ପାଦଚଲା ରାସ୍ତା
ପାଦଚଲା ରାସ୍ତା
ଜୀବନର କିଛି ରାସ୍ତା ଆମେ ନିଜ ଇଚ୍ଛାରେ ବାଛିନେଉ, ଆଉ କିଛି ରାସ୍ତାରେ ଆମକୁ ପରିସ୍ଥିତି ଟାଣିନିଏ। କେତେକ ରାସ୍ତାରେ ଆମ ସାଥୀ ହୁଅନ୍ତି ନିଜ ଲୋକ, କେତେକ ରାସ୍ତାରେ ଭିଡ଼ ଥାଏ, ତଥାପି ମନ ଭିତରେ ଅଜଣା ଏକାକୀପଣ। ଆଉ କିଛି ରାସ୍ତା ଏମିତି, ଯାହାକୁ ଅତିକ୍ରମ କରିବାକୁ ଲାଗିଯାଏ ପଚିଶ ବର୍ଷ। ଚିହ୍ନା ପାଦଚଲା ରାସ୍ତା ଅଚିହ୍ନା ହୋଇଯାଏ ,କିନ୍ତୁ ସେହି ରାସ୍ତାର ଶେଷରେ ଯଦି ଅପେକ୍ଷା କରିଥାଏ ଗୋଟିଏ ସମ୍ପର୍କ, ତେବେ ଫେରିବା ପାଇଁ ବୟସ କେବେ ବାଧା ହୁଏନି।
ରୂପା ସେଦିନ ସକାଳୁ ଅଜଣା ଏକ ଅସ୍ଥିରତା ଅନୁଭବ କରୁଥିଲା। କାହିଁକି କେଜାଣି ମନଟା ବାରମ୍ବାର ପୁରୁଣା ଦିନକୁ ଫେରିଯାଉଥିଲା। ରୋଷେଇ ଘରେ ଚା’ ବସାଇବା ସମୟରେ ହଠାତ୍ ତା’ର ମନେ ପଡ଼ିଗଲା ବାପାଙ୍କ କଥା।
ପଚିଶ ବର୍ଷ…!!
ଗୋଟିଏ ଝିଅ ପାଇଁ ବାପାଙ୍କୁ ନଦେଖି ରହିବାର ପଚିଶ ବର୍ଷ କେତେ ଲମ୍ବା, ତାହା କେବଳ ସେହି ଝିଅ ହିଁ ଜାଣିଥାଏ।ଛୋଟ ବେଳେ ବାପାଙ୍କ ର ଆଙ୍ଗୁଠି ଧରି ପାଦଚଲା ରାସ୍ତାରେ ସ୍କୁଲ ଯାଉଥିବା ର ସ୍ମୃତି ଠାରୁ ଆରମ୍ଭ କରି ଯୌବନ ରେ ସଂସାର କରିବା ଯାଏ ସବୁକିଛି କେବଳ ସ୍ମୃତି ରେ ଝୁଲୁଥାଏ ଟିକିଏ ଭୁଲ୍ ବୁଝାମଣା ପାଇଁ ।
ବୋଉ ଚାଲିଯିବା ପରେ ରୂପାର ଜୀବନଟା ଯେମିତି ହଠାତ୍ ଶୂନ୍ୟ ହୋଇଯାଇଥିଲା। ବୋଉ ଥିଲା ତା’ର ଛାତି ମଝିରେ ଲୁଚିଥିବା ସେହି ଛୋଟ ଦୁନିଆ। ବୋଉ ଯିବା ପରେ ସେ ଭାବିଥିଲା ବାପା ହିଁ ତା’ର ସବୁକିଛି।
କିନ୍ତୁ ଜୀବନ ସବୁବେଳେ ଆମ ଭାବନା ଅନୁସାରେ ଚାଲେନି।ବାପା ଦ୍ୱିତୀୟ ବିବାହ କଲେ। ନୂଆ ସଂସାର, ନୂଆ ସମ୍ପର୍କ, ନୂଆ ଲୋକ। ଧୀରେ ଧୀରେ ରୂପା ବାପାଙ୍କ ଜୀବନରୁ ଦୂରେଇଗଲା। କେବେ କଥାକଟାକଟି, କେବେ ଅଭିମାନ, କେବେ ପାରିବାରିକ ଅଶାନ୍ତି—ସବୁ ମିଶି ଗୋଟିଏ ଦିନ ବାପା-ଝିଅ ମଝିରେ ଏମିତି ଏକ ଦେବାଲ ଠିଆ ହୋଇଗଲା, ଯାହାକୁ ଦୁହେଁ ଭାଙ୍ଗିବାକୁ ଚାହିଁଥିଲେ, କିନ୍ତୁ କେହି ଆଗକୁ ବଢ଼ିପାରିଲେ ନାହିଁ।
ତା’ପରେ ବିତିଗଲା ଗୋଟିଏ ବର୍ଷ... ଦୁଇ ବର୍ଷ... ଦଶ ବର୍ଷ...
ଶେଷରେ ପଚିଶ ବର୍ଷ…
ଏହି ପଚିଶ ବର୍ଷରେ ରୂପାର ନିଜର ଘର ହୋଇଗଲା। ସ୍ୱାମୀ, ସନ୍ତାନ, ଶାଶୁ-ଶ୍ୱଶୁର—ସବୁ ଥିଲେ। ଶାଶୁମା’ ତାକୁ ଝିଅ ପରି ଭଲ ପାଉଥିଲେ। ତଥାପି ମନର ଗୋଟିଏ କୋଣରେ ବାପାଙ୍କ ପାଇଁ ଏକ ଛୋଟ ଘର ସେ ସବୁଦିନ ଖାଲି ରଖିଥିଲା।
ସେହି ଘରକୁ ସେ କେବେ ତାଲା ଦେଇନଥିଲା…
ସେଦିନ ହଠାତ୍ ଦୁଆରେ ଠକ୍ ଠକ୍ ଶବ୍ଦ ହେଲା।ରୂପା ଦୁଆର ଖୋଲି ଯାହା ଦେଖିଲା, କିଛି ସମୟ ପାଇଁ ତା’ର ଆଖି ବିଶ୍ୱାସ କରିପାରିଲା ନାହିଁ।ଦୁଆର ସାମ୍ନାରେ ତା’ର ବାପା ଠିଆ ହୋଇଥିଲେ।
ବୟସ ତାଙ୍କ ମୁହଁରେ ଅନେକ ରେଖା ଆଙ୍କିଦେଇଥିଲା। ଚୁଟିର କଳା ରଙ୍ଗ ହଜିଯାଇଥିଲା। ହାତରେ ଥିଲା ଗୋଟିଏ ଛୋଟ ବ୍ୟାଗ୍।
ରୂପା କିଛି କହିପାରିଲା ନାହିଁ…
ବାପା ମଧ୍ୟ ନିରବ…
ପଚିଶ ବର୍ଷର ଦୂରତା ଦୁଇ ଜଣଙ୍କ ମଝିରେ ଠିଆ ହୋଇଥିଲା।ଶେଷରେ ବାପା ଧୀରେ କହିଲେ, “ରୂପା... ମୋତେ ଚିହ୍ନିପାରୁନୁ?”
ରୂପା ଆଖିର ଲୁହକୁ ଲୁଚାଇ ହସିଦେଲା,ଆଉ କହିଲା “ବାପାଙ୍କୁ ଝିଅ କେମିତି ଭୁଲିବ?”ସେହି ଗୋଟିଏ ବାକ୍ୟରେ ପଚିଶ ବର୍ଷର ଅଭିମାନ ଯେମିତି ପାଣି ହୋଇ ବୋହିଗଲା।
ଶାଶୁମା’ ବାହାରକୁ ଆସି ବାପାଙ୍କୁ ଦେଖି ଖୁସି ହୋଇଗଲେ। “ଆସନ୍ତୁ ସମୁଦି। ଏତେ ବର୍ଷ ପରେ ଆସିଛନ୍ତି। ଆଜି ମୁଁ ନିଜେ ଆପଣଙ୍କ ପାଇଁ ଚା’ ବନେଇ ଦେବି।”
ରୂପା ହସିଲା। କିନ୍ତୁ ମନ ଭିତରେ କେମିତି ଏକ ଅଜଣା କମ୍ପନ।
ଶାଶୁମା’ ଚା’ ବସାଇ କିଛି କାମରେ ଅନ୍ୟ କୋଠରୀକୁ ଗଲେ।
ରୂପା ଧୀରେ ରୋଷେଇ ଘରକୁ ପଶିଲା।ଚା’ର ବାସ୍ନା ଉଠୁଥିଲା।
ହଠାତ୍ ତା’ ଆଖି ଇଲାଚି ଡବା ଉପରେ ପଡ଼ିଲା।ସେ ଗୋଟିଏ ଇଲାଚି ନେଇ ଚା’ରେ ପକାଇଦେଲା।ତା’ପରେ ଚୁପଚାପ୍ ବାହାରିଆସିଲା।
ଯଦି ଶାଶୁମା’ ଦେଖିଥାନ୍ତେ ହୁଏତ ମନ ଖରାପ କରିଥାନ୍ତେ। ଏତେ ବର୍ଷ ପରେ ଆସିଥିବା ସମୁଦିଙ୍କ ପାଇଁ ନିଜ ହାତରେ ଚା’ ବନେଇବାର ତାଙ୍କ ଇଚ୍ଛାକୁ ରୂପା ଆଘାତ ଦେବାକୁ ଚାହୁଁନଥିଲା।
କିଛି ସମୟ ପରେ ଶାଶୁମା’ ଚା’ ନେଇ ଆସିଲେ।ବାପା କପ୍ଟି ହାତରେ ନେଲେ।ପ୍ରଥମ ଢୋକ ପିଇବା ପରେ ତାଙ୍କ ମୁହଁରେ ହଠାତ୍ ଏକ ଅଦ୍ଭୁତ ଭାବ ଆସିଗଲା।
“ରୂପା...”
“କ’ଣ ବାପା?”
“ଦେଖିଲୁ? ତୋ ଶାଶୁ କେତେ ସୁନ୍ଦର ଇଲାଚି ଚା’ ବନେଇଛନ୍ତି।”
ରୂପା ଚୁପ୍ ରହିଲା।ବାପା ହସି କହିଲେ, “ପଚିଶ ବର୍ଷ ପରେ ଇଲାଚି ଚା’ ପିଉଛି। ଆଜି ତୋ ବୋଉକୁ ବହୁତ ମନେ ପଡ଼ୁଛି। ସେ ବି ଠିକ୍ ଏମିତି ଚା’ ବନାଉଥିଲା।”
ରୂପାର ଆଖି ଭିଜିଗଲା।
ତା’ର ମନେ ପଡ଼ିଗଲା ପିଲାଦିନର ସେହି ଘଟଣା। ଥରେ ବୋଉ ଚା’ରେ ଇଲାଚି ପକାଇବାକୁ ଭୁଲିଯାଇଥିଲା। ବାପା ରାଗରେ କପ୍ଟା ଫିଙ୍ଗିଦେଇଥିଲେ।
ସେଦିନଠାରୁ ରୂପା ମନେ ରଖିଥିଲା—ତା’ ବାପା ଇଲାଚି ଚା’କୁ କେତେ ଭଲ ପାଆନ୍ତି।ପଚିଶ ବର୍ଷ ଧରି ଅନେକ କଥା ଭୁଲିଯାଇଥିଲା ସେ।କିନ୍ତୁ ବାପାଙ୍କ ଚା’ରେ ଇଲାଚି ପକାଇବା କଥାଟି ଭୁଲିନଥିଲା।
ବାପା ତା’ ଆଖିକୁ ଦେଖି କହିଲେ, “ତୋ ଶାଶୁ ମୋ ମନ କଥା କେମିତି ଜାଣିଲେ କହ ତ?”
ରୂପା ମୁହଁ ନମାଇ ଦେଲା।
ସେ କେମିତି କହିବ? କେମିତି କହିବ—“ବାପା, ଏହି ଇଲାଚିଟା ତୁମ ଝିଅ ପକାଇଛି ବୋଲି।”
କେମିତି କହିବ—“ତୁମେ ମୋତେ ପଚିଶ ବର୍ଷ ଦେଖିନଥିଲ, କିନ୍ତୁ ମୁଁ ତୁମକୁ ଭୁଲିନଥିଲି।”
କେମିତି କହିବ—“ବାପା, ତୁମେ ମୋ ଜୀବନରୁ ଦୂରେଇଯାଇଥିଲ, କିନ୍ତୁ ମୋ ସ୍ମୃତିରୁ କେବେ ନୁହେଁ।”
ରୂପା ଲୁହ ପୋଛି ଧୀରେ କହିଲା, “ହଁ ବାପା... ମୋ ଶାଶୁ ବି ଠିକ୍ ମୋ ବୋଉ ପରି।”
ବାପା ତା’ କଥାର ଗଭୀରତା ବୁଝିପାରିଲେ ନାହିଁ।
କିନ୍ତୁ ରୂପା ବୁଝିଥିଲା।କିଛି ସମ୍ପର୍କ ରକ୍ତରେ ନୁହେଁ, ସ୍ମୃତିରେ ବଞ୍ଚିଥାଏ।
ବାପା ହଠାତ୍ ରୂପାର ହାତଟି ଧରିନେଲେ,“ରୂପା... ମୁଁ ବହୁତ ଭୁଲ କରିଛି।”
ରୂପା ମୁଣ୍ଡ ଉଠାଇଲା।
“କିଛି କୁହନି ବାପା।”
ମୁଁ ତୋତେ ବହୁତ ଖୋଜିଛି।
ରୂପା ହସିଲା,ଖୋଜୁଥଗଲ ଯଦି ଆସିଲନି କାହିଁକି ? ତାର ଆଖିରୁ ଅଭିମାନ ର ଲୁହ ଗଡ଼ିପଡ଼ିଲା।
“ମୁଁ ବି ତୁମକୁ ବହୁତ ଖୋଜିଥିଲି ବାପା। କିନ୍ତୁ ରାସ୍ତାଟା ଦୁଇ ପଟୁ ବନ୍ଦ ଥିଲା।”
ବାପାଙ୍କ ଆଖି ଛଳଛଳ କରିଉଠିଲା, ସେ କହିଲେ“ଆଜି ରାସ୍ତାଟା ଖୋଲିଗଲା ରୂପା।”
ରୂପା ତାଙ୍କ ହାତକୁ ନିଜ ଦୁଇ ହାତରେ ଧରିଲା,“ହଁ ବାପା। କିନ୍ତୁ ଏଥର ଆଉ ଏ ପାଦଚଲା ରାସ୍ତାରେ ଏକା ଚାଲିବନି।”
ଝରକା ବାହାରେ ସନ୍ଧ୍ୟା ଓହ୍ଲାଇ ଆସୁଥିଲା।ପଚିଶ ବର୍ଷ ଧରି ଯେଉଁ ରାସ୍ତାଟି କେବଳ ସ୍ମୃତି ଓ ଅପେକ୍ଷାରେ ପଡ଼ିଥିଲା, ସେହି ରାସ୍ତାରେ ଆଜି ପୁଣି ଦୁଇଟି ପାଦଚିହ୍ନ ପାଖାପାଖି ଦେଖାଯାଉଥିଲା।
ଜଣେ ବାପାଙ୍କର…
ଆଉ ଜଣେ ଝିଅର…
ଜୀବନର ପାଦଚଲା ରାସ୍ତାରେ କେତେ ଲୋକ ଆସନ୍ତି, କେତେ ଲୋକ ଚାଲିଯାଆନ୍ତି। କିଛି ସମ୍ପର୍କ ମଝି ରାସ୍ତାରେ ହଜିଯାଏ। କିନ୍ତୁ କିଛି ସମ୍ପର୍କ ହୃଦୟରେ ଏମିତି ଚିହ୍ନ ଛାଡ଼ିଯାଏ, ଯେତେ ଦୂରେ ଚାଲିଗଲେ ବି ଫେରିବା ରାସ୍ତାଟି ମନେ ରହିଯାଏ ।
ବାପା-ଝିଅର ସମ୍ପର୍କ ବି ସେମିତି।
ପଚିଶ ବର୍ଷର ନିରବତା ଗୋଟିଏ ଇଲାଚିର ସୁଗନ୍ଧରେ ଭାଙ୍ଗିଗଲା।କାରଣ କିଛି ପାଦଚଲା ରାସ୍ତାର ଶେଷରେ ଘର ନଥାଏ...ଥାଏ ଗୋଟିଏ ମଣିଷର ହୃଦୟ।ଆଉ ସେହି ହୃଦୟର ଦୁଆର କେବେ ବନ୍ଦ ହୁଏନି ।
