ଜୀବନ ଆଉ ପଇସା ର ଖେଳ
ଜୀବନ ଆଉ ପଇସା ର ଖେଳ
ମେଡିକାଲର କରିଡର୍ ରେ ଘଣ୍ଟାରେ ପାଖାପାଖି 3 ଟା ବାଜୁଛି।ବେଡ୍ ନମ୍ବର 7 ରେ ପଡିଛନ୍ତି ବାପା - ରମେଶ ପ୍ରଧାନ, ବୟସ 58 ବର୍ଷ।
ହାତରେ ସେଲାଇନ୍, ନାକରେ ଅକ୍ସିଜେନ୍ ମାସ୍କ। ଆଖି ବନ୍ଦ, ହେଲେ ମୁହଁରେ ଗୋଟେ ଚିନ୍ତା ଜମି ରହିଛି।ସେ ଚିନ୍ତା ମରଣର ନୁହେଁ, ବିଲ୍ ର।
ପାଖରେ ବସିଛି ପୁଅ ସୁମିତ। 22 ବର୍ଷ, ବି.କମ୍ ଦ୍ୱିତୀୟ ବର୍ଷ ପଢୁଛି।ପକେଟ୍ ରେ 430 ଟଙ୍କା। ମୋବାଇଲ୍ ରେ ମେସେଜ୍ ଆସିଛି - "Operation Cost:₹1,20,000. Deposit ₹50,000 for admission."।
ଡାକ୍ତର କହି ଦେଇଛନ୍ତି,"ଆଉ 6 ଘଣ୍ଟା ଭିତରେଅପରେସନ୍ ନ ହେଲେ କିଡନୀ ଫେଲ୍ ହୋଇଯିବ।"ସୁମିତ ମୁଣ୍ଡ ଉଠାଇ କହିପାରୁନି, "ସାର୍, ପଇସା ନାହିଁ।
ଜୀବନ ପଇସାର ଖେଳ ଆରମ୍ଭ ହୁଏ ଯେତେବେଳେ ଜୀବନ ହାରିବାକୁ ବସେ ।
ସୁମିତ ବାହାରକୁ ବାହାରିଲା। ପ୍ରଥମେ ଗଲା ବନ୍ଧୁ ରାଜୁ ପାଖକୁ। "ଭାଇ, 10 ହଜାର ଦେବୁ? ବାପା ହସ୍ପିଟାଲ୍ ରେ।" ରାଜୁ କହିଲା, "ଭାଇ ମୁଁ ବି ସେମିତି। ଘର ଭଡା ଦେଇନି।"
ତା’ପରେ ଗଲା ମାମୁଁ ପାଖକୁ। ମାମୁଁ କହିଲା, "ଜମି ବିକିଦେ। ନହେଲେ କ’ଣ କରିବୁ?"
ସେ ଜମି 10 ବର୍ଷ ତଳେ ବାପା ଗାଁ ରେ କିଣିଥିଲେ। କହୁଥିଲେ, "ସୁମିତ ବଡ ହେଲେ ଏଇଠି ଘର ବନେଇବୁ।"
ଜମି ବିକିବା ମାନେ ଭବିଷ୍ୟତ ବିକିଦେବା।ଶେଷରେ ସୁମିତ ମେଡିକାଲ୍ ଅଫିସ୍ କାଉଣ୍ଟର୍ ଆଗରେ ଛିଡା ହେଲା।
କହିଲା, "ଦିଦି, 5000 ଜମା କରୁଛି। ବାକି କାଲି ଦେବି। ଆଜି ଅପରେସନ୍ ଆରମ୍ଭ କରନ୍ତୁ।"
ଦିଦି କାଗଜ ଫେରେଇ ଦେଲା। "ନିୟମ ନାହିଁ ଭାଇ। 50,000 ନ ହେଲେ ଫାଇଲ୍ ଆଗକୁ ଯିବ ନାହିଁ।"
ନିୟମ !! ଏଇ ଗୋଟେ ଶବ୍ଦ ଆଗରେ ବାପାର ଜୀବନ ଅଟକିଗଲା
ଯେତେବେଳେ ପଇସା ଚୁପ୍, ମଣିଷ କଥା କହେ।
ରାତି 11 ଟା। ବାପାଙ୍କ ଆଖି ଖୋଲିଲା।ସୁମିତ ଦୌଡି ପାଖକୁ ଗଲା।ବାପା କ୍ଷୀଣ ସ୍ୱରେ କହିଲେ, "କେତେ ହେଲା ପୁଅ ?" ସୁମିତ ମିଛ କହିଲା, "ସବୁ ଠିକ୍ ଅଛି ବାପା। ଡାକ୍ତର କହିଲେ କାଲି ଅପରେସନ୍।"
ବାପା ହସିଲେ। ସେ ହସ ଭିତରେ ଥିଲା ବୁଝିବାର କଷ୍ଟ।
"ମୁଁ ଜାଣିଛି ପୁଅ ମୋ ହାତ ଥଣ୍ଡା ହେଉଛି। ପଇସା ନାହିଁ ତ, ନାହିଁ। ମୋ ପାଇଁ ଚିନ୍ତା କରନି। ତୁ ପାଠ ପଢ।"
ସୁମିତ କାନ୍ଦି ପକେଇଲା।
"ବାପା, ତୁମ ପାଇଁ ମୁଁ କିଛି ବି କରିବି।"
ବାପା କହିଲେ, "ନା ପୁଅ ମୁଁ 58 ବର୍ଷ ବଞ୍ଚିଲି। ତୋ ବୟସ ଆଗରେ ପଡିଛି। ମୋତେ ଛାଡିଦେ।"
ସେଇ ଗୋଟେ କଥାରେ ଜୀବନ ଓ ପଇସାର ଖେଳର ସବୁଠୁ ବଡ ସତ ବାହାରିଗଲା ,ଏଇ ଖେଳରେ ଗରିବକୁ ହାରିବା ଛଡା ଅନ୍ୟ ଅପସନ୍ ନାହିଁ।
ଭୋର 4 ଟା। ବେଡ୍ ନମ୍ବର 7 ଖାଲି ହୋଇଗଲା।ସୁମିତ ଏବେ ବି ସେଇ ବେଡ୍ ପାଖରେ ବସିଛି।ହାତରେ ବାପାଙ୍କ ପୁରୁଣା ଘଡି। ଯାହା ବାପା କହୁଥିଲେ, "ଏଇଟା ବିକିବୁ ନାହିଁ। ମୁଁ ନ ଥିଲେ ଏଇଟା ତୋ ସହ କଥା ହେବ।"
ବାହାରେ ସୂର୍ଯ୍ୟ ଉଠୁଛି,ମେଡିକାଲ୍ ବିଲ୍ ବଢୁଛି।ଆଉ ଜଣେ ବାପା ଆଉ ଜଣେ ପୁଅ ସେଇ କାଉଣ୍ଟର୍ ଆଗରେ ଛିଡା ହେଉଛନ୍ତି ।
ଖେଳ ଚାଲିଛି ,କାରଣ ଏଇ ଦୁନିଆରେ ପଇସା ନ ଥିଲେ ଜୀବନର ମୂଲ୍ୟ ମଧ୍ୟ ବିଲ୍ ରେ ଲେଖା ହୋଇଯାଏ।
