ଅଧା କାହାଣୀ ବହିରେ ଅଧା
ଅଧା କାହାଣୀ ବହିରେ ଅଧା
ପୁରୁଣା କଟକ ସହର ଛକରେ ଥିଲା ଗୋଟେ ଛୋଟ ବହି ଦୋକାନ “ମହାନ୍ତି ପୁସ୍ତକାଳୟ”। ଦୋକାନ ବାଲା ବୃଦ୍ଧ ମହାନ୍ତି ବାବୁ କହୁଥିଲେ, “ଏଠି ବହି କିଣିବା ନୁହେଁ, ବହି ତୁମକୁ କିଣିନିଏ। ଯଦି ତୁମେମାନେ କିଣି ନ ପାରୁଛ ଖାଲି ଆସି ପଢ ।”
ସବୁଦିନ ସେଇଠି ଆସି ପଢ଼ୁଥିଲା ଦଶମ ଶ୍ରେଣୀର ଛାତ୍ରୀ ଅନୁଷ୍କା। ସେ ପ୍ରତି ଦିନ ସ୍କୁଲ୍ ଛୁଟି ପରେ ଆସି ଗୋଟେ କୋଣରେ ବସି ବହି ପଢ଼େ। ଟଙ୍କା ନଥିଲା କିଣିବାକୁ, କିନ୍ତୁ ମହାନ୍ତି ବାବୁ କେବେ ମନା କରିନଥିଲେ।
ଗୋଟେ ଦିନ ସେ ଧୂଳି ଜମିଥିବା ଏକ ପୁରୁଣା ବହି ହାତରେ ଉଠାଇଲା। ବହି ନାଁ “ଆଲୋକର ଖୋଜ”। ପ୍ରଥମ ପୃଷ୍ଠା ଖୋଲିଲା ବେଳେ ଭିତରେ କେବଳ ଅଧା କାହାଣୀ ଥିଲା।
କାହାଣୀଟା ଏମିତି ଥିଲା –
“ଗୋଟେ ଗାଁରେ ଗୋଟେ ପିଲା ଥିଲା, ନାଁ ତାର ରାଜୁ। ସେ ବହୁତ ଗରିବ ଥିଲା, କିନ୍ତୁ ସପନ ତାର ବଡ଼ ଥିଲା ଡାକ୍ତର ହେବ। ଦିନେ ଗାଁକୁ ମହାମାରୀ ଆସିଲା ଲୋକ ମରୁଥିଲେ। ରାଜୁ ଦେଖିଲା, ତା’ ପାଖରେ ଔଷଧ ନାହିଁ, ଜ୍ଞାନ ନାହିଁ… କିନ୍ତୁ ସେ ହାରିଲା ନାହିଁ। ସେ ପାଖ ସହରକୁ ଚାଲିଲା…”
ବାସ୍ ଏତିକି ପଢ଼ି ପୃଷ୍ଠା ସରିଗଲା। ଆଗକୁ କ’ଣ ହେଲା, ଜଣାନାହିଁ। ପୃଷ୍ଠା ଛିଣ୍ଡି ଯାଇଥିଲା।
ଅନୁଷ୍କା ମହାନ୍ତି ବାବୁଙ୍କୁ ପଚାରିଲା, “ମଉସା, ଏହା ଶେଷ କାହିଁକି ନାହିଁ ?”
ମହାନ୍ତି ବାବୁ ହସି କହିଲେ, “କାରଣ ଏଇ କାହାଣୀର ଅଧା ବହିରେ ଅଛି, ଆଉ ଅଧା ତୁମ ଜୀବନରେ। କିଛି କାହାଣୀ ଶେଷ ହେବା ପାଇଁ ଲେଖକକୁ ଦରକାର ନଥାଏ, ପାଠକକୁ ଦରକାର ହୁଏ।”
ଅନୁଷ୍କା କଥାଟା ବୁଝିପାରିଲା ନାହିଁ। ସେ ପ୍ରତି ଦିନ ସେଇ ଅଧା କାହାଣୀଟା ପଢ଼େ, ଆଉ ଭାବେ ରାଜୁ କ’ଣ କଲା? ସେ ଡାକ୍ତର ହେଲା କି ନାହିଁ? ଗାଁ ବଞ୍ଚିଲା କି ନାହିଁ?ଅଧା କାହାଣୀ ବହିରେ ଅଧା ରହିଗଲା ।
ମାସେ ପରେ ଗାଁରେ ଡେଙ୍ଗୁ ହେଲା। ଅନୁଷ୍କାର ସାନ ଭାଇ ଜ୍ୱରରେ ପଡ଼ିଲା। ଡାକ୍ତରଖାନା ଦୂର, ରାତି ହୋଇଗଲା। ଘରେ କେହି ନଥିଲେ।
ଠିକ୍ ସେତେବେଳେ ଅନୁଷ୍କାକୁ ମନେ ପଡ଼ିଲା ରାଜୁର କଥା। ରାଜୁ ଯଦି ହାରିନଥିଲା, ତେବେ ମୁଁ କାହିଁକି ହାରିବି?ଏହି ଭାବନା ନେଇ ସେ ପଡ଼ୋଶୀ ଘରୁ ସାଇକେଲ୍ ନେଇ ରାତି 12ଟାରେ ଡାକ୍ତରଖାନା ଦୌଡ଼ିଲା। ଡାକ୍ତରଙ୍କୁ ଡାକି ଆଣିଲା, ଆଉ ଭାଇ ବଞ୍ଚିଗଲା।
ପରଦିନ ସେ ପୁଣି ଦୋକାନକୁ ଗଲା। ହାତରେ ସେଇ ପୁରୁଣା ବହି ,ଆଖିରେ କିନ୍ତୁ ନୂଆ ଚମକ।
“ମଉସା, ମୁଁ ଜାଣିଗଲି ରାଜୁ କ’ଣ କଲା। ସେ ଡରିଲା ନାହିଁ। ସେ ବାହାରକୁ ଗଲା, ସାହାଯ୍ୟ ମାଗିଲା, ଲଢ଼େଇ କଲା। ମୁଁ ବି ସେମିତି କଲି, ମୋ ଭାଇ ବଞ୍ଚିଗଲା।”
ମହାନ୍ତି ବାବୁ ବହିଟା ହାତରେ ନେଇ ଶେଷ ପୃଷ୍ଠା ଦେଖାଇଲେ। ସେଠି ପୂର୍ବରୁ କିଛି ଲେଖା ନଥିଲା। ଏବେ ଗୋଟେ ଧଳା ପୃଷ୍ଠାରେ ଅନୁଷ୍କାର ନାଁରେ ଲେଖା ହୋଇଥିଲା,“ରାଜୁ ଡାକ୍ତର ହେଲା। କିନ୍ତୁ ସବୁଠୁ ବଡ଼ କଥା ହେଲା, ରାଜୁ ଭଳି ହଜାର ପିଲା ତା’ ପରେ ଉଠି ଛିଡା ହେଲେ। କାରଣ ଗୋଟେ ପିଲା ହାରିନଥିଲା।”
ଅନୁଷ୍କା ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଏଇଟା କେବେ ଲେଖା ହେଲା?” ମୁଁ ପଢିଲା ବେଳେ ତ ନଥିଲା ?
ବାବୁ କହିଲେ, “ଯେବେ ତୁ ନିଜ ଜୀବନରେ କାହାଣୀଟାକୁ ଶେଷ କଲୁ। ବହି କେବଳ କାଗଜ ନୁହେଁ ଅନୁଷ୍କା। ବହି ହେଉଛି ଆଇନା। ତୁ ଯାହା କରିବୁ, ତାହା ବହିରେ ଲେଖା ହୋଇଯିବ।”ଯେମିତି ଆମେ ଜନ୍ମ ନେଉଛେ ଆଉ ଆମ ଜୀବନର ପ୍ରଥମ ପୃଷ୍ଠା ଓ ଶେଷ ପୃଷ୍ଠା ଆଗରୁ ଲେଖା ସରିଛି କିନ୍ତୁ ମଝି ପୃଷ୍ଠାକୁ ଆମକୁ ଲେଖିବା ପାଇଁ ପଡେ।
ସେଦିନ ଠାରୁ ଅନୁଷ୍କା ବୁଝିଗଲା, ଜୀବନ ବି ଗୋଟେ ଅଧା କାହାଣୀ। ବହି ଆମକୁ ରାସ୍ତା ଦେଖାଏ, କିନ୍ତୁ ଚାଲିବାକୁ ଆମକୁ ପଡ଼ିବ। ଯଦି ତୁ ଚୁପ୍ ରହିବୁ, କାହାଣୀ ସେଠି ଅଟକି ଯିବ। ଯଦି ତୁ ଉଠି ପଡ଼ିବୁ, କାହାଣୀ ଆଗକୁ ବଢ଼ିବ।
ବର୍ଷେ ପରେ ଅନୁଷ୍କା ଡାକ୍ତରୀ ପଢ଼ିବାକୁ ସ୍କଲାରଶିପ୍ ପାଇଲା। ଯିବା ବେଳେ ସେ ମହାନ୍ତି ବାବୁଙ୍କୁ କହିଲା, “ମଉସା, ମୁଁ ଫେରିଲେ ମୋ କାହାଣୀର ଅଧା ତୁମ ବହିରେ ଲେଖିବି।”
ବାବୁ ହସି କହିଲେ, “ଲେଖିବା ଦରକାର ନାହିଁ ଅନୁଷ୍କା।ତୁ ଯେଉଁ ପିଲାଙ୍କୁ ବଞ୍ଚାଇବୁ,ସେମାନେ ହିଁ ତୋ କାହାଣୀର ବାକି ଅଧା ହେବେ ।”
ମମତା ମଞ୍ଜରୀ ଦାସ ,କଟକ ✍️
