ବିନୟ ମହାପାତ୍ର

Romance Inspirational

4  

ବିନୟ ମହାପାତ୍ର

Romance Inspirational

କାଡବରି ଚକୋବାର

କାଡବରି ଚକୋବାର

8 mins
244


ଅଂଶୁମାନ ଅଫିସ ଗେଟ ପାଖର ସେଇ କୃଷ୍ଣଚୁଡା ଗଛ ତଳ ଛାଇରେ କାରଟାକୁ ପାର୍କିଂ ଲଗାଇ ଦେଇ ତା ଉପରେ ଆଉଜି ଠିଆ ହୋଇ ଗଲା । ରୁଚି ଏବେ ଆସୁଥିବ, ତାର ଛୁଟି ହେବାର ସମୟ ବି ହୋଇ ଗଲାଣି । ମୋବାଇଲ ଖୋଲି ସମୟ ଦେଖିଲା, ଛଅଟା ବାଜିବାକୁ ଆଉ ମାତ୍ର ପାଞ୍ଚ ମିନିଟ ବାକି ଅଛି । ଅଂଶୁମାନର ଅଫିସ୍ ଶାଢେ ପାଞ୍ଚଟାରେ ଛୁଟି ହୋଇ ଯାଏ, ରୁଚିର ଅଫିସ୍ ଛଅଟା ବେଳେ । ଭୂବନେଶ୍ୱର ସାଇବର ସିଟିରେ ଦୁହିଙ୍କର ଅଫିସ, ପାଖା ପାଖି ନହେଲେ ବି ବେଶି ଦୂରତା ନଥିଲା ସେମାନଙ୍କ ଅଫିସ୍ ମଧ୍ୟରେ । ଅଂଶୁମାନର ଅଫିସ ଜଲଦି ଛୁଟି ହୋଇ ଯାଏ, ସେଥି ପାଇଁ ସେ ରୁଚିର ଅଫିସ୍ ପାଖକୁ ଚାଲି ଆସେ । ତାର ଛୁଟି ହେବା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କରେ । ସେ ଆସି ଗଲା ପରେ ଦୁହେଁ କାରରେ ବାହାରି ପଡନ୍ତି । କିଟ୍ ରାସ୍ତା ଦେଇ ଗଲା ବେଳେ କିଟ୍ ଛକ ପୂର୍ବରୁ ମାରୁତି ଭିଲ୍ଲା ହାଉସିଂ କଲୋନି ଭିତରେ ରୁଚିର ଘର, ରାସ୍ତାରେ ତାକୁ ଡ୍ରପ କରି ଦେଇ ଅଂଶୁମାନ ନନ୍ଦନ କାନନ ରାସ୍ତାରେ ନିଜ ଘରକୁ ଚାଲି ଯାଏ । ବେଳେ ବେଳେ କିଟ୍ ଜଗନ୍ନାଥ ମନ୍ଦିର ପାଖରେ ଦୁହେଁ କିଛି ସମୟ ସାଥି ହୋଇ ବସି ଯାଆନ୍ତି ।


ସେଦିନ କିନ୍ତୁ ଅଂଶୁମାନକୁ ଲାଗୁଥିଲା, ହତେ ଯେପରି ରୁଚିର ଅଧିକ ଡେରି ହେଉଛି । ବିଗ୍ ବଜାର ଫ୍ରି-ଅଫର ପରି ପ୍ରେମିମାନଙ୍କ ହୃଦୟରେ ବୋଧ ହୁଏ ଏପରି ଅଧୈର୍ଯ୍ୟପଣ ଗୋଟାକ ସାଙ୍ଗରେ ଆଉ ଗୋଟାଏ ଫ୍ରି-ଅଫର ପରି ମିଳି ଯାଏ ? ଏଇ ଅଧୈର୍ଯ୍ୟପଣ ଅଂଶୁମାନକୁ ଆହୁରି ଅଧିକ ବିବ୍ରତ କରି ଦେଉଥିଲା, ଅଧୈର୍ଯ୍ୟ ହୋଇ ସେ ମୋବାଇଲ ଦେଖିଲା, ଛଅ ବାଜିବାକୁ ଆଉ ଦୁଇ ମିନିଟ ବାକି ଅଛି, ତଥାପି ସେ ଅଧୈର୍ଯ୍ୟ ହୋଇ ପଡୁଥିଲା । ଅଂଶୁମାନ ରୁଚିକୁ ମୋବାଇଲ ମିଳେଇବାକୁ ଯାଉଛି, ଠିକ୍ ସେତିକି ବେଳେ ଅଫିସ୍ ସାମ୍ନାରେ ଠିଆ ହୋଇ ରୁଚି ହାତ ହଲାଇ ହାଏ କହିବାର ଦେଖିଲା ।


ରୁଚି ପାଖକୁ ଆସି ଗଲା ପରେ ଅଂଶୁମାନ କାରର ଡୋର ଖୋଲି ବସି ପଡିଲା, ଏବଂ ରୁଚି ବସି ଗଲା ପରେ ସେ ଗାଡି ଷ୍ଟାର୍ଟକରି ଚାଲିବା ଆଗରୁ ରୁଚିର ମୁହଁକୁ ଅନାଇ ପଚାରି ବସିଲା, ଆଚ୍ଛା ରୁଚି ତୁମେ ମୋତେ ପ୍ରେମ କର ?


ଅଂଶୁମାନ କାରର ଗିୟର ପକାଇ ଆଗକୁ ବଢିବା ପୂର୍ବରୁ ରୁଚି କହିଲା ନା' ବାବା ନା', ମୁଁ କାହାକୁ କିଛି ପ୍ରେମ ଫ୍ରେମ କରେନି !

କାହିଁକି ? ଅଂଶୁମାନ ଗିଅର ଚେଞ୍ଜ କରୁ କରୁ ପଚାରିଲା, କହିଲା ମୋ ପରିକା ପୁଅକୁ ପ୍ରେମ କରିବା ପାଇଁ ଝିଅଙ୍କର ଲାଇନ ଲାଗି ଯାଉଛି, ଆଉ ତୁମେ କହୁଛ କଣନା ତୁମେ ମୋତେ ପ୍ରେମ କରନି ! କିନ୍ତୁ କାହିଁକି, କାରଣଟା ଜାଣି ପାରେକି ?


ଅଂଶୁମାନର ଗାଡି ଆଗକୁ ମାଡି ଚାଲି ଥାଏ, ଭୂବନେଶ୍ୱରର ଚିକ୍କଣ ସଡକ ଉପରେ ମଝିରେ ମଝିରେ ଚକୁଳିଆ ପଣ୍ଡାଙ୍କ ମଥାର ଚନ୍ଦନ ତିଳକ ପରି ତିନି ଲାଇନ ବହୁତ ଗୁଡାଏ ବାଲା ହମ୍ପସ, ଗାଡିର ସ୍ପିଡ ବଢିବା ପୂର୍ବରୁ ସ୍ପିଡ ବ୍ରେକର ଆସି ଯାଏ । ବିଶେଷ କରି କିଟ୍ ରାସ୍ତରେ ତ ଅଗଣିତ ସ୍ପିଡ ବ୍ରେକର । ସ୍ପିଡ ବ୍ରେକର ଉପରେ ଗାଡି ଦୋଳି ଖେଳିଲା ବେଳେ ଅଂଶୁମାନକୁ ଲାଗୁଥିଲା ରୁଚିକୁ ବୋଧ ହୁଏ ପ୍ରେମରେ ଏମତି ଦୋଳି ଖେଳିବାରେ ମଜା ଆସୁଛି । ସ୍ପିଡ ବ୍ରେକରର ଦୋଳି ଖେଳ ସରିବା ପରେ ଅଂଶୁମାନ ରୁଚିର ମୁହଁକୁ ଚାହିଁଲା, ତା ପ୍ରଶ୍ନର ଉତ୍ତର ଏବେ ବି ବାକି ଅଛି ରୁଚି ପାଖରେ, ପଚାରିଲା କିଛି କହିଲନି ଯେ ?


ରୁଚି ଟିକିଏ ହସି ଦେଇ କହିଲା, କାରଣଟା ବଡ ସିମ୍ପଲ, କାରଣ, ତୁମେ ମୋତେ ପ୍ରେମ କରନି, ସେଇଥି ପାଇଁ ମୁଁ ବି ତୁମକୁ ପ୍ରେମ କରେନି । ତୁମେ ମୋତେ ପ୍ରେମ କରୁଥିଲେ ସିନା ମୁଁ ତୁମକୁ ପ୍ରେମ କରନ୍ତି, ତୁମେ ମୋତେ ଭଲ ପାଅନି, ତା ହେଲେ ମୁଁ କାହିଁକି କରିବି ?

ଅଂଶୁମାନ ରୁଚିର କଥା ମଝିରେ କହିଲା, ଆଚ୍ଛା, ଏଇ କଥା, ତାହେଲେ ଏବେ ଯଦି ମୁଁ ତୁମକୁ ଠିକ୍ ସେଇ କଥା କହିବି !


ରୁଚି ଚୁପ୍ ହେଇ ଗଲା, ଟିକିଏ ରହି ଅଂଶୁମାନ ଆଖିକୁ ଚାହିଁଲା । ଅଂଶୁମାନ ଆଖିରେ ଦୁଷ୍ଟାମୀର ହସ ସହିତ ଏକ ବିଜେତାର ଭାବକୁ ସ୍ପଷ୍ପ ଭାବରେ ସେ ଦେଖି ପାରୁଥିଲା । ରୁଚି କ୍ଷଣେ ଗମ୍ଭୀର ହେବାର ଅଭିନୟ କରି ପୁଣି ଫିକ୍ କିନା ହସି ଦେଲା ଆଉ କହିଲା, ତୁମେ ଭାବୁଛ ତୁମେ ଜିତି ଗଲ ବୋଲି, ନାହିଁ ? ପ୍ରଶ୍ନ କଲା ରୁଚି । ଆଚ୍ଛା, ଠିକ୍ ଅଛି, ତୁମ କଥା ଅନୁଶାରେ, ତୁମେ ମୋତେ ପ୍ରେମ କରୁନ ! ମାନି ନିଅ ଏ ପରିସ୍ଥିତିରେ ମୁଁ ଯଦି ତୁମକୁ ପ୍ରେମ କରିବା ଆରମ୍ଭ କରି ଦେବି, ତାପରେ ? ତାପରେ ତୁମେ ମୋ ପ୍ରେମକୁ କଣ କହିବ ? ମୋ ପ୍ରେମର ସଜ୍ଞା ହୋଇ ଯିବ ଏକ ପାଖିଆ ପ୍ରେମ । ମୁଁ ବୁଝି ପାରେନି, ପ୍ରେମରେ ଏଇ ନେଣ ଦେଣ, ହିସାବ କିତାବ ଲୋକେ କେମିତି କରି ପାରନ୍ତି ? ପ୍ରେମରେ ଏଇଟା ଏକ ସର୍ତ୍ତ, ଜଣେ ପ୍ରେମ କଲେ ତା ବଦଳରେ ଆଉ ଜଣେ ପ୍ରେମ କରିବ, ନହେଲେ ନାହିଁ । ପ୍ରେମ କଣ ନିସର୍ତ୍ତ, ନିସ୍ୱାର୍ଥ, ନିର୍ଲୋଭ ହୋଇ କରି ହେବନି ?


ଭକ୍ତିରେ ସବୁ ବେଳେ ପ୍ରାପ୍ତିର ଇଚ୍ଛା ଥିଲେ ସେ କେଉଁ ପ୍ରକାରର ଭକ୍ତି ? ଭକ୍ତି କରି ପ୍ରଭୂଙ୍କୁ କୃପା ପ୍ରଦାନ କରିବା ପାଇଁ ବାଧ୍ୟ ତ କରା ଯାଇ ପାରିବନି ନା' ? ସେହି ପରି ପ୍ରେମରେ ମଧ୍ୟ ହୁଏ । ରାଧା କୃଷ୍ଣଙ୍କ ପ୍ରେମରେ, ପ୍ରେମ ଥିଲା, ଭକ୍ତି ବି ଥିଲା, ମୀରାର ପ୍ରେମରେ ନିରୁତା ପ୍ରେମ ଥିଲା, ସେମାନଙ୍କର ପ୍ରେମ କେବେ କାହାର ସ୍ୱୀକୃତି, ସହମତି ଚାହିଁ ନଥିଲା । କୃଷ୍ଣ ମୀରାକୁ ପ୍ରେମ କରୁ ଥିଲେ କି ନାହିଁ ତାହା ନଜାଣି ବି ମୀରା କୃଷ୍ଣ ପ୍ରେମରେ ବୁଡି ରହି ଥିଲେ । ପ୍ରେମରେ ପାଇ ଯିବାର ମୋହ ନଥାଏ, ଥାଏ କେବଳ ଦେଇ ଦେବାର ତୀବ୍ର ପିପାଶା କିନ୍ତୁ ମଣିଷ ଜଣକୁ ପ୍ରେମ କରି, ପାଇ ଯିବାର ମୋହରୁ ନିଜକୁ ଅଲଗା କରି ପାରେନା, ସେଇଥି ପାଇଁ ତା ମନରେ ସନ୍ଦେହ ଆସି ଯାଏ, 'ସେ ମୋତେ ପ୍ରେମ କରୁଛି କି ନାହିଁ' ? କୃଷ୍ଣ ମୀରାକୁ ପ୍ରେମ କରୁ ଥିଲେ କି ନାହିଁ ଏଥିରେ ମୀରା ପ୍ରେମରେ କଣ କିଛି ଫରକ ପଡୁଥିଲା ? ଗୀତାର କର୍ମଯୋଗର ଜ୍ଞାନ ପରି ପ୍ରେମଜ୍ଞାନ ଠିକ୍ ସେଇ କଥାକୁ ଇଙ୍ଗିତ କରେ, ତୁମ ପ୍ରେମ, ତୁମ ଅଧିକାର କ୍ଷେତ୍ର ଭିତରେ ସୀମିତ, ତୁମେ କାହାକୁ ପ୍ରେମ କରିବ ନକରିବ ସେଇଟା ତୁମର ଇଚ୍ଛାଧୀନ ।


ମନେ କର ତୁମେ ଯଦି କାହାକୁ ପ୍ରେମ କରି ବସିଲ, କେବଳ ପ୍ରେମ କରିବା ତୁମ ଅଧିକାର, ତୁମ ପ୍ରେମର ପରିସୀମା ସେଇଠି ସମାପ୍ତ । ତୁମେ ଯାହାକୁ ପ୍ରେମ କରୁଛ, ସେ ତୁମ ପ୍ରେମ ବଦଳରେ ତୁମକୁ ପ୍ରେମ କରିବ ବା ନକରିବ ସେଇଟା ତାର ଇଚ୍ଛାଧୀନ, ନା କଣ କହୁଛ ? କିନ୍ତୁ ହୁଏ କଣ ? ଆମେ କର୍ମ କରି ସାଙ୍ଗେ ସାଙ୍ଗେ ଫଳ ପ୍ରାପ୍ତିର ଇଚ୍ଛା ରଖିଲା ଭଳି, ପ୍ରେମ କରି ତା ବଦଳରେ ପ୍ରେମ ମାଗିବା ଆରମ୍ଭ କରି ଦେଉ । ତେବେ ଏଇଟାକୁ ତୁମେ କଣ କହିବ ? ପ୍ରେମରେ ବଣିଜ ? ଆଉ ସବୁ ଠାରୁ ବଡ ଇଣ୍ଟେରେଷ୍ଟଙ୍ଗ କଥା କଣ ଜାଣିଛ ? ଦୁନିଆର ନବେ ପ୍ରତିଶତରୁ ଅଧିକ ପ୍ରେମ ଏଇ କାରଣରୁ ବିଫଳ ହୋଇ ଯାଆନ୍ତି । ପ୍ରେମ ବଦଳରେ ପ୍ରେମ ନପାଇ ଯୁବକ ଯୁବତୀ ଆତ୍ମହତ୍ୟା କରି ଦିଅନ୍ତି । ତୁମକୁ ଏକଥା କିଛି ଅଜବ୍ ଲାଗୁନି ଅଂଶୁ ?


ଅଂଶୁମାନ ରୁଚିର ମୁହଁକୁ ଦେଖିଲା, ତା ଓଠରେ ସ୍ମିତ ହସର ପତଳା ରେଖାଟିଏ ସ୍ପଷ୍ଟ ବାରି ହୋଇ ଯାଉଥିଲା । ରୁଚି ଏଥର ବି ଜିତି ଗଲା, ସବୁ ବେଳେ ସେ ଏମିତି ଜିତି ଯାଏ, ଭାରି ଇଣ୍ଟେଲିଜେଣ୍ଟ ଝିଅ । ହଁ କାହିଁକି ଜିତିବନି, ଯେତେ ହେଲେ ସହରୀ ଝିଅ, ଅଂଶୁମାନ ପରି ସେ କଣ କେଉଁ ମଫସଲ ଗାଆଁରୁ ଆସିଛି ! ପିଲା ଦିନୁ ସହରରେ ରହି ଆସିଛି ପବ୍ଲିକ ସ୍କୁଲରେ ପଢିଛି । ଅଂଶୁମାନର ଅଧା ଜୀବନ ସେଇ ଗାଁର ଓଡିଆ ମିଡିୟମ ସ୍କୁଲରେ କଟିଛି । କଲେଜ ପଢିବା ପାଇଁ ସହରକୁ ଆସିଲା, ଆଉ ଭୂବନେଶ୍ୱରରେ ଇଜିନିୟରିଂ କରିବା ସମୟରେ ରୁଚି ସହିତ ତାର ଚିହ୍ନାଜଣା ହୋଇ ଥିଲା । ତାପରେ ବନ୍ଧୁତା କିନ୍ତୁ ତାଙ୍କର ଅସଲ ପ୍ରେମ କାହାଣୀ ଉଭୟଙ୍କର ଚାକିରୀ ପାଇବା ପରେ ହିଁ ଆରମ୍ଭ ହୋଇଥିଲା ।


ଅଂଶୁମାନ ମଧ୍ୟ କିଛି କମ୍ ଇଣ୍ଟେଲିଜେଣ୍ଟ ନଥିଲା, ସେ ସଙ୍ଗେ ସଙ୍ଗେ ରୁଚିକୁ କହିଲା, ରୁଚି, ମୁଁ ଯଦି ଏବେ କହେ, 'ହଁ ମୁଁ ତୁମକୁ ଭଲପାଏ' ତାହେଲେ ତୁମେ କଣ କହିବ ? ଏଇଟା ମୋର ଏକ ପାଖିଆ ପ୍ରେମ ନା ଆଉ କିଛି ? ରୁଚି ଟିକିଏ ହସିଲା, ଏଇ କଥାର ଉତ୍ତର ଲଜିକାଲି କଣ କହି ପୁଣି ଥରେ ଅଂଶୁମାନକୁ ଚିତପଟାଙ୍ଗ କରିବ ଭାବୁ ଥାଏ, କିନ୍ତୁ ସେମିତି କିଛି ବଳିଷ୍ଟ ଯୁକ୍ତି ତା ମୁଣ୍ଡକୁ ଜୁଟୁ ନଥାଏ । ଭାବିବାକୁ କିଛି ସମୟ ନେବା ପାଇଁ କଥାର ମୋଡ ବଦଳାଇ ରୁଚି କହିଲା ବହୁତ ଦିନ ହେଲା ଜଗନ୍ନାଥ ଦର୍ଶନ ହୋଇନି, ଆଜି ଚାଲ ସେଇଠି ଦି' ଘଡି ବସିବା, କିଛି ସମୟ ପରେ ସଂଧ୍ୟା ଆରତି ବି ଆରମ୍ଭ ହୋଇ ଯିବ, ସାଥି ହୋଇ ସଂଧ୍ୟା ଆରତୀ ଦେଖିବା ତା'ପରେ ଘରକୁ ଯିବା । ରୁଚିର କଥା ଶୁଣି ଅଂଶୁମାନ ଶିଖରଚଣ୍ଡି ଟର୍ଣିଂ ପରେ କିଟ୍ ଜଗନ୍ନାଥ ମନ୍ଦିର ଆଡକୁ ତାର କାର ମୋଡି ଦେଲା ।

କାରରୁ ଓହ୍ଲାଉ ଓହ୍ଲାଉ ରୁଚି ମନେ ମନେ ଟିକିଏ ହସି ପଚାରିଲା, ଆଚ୍ଛା ଅଂଶୁମାନ, ତୁମେ କହୁଛ ତୁମେ ମୋତେ ଭଲ ପାଅ, କିନ୍ତୁ କେତେ ? କେତେ ଭଲ ପାଅ ମୋତେ ? ପ୍ରଥମ ବାଜୀ ଜିତିବାର ନିଶା ତାର ଏବେ ବି ସରି ନଥିଲା, ମନେ ମନେ ଭାବି ଥିଲା ଏଇ ବାଜୀଟିରେ ବି ତାର ଜିତାପଟ ନିଶ୍ଚୟ ହୋଇ ଯିବ । ଅଂଶୁମାନ ମଧ୍ୟ ହଠାତ ଏପରି ଏକ ପ୍ରଶ୍ନ ପାଇଁ ଆଗରୁ ପ୍ରସ୍ତୁତ ନଥିଲା । ରୁଚିର ପ୍ରଶ୍ନ ଶୁଣି ଅଂଶୁମାନ କହିଲା କେତେ ପ୍ରେମ ମାନେ ? ପ୍ରେମ କଣ ମାପି ହୁଏ ?


ରୁଚି ସତେ ଜାଣି ଥିଲା ଅଂଶୁମାନ ତାର ପ୍ରଶ୍ନର ଉତ୍ତରରେ ଏକଜାକଟ୍ଲି ଏଇ ପ୍ରଶ୍ନ ପଚାରିବ, ସେଥି ପାଇଁ ସେ ପୁରା ପ୍ରସ୍ତୁତ ଥିଲା, ସାଙ୍ଗେ ସାଙ୍ଗେ ହାତ ଦେଖାଇ କହିଲା, କେତେ ମାନେ, ଏତେ, ଏ...ତେ, ଏ.....ତେ, ନା' ଏଏଏଏଏଏ...ତେ, ଶେଷବେଳକୁ ତାର ଦୁଇ ହାତ, ତାର ପୁରା ଶରୀର ସହିତ 180 ଡିଗ୍ରୀର କୋଣ ଆଙ୍କି, କ୍ରୁଶବିଦ୍ଧ ଯିଶୁଁଙ୍କ ପରି, ମିଶାଣ ଚିହ୍ନର ସିମ୍ବଲ ଆଙ୍କି ସାରିଥିଲା । ଅଂଶୁମାନ ଟିକିଏ ହସି ରୁଚିର ହାତ ଦୁଇଟାକୁ ତଳକୁ କରି ତାକୁ ସାବଧାନ ପୋଜକୁ ନେଇ ଆସିଲା । କହିଲା ଚାଲ, ସେଇ ଆନନ୍ଦବଜାର ଗେଟ ପାଖରେ ବସିବା । ଦୁହେଁ ଗେଟ ପାଖରେ ଥିବା ସିମେଣ୍ଟ ବେଞ୍ଚରେ ଯାଇ ବସି ପଡିଲେ । ରୁଚି ତାର ଭ୍ୟାନିଟରୁ ଦୁଇଟି କାଡବରି ଚକୋଲେଟ ବାହାର କରି ଗୋଟିଏ ଅଂଶୁମାନ ହାତକୁ ଦେଇ ନିଜର ଚକୋଲେଟ ଖୋଲିବାକୁ ଯିବା ବେଳେ ଅଂଶୁମାନ ତା ହାତକୁ ଅଟକେଇ ଦେଇ କହିଲା, ରୁହ ସେଇଟା ପରେ ଖାଇବା, ଆଗ ମୋ ଚକୋଲେଟଟା ଖାଇବା କହି, ନିଜ ଚକୋଲେଟର ରାପର ଖୋଲି ରୁଚି ଓଠ ଆଗକୁ ବଢାଇ ଦେଲା । ରୁଚି ଗୋଟିଏ ବାଇଟ ଖାଇବା ପରେ ଅଂଶୁମାନ ମଧ୍ୟ ଗୋଟିଏ ବାଇଟ ନେଇ କହିଲା, ଆଚ୍ଛା ରୁଚି, ମୋତେ ଟିକିଏ ବୁଝେଇ କହିବ, ଲୋକେ ପ୍ରେମକୁ ମାପନ୍ତି କେମିତି ? କିଏ କେମିତି କହି ପାରିବ ସେ କେତେ ଭଲ ପାଏ ବୋଲି ? ପ୍ରେମକୁ ମାପ କରିବାର ୟୁନିଟି କଣ ? ଇଞ୍ଚ, ଫୁଟ, ମିଟର, କିଲୋ, ଲିଟର କିମ୍ବା ଶତକଡା ହିସାବ ପରି ଏତେ ପରସେଣ୍ଟ ସେତେ ପରସେଣ୍ଟ ନା' ଆଉ କିଛି ? କେମିତି ମାପନ୍ତି ପ୍ରେମକୁ ?

କଥାଟିକୁ ଆଉ ଟିକେ ସରଳ କରି ଅଂଶୁମାନ କହିଲା, ପ୍ରେମ ହେଉଛି ଜୀବନ, ଜୀବନଟା ହେଉଛି ପ୍ରେମ ଏବଂ ଏଇ ଜୀବନ ଓ ପ୍ରେମ ହେଉଛି ଏଇ କାଡବରି ଚକୋବାର । ରାପର ଖୋଲି ଗଲା ପରେ ଗୋଟେ ବାଇଟ୍ ତୁମର, ଗୋଟେ ବାଇଟ୍ ମୋର, କିଛି ତୁମର, କିଛି ମୋର ଏବଂ ପୁରାଟା ଆମ ଦୁଇ ଜଣଙ୍କର । କିଛି ପ୍ରେମ ତୁମେ କରିବ, କିଛି ପ୍ରେମ ମୁଁ କରିବି ଏବଂ ଆମ ଦୁଇଜଣଙ୍କ ପ୍ରେମ ମିଶିଲେ ଗୋଟାଏ ସମ୍ପୂର୍ଣ୍ଣ ପ୍ରେମ କାହାଣୀ ହେବ ଏବଂ ସେଇ ପ୍ରେମ କାହାଣୀଟି ଆମର ଜୀବନ ହେବ । ମୋ ହୃଦୟ ତୁମ ଛାତି ଭିତରେ ଧକ୍ ଧକ୍ କରୁଥିବ ଆଉ ତୁମ ହୃଦୟ ମୋ ଛାତି ଭିତରେ ଠିକ୍ ସମତାଳରେ ସ୍ପନ୍ଦିତ ହେଉଥିବ । ପ୍ରେମରେ ମାପ ହୁଏନା, ପ୍ରେମ ନିର୍ମାଲ୍ୟ ପରି ପବିତ୍ର, ପ୍ରେମ ଅମୃତ ପରି ପ୍ରାଣ ସଂଜୀବନୀ, ସେଥିରୁ କାଣିଚାଏ ବି ନିର୍ମାଲ୍ୟ ପରି ସେତିକି ପବିତ୍ର ଏବଂ ପ୍ରାଣଦାତ୍ରୀ । ପ୍ରେମ ଶୁଷ୍କ ତରୁ ଡାଳରେ ନବ ପଲ୍ଲବର ସୃଜନ କରି ଯାଏ । ମୁଁ ଜାଣେନା ମୋ ଭିତରେ କେତେ ପ୍ରେମ ଅଛି, କିନ୍ତୁ ଏତିକି ଜାଣିଛି ମୋ ଭିତରେ ଯେତେ ବି ପ୍ରେମ ଅଛି ପ୍ରତିଟି ବୁନ୍ଦା କେବଳ ତୁମ ପାଇଁ ହିଁ ଝରି ଆସିବ ।

ଅଂଶୁମାନର କଥା ଶୁଣିବା ପରେ ରୁଚି ପାଖରେ କହିବାକୁ କିଛି ଶବ୍ଦ ନଥିଲା । ସେ କେବଳ ନିର୍ବିବାକ୍ ହୋଇ ଅଂଶୁମାନର ମୁହଁକୁ ଚାହିଁ ରହି ଥାଏ । ଅଂଶୁମାନକୁ କଥାରେ ଜିତିବାର ତାର ନିଶା ତା ମନରେ ଆଉ କାଣିଚାଏ ବି ବାକି ନଥିଲା । ସତରେ ପ୍ରେମର ଏ ନିଆରା ଅନୁଭୂତି, ଜିତିଯିବା ପରେ ବି ହାରି ଗଲା ପରି ଲାଗେ ଏବଂ ହାରି ଗଲା ପରେ ବି ଜିତିବାର ସମସ୍ତ ସ୍ପୃହା ସମାପ୍ତ ହୋଇ ଯାଏ । ଏଇ ହାରିବାରେ ବି ଜିତିବାର ଏକ ଅପୂର୍ବ ଆନନ୍ଦ ମିଳି ଥାଏ । ଅଂଶୁମାନ ପାଖରୁ ହାରି ମଧ୍ୟ ସେ ଅଂଶୁମାନକୁ ସମ୍ପୂର୍ଣ୍ଣ ଭାବରେ ପାଇ ଯାଇଥିଲା । ଆଉ କଣ ଅଧିକା ଚାହିଁ ପାରିଥାନ୍ତା ରୁଚି ? ଏଇ ପାଇବାର ଖୁସି ଏତେ ପ୍ରବଳ ଥିଲାଯେ ରୁଚିର ଆଖିରେ ଲୁହ ଜକେଇ ଆସିଲା, ଯେଉଟା ଅଂଶୁମାନର ଦୃଷ୍ଟିକୁ ଏଡାଇ ଯାଇ ପାରି ନଥିଲା । ଚାରି ଆଖି ଏକ ହୋଇ ଯାଇ ଥିଲେ ସେତେ ବେଳକୁ । ଅଂଶୁମାନ ତାର ବାହୁପଶାରି ରୁଚିକୁ ନିଜ ଛାତି ଉପରକୁ ଆଉଯାଇ ନେଲା । ଦୁହେଁ ନିର୍ବାକ ଥିଲେ, କିନ୍ତୁ ସେମାନଙ୍କର ହୃଦୟର ସ୍ପନ୍ଦନ ପରସ୍ପର ସହିତ ବହୁତ କିଛି ବାର୍ତ୍ତା ବିନିମୟ କରୁଥିଲେ । ଏକଥା କିନ୍ତୁ ବୁଝି ହେଉ ନଥିଲା କାହା ହୃଦୟ କାହା ଛାତି ଭିତରେ ସ୍ପନ୍ଦିତ ହେଉ ଥିଲା ।



Rate this content
Log in

Similar oriya story from Romance