ଲକ ଡାଉନ
ଲକ ଡାଉନ
" ଖାଇବା ବାଢ , ଆସ ! ଏକାଠି ଖାଇବା ।" ଆଶ୍ଚର୍ଯ୍ୟ ଗୋପା !! ସିଦ୍ଧାର୍ଥଙ୍କର ଇଏ କି ପରିବର୍ତ୍ତନ ?
ବାହାଘର ପରେ ଯେବେଠୁ ସିଦ୍ଧାର୍ଥଙ୍କ ସହ ସେ ଏଇ ଆପାର୍ଟମେଣ୍ଟକୁ ଆସିଛି ସମୟ ଆଉ ରୁଟିନ ବ୍ୟତୀତ ଆଉ କିଛି ଜାଣିନି । ସବୁକିଛି ନିୟମରେ ଟିକେ ଏପଟ ସେପଟ ହେବନି। ମାପିଚୁପି ଜୀବନ ବଂଚିବାରେ ବିଶ୍ଵାସ କରୁଥିବା ସିଦ୍ଧାର୍ଥ ଅଫିସ,ପରିବାର , ସମ୍ପର୍କ ସବୁଥିରେ ଲିମିଟେଡ଼ ।
ସମୟ ସମୟରେ ଭୟ କରେ ଗୋପା ।ଅଜାଣତରେ କିଛି ଅଧିକ କଥା ପାଟିରୁ ଖସି ଯିବନି ତ !! କିମ୍ବା ହସିଦେଲେ ଖୁବ ଜୋର ହସିଦେଇନି ତ !! ଏମିତି ତିନି ବର୍ଷ ବିତିଲାଣି ବିବାହର । ନା ବାପଘରକୁ ଯାଇଛି ନା ବାହାରକୁ ବୁଲିଯାଇଛି । ସମସ୍ତଂକୁ କିଛି ନା କିଛି ମିଛ କହି ଟାଳି ଦିଏ ଗୋପା । ସଂସାର କାହିଁକି ଆଗକୁ ବଢୁନି ଏ ପ୍ରଶ୍ନ ଶାଶୁ ଅନେକ ଥର କଲେଣି । କିନ୍ତୁ ଆଉଟିକେ ସେଟଲ ନ ହେବାଯାଏ ଚିନ୍ତା କରିହେବ ନାହିଁ ବୋଲି ରୋକଠୋକ ଜଣାଇଦେଲେ ସିଦ୍ଧାର୍ଥ ।
ସିଦ୍ଧାର୍ଥ ଅଫିସ ଗଲାପରେ ଖୁବ ଏକା ହୋଇପଡେ ଗୋପା । ଏତେବଡ଼ ଘରଟାରେ ସେ ଏକା । ବାଲକୋନି କୁ ଆସି ଆକାଶକୁ ଚାହେଁ ଅନେକ ସମୟ । ଆଖି ପାଇଲା ପର୍ଯ୍ୟନ୍ତ । ସାମ୍ନାର ଡେଙ୍ଗା ପଳାଶ ଗଛଟା ଏବେ ଲଦି ହେଇ ପଡିଛି ପେନ୍ଥା ପେନ୍ଥା ନାଲି ଫୁଲରେ ।ଆକାଶ ପାଖରୁ ଆଖି ପହଁରେଇ ଆଣିଲା ବେଳେ ଗୋପାକୁ ଲାଗେ ଆକାଶ ସତେ ଯେମିତି ମୁଠା ମୁଠା ଅବିର ବୁଣି ଦେଇଛି ପଳାଶ ମୁହଁରେ ।
ଅଜାଣତରେ ଗୋପା ମଧ୍ୟ ଶିହରି ଉଠେ ସିଦ୍ଧାର୍ଥ ବାହୁରେ ହଜିଯିବାର କଳ୍ପନା କରି ।ଗୋରା ଗାଲ ଦୁଇଟିରେ ଉକୁଟି ଉଠେ ଲାଲ ଆଭା । ଏମିତି ଏକ ନିବିଡ଼ ମୁହୂର୍ତ୍ତର ରଙ୍ଗୀନ କଳ୍ପନା ରେ ଜେଜାଣି କେତେବାର ଗୋପା ହଜେ , ପୁଣି ଫେରିଆସେ ଵାସ୍ତବତାକୁ ।
ସିଦ୍ଧାର୍ଥଙ୍କ ସହ ସାଲିସ କରୁକରୁ ଗୋପା ଭାବୁଥିଲା ସିଏ ଯେମିତି ମେସିନ ପାଲଟି ଯାଇଛି । ସିଦ୍ଧାର୍ଥ କ'ଣ। ଆବେଗ ଶୁନ୍ୟ ?? ଏଇ ପ୍ରଶ୍ନ ଆନ୍ଦୋଳିତ କରେ ଗୋପାକୁ ।
ସିଦ୍ଧାର୍ଥ ଅସମର୍ଥ ପୁରୁଷ ନୁହଁନ୍ତି ସେକଥା ସେ ଜାଣେ । କିନ୍ତୁ , ନାରୀ ଯେ ଆନନ୍ଦ ଅନୁଭବ କରେ ମନରୁ , ହୃଦୟରୁ । ଦେହର ଆଳାପ ଠାରୁ ସୋହାଗର କେଇଟି ଶବ୍ଦ ମୁକ୍ତ କରେ ଅସୁମାରୀ ପିଡ଼ାରୁ , ଏକଥା ସିଦ୍ଧାର୍ଥ ହୁଏତ ବୁଝନ୍ତିନି । କେଇ ମିନିଟ ପାଇଁ ଅନ୍ତରଙ୍ଗ ହୋଇ ଶୋଇ ପଡୁଥିବା ସିଦ୍ଧାର୍ଥ ବୁଝିପାରେନାଵ ଗୋପା କ'ଣ ଚାହେଁ ?? ସେ ଅଫିସ ଗଲାପରେ ଗୋପା ଜଳୁଥାଏ ନୀରବତା ଓ ନିସଙ୍ଗତାର ଅଗ୍ନିରେ । ଖୁବ ଅବସନ୍ନ ହୋଇପଡେ ସେ ସମୟରେ ।
ଗୋଟାଏ ଖୋଳ ଭିତରେ ନିଜକୁ ଆବଦ୍ଧ ରଖିଥିବା ସିଦ୍ଧାର୍ଥ କୁ ଗୋପା କେବେ ଦେଖାଇପାରେନା ଆକ୍ବାରିଅମ ଭିତରେ ବଢୁଥିବା ସୁନେଲି ମାଛର ଚଞ୍ଚଳତା , ବାଲକୋନିରେ ନୂଆ କରି ଫୁଟୁଥିବା ଲାଲ ଗୋଲାପ ର ହସ , କେଇଦିନ ହେଲା ସ୍କାଇଲାଇଟ ଖୋପରେ ଆସି ବସା କରିଥିବା ପକ୍ଷୀ ଦୁଇଟିର ସଂସାର ।ଦେଖାଇ ପାରେନା ସେ ପିନ୍ଧିଥିବା କପର ସଲଫେଟ ରଙ୍ଗର ଶାଢୀ ଓ ମ୍ୟାଚିଂ ବ୍ଲାଉସ ରେ ସେ କେତେ ଆକର୍ଷଣୀୟା ଦେଖା ଯାଉଚି । ଅଫିସ ରୁ ଘରକୁ ଫେରିଲେ ଲାପଟପ ରେ ମୁହଁ ଗୁଂଜିଥିବା ସିଦ୍ଧାର୍ଥ ତା ଚାରିପଟେ କଣ ଘଟୁଛି ସେଥିପ୍ରତି ଆଦୌ ନଜର ଦିଏନା । ଅଭିସାରିକା ପରି ନିଜକୁ ସଜାଇଥିବା ଗୋପା ଚାହେଁ ତାକୁ ଦେଖି ସିଦ୍ଧାର୍ଥ ଉଲ୍ଲସିତ ହୁଅନ୍ତା । ତାର ନିଖୁଣ ସୌନ୍ଦର୍ଯ୍ୟ ର ପ୍ରଶଂସା କରନ୍ତା । ଦୁହେଁ କେଉଁଆଡ଼େ ବୁଲିବାକୁ ଯାଆନ୍ତେ । କିଛି ସମୟ ସିଦ୍ଧାର୍ଥ ର ପ୍ରମୋସନ ଓ ଖୁବ ବଡ଼ଲୋକ ହେବାର ନିଶାରୁ ବାହାରି ଯାଇ ଏକାନ୍ତ ନିଜର ସମୟ ବିତାନ୍ତେ । ସକାଳ ସୂର୍ଯ୍ୟ ଠାରୁ ରାତ୍ରୀ ତାରା ଓ ଚନ୍ଦ୍ରମା ପର୍ଯ୍ୟନ୍ତ ବନ୍ଦ ହାତମୁଠାରେ ଛଂଦି ନିଅନ୍ତେ ଆଗାମୀ ଜୀବନ ଯାଏ । ଆଃ !!! - -ସ୍ବପ୍ନ ସବୁ କାହିଁକି ଯେ ସେ ଦେଖେ ଖୋଲା ଆଖିରେ ।
ସିଦ୍ଧାର୍ଥ ଯେ ଅମଣିଷ ସେକଥା ନୁହେଁ ; ବେଶ ଯତ୍ନବାନ ଗୋପା ର ସୁବିଧା ଅସୁବିଧା ପ୍ରତି । ପ୍ରତିଟି ଆବଶ୍ୟକତା ପୂରଣ କରନ୍ତି ତ୍ରୁଟିଶୂନ୍ୟ ଭାବରେ । କେବେ ଅଭିଯୋଗ ମଧ୍ୟ ଶୁଣିନି ତାଙ୍କଠାରୁ କେବଳ ବୁଝିପାରନ୍ତିନି ଆବେଗ ପ୍ରବଣ ଗୋପାର ମନ ତଳ କଥା ! ସେ ଚାହୁଁଥିବା ଅନ୍ତରଙ୍ଗ ସମୟ ଓ ନିବିଡ଼ତାର ଭାଷା । କିନ୍ତୁ ଏଇ କାରଣରୁ ସେ ତ ସିଦ୍ଧାର୍ଥ କୁ ଛାଡି ଚାଲି ଯାଇ ପାରିବନି । ସିଦ୍ଧାର୍ଥ କେବେ ଅବହେଳା କରନ୍ତିନି କିନ୍ତୁ ଭଲ ପାଆନ୍ତି ଏକଥା ବି କେବେ ପ୍ରକାଶ କରିନାହାନ୍ତି । ଏଭଳି ନିସ୍ତରଙ୍ଗ ଓ ସ୍ଥିର ଜୀବନରେ ଗୋପା କ୍ଳାନ୍ତ । ଏତେ ନିର୍ବିକାର ମଣିଷ ପାଖରେ କେମିତି କହିବ ନିଜର କଥା !!!! ସିଏ ଯେ ସିଦ୍ଧାର୍ଥଙ୍କ ସହ ପତି ପତ୍ନୀର ମାନ ଅଭିମାନ , ରାଗ ରୁଷା , ବୁଝିବା ବୁଝାଇବା ର ସମ୍ପର୍କ ଖୋଜୁଛି। ଗେହ୍ଲା ହେବାକୁ , ତାରିଫ ଶୁଣିବାକୁ ତା ଭିତରେ ଗୁଣୁଗୁଣୁ ହେଉଥିବା ଝରଣାର ସ୍ରୋତରେ ସିଦ୍ଧାର୍ଥଙ୍କୁ ଭସେଇ ଦେବାକୁ । ଝୁଣ୍ଟି ପଡିଲେ ନିର୍ଭର ଯୋଗ୍ୟ ଆଶ୍ରୟ ପରି ହାତଟିକୁ ଧରି ନିଅନ୍ତେ । ନିବିଡ଼ ଆଲିଙ୍ଗନ ରେ ଆଉଜେଇ ନିଅନ୍ତେ ଛାତିରେ - - - -ଏତକ ପାଇବାର ଆଶା ଏତେ ବି ତ ବଡ଼ ନୁହେଁ ।
ନିଜ ଭାବନାରୁ ଫେରି ଆସି ଗୋପା ଚାହିଁଲା ସିଦ୍ଧାର୍ଥ ଙ୍କୁ । ଟିଭି ରେ ନିଉଜ ଦେଖୁଥିଲେ ସେ । କେଇଦିନ ହେଲା ବିଶ୍ଵବ୍ୟାପୀ ସଂକ୍ରମଣ ର ଭୟ ଖେଳାଇଥିବା କରୋନା ଭାଇରସ ର ଆତଙ୍କ ଯୋଗୁ ସରକାରଙ୍କ ନିୟମ ମାନି ସିଦ୍ଧାର୍ଥ ଏବେ ଲକ ଡାଉନ ରେ ଘରେ । ଘରୁ ଅଫିସ କାମ ଅପରେଟ କରୁଛନ୍ତି । ବହୁତ ସମୟ ଗୋପା ଏବେ ତାଙ୍କ ଆଖି ଆଗରେ ।
ଏଥର ତାଆଡ଼େ ଚାହିଁ ସିଦ୍ଧାର୍ଥ କହିଲେ , " ଆରେ ଖାଇବା ଆଣ - ସେତେବେଳୁ କହିଲିଣି ।"
" ହଁ , ହଁ ! ଆଣୁଛି ।" କହି ଦୁଇଟି ପ୍ଲେଟ ରେ ଖାଇବା ନେଇ ଆସିଲା ଗୋପା । କିନ୍ତୁ ସିଦ୍ଧାର୍ଥ କହିଲେ , " ଏଇ ଗୋଟିଏ ପ୍ଲେଟ ରେ ଆଣ ଖାଇବା " ।
ଟିକେ ଅଡ଼ୁଆ ଲାଗିଲା ଗୋପାକୁ । ବହୁଦିନ ହେଲାଣି ସେ ଏପରି କେବେ କରିନାହିଁ । ହଠାତ ତା ଭବନରେ ପୂର୍ଣ୍ଣଛେଦ ପକାଇ ସିଦ୍ଧାର୍ଥ କହିଲେ ," ଆରେ ଖାଅ , କେତେବେଳୁ କ'ଣ ଭାବୁଛ !!"
" ନା ସେ କିଛି ନୁହେଁ ।" କହି ଗୋପା ମନ ଦେଲା ଖାଇବାରେ । ଖାଇବା ଭିତରେ ଅନୁଭବ କଲା ସିଦ୍ଧାର୍ଥ ତାକୁ ଦେଖୁଛନ୍ତି । ପ୍ରଥମ କରି ଟିକିଏ ଲାଜ ମିଶା ଅସହଜ ଲାଗିଲା ତାକୁ । ଏମିତି ସାମ୍ନାରେ ତାକୁ ବହୁଦିନ ପରେ ସିଦ୍ଧାର୍ଥ ବୋଧେ ଦେଖୁଥିଲେ । ପ୍ରଶ୍ନ କଲେ ," ନିଜର ଯତ୍ନ ନେଉନ କି ?? ଏତେ ଶୁଖିଲା ଦେଖା ଯାଉଛ ? "
"ତମେ ମତେ କେବେ ଠିକରେ ଦେଖିଥିଲ କି ?", ଅଚାନକ ଅନେକ ଦିନର ଅଭିଯୋଗ ଗୋପା ମୁହଁ ରୁ ବାହାରି ଆସିଲା ।
ଖାଇବା ବନ୍ଦ କରି ଚୁପ ହେଇଗଲେ ସିଦ୍ଧାର୍ଥ । କିଛି ସମୟ ଚାହିଁଲେ ଗୋପାକୁ । ପ୍ଲେଟ ଉଠାଇ ନେଲା ଗୋପା । ନିଜକୁ ଅପରାଧୀ ମଣୁ ଥିଲା ମନେ ମନେ । ତଥାପି କେଉଁଠି କେମିତି ବୋଝଟିଏ ଉତୁରି ଯିବାର ଅନୁଭବ ଟିଏ । ଏକ ଅଦ୍ଭୂତ ହାଲୁକା ପଣ ମଧ୍ୟ ଥିଲା । ଅବଦମିତ ଭାଵନା ପ୍ରକାଶ ହେଇଗଲେ ବୋଧେ ଏମିତି ଲାଗେ ।
ରୋଷେଇ ଘର ସଫା କରୁ କରୁ ତାକୁ ଚମକେଇ ଦେବା ପରି କହିଲେ ସିଦ୍ଧାର୍ଥ ," "କାମ ସାରି ବାଲକୋନୀ କୁ ଆସ । " ଜଡ଼ବତ ଠିଆ ହେଇଗଲା ଗୋପା । ହୃଦୟ ର ସ୍ପନ୍ଦନ ଅସ୍ୱାଭାବିକ ଭାବେ ବଢିଗଲା । ଦେହ ମୁହଁରେ ଗମଗମ ଝାଳ । ରୋଷେଇ ଘରୁ ଲକ୍ଷ କଲା ସିଦ୍ଧାର୍ଥ ଲାପଟପ ବନ୍ଦ କରି ଚେୟାର ନେଇ ଚାଲିଗଲେ ବାଲକୋନି କୁ ।
ରୋଷେଇ ଘର କାମ କ୍ଷିପ୍ରତାର ସହ ସାରି ହାତପୋଛି ବାଲକୋନିରେ ଆସି ପହଁଚିଲା ବେଳକୁ ସିଦ୍ଧାର୍ଥ ଏକଲୟରେ ଚାହିଁଛନ୍ତି ଆକାଶକୁ । ତା ଆସିବା ଜାଣିପାରିଲେ ବୋଧେ ପାଦଶବ୍ଦରୁ । କହିଲେ "ଆସ ବସ " । ପାଖ ଚେୟାର ରେ ବସ " । ପୁର୍ଣ୍ଣମୀ ଜହ୍ନର ରୂପେଲି ଜ୍ୟୋତ୍ସ୍ନା ବିଛେଇ ହେଇ ପଡିଛି ଚାରିଆଡେ ।
ଏତିକି ବେଳେ ସିଦ୍ଧାର୍ଥ ପଚାରିଲେ , " ତୁମେ ପାଉଁଜି ପିନ୍ଧିନ କାହିଁକି ??ବୋକାଙ୍କ ପରି ସିଦ୍ଧାର୍ଥଙ୍କୁ ଚାହିଁରହିଲା ସେ । ଅନେକ ଦିନରୁ ପାଦର ପାଉଞ୍ଜି ଆଉ ହାତରେ ବେଶି ଚୁଡ଼ି ପିନ୍ଧିବା ବନ୍ଦ କରିଦେଇଥିଲା ସେ । ତା ମନ ଭିତରେ କେମିତି କେଜାଣି ଧାରଣା ଟିଏ ଜନ୍ମ ହେଇଥିଲା ଯେ ସିଦ୍ଧାର୍ଥ ଏସବୁକୁ ପସନ୍ଦ କରୁନାହାନ୍ତି ।
ତାକୁ ବିସ୍ମୟ ଭଉଁରୀରେ ପକାଇ ଦେଇ ପୁଣି କହିଲେ ସିଦ୍ଧାର୍ଥ , '" ତୁମେ ହ୍ଵାଇଟ ସିକୁଇନ ବାଲା କଳା ଶାଢୀରେ ଠିକ ରାତ୍ରୀ ଆକାଶରେ ତାରା ମେଳରେ ଚାନ୍ଦ ପରି ଦେଖାଯାଅ । ଆଉ ତୁମ ଗାଲର ଏଇ ମୃଦୁ ଭଉଁରୀ ଯେଉଁଟା ତୁମେ ହସିଲେ ଆହୁରି ଗଭୀର ହୋଇଯାଏ , ତା ସହ ତୁମ ଚିବୁକର କଳାଜାଇ ....ସେତକ ବୋଧେ ତୁମ ସୌନ୍ଦର୍ଯ୍ୟର ଗୁପ୍ତ ରହସ୍ୟ । "
ଆଶ୍ଚର୍ଯ୍ୟ ଗୋପା ! ...ସିଦ୍ଧାର୍ଥ ତାକୁ ଏତେ ଦେଖନ୍ତି । କେତେବେଳେ ଆଉ କେମିତି ? ଅଥଚ ଆଜିଯାଏ ସେ କେବଳ ଅଭିମାନରେ ଏକା ଏକା ଜଳି ଚାଲିଛି !! ଓଃ !! ଇଚ୍ଛା ହେଉଥିଲା ବାଲକୋନୀରୁ ଡେଇଁ ପଡି ବିନା ପକ୍ଷରେ ଉଡ଼ି ଯାଆନ୍ତା ସିଦ୍ଧାର୍ଥଙ୍କ ସହ ।
ଏତିକିବେଳେ ତା ହାତରେ ମୃଦୁ ଚାପ ଦେଇ ସିଦ୍ଧାର୍ଥ କହିଲେ, " ହଁ , କାମର ଚାପ ହେତୁ ମୁଁ ତୁମକୁ ଯଥେଷ୍ଟ ସମୟ ଦେଇପାରିନି । କିନ୍ତୁ ଏବେ ମୁଁ ମୋ ଲକ୍ଷ୍ୟର ପୁରା ପାଖରେ । ଟିକେ ଚାପମୁକ୍ତ ଲାଗୁଚି । ଏତକ ସମୟ ମତେ ମିଳିଛି ଏ କରୋନା ଭାଇରସ ଯୋଗୁ । ନହେଲେ ତ ମୋ ପ୍ରିୟତମା ପତ୍ନୀ ମତେ ହୃଦୟହୀନ , ନରାଧମ , ପାଷାଣ୍ଡ ଭାବୁଥିଲା " କହି ହସିଉଠିଲେ ।
"ହେଃ " କହି ପାଖକୁ ଲାଗିଆସି କାନ୍ଧରେ ମୁଣ୍ଡ ରଖିଦେଲା ଗୋପା । ସିଦ୍ଧାର୍ଥଙ୍କ ଛାତିରେ ହାତ ରଖି ଅନୁଭବ କରୁଥିଲା ନିର୍ବାଣର ସ୍ପନ୍ଦନ । କେହି କହିଥିଲେ , ଅତି ଅମଙ୍ଗଳ ଘଟୁଥିବା ସମୟରେ ମଧ୍ୟ କାହାର ନା କାହାର ମଙ୍ଗଳ ଘଟି ଚାଲିଥାଏ । ବିଶ୍ଵବ୍ୟାପୀ ଆତଙ୍କର ଲହର ଖେଳୁଥିଲା ବେଳେ ତା ଛାତିରେ ଅଫୁରନ୍ତ ସୁଖର ଜୁଆର । ସିଦ୍ଧାର୍ଥ କହିଚାଲିଥିଲେ , " କାଲି ଏ ଗୋଲାପର ଡାଳ କାଟି ସାଇଜ କରିଦେବି । ଆକ୍ବାରିଅମର ପାଣି ବଦଳେଇ ଦେବା । ଆଉ ଏ ପକ୍ଷୀମାନଙ୍କର ବସାକୁ ଆଉ ଟିକେ ବାଗେଇ ଦେବା ଯେମିତି ଖସି ନ ପଡେ " ।
ଗୋପା "ହୁଁ " ମାରି ଆଶ୍ୱସ୍ତିରେ ଘୁମେଇ ପଡିଲା ସିଦ୍ଧାର୍ଥଙ୍କ କାନ୍ଧରେ । ମନେ ମନେ ଭାବୁ ଥିଲା ଏତେ ଦିନେ ବନ୍ଦ ତାଲାଟା ଫିଟିଛି । ଚାବିଟା କୁଆଡେ ହଜି ଯାଆନ୍ତାନି !!!!!