Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Rasmita Dixit

Inspirational

4.5  

Rasmita Dixit

Inspirational

ଆଲୋକିତ ଅନ୍ଧକାର

ଆଲୋକିତ ଅନ୍ଧକାର

8 mins
23.5K


##ଆଲୋକିତ ଅନ୍ଧାର ##

--------- - - - - - - - ----------

      " ଏ ପୁରସ୍କାର ସମସ୍ତ ନାରୀଙ୍କର । ମୋ ପୁସ୍ତକରେ ସ୍ଥାନିତ ପ୍ରତି ନାରୀ ଚରିତ୍ର ର । ମୁଁ କେବଳ ସେମାନଙ୍କୁ ନ୍ୟାୟ ଦେବାକୁ ଚାହିଁଛି ।ନିଜକୁ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ପରିଚୟଟିଏ ଦେବାକୁ ସକ୍ଷମ ହୋଇଥିବା ପ୍ରତ୍ୟେକ ଦୁର୍ବଳ ସ୍ୱର ର, ଯେଉଁମାନଙ୍କୁ ପୁରୁଷ ର ଛାୟା କୁହାଯାଇଛି । ସଫଳ ନାରୀ ପଛରେ ପୁରୁଷ ର ହାତ ଥାଏ ଏକଥା ହୁଏତ କେତେକାଂଶରେ ଠିକ ,କିନ୍ତୁ ସେହି ସଫଳତା ପାଇଁ ନାରୀ ତାର ଦାୟିତ୍ୱ ଓ କର୍ତ୍ତବ୍ୟ କୁ ଜଳାଞ୍ଜଳି ଦିଏ ନାହିଁ। ସବୁ ପରେ ବି ନିଜକୁ ଆଗେଇନିଏ ଲକ୍ଷ ସାଧନ ଦିଗରେ । ଏହି ଅନ୍ତଃସ୍ୱର କୁ ମୁଁ ପ୍ରକାଶ କରିଛି ମୋ ପୁସ୍ତକର ନାରୀ ଚାରିତ୍ରମାନଙ୍କ ମାଧ୍ୟମରେ। ସେଇଥିପାଇଁ ଆଜି ମାନ୍ୟବର ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ "ସ୍ୱୟଂସିଦ୍ଧା" ମହିଳାଶ୍ରମ କୁ ଦାନ କରୁଛି । ବାକି ଅର୍ଦ୍ଧେକ ମୋର ଏକମାତ୍ର କନ୍ୟା ସନ୍ତାନ ଶିଖା ନାମରେ ଉଇଲ କରି ଦେଇଛି । ଏ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର କାର୍ଯ୍ୟ ସରିଛି । ଖୁବ ଶୀଘ୍ର ଏହାକୁ 

ଓକିଲ ମହୋଦୟ ଆଶ୍ରମକୁ ହସ୍ତାନ୍ତର କରିବେ । 

      ଆପଣ ସମସ୍ତଂକୁ ମୋର ସାଦର ପ୍ରଣାମ । " 

     ପ୍ରଚୁର କରତାଳି ରେ ଫାଟି ପଡ଼ୁଥିଲା ଅଡିଟୋରିୟମ । ମଞ୍ଚ ଉପରୁ ଓହ୍ଲାଇ ଆସୁଥିଲା ଲଗ୍ନା , ମିସେସ ଲଗ୍ନା ମହାନ୍ତି .....ସହରର ନାମଜାଦା ଶିଳ୍ପପତି ସମରେଶ ମହାନ୍ତି ଙ୍କର ଧର୍ମପତ୍ନୀ ।

       ଝିଅ ଶିଖା ଦୌଡ଼ିଆସି କୁଣ୍ଢେଇ ପକେଇଲା ଲଗ୍ନା କୁ ।

      " ମାମା ୟୁ ଆର ରିଅଲି ଗ୍ରେଟ ।ଆଇ ଆମ ପ୍ରାଉଡ଼ ଅଫ ୟୁ । ଠିକ ନା ପାପା ? " କହି ସେଲ୍ଫି ନେବାରେ ବ୍ୟସ୍ତ ଥିଲା ଶିଖା । 

     ଦାନ୍ତ କାମୁଡି ବିକଳ ହସ ହସି ଉତ୍ତର ଦେଇଥିଲେ ସମରେଶ ," ହଁ , ହଁ , ତୋ ମାମା ୟା ପରେ ଏଇପରି ମହାନ କାମପାଇଁ ରାଷ୍ଟ୍ରପତି ପୁରସ୍କାର ପାଇବେ । " 

     କାର ରେ ଘରକୁ ଫେରିଲା ବେକେ ବାଟସାରା ପଦଟିଏ 

ବି କିଛି କହିନଥିଲେ ସମରେଶ । ପୋର୍ଟିକୋ ରେ ଗାଡି ରଖି ଘରକୁ ପଶିବା ମାତ୍ରେ ଖୁବ ଜୋର ଗର୍ଜନ କଲେ , "ମତେ ଏସବୁ ଜଣାଇବା ଉଚିତ ନ ଥିଲା ତୁମର ? ହଁ, ଏସବୁ ସମ୍ପତ୍ତି ତୁମ ବାପାଙ୍କର .....ତା ବୋଲି ମୋର କ'ଣକିଛି ନାହିଁ??? ମୋ ମତାମତ ନେବା ଉଚିତ ମନେ କଲନି ???? ଏସବୁକୁ ଆଜି ଯାଏ ମୁଁ ହିଁ ଦେଖାଶୁଣା କରି ଆଜି ଏଇ ଉଚ୍ଚତା ପର୍ଯ୍ୟନ୍ତ ଆଣିଛି ।"

       ଏ ପ୍ରତିକ୍ରିୟା ପାଇଁ ଆଗରୁ ପ୍ରସ୍ତୁତ ଥିଲା ପରି ନିରୁତ୍ତାପ କଣ୍ଠରେ ଜବାବ ଦେଲା ଲଗ୍ନା ," ଆବଶ୍ୟକ ମନେ କଲିନି । ସମ୍ପତ୍ତି ମୋର । ତେଣୁ କ'ଣ କରିବି ନ କରିବି , କାହାକୁ ଦେବି ତୁମକୁ ପଚାରିଥାଆନ୍ତି କାହିଁକି ?"

     --ଆଜିଯାଏ ତ ପଚାରୁଥିଲ !!! ତୁମର ଏ ସଫଳତା କେବଳ ମୋ ଯୋଗୁ । 

    --ଭୁଲ କହିଲ। ରାତି ଅନିଦ୍ରା ହୋଇ ଲେଖିଛି ମୁଁ । ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ମତେ ଆଜି ଏଠିକି ଆଣିଛି । ଏ ପ୍ରଶଂସା, ପୁରସ୍କାର ର ହକଦାର କରିଛି । ତୁମେ କେବଳ ଯାତ୍ରା ପଥରେ ସାହାଯ୍ୟ କରିଛ ।

       -- ତୁମେ ବୋଧେ ଭୁଲିଯାଇଛ , କେହି ଯେତେବେଳେ ତୁମ ବାପାଙ୍କର ପ୍ରଚୁର ସମ୍ପତ୍ତି ଥିବା ସତ୍ତ୍ବେ ତୁମକୁ ବିବାହ କରିନଥିଲେ ତୁମର ଅସୁନ୍ଦରୀ ପଣିଆ ଯୋଗୁ , ସେତେବେଳେ ମୁଁ ହିଁ ଆଗେଇ ଆସିଥିଲି ତୁମକୁ ସିନ୍ଦୁର ର ଅଧିକାର ଦେବା ପାଇଁ ।

      -- ସେଇ ତ ଦୁଃଖ !! ସାରା ଜୀବନ ତୁମ ଦୟାକୁ ମୁଁ ପ୍ରେମ ଭାବି ଭୁଲ କଲି । ଭଲହେଲା ତୁମେ ମୁହଁ ଖୋଲି କହିଦେଲ । ମତେ ବିବାହ କରି ତୁମର କିଛି ହେଇନି । ଅଚଳାଚଳ ସମ୍ପତ୍ତି, ଗାଡି , ବ୍ୟାଙ୍କବାଲାନ୍ସ ସବୁ ପାଇଛ । ମୋ ବାପାଙ୍କ ସାହାଯ୍ୟ ଯୋଗୁ ତୁମେ ସାଜି ଏକ ନମ୍ବର ଶିଳ୍ପପତି । ଅସୁନ୍ଦରୀ ପତ୍ନୀ ବଦଳରେ ତୁମର କ୍ଷତି ଅପେକ୍ଷା ଲାଭ ହୋଇଛି ବହୁତ ।

        -- ଚୁପକର - - - ବହୁତ ବଢି ବଢି କଥା କହୁଚ !!! ସାହସ ବହୁତ ହେଇଗଲାଣି ତମର । କେଇଟା ପୁରସ୍କାର ମିଳିଗଲା ବୋଲି ମୁଣ୍ଡରେ ବସିବ ନା କ'ଣ ?? ପାଦର ଜୋତା ପାଦରେ ସୁଂଦର । ବୁଝି ଖବରଦାର , ଶୀଘ୍ର ସେ ଉଇଲ ନାକଚ କର । ଫେରେଇ ଆଣ । ନହେଲେ ମୋର ଭୟଙ୍କର ରୂପ ଦେଖିବ ।

      --ତୁମ ରୂପ ମୁଁ ଦେଖିଛି। ଦୟାକରି ପାଟି ବନ୍ଦ କର I ମୁଁ କ୍ଳାନ୍ତ .......ରେଷ୍ଟ ନେବାକୁ ଚାହେଁ । କହି ଏଯାଏଁ ବାପାମା'ଙ୍କ ଝଗଡା ଦେଖି ସ୍ଥାଣୁ ହୋଇ ଠିଆ ହୋଇଥିବା ଶିଖା କୁ ନେଇ ଶୋଇବା ଘରକୁ ଚାଲିଗଲା ଲଗ୍ନା ।

       ପଛରୁ ଚିତ୍କାର କରୁଥିଲେ ସମରେଶ ,"ଖବରଦାର , ବଜ୍ଜାତ ମାଇକିନିଆ ,ରହ ସେଇଠି ..... ବାହାର ମୋ ଘରୁ - - - -" । 

       ଏଇ ପଦକ କଥା ପାଇଁ ଯେମିତି ପ୍ରତିଉତ ଥିଲା ଲଗ୍ନା - - - -ନିର୍ବିକାର ଭାବେ ଉତ୍ତର ଦେଲା "ଏ ଘରମୋର ...ଭୁଲିଯାଅନି ବାପା ଏ ଘର ମୋ ନାଁ ରେ କରିଯାଇଛନ୍ତି ।ମୋର କେଉଁଆଡ଼େ ଯିବାର ପ୍ରଶ୍ନ ଉଠୁନି । " 

        ଏତିକି କଥା ନିଆଁରେ ଘିଅ ପକେଇବା ପରି କାମ ଦେଲା । ଗର୍ଜି ଗର୍ଜି କହୁଥିଲେ ସମରେଶ ,"କାଲି ମୁଁ ଓକିଲ ଡକେଇ ତୁମକୁ ଛାଡପତ୍ର ଦେବି । ବହୁତ ଦିମାଗ ହେଇଗଲାଣି ।

ଯୋଉ ତ ରୂପ ........କେହି ଛେପ ପକେଇ ନଥାନ୍ତେ । ମୁଁ ବୋଲି ଆଜିଯାଏ ଚଳେଇ ଆସିଲ । ଛିଃ !! ସାଙ୍ଗରେ ନେବାକୁ ଲାଜ ଲାଗେ ମତେ - - - -ଅସୁରୁଣୀ ଟାଏ ସାକ୍ଷାତ - - - - - - - " ଆଉ ଶୁଣିବାକୁ ଧୈର୍ଯ୍ୟ ନଥିଲା ଲଗ୍ନାର । ଶୋଇବା ଘର ପଶି ଧଡ଼ କିନା କବାଟ ଟା ଦେଇଦେଲା ଲଗ୍ନା ।

‌        ଶିଖା ପଚାରୁଥିଲା ,"ମାମା ! ତୁମେ ତ ପାପା ଙ୍କୁ କେବେ କିଛି କୁହନି । ପାପା ବି ତୁମକୁ କେବେ ଗାଳି ଦିଅନ୍ତିନି , ଆଜି କଣ ହେଲା ମାମା ??? ତୁମେ ବି ଏମିତି - - - - - - । ହସିଲା ଲଗ୍ନା , କୋଳକୁ ଟାଣିନେଲା ଝିଅକୁ । କହିଲା , " ସବୁ ପ୍ରଶ୍ନର ଉତ୍ତର ସବୁବେଳେ ମିଳେନା । ଉଚିତ ସମୟକୁ ଅପେକ୍ଷା କରିବାକୁ ପଡେ । ଠିକ ସମୟ ଆସିଲେ ମୁଁ ଜଣେଇ ଦେବି ।" 

         ଏହା ପରର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ନିର୍ବିକାର ଥିଲା ଲଗ୍ନା । ଝିଅ ଶିଖା ଓ ସାହିତ୍ୟ ସାଧନାକୁ ହିଁ ସେ ସଂସାର କରିନେଲା । ସମରେଶଙ୍କ ସହ ଆପୋଷ ବୁଝାମଣା ରେ ଛାଡପତ୍ର ମଧ୍ୟ ହେଇଗଲା । ଏ ସମସ୍ତ ଏତେ ଅଚାନକ ହେଲା ଯେ 

ଲଗ୍ନା ର ବନ୍ଧୁ ବାନ୍ଧବୀ ମାନେ ମଧ୍ୟ ଜାଣିବାକୁ ସମୟ ଲାଗିଗଲା । ଏହା ମଧ୍ୟରେ ଆଖି ପିଛୁଳାକେ ଚାରିବର୍ଷ ବିତିଗଲା ।

        ଦିନେ ଲଗ୍ନା କୁ ଚମକାଇ ଦେଇ ତାର ପିଲାଦିନର ବାନ୍ଧବୀ ଚିତ୍ରା ,ଯିଏକି ସୁଦୂର ଲଣ୍ଡନରେ ରହୁଥିଲା..... ଏକ ବିବାହ ଉତ୍ସବ ରେ ଯୋଗ ଦେବାପାଇଁ ଆସି ପହଞ୍ଚିଲା ଲଗ୍ନା ରହିଥିବା ସହରରେ । ଦୂର ସୂତ୍ରରୁ ଚିତ୍ରା ଜାଣିବାକୁ ପାଇଲେ ଲଗ୍ନା ଏଇଠି ଅଛି । ଦିନେ ଅତର୍କିତ ଭାବେ ସନ୍ଧ୍ୟାରେ ଆସି ପହଞ୍ଚିଲା ଲଗ୍ନା ର ଘରେ ।

      ଏତେଦିନ ପରେ ଅର୍ଥାତ ପାଖାପାଖି ବାର ବର୍ଷର ବ୍ୟବଧାନ ପରେ ଚିତ୍ରା କୁ ଦେଖି ଆଂନନ୍ଦରେ ଅଭିଭୂତ ଲଗ୍ନା । ସାମାନ୍ୟ ଜଳଯୋଗ ଭିତରେ ସେମାନଙ୍କ ସ୍ମୃତିଚାରଣ .............

କଲେଜ ବେଳର ଅନେକ ଘଟଣା .........ଯେମିତି ବହୁ ଦିନର ଆବଦ୍ଧ ଜଳ ବହି ଚାଲିଲା ଅନିର୍ଦ୍ଦିଷ୍ଟ ପଥରେ । ବହୁଦିନ ପରେ ମାନଖୋଲି ହସୁଥିଲେ ଦୁଇ ବାନ୍ଧବୀ । ଉଭୟ ପରସ୍ପର ସଂସାର ର ସୁନ୍ଦର ଚିତ୍ର ଖୋଳୁଥିଲା ବେଳେ ଚିତ୍ରା ପାଖରେ ଥିବା ଟିପୟ 

ଉପରେ ସମରେଶଙ୍କ ଫୋଟୋ କୁ ଦେଖାଇ କହିଲା ,"ତୋ ହଜବ୍ୟାଣ୍ଡ ତ ଖୁବ ହାଣ୍ଡସମ !!!କେମିତି ପାଇଲୁ ? " 

      କଥା ଛଡେଇ ନେଇ କହିଲା ଲଗ୍ନା ," ପାଇଥିଲି ।ଏବେ ଆଉ ନାହିଁ। ମୋ ଜୀବନରେ ସିଏ ଅତିତ । "

      ଆଶ୍ଚର୍ଯ୍ୟ ହେଲା ଚିତ୍ରା କହିଲା, "ଏମିତି କ'ଣ ହେଲା ଯେ ତୁ ଏଭଳି ନିଷ୍ପତ୍ତି ନେଲୁ ? ତୁ ତ ଏବେଯାଏ କହୁଥିଲୁ ତୋର ସୁଖୀ ଦାମ୍ପତ୍ୟ ଆଉ ସମରେଶଙ୍କର ପ୍ରେମ ର କଥା ।" 

      --ହଁ , କହୁଥିଲି - - -କିନ୍ତୁ ସେସବୁ ବିଗତ ।ଏବେ ଶିଖା କୁ ନେଇ ମୋ ସଂସାର ।

     -- ତାହେଲେ ତୁ ଅଲଗା ହେଲୁ କାହିଁକି ? 

     ଚାରିଆଡ଼କୁ ଚାହିଁ ଯେତେବେଳେ ଲଗ୍ନା ଆଶ୍ୱସ୍ତ ହେଲା ଯେ ଶିଖା ଆଖପାଖ ରେ ନାହିଁ ସେତେବେଳେ କହିଲା ," ଶୁଣ !,ଏକଥା ମୁଁ କାହାକୁ କହିନି ଆଜିଯାଏ ।ଯେଉଁଦିନ ମୁଁ ଜାଣିଲି ସମରେଶ ମତେ ପ୍ରେମ କରନ୍ତିନି ସେଇ ସମୟରୁ ହିଁ ମୁଁ ଏ ଅଭିନୟ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲି।" 

      -ମାନେ ? 

      -- ଖୁବ ସରଳ । ସମରେଶ ମତେ ଧୋକା ଦେଉଥିଲେ ସେପର୍ଯ୍ୟନ୍ତ ।

      -- ହ୍ଵାଟ ????? ଅନବିଲିଭେବଲ - - - - -

      -- ହଁ , ଏଇଟା ହିଁ ବିକୃତ ସତ୍ୟ ।

      -- କିନ୍ତୁ , ତୁ ଜାଣିଲୁ କେମିତି ? 

      --- ଜାଣିଲି ବହୁତ ପରେ ।ସମରେଶ ଜଣେ ପୋଖତ ଅଭିନେତା ପରି ଅଭିନୟ କରୁଥିଲେ ଯେ ମୁଁ ଏକଥା ଜାଣିବାର କୌଣସି ଅବକାଶ ହିଁ ନଥିଲା । 

      -- ତେବେ ତୁ ଜାଣିଲୁ କେମିତି ? 

      -- ଦିନେ ସମରେଶ ଘରେ ଥିଲେ । ତାଙ୍କ ଫୋନ ସେଦିନ ଦୁର୍ଭାଗ୍ୟ କି ସୌଭାଗ୍ୟ ହେଉ ସ୍ୱିଚ ଅଫ ଥିଲା । ଲାଣ୍ଡଲାଇନ ରୁ ସେ କଥା ହେଉଥିଲେ ଡ୍ରଇଂ ରୁମରୁ । ଆଉ ଠିକ ସେଇ ସମୟରେ ମୁଁ ମଧ୍ୟ ଫୋନ ଉଠେଇ ନେଇଥିଲି ବେଡ଼ରୁମରୁ । ମୁଁ ସେଦିନ ଅସୁସ୍ଥ ଥିଲି । ମେଡ଼ିସିନ ନେଇ ଶୋଇ ପଡ଼ିଥିଲି । ଫୋନ ରିଂ ଶୁଣି ନିଦ ଭାଙ୍ଗିଯାଇଥିଲା । ସମରେଶ କୀର୍ତ୍ତି ବୋଲି କାହାକୁ କହୁଥିଲେ ଘରକୁ ଫୋନ ନ କରିବା ପାଇଁ । ଆଉ କିଛି କଥା ବୁଝାଇବା ପରି କହୁଥିଲେ ଅତି ଅନ୍ତରଙ୍ଗ ଭାବେ ଠିକ ପତି ପତ୍ନୀ ପରି । କିଛି ଏମିତି ଯାହା ନିଜ ଭିତରେ ସୀମିତ ରହିବା କଥା । ମୋ ଆଖି ଆଗରେ ଶହେ ୱାଟ ର ଲାଇଟ ଜଳୁଥିଲେ ମଧ୍ୟ ନିରନ୍ଧ୍ର

ଅନ୍ଧକାର ଥିଲା । ବୁଝିବା , ବୁଝେଇବା , ସାଲିସ , ସମାଧାନ ର କିଛି ବାଟ ନ ଥିଲା ଚିତ୍ରା ..............।

     -- ୱେଟ ,- - -ସେ ଯଦି ତୋ ସହ ଅଭିନୟ କରୁଥିଲା ତେବେ ତୁ ଜାଣିପାରିଲୁନି କେମିତି ? ଆଇ ମିନ ତୋ ସହ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ରଖିଥିଲା କେମିତି ..... ଯଦି ସେ ତତେ ପସନ୍ଦ କରୁ ନଥିଲା ।  

    --  ହୁଁ !!!!! ଘୃଣା ରେ ଭୃକୁଞ୍ଚିତ କରି ଲଗ୍ନା କହିଲା , ଜାଣୁ ଚିତ୍ରା ! ଅନ୍ଧାର ର କଣ ରଙ୍ଗ ଥାଏ ? ସବୁ କଳା । ଲାଇଟ ଲିଭିଲେ ଗୋରା ଦେହ ,କଲା ଦେହ ସବୁ ସମାନ । କେବଳ ଉଷ୍ମତା ର ସ୍ୱର ଶୁଭେ । ସମରେଶ କୀର୍ତ୍ତି କୁ କ'ଣ କହୁଥିଲେ ଜାଣିଚୁ , ମୋ ସହ ଶଯ୍ୟା ବାଂଟିଲା ବେଳେ ତାଙ୍କ ଆଖିରେ କୀର୍ତ୍ତି ର ଖୋଲା ଦେହ ଟା ଥାଏ , ଯାହାକୁ ସେ ତା ସହ ସେଇଦିନ ବିତେଇ ଆସିଥାନ୍ତି । ସେତେବେଳେ ମତେ କୀର୍ତ୍ତି ଭାବି ଆଦର କରନ୍ତି । ଆଉ ମୁଁ ଵୋକି ତାକୁ ହିଁ ପ୍ରେମ ଭାବି କୃତକୃତ ହେଇଯାଏ । ଗଦଗଦ ହୋଇ ନିଜକୁ ଲୋଟାଇ ଦିଏ ତାଙ୍କ ସଂସାର କୁ ସଜାଡିବାରେ । 

    କହିଲୁ ଚିତ୍ରା , କେଉଁଠି ଅସୁନ୍ଦର ପଣିଆର ଜୟଗାନ ଶୁଣିଛୁ ? ସେ ପୁରାଣ ହେଉ କି ଇତିହାସ ?ରମ୍ଭା , ଉର୍ବଶୀ , ମେନକା କେହି ଅସୁନ୍ଦରୀ ହେଇଥିଲେ ଦେବସଭାରେ ଥା'ନ୍ତେ କି

? ଆଉ ଋଷି ମାନେ !!!!ତପ ପଛେ ଚୁଲିକୁ ଯାଉ ସେଇ ସୁନ୍ଦର ପଣିଆ ପାଖରେ ଭ୍ରଷ୍ଟ ହୁଅନ୍ତି । ସେଠି ଯଦି କଦାକାର ନାରୀଟିଏ ଥାଆନ୍ତା , ତାହେଲେ ସେଇଠି ପାଉଁଶ କରିଦେଇ ଥାନ୍ତେ । ପଥଚାରୀ ଟିଏ ମଧ୍ୟ ସୁନ୍ଦରୀ ରମଣୀଟିକୁ ଟିକିଏ ଅଟକି ଦେଖିନିଏ , ଚକ୍ଷୁ ତୃଷ୍ଣା ମେଣ୍ଟାଏ । ଅନେକ ଯୁଦ୍ଧ,ଧ୍ବଂସ ର ଗାଥା 

ମଧ୍ୟ ସୁନ୍ଦରୀ ନାରୀ ପାଇଁ। ଅସୁନ୍ଦରୀ ନାରୀଟିଏକୁ କିଏ ଭଲା ପ୍ରେମ କଲାଣି ? ମୁଁ କେମିତି ଏକଥା ଭୁଲିଯାଇଥିଲି କେଜାଣି ???? ସମରେଶ ମତେ କେବଳ ସମ୍ପତ୍ତି ଓ ତାଙ୍କ ଉଚ୍ଚାକାଂକ୍ଷା ପାଇଁ ବିବାହ କରିଥିଲେ । ଆଉ ଜାଣିଛୁ ......... ସିଏ କୀର୍ତ୍ତି କୁ ବିବାହ କରିସାରିଛନ୍ତି । 

     ଏକ ଲମ୍ବା ଦୀର୍ଘନିଃଶ୍ଵାସ ଛାଡି କହିଲା , ଭଲ ହେଇଛି ଏସବୁ ଦେଖିବାକୁ ବାପା ନାହାନ୍ତି ।  

      ଏତିକି ବେଳେ କହିଲା ଚିତ୍ରା ," ତୁ ଏତେ ସହଜରେ ତାକୁ ଛାଡ଼ିଦେଲୁ "। କିଛି ତ ଷ୍ଟେପ ନେଇଥାନ୍ତୁ ତାକୁ ପନିଶ କରିଥାନ୍ତୁ ।" 

     ହସିଲା ଲଗ୍ନା ..............,"ଏଇଠି ତୁ ଭୁଲ ବୁଝିଲୁ । ନାରୀ ସୁନ୍ଦରି କି ଅସୁନ୍ଦରୀ ସେକଥା ସ୍ଥିର କରିବାକୁ ପୁଋଷ କିଏ ? 

ମୋ ହିସାବରେ ମୁଁ ଖୁବ ସୁନ୍ଦରୀ । ମୋ ସୁନ୍ଦର ପଣିଆ କୁ ମୁଁ ଦେଖିଛି ମୋ ପାଠକ ମାନଙ୍କ ଚିଠିରେ , ମନ୍ତବ୍ୟରେ , ପ୍ରଶଂସା ରେ । ସମରେଶ ଙ୍କୁ ମୁଁ ପ୍ରତ୍ୟାଖ୍ୟାନ କରିଛି ଭୋଗ କରିସାରିବା ପରେ । ସେ ତ ମୋ ଚିନ୍ତା , ଚେତନା , ଭାବନା ଏବଂ ଜୀବନ କେଉଁଠାରେ ବି ନାହାନ୍ତି । ଜଣେ ପୁରୁଷର ଅହଂ ଉପରେ ନାରୀର ଘୃଣା ଓ ପ୍ରତ୍ୟାଖ୍ୟାନ ଏକ ଶକ୍ତ ପ୍ରହାର । ମୋ ଦିଆ ଅପମାନର ଜ୍ବାଳାରେ ସେ ଜଳିବେ ତିଳତିଳ ହୋଇ । ମୋ ସହ କରିଥିବା ଅନ୍ୟାୟ ପାଇଁ ଶାସ୍ତିବିଧାନର ଭାର ମୁଁ ଈଶ୍ୱରଙ୍କ ଉପରେ ଛାଡ଼ିଦେଇଛି। ମୋ ଅନ୍ଧକାର ଭାଗକୁ ଆଲୋକିତ କରିବାର ସାମର୍ଥ୍ୟ ମୋର ଅଛି । ବର୍ତ୍ତମାନ ପାଇଁ ଏତକି ବହୁତ । ଖାସ ସେଇଥିପାଇଁ ମୁଁ ଆଲିମନି ନେବାକୁ ମନା କରିଦେଲି । ମୋ ବାପାଙ୍କ ଦାନରେ ପ୍ରତିପାଦିତ ମଣିଷ ମତେ ଦେବ କ'ଣ ??????

ବାପା ମଣିଷର ସ୍ଵଭାଵ ଚରିତ୍ର କିପରି ବଦଳି ଯାଏ ଜାଣିଥିଲେ ସେଇଥିପାଇଁ ସମସ୍ତ ସଂପତ୍ତି ମୋ ନାଁ ରେ ଉଇଲ କରିଯାଇଥିଲେ । ବ୍ୟବସାୟ ରେ ମଧ୍ୟ ପଞ୍ଚସ୍ତରୀ ପର୍ସେଣ୍ଟ ସେଆର ମୋର । 

     ଅନେକ ଦିନପରେ ବୁକୁ ତଳର କଥା ସବୁ ବାହାରି ଗଲା ପରେ ଟିକେ ହାଲୁକା ଏବଂ ଉଶ୍ୱାସ ଅନୁଭବ କରୁଥିଲା ଲଗ୍ନା ।

       ଚୁପ ହୋଇ ଶୁଣୁଥିଲା ଚିତ୍ରା । ଏତିକିବେଳେ ଝଡ଼ ପରି ପଶି ଆସିଲା ଶିଖା । ଲଗ୍ନା କୁ କୁଣ୍ଢେଇ ଧରି କହିଲା , " ମାମା ସତରେ ୟୁ ଆର ମାଇ ମୋଷ୍ଟ ବିଉଟିଫୁଲ ମଦର । ସେଇ 'ସ୍ୱୟଂସିଦ୍ଧା ' ଆଶ୍ରୟ ର ଅବହେଳିତ ନାରୀ ମାନଙ୍କ ପାଇଁ ତୁମର କାର୍ଯ୍ୟ ଦେଖିଲେ ମୋ ଛାତି ଗର୍ଵ ରେ ଫୁଲି ଉଠେ । ସାଙ୍ଗମାନଙ୍କ ପାଖରେ ମୁଁ ନିଜକୁ ଉପସ୍ଥାପିତ କରେ ମାମାର ଝିଅ ବୋଲି । ଯେଉଁ ଅନ୍ଧାର କଥା କହୁଛ ସେ ଅନ୍ଧାର ଏବେ ଅତିତ । ତୁମ ଆଗରେ ଏବେ କେବଳ ଆଲୋକର ପର୍ବ । ଆଉ ଏ ଯାତ୍ରାରେ ତୁମ ସହ ମୁଁ ଅଛି ସବୁବେଳେ । "  

    ଆତ୍ମତୃପ୍ତିରେ ଝିଅକୁ ଛାତିରେ ଭିଡ଼ିଧରିଲା ଲଗ୍ନା । ତିନିଜଣଯାକ ଭିଜୁଥିଲେ ଆନନ୍ଦର ଅଶ୍ରୁରେ । 


     

      


       


Rate this content
Log in

More oriya story from Rasmita Dixit

Similar oriya story from Inspirational