ବିନୟ ମହାପାତ୍ର

Tragedy Inspirational

5  

ବିନୟ ମହାପାତ୍ର

Tragedy Inspirational

ଅନ୍ନଦାତା

ଅନ୍ନଦାତା

11 mins
448



ସନାତନ ଆମ ଗାଁର ସେମିତି କୋଉ ବଡ ନାମଜାଦା ଲୋକ ନଥିଲା କି ବଡ ଚାଷୀଟାଏ ବି ନଥିଲା । ବେଶି ପାଠୁଆ ନଥିଲା କି ସେମିତି କିଛି ବଡ କିମ୍ବା ଛୋଟ ମୋଟ ନେତାଟିଏ ବି ନଥିଲା । ଆପଣମାନେ ଭାବୁଥିବେ ମୁଁ ତା ବିଷୟରେ କିଛି କହିବାକୁ କାହିଁକି ବାଛିଲି ? ଗାଁରେ ଏତେ ଲୋକ ଅଛନ୍ତି, ସେମାନଙ୍କ ବିଷୟରେ କହିବାକୁ ମୋତେ ବହୁତ କିଛି ମସଲା ମିଳିଥାନ୍ତା, କିନ୍ତୁ ଏମିତି କଣ ଅଛି ଏ ସନାତନର ଜୀବନରେ ଯେ ଅନ୍ୟ ମାନଙ୍କୁ ଛାଡି ମୁଁ ସନେଇ, ମାନେ ସନାତନ ଭୋଇର କଥା କହିବାକୁ ଭାବିଲି ?

 

ଏଇଥି ପାଇଁ କହୁଛି ସନେଇ କଥା, କାରଣ ତା ଘରଟା ଆମ ଗାଁ ମୁଣ୍ଡରେ, ମେଲଣ ପଡିଆ ପାଖରେ ଯେଉଁ ବରଗଛଟା ଅଛି ତାଠାରୁ ଅଳ୍ପ ଦୂରରେ । ତା ଅଗଣାରେ ଠିଆ ହେଲେ ବର ଗଛଟା ପୁରା ଦେଖା ଯାଏ । ବରଗଛ ତଳେ କିଏ ବସିଛି କିଏ ଠିଆ ହୋଇଛି ପୁରା ଚିହ୍ନି ହୋଇ ଯାଏ । ସନେଇ ହେଉଛି ଆମ ସମାଜର ଗୋଟିଏ ନିର୍ଭୀକ ସୈନିକ । ଦେଶର ସୀମାର ବନ୍ଦୁକ ଧରି ପହରା ଦେଉନି ସିନା, କିନ୍ତୁ ଦେଶ ସେବା କରିବାକୁ ଦେଶବାସୀଙ୍କ ଥାଳିରେ ଭାତ ମୁଠାଏ ଦେବାକୁ ହଳ ବଳଦ ନେଇ ଭାଗ ଜମିରେ ତାର ରକ୍ତ ନିଗାଡି ଦିଏ । ଛନ୍ଦ କପଟ ଜାଣେନା, ରାଜନୀତିରେ ମୁଣ୍ଡ ଖେଳାଏନି । ଦେଶ, ବିଦେଶ କଥା ଜାଣନା, ହେଲେ ସେ ତାର ଅଜାଣତରେ ଦେଶ ପାଇଁ କେତେ ଯେ କାମ କରି ଯାଏ ତାର ତୁଳନା ନାହିଁ ।


ଛୋଟ କୃଷକଟିଏ, ତାର ଜମିରେ ନିଜ ଝାଳ ନିଗାଡି ଦିଏ । ତା'ରି ଝାଳ ନିଗିଡା ଫସଲର ଅସଲ ଲାଭ, ଲୋଭି ବେପାରୀ ଖାଇ ଯାଏ, ଆଉ ତା ପରିଶ୍ରମର ଫଳ ଉଚ୍ଚା ଦାମରେ କିଣି ଆମ ଖାଇବା ଥାଳିରେ ପରଶି ଦିଆ ଯାଏ । ସେମିତି ନିରୀହ ଚାଷିଟିଏ ସନିଆ । ଦିନେ ତାକୁ ପଚାରିଲି, ଆରେ ସନେଇ ତୁ ଶୁଣିଛୁ ! ଆମ ନେତା କହୁଛନ୍ତି ଭଲ ଦିନ ଖୁବ୍ ଶିଘ୍ର ଆସିବ ! ସମସ୍ତଙ୍କର ସ୍ୱପ୍ନ ପୁରା ହୋଇଯିବ । ଆଚ୍ଛା ଭଲ ଦିନ କହିଲେ ତୁ କଣ ଭାବୁ ? ସନେଇ ଯାହା ଉତ୍ତର ଦେଲା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ସତରେ କହନ୍ତି ମାଟିର ମଣିଷଟିଏ, ଯିଏ ମୁଣ୍ଡରୁ ନୁହେଁ ହୃଦୟରେ ଭାବେ । ସନେଇ କହିଲା, ଆଜ୍ଞା, ଯେଉଁ ଦିନ ମୋ ବୁଢି ମାଆ, ମୋ ପୁଅ, ଝିଅ, ମୋ ସ୍ତ୍ରୀ ଦି ବକତ ପେଟ ପୁରେଇ ଖାଇବେ, ଯେଉଁ ଦିନ ଝଡି ବର୍ଷାରେ ମୋ ଚାଳରୁ ପାଣି ଗଳିବନି, ଶୀତ କାକରରେ ମୋ ପିଲାଏ ହନ୍ତସନ୍ତ ହେବେନି କି ମୋ ପରିବାରର କେହି ବି ରୋଗ ଯନ୍ତ୍ରଣା ଭୋଗି ଔଷଧ ଟୋପାଏ ନପାଇ ମରିବନି ସେଇ ଦିନ ଆସିବ ଭଲ ଦିନ । ସନିଆ ପାଇଁ ସେ ଭଲ ଦିନ କେବେ ଆସିବ ? ଏ ପ୍ରଶ୍ନ ମୋ ପାଇଁ, ଆପଣଙ୍କ ପାଇଁ ଆଉ, ମୋ ଦେଶର ଶହେ କୋଟିରୁ ଅଧିକ ଜନତା ମୋ ଦେଶର ରାଜନେତାଙ୍କ ପାଇଁ ଏକ ଯକ୍ଷ ପ୍ରଶ୍ନ । ଯାହାର ସିଧା ସଳଖ ଉତ୍ତର ଆମ କାହା ପାଖରେ ନାହିଁ । ସନିଆ କଣ ବହୁତ କିଛି ଆଶା କରି ବସିଛି ??


ସନାତନର ଛୋଟ ପରିବାରଟିଏ । ପରିବାର କହିଲେ, ବୁଢି ମାଆ, ସ୍ତ୍ରୀ ସୁମତି, ବଡ ପୁଅ ବିକାଶ, ଏଇ ଦୋଳକୁ, ତାକୁ ନଅ ପୁରି ଦଶ ଚାଲିଲା, ଗାଁ ପ୍ରାଇମେରୀ ସ୍କୁଲରେ ପଞ୍ଚମରେ ପଢେ, ଝିଅ ସାନ, ଆଠ ବର୍ଷର କେତକୀ, ତୃତୀୟ ଶ୍ରେଣୀରେ ପଢେ । ସନେଇ ଯେତେ ବେଳେ ଛୋଟ ଥିଲା ସେତେ ବେଳେ ତାର ବାପା ମରି ଯାଇଥିଲା, ମାଆ ଥିଲା ବୋଲି ସନେଇ ମଣିଷ ହେଲା, ହାତକୁ ଦି ହାତ ହେଲା । ବୁଢି ମାଆ ଖୁବ୍ ସମ୍ଭାଳି ଥିଲା ଘରକୁ । ସନିଆ ସେତେ ବେଳ ଆଠ ବରଷର ଥିଲା, ସନିଆର ବାପା କୋଉ ଅଜଣା ବେମାରୀରେ ମରି ଗଲେ । ବଇଦେ କହୁ ଥିଲେ କୁଆଡେ ରାଜ ଯକ୍ଷ୍ମା ହେଇ ଯାଇଥିଲା ବୋଲି । ପ୍ରଥମେ ତ କାଶ ହେଲା, କାଶି କାଶି ନୟାନ୍ତ ହେଲାରୁ ବଇଦକୁ ଦେଖାଇଲେ, ଜମିବାଡି ବୋଲି କିଛି ବି ନଥିଲା, ମୂଲଚାଲ କରି ସେ ଘର ଚଳଉ ଥିଲା । ପଥି ପାଞ୍ଚଣ ପାଇଁ ୠଣ କରଜ କିଏ ବା ଦେଇ ଥାଆନ୍ତା ! ବଡ କଷ୍ଟରେ କେଉଁଠୁ କେଉଁଠୁ ଧାର ଉଧାର କରି ସନେଇର ମାଆ ତା ବାପାକୁ ବଇଦ ପାଖକୁ ନେଇଗଲା । ବଇଦେ କିଛି ଔଷଧ ଦେଲେ, ମାସ ଦି’ଟାରେ ହାଡ କଙ୍କାଳ ଦିଶି ଗଲା ସନେଇ ବାପର । ତାପରେ କାଶରେ ରକ୍ତ ପଡିଲା, ଦିନ ପନ୍ଦରଟାରେ ସବୁ ଶେଷ ।

 

ସନେଇ ମାଆ ବହେ କାନ୍ଦିଲା, ଶେଷକୁ ସନେଇ ମୁହଁକୁ ଚାହିଁ କପାଳ ଆଦରି ପଡି ରହିଲା । ଘର ଘର ପାଇଟି କରି, ସନେଇକୁ ବଡ କଲା । ସନେଇ ଟିକେ ପାରିବାର ହେଲାରୁ ମୂଲ ଲାଗିବା ଆରମ୍ଭ କରିଦେଲା । ମାଆ ପୁଅ ମିଶି କାମରେ ଲାଗି ଗଲେ, ଦି ପଇସା ଅଧିକ ଘରକୁ ଆସିଲା । ଖାଇବାକୁ ଦି’ ଜଣ ମଣିଷ, ଦୁନିଆର ସ୍କୁଲ, ଜୀବନ ବିଷୟରେ ବହୁତ କିଛି ଶିଖେଇ ଦେଇ ଥିଲା ବୁଢିକୁ ତା ଜୀବନ କାଳ ଭିତରେ । ଭବିଷ୍ୟତ କଥାକୁ ଭାବି ବୁଢି ଦି ଦି ପଇସା ଏକାଠି କରିବାରେ ଲାଗିଗଲା । ବରଷ କେତେଟାରେ ଏତିକି ତ ହୋଇ ଗଲା କି ଯୋଡିଏ ବଳଦ ଆଉ ହଳ ନଙ୍ଗଳ କିଣା ହୋଇ ପାରିବ । ଭାବିଲା ହଳ ଲଙ୍ଗଳ ହୋଇ ଗଲେ ସନେଇ ଆଉ ଅଧିକ ଦି ପଇସା ରୋଜଗାର କରି ପାରିବ କିଛି କିଛି ଅଧିକ ଜୋଡିଲେ ସନେଇକୁ ହାତକୁ ଦି ହାତ କରି ଦେଇ ଘରକୁ ବୋହୁ ଆଣିବ । ତେଣିକି ସନେଇର ପିଲା ଛୁଆ ସଂସାରକୁ ଦେଖି ନିଶ୍ଚିତରେ ସେ ଆଖି ବୁଜିବ, ନହେଲେ ଆର ପୁରକୁ ଯାଇ ସନେଇ ବାପାକୁ କଣ କହିବ ?

 

ଭୋକ ହିଁ ମଣିଷର ପରମ ମିତ୍ର, ପରମ ହିତୈଷୀ । ଭୋକ ନଥିଲେ ହୁଏତ ମଣିଷ ଜାତି କେଉଁ ଯୁଗରୁ ସମାପ୍ତ ହୋଇ ସାରନ୍ତାଣି ଅବା ଆଜି ବି ବଣ ଜଙ୍ଗଲରେ ବାଘ ଭାଲୁଙ୍କ ସାଥିରେ ବୁଲୁଥାନ୍ତା । ମଣିଷର ସବୁ ପ୍ରେରଣାର ଧାରା ତା ଭୋକରୁ ହିଁ ଆସେ । ଏଇ ଭୋକ ହିଁ ମଣିଷକୁ ଜୀବିତ ରଖେ, କାମ କରିବାକୁ ପ୍ରେରିତ କରେ, ଆଗକୁ ବଢିବା ପାଇଁ ନୁଆ ବୁଦ୍ଧି ବିଚାର ଦିଏ । ଭୋକ କେବଳ ପେଟରେ ନଥାଏ । ଭୋକ ପାଇଁ କିଏ ଦେହ ବିକୁଛି ତ କିଏ ନିଜ ଦେହର ଭୋକ ମେଣ୍ଟେଇବାକୁ ଦେହ କିଣୁଛି । ଭୋକ କ୍ଷମତା ପାଇଁ, ଭୋକ ନାଁ କରିବା ପାଇଁ, ଭୋକ ଜ୍ଞାନ ପାଇଁ, ବିଜ୍ଞାନ ପାଇଁ, ଭୋକ ଈଶ୍ୱର ଭକ୍ତି ପାଇଁ ଏମିତି ଅନେକ ଭୋକ । ଏଇ ଭୋକ ମଣିଷକୁ ସକାଳୁ ଉଠାଇ ଦିଏ ଆଉ ଦିନ ସାରା ବଦଳ ପରି ଖଟଏ । ଭୋକ ନ ଥିଲେ କିଏ ବା କାହିଁକି ସକାଳୁ ଉଠନ୍ତା କି ରାତି ରାତି ନଶୋଇ ଦିନ ରାତି ଚବିଶ ଘଣ୍ଟା, ଘଡିର କଣ୍ଟା ପରି ଟିକ୍ ଟିକ୍ କରି କାମରେ ଲାଗି ଥାଆନ୍ତା ? ଯେତେ ବେଳେ ମଣିଷର ଭୋକ ସମାପ୍ତ ହୋଇ ଗଲା, ସେତେ ବେଳେ ଜାଣିବ ମଣିଷଟି ବି ସମାପ୍ତ ହେବାକୁ ଯାଉଛି ।


ସରକାର ଦୁଇ ଟଙ୍କିଆ ଚାଉଳ ଦେଇ ଖଟି ଖିଆ ଲୋକଙ୍କର ପେଟର ଭୋକକୁ ମାରି ଦେଲେ ଆଉ ମାରି ଦେଲେ କାମିକା ମଣିଷ ମାନଙ୍କର କାମ କରିବାର ଇଚ୍ଛା ଏବଂ ଆବଶ୍ୟକତାକୁ, ଆଉ ସେମାନଙ୍କର କାମ କରିବାର ଭୋକକୁ । ସରକାର ଗୁଡାଏ ନିକମ୍ମା ଅଳସୁଆ ଲୋକରେ ଭରି ଦେଲେଣି ସାରା ଦେଶଟାକୁ । ସରକାର ତ ରାଜନୀତି କରୁଛନ୍ତି । ଦାନା ଦେଖାଇ ଡେଣା କାଟି ଦେଉଛନ୍ତି । ଗୁଡାଏ କ୍ରୀତଦାସ ତିଆରି କରୁଛନ୍ତି ଦୁଇ ଟଙ୍କିଆ ଚାଉଳ ବଦଳରେ । କାରଣ କାଲି ପୁଣି ଇଲେକ୍ସନ ହେବ, ସେତେ ବେଳେ ଏଇ ନିକମ୍ମା ମଣିଷ ଗୌଡାକ ତ କାମରେ ଆସିବେ । ଜୟ ଜୟକାର କରିବେ ପୁଣି ଭୋଟ ଦେଇ ଜିତାଇ ଦେବେ । ଆଉ ଜନତା ଅନେଇ ବସିଥିବ ଚାତକଙ୍କ ପରି । ପୁଣି ମହାଭାଗ କେଉଁ ନୁଆ ଜୋଜନା କରି ଦୟା ବୃଷ୍ଟି କରିବେ । ମାଗଣାରେ ଅମୁକ ମିଳିବ ସମୁକ ମିଳିବ । ଗୁଡାଏ ମାଗଣା ଖିଆ ନିକମ୍ମା ମଣିଷଙ୍କର ଦେଶ ବନିଯିବ, ଏବଂ ଏଇ ଶସ୍ୟ ଶ୍ୟାମଳା ଭୁଇଁ ଦିନେ ଟାଙ୍ଗରା ଭୂଇଁ ପାଲଟି ଯିବ ।


ପେଟ ଚାଖଣ୍ଡଙ୍କ ପାଇଁ ସମସ୍ତେ ଅନେଇ ବସିଛନ୍ତି ଏଇ କୃଷକର ହାତକୁ । ସକାଳୁ ବ୍ୟାଗ୍ ଧରି ହାଟ ବଜାରରେ ବୁଲି ବୁଲି ଖୋଜୁଛନ୍ତି ସଜ ବାଇଗଣ ଗଣ୍ଡେ କି ଶାଗ ବିଡାଟେ ପାଇଁ । ଚୁଲି ମୁଣ୍ଡରେ ଘରଣୀ ଅନେଇ ବସିଛି ଚାଉଳ ଗଣ୍ଡେ କି ଅଟା ଦି ମୁଠା ପାଇଁ । ଖାଇଲା ବେଳେ କଣ କେବେ କିଏ ମନେ ପକାଏ ସେହି ଅନ୍ନଦାତା 'ବିଚରା ଚାଷୀଟିର କଥା ? ହଁ ବେପାରୀ ବାପୁଡା ଖାଲି ଅନେଇ ବସିଛି । କେତେ ବେଳେ କ୍ଷେତରେ ଧାନ ପାଚିବ କି ପିଆଜ, ଟମାଟର ଫଳିବ । କ୍ଷେତ ମୁଣ୍ଡରୁ ଆଠଣି ଚାରଣି ଭାଉ ଦେଇ ପିଆଜ ଟମାଟର କିଣି ନେବ ଆଉ ବଜାରରେ ପଚାଷ ଶାଠିଏ ଟଙ୍କାରେ ବିକିବ । ବିଚରା ଚାଷୀ ଖରା ତରାରେ ଝାଳ ରକତ ନିଗାଡି ଦେଇ ଖାଲି ହାତରେ ଅନେଇ ବସିଥିବ । ଆଗଲା ଫସଲ ପାଇଁ ରୁଣ କରଜ କେଉଁଠୁ ମିଳିବ । କରଜ ଶୁଝି ନପାରିଲେ ପାଞ୍ଚ ହାତର ଦଉଡି ବେକରେ ବାନ୍ଧି ଗଛ ଡାଳରେ ଝୁଲେଇ ଦେବ ନିଜକୁ ।


ଯେତେ ବେଳେ ସନେଇର ସାଇ ଭାଇ ଭେଣ୍ଡିଆ ପଲକ ପିଣ୍ଡାରେ କି ଗାଁ ମୁଣ୍ଡ ବର ଗଛ ଚଉତରାରେ ବସି ତାସ ଖେଳରେ ମସଗୁଲ ହେଉଥାନ୍ତି, ସେତେ ବେଳେ ସନେଇ ଲାଗି ଥାଏ ତା କାମରେ, ନିଜର ଜମି ବୋଇଲେ ତ ଖାଲି ଘର ଡିହ ଖଣ୍ଡକ । ତେଣୁ ମାହାନ୍ତି ଘର ଜମି ଭାଗରେ ଚାଷ କରେ । ମାହାନ୍ତି ବୁଢା ଆଗରୁ ନିଜେ ଚାଷ କରୁଥିଲେ, ଦୁଇ ଦୁଇଟା ହଳିଆ କାମ କରୁଥିଲେ କ୍ଷେତରେ । ଦି' ହଳ ବଳଦ ବନ୍ଧା ହେଉଥିଲେ ଗୁହାଳରେ ଆଉ ବଉଳା ଗାଈର ଗୁହାଳ ଅଲଗା ଥିଲା । ପିଲାମାନେ ପାଠ ଶାଠ ପଢି ବଡ ବଡ ଅଫିସର ହୋଇ ଗଲେ, ଏବେ ପିଲାଛୁଆଙ୍କୁ ନେଇ ସହରରେ ରହୁଛନ୍ତି । ବୁଢାକୁ ମନା କରି ଦେଲେ ଚାଷ ବାସ କରିବାକୁ, କହିଲେ ଆଜି କାଲି ଚାଷରେ କିଛି ଲାଭ ନାହିଁ । ବଜାରରେ ତ ସବୁ କିଛି ମିଳି ଯାଉଛି କିଣିବାକୁ । ଚାଷ କରି କାଦୁ ମାଟିରେ ଏତେ ହନ୍ତସନ୍ତ ହୋଇ ଲାଭ କଣ ? ଏକ୍ ତ ହଳିଆ ରହିବାକୁ ଲୋକ ମିଳିଲେନି, ଉପରେ ଆଜି କାଲି ମୂଲିଆ ବି ମିଳୁ ନାହାନ୍ତି କଣ ଗୋଟାଏ ଛୋଟ ମୋଟ କାମ କରିବାକୁ । ହଳ ବଳଦ କଥା କିଏ ବୁଝିବ, ଜମିବାଡି ଚାଷ ବାସ କିଏ କରିବ ? ତା ଉପରକୁ ଏତେ କଷ୍ଟ କରି, ପଇସା ଖର୍ଚ୍ଚ କରି ଚାଷ କରିବ, ଠିକ ସମୟରେ ଯଦି ଇନ୍ଦ୍ର ଦେବତା ନାରାଜ ହେଲେ କି ଫସଲରେ ରୋଗ ପୋକ ଲାଗି ଗଲେ ତେବେ ସବୁ ସରିଲା, ବର୍ଷ ଯାକର ମେହେନତ୍ ଚୁଲିକୁ ଗଲା । ଚାଷରେ ଆଉ ମନ ବଳେଇଲେନି ମାହାନ୍ତି ବୁଢା । ଏବେ ଜମି ବାଡି ସବୁ ପଡିଆ ପଡିଛି ।


ଦୁଇ ବର୍ଷ ଆଗର କଥା, ଦୋଳ ମେଲଣ ଜାତରେ ମାହାନ୍ତି ବୁଢା ସାଙ୍ଗରେ ଦେଖା ହୋଇଗଲା ସନେଇର । ସନେଇ ଓଳଗି କରିଲା, ମାହାନ୍ତି ବୁଢା ଗାଁଆରେ ଜଣେ ପୁରୁଖା ଲୋକ, ସମସ୍ତଙ୍କୁ ଚିହ୍ନନ୍ତି, ଜାଣନ୍ତି । ଗାଁ ମାମଲତରେ ସମସ୍ତେ ତାଙ୍କୁ ଡାକନ୍ତି ନ୍ୟାୟ ନିଶାପ କି ଭାଇ ଭାଗ ସମୟରେ । ସନେଇର ମାଆ ନାଆଁ ଧରି ପଚାରିଲେ ତୁ ପଞ୍ଚେଇ ପୁଅ ନା ?' ସନେଇ ମୁଣ୍ଡ ହଲାଇ ହଁ କଲାରୁ ଦୁଃଖ ସୁଖ ବୁଝି ପଚାରିଲେ, ତୋ ମାଆ କେମିତି ଅଛି ? ପୁଣି କହିଲେ, ବିଚାରି ଭାରି କାମିକା ମାଇପିଟାଏ, ସବୁ ବେଳେ ତୋରି କଥା କହେ ତୋରି ଚିନ୍ତା କରେ । ପୁଣି ପଚାରିଲେ, ଆଜି କାଲି କଣ କରୁଛୁ ତୁ ? ସନେଇ କହିଲା ତା ହଳ ବଲଦ କଥା, ଆଜି କାଲି କିଏ ଡାକିଲେ ଦିନ ମଜୁରୀରେ କ୍ଷେତ ଜୋଚି ଦେଉଛି । ମାହାନ୍ତି ବୁଢା କହିଲେ, ଭଲ, ଭଲ, ତୁ ତୋ ମା ପରି କାମିକା ପିଲାଟିଏ ! ଦେଖୁନୁ ଆଜି କାଲି ଜୁଆନ ଭେଣ୍ଡିଆ ଯାକ କେମିତି ନିକମ୍ମା ହେଇ ଗଲେଣି, ମାସରେ ଚାରି ଛଅ ଦିନ କାମ କରି ଦେଲେ ମାସକ ପାଇଁ ଟଙ୍କାକିଆ ଚାଉଳ ଯୋଗାଡ ହୋଇ ଗଲା । ବାକି ଦିନ ମାନ ସବୁ ଏଇ ବର ଗଛ ମୂଳେ ବସି ତାସ ଖେଳରେ ବ୍ୟସ୍ତ । ଭୋକ ଲାଗିଲେ ଘରୁ ପଖାଳ କଂସେ ଠୁଙ୍କି ଦେଇ ଆସିବେ । ଚିନ୍ତା କଣ, ସରକାର ତ ସବୁ ସୁବିଧା କରି ଦେଇଛି । ପିଲାଙ୍କୁ ବହିଠୁ ଡ୍ରେସ ଯାଏ ସବୁ ମାଗଣା, ତା ଉପରେ ସ୍କୁଲରେ ମଧ୍ୟାହ୍ନ ଭୋଜନ, ବିପିଏଲ ହେଇ ଗଲେ ତ ମାଗଣାରେ କୋଠାଘର ବି ମିଳି ଯାଉଛି । ଆଉ ବେଶି ମେହନତ ମଜୁରୀ କରିବା କଣ ପାଇଁ ଦରକାର ?

 

ଆରେ ତୋତେ ବି ତ ଏମିତି ସବୁ ମିଳିଥିବ ! ସନେଇ ମୁଣ୍ଡ ହଲେଇ କହିଲା, ନାଇଁ ଆଜ୍ଞା, ଆମ କଥା ଆଜି କିଏ ପଚାରୁଛି, ଆମେ କୋଉ ଗାଈର ଗୋବର ଯେ । ଏ ଯାଏ ମାମଲତକାର କରି ଶିଖି ପାରିଲିନି । ବୁଢି ମାଆର ବିଧବା ପେନସନ୍ ପାଇଁ ସରପଞ୍ଚଙ୍କୁ କେତେ ଥର କହିଲିଣି, କହିଲେ ଆଗଲା କୋଟା ଆସିଲେ କରିବେ । ଯାହା ଥିଲା ବଣ୍ଟା ସରିଲାଣି । ପଛରେ ଶୁଣିଲି କୁଆଡେ ଲେନଦେନ୍ କଲେ କି ସୁପାରିଶ ଆଣିଲେ ମିଳୁଛି । ବଡ ବଡିଆ ଯାକ ତ ଗରିବଙ୍କ ବିପିଏଲ ଖାଉଛନ୍ତି, ଆଉ ଆମ କଥା ବୁଝୁଛି କିଏ । ମହାନ୍ତି ବୁଢା ମୁଣ୍ଡ ହଲାଇଲେ, କହିଲେ ହଁରେ, ହଁ, ଜାଣେରେ ସବୁ କଥା । ଆଜି କାଲିକା ନେତା ସବୁ ଏମିତି, ଏମାନେ କଣ ଗାନ୍ଧୀ ନା ଗୋପବନ୍ଧୁ ହୋଇଛନ୍ତି, ନା ହୋଇ ପାରିବେ ? ସମସ୍ତେ ନିଜ ସ୍ଵାର୍ଥ ପାଇଁ ରାଜନୀତି କରୁଛନ୍ତି । ଥରେ ସରପଞ୍ଚ ହୋଇ ଗଲେ ନିଜ ପାଞ୍ଚ ପୁରୁଷି ବସି ଖାଇବାର ବନ୍ଦୋବସ୍ତ କରିବାରେ ସେମାନଙ୍କର ପାଞ୍ଚ ବରଷ ତ ଏମିତି ବିତି ଯାଉଛି, ଦେଶ ସେବା, ଜନସେବା କରିବାକୁ ଫୁରସତ କେତେ ବେଳେ ।

 

ମାହାନ୍ତି ବୁଢା ପୁଣି କହିଲେ, ଆରେ ସନେଇ ଗୋଟେ କଥା ଭାବୁଥିଲି, କରିବୁ ? ସନେଇ କହିଲା, କୁହନ୍ତୁ ଆଜ୍ଞା, ଆପଣଙ୍କ କଥା ଆଜି ଯାଏ କିଏ ଟାଳିଲାଣି ଯେ ମୁଁ ଟାଳି ଦେବି ? ମାହାନ୍ତି ବୁଢା କହିଲେ, ଆରେ ନାଇମ, ସେମିତି କିଛି କଠିନ କଥା, କଣ କହୁଥିଲି କି ତୁ ତ ଜାଣିଥିବୁ, ଦି ବର୍ଷ ହେଲାଣି ମୁଁ ଚାଷ ବୁଡେଇ ବସିଛି । ହଳିଆ ମୂଲିଆ ମିଳୁ ନାହାନ୍ତି, ତା ଉପରକୁ ମୋର ଆଉ ଧାଁ ଧପଡ କରିବା ବୟସ ବି ଆଉ ନାହିଁ । ବାତ ବାହାରି ପଡିଲାଣି ଯେ ବେଶି ଚଲା ବୁଲା କଲେ ଆଣ୍ଠୁ ଗଣ୍ଠି ଦରଜ ବାହାରି ପଡୁଛି । ପିଲା ମାନେ ବି ମନା କରୁଛନ୍ତି ଚାଷ କରିବାକୁ । କହୁଛନ୍ତି ବଜାରରେ ତ ସବୁ କିଛି କିଣିବାକୁ ମିଳି ଯାଉଛି, ଚାଷ କରିବା କଣ ଦରକାର । ତୁ କହିଲୁ, ସମସ୍ତେ ଯଦି ଏମିତି ଭାବି ଚାଷ ବନ୍ଦ କରି ଦେବେ, ତାହା ହେଲେ ବଜାରକୁ ଚାଉଳ ହେଉ କି ପରିବା ଗଣ୍ଡାକ ହେଉ କେଉଁଠୁ ଆସିବ ? ଡାଲି ଚାଉଳ ତ ମେସିନରେ ତିଆରି ହେବନି । ଯେଉଁ ଦିନ ଚାଷୀ ବାପୁଡା ଚାଷ ବନ୍ଦ କରି ହାତ ବାନ୍ଧି ଚୁପ୍ ବସି ଯିବ ସେଇ ଦିନ ସମସ୍ତଙ୍କର ଭାତ ଥାଳି ବି ଶୂନ୍ୟ ହୋଇ ଯିବ । ମଣିଷ କଣ ଟଙ୍କା କି ସୁନା ରୂପା ଖାଇ ପେଟ ଭରିବ ?

ତୁ ଯଦି ପାରିବୁ ଆମ ଜମି ଯାକ ଭାଗରେ ଚାଷ କରୁନୁ ! ଯେତେ ବେଳେ ଯାହା ଯେମିତି ଦରକାର ହେବ ମୁଁ ସାହାଯ୍ୟ କରିଦେବି । ପୋଖରୀ ତଳିଆ ସାତ ଏକର ଅଉଲ ଜମି, ଟିକେ ମେହନତ କଲେ ସୁନା ଫଳିବ, ଚାଷ କରିବୁ ? ସନେଇର ଆଖି ତାଳୁକୁ ଉଠି ଆସିଲା ଖୁସିରେ । ଏଇଟା ତ ବହୁତ ଭଲ ପ୍ରସ୍ରାବଟିଏ, କିନ୍ତୁ ସାତ ଏକର ଜମି, ଇଏ ତ ବହୁତ ବେଶି ତା ପାଇଁ । ଆଗରୁ ନିଜେ ନିଜେ କେବେ ଚାଷ ବାସ କରିନି । ତଥାପି କହିଲା, କରିବି ଆଜ୍ଞା, କିନ୍ତୁ ସାତ ଏକର ଜମିକୁ ଆଖି ପାଉନି, ଆପଣ ଟିକେ ବତେଇ ଦେଲେ ପ୍ରଥମେ ଏକର ଦି ଏକରରୁ ଆରମ୍ଭ କରିବି, ତାପରେ ପୁଣି ଆପଣେ ଯେମିତି କହିବେ । ମହାନ୍ତି ବୁଢା ଖୁସି ହୋଇ ଗଲେ, କହିଲେ, ଜାଣିବା ବୁଝିବା ପିଲାଟେ ତୁ । ଠିକ୍ କଥା କହିଛୁ, ଅଳ୍ପରୁ ଆରମ୍ଭ କରିବା ସବୁ ବେଳେ ଭଲ । ପାଦେ ପାଦେ ଚାଲିଲେ, କୋଶ ସରି ଯାଏ । ବ୍ୟସ୍ତ ହେବାର କିଛି ନାହିଁ, ମୁଁ ସବୁ ଶିଖେଇ ଦେବି ତୋତେ, କେବେ କଣ କେମିତି କରିବୁ ବୋଲି, ତୁ ଜମ୍ମାରୁ ଚିନ୍ତା କରିବୁନି । ଆରେ ଚାଷ କରି କରି ପରା ମୁଣ୍ଡର ଚୁଟି ପାଚି ଗଲା ମୋର । ଗୋଟିଏ ବର୍ଷରେ ତୁ ଚାଷ ବାସ ବିଷୟରେ ସବୁ ଜାଣିଯିବୁ, ତାପରେ ଦେଖିବା, ହଁ କେବେ ବିହନ କି ସାର କିଣିବାକୁ ଦରକାର ପଡିଲେ କହିବୁ, ଟଙ୍କା ପଇସାରେ ବି ମୁଁ ତୋତେ ସାହାଯ୍ୟ କରି ଦେବି। ସଂଧ୍ୟା ବେଳେ ଘରକୁ ଆସେ, ସବୁ କଥା ହୋଇ ଯିବା । ସେବେ ଠାରୁ ସନେଇ ଭାଗରେ ଚାଷ କରୁଛି, ମହାନ୍ତି ବୁଢାର ଜମି । ଦୁଇ ଏକରରୁ ଆରମ୍ଭ କରି ଥିଲା, ଗଲା ବର୍ଷ ଚାରି ଏକର ଚାଷ କରି ଥିଲା, ଏ ବର୍ଷ ସବୁ ସାତ ଏକର ଜମି ଚାଷ କରିବ ବୋଲି ଭାବିଛି ।

ସକାଳର ପହିଲି କାଉ କାଆ କରିବା ବେଳକୁ ସନେଇ ତା ବଦଳ ହଳକୁ ଖୋଇ ପେଇ କ୍ଷେତକୁ ବାହାରି ପଡେ, ଅଣ୍ଟିରେ ତାର ମୁଢି ଦୁଇ ମାଣ ବାନ୍ଧି ନିଏ, ସେଇ ତକ ତାର ସକାଳ ଜଳଖିଆ । ଦି ପହର ବେଳକୁ ତା ଘରଣୀ ତା ପାଇଁ ପଖାଳ କଂସାଏ ନେଇ ପହଞ୍ଚି ଯାଏ କ୍ଷେତ ମୁଣ୍ଡରେ । ବେଳ ବୁଡିବା ଯାଏ କାମରେ ଯୁଟି ଯାଆନ୍ତି ସ୍ୱାମୀ ସ୍ତ୍ରୀ ଦୁଇ ଜଣ, ମାଟି ମା ସାଙ୍ଗରେ ମାଟିର ପୁଅ ଝିଅ ହୋଇ । ଧାନ କଟା ହୋଇଗଲା ପରେ, କ୍ଷେତରେ ତାର ପରିବା ଚାଷ କରିଦିଏ ସନେଇ, ବାଇଗଣ ଲଙ୍କା, ଶାଗ କାକୁଡି ଲାଉ ଠାରୁ ଆରମ୍ଭ କରି ଶୀତ ଦିନେ କୋବି ମୂଳା ଟମାଟର ମଟର ପିଆଜ ରସୁଣ ଆଦି ସବୁ କିଶମର ଫସଲ । ସନେଇ କହେ, ଆପଣା ହାତ ଜଗନ୍ନାଥ । ଠାକୁରେ ହାତ ଦେଇଛନ୍ତି କାମ କରିବାକୁ, ମାଗିବାକୁ ନୁହେଁ । ତାରି ପରି କେଉଁ ଏକ ଚାଷୀର ଝାଳରେ ଭିଜା ପରିବା, ଆମର ରୋଷେଇ ଘରେ ରନ୍ଧା ଯାଏ, ଆମରି ଖାଇବା ଥାଳିରେ ପରଶା ଯାଏ । କିନ୍ତୁ କେହି କେବେ ବି ମନେ ପକାଏନା ସେଇ ମଳି ମଣ୍ଡିଆ ଚାଷୀଟିର କଥା । ଦି ପହର ଖରାରେ ମୁଣ୍ଡରେ ଠେକାଟିଏ ଭିଡି ଉତପ୍ତ ସୂର୍ଯ୍ୟ କିରଣକୁ ପିଠି ଦେଖେଇ ଝୁକି ପଡିଥିବ ଧାନ କିଆରୀରେ ଅବା କୋଉ ବାଇଗଣ ଗଛ ମୂଳରେ । କେବେ ବି ମନେ ପଡେନା ସେଇ ସନେଇ ! ଲଞ୍ଚ ଟେବୁଲରେ ଗରମ ଗରମ ଭାତ ଥାଳି ଉପରେ ନଇଁ ପଡି ସୁଆଦିଆ କୋବି ଆଳୁ ଝୋଳର ସ୍ଵାଦ ନେଲା ବେଳେ କେବେ କେହି ଭାବେନା, ଆଜି ବିଚରା ସନେଇ ତା ଲଞ୍ଚରେ କଣ ଖାଇଥିବ ! କଂସାଏ ପଖାଳ ସାଙ୍ଗରେ ବାଇଗଣ ପୋଡାଟିଏ କି ଶାଗ ଭଜା ଟିକିଏ !

 

ଦିନ ଦିପହରର ସେଇ ଉଦୁ ଉଦିଆ ଖରାରେ ହେଉ କି ଧାରା ଶ୍ରାବଣର ଝଡି ବର୍ଷାରେ ଭିଜି ଭିଜି କେତେ ସନେଇ ଏମିତି ମେହନତ କରୁଛନ୍ତି, ଆମ ଖାଇବା ଥାଳିର ଭାତ ମୁଠାକ ପାଇଁ କିମ୍ବା ରୁଟି ଦୁଇ ପଟ ପାଇଁ । ଖାଇଲା ବେଳେ କେବେ ବି ମନେ ପଡେନା ଟାଙ୍ଗରା ଭୁଇଁକୁ ଶସ୍ୟ ଶ୍ୟାମଳା କରୁଥିବା ଆଉ ମାଟି କାଦୁଅରେ ପଚ ପଚ ଗାଧୋଇ ପଡିଥିବା ସେଇ ସନେଇର କଥା । ବର୍ଷା ରାତିରେ ପାଣି ଗଳୁଥିବା ତାର ସେଇ ଚାଳ ଛପର ତଳେ ଶୋଇ ଭାବୁଥିବ ତା ଜମିରେ ଘାଇ ହୋଇ ଯାଇନି ତ ? ଫସଲ ଠିକ୍ ନହେଲେ ସାହୁକାର କରଜ କେମିତି ଶୁଝିବ । କେବେ ବି ହିସାବ ପାଏନା, ବେପାରୀ ତା ଠାରୁ ଯେଉଁ ଟମାଟର କିଲୋ ଆଠଣି ଦେଇ କିଣୁଛି ତାହା କେତେ ଦାମରେ ବଜାରରେ ବିକୁଛି । ଆଠଣି ହାତରେ ନେଇ ଖାଲି ଏତିକି ଭାବେ, ଏଇ ଦାମରେ ଫସଲ ବିକିଲେ ତାର କରଜ କେମିତି ଶୁଝିବ ? ସେମିତି ଶୀତ ରାତିରେ ଗରମ ରେଜେଇ ତଳେ ଶୋଇ ଶୋଇ ଆମର କେବେ ବି ମନେ ପଡେନା ସେହି ସୈନିକଟିର କଥା, ଯିଏ ସିଆଚିନର ବରଫ ଗଦା ଭିତରେ ଅଧା ପୋତି ହୋଇ ସାରା ରାତି ସେମିତି ପହରା ଦେଉଥାଏ । କିନ୍ତୁ କେବେ କେଉଁ ସଭା ସମିତିରେ ଆମେ ବଡ ଜୋର ସୋରରେ 'ଜୟ ଜବାନ, ଜୟ କିଷାନର ସ୍ଲୋଗାନ ଦେଲା ବେଳକୁ ଆମ ପାଟି କେବେ ଖନି ମାରି ଯାଏନି ।

ଆଜି ବି ଯାଆନ୍ତୁ ସନେଇର ଗାଁ, ସନେଇକୁ ନିଶ୍ଚୟ ଦେଖିବେ, ସେଇ ମାଟିର ମଣିଷଟି କିପରି ମାଟି କାଦୁଅରେ ସାଲୁ ବାଲୁ ହୋଇ ଆପଣଙ୍କ ବ୍ରେକଫାଷ୍ଟ, ଲଞ୍ଚ, ଡିନର ଥାଳି ପାଇଁ ମାଟିରେ ମାଟି ହୋଇ ଭଳିକି ଭଳି ଫସଲ ଅମଳ କରୁଛି ।

***0***


Rate this content
Log in

Similar oriya story from Tragedy