Mamatamanjari Das

Inspirational

4  

Mamatamanjari Das

Inspirational

ପତ୍ରଝଡା ବେଳ

ପତ୍ରଝଡା ବେଳ

3 mins
23


ଜୀବନ ଆଉ ବୃକ୍ଷ ଏ ଦୁଇଜଣଙ୍କ ସହ ଯୁକ୍ତି କରି କିଛି ଲାଭ ନାହିଁ ।ଏ ଦୁହିଁଙ୍କ ଚରିତ୍ର ସମାନ , ଯୌବନ ବେଳେ ଫୁଲ ଫଳରେ ଭରି ରହୁଥିବା ଗଛ ଜରା ଆସିଲେ ପତ୍ର ଝଡାର ବେଳ ହୁଏ । ସେ ଖୋଜେ ଟିକିଏ ଯତ୍ନ , କେହି ଟିକିଏ ତା' ମୂଳରେ ପାଣି ଦିଅନ୍ତା , ମୂଳରୁ ଘାସ ବାଛି ଦେଲେ ସେ ପୁଣି ଥରେ ନବ ପଲ୍ଲବରେ ଭରି ଯାଆନ୍ତା ,ମନରେ ତାର ନବ ଉନ୍ମାଦନା ଯେ ସେ ପୁଣିଥରେ ପଲ୍ଲବୀତ ହେବା ପାଇଁ । ହେଲେ ଏହା ତା' ଭାଗ୍ୟରେ ଜୁଟେନି । ଫଳ ଫୁଲ ସରିଗଲେ ସେ ହୋଇଯାଏ ଏକୁଟିଆ ,ଅଦରକାରୀ ।

ଜୀବନ ଟା ବି ସେମିତି ଆଜ୍ଞା । ଯେତେ କହିବରେ ଜୀବନ କଷ୍ଟ ହଉଛି ଜଞ୍ଜାଳରେ ଟିକେ ଅଟକ ଥକା ମାରିବି, ସେ ଶୁଣିବନି l ପୁଅ , ଝିଅ ସଂସାର ପାଇଁ ନିରନ୍ତର ଖଟି ଚାଲିଥିବ ଯେ ଚାଲି ଥିବ କେବେବି ଅଟକିବ ନାହିଁ । ସେ କେତେବେଳେ ଅଟକିବ ଜାଣିଛନ୍ତି ଆଜ୍ଞା !! ଆପଣ , ମୁଁ ଆମେ ସମସ୍ତେ ଯାଣିଛେ ଠିକ୍ ପତ୍ରଝଡା ବେଳ ହେଲେ ସେ ଅଟକି ଯିବ ଆପେ ଆପେ । ଦେହରେ ଆଉ ବଳ ନଥିବ, ମନ ଚାହୁଁ ଥିବ ଟିକିଏ ଶୀତଳତା ର ସ୍ପର୍ଶ । କିନ୍ତୁ ସେ ସବୁ କେତେ ଜଣଙ୍କ ଭାଗ୍ୟରେ ଜୁଟେ ? ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ…

ଆଜିକୁ 38 ବର୍ଷ ତଳେ ଆଜିର ଦିନରେ ଆମେ ଏକାଠି ହୋଇଥିଲୁ । ସେବେଠୁ ଚାଲିଛୁ ଯେ ଚାଲିଛୁ ସବୁ ହସ , କାନ୍ଦ ଲୁହକୁ ପିଇ। ଏବେ ପତ୍ରଝଡା ର ବେଳ । କୋଉ ମୁହୂର୍ତ୍ତରେ ଝଡିଯିବୁ କିଏ ଜାଣେ ?

ସତର ବର୍ଷ ବୟସରେ ଯେତେବେଳେ ଗୋଟିଏ ତିରିଶ ଜଣିଆ ପରିବାରରେ ପାଦ ଥାପିଥିଲି , ମୋ ପତିଦେବ ଦିନେ ପଚାରି ଥିଲେ, ଏତେବଡ ପରିବାରର ବୋଝ ଉଠୋଉ ଉଠୋଉ ତୁମେ ଥକି ପଡୁନ ? ମୋର ସାଧାରଣ ଉତ୍ତର ଥିଲା ଥକିପଡିଲେ ତୁମର ସ୍ନେହଁ ର ପ୍ରଲେପ ମୋତେ ପୁଣି ପଲ୍ଲବୀତ କରିଦେବ ନିଶ୍ଚୟଁ ।

ସ୍ୱପ୍ନର ନଅର ତୋଳିଲୁ , ମୋ ପତିଦେବ କୁହନ୍ତି ,ସବୁ ଦୁଃଖକୁ ପଛ କରି ଚାଲେ ଯିବା ପଠାର ସେ ଝାର ବଣକୁ l ସେଠି ପାଚିଲା କୋଳି, ସେଠି କାଇଁଚ ମାଳି , ସେଠି ରଙ୍ଗୁଆ ପରର ଅଚିହ୍ନା ଚଢେଇ, ସେଠି ଗହଳ ଗଛର ଛାଇ, ସେଠି ଶୀତଳ ପବନର ରାଗ ମଧୁଭନ୍ତି, ସେଠି କଥା ଅସରନ୍ତି l ଜୀବନଟା କୁ ଉପଭୋଗ କରିବା ।

ମୁଁ କୁହେ , ଯାହା ବି କର ବୟସର ପତ୍ରଝଡା ସମୟ ତ ଦିନେ ଆସିବ ନା ? ସବୁବେଳେ ତ ଆଉ ସବୁଜ ଗହଳିଆ ଗଛର ଛାଇ ନଥିବ । ପତ୍ରଝଡା କୁ ବି ସାମ୍ନା କରିବାର ଅଛି ।ଆଉ ଗୋଟିଏ କଥା ,ଗଛ କଥାରୁ ଗୋଟେ କଥା ମନେ ପଡିଲା l ସେ କୁହନ୍ତି ବଣକୁ ଯିବୁ?

ମୁଁ କହେ - ହଁ

ପଣସ ପତର ପାରି ଶୋଇବୁ?

- ହଁ

ବାଘ ଆସିଲେ ଡ଼ରିବୁନି?

- ନା

ସେ ଫୁଙ୍କି ଦିଅନ୍ତି , ମୁଁ ଆଖି ପିଞ୍ଛରା ପକାଏନା କି ଡରେନା l ମୁଁ କୁହେ ସଂସାର ରୂପି ବଣରେ ଦୁଃଖ ରୂପି ବାଘ ତ ନିଶ୍ଚୟଁ ଆସିବ ତାକୁ ଡରିବି କାହିଁକି?

ମୋର ଏଇ କଥାଟି ତାଙ୍କୁ ଭାରି ଭଲ ଲାଗେ, ସାହସ ବି ଦିଏ l ସଂସାର କରି ଦୁଃଖ ଯନ୍ତ୍ରଣା ତ ଆସିବ ତାକୁ ଡରିବ କାହିଁକି! ନ ଡରିଲେ ବାଘ ପରି ବାଟ ଭାଙ୍ଗି ଚାଲିଯିବ ସେ l ବିବାହ ବାର୍ଷିକରେ ଆମେ କେହି କାହାକୁ କିଛି ଉପହାର ଦେଉନା । ସବୁ ତ ଆମର ,ଦୁଃଖ ଆମର ସୁଖ ବି ଆମର ।କିନ୍ତୁ ହାତ ସହିତ ହାତ ମିଶେଇ ପାଦ ସହ ପାଦ ଯୋଡି ଦେଉ ଆଗାମୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉ । ବହୁତ ଶକ୍ତି ମିଳେ ଏଥିରୁ।

ସତର ରୁ ସତାବନ…ଚାଲିଛି ଯେ ଚାଲିଛି । ଏବେ ପତ୍ର ଝଡାର ବେଳ । ତଥାପି ଥକିନି ଏ ପରା ଜୀବନ ,ସାମ୍ନା କରିବାର ଅଛି ସବୁକୁ । ଅବଶ୍ୟ ଈଶ୍ୱର ମୋତେ ବହୁତ ବଡ ଧକ୍କା ଦେଇଛନ୍ତି। ତଥାପି ଦୁହେଁ ଚାଲିଛୁ ଆଉ ଏମିତି ଚାଲୁଥିବୁ ସବୁପତ୍ର ଝଡିବା ଯାଏଁ ।



Rate this content
Log in

Similar oriya story from Inspirational