Mamatamanjari Das

Abstract Inspirational

5.0  

Mamatamanjari Das

Abstract Inspirational

ବୋଝ

ବୋଝ

4 mins
580


"ବାପା"ଏମିତି ଏକ ଶବ୍ଦଟିଏ ତାଙ୍କ ବିଷୟରେ ଯେତେ ବି ଲେଖିଲେ ଶବ୍ଦର ଅଭାବ ପଡିବ । ହେଲେ ଜୀବନ ଯାକ ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ ବିନା ବିରାମରେ ଯିଏ ପିଲାର ଟିକି ନିଖି ଖବର ରଖି କଣ୍ଟା ଟିକେ ଫୁଟିଲେ ବିଚଳିତ ହୋଇପଡନ୍ତି ସେ ହେଉଛନ୍ତି ବାପା । ବାପା ମାନେ ବୋଧେ ବୁଢା ହୁଅନ୍ତି ନାହିଁ ।ମା'ର ଗର୍ଭରେ ଭୃଣ ଟିଏ ସଂଚାର ହେବା ଦିନଠାରୁ ସେ ମାଆ ସହିତ ସନ୍ତାନ ର ବୋଝ ବି ବହନ କରନ୍ତି । ତାଙ୍କ ମୁହଁରେ କଷ୍ଟ ଟିକେ ଦେଖିବାକୁ ମିଳେନାହିଁ । ବରଂ ନିଜେ ଖାଲି ପାଦରେ ଚାଲି ପିଲାପାଇଁ ଚପଲ କିଣନ୍ତି। ଭୋକିଲା ପେଟରେ ରହି ମୁହଁରେ ହସଧାରେ ଥାଏ । ପିଲାର ଖୁସିରେ ହୃଦୟ ଭରିଯାଏ ତାଙ୍କର ।

ହେଇ ଦେଖୁ ନାହାନ୍ତି ଗାଡିରୁ ଓହ୍ଲଉ ଓହ୍ଲଉ ବୁଢା ବୟସରେ ବି ବାପା ମୋର ଛୁଆ ହୋଇ ଗଲେଣି । ମୋ ଅଫିସ ବ୍ୟାଗକୁ ବୋଝ ଭଳି ବୋହି ବାପା ହେଇଗଲେଣି ଗାୟବ। ଅଶୀ ବର୍ଷର ବୁଢା ବାପା ମୋର। ପୁଣି ହାର୍ଟ ପେସେଣ୍ଟ। ବର୍ଷେ ପୂର୍ବରୁ ହାର୍ଟର ଅପରେସନ ହେଇଥିଲା ଏଇ ସହରରେ। ଆଜି ସକାଳୁ ଉଠିଲାକୁ ବାମ ହାତ କଲା ବିନ୍ଧାଗୋଳା।ଡାକ୍ତର ପାଖକୁ ନେଇଆସିଥିଲି ହେଲେ ଏଠାରେ ପରିବା ହାଟ ଦେଖି ଲୋଭ ସମ୍ଭାଳି ପାରିଲେ ନାହିଁ । କହିଲେ ଗାଡି ଟିକେ ପାର୍କ କର ମୁଁ ତୋ' ପାଇଁ ଦେଶୀ କାଙ୍କଡ ଦିଟା ନେଇଆସେ । ପିଲାବେଳେ ତୁ ' କେତେ ଭଲ ପାଉ ଥିଲୁ ।


ଏପଟ ସେପଟ ଖୋଜୁଥାଏ ମୁଁ। ନଜର ଗଲା ରାସ୍ତାକଡ ପରିବା ଦୋକାନକୁ। ବାପା ସେଇଠି କରୁଥାନ୍ତି ପରିବା ମୂଲଚାଲ। ମୁଁ ଟିକିଏ ବିରକ୍ତି ହେଇ କହିଲି --- ବାପା କହିଲ! କିଏ କାହାକୁ ଆଣିଛି? ତମକୁ ମୁଁ ଆଣିଚି ନା ତମେ ମୋତେ ଆଣିଚ? ତା’ଛଡା ପରିବା କ’ଣ ଆମ ସେଇଠି ମିଳିବନି? ନା ପରିବା କିଣିବାକୁ ମୁଁ ଅଫିସ ଛୁଟି ନେଇ ଆସିଛି?


ବାପା କିନ୍ତୁ ଥିଲେ ନିର୍ବିକାର । କାଙ୍କଡ ରୁ କିଲଟିଏ ବ୍ୟାଗରେ ଭର୍ତ୍ତି କରି ପର୍ଶ ବାହାର କରି ଦୋକାନୀ କୁ ଶହେ ଟଙ୍କିଆ ଖଣ୍ଡେ ଦେଲେ । ତାପରେ ଆଉ ଟିକିଏ ଆଗକୁ ଯାଇ ସବୁ ପରିବା ବ୍ୟାଗରେ ଭର୍ତିକଲେ । ମୋତେ ଦେଖେଇ କହିଲେ ଜାଣିଲୁ ବାବୁ! ତୁ ତ ଜାଣିଚୁ ଆମର ସେଇଠି ପରିବା ରେଟ୍‍ କେତେ? ପରିବା ଦି’ଟା ପୁରେଇ ଦେଲେ ଗାଡିରେ ପଡିଥିବ। ତା’ ଛଡା ମୁଁ କୋଉ ବୋଝ ବେହୁଛି ଯେ ଗାଡିରେ ତ ଯିବ। ମୁଁ ବ୍ୟାଗଟା ବାପାଙ୍କ ହାତରୁ ଛଡେଇ ଆଣି ଧରିଲି। ମୋ ହାତରୁ ବ୍ୟାଗ ନେଇ କହିଲେ ତୁ' ପିଲା ଲୋକ ଗଡି ଚଲେଇବାରେ ମନ ଦେ ।


ବାପା ଭୁଲି ଯାଇଥିଲେ ବୋଧେ ମୋତେ ଚାଳିଶି ଅଙ୍କ ଛୁଇଁ ଲାଣି ବୋଲି। ଆଜି କାଲି ମେଡିକାଲ ରେ ଯୋଉ ଅବସ୍ଥା । ପହଞ୍ଚି ଟିକେଟ ଖଣ୍ଡେ କରି ଲାଇନ୍ ରେ ଛିଡା ହେଲି । ମୋ ହାତରୁ ଚିଠାଟା ଟାଣି ନେଇ କହିଲେ "ଗଲୁ ଗଲୁ କଣ୍ ଟିକେ ଖାଇଦେଲୁ ପେଟ ଲାଗି ଗଲାଣି । ସବୁ ଲୋକମାନେ ମୋତେ ଅନୋଉ ଥାଆନ୍ତି । ତାଙ୍କ କଥା ନ ରଖିଲେ ଖଣ୍ଡ ପ୍ରଳୟ କରିବେ । ବାଧ୍ୟ ହୋଇ ଗଲି ଖାଇବା ପାଇଁ । ଆସିଲା ବେଳକୁ ପ୍ରାୟ ଆମ ନମ୍ବର ଆସି ଯାଇ ଥିଲା । ଭିତରକୁ ଗଲୁ । ଡାକ୍ତର ହସି ହସି ପଚାରିଲେ " ମଉସା କେମିତି ଅଛନ୍ତି "। ବାପା କହିଲେ ପୁରା ଫିଟ୍ ରେ ପୁଅ ।ଶୀଘ୍ର ଶୀଘ୍ର ଔଷଧ ଦେଇଦିଅ ଭୋକ ଲାଗିଲାଣି ।


ପ୍ରଥମେ ଥର ଖୁସି ହେଲି ଜାଣି ଯେ ବାପାଙ୍କୁ ଆଜି ଭୋକ ହେଲାଣି । ନ ହେଲେ ଘରେ ଡାକି ଡାକି ଥକିଯିବ ବାପା ଆସ ଖାଇବ ଆସ ଖାଇବ କହି କହି। ବେଟାଇମରେ ଖାଇଲେ ହେବ ଦେହ ଖରାପ। ବେଳେ ବେଳେ ବାଧ୍ୟ ହେଇ ଜବରଦସ୍ତି ଖୋଏଇ ଦିଏ ବାପାଙ୍କୁଛୋଟ ବେଳେ ସେ ଯେପରି ମୋତେ ଖୁଆଉ ଥିଲେ।ଆଜି ବହୁଦିନ ପରେ କହୁଛନ୍ତି ଭୋକ ଲାଗୁଛି।

ସବୁ ବାପା ମାନଙ୍କର ଛାତି ପ୍ରାୟ ଆକାଶ ପରି ବଡ ଆଉ ଚଉଡା। ପାହାଡ ପରି ଧୈର୍ଯ୍ୟଶୀଳ ସେମାନେ। କାଲି ଭଳି ମନେ ହୁଏ ଥରେ ଦେହ ଖରାପ ହୋଇଥିଲା ମୋର ।ସେମିତି କାନ୍ଧରେ ବୋଝ ପରି ବୋହି ପାଞ୍ଚ କିଲୋମିଟର ଚାଲି ଚାଲି ନେଇ ଯାଇଥିଲେ ମୋତେ । ଟାଇ ଫଏଡ ହୋଇଥିଲା ।


ଆଜି ସେ ଅସୁସ୍ଥ । ତାଙ୍କୁ ମୁଁ ନେଇକରି ଆସିଛି ।ଔଷଧ ଧରି ଫେରିବା ବାଟରେ କହିଲି " ବାପା ଖାଇବ ପରା " । ହସରେ ଉଡାଇଦେଲେ ମୋ କଥାକୁ । କହିଲେ ଡାକ୍ତର ଶୀଘ୍ର ଔଷଧ ଦେବ ବୋଲି ଭୋକ ଲାଗୁଛି କହିଲି ନା ।


ତାଙ୍କୁ ଚେୟାରଟି ଉପରେ ବସେଇ ଦେଇ ଗାଡି ବାହାର କରିବାକୁ ଗଲି । କିନ୍ତୁ କଣ ହେଲା କେଜାଣି ଗୋଟିଏ ମୁହୁର୍ତ୍ତରେ ବାପା ଢଳି ପଡିଲେ ଚେୟାର ଉପରୁ । ଗାଡି ବାହାର କରିବି କଣ ସିଧା ବାପାଙ୍କୁ ଟେକି ନେଇ ଦୌଡ଼ିଲି ଡାକ୍ତର ବାବୁଙ୍କ ଚାମ୍ବର କୁ ।ଆଖିରେ ଆଖିଏ ଲୁହ ।

ଡାକ୍ତର ବାବୁ ଇଞ୍ଜେକସନ ଦେଲେ । ପାଣି ଛାଟି ବାପା ସୁସ୍ଥ ହେଲାପରେ ମୁଁ କାନ୍ଦୁଥିବା ଦେଖି ଲୁହ ପୋଛିଦେଇ କହିଲେ ।


ତୁ'ପରା ମରଦ ପୁଅ , ଏମିତି କାନ୍ଦିଲେ ଚଳିବ କେମିତି ?ତା' ଛଡା ଆଜି କାଲି ତ ବାପା ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି । କିନ୍ତୁ ସେହି ବୋଝକୁ ତୁ ତୋ ବାହୁରେ ଉଠାଇ ଡାକ୍ତରଙ୍କ ପାଖକୁ ଆଣି ମୋତେ ପୁଣି ଜୀବନ୍ୟାସ ଦେଲୁ । ଏହାଠାରୁ ଖୁସି ଗୋଟିଏ ବାପା ପାଇଁ ଆଉ କଣ ହୋଇ ପାରେ ।    

                    

ପଚାରିଲି "ବାପା କଣ୍ ଖାଇବ" ? ଟିକେ ହସିଦେଇ କହିଲେ ରସଗୋଲା ଦିଇଟା ଆଣୁନୁ । ଭାରି ଅଡୁଆ ଲାଗିଲା ବାପାଙ୍କ କଥା । ଏମିତି କଣ୍ କହୁଛନ୍ତି ? ବାପା ବୋଧହୁଏ ମୋ ମନକୁ ପଢି ପାରିଲେ । କହିଲେ ଆରେ ରସଗୋଲା ମୋ ପାଇଁ ନୁହେଁ , ତୋ ପାଇଁ ଆଣିବୁ । ତୋ 'ବୋଉ ଥିଲେ ଏଇନା ଠାକୁର ପାଖରେ ଭୋଗ ଲଗେଇ ଥାଆନ୍ତା । ସେ ତ ନାହିଁ ,ତୁ' ଆଜି ମୋ ବାପା ହୋଇ ଯାଇଛୁ ସେହି ଖୁସିରେ ମିଠା ମୁଁ ତତେ ଖୁଆଇ ଦେବି ।ଆଖିରୁ ମୋର ବହି ପଡିଲା ଖୁସିର ଦୁଇବୁନ୍ଦା ଅଶ୍ରୁ, ଆଉ ଭାବୁଥିଲି ସତରେ କେତେ ଆତ୍ମତୃପ୍ତି ଏହି ପଦିଏ କଥାରେ । ହେଲେ ଆଜିର ଯୁବପିଢୀ ଏହି ଖୁସି ଟିକକୁ ନିଜଠାରୁ ଦୂର କରୁଛନ୍ତି କାହିଁକି ??



Rate this content
Log in

Similar oriya story from Abstract