Rasmita Dixit

Tragedy Others

3.9  

Rasmita Dixit

Tragedy Others

ଶେଷ ବୈଶାଖର ସ୍ୱପ୍ନ

ଶେଷ ବୈଶାଖର ସ୍ୱପ୍ନ

4 mins
55



ଜଣେ ଶିକ୍ଷୟିତ୍ରୀଙ୍କର କରୋନାରେ ମୃତ୍ୟୁ ହେବାପରେ ବେଶ ବ୍ୟଥିତ କରିଥିଲା ମତେ ,ସେଇ ଛାୟାରେ ଏ କାହାଣୀ ଟି ।

**************

   "ଏ...ଇ..ଇ.....ଇ .....ଇ........ଶୁଣୁଛ !!! ଶୁଣନା......,ଦେଖ !

ମୁଁ ପରା ତୁମର ଏତେ ପାଖରେ ..............।

     କେମିତିକା ମଣିଷ ତୁମେ , ଏତେଦିନ ପରେ ଆଜି ମୁଁ ତୁମ ପାଖରେ ଅଛି । ତୁମେ ପରା କୁହ - ମୋ ପାଦଶବ୍ଦରୁ , ମୋ ଦେହର ବାସ୍ନାରୁ ତମେ ଜାଣିଯାଅ ମୁଁ ଆସିଗଲି ବୋଲି । ହେଲେ ଆଜି ....ମୋ ସବୁଜ ପଣତ କେତେଥର ତମ ଉପରେ ପହଁରେଇ ଆଣିଲିଣି ହେଲେ ତମେ ଜାଣିପାରୁନ । ଯାଃ !!!! କଟି ତମ ସହ , ଆଉ କଥା ହେବିନି । 


   କେତେଦିନୁ ତମକୁ ଦେଖିନଥିଲି । ଫୋନ୍ରେ ଯେତେ କଥା ହେଲେ ମନ କଣ ଭରେ ? ନା , ଭିଡିଓ କଲରେ ଯେତେ ଦେଖିଲେ ତୁମକୁ ଛୁଇଁ ପାରେ ???


      ତୁମେ ଓଡ଼ିଶାରେ ତ ମୁଁ ମୁମ୍ବାଇରେ..... କେତେ ଯନ୍ତ୍ରଣା ଭୋଗିଛି ମୁଁ , ତୁମ ଗେହ୍ଲେଇ ଝିଅ ଦିଶା ତ ତୁମ ଆସିବା ଦିନ ଗଣୁଛି । ଭାରି କ୍ଳାନ୍ତ ଲାଗୁଛି ... ଟିକେ ଉଠିଯାଅନା , ପ୍ଲିଜ଼ - - -ମୁଁ ଟିକେ ତୁମ କୋଳରେ ଶୋଇବାକୁ ଚାହେଁ । ବହୁଦିନୁ ଶୋଇନି ଠିକ ଭାବରେ । 


        ଦିନ କେମିତି କଟୁଥିଲା ,ରାତି କେମିତି ସରୁଥିଲା ସେକଥା କେବଳ ମୁଁ ଜାଣେ । ତୁମ ସ୍ୱପ୍ନାର ସ୍ୱପ୍ନ ଗୁଡାକ କେମିତି ସୁନ୍ଦରରୁ ଭୟାନକ ହେଲେ କେଜାଣି ??? 

       ଆଜି ବହୁତ ଅବଶ ଲାଗୁଛି ସୁବ୍ରତ !!!! ବାହାରର ସୁନେଲି ଖରା ମତେ ଯେମିତି ଜାଳିପୋଡି ପାଉଁଶ କରିଦେବ । ଚତୁର୍ଦ୍ଦିଗ କେମିତି ଗୋଟେ ନୀରବତାର ଚାଦର ଘୋଡେଇ ହୋଇ ପଡିଛି । ଜାଣ ସୁବ୍ରତ !! ମୋ ଦେହର ସମସ୍ତ ଓଜନ ଏଇ କିଛି କ୍ଷଣ ହେଲା ଓହ୍ଲେଇ ଯାଇଛି । ମତେ ସଂବାଳୁଆରୁ ପ୍ରଜାପତି ପାଲଟିଲା ପରି ଲାଗୁଛି । ସେଇଥିପାଇଁ ତ ମୁଁ ତୁମ ପାଖରେ ଏତେ ଶୀଘ୍ର ପହଂଚି ଗଲି । ଅଥଚ ମୁଁ ଜାଣିପାରୁନି ଏତେଶିଘ୍ର ଆସିଲି କେମିତି ? ଏତେ ହାଲୁକା ପଣ ମୋ ଭିତରେ ........ । ଏଇ ଦେଖ - - -କେହି ଡାକୁଛିରହିରହି ବାଦଲର ଧୁମିଳ ଆସ୍ତରଣ ଭିତରୁ .. ଆ .....ଚାଲିଆ ......। ହେଲେ ମୁଁ ଉଡି ଯାଇ ପାରୁନି । ଉଡିବା ଛାଡି ମତେ ଏବେ ଶୋଇବାକୁ ଇଚ୍ଛା ହେଉଛି । 

     ଭାବୁଛି , ଭଲକରି ଶୋଇଗଲେ ଦେହ ଟା ଠିକ ହେଇଯିବ । ତା ପରେ ପୁଣି ମୋରରୁଟିନ ଲାଇଫ ଚାଲିବ । ତୁମେ , ମୁଁ, ଦିଶା --ଗୋଟିଏ ସ୍ୱର୍ଣ୍ଣିମ ତ୍ରିଭୁଜର ତିନୋଟି ପାର୍ଶ୍ଵ ପୁଣି ଉଜ୍ଜ୍ଵଳି ଉଠିବ । ଜାଣିଛ ତୁମେ !! ମା 'ଙ୍କୁ ଦେଖିବାକୁ ଯାଇ ଓଡ଼ିଶାରେରହିଗଲ ତୁମେ ।ଏଠି ମୁଁ କେତେ ଭୟ ଓ ଦୁଶ୍ଚିନ୍ତାରେରହୁଥିଲି । ଶୋଇ ପାରିନିରାତିରାତି ଧରି । 

        ତୁମ ଗେହ୍ଲା ଝିଅକୁ ଖୁଵ ଆଦର କରିବ ଏଥର । ବିଚାରି ବହୁତ ଡରି ଯାଇଛି । ଅବୁଝା ଝିଅଟା ମୋର ମୋ ଉପରେ ଗୋଡ଼ ହାତ ନ ଲଦିଲେ ଶୋଇପାରେନି । ସବୁ କଥାରେ ତାର ମାମା ଦରକାର । ପାପା ବି । ତମେ ତ ଆମ ଦୁଇଜଣଙ୍କର ବଞ୍ଚିବାର ମୂଳ ଆଧାର । 

       ତମକୁ ଶୁଭୁଛି ନା ,ନାଇଁ ....... ।ଆଜି ବହୁଦିନ ପରେ ଆମ ଘରକୁ ଦେଖିଲି ।ଖୁଵ ଅସଜଡ଼ା ହେଇ ପଡିଛି ।ଦିଶା ଟା ଝଡି ଯାଇଛି । ଜାମା ପ୍ୟାଂଟ ସବୁ ମଇଳା  , କାନ୍ଦୁଥିଲା ।ଯେତେ ଡାକିଲି ଶୁଣିଲାନି । ତୁମେ ଘରକୁ ଶୀଘ୍ର ଆସ । ତମକୁ ଦେଖିଲେ ସେ ପୁଣି ସ୍ୱାଭାବିକ ହେଇ ଯିବ ।

         ଆମ ଘର , ଆମ ହାତରେ ସଜଡା ଆମ ବସାଟି ଅସ୍ତବ୍ୟସ୍ତ ହେଇ ପଡିଛି । ବିଚଳିତ ଲାଗିଲା। ଶୁଖିଲା ଡାଳ ଆଉ ଝାଉଁଳି ପଡିଥିବା ତୁଳସୀ ଗଛକୁ ଟିକେ ଆଉଁସି ଦେଲି । ଆମ ପ୍ରିୟ ବାଲକୋନୀ , ଗୋଲାପର କୁଣ୍ଡ , ବେତ ଚେୟାର , ଚା କପ ଆଉ ସନ୍ଧ୍ୟା ସବୁଠି ଟିକେ ଅଟକି ଗଲି ।

        ବେଡ଼ରୁମର ଗୋଲାପୀ ବେଡ଼ କଭର ସେମିତି ପଡିଛି । ତୁମର ଭାରି ପସନ୍ଦ । ଟିକେ ଶୋଇଗଲି । କି ଶାନ୍ତି ....... ଆଖିପତା ମୁଦି ହେଇ ଆସୁଥିଲା । ହେଲେ ସେ ଚାଲିଆ ....... ଚାଲିଆ ଡାକ ମତେ ଶୁଏଇ ଦେଲାନି ।

        ରୋଷେଇ ଘରେ ତୁମ ପ୍ରିୟ ଡିସ , ଦିଶାର ମନପସନ୍ଦ ଖାଦ୍ୟ ତିଆରି କରିବାକୁ ବସିଲି । ହେଲେ ସେଠି ସବୁ ଛୀନଛତ୍ର ହେଇ ପଡିଛି । ଦେଖି ମନ ହେଲାନି । ଭାବିଲି ତୁମକୁ ନେଇ ଫେରେ । ସବୁ ମିଶି କରିଦେବା । ଆମ କାଠି କୁଟାର ଛୋଟ ସଂସାର ହସି ଉଠିବ କେଇ ମୁହୂର୍ତ୍ତରେ ଛୁଆଁରେ ।


              ସେଇଥିପାଇଁ ତ ଆସିଲି ତୁମକୁ ନେଇ ଯିବାକୁ । 

        ଏଇ ସୁବ୍ରତ ........ଶୁଣନା .........ଥରଟିଏ ମତେ କୋଳେଇ ନିଅ । ତମ ଆଲିଙ୍ଗନରେ ତମାମ ଦିନର ଧାଁ ଧାଉଁ ,କ୍ଳାନ୍ତି କୁଆଡେ ଉଭେଇ ଯାଏ ମୁଁ ଜାଣିପାରେନି । ମୃଦୁ କଣ୍ଠରେ ତୁମର ସ୍ୱପ୍ନା ଡାକ ଖୁଵ ମଧୁର ଲାଗେ । ତୁମ ହାତରେ ହାତ ଛଂଦିଲା ପରେ ଏତେ ଏକାପଣ ଅନୁଭବ କରିନଥିଲି ଯାହା ଆଜି ଭୋଗୁଛି ।


        ଆଜି ତୁମ ବାହୁ ବନ୍ଧନରେ ତୁମ ଛାତିରେ ମଥାରଖି ସାରା ଜୀବନର କ୍ଳାନ୍ତି ଗୋଟେ ଲମ୍ବା ନିଦ୍ରାରେ ଶୋଇ ମେଣ୍ଟାଇବାକୁ ଚାହୁଁଛି । ମୋ ଚାରିପଟେ ଅସୁମାରୀ ଶବ୍ଦଙ୍କର ଡାକ , କିନ୍ତୁ ପହଂଚୁନି ମୋ ପାଖରେ । ବହଳ ଅନ୍ଧାର ମାଡି ଆସୁଛି ମୋ ଆଡ଼କୁ , ବାହାରେ ତ ଏତେ ଆଲୋକ !!! ମତେ ଆଉଜେଇ ନିଅ ଥରେ ତୁମ ଛାତିରେ ,ବାନ୍ଧିଦିଅ ନିର୍ଭୟ ଆଶ୍ରୟରେ .......ପ୍ଲିଜ଼ .....ମତେ ଖୁଵ ଭୟ ଲାଗୁଚି .....କାଳେ କେହି ମତେ ତୁମଠୁ ପୁଣି ଦୂର କରିଦେବ - - - ଦୂରରୁ ଶୁଭୁଥିବା ସେ ଡାକ ଏବେ ଖୁଵ ପାଖରୁ ଶୁଭୁଛି । ମୁଁ ତୁମକୁ ,ଦିଶାକୁ ଛାଡି ଯିବାକୁ ଚାହେଁନା ..............ମତେ ଧରିରଖ ସୁବ୍ରତ ..........ଏତେଦିନପରେ ତୁମକୁ ପାଖରେ ପାଇଛି .......ସମୟ ବିତାଇବାକୁ ଚାହେଁ ତୁମ ସହ ........ମୁଁ ଯିବାକୁ ଚାହେଁନି ........ସୁବ୍ରତ .....ସୁବ୍ରତ ......ଶୁଣ ସୁବ୍ରତ ........"


        ଚାଉଁକିନା ଛାଇ ନିଦ ଟା ଭାଙ୍ଗିଗଲା ସୁବ୍ରତଙ୍କର । ଆଜି କ୍ବାରେଣ୍ଟିନର ଶେଷ ଦିନ । ପ୍ରତି ମୁହୂର୍ତ୍ତ କୁ ବିତାଇଛନ୍ତି ବ୍ୟାକୁଳତାର ସହ । ପତ୍ନୀ ସ୍ୱପ୍ନା କରୋନା ଆକ୍ରାନ୍ତ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଆପୋଲୋ କୁ ସ୍ଥାନାନ୍ତର କରାଯାଇଛି । ବିବ୍ରତ ଓ ବ୍ୟସ୍ତ ସେ । ଓଡିଶାରୁ ଫେରିବା ପରେ ବି ସେ ଦେଖିପାରିନାହାଁନ୍ତି ସ୍ୱପ୍ନାଙ୍କୁ । କୋଭିଡ ନିୟମ ଅନୁଯାୟୀରହିବାକୁ ପଡିଛି ସଂଗରୋଧରେ । ସ୍ୱପ୍ନା ମେଡିକାଲ ଗଲାପରେ ତେର ବର୍ଷର ଝିଅ ଦିଶା କେମିତି , ଏକୁଟିଆରହିଛି ଫ୍ଲାଟରେ .......କାହା ନଜର ଲାଗିଗଲା ତାଙ୍କ ସୁନା ସଂସାରରେ । ତିନିଜଣ ତିନି ଆଡେ । କେହି କାହାକୁ ଭେଟି ପାରିନାହାନ୍ତି , ଫୋନରେ ଟିକେ ମନ ବୁଝେଇବା କଥା । ସ୍ୱପ୍ନା ଖୁଵ ମନେ ପଡୁଛି ଆଜି । ଛୋଟ ଛୋଟରାଗରୁଷା , ମାନ ଅଭିମାନ ସବୁକିଛି । ସମ୍ବଲପୁରୀ ଶାଢ଼ୀରେ ଭାରି ଦୁର୍ବଳତା ତାର । ଓଡିଶାରୁ ସେତକ ନ ଆଣିଲେ ମୁହଁ ଫୁଲାଏ । ପିଲାଙ୍କୁ ପଢ଼ାଉଥିବା ସ୍ୱପ୍ନା ଅଭିମାନ କରେ ଟିକି ପିଲାଙ୍କ ପରି । ଆଉ କେଇଦିନେ ସେମାନଙ୍କର ବିବାହବାର୍ଷିକୀ , ଅନେକ ପ୍ଳାନିଂ ଥିଲା । ଅବଶ୍ୟ କରୋନା ଯୋଗୁ କିଛି ପରିବର୍ତ୍ତନ କରିଥିଲେ ସେଥିରେ । ଟିକେ କଥାରେରାଗୁଥିବା ପୁଣି ବୁଝିଯାଉଥିବା ସ୍ୱପ୍ନା ବହୁତ ମନେ ପଡୁଛି । ହୃଦୟରେ ବହୁତ 

ଉଦବେଳନ । ଅଢେଇ ମାସର ଲକଡାଉନରହଣି....... ସୁବ୍ରତ ଓଡ଼ିଶାରେ ...... ସ୍ୱପ୍ନା ଓ ଦିଶା ମୁମ୍ବାଇରେ ...... ସମୟ ଯେମିତି ଖେଳ ଟିଏ ଖେଳୁ ସବୁ ଖେଳାଳୀଙ୍କୁ ସୁରକ୍ଷାର ବୃତ୍ତ ଭିତରୁ ବାହାର କରିଦେଇଥିଲା ।ରିଲିଭ ହେଲାପରେ ଏକମୁହାଁ ଛୁଟିଲେ ହସ୍ପିଟାଲ ଅଭିମୁଖେ ସୁବ୍ରତ ।

        ହସ୍ପିଟାଲରେ ପହଂଚି ସ୍ୱପ୍ନାଙ୍କୁ ଦେଖିବାକୁ ଗଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା । କିଛିସମୟ ପୂର୍ବରୁ ହିଁ ସ୍ୱପ୍ନାଙ୍କର ମୃତ୍ୟୁ ଘଟିସାରିଥିଲା । ଶେଷ ଦର୍ଶନ ସ୍ୱରୂପ ସୁବ୍ରତଙ୍କ ହାତରେ ଧରେଇ ଦିଆଗଲା ସ୍ୱପ୍ନାଙ୍କର ମୃତ୍ୟୁକାଳୀନ ଫୋଟୋ । ସୁବ୍ରତ ବୁଝିପାରୁନଥିଲେ କିଛି ସମୟ ପୂର୍ବରୁ ସେ ସ୍ୱପ୍ନ ଦେଖୁଥିଲେ ନା ତାହା ସତ ଥିଲା !!! 

        ବୈଶାଖର ଝାଞ୍ଜିରେ ସୁବ୍ରତ ଓ ସ୍ୱପ୍ନାଙ୍କର ସ୍ୱପ୍ନ ଯେମିତି ଶେଷ ସ୍ୱପ୍ନ ହୋଇ ଉଡିଯାଇଥିଲା । 

          


Rate this content
Log in

Similar oriya story from Tragedy