ବିନୟ ମହାପାତ୍ର

Children Stories Classics Inspirational

3  

ବିନୟ ମହାପାତ୍ର

Children Stories Classics Inspirational

ସେକାଳ ପଖାଳ

ସେକାଳ ପଖାଳ

11 mins
204



ଜାନୁଆରୀ ମାସର ଶୀତ ସକାଳ, ଚାରି ପଟେ ଘନ କୁହୁଡି ତାର ବହଳ ଚାଦର ତଳେ ସବୁ କିଛି ଢାଙ୍କି ରଖିଥାଏ । କୁହୁଡି ଘେରା ସକାଳରେ ଆମ କୂଅ ପାଖ ପିଜୁଳି ଗଛଟା ବି ଭଲ ଭାବେ ଦିଶେନି । ପ୍ରତିଦିନ ସକାଳେ ନିତ୍ୟକର୍ମ ପାଇଁ କୁଅ ପାଖରେ ଆମେ ସାତ ଭାଇ ଭଉଣୀ ପହଞ୍ଚି ଯାଉ । ସେଠାରେ ଆମେ ପହଞ୍ଚି ଦେଖୁ ଆମର ସେଇ ଝଙ୍କାଳିଆ ପିଜୁଳି ଗଛ ତଳେ କେତେ ଗୁଡିଏ ଖଣ୍ଡିଆ ପିଜୁଳି ସେମାନଙ୍କର କ୍ଷତାକ୍ତ ନାଲି ପେଟ ଦେଖେଇ ପଡି ଥାଆନ୍ତି, ସତେ ଅବା କେହି ତାଙ୍କର ପେଟ ଚିରି ଅନ୍ତବୁଜୁଳା ବାହାର କରି ଦେଇଛି । ସେଇ ଖଣ୍ଡିଆ ପିଜୁଳି ଗୁଡିକ ବଡ ଭୟାତୁର କଣ୍ଠରେ ଯେମିତି କହୁଥାନ୍ତି, ଆରେ ଦେଖରେ, କାଲି ରାତିରେ ବାଦୁଡି ଆସି କେମିତି ଆମ ପେଟ ଚିରି ଆମକୁ ଖାଇ ଦେଇଛନ୍ତି ! 


ଏଇ ପିଜୁଳି ଗଛଟା ଆମର ବାର ମାସୀ ପିଜୁଳି ଗଛ, ବର୍ଷର ସବୁ ସମୟରେ ନୂଆ ନୂଆ ଫୁଲ ଫୁଟୁ ଥାଏ, କସି ପିଜୁଳି ବି ଥାଏ, ଆଉ ବହୁତ ସାରା ପାଚିଲା ପିଜୁଳି ବି ଝୁଲୁ ଥାଏ । ଖୁବ୍ ମିଠା ଆଉ ମାଉଁସିଆ ସେ ପିଜୁଳି, ତାର ମଞ୍ଜି ବି ବହୁତ ନରମ ନରମ, ଭିତରଟା ତାର ଲାଲ ଟହ ଟହ । କିନ୍ତୁ ବଡ ବିଚିତ୍ର କଥା, ସବୁ ଦିନ ଦି’ପହରରେ ଆମେ ଯେତେ ବେଳେ ସ୍କୁଲରୁ ଫେରି ଏଇ ଗଛରେ ଚଢି ପାଚିଲା ପଜୁଳି ଖୋଜୁ, ସେତେ ବେଳେ ଆମକୁ ଗୋଟିଏ ବି ପାଚିଲା ପିଜୁଳି ମିଳେନା । କିନ୍ତୁ ସବୁ ଦିନ ସକାଳେ ଗଣ୍ଡା ଗଣ୍ଡା ଖଣ୍ଡିଆ ପିଜୁଳି ଏଇ ଗଛ ମୂଳରେ ଏମିତି ପଡି ଥାଏ । ଏଇ ଗଛଟା ବୋଧେ ବାଦୁଡି ମାନଙ୍କର ସାଙ୍ଗ, ଦିନରେ ଆମଠୁ ପିଜୁଳି ଲୁଚେଇକି ରଖେ, ଆଉ ରାତି ହେଲେ ବାଦୁଡିଙ୍କୁ ଗିଫ୍ଟ ଦେଇ ଦିଏ । 


ମୁଁ ପିଜୁଳି ଗଛକୁ ଅନେଇ ପାଚିଲା ପିଜୁଳି ଖୋଜୁଥାଏ, ଠିକ୍ ସେଇ ସମୟରେ ବଡ ଭାଇ ପଛ ପଟରୁ ଆସି କାନ ପାଖରେ ବଡ ପାଟିରେ କହେ, ହେଃ, ସେ ଖଣ୍ଡିଆ ପିଜୁଳି ଆଡେ ଚାହିଁ କଣ ଭାବୁଛୁ । ଜଲ୍ଦି ଦାନ୍ତ ଘସି ପକା, ସ୍କୁଲ ପାଇଁ ଡେରି ହୋଇ ଯିବ । ଦାନ୍ତ କାଠିଟାକୁ ପାଟିରେ ପୁରେଇ ଜୋରରେ ଭିଡି ଭାଡି ଦାନ୍ତ ଘସୁ ଘସୁ, ଭାଇ ପୁଣି କହେ, ନେ ଏଇ ଅଙ୍ଗାର ଗୁଣ୍ଡ ଟିକିଏ, ଏଥିରେ ଥରେ ଭଲ କରି ଘସି ଦେ, ଦେଖିବୁ ଦାନ୍ତ ସବୁ କେମିତି ଚକ୍ ଖଡି ପରି ଏକଦମ୍ ଚକ୍ ଚକ୍ ଧଳା ଦେଖା ଯିବ । ସେତେ ବେଳେ ଦାନ୍ତ ଘସିବା ପାଇଁ ଟୁଥ୍ ପେଷ୍ଟ କି ବ୍ରସ କିଛି ବି ମିଳୁ ନଥିଲା । ଜଙ୍ଗଲରୁ ଶାଳ କି କରଞ୍ଜ ଦାନ୍ତ କାଠି ଆଣି ଆଦିବାସୀ ମାନେ ବିକ୍ରି କରନ୍ତି, ମୋଟା ପତଳା ହୋଇ ଦଶ କୋଡିଏଟା ଦାନ୍ତ କାଠି ବିଡା ପାଞ୍ଚ ପଇସାରେ ମିଳି ଯାଏ । ବଡ ଲୋକ ମାନେ କିଏ କିଏ ଗୁଡାଖୁରେ ବି ଦାନ୍ତ ଘସନ୍ତି କିନ୍ତୁ ତେବେ ବି ତାଙ୍କର ଦାନ୍ତ କାଠି ଦରକାର ହୁଏ, ଦାନ୍ତ ଘସିବାକୁ ନୁହେଁ, ବରଂ ଜିଭ ଛେଲିବାକୁ । ଦାନ୍ତ କାଠିକୁ ଦାନ୍ତରେ କାମୁଡି ମଝିରୁ ଦିଫାଡ କରି ଦିଆ ଯାଏ, ଆଉ ସେଥିରେ ଜିଭ ଛେଲା ହୁଏ । ଭାଇର ଦାନ୍ତଘସା ଜିଭ ଛେଲା ସବୁ ସରିଲାଣି ସେ ଠିଆ ହୋଇ ମୋତେ ଦେଖୁ ଥାଏ କାଳେ ମୁଁ ଆଉ ଅଧିକ ଡେରି କରି ଦେବି ବୋଲି । କହିଲା, କିରେ ସରିଲା ଦାନ୍ତଘସା, ଏବେ ଶିଘ୍ର ଜିଭ ଛେଲି ପକା, ମାଆ 

ଖାଇବାକୁ ଡାକୁଥିବ । ମୁଁ ଦାନ୍ତକାଠିକୁ ଦାନ୍ତରେ ଫାଡି ଦି’ଚିରା କରିବା ବେଳକୁ ମାଆ ଡାକ ପକାଏ, ଆରେ ସରିଲା ତମର, ସଅଳ କାମ ସାରି ଆସ, ଖାଇବ । ସିଆଡେ ସ୍କୁଲ ଘଣ୍ଟି ବାଜିଯିବ ଯେ ।


ଶୀତ ଦିନ ସକାଳ, ତଥାପି ସ୍କୁଲ ତ ଯିବାକୁ ହେବ । ସାଢେ ସାତଟାରୁ ସ୍କୁଲ ଆରମ୍ଭ ହୁଏ ସ୍କୁଲ । ସକାଳୁ ଉଠି ଦାନ୍ତ ଘସି, ସ୍କୁଲ ପାଇଁ ସଫା ସୁତୁରା ଡ୍ରେସ ପିନ୍ଧୁ, ଆମ ସ୍କୁଲ ବେଳ ସମୟରେ ସ୍କୁଲ ୟୁନିଫର୍ମ ବୋଲି କିଛି ନଥିଲା, କିନ୍ତୁ ଘର ପିନ୍ଧା ଆଉ ସ୍କୁଲ ପିନ୍ଧା ଡ୍ରେସ ଅଲଗା ଅଲଗା ଥିଲା । ହାପ ପ୍ୟାଣ୍ଟ, ହାପ ସାର୍ଟ । ଶିତ ହେଉକି ବର୍ଷା କି ଖରା ଦିଅଁ, ବର୍ଷ ସାରା ସବୁ ଦିନ ସେଇ ଏକା ହାପ୍ ପ୍ୟାଣ୍ଟ, ହାପ୍ ସାର୍ଟ । ସ୍ୱେଟର କାଁ ଭାଁ କାହା କାହା ପାଖରେ କେମିତି ଥାଏ । କଲେଜ ପଢିଲେ ଯାଇ ଫୁଲ ପ୍ୟାଣ୍ଟ ମିଳୁଥିଲା । ଡ୍ରେସ ପିନ୍ଧିବାକୁ ଗଲା ବେଳକୁ ବାପା କେଉଁଠି ଥିବେ କେଜାଣି, ଆସି ପଚାରିବେ କିଏ କିଏ ସକାଳୁ ଝାଡା ଯାଇନ? ସେତେ ବେଳେ ବାଡିରେ ଆମର ଗୋଟିଏ ବରପାଲି ପାଇଖାନା ଥିଲା । ଆଜି କାଲି ପରି ସେତେ ବେଳେ ସମସ୍ତଙ୍କ ବାଡିରେ କୁଅ କିମ୍ବା ପାଇଖାନା ନଥିଲା, ଆଜି କାଲି ପରି ସ୍ୱଚ୍ଛ ଭାରତ କଥା କାହା ମନରେ ଆସି ନଥିଲା ବୋଧେ । ସକାଳ ହେଲେ କିଏ ରସ ଢାଳ କିଏ ପିତଳ ଢାଳରେ ପାଣି ଧରି ଗାଁ ମୁଣ୍ଡରେ ଥିବା ବିଲ ଭିତରକୁ ନହେଲେ ପୋଖରୀ ହୁଡାକୁ ନିତ୍ୟକର୍ମ ସାରିବାକୁ ଯାଆନ୍ତି । ଆମେ ସାତ ଭାଇ ଭଉଣୀ, ସକାଳ ଛଅଟାରେ ଉଠି ସାଢେ ଛଅଟା ଭିତରେ ସମସ୍ତେ ଯେ ପାଇଖାନାର ଦର୍ଶନ କରିଥିବେ, ସେ କଥା କହିବା ମୁସ୍କିଲ । କିନ୍ତୁ ବାପାଙ୍କ ଆଗରେ ସମସ୍ତେ ଗୋଟିଏ ସ୍ୱରରେ ହଁ କହି ଦିଅନ୍ତି । କିଏ ସତ କହୁଛି କିଏ ମିଛ କହୁଛି, ପରଖିବାକୁ ବାପାଙ୍କ ପାଖରେ ସମୟ ନଥାଏ । କିନ୍ତୁ ଏଇଟା ରେଗୁଲାର ଫରମାଲିଟି, ବାପା ନିଶ୍ଚୟ ପଚାରୁ ଥିଲେ, ଏବଂ ଆମେ ସମସ୍ତେ ଏକ ସ୍ୱରରେ ହଁ କହି ଦେଉ ଥିଲୁ ।


ଦାନ୍ତ ଘସିବା ପରେ ମୁହଁ ଧୋଇ ସାରି ପାଣି ଟିକିଏ ନେଇ ହାତରେ ନେଇ ମୁଣ୍ଡବାଳକୁ ଓଦା କରି ଦେଉ, ଯେପରି ଗାଧୋଇଲା ପରି ଦିଶିବ । ଘରେ ମାଆ ତେଲ ଶିଶି ନେଇ ଆମର ଅପେକ୍ଷା କରିଥାଏ, ମେଞ୍ଚାଏ ତେଲ ମୋ ମୁଣ୍ଡରେ ବୋଳି ପକାଏ । ବଡ ଭାଇ ନିଜେ ନିଜେ ତା ମୁଣ୍ଠରେ ତେଲ ଲଗାଏ ଆଉ ସିନ୍ଥୁଣି କାଢି ବଡ ଷ୍ଟାଇଲରେ ତା ମୁଣ୍ଡ କୁଣ୍ଡାଏ, ଯେମିତି ଆମର ଜଣେ ପିଉସା ଚୁଟି ଷ୍ଟାଇଲ କରି ମୁଣ୍ଡ କୁଣ୍ଡାନ୍ତି । କିନ୍ତୁ ମାଆ ମୋ ମୁଣ୍ଡ କୁଣ୍ଡାଇ ଦିଏ । ପାଲା ଦିନେ ମୋ ମୁଣ୍ଡର ଚୁଟି ସହଜରେ କୁଣ୍ଡେଇ ହୁଏନା । ଯେତେ ପାଣି ଲଗାଅ କି ତେଲ ବୋଳ, କୁଣ୍ଡେଇ ଦେଲା ପରେ ବି ସବୁ ଚୁଟି ସିଧା ଠିଆ ଠିଆ ହୋଇ ରହନ୍ତି । ସେଇଥି ପାଇଁ ମୋ ବଡ ଭାଇ ସବୁ ବେଳେ ମୋତେ ଟିଙ୍ଗା ବାଳିଆ କହି ଚିଡାଏ । ମାଆ ବି ବେଳେ ବେଳେ ବ୍ୟସ୍ତ ହୋଇ ଯାଏ, କହେ କଣ କରିବି ତୋ ଚୁଟିକୁ? ଯେତେ କୁଣ୍ଡେଇଲେ ବି ଠିଆ ଠିଆ ହୋଇ ରହୁଛି । ବଡ ଭାଇ ମୋତେ ଚିଡେଇବାକୁ କହେ, ମାଆ ତା ଚୁଟିକୁ ଟିକିଏ ଇସ୍ତ୍ରୀ କରି ଦେଉନୁ । ମୁଁ ରାଗି ଯାଏ, ବଡ ଭାଇକୁ ମାରିବାକୁ ବାହାରିଲା ବେଳେ ମାଆ ମୋତେ ଧରି ପକାଏ ଆଉ କହେ, ହେଇ, ସ୍କୁଲ ପାଇଁ ଡେରି ହେଉଛି, ଚାଲ ଜଲ୍ଦି ଜଲ୍ଦି ଖାଇନିଅ, ସ୍କୁଲ ଡେରିରେ ପହଞ୍ଚିଲେ ମାଷ୍ଟ୍ରେ ଏକ ଗୋଡିଆ ଠିଆ କରେଇ ଦେବେ । ସ୍କୁଲରୁ ଫେରିଲେ ପଛେ ଝଗଡା କରି ନେବ ।


ବେଶ ପୋଷାକ ସାରିବା ପରେ ଖାଇବା ପର୍ବ । ଏତେ ସକାଳୁ କିଏ ବା କଣ ରୋଷେଇ କରି ପାରିବ? ତେଣୁ ଖରା ହେଉ କି ବର୍ଷା କି ଶୀତ, ସବୁ ଦିନ ସକାଳେ ବାସି ପଖାଳ । ସ୍କୁଲରୁ ଆସିଲା ପରେ, ଦି ପହର ମିଲ୍ ଗରମ ଭାତ, ଡାଲି, ତରକାରୀ, ଭଜା ଆଉ କେତେ କଣ ରନ୍ଧା ହୋଇ ଥାଏ । ସେ ସମୟରେ ଖାଲି ସହରର ଲୋକେ ରାତିରେ ରୁଟି ଖାଉ ଥିଲେ, ନହେଲେ ଗାଆଁରେ ତ ରାତିର ଡିନରରେ ସଜ ପଖାଳ, ସକାଳ ବ୍ରେକଫାଷ୍ଟରେ ବାସି ପଖାଳ, ଦି’ପହରର ଲଞ୍ଚଟା କିନ୍ତୁ ଗରମ ଭାତ ଆଉ ପଞ୍ଚଅଡା ତିଅଁଣ ! ରାତିର ବଳକା ଆଳୁ ଛୁଇଁ ଭଜା କିମ୍ବା ଆଳୁ କି ବାଡି ବାଇଗଣ ପୋଡା ସହିତ ମାଆ ବାଢି ଦିଏ ତିନି ଚାରି କଂସାରେ ବାସି ପଖାଳ । ମାଟି ହାଣ୍ଡିର ସେ ଥଣ୍ଡା ଥଣ୍ଡା ପଖାଳ । ରୋଷେଇ ତ ରସ ଡେକ୍ଚିରେ ହୁଏ କିନ୍ତୁ ପଖଳା ଯାଏ ମାଟି ହାଣ୍ଡିରେ, ସେଥିରେ ଗିନାଏ ଜୁଆଣ ମିଶା ଯାଏ (ଜୁଆଣ କହିଲେ ଆଗ ଦିନର ପୁରୁଣା ଖଟା ତୋରାଣୀ ଯେମିତି ଦହି ବସେଇବା ପାଇଁ ଖୀରରେ ଦହି ମିଶା ଯାଏ) । ସେ ପଖାଳର ମହକ ଆଜି ବି ଭୂଲି ହୁଏନା । ଅମୃତର ମହକ ବୋଧ ହୁଏ ଏମିତି ଥାଏ !


ଗୋଟେ କଂସାରେ ଦି’ ଦି’ଜଣ । ମୁଁ ଆଉ ମୋ ବଡ ଭାଇ ଗୋଟିଏ କଂସାରେ ଖାଇ ବସୁ । ଆଜି ବି ମନେ ପଡିଲେ ବଡ ହସ ଲାଗେ । ମୋ ବଡ ଭାଇ ଟିକେ ବେଶି ସୁତୁରା ମଣିଷ, ବସୁ ବସୁ କହିବ, ଯାଆ ଭଲ କରି ହାତ ଧୋଇ ଆସ । ତାପରେ, ପୋଡା ଆଳୁ ବାଇଗଣ କେବଳ ସିଏ ପାଗ କରି ଚକଟିବେ । ମୋତେ କୁଆଡେ ଭଲ ପାଗ କରି ଆସେନା । ଚକଟିବା ଭିତରେ ମୋତେ ଦୁଇ ତିନି ଥର ଭାତ କଂଶାରୁ ନ ଉଠେଇଲେ ତାର ଚକଟା ପର୍ବଟା ସମ୍ପୁର୍ଣ୍ଣ ହୋଇ ପାରେନା । ଥରେ କହିବ ଯାଆ ବାଡିରୁ ଧନିଆ ଗଛ ଦିଟା ଓପାଡି ନେଇଆ, ବସୁ ବସୁ ପୁଣି କହିବ, ତୁ ଭଲ କି ଧୋଇକି ଆଣିନୁ, ଏଇ ଦେଖୁନୁ ଧନିଆ ଚେରରେ କେମିତି ମାଟି ଲାଗିଛି, ଇତ୍ୟାଦି ଇତ୍ୟାଦି । କିନ୍ତୁ ଶେଷ ରେଜଲ୍ଟଟା ବହୁତ ମଜାଦାର ହୁଏ । ଚକଟା ପାଗଟା ଖୁବ୍ ଟେଷ୍ଟି ହୋଇ ଥାଏ । ମୁଁ ତରବରରେ ଖାଇବା ବେଳେ କଂସା ଭିତରେ ମୋ ହାତକୁ ଜାବୁଡି ଧରିବ, କହିବ ଏତେ ଜଲ୍ଦି ଜଲ୍ଦି କାହିଁକି ଭାତ ଗିଳି ପକୁଛୁ ? ଗାଡି ପଳେଇବ କି ? ତୋ ପେଟ ଭିତରେ ଚୋବାଇବାକୁ କଣ ଆହୁରି ଅଲଗା ଦାନ୍ତ ଅଛି ? ଧୀରେ ଧିରେ ଖା । ତଣ୍ଟିରେ ଲାଗିବ । ସକାଳ ପଖାଳ ସାଙ୍ଗରେ କେବେ ଚିଙ୍ଗୁଡି, ଲୁଣି ସୁଖୁଆ ଶୋରିଷ ମସଲା ଦେଇ ଭଜା ହୋଇ ଥାଏ । କେବେ ରସୁଣ ଅଦା କଞ୍ଚା ଲଙ୍କା ସହିତ ବଡିଚୁରା, କେବେ କୋଶଳା ସାଗ ଭଜା, କେବେ ଆଳୁ ମୁଳା ଭଜା କେବେ ଆଳୁ ଫୁଲକୋବି ଭଜା । ସାଙ୍ଗ ହୋଇ ଖାଇ ବସିଲେ ଜଣା ପଡେନି, ସକାଳୁ ସକାଳୁ ଆମେ କେତେ ଯେ ପଖାଳ ଖାଇ ଯାଉ ।


ଆମର ହାପ୍ ଇୟରଲି ପରୀକ୍ଷା ଏଇ ଶୀତ ଦିନରେ ହୁଏ, ପରୀକ୍ଷା ସରିଲା ପରେ ଧାନକଟା ଛୁଟି ଆରମ୍ଭ ହୋଇଯାଏ । ଯେତେ ଦିନ ଆମର ପରୀକ୍ଷା ଥାଏ, ସେତେ ଦିନ ମାଆ ବଡି ଭୋର, ରାତିକରୁ ଉଠି ଆମ ପାଇଁ ଗରମ ଭାତ, ମୁଗ ଡାଲିର ଡାଲମା ଆଉ ଆଳୁ ଭରତା ରାନ୍ଧି ଦିଏ । ମୁଗ ଡାଲିରେ ସବୁ ପରିବା ପଡି ଥାଏ, ବିଶେଷ କରି ମୂଳା ପଡି ଥାଏ ସେଥିରେ । ଆଃ, ଆଜି ବି ମୋର ମନେ ପଡିଯାଏ ସେ ଡାଲମାର ମହକ ଆଉ ତାର ସୁଆଦ । ବାମ୍ଫ ଉଠୁ ଥିବା ଗରମ ଗରମ ଭାତରେ, ଘର ତିଆରି ଗୁଆଘିଅ ଆଉ ମୂଳା ବାସନା ବାଲା ସେ ଡାଲମା, ଆଜି ମନେ ପଡିଲେ ପାଟିରୁ ଲାଳ ବୋହି ଆସେ, ଆଉ ଆଖିରୁ ଲୁହ ଝରି ଆସେ । ମନେ ପଡି ଯାଏ ମାଆର ସେଇ କମନୀୟ, ମମତାମୟୀ ରୂପ । ତାର ସେ ପ୍ରେମମୟୀ ହୃଦୟରେ କେତେ ଯତ୍ନରେ ନିଜ ସନ୍ତାନ ମାନଙ୍କ ପାଇଁ ଅମୃତ ପରଶି ଦିଏ ତାର ହାତ ରନ୍ଧା ବ୍ୟଞ୍ଜନରେ । ସେଥିରେ ଯେତିକି ତେଲ ମସଲା ନଥାଏ ତା ଠାରୁ ଅନେକ ବେଶି, ତାର ମମତା ମିଶି ଥାଏ । ଆଜି ବି ମନେ ପଡେ ସେଇ ପିଲା ଦିନ । ସବୁ ଦୁଷ୍ଟାମୀ, ଅଳି ଅଝଟ, ଜିଦ୍ ରାଗ ରୁଷା ସବୁ କିଛି କେତେ ସହଜତାର ସହିତ ସେ ସହି ଯାଉ ଥିଲା । ଆଜି ସେ ଆଉ ନାହିଁ, ହେଲେ ଏଇ ହୃଦୟ ଭିତରେ ଆଜି ବି ତାର ସ୍ମୃତି ସେମିତି ତାଜା ହୋଇ ରହିଛି । ସେ ସ୍ଥାନ ଆଉ କେହି ନେଇ ପାରିବନି । ମାଆ ଆଖି ସାମ୍ନାରେ ଥିଲେ ବୋଧ ହୁଏ ତାର ଭଲ ପାଇବା ସେତେ ଭଲ ଭାବରେ ଅନୁଭବ କରି ହୁଏନା କିନ୍ତୁ ତାରି ଅନୁପସ୍ଥିତିରେ ତାର ଅଭାବ ସବୁ ଠାରୁ ଅଧିକ ଅନୁଭୂତ ହୁଏ ।


ଖାଇ ସାରିବା ପରେ ସ୍କୁଲ ଯିବା ପର୍ବ । ସ୍କୁଲ ବସ୍ତାନୀକୁ କାନ୍ଧର ଓହଲେଇ ଚାଲ ସ୍କୁଲ । ସେତେ ବେଳେ ତ ସ୍କୁଲ ବ୍ୟାଗ, ଟିଫିନ୍ ବାକ୍ସ କି ୱାଟର ବଟଲ କିଛି ନଥିଲା । ବହି ରଖିବାକୁ ସମସ୍ତଙ୍କ ପାଖରେ ଗୋଟି ଗୋଟିଏ ବହି ବସ୍ତାନୀ ଥାଏ । ବସ୍ତାନୀ କହିଲେ ମୋଟା କନାରେ ତିଆରି ବ୍ୟାଗଟିଏ । ତା ଭିତରେ ବସିବା ପାଇଁ ଗୋଟିଏ ଆସନ, ଖଣ୍ଡେ ମାଟି ସିଲଟ, କାହା କାହା ପାଖରେ ଟିଣ ସ୍ଲେଟ ବି ଥାଏ, ସେଥିରେ ଅକ୍ଷର ଆଉ ସଂଖ୍ୟା ପ୍ରାକ୍ଟିସ କରା ଯାଏ । ମିଶାଣ, ଫେଡାଣ ଆଦି ଅଙ୍କ କଷା ହୁଏ । ଦୁଇ ଚାରି ଖଣ୍ଡ ବନଖଡି, ଚକ୍ ଖଡି ମୋଟା ଆଉ ଛୋଟ, ବନଖଡି ସରୁ ଆଉ ଲମ୍ବା । ଖଣ୍ଡେ ଛବିଳ ମଧୂ ବର୍ଣ୍ଣବୋଧ ବହି, ଆଉ ଖଣ୍ଡେ ଅଙ୍କ ବହି । ଲୋୟର ପ୍ରାଇମେରୀ ସ୍କୁଲ କହିଲେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ । ଯାହା ପାଠ ପଢା ହୁଏ ସେ ସବୁ କେବଳ ସ୍କୁଲରେ ହୁଏ । ନା କିଛି ଖାତା ନା ପେନ କି ପେନସିଲ ନା ହୋମୱାର୍କ । କେବଳ ଓଡିଆ ପାଠ । ଅ, ଆ, ଇ, ଈ, ଏକ, ଦୁଇ, ତିନ, ଚାରି, ପାଞ୍ଚ । ପଣିକିଆ, ଦି’ଦୁଣେ ଚାର, ଦୁଇ ତିରିକି ଛଅ, ଦୁଇ ଚଉକ ଆଠ, ଦୁଇ ପଞ୍ଚା ଦଶ ଏମିତି ପଚିଶକ ପର୍ଯ୍ୟନ୍ତ ପଣିକିଆ । ସ୍କୁଲରେ ପ୍ରାର୍ଥନା ପରେ କ୍ଲାସରେ ପ୍ରଥମେ ପଣକିଆ ବୋଲା ସହିତ କ୍ଲାସ ଆରମ୍ଭ ହୁଏ । ପଣକିଆ ବଡ ବଡ ପାଟିରେ ଆବୃତ୍ତି କରା ଯାଏ । ପଣିକିଆ ବୋଲା ହେଲା ବେଳେ, ଲାଗେ ସ୍କୁଲ ଯେମିତି ପଡୁଛି, ଉଠୁଛି । ଚତୁର୍ଥ ଶ୍ରେଣୀ ହେଲେ ଯାଇ ପିଲାଙ୍କର ମାଇନର ସ୍କୁଲ ହୁଏ । ସେତେ ବେଳେ ପିଲା ମାନଙ୍କୁ କାଠି କଲମ ଆଉ ସ୍ୟାହି ଦୁଆତ ଆଉ ଖାତା ମିଳେ ଲେଖିବାକୁ । ଫାଉଣ୍ଟନ ପେନ କେହି ଦିଅନ୍ତିନି ପିଲାଙ୍କୁ, ବଲପେନ ତ ସ୍କୁଲ କାମରେ ଆଲାଉ ହୁଏନା । ଚତୁର୍ଥ ଶ୍ରେଣୀରେ ଇଂଗ୍ରାଜୀ ଶିଖା ଯାଏ । ଏ, ବି, ସି, ଡି, ଇ, ଏଫ, ଜି, ୱାନ, ଟୁ, ଥ୍ରୀ, ଫୋର, ପାଇଭ ଆଦି ପଢା ହୁଏ । ବା ବା ବ୍ଲାକ ସିପ୍ ହାଭ ୟୁ ଏନି ଉଲ୍ ରାଇମ୍ସ ଶିଖା ଯାଏ ।


ଆମେ ସବୁ ଦିନ ସମୟ ଆଗରୁ ସ୍କୁଲରେ ପହଞ୍ଚି ଯାଉ । କିନ୍ତୁ ହେଡମାଷ୍ଟ୍ରେ ଆସିଲେ ଯାଇ କ୍ଲାସ ରୁମର ତାଲା ଖୋଲା ଯାଏ । ଆମ ସ୍କୁଲର ହେଡମାଷ୍ଟ୍ରେ, ଗାଆଁ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ବି ଥିଲେ । ସ୍କୁଲଟି ଆମର ଚାରି ବଖରାର ଉଚ୍ଚା ଚାଳ ଛପର ଘରଟିଏ ଥିଲା । ତିନି ବଖରା ତିନି କ୍ଲାସ ପାଇଁ ଆଉ ଗୋଟିଏ ବଖରାରେ ହେଡ ମାଷ୍ଟ୍ରେଙ୍କ ଅଫିସ୍, ଷ୍ଟୋର ଆଉ ଆଲମାରୀ ପାର୍ଟିସନ ପଛ ପଟେ ଟିଚରସ କମନ ରୁମ । ଷ୍ଟାଫ କହିଲେ ହେଡମାଷ୍ଟ୍ରଙ୍କୁ ମିଶାଇ ଚାରି ଜଣ ଶିକ୍ଷକ । ସ୍କୁଳରେ ତ ଘଣ୍ଟିଟିଏ ବି ଟଙ୍ଗା ହୋଇ ଥାଏ । ସେଇଟା ଦିନରେ ଦୁଇ ଥର ବାଜେ । ଥରେ ସକାଳ ପ୍ରାର୍ଥନା ପାଇଁ ଆଉ ଥରେ ଦିନ ବାରଟା ବେଳେ ସ୍କଲ ଛୁଟି ହେବା ପାଇଁ । ସେତେ ବେଳେ ସମସ୍ତଙ୍କ ପାଖରେ ଘଡି ନଥିଲା କି ଆଜି କାଲି ପରି ମୋବାଇଲ ବି ନଥିଲା ସମୟ ଦେଖିବାକୁ । ହେଡମାଷ୍ଟ୍ରଙ୍କ ଅଫିସରେ ଗୋଟିଏ ପେଣ୍ଡୁଲମ ଘଡି ଥାଏ । ସେଇଟାକୁ ଦେଖି ହେଡମାଷ୍ଟ୍ରେ ଯେତେ ବେଳେ କହିବେ, ସେତେ ବେଳେ କେହି ଜଣେ ଶିକ୍ଷକ ଘଣ୍ଟି ବଜେଇ ଦିଅନ୍ତି । କେହି ନିକଟରେ ନଥିଲେ କେବେ କେବେ ନିଜେ ହେଡମାଷ୍ଟ୍ରେ ବି ଘଣ୍ଟି ବଜେଇ ଦିଅନ୍ତି ।


ଆମ ସ୍କୁଲଟି ଝାଟି ମାଟିର ଘର, କାନ୍ଥ ମାଟିର, ଚଟାଣ ବି ମାଟିର, ଉପରେ ଚାଳ ଛପର । କ୍ଲାସ ଘର ପ୍ରତି ଶନିବାର ସ୍କୁଲ ଛୁଟି ପରେ ଗୋବରରେ ଲିପା ପୋଛା ହୁଏ । ବର୍ଷା ଦିନେ କେବେ କେବେ କ୍ଲାସ ରୁମରେ ପାଣି ଗଳିଲେ ସକାଳକୁ ସେଠି ଛତୁ ବି ଫୁଟି ଯାଏ । କ୍ଲାସରେ ଫର୍ଣ୍ଣିଚର କହିଲେ, କେବଳ ସାରଙ୍କ ପାଇଁ ଗୋଟିଏ ଟେବୁଲ, ଆଉ ଗୋଟିଏ ଚଉକି ଏବଂ କାନ୍ଥରେ ଟଙ୍ଗା ହୋଇ ଥାଏ କଳାପଟା ଟିଏ । ପିଲା ମାନେ ପାଳି କରି କ୍ଲାସ ରୁମରେ ଝାଡୁ ଲଗାନ୍ତି । କ୍ଲାସ ଝାଡୁ ଲଗା ସରିଲା ପରେ ଆମେ ସବୁ ବସ୍ତାନୀ ନେଇ ଧାଡି ଧାଡି ହେଇ ବସିବା ପାଇଁ ରଖୁ । ବସ୍ତାନୀରୁ ଆସନ କାଢି ବିଛେଇ ଦେଉ । ପୁଅ, ଝିଅ ସମସ୍ତଙ୍କ ପାଇଁ ଗୋଟିଏ ସ୍କୁଲ । କୋଡିଏ ତିରିଶ ଜଣ ପୁଅ ଆଉ ଦୁଇ ତିନି ଜଣ ଝିଅ ଥାଆନ୍ତି ଆମ କ୍ଲାସରେ । ଝିଅ ମାନଙ୍କ ପାଇଁ ଆଗ ଧାଡିଟି ଛାଡି ଦିଆ ଯାଏ । କ୍ଲାସର ପ୍ରଥମରୁ ଯିଏ ଥରେ ଯେଉଁ ସ୍ଥାନରେ ବସି ଗଲା, ସେ ଜାଗାଟି ତା ପାଇଁ ପକ୍କା ହୋଇ ଯାଏ । କିନ୍ତୁ ବେଳେ ବେଳେ ପିଲା ମାନେ ନିଜର ସାଙ୍ଗ ବଦଳେଇ ଦିଅନ୍ତି, ତେଣୁ ଜାଗା ବି ବଦଳେ। ସେଇ ସମୟରେ ପିଲାଙ୍କ ଭିତରେ ଝଗଡା ହୁଏ । ସେତେ ବେଳେ ଶିକ୍ଷକଙ୍କର ମଧ୍ୟସ୍ଥତାର ଆବଶ୍ୟକତା ହୁଏ । ଏଇ ସମୟରେ ପ୍ରାର୍ଥନା ପାଇଁ ଘଣ୍ଟି ବାଜେ । ସବୁ ପିଲା ନିଜ ନିଜ କ୍ଲାସରୁ ବାହାରି ସ୍କୁଲ ବାରଣ୍ଡାରେ ଧାଡି ହୋଇ ଠିଆ ହୋଇ ଯାଆନ୍ତି । ଦୁଇ ଜଣ ଝିଅ ପ୍ରାର୍ଥନା ବୋଲନ୍ତି । ‘ଆହେ ଦୟାମୟ ବିଶ୍ୱବିହାରୀ’ ବାକି ସବୁ ପିଲା ପାଳି ଧରନ୍ତି ।


ପ୍ରାର୍ଥନା ପରେ କ୍ଲାସ ଆରମ୍ଭ ହୁଏ । ମାଷ୍ଟ୍ରଙ୍କ ଟେବୁଲ ଉପରେ କଞ୍ଚା କନିଅର ବେତଟିଏ ଥୁଆ ହୋଇ ଥାଏ । ଏଇଟା କ୍ଲାସ ମନିଟରର ଡିୟୁଟି । ସବୁ ଦିନ ନୂଆ ବେତ । ସେ ସମୟରେ ପାଠ ପଢା ବଡ କଡା ଥିଲା, ମାଷ୍ଟ୍ରେ ବି । ସେମାନେ କିନ୍ତୁ ପିଲା ମାନଙ୍କୁ ନିଜର ପୁଅ ଝିଅ ପରି ସ୍ନେହ କରୁ ଥିଲେ । ବଡ ସ୍ନେହରେ ଧ୍ୟାନ ଦେଇ ସବୁ ବୁଝାଇ ଶିଖଉ ଥିଲେ । କିନ୍ତୁ ବେତର ଡର ବି ଥିଲା ପିଲାଙ୍କ ମନରେ । ଏଇ ଡରକୁ ତାଜା କରିବା ପାଇଁ ମଝିରେ ମଝିରେ ତାର ବ୍ୟବହାର ବି କରୁ ଥିଲେ । କିଏ କିଏ ତ ବେତ ବାଜିବା ଆଗରୁ ଠିଆ ଠିଆ ପ୍ୟାଣ୍ଟରେ ପରିଶ୍ରା କରି ଦେଉ ଥିଲେ । ସେ ପୁଅ ହେଉ କି ଝିଅ ହେଉ କିଛି ଫରକ ନଥିଲା ମାଷ୍ଟ୍ରଙ୍କ ପାଖରେ । ବେତ ମାଡ କଥା ଘରେ ମାଆ ବାପାଙ୍କ ପାଖରେ କେବେ ଅଭିଯୋଗ କଲେ ବି ସେଥିରେ କିଛି ଫରକ ପଡୁ ନଥିଲା । ବରଂ ମାଆ ବାପା ଓଲଟି କହୁଥିଲେ, ତୁ ପାଠ ପଢିବୁନି, ତାହେଲେ ମାଷ୍ଟ୍ରେ ତୋତେ ବେତରେ ମାରିବେନି ତ ଆଉ କଣ ଗେଲ କରିବେ? ତେଣୁ ସ୍କୁଲ କଥା ସ୍କୁଲରେ ହିଁ ରହେ । ଆଉ ତା ପରଦିନ ସବୁ ପିଲା ପାଠ ଘୋଷି କି ଆସି ଯାଆନ୍ତି । ଯେଉଁ ଦିନ ପାଠ ଘୋଷା ହୋଇ ନଥାଏ, କେତେ ଦିଅଙ୍କୁ ଡାକୁ, ହେ ପ୍ରଭୂ ଆଜି ମାଷ୍ଟ୍ରେ ସ୍କୁଲ ନ ଆସନ୍ତେ କି ହେଲେ । କିନ୍ତୁ ପ୍ରଭୂ କେବେ ବି ଆମ ଗୁହାରୀ ଶୁଣନ୍ତିନି ! ଖରା ହେଉ କି ବର୍ଷା ହେଉ, କି ଝଡି ତୋଫାନ, କେବେ କୌଣସି ଶିକ୍ଷକ ଛୁଟି କରିବା ମୁଁ କେବେ ବି ଦେଖିନି । ସେଇ ମାଟି ଝାଟିର ସ୍କୁଲରେ ମାଷ୍ଟର ମାନଙ୍କର ସ୍ନେହ ଆଦର ଓ କଡା ଅନୁଶାସନ, ଦେଶ ଜାତିକୁ କେତେ କେତେ ମହାନ ଡାକ୍ତର, ଅଫିସର, ଇଞ୍ଜିନିୟର, ଓକିଲ ଓ ଜଜ୍ ଦାନ କରିଛି ।


ଆଜିର ସବୁ ସୁଖ ସୁବିଧା ଭିତରେ ଛାତ୍ର ମାନଙ୍କ ଭିତରେ ଆଜି ସେ ଅନୁଶାସନ ନାହିଁ । ଶିକ୍ଷକ ମାନଙ୍କ ପ୍ରତି ଛାତ୍ରଙ୍କର ସେ ଭକ୍ତି, ସେ ସମ୍ମାନ ନାହିଁ । ଶିକ୍ଷା ଆଜି ବ୍ୟବସାୟ ପାଲଟି ଯାଇଛି । ଆଜି କେହି ଜ୍ଞାନ ଅର୍ଜନ ପାଇଁ ନୁହେଁ ବରଂ ଭଲ ଚାକିରୀଟିଏ କି ଅଧିକ ରୋଜଗାର ପାଇଁ ପାଠ ପଢୁଛନ୍ତି । ଶିକ୍ଷକ ବି ସେମିତି, ବିଦ୍ୟା ଦାନର ମନୋବୃତ୍ତି ନାହିଁ, ଖାଲି ବିଦ୍ୟା ବିକ୍ରୟ ପାଇଁ ଅଛନ୍ତି । ଯେଉଁଠି କିଣା ବିକାର ସମ୍ବନ୍ଧ ଥାଏ ସେଠି ସମ୍ବେଦନା, ସମ୍ମାନ ବା ପ୍ରେମର ଭାବ କେଉଁ ଠାରୁ ଆସିବ?




Rate this content
Log in