STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

ଆରପାରି ଦୁନିଆ କୁ ରାସ୍ତା

ଆରପାରି ଦୁନିଆ କୁ ରାସ୍ତା

4 mins
9

ସହରଠାରୁ ଅଳ୍ପ ଦୂରରେ ଥିବା ଏକ ଛୋଟ ଗାଁ,କମର ପଦା। ଗାଁଟିର ଚାରିପାଖରେ ସବୁଜ ଧାନକ୍ଷେତ, ଦୂରରେ ନୀଳ ପାହାଡ଼ର ଧାଡ଼ି ଏବଂ ମଝିରେ ବହିଯାଇଥିବା ଏକ ଛୋଟ ନଦୀ। ସକାଳେ ନଦୀ କୂଳରୁ ଭାସି ଆସୁଥିବା ଶୀତଳ ପବନ ଗାଁର ପ୍ରତ୍ୟେକ ଘରର ଅଗଣାକୁ ଛୁଇଁଯାଉଥିଲା। ସେହି ଗାଁରେ ରହୁଥିଲା ଦୀନବନ୍ଧୁ।
ନାମଟି ଯେତିକି ମଧୁର, ମଣିଷଟି ସେତିକି କଠୋର।

ଗାଁରେ ତା’ର ଦୁଇଟି ବଡ଼ ଧାନ ଗୋଦାମ, ତିନୋଟି ଦୋକାନ, ବହୁ ଏକର ଜମି ଓ ସହରରେ ଦୁଇଟି ଘର ଥିଲା। ଟଙ୍କାର ଅଭାବ ତା’ ଜୀବନରେ କେବେ ଦେଖାଦେଇନଥିଲା। କିନ୍ତୁ ତା’ର ମନରେ ଥିଲା ଅଭାବ,ମଣିଷ ପାଇଁ ମଣିଷର ମନ।

କେହି ଧାର ମାଗିଲେ ଦୀନବନ୍ଧୁଙ୍କ ମୁହଁ ଗମ୍ଭୀର ହୋଇଯାଉଥିଲା।ରୋକ୍ ଠୋକ୍ ଶୁଣେଇ ଦେଉଥିଲା “ଟଙ୍କା ଗଛରେ ଫଳେ ନାହିଁ। ଯାଅ, ଅନ୍ୟ କାହା ପାଖକୁ ଯାଅ।”

କେହି ଅସୁସ୍ଥ ହୋଇ ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ କୁହେ ,“ମୋର କ’ଣ ଦାୟିତ୍ୱ? ପ୍ରତ୍ୟେକ ଲୋକ ନିଜ ଭାଗ୍ୟ ନିଜେ ନେଇ ଆସିଛି।”

ଗାଁର ଜଣେ ବିଧବା ମାଆ ଦିନେ ନିଜ ପୁଅର ପାଠପଢ଼ା ପାଇଁ କିଛି ଟଙ୍କା ମାଗିଥିଲେ। ଦୀନବନ୍ଧୁ ତାଙ୍କୁ ଖାଲି ହାତରେ ଫେରାଇ ଦେଇ କହିଥିଲେ,“ପୁଅକୁ ପଢ଼ାଇବାର ସ୍ୱପ୍ନ ଦେଖିବା ପୂର୍ବରୁ ପେଟ ପୋଷିବା ଶିଖ।”ସେଦିନ ସେହି ମାଆଙ୍କ ଆଖିରେ ଯେଉଁ ଲୁହ ଆସିଥିଲା, ତାହା ଦୀନବନ୍ଧୁ ଦେଖିଥିଲେ; କିନ୍ତୁ ଅନୁଭବ କରିନଥିଲେ।

ତାଙ୍କ ପାଇଁ ଜୀବନର ଅର୍ଥ ଥିଲା,ଅଧିକରୁ ଅଧିକ ସଞ୍ଚୟ।

ସେ ପ୍ରାୟ କହୁଥିଲେ,“ମଣିଷ ଜନ୍ମ ହୁଏ ଏକା, ମରେ ଏକା। ମଝିରେ ଯେତେ ସମ୍ପର୍କ, ସେସବୁ ଟଙ୍କା ଥିବା ପର୍ଯ୍ୟନ୍ତ।”କିନ୍ତୁ ଜୀବନ କେବେ କାହାର କଥା ଅନୁସାରେ ଚାଲେନାହିଁ।

ଗୋଟିଏ ବର୍ଷାଭିଜା ସନ୍ଧ୍ୟା।ଆକାଶରେ କଳା ମେଘ ଘୋଟି ଆସିଥିଲା। ରାସ୍ତାରେ ଲୋକଙ୍କ ଚଳାଚଳ କମିଯାଇଥିଲା। ଦୀନବନ୍ଧୁ ନିଜ ଗାଡ଼ିରେ ସହରରୁ ଫେରୁଥିଲେ।ହଠାତ୍ ରାସ୍ତା କଡ଼ରେ ସେ ଜଣେ ଯୁବକଙ୍କୁ ପଡ଼ିଥିବାର ଦେଖିଲେ। ଯୁବକଟି ରକ୍ତାକ୍ତ। ନିଶ୍ୱାସ ଅତ୍ୟନ୍ତ ଧୀର।ଦୀନବନ୍ଧୁ ଗାଡ଼ି ଅଟକାଇଲେ।କିଛିକ୍ଷଣ ଚାହିଁ ରହିଲେ।

ମନ ଭିତରୁ ଗୋଟିଏ ସ୍ୱର ଆସିଲା,‘ଚାଲିଯାଅ। ଅନ୍ୟ କାହାର ଝଞ୍ଜଟରେ ପଡ଼ନାହିଁ।’କିନ୍ତୁ ଆଉ ଗୋଟିଏ ଅଜଣା ସ୍ୱର ତାଙ୍କୁ ରୋକିଦେଲା।ସେ ଗାଡ଼ିରୁ ଓହ୍ଲାଇଲେ।ଯୁବକଟିକୁ ଗାଡ଼ିରେ ଉଠାଇ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ।

ଡାକ୍ତର କହିଲେ,“ଆଉ ଦଶ ମିନିଟ୍ ବିଳମ୍ବ ହୋଇଥିଲେ, ଏ ଯୁବକଟି ବଞ୍ଚିପାରିନଥାନ୍ତା।”

ଦୀନବନ୍ଧୁ ନିରବ ରହିଲେ।

“ଆପଣ ତାଙ୍କର କ’ଣ ହୁଅନ୍ତି?”

ଦୀନବନ୍ଧୁ ମୁଣ୍ଡ ହଲାଇ କହିଲେ,“କିଛି ନୁହେଁ।”

ସେ ଅଧିକ ସମୟ ସେଠାରେ ରହିଲେ ନାହିଁ। ନିଜ ଗାଡ଼ିରେ ବସି ଚାଲିଗଲେ।ସେହି ଘଟଣା ତାଙ୍କ ସ୍ମୃତିରୁ ମଧ୍ୟ ଧୀରେ ଧୀରେ ହଜିଗଲା।

କିଛି ବର୍ଷ ପରେ ଦୀନବନ୍ଧୁଙ୍କ ଜୀବନରେ ଏକ ଅନ୍ଧାର ଦିନ ଆସିଲା।ହଠାତ୍ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ।ସହରର ବଡ଼ ଡାକ୍ତରଖାନା। ଦାମୀ ଚିକିତ୍ସା। ଟଙ୍କାର କୌଣସି ଅଭାବ ନଥିଲା।

ଅଭାବ ଥିଲା କେବଳ ଜଣେ ମଣିଷର।ତାଙ୍କ ପାଖରେ ବସିବାକୁ କେହି ନଥିଲେ।ଯେଉଁମାନେ ତାଙ୍କ ସହିତ ବ୍ୟବସାୟ କରୁଥିଲେ, ସେମାନେ ଫୋନରେ ଖବର ନେଇ ଦାୟିତ୍ୱ ସାରିଦେଲେ।

ଗାଁର ଲୋକେ ମଧ୍ୟ ଆସିଲେ ନାହିଁ।କେହି ମନେ ମନେ କହିଲା,“ସାରା ଜୀବନ ଯେଉଁ ଲୋକଟି କାହାର ହୋଇନଥିଲା, ଆଜି ତା’ ପାଖରେ କିଏ ରହିବ?”

ଦୀନବନ୍ଧୁ ସେହି କଥା ଶୁଣିଥିଲେ।ତାଙ୍କ ଆଖିର କୋଣରେ ପ୍ରଥମଥର ପାଇଁ ଅନୁତାପର ଜଳ ଜମିଥିଲା।

ସେ ନିଜ ଘରର ଆଲମାରି, ବ୍ୟାଙ୍କ ଖାତା, ଜମିର କାଗଜ ସବୁ ମନେ ପକାଇଲେ,ସବୁ ଥିଲା।କିନ୍ତୁ ତାଙ୍କ ହାତ ଧରିବାକୁ ଜଣେ ମଣିଷ ନଥିଲା।ସେହି ରାତିରେ ତାଙ୍କ ମନରେ ପ୍ରଥମଥର ଗୋଟିଏ ପ୍ରଶ୍ନ ଜନ୍ମ ନେଲା,“ଏତେ ଟଙ୍କା ନେଇ ମୁଁ କ’ଣ କରିବି ?”

ସେହି ରାତିରେ ହସ୍ପିଟାଲର ଝରକା ବାହାରେ ଚନ୍ଦ୍ର ମେଘ ଭିତରେ ଲୁଚିଥିଲା।ଦୀନବନ୍ଧୁଙ୍କୁ ଲାଗିଲା, ତାଙ୍କ କୋଠରୀର ଦ୍ୱାର ଦେଇ ଜଣେ ବୃଦ୍ଧ ସାଧୁ ପ୍ରବେଶ କଲେ।ଧଳା ବସ୍ତ୍ର, ଶାନ୍ତ ମୁହଁ, ଆଖିରେ ଅଦ୍ଭୁତ ଆଲୋକ।

ସାଧୁ ତାଙ୍କ ପାଖରେ ବସିଲେ ଆଙ କହିଲେ “କ’ଣ ଭାବୁଛୁ?”

ଦୀନବନ୍ଧୁ ଚମକି ଚାହିଁଲେ। “ମୋ ପାଖରେ ସବୁ ଅଛି... କିନ୍ତୁ ଆଜି ଲାଗୁଛି, ମୋର କିଛି ନାହିଁ।”

ସାଧୁ ହସିଲେ।“ତୁ ଯାହାକୁ ସବୁ କହୁଛୁ, ସେସବୁ ଏପାରିର।”

“ଏପାରି?”

“ହଁ। ଆରପାରିକୁ ଯିବାବେଳେ କ’ଣ ନେଇଯିବୁ?”

ଦୀନବନ୍ଧୁ ନିରୁତ୍ତର।

ସାଧୁ ଧୀରେ କହିଲେ,“ତୋର ଜମି ଯିବ ନାହିଁ, ଘର ଯିବ ନାହିଁ, ଟଙ୍କା ଯିବ ନାହିଁ, ସୁନା ଯିବ ନାହିଁ, ସାଙ୍ଗରେ ଯିବ କେବଳ ତୋର କର୍ମ।”

ଦୀନବନ୍ଧୁଙ୍କ ଆଖି ଭିଜିଗଲା। “ମୋ କର୍ମ?”

“ହଁ। ତୋର ଜୀବନର ହିସାବ ତୁ ଟଙ୍କାରେ କରିଛୁ। କିନ୍ତୁ ଆରପାରିର ହିସାବ ହୁଏ ମଣିଷର ଲୁହ ଓ ହସରେ।”

ସାଧୁ କିଛିକ୍ଷଣ ଚୁପ୍ ରହି ପୁଣି କହିଲେ, “ତୁ ଭାଗ୍ୟଶାଳୀ।”

ଦୀନବନ୍ଧୁ ଆଶ୍ଚର୍ଯ୍ୟ ହେଲେ, “ମୁଁ?”

“ହଁ, ତୋର ଖାତାରେ ଅନ୍ତତଃ ଗୋଟିଏ ପୁଣ୍ୟ ଅଛି।”

ଦୀନବନ୍ଧୁ ଭାବିଲେ,“କେଉଁ ପୁଣ୍ୟ?”

ସାଧୁ ତାଙ୍କୁ ସେହି ବର୍ଷାଭିଜା ସନ୍ଧ୍ୟାର କଥା ମନେ ପକାଇଦେଲେ।
ରାସ୍ତା କଡ଼ରେ ପଡ଼ିଥିବା ସେହି ଯୁବକ...ଦୀନବନ୍ଧୁଙ୍କ ଆଖି ବିସ୍ମୟରେ ବଡ଼ ହୋଇଗଲା।

“ସେ ଯୁବକଟି...?”

“ବଞ୍ଚିଗଲା ଆଜି ସେ ଜଣେ ଡାକ୍ତର। ଆଉ ସେ ତୋର ଚିକିତ୍ସାର ଖର୍ଚ୍ଚ ନିଜେ ନେବାକୁ ଆସିଛି।”

ଦୀନବନ୍ଧୁଙ୍କ ଶରୀର କମ୍ପି ଉଠିଲା।ଯେଉଁ ଉପକାର ସେ ଭୁଲିଯାଇଥିଲେ, ସେହି ଉପକାର ଆଜି ତାଙ୍କ ଜୀବନରେ ଫେରିଆସିଥିଲା।

ସାଧୁ ଉଠି ଠିଆ ହେଲେ।

“ଏବେ ମଧ୍ୟ ସମୟ ଅଛି।”

“କେଉଁ ସମୟ?”

“ତୋର ଆରପାରି ଦୁନିଆ କୁ ରାସ୍ତା ତିଆରି କରିବାର ସମୟ।”
ଏତିକି କହି ସାଧୁ ଦ୍ୱାର ଆଡ଼କୁ ଚାଲିଗଲେ।

ଦୀନବନ୍ଧୁ ତାଙ୍କ ପଛେ ପଛେ ଗଲେ,କିନ୍ତୁ କରିଡର ଶୂନ୍ୟ।
କେହି ନାହାନ୍ତି। କିଛିଦିନ ପରେ ଦୀନବନ୍ଧୁ ଧୀରେ ଧୀରେ ସୁସ୍ଥ ହେଲେ।ଘରକୁ ଫେରି ସେ ପ୍ରଥମେ ନିଜ ଗୋଦାମର ଦ୍ୱାର ଖୋଲିଦେଲେ,ଗରିବ ଚାଷୀଙ୍କ ପାଇଁ ଧାନ ବାଣ୍ଟିଲେ।

ଯେଉଁ ବିଧବା ମାଆଙ୍କୁ ବର୍ଷେ ବର୍ଷେ ପୂର୍ବେ ଖାଲି ହାତରେ ଫେରାଇଥିଲେ, ତାଙ୍କ ପୁଅର ପଢ଼ା ଦାୟିତ୍ୱ ନେଲେ।ଗାଁରେ ଏକ ଛୋଟ ଚିକିତ୍ସାଳୟ ଖୋଲିଲେ।ଗରିବ ପିଲାମାନଙ୍କ ପାଇଁ ପାଠାଗାର କଲେ।ଲୋକେ ଆଶ୍ଚର୍ଯ୍ୟ ହେଲେ।

କେହି କେହି ପଚାରିଲା,“ଦୀନବନ୍ଧୁ ବାବୁ, ଏତେ ପରିବର୍ତ୍ତନ ହେଲେ କେମିତି?”

ସେ ହସି କହିଲେ,“ମୁଁ ବହୁତ ଦିନ ପରେ ଜୀବନର ସତ୍ୟ ହିସାବ ଶିଖିଛି।”

“କ’ଣ ସେ ହିସାବ?”

ଦୀନବନ୍ଧୁ ଆକାଶକୁ ଚାହିଁ କହିଲେ,“ମଣିଷ ଯେତେ ଟଙ୍କା ଜମା କରେ, ମୃତ୍ୟୁ ତାହାକୁ ଶୂନ୍ୟ କରିଦିଏ। କିନ୍ତୁ ଯେତେ ଭଲ କାମ କରେ, ଆରପାରି ଦୁନିଆର ରାସ୍ତାରେ ସେତେ ଆଲୋକ ଜଳିଉଠେ।”

ସେଦିନଠାରୁ ଦୀନବନ୍ଧୁ ଆଉ ଟଙ୍କା ଜମା କରିବା ବନ୍ଦ କଲେ ନାହିଁ।କିନ୍ତୁ ଟଙ୍କା ସହିତ ପୁଣ୍ୟ ମଧ୍ୟ ଜମା କରିବା ଆରମ୍ଭ କଲେ।କାରଣ ସେ ବୁଝିଯାଇଥିଲେ,ଆରପାରି ଦୁନିଆକୁ ଯିବା ରାସ୍ତା ମୃତ୍ୟୁ ପରେ ଖୋଜିବାକୁ ପଡ଼େ ନାହିଁ।

ମଣିଷ ନିଜର ପ୍ରତ୍ୟେକ ଭଲ କର୍ମରେ,ଜୀବନ୍ତ ଥିବାବେଳେ,ସେହି ରାସ୍ତାଟିଏ ନିଜ ହାତରେ ତିଆରି କରିଚାଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational