ ଜବ୍ ମିଳିଥିଲା ଏଇ ଛୋଟିଆ ସହରରେ କିଛି ନ ଭାବି ପରିବାର ର ଶତ ବାରଣ ସତ୍ତ୍ୱେ ଜଏନ କରିଥିଲା ସେ । ମା' ଖୁଵ ବ୍ୟସ୍ତ ହୋଇପଡିଥିଲା । ଛୋଟ ସହର ରେ ଭବିଷ୍ୟତ ର ଲମ୍ବା ଯାତ୍ରା ଆରମ୍ଭ କରିବା ନିଷ୍ପତ୍ତି କୁ ଗ୍ରହଣ କରିନଥିଲା ତାର ମା ' । କିନ୍ତୁ , ଧୀରେ ଧୀରେ ସବୁକିଛି ସହଜ ହୋଇ ଉଠିଲା , ଏଠି ରହିବା ଓ ଚାକିରୀ ଦୁଇଟି ଯାକରେ ତାର ମନ ଲାଗିଗଲା । ସେତିକି ବେଳେ ଏଇ ଛୋଟ ସହର ରେ ଅପରିଚିତ ସ୍ଥାନରେ ଘରଟିଏ ମିଳିବା ଚିନ୍ତାରେ ଥିଲାବେଳେ ତାରି ଅଫିସ କୁ କିଛି କାମରେ ଆସିଥିବା ଅନୁରାଗ ସହ ଅପ୍ରତ୍ୟାଶିତ ଭାବେ ତାର ପ୍ରଥମ ସାକ୍ଷାତ ହୋଇଥିଲା । 

    ଦ୍ବିତୀୟ ଥର ସେ ଭେଟିଥିଲା ଅନୁରାଗକୁ ସେ ରହୁଥିବା ଭଡାଘରର ଠିକ ସାମ୍ନାସାମ୍ନି ଗଳି ରାସ୍ତାରେ ।

      --ଆରେ ଆପଣ!!ଏଠି ??? ଅନୁରାଗର ପ୍ରଶ୍ନ ଉଦ୍ଦିଷ୍ଟ ଥିଲା ସ୍ମରଣୀକା ପାଇଁ ।

   ...... ହଁ , ମୁଁ ଏଇଠି ଘର ଭଡା ନେଇଛି ।

   ----ତାହେଲେ ଏବେ ଆପଣ ଆମ କଲୋନୀ ର ନୂଆ ଅତିଥି । ମୋ ଘର ବି ଏଇ କଲୋନୀରେ । ଭଲ ଲାଗିଲା ଆପଣଙ୍କୁ ଏଇଠି ଦେଖି । 

      ତାପରେ ଯିବା ଆସିବା ରାସ୍ତାରେ ଦେଖାସାକ୍ଷାତ , ପରିଚୟ ଆଦାନ ପ୍ରଦାନ ରୁ ମୋବାଇଲ୍  ନମ୍ବର ଦିଆନିଆ । ଥରେ କଥା ର ଖିଆ ଲମ୍ବିଲା ପରେ ଶେଷ ହେଲା ପାର୍କର ଏଇ ବେଞ୍ଚରେ , ପ୍ରତି ରବିବାର ର ସନ୍ଧ୍ୟାରେ । 

        ବେଶ ମନେଅଛି ସ୍ମରଣୀକା ର ଟିକେ ଟିକେ କଥା ରେ ଜୀବନକୁ ଯୋକ୍ ରେ ନେଉଥିବା ବିନ୍ଦାସ ଅନୁରାଗ କିନ୍ତୁ ଗୋଟିଏ କଥାରେ ଭିନ୍ନ ଥିଲା । ସ୍ମରଣୀକା କରୁଥିବା ମେସେଜ ର ଉତ୍ତର ଦେବା ପରିବର୍ତ୍ତେ କଲ୍ କରି କଥା ହେବାକୁ ପସନ୍ଦ କରୁଥିଲା ସେ । ସ୍ମରଣୀକା ଲମ୍ବା ଚିଠି ହେଲାବେଳେ ଅନୁରାଗ ରେଡ଼ିଓ ଷ୍ଟେସନ । ତା'ର ମତ ହେଲା ଆଙ୍ଗୁଠି କୁ କଷ୍ଟ ଦେବା ଅପେକ୍ଷା ପାଟିକୁ କଷ୍ଟ ଦେବା ଭଲ । ଶବ୍ଦ ସବୁ ନୀରବ ରୁ ସରବ ହେଲାପରେ ଖୁବ ଶ୍ରୁତିମଧୁର ଲାଗେ । 

         ମନକୁ ମନ ହସିଦେଲା ସ୍ମରଣୀକା । ତାର ପୁରିଲା ଗାଲରେ ଛୋଟ ଭଉଁରୀଟିଏ ଖେଳିଗଲା । ସେମାନଙ୍କ ଭିତରେ ଛୋଟ ଛୋଟ କଥାବାର୍ତ୍ତା କେତେବେଳେ ବନ୍ଧୁତା ରୁ ପ୍ରେମ ରେ ପରିଣତ ହେଲା ସେକଥା ଦୁହେଁ ବି ଜାଣି ପାରିନଥିଲେ । ଉଭୟେ କିନ୍ତୁ ଖୁଵ ହୁସିଆର ଥିଲେ । ହୃଦୟ ର କଥା କିଏ ଆଗ କହିବ ସେଇ ଅପେକ୍ଷା ରେ ।

           ଦଲକାଏ ଥଣ୍ଡା ପବନ ଛୁଇଁଗଲା ସ୍ମରଣୀକା କୁ । ଆଜି ପ୍ରସ୍ତୁତ ହେଇ ଆସିଛି ସେ । ହୃଦୟ ସେପ୍ ରେ ଲେଖା ହେଇଥିବା " ମୁଁ ତୁମକୁ ଭଲପାଏ " ଏତିକି ଶବ୍ଦକୁ ନବବର୍ଷ ର ଉପହାର ରୂପେ ଖୁଵ ଯତ୍ନ ରେ ଲେଖି । କଳ୍ପନା ରେ ରୋମାଞ୍ଚିତ ହୋଇ ଉଠିଲା ସେ । ସେଇ ମୁହୂର୍ତ୍ତ ଟି ପାଇଁ ଧୈର୍ଯ୍ୟ ନଥିଲା ଆଉ । 

         ଯେବେଠୁ ଅନୁରାଗ ଟ୍ରେନିଂ ପାଇଁ ସହର ଛାଡି ଯାଇଛି ସେବେଠୁ ସ୍ମରଣୀକା ଏଇ ପାର୍କ କୁ ଆସିବା ବନ୍ଦ କରି ଦେଇଥିଲା । ଘରୁ ବାରମ୍ବାର ମା' ର ଫୋନ୍ ଆସୁଥିଲା , "ତୁ ସେଟଲ ହେଲୁଣି ।ବହୁତ ପ୍ରସ୍ତାବ ଆସୁଛି । ତୁ କହିଲେ ଆମେ ହଁ କରିବୁ ।" କିଛି ନା କିଛି ଆଳରେ ଟାଳି ଆସିଛି ଆଜିଯାଏ । ହେଲେ ଆଉ ନୁହେଁ । ଅନୁରାଗ ପାଖରୁ ଉତ୍ତର ପାଇଲା ପରେ ମା'କୁ ଜଣେଇ ଦେବ । 

          କେମିତି ଦେଖାଯାଉଥିବ ଅନୁରାଗ ? ଯେତେ ଫୋଟୋ ରେ ଦେଖିଲେ ବି ସାମ୍ନାସାମ୍ନି ଦେଖା ହେବାର ଅନୁଭବ ଅଲଗା । ବେଞ୍ଚ ଉପରେ ହାତ ବୁଲେଇ ଆଣିଲା ସ୍ମରଣୀକା । ହୃତସ୍ପନ୍ଦନ ଦ୍ରୁତ ହୋଇ ଉଠୁଥିଲା । ହାଲକା ଶୀତ ରେ ବି ଝାଳେଇ ଗଲା ସେ । ସତରେ ଏଇ ଜାନୁଆରୀ ଟା ଗୋଟେ ମିଠା ମୋହର ଛୁଆଁ । ଦୁଇ ଅପରିଚିତଙ୍କୁ ପରିଚିତ ସମ୍ପର୍କର ବନ୍ଧନରେ ଛଂଦି ଦେବାର ଅଦ୍ଭୁତ କ୍ଷମତା ଅଛି ଏଇ ମାସର । ପାର୍କ ରେ ଫୁଟିଥିବା ବିଭିନ୍ନ ଫୁଲର ମିଠା ବାସ୍ନା ନାକରେ ବାଜୁଥିଲା ତାର । ଲାଗୁଛି ଯେମିତି ସାରା ପରିବେଶ ସୁରଭିତ ହୋଇ ଉଠିଛି ଅଜଣା ମହକରେ । ଖୋଲି ଦେଖିଲା ତା ଉପହାର କୁ । ଉପହାର ର ଗୋଲାପ ଚିତ୍ରରେ ଯେମିତି ନିଜ ହୃଦୟ ଫୁଟି ଉଠିଛି । 

          ଅନୁରାଗର କଳ୍ପନା ରେ ଲଜ୍ଜାରେ ଆରକ୍ତ ହୋଇ ଉଠୁଥିବା ସ୍ମରଣୀକା ପାଲଟି ଯାଉଥିଲା ରକ୍ତ ଗୋଲାପଟିଏ , ଯିଏକି ବୃନ୍ତଚ୍ୟୁତ ହୋଇପଡିବ ଅନୁରାଗର ଉପସ୍ଥିତିରେ। 

       ହାତ ଘଂଟାକୁ ଚାହିଁଲା , ଓଃ ଆହୁରି ପାଞ୍ଚ ମିନିଟ ବାକି ଅଛି । ତେବେ ଏତେ ବେଳ ହେଲାଣି ସେ କେବଳ ଭାବୁଛି । ପାର୍କର ବ୍ରବେଶ ଦ୍ୱାରକୁ ଚାହିଁଲା ସ୍ମରଣୀକା । କାଳେ ଅନୁରାଗ ଆସୁଥିବ । କେବେ ମେସେଜ କରୁନଥିବା ଅନୁରାଗ କାଲି ମେସେଜ କରିଥିଲା ," ଆମ କମିଙ୍ଗ ଟୁମରୋ । ସେଇ ପାର୍କ , ସେଇ କୃଷ୍ଣଚୁଡା ଗଛ ମୂଳର ସିମେଣ୍ଟ ବେଞ୍ଚ ...... ଠିକ ସନ୍ଧ୍ୟା ବେଳେ ଦେଖାହେବା । ଦେୟାର ଇଜ ଏ ସରପ୍ରାଇଜ ଫର ୟୁ।" 

କାଲିଠୁ ସେଇ ମେସେଜ କୁ ବୋଧେ ଶହେ ଥର ପଢି ସାରିଲାଣି ସେ , ହେଲେ ମନ ବୁଝୁନି । 

       ......କମନ୍ ଅନୁରାଗ !!!ଶୀଘ୍ର ଆସ । ହୃଦୟ ର ପ୍ରଥମ ଓ ଶେଷ କଥା କୁ ପ୍ରକାଶ କରିବାର ଉତ୍ସୁକତା ରେ ମୁଁ ଆଜି ଶବ୍ଦହୀନ ହୋଇ ପଡିଛି । ଅନେକ ବେଳୁ ଭାବୁଥିବା କଥା ସବୁକୁ କେମିତି କହିବି ଭାବି ପାରୁନି । ଫୋନ ରେ ଏତେ ଗପୁଥିବା ତୁମର ପ୍ରତିକ୍ରିୟା କିପରି ହେବ ?ଜାଣିବାର ଅଧିରତାରେ ମୋର ଗଳା ଶୁଖିଯାଉଛି । ହାତ, ପାଦ ସେମାନଙ୍କର କ୍ଷମତା ହରେଇ ସାରିଲେଣି । ମତେ ଲାଗୁଛି ମୋର ଯେମିତି ଓଜନ ନାହିଁ । ଏଇ ମୁହୂର୍ତ୍ତରେ ମୁଁ ପଡିଯିବି କିମ୍ବା ଉଡିଯିବି । 

      ଧୈର୍ଯ୍ୟ ହରା ହୋଇ କଲ୍ କଲା ସ୍ମରଣୀକା । ସକାଳୁ ଫୋନ୍ ଉଠାଉ ନଥିବା ଅନୁରାଗ ଏଥର ଫୋନ୍ ରିସିଭ କଲା । କିନ୍ତୁ , "ହାଲୋ "କହୁ କହୁ ସେପଟୁ ଫୋନ କଟିଗଲା । ବିରକ୍ତରେ ଫୋନ୍ ଫୋପାଡ଼ିଦେଲା ସ୍ମରଣୀକା । ଏତେ ଜଳେଇବାର ମାନେ କଣ ? ଥରେ କଲ୍ କଲେ ବକର ବକର ବନ୍ଦ ହୁଏନି ଅଥଚ ଏବେ କାଟି ଦେଲା !! ହୁଁହଃ........ଅଭିମାନ ରେ ମୁହଁ ମୋଡିଲା ସ୍ମରଣୀକା ।

      ସମୟ ପାଖେଇ ଆସୁଥିଲା ।ପୁଣି ଥରେ ମୋବାଇଲ ଉଠାଇ ଆଣି ଅନୁରାଗକୁ କଲ୍ କଲା ସ୍ମରଣୀକା , ଲମ୍ବା ରିଂ ସତ୍ତ୍ୱେ ରିସିଭ କରୁନଥିଲା ଅନୁରାଗ । ଏଥର ଅସ୍ଥିର ଭାବରେ ପାର୍କର ଗେଟ ଆଡ଼କୁ ଚାହିଁଲା ସେ । ପାର୍କରେ ଥିବା ଲୋକମାନେ ସେଇ ଆଡ଼କୁ ଦ୍ରୁତ ଗତିରେ ଯାଉଥିବାର ଦେଖିଲା ସ୍ମରଣୀକା । ଗହଳି ବଢ଼ୁଥିବାର ଦେଖି ସେ ମଧ୍ୟ ଆଗେଇ ଗଲା ସେଇ ଦିଗକୁ । ଭିଡ଼ ଆଡେଇ ଆଗକୁ ଯାଇ ଯାହା ଦେଖିଲା ସେଥିରେ ତାର ହୃଦୟ ଧକ୍ କରି ରହିଗଲା । ହାତରୁ ଖସିପଡ଼ିଲା "ମୁଁ ତୁମକୁ ଭଲପାଏ " ଲେଖାଥିବା କାର୍ଡ ଖଣ୍ଡିକ । 

         ପାର୍କ ସାମ୍ନା ରାସ୍ତା ରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲା ଅନୁରାଗର ଶରୀର । ଖଣ୍ଡେ ଦୂରରେ ଛିଟିକି ପଡିଛି ମୋବାଇଲ , ଯାହା ବାଜୁଥିଲା । ସ୍ମରଣୀକା ଚାହିଁଲା ତା ଫୋନ୍ କୁ । ତାରି ଫୋନ୍ ରୁ ହିଁ କଲ୍ ଯାଉଛି । 

     ସେଇଠି ବସି ପଡ଼ିଲା ସେ ରାସ୍ତାରେ ଅନୁରାଗର ଡେଡ଼ ବଡି ପାଖରେ । କାନରେ ବାଜୁଥିଲା ........ଲୋକମାନେ କୁହାକୁହି ହେଉଥିଲେ --- ବାଇକ୍ ସ୍ପୀଡ଼୍ ରେ ଥିଲା , ମୋବାଇଲ୍ ଧରିବାକୁ ଯାଇ ନିୟନ୍ତ୍ରଣ ହରାଇ କାର ରେ ପିଟି ହୋଇ ଏ ଅବସ୍ଥା । ବିଚରା ..........ଏ ପିଲାମାନଙ୍କୁ ଯେତେ କହିଲେ କଣ ଶୁଣୁଛନ୍ତି । 

       ଅନୁରାଗର ସାର୍ଟ ପକେଟ୍ ରୁ ବାଁ ପଟକୁ ଖସି ପଡ଼ିଥିଲା ହାର୍ଟ ସେପ୍ ର ଡ଼ବାଟିଏ । ଉଠାଇ ଆଣିଲା ସ୍ମରଣୀକା ।ଖୋଲି ଦେଖିଲା ସୁନ୍ଦର ମୀନାକରା ମୁଦିଟିଏ । ଖସିପଡ଼ିଲା ହାତରୁ ମୁଦିଟି । ଓଃ ......... ଏଇ ତେବେ ଅନୁରାଗର ସରପ୍ରାଇଜ...........। 

     ସ୍ମରଣୀକା ଭାବୁଥିଲା ସବୁବେଳେ ମେସେଜ କରୁଥିଲା ବେଳେ ଆଜି କାହିଁକି କଲ୍ କଲା ସେ ........। ଚାହୁଁଥିଲା କହିବାକୁ ---- ଫେରିଆସ ଅନୁରାଗ .......ପୋଛିଦିଅ ଏ ଘଟଣା କୁ ଜାନୁଆରୀ ର ପୃଷ୍ଠା ରୁ ...... ମତେ ପିନ୍ଧାଇଦିଅ ମୋ ଫେରନ୍ତା ଶୀତ ର ସରପ୍ରାଇଜ .......ସ୍ମରଣୀୟ କରିଦିଅ ଜାନୁଆରୀ କୁ ........ ହେଲେ ... ନା ..... କିଛି ବି ନୁହେଁ .... , ଆର୍ତ୍ତନାଦ କରିବାକୁ ଚାହୁଁଥିଲାବେଳେ ତା ଭିତରୁ କିଛି ସ୍ୱର କିମ୍ବା ଶବ୍ଦ ଆସୁନଥିଲା ବାହାରକୁ । 

      ଅପରିଚିତ ରୁ ପରିଚିତ ପାଲଟିବାକୁ ଯାଉଥିବା ସମ୍ପର୍କ ଶହୀଦ ହୋଇସାରିଥିଲା ଜାନୁଆରୀ ର ଫେରନ୍ତା ଶୀତରେ ........।


Rate this content
Log in

Similar oriya story from Romance