ଆକାଶର ଗଭୀରତା
ଆକାଶର ଗଭୀରତା
ପୁରୀ ସମୁଦ୍ର କୂଳ, ରାତି ୨ଟା ଆକାଶରେ ଚନ୍ଦ୍ର ନାହିଁ, କେବଳ ତାରା।ସେଇ ତାରା ଆଲୁଅରେ ବସିଥିଲେ ଦୁଇଜଣ। ଜଣେ ସଞ୍ଜୟ ୨୮ ବର୍ଷ, ଇସ୍ରୋ ର ବୈଜ୍ଞାନିକ ଘର ଭୁବନେଶ୍ୱର। ତା କାମ ଉପଗ୍ରହରୁ ଆସୁଥିବା ମହାକାଶର ଫୋଟୋ ବିଶ୍ଳେଷଣ କରିବା। କିନ୍ତୁ ଛୁଟି ପାଇଲେ ସେ ସିଧା ପୁରୀ ଚାଲିଆସେ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ।
ଆଉ ଜଣେ ସଞ୍ଜିତା ୨୫ ବର୍ଷ ସଂସ୍କୃତର ଗବେଷିକା। ବିଷୟ - "ଗୀତାରେ ମହାକାଶ ତତ୍ତ୍ୱ"। ସେ ପୁରୀରେ ରହି ପୁରୁଣା ତାଳପତ୍ର ପୋଥି ଖୋଜୁଥିଲା।
ଦୁହିଁଙ୍କ ପ୍ରଥମ ଦେଖା ହୋଇଥିଲା ସିଂହଦ୍ୱାର ପାଖରେ। ସଞ୍ଜୟ ଗୀତା ପଢୁଥିଲା ସଞ୍ଜିତା ପାଖେଇ ଆସି କହିଲା, "ଏଇ ଶ୍ଳୋକ ଟାର ଅର୍ଥ ଭୁଲ୍ ଅଛି ସାର୍। 'ଯୋ ମାଂ ପଶ୍ୟତି ସର୍ବତ୍ର' ର ମତଲବ ହେଲା ମହାକାଶର ପ୍ରତି କଣରେ ଭଗବାନ ଅଛନ୍ତି।"
ସଞ୍ଜୟ ଆଖି ଉଠେଇ ଚାହିଁଲା। ସେ ମହାକାଶ ଦେଖି ଥକିଯାଇଥିଲା, କିନ୍ତୁ ଗୀତାରେ ମହାକାଶ ଖୋଜିନଥିଲା।
ସେଦିନ ଠାରୁ ଆରମ୍ଭ ହେଲା ସେମାନଙ୍କର "ଆକାଶ ସାଧନା"।
ସଞ୍ଜୟ ସଞ୍ଜିତାକୁ ଟେଲିସ୍କୋପ୍ ଦେଖାଉଥିଲା। ଦେଖ, ଏଇଟା ଆଣ୍ଡ୍ରୋମେଡା ଗ୍ୟାଲାକ୍ସି। ୨୫ ଲକ୍ଷ ଆଲୁଅ ବର୍ଷ ଦୂର।
ସଞ୍ଜିତା ସଞ୍ଜୟକୁ ଗୀତା ଶୁଣାଉଥିଲା। ଆଉ ଏଇଟା ଗୀତାର 8ମ ଅଧ୍ୟାୟ। 'ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟଃ'। ସେ ସମସ୍ତଙ୍କ ହୃଦୟରେ ଅଛନ୍ତି। ତେଣୁ ମହାକାଶରେ ବି ଅଛନ୍ତି।
ଦୁହେଁ ହସୁଥିଲେ ତର୍କ କରୁଥିଲେ ଆଉ ତର୍କ ଭିତରେ ବି ସେମାନଙ୍କ ର ପ୍ରେମ ରେ ମହାକାଶ ର ଗଭୀରତା ଥିଲା । ସେମାନେ ଧୀରେ ଧୀରେ ପ୍ରେମରେ ପଡୁଥିଲେ କିନ୍ତୁ କେହି କହୁନଥିଲେ। କାରଣ ସଞ୍ଜୟ ଭାବୁଥିଲା - "ମୁଁ ବୈଜ୍ଞାନିକ, ସେ ଭକ୍ତ। ଆମ ଭିତରେ ମେଳ ହେବ କି?"
ସଞ୍ଜିତା ଭାବୁଥିଲା -"ସେ ଆକାଶ ଦେଖେ, ମୁଁ ମନ୍ଦିର। ଆମେ କେମିତି ଏକ ହେବା?"
ଗୋଟେ ଦିନ ରାତିରେ ବଡ ଘଟଣା ଘଟିଲା। ସଞ୍ଜୟର ଇସ୍ରୋ ରୁ ଫୋନ୍ ଆସିଲା। "ସଞ୍ଜୟ, ଜରୁରୀ, ଗୋଟେ ଉଲ୍କାପିଣ୍ଡ ପୃଥିବୀ ଆଡକୁ ଆସୁଛି। ତୁମକୁ ଏବେ ବେଙ୍ଗାଲୁରୁ ଆସିବାକୁ ପଡିବ।"
ସଞ୍ଜୟ ସଞ୍ଜିତା କୁ କହିଲା ଆଉ ସଞ୍ଜିତା ଚୁପ୍ ହୋଇଗଲା। କାରଣ ସେଦିନ ଥିଲା ତାର ପିଏଚଡି ଭାଇଭା ୫ ବର୍ଷର ପରିଶ୍ରମ।
ସଞ୍ଜ କହିଲା, "ତୁମେ ଯାଅ ଭାଇଭା ଦିଅ। ମୁଁ ଯାଉଛି ମହାକାଶ ବଞ୍ଚେଇବାକୁ।"
ସଞ୍ଜିତା କହିଲା, "ଆଉ ଆମେ? ଆମ ଭିତରେ ଯାହା ଆରମ୍ଭ ହୋଇଛି ତାର କଣ ହେବ?"
ସଞ୍ଜୟ ଆକାଶ ଆଡକୁ ଦେଖାଇ କହିଲା, "ମହାକାଶ କୁ ଦେଖ ସଞ୍ଜିତା କେତେ ବଡ। ଗୀତା କହେ - 'କର୍ମଣ୍ୟେବାଧିକାରସ୍ତେ'। ମୋର କର୍ମ ଏବେ ଡାକୁଛି। ଆଉ ଯଦି ଆମ ଭିତରେ ସତରେ କିଛି ଅଛି, ତେବେ ସେ ମହାକାଶ ପରି ଅନନ୍ତ। ଦୂରତା ତାକୁ ମାରି ପାରିବ ନାହିଁ।"
ସେ ଚାଲିଗଲା ୩ ମାସ ପରେ ଫେରିଲା। ଉଲ୍କାପିଣ୍ଡ ଟାଳିଦେଲା ଆଉ ନାୟକ ହୋଇଗଲା। କିନ୍ତୁ ପୁରୀ ଆସି ଶୁଣିଲା ସଞ୍ଜିତା ତା ଭାଇଭା ପାସ୍ କରି ଦିଲ୍ଲୀ ଚାଲିଗଲା ଗବେଷଣା ପାଇଁ।
ସଞ୍ଜୟ ଭାଙ୍ଗି ପଡିଲା, ପ୍ରତି ରାତିରେ ସମୁଦ୍ର କୂଳରେ ବସି ଆକାଶ ଦେଖେ। ଆଉ ଭାବେ - ମହାକାଶ ଗଭୀର ଏତେ ବଡ କି ସବୁ ସହିଯାଏ, କିନ୍ତୁ ମୋ ଛାତି କାହିଁକି ସହୁନି ?
ଗୋଟେ ବର୍ଷ ପରେ ଜଗନ୍ନାଥଙ୍କ ସ୍ନାନଯାତ୍ରା। ପ୍ରବଳ ଭିଡ ସଞ୍ଜୟ ଲାଇନ୍ ରେ ଠିଆ ହୋଇଥିଲା। ହଠାତ୍ ପଛରୁ ସ୍ୱର "ତୁମେ ଗୀତାର ଅର୍ଥ ବୁଝିପାରିଲ କି ନାହିଁ?"
ସଞ୍ଜୟ ପଛକୁ ଫେରି ଦେଖିଲା। ସଞ୍ଜିତା ହାତରେ ଗୋଟେ ପୁରୁଣା ଗୀତା ଧରି ଛିଡା ହୋଇଛି ।
"ତୁମେ ଏଠି?" ସଞ୍ଜୟ ର କଣ୍ଠ ଥରିଲା।
"ହଁ" ସଞ୍ଜିତା କହିଲା, "ମୋ ଗବେଷଣାର ଟପିକ୍ ଥିଲା - 'ଜଗନ୍ନାଥ ସଂସ୍କୃତିରେ ମହାକାଶର ଗଭୀରତା ର ତତ୍ତ୍ୱ', ତେଣୁ ଆସିଲି ଆଉ ତୁମକୁ ଖୋଜିଲି।"
ଦୁହେଁ ମନ୍ଦିର ପରିକ୍ରମା କଲେ ଚୁପ୍ ଚାପ୍ । ଶେଷରେ ନୀଳଚକ୍ର ତଳେ ବସିଲେ।
ସଞ୍ଜିତା ଗୀତା ଖୋଲି ପଢିଲା -"ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ। ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍।"
"ଅର୍ଥ ଜାଣିଛ ସଞ୍ଜୟ ?" ସେ ପଚାରିଲା, "ଯିଏ ଅନନ୍ୟ ମନରେ ମତେ ଚିନ୍ତା କରେ, ତାର ଯୋଗ ଆଉ କ୍ଷେମ ମୁଁ ନିଜେ ବହନ କରେ।"
ସଞ୍ଜୟ ଚୁପ୍ ରହିଲା…
ସଞ୍ଜିତା କହିଲା, "ଆମେ ଦୁହେଁ ଅଲଗା ଥିଲୁନିଶ୍ଚୟଁ, ତୁମେ ତୁମ କର୍ମରେ, ମୁଁ ମୋ କର୍ମରେ। ତେଣୁ ମହାପ୍ରଭୁ ଆମକୁ ପୁଣି ମିଳେଇଦେଲେ।"
ସଞ୍ଜୟ ତା ଆଡକୁ ଚାହିଁଲା। "ମୁଁ ମହାକାଶ ଦେଖି ଦେଖି ଥକିଗଲି ସଞ୍ଜିତା, କିନ୍ତୁ ତୁମ ଆଖିରେ ଯେଉଁ ଗଭୀରତା ଦେଖିଲି, ସେଇଟା ମହାକାଶ ଗଭୀରତା ଠୁ ବି ବଡ।"
ସଞ୍ଜିତା ହସିଲାଆଉ କହିଲା "ଆଉ ମୁଁ ଗୀତା ପଢି ପଢି ବୁଝିଲି, ସବୁଠୁ ବଡ ବିଜ୍ଞାନ ହେଲା ପ୍ରେମ। କାରଣ ପ୍ରେମ ହିଁ ଗୋଟେ ମାତ୍ର ଶକ୍ତି ଯାହା ଦୁଇଟା ଦୂର ଗ୍ରହକୁ ଟାଣି ଆଣେ।"
ସେଦିନ ରାତିରେ ସେମାନେ ମନ୍ଦିର ବେଢାରେ ବସିଥିଲେ। ଉପରେ ଅନନ୍ତ ଆକାଶ, ତଳେ ଅନନ୍ତ ସମୁଦ୍ର ମଝିରେ ନୀଳଚକ୍ର।
ସଞ୍ଜିତା କହିଲା, "ଜାଣିଛ? ବୈଜ୍ଞାନିକ ମାନେ କହନ୍ତି ମହାକାଶର ଗଭୀରତା ଏତେ ଯେ ତାର ଶେଷ ନାହିଁ।"
ସଞ୍ଜିତା କହିଲା, "ଆଉ ଭକ୍ତ ମାନେ କୁହନ୍ତି ଜଗନ୍ନାଥଙ୍କ କରୁଣାର ଶେଷ ନାହିଁ, ତେବେ ଆମ ପ୍ରେମର ଶେଷ କେମିତି ହେବ?"
ସଞ୍ଜୟ ତା ହାତ ଧରିଲା ଆଉ କହିଲା "ଗୀତା ଶେଷ ଶ୍ଳୋକ ମନେ ଅଛି? 'ଯତ୍ର ଯୋଗେଶ୍ୱରଃ କୃଷ୍ଣଃ'। ଯେଉଁଠି କୃଷ୍ଣ ଅଛନ୍ତି ସେଇଠି ବିଜୟ । ତେବେ ଆମେ ଯେତେବେଳେ ତାଙ୍କୁ ମନେ ରଖିବା, ଆମ ପ୍ରେମ ବି ବିଜୟୀ ହେବ।"
୬ ମାସ ପରେ ସେମାନଙ୍କ ବାହାଘର ହେଲା। ସ୍ଥାନ ପୁରୀ ମନ୍ଦିର। ସମୟ ସନ୍ଧ୍ୟା ଆରତି ବେଳେ।ପୁରୋହିତ ମନ୍ତ୍ର ପଢୁଥିଲେ ଆଉ ସଞ୍ଜୟ ଆଉ ସଞ୍ଜିତା ନୀଳଚକ୍ର ଆଡକୁ ଚାହୁଁଥିଲେ ଏକ ଲୟରେ।
ଆରତି ପରେ ସଞ୍ଜୟ କହିଲା, "ସଞ୍ଜିତା , ଆଜି ଠାରୁ ଆମ ଘରର ନାଁ ରଖିବା 'ମହାକାଶ କୁଟୀର'। କାରଣ ଆମ ପ୍ରେମ ମହାକାଶ ପରି ବିସ୍ତୃତ, ଗଭୀର ଆଉ ଆଲୋକ ମୟ।"
ସଞ୍ଜିତା ତା କାନ୍ଧରେ ମୁଣ୍ଡ ରଖି କହିଲା, "ଆଉ ଆମ ଜୀବନର କେନ୍ଦ୍ର ରହିବେ ସେ -ଯିଏ ମହାକାଶ ସୃଷ୍ଟି କଲେ। ଆମ ଜଗନ୍ନାଥ।" ଆଉ ଆମ ପ୍ରେମ ହେବ ରାଧା କୃଷ୍ଣ ଙ୍କର ପ୍ରେମ ପରି ପବିତ୍ର ଆଉ ଆକାଶ ପରି ଗଭୀର ।
ଆଜି ବି ପ୍ରତି ପୂର୍ଣିମା ରାତିରେ ସେମାନେ ଛାତ ଉପରେ ଟେଲିସ୍କୋପ୍ ଆଉ ଗୀତା ଖୋଲି ବସନ୍ତି। ପିଲାଙ୍କୁ ଶିଖାନ୍ତି "ପିଲାଏ, ମହାକାଶ ଦେଖିଲେ ନମ୍ର ହୁଅ, ଆଉ ଗୀତା ପଢିଲେ ସାହସୀ ହୁଅ। କାରଣ ଦୁହେଁ ମିଶିଲେ ହିଁ ମଣିଷ ପୂର୍ଣ୍ଣ ହୁଏ।"ମହାକାଶର ଗଭୀରତା ମାନେ ଦୂରତା ନୁହେଁ। ମହାକାଶର ଗଭୀରତା ମାନେ ହେଲା - ପ୍ରେମ, ଭକ୍ତି ଆଉ ଜ୍ଞାନର ସେଇ ଅନନ୍ତ ମିଶ୍ରଣ, ଯାହା ନୀଳଚକ୍ର ତଳେ ଜନ୍ମ ନିଏ।
ମମତା ମଞ୍ଜରୀ ଦାସ, କଟକ ✍️

