ବିନୟ ମହାପାତ୍ର

Abstract Classics Inspirational

3  

ବିନୟ ମହାପାତ୍ର

Abstract Classics Inspirational

ଉପେକ୍ଷିତା

ଉପେକ୍ଷିତା

7 mins
11


ସମୟ ରାତି ଏଗାରଟାରୁ କିଛି ଅଧିକା ହେବ । ଅଧା ସହର ଶୋଇ ପଡିଲାଣି ସେତେବେଳକୁ, କିନ୍ତୁ ରାନୁ ତାର ପଢା ଟେବୁଲ ପାଖରେ ବସି ମାଟ୍ରିକ୍ ପରୀକ୍ଷା ପାଇଁ ପାଠପଢାରେ ଲାଗିଥାଏ । ମାର୍ଚ୍ଚ ମାସର ଗରମ, ସିଲିଂ ଫ୍ୟାନଟା ଘୁରୁଛି ମୁଣ୍ଡ ଉପରେ, ଟେବୁଲ ଲ୍ୟାମ୍ପର ଆଲୁଅ କେବଳ ଟେବୁଲଟାକୁ ଯାହା ଆଲୋକିତ କରୁଥାଏ, କିନ୍ତୁ ବାକି ବଖରାଟା ଝାପ୍ସା ଅନ୍ଧକାର ଭିତରେ ବୁଡି ରହିଛି । ରାନୁ ତାର ପାଠ ପଢା ବହି ଭିତରେ ପୁରା ହଜି ଯାଇଥାଏ । ଧିରେ ଧିରେ ନିଦ ମାଉସୀ, ତାର କୋମଳ ହାତ ରାନୁର ସାରା ଦେହରେ ବୁଲାଇ ଆଣୁଥାଏ ଏବଂ ସେ ନିଦର ସ୍ନେହ ବନ୍ଧନ ଭିତରେ ଧୀରେ ଧୀରେ ହଜି ଯାଉଥାଏ । ହଠାତ୍ ରାନୁର ମନେ ପଡି ଗଲା, ପରୀକ୍ଷା ପାଇଁ ପଢା ଯେ ବହୁତ ବାକି ରହିଯାଇଛି । ମାଟ୍ରିକ୍ ପରୀକ୍ଷା ତା ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ପରୀକ୍ଷା । ସେ ଜାଣିଛି, ଏଇ ପରୀକ୍ଷାର ଫଳାଫଳ ତାର ଭବିଷ୍ୟତର ଦିଗନିର୍ଦ୍ଦେଶ କରିବ । ତାକୁ ନିଦ ଉପରେ ବିଜୟ ହାସଲ କରିବାକୁ ପଡିବ । ନହେଲେ ହୁଏତ ତାର ଭବିଷ୍ୟତ ବି ଶୋଇ ପଡିବ । ରାନୁ ପାଠ ପଢାରେ ଖୁବ୍ ଭଲ, ସବୁ ବେଳେ କ୍ଲାସରେ କୌଣସି ନା କୌଣସି ପୋଜିସନ ରଖି ଆସିଛି । ଖାଲି ପାଠ ପଢା ନୁହେଁ, ଖେଳ କୁଦରେ ବି ସେ ଆଗୁଆ । ଅନେକ ସାର୍ଟିଫିକେଟ ଆଉ ଟ୍ରଫିରେ ତାଙ୍କର ଡ୍ରଇଂ ରୁମର ସେଲ୍ଫଟା ପୁରାପୁରି ଭରି ଯାଇଛି । ତାର ଇଚ୍ଛା ଭବିଷ୍ୟତରେ ସେ କମ୍ପିଟେଟିଭ୍ ପରୀକ୍ଷା ଦେବ, କଲେକ୍ଟର କି ଆଉ କିଛି ବଡ ଅଫିସରଟିଏ ହେବ, ନହେଲେ ସେନାରେ ଫାଇଟର ପ୍ଲେନ୍ ଉଡେଇବ । କେବଳ ତାର କଠିନ ପରିଶ୍ରମ ହିଁ ତା ଜୀବନର ସବୁ ସ୍ୱପ୍ନକୁ ସାକାର କରି ପାରିବ । ତାର ଦୃଢ ଇଚ୍ଛାଶକ୍ତି ତାକୁ ତାର ଇପ୍ସିତ ଫଳ ପ୍ରଦାନ କରି ପାରିବ ।

ନିଦର ପ୍ରଭାବରୁ ନିଜକୁ ମୁକ୍ତ କରିବା ପାଇଁ ଡାଇନିଂ ସ୍ପେସରେ ଲାଗିଥିବା ବେସିନରେ ମୁହଁ ଧୋଇବାକୁ ଚାଲି ଆସିଲା । ହଠାତ୍ କେହି ଜଣେ ବଡ କଷ୍ଟରେ କୁନ୍ଥେଇ ହେଉ ଥିବାର ଶବ୍ଦ ସେ ଶୁଣି ପାରିଲା । ବାଆଁ ପଟକୁ ବାପା ବୋଉଙ୍କ ବେଡରୁମ୍ । କୁନ୍ଥେଇ ହେଉ ଥିବା ଶବ୍ଦଟି ତାକୁ ବହୁତ ଚିହ୍ନା ଚିହ୍ନା ଲାଗୁଥାଏ, ତାକୁ ଲାଗିଲା ଏଇଟା ହୁଏତ ବୋଉର ଶବ୍ଦ । ବାପା ବି ଆଜି ଘରେ ନାହାନ୍ତି । ଅଫିସ ଟୁର୍ ରେ ଆଜି ସଂଧ୍ୟାବେଳେ କୋରାପୁଟ ବାହାରି ଗଲେ । ବୋଉର ଦେହ କଣ କିଛି ଅଧିକ ଖରାପ ହେଲାକି ? ଏପରି ଭାବି ରାନୁ ବାପାଙ୍କ ବେଡରୁମ ପାଖକୁ ଯାଇ କବାଟ ପାଖରେ କାନ ଡେରି ଶୁଣିବାକୁ ଲାଗିଲା । ହଁ ଏଇଟା ତ ବୋଉର ଶବ୍ଦ, ତାର ସନ୍ଦେହ ଅମୁଳକ ନଥିଲା । ଏଇଟା ବୋଉର କଷ୍ଟରେ କୁନ୍ଥେଇ ହେବାର ଶବ୍ଦ । ରାନୁ କବାଟରେ ହାତ ମାରିଲା, କବାଟଟା ଭିତର ପଟୁ କେବଳ ଆଉଜା ହୋଇଥିଲା । ବେଡରୁମରେ ଜିରୋ ପାୱାର ବଲ୍ବର ମିଞ୍ଜି ମିଞ୍ଜି ଆଲୁଅରେ ରାନୁ ଦେଖିଲା, ବୋଉ ତାର ପେଟକୁ ଜାବୁଡି ଧରି ବଡ କଷ୍ଟରେ କୁନ୍ଥେଇ ହେଉଛି, ସତେ ଯେପରି ବହୁତ କଷ୍ଟ ହେଉଛି ତାକୁ । ରାନୁ ପାଖକୁ ଯାଇ ଡାକିଲା, ପଚାରିଲା ବୋଉ କଣ ହେଉଛି ? ବୋଉର ଜନ୍ତ୍ରଣା ସେତେ ବେଳକୁ ବଢିବ ଚାଲିଥିଲା । ବଡ କଷ୍ଟରେ ବୋଉ କହିଲା, ଆରେ, ସଂଧ୍ୟା ବେଳରୁ ଅଳ୍ପ ଅଳ୍ପ ମୋର ପେଟ ବଥା ହେଉ ଥିଲା । ଭାବିଲି ଖାଇବା ପିଇବାରେ କଣ ଟିକେ ଅସୁବିଧା ହୋଇ ଏମିତି ଗ୍ୟାସ ହୋଇ ଯାଇଥିବ । ଆଜି ସକାଳ ଜଳଖିଆ ଖାଉ ଖାଉ ଦିନ ବାରଟା ବାଜି ଯାଇଥିଲା । ପେଟବଥା ଲାଗି ଥଣ୍ଡା ଖିର କପେ ପିଇ ଥିଲି ସଂଧ୍ୟା ବେଳେ, ସେଥିରେ ଏସିଡି ପ୍ରୋବ୍ଲେମ ଠିକ୍ ହୋଇଯାଏ । କିନ୍ତୁ ଆଜି ବଥା କମ୍ ହେଲାନି, ଏବେ ହଠାତ୍ ବହୁତ ବଢିଗଲା । ଦୂର୍ଯୋଗକୁ ବାପା ବି ସଂଧ୍ୟା ବେଳେ ଟୁର୍ ରେ ଚାଲିଗଲେ । ବୋଉକୁ କହିଲି, ଘରେ ଭାଇ ତ ଅଛି, ତାକୁ ଡାକି ଦେବି ? ସିଏ ବଜାରକୁ ଯାଇ କଣ ଟିକେ ମେଡିସିନ୍ ନେଇ ଆସିବ । ବୋଉ ବିକଳ ହୋଇ କହିଲା, ସେ ଟୋକା ଶୋଇଥିବ । ଏବେ କହିଲେ ସେ କଣ ଯିବ ? ତା କଥା ତୁ କଣ ଜାଣିନୁ ? ତଥାପି କଷ୍ଟ ବିକଳରେ ବୋଉ ସୋନୁ ଭାଇକୁ ଡାକ ଛାଡିଲା, କହିଲା ବାପାରେ, ବଡ କଷ୍ଟ ହେଉଛି, ବେଶି ରାତି ହୋଇନି ରାତି ଏଗାରଟା ବାଜିଛିି ଜମାରୁ, ଯା ଟିକେ ଦେଖ, ମେଡିକାଲ ଛକରେ କେଉଁ କେମିଷ୍ଟ ଦୋକାନ ଖୋଲାଥିବ, ଇନୋ ଗୋଟେ ପାଉଚ୍ ନେଇ ଆସିବୁ । ହେଲେ ସୋନୁ ଭାଇ କିଛି ଜବାବ ଦେଲାନି । ବୋଉ ତିନି ଚାରି ଥର ଡାକି ସାରିବା ପରେ ରାନୁ କହିଲା, ତୁ ରହ, ସେ ବୋଧେ ଶୋଇ ପଡିଥିବ । ମୁଁ ଯାଇକି ଦେଖୁଛି ।

ରାନୁ ଯାଇ ସୋନୁର ବେଡରୁମ କବାଟ ଠକ୍ ଠକ୍ କଲା । କେତେ ଚେଷ୍ଟା ପରେ ସୋନୁ କବାଟ ଖୋଲିଲା । ତା କାନରେ ଇଅର ଫୋନ୍ ଟା ଠୁସା ହୋଇଛି । ହାତରେ ମୋବାଇଲ ଫୋନ୍ ଟା ଏବେ ବି ଅନ୍ ଅଛି । ସେ କିଛି ଫିଲ୍ମ ଡାଉନଲୋଡ କରି ଦେଖୁଥିଲା ବୋଧହୁଏ । ସୋନୁକୁ ଏପରି ଅବସ୍ଥାରେ ଦେଖି ରାନୁର ମୁଣ୍ଡ ଗରମ ହୋଇଗଲା । ହେଲେ ସେ ତା ରାଗକୁ ଚାପିରଖି କହିଲା, ଭାଇ, ବୋଉର ପେଟ ବଥା ହେଉଛି, ସେ କଷ୍ଟରେ କଥା କହି ପାରୁନି । ସୋନୁ କାନରୁ ଇଅରଫୋନଟା ନକାଢି ରାନୁକୁ ପଚାରିଲା କଣ ହେଲା? ରାନୁର ପିତ ସତେ ଯେପରି ତା ମୁଣ୍ଡକୁ ଚଢି ଚଢି ଆସୁଥିଲା । ସେ ସୋନୁର କାନରୁ ଇଅର ଫୋନଟା ଏକପ୍ରକାର ଓଟାରି ଆଣି କହିଲା ଏଇଟା ତ କାନରେ ଠୁଁସିଛୁ, ଶୁଭିବ କେମିତି । କିଏ ମଲେ କି ଗଲେ ତୋର ଜାଣିବା କଣ ଦରକାର ? ବାପା ଘରେ ନାହାନ୍ତି, ଏବେ ତୁ ଏକା ପୁଅପିଲା ଏଇ ଘରେ । କାହାର କଣ ହେଲା ନହେଲା ତାର ଧ୍ୟାନ ରଖିବୁନି ? ବୋଉର ପେଟ ଖରାପ ହୋଇ ବଥା କରୁଛି, କଷ୍ଟରେ ସେ କାନ୍ଦି ପାରୁନି । ତୋତେ ଡାକ ଛାଡି ଚାଲିଛି, ହେଲେ ବାବୁଙ୍କୁ ଫିଲିମରୁ ସମୟ ବଳିଲେ ସିନା କାହା ଖବର ଜାଣିବ । ଚାଲ ଦେଖିବୁ ବୋଉକୁ କେତେ କଷ୍ଟ ହେଉଛି କହି ସୋନୁର ହାତ ଧରି ବାପାଙ୍କ ରୁମ୍ କୁ ଟାଣି ନେଇଗଲା ।

ବୋଉ, ସୋନୁ ପାଖକୁ ଆସିବା ଦେଖି କହିଲା, ପୁଅରେ ଏବେ ରାତି ଏଗାରଟା ବାଜିଛି । ମେଡିକାଲ ଛକରେ କେମିଷ୍ଟ ଦୋକାନ ସବୁ ପ୍ରାୟ ଖୋଲାଥିବ । ଯାଇକି ଗୋଟେ ଇନୋ ନେଇ ଆସିବୁ, ବଡ କଷ୍ଟ ହେଉଛି । ମେଡିସିନ୍ ଖାଇଦେଲେ ଟିକେ ଭଲ ଲାଗିବ । ହେଲେ ସୋନୁ ଯିବାକୁ ନାରାଜ୍, କହିଲା ଏତେ ରାତିରେ କୋଉ କେମିଷ୍ଟ ଦୋକାନ ଖୋଲିକି ବସିଥିବ ଯେ ? ମୋତେ ନିଦ ବି ଲାଗୁଛି, ମୁଁ ଏବେ ଯାଇ ପାରିବିନି, ତୁ ଶୋଇପଡ, ଶୋଇ ପଡିଲେ ଟିକିଏ ଭଲ ଲାଗିବ । ମୁଁ କାଲି ସକାଳ ହେଲେ ଯାଇ ମେଡିସିନ୍ ନେଇ ଆସିବି ତୋ ପାଇଁ, କହି ସୋନୁ ଚାଲି ଗଲା ତା ରୁମକୁ ।

ରାନୁ ବୋକି ଝିଅଟିଏ ପରି ଚାହିଁ ରହିଥାଏ ସୋନୁ ଭାଇର ଯିବା ବାଟକୁ । ମନେ ମନେ ଭାବୁଥାଏ, ଏଇ ସୋନୁ ଭାଇ କଲେଜ ଯିବ ବୋଲି ମୋଟର ସାଇକେଲ କିଣି ଦେବାକୁ ଅଝଟ କରିଥିଲା । ସେତେବେଳେ ବାପା ମନା କରି ଦେଇଥିଲେ, କହିଲେ ମୋଟର ସାଇକେଲ ମିଳିଲେ ବାବୁ ଆଉ ପାଠ ପଢାରେ ମନ ଦେବେନି । ସାଙ୍ଗ ମାନଙ୍କ ସାଙ୍ଗରେ ଖାଲି ବୁଲା ବୁଲି କରିବ । ହେଲେ ବୋଉ ସେତିକି ବେଳକୁ ଭାଇ ପାଇଁ ଓକିଲାତି କରିଥିଲା । ବାପାଙ୍କୁ କହିଲା ପୁଅଟା କଲେଜ ଗଲାଣି, କେତେ ସାଇକେଲ ପେଲି ପେଲି ଯାଉଥିବ । ତାର ସାଙ୍ଗ ମାନେ ସବୁ ମୋଟର ସାଇକେଲରେ ଯିବା ଆସିବା କରୁଛନ୍ତି ବୋଲି କହୁ ଥିଲା । ବାପା କହିଲେ, ବୁଝିଲ ଆମେ ଯେତେବେଳେ କଲେଜରେ ପଢୁଥିଲୁ ସେତେବେଳେ ଆମ ପାଖରେ ସାଇକେଲଟିଏ ବି ନଥିଲା । ମେସ୍ ରୁ ଦୁଇ କେଲୋମିଟର ରାସ୍ତା ଚାଲି ଚାଲି ଝାଳ ନାଳ ହୋଇ କଲେଜ ଯାଉଥିଲୁ । ଆଜି ବାବୁଙ୍କ ପାଖରେ ସାଇକେଲ ଖଣ୍ଡେ ତ ଅଛି, ସେ କଣ କମ୍ କଥା । ତାକୁ କୁହ ଏଥର ପରୀକ୍ଷାରେ ଯଦି ଭଲ ନମ୍ବର ଆଣିବ, ତେବେ ଭାବିବି ତା ପାଇଁ ମୋଟର ସାଇକେଲ କିଣିବା କଥା । ଦେଖିଲ, ରାନୁ ଆମର ଝିଅଟା, ହେଲେ କେତେ ପରିଶ୍ରମ କରୁଛି ସିଏ । ସବୁ ପରୀକ୍ଷାରେ କ୍ଲାସରେ ଫାଷ୍ଟ ସେକେଣ୍ଡ ହୋଇ ପୋଜିସନ ରଖୁଛି । ପ୍ରତି ବର୍ଷ ସ୍କୁଲ ସ୍ପୋର୍ଟସରେ କେତେ କେତେ ଟ୍ରଫି ନେଇକି ଆସୁଚି । ଆଉ ପୁଅ ଆମର ସେଇ ଥାର୍ଡ ଡିଭିଜନରୁ ଉପରକୁ ଉଠିବାକୁ ମନ କରୁନାହାନ୍ତି । ରାନୁକୁ ଦେଖି କିଛି ତ ଶିଖନ୍ତା ସାନ ଭଉଣୀଠୁ । ଖେଳ କୁଦ କଥା ତ ଛାଡ । ବୋଉ ଶେଷରେ ବାପାଙ୍କୁ ବୁଝେଇ କହିଲା ତୁମେ ତ ମାସରେ ଅଧାଦିନ ଟୁରରେ ଚାଲି ଯାଉଛ । ଘରେ ପୁଅଟା ଅଛି, କେତେବେଳେ କଣ ଦରକାର ପଡିଲେ ବଜାର ସଉଦା ଟିକିଏ କରି ଦେବ । ରାତି ଅଧରେ କେବେ କିଛି ଜରୁରୀ ପଡିଗଲେ ସେ କରି ଦେବ ନା' ସବୁ କାମ । ହେଲେ ସୋନୁକୁ ଆଜିଯାଏ ଘରକାମ ପାଇଁ କେବେ ସମୟ ମିଳିନି । ଆଉ ଆଜି ଯେତେବେଳେ ବୋଉର ଦରକାର ପଡୁଛି, ସେତେବେଳେ ବାବୁଙ୍କର ଫିଲିମରୁ ମନ ଛାଡୁନି ।

ବୋଉର କଷ୍ଟ ରାନୁ ଆଉ ସହି ପାରିଲିନି । ସେ କହିଲା, ବୋଉ ମୁଁ ବଜାର ଯାଇ ନେଇ ଆସିବି ତୋ ମେଡିସିନ୍ । ବୋଉ ତା ମୁହଁକୁ ଟିକେ ସନ୍ଦେହ ଭରା ଦୃଷ୍ଟିରେ ଅନେଇ କହିଲା, ଜାଣିଛୁ ଏବେ ରାତି ଏଗାରଟା ବାଜିଲାଣି । ଆଜି କାଲି ଯେମିତି ସମୟ ହେଲାଣି ତୁ ଝିଅ ପିଲାଟା ଏକୁଟିଆ ଏତେ ରାତିରେ ବାହାରକୁ ଯିବୁ ? ତୁ କଣ ପୁଅ ପିଲା ହେଇଛୁ ? ନାଃ, ଏତେ ରାତିରେ ଝିଅ ପିଲା ବାହାରକୁ ଯାଆନ୍ତିନି । ମୁଁ ଶୋଇ ପଡିଲେ ମୋର ଠିକ୍ ହୋଇଯିବ, ତୁ ଯା ଶୋଇ ପଡ । କଷ୍ଟରେ ବୋଉର ସେତା ପଡି ଯାଇଥିବା ମୁହଁ ଆଡକୁ ରାନୁ ପୁଣି ଥରେ ଚାହିଁଲା । ତାର ଆଖି ଜକେଇ ଆସିଲା । ଭାବିଲା ଧନ୍ୟରେ ତୁ ମାଆ, ଏତେ କଷ୍ଟରେ ବି ଝିଅର ନିରାପତ୍ତା କଥା ଭାବୁଛୁ । ରାନୁ ବୋଉ ମୁହଁକୁ ଚାହିଁ କହିଲା ମୁଁ ନେଇ ଆସୁଛି ମେଡିସିନ୍ ତୁ ବ୍ୟସ୍ଥ ହୁଅନା । ତୁ ମୋ କଥା ଚିନ୍ତା କରନା, ମୁଁ ଏଇ ଗଲି, ଆଉ ପାଞ୍ଚ ମିନିଟରେ ନେଇ ଆସିବି ତୋ ମେଡିସିନ୍ କହି ରାନୁ ବାହାରିଗଲା । ବୋଉ ବାରମ୍ବାର ପାଟିକରି କହୁ ଥାଏ ଆରେ ଯାଆନାରେ, ମୋ କଥା ମାନ । ମୋର ବେଶି କଷ୍ଟ ହେଉନି, ଏବେ ଟିକେ ଭଲ ଲାଗୁଛି । ଓଃ, କାହା କଥା ଶୁଣିବନି ଝିଅଟା, ଆରେ ହେ ରାନୁ, ବାହାରକୁ ଯାଆନାରେ ମାଆ, ଆଜି କାଲି ସମୟ ଭଲ ନୁହେଁ । ଓହଃ, କେଡେ ଆମାନିଆ ଝିଅଟାରେ ତୁ ରାନୁ, କେଡେ 'ଅଣ୍ଡିରାଚଣ୍ଡି' ଝିଅଟା ସତେ । ସେତେ ବେଳକୁ ରାନୁ ସାଇକେଲ ନେଇ ବାରଣ୍ଡ ତଳକୁ ଓହ୍ଲେଇ ସାରିଥିଲା । ମାଆର କଷ୍ଟ ଆଗରେ ତାକୁ ସବୁ କିଛି ଖୁବ୍ ଛୋଟ ଲାଗୁଥିଲା । ରାନୁ ମେଡିକାଲ ଛକରେ କେମିଷ୍ଟ ଦୋକାନ ଖୋଜୁ ଖୋଜୁ ଭାବୁ ଥିଲା, ଏତେ ସବୁ ହେଲା ପରେ ବି, ବୋଉ ତାର ଗେହ୍ଲା ପୁଅକୁ 'ମାଇଚିଆ' ବୋଲି କହି ପାରିଲାନି, କିନ୍ତୁ କେଡେ ସହଜରେ ମୋତେ 'ଅଣ୍ଡିରାଚଣ୍ଡି' ବୋଲି କହି ପାରିଲା !

(ନାରୀ ସ୍ୱାଧୀନତା ଏବଂ ସମାନତା କଥା ପ୍ରତିଦିନ ଆମେ ଟିଭି, ଖବରକାଗଜରେ ପଡୁଛୁ, ଶୁଣୁଛୁ, ବଡବଡ ସଭା ସମିତିରେ ନେତାମାନେ ଲମ୍ବାଲମ୍ବା ଭାଷଣ ଦେଉଛନ୍ତି । ଆମେ ସମସ୍ତେ ଏ କଥା ଜାଣୁ, ଦରକାର ପଡିଲେ କୌଣସି ଆଲୋଚନାରେ ସେ ବିଷୟରେ ଭଲ ଭାଷଣ ବି ଦେଇପାରୁ, ହେଲେ ସତରେ କଣ ଆମ ପୁରୁଷସମାଜ ନାରୀର ଶକ୍ତିକୁ ସହୃଦୟତାର ସହିତ ସ୍ୱୀକାର କରି ପାରିଛି ? ଖେଳକୁଦ ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନଙ୍କର ପୁରୁଷମାନଙ୍କ ଅପେକ୍ଷା ବହୁତ ଭଲ ପ୍ରଦର୍ଶନ ସତ୍ତ୍ୱେ ନାରୀମାନଙ୍କ ପ୍ରତି ପୁରୁଷମାନଙ୍କର ଦୃଷ୍ଟିକୋଣରେ କିଛି ପରିବର୍ତ୍ତନ ଆସିଛି ? ଆଜିବି ଯଦି କୌଣସି ପୁରୁଷ ସୁଲଭ କାର୍ଯ୍ୟ କୌଣସି ଜଣେ ନାରୀ କେବେ କରିଦିଏ, ତେବେ ଆମେ କେଡେ ସହଜରେ ତାକୁ 'ଅଲାଜୁକି' କିମ୍ବା 'ଅଣ୍ଡିରାଚଣ୍ଡି' ବୋଲି କହିଦେଇପାରୁ । ଆଜି କେବଳ ଆମର ଦୃଷ୍ଟି ନୁହେଁ ଆମର ଦୃଷ୍ଟିକୋଣରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ।


Rate this content
Log in

Similar oriya story from Abstract