STORYMIRROR

Mamatamanjari Das

Inspirational

5  

Mamatamanjari Das

Inspirational

ଭାଇ ଭାଇ

ଭାଇ ଭାଇ

3 mins
3

ପୁରୀ ବଡ଼ଦାଣ୍ଡ ସେଦିନ ଭକ୍ତଙ୍କ ଭିଡ଼ରେ ଭରି ଯାଇଥିଲା। ଚାରିଆଡ଼େ ଶୁଭୁଥିଲା ଜୟ ଜଗନ୍ନାଥର ଧ୍ୱନି। କେହି ମୁଣ୍ଡରେ ହାତ ରଖି ପ୍ରଭୁଙ୍କୁ ଡାକୁଥିଲା, କେହି ଆଖି ବନ୍ଦ କରି ନିଜ ମନର କଥା କହୁଥିଲା। ସେହି ଭିଡ଼ ଭିତରେ ଜଣେ ବୃଦ୍ଧ ତାଙ୍କ ଛୋଟ ନାତିର ହାତ ଧରି ଧୀରେ ଧୀରେ ଶ୍ରୀମନ୍ଦିର ଆଡ଼କୁ ଆଗେଇ ଯାଉଥିଲେ।

ନାତିଟିର ଆଖି ଥିଲା ଅତ୍ୟନ୍ତ ଉତ୍ସୁକ। ଶ୍ରୀମନ୍ଦିରର ନୀଳଚକ୍ରକୁ ଦେଖି ସେ ବାରମ୍ବାର ପଚାରୁଥିଲା, ଜେଜେ, ଜଗନ୍ନାଥଙ୍କ ପାଖରେ ସେହି ଧଳା ଠାକୁର କିଏ ? ସେ କାହିଁକି ସବୁବେଳେ ତାଙ୍କ ପାଖରେ ରୁହନ୍ତି?

ବୃଦ୍ଧ ହସି କହିଲେ, ସେ ହେଉଛନ୍ତି ଆମର  ବଳଭଦ୍ର ଠାକୁର। ଜଗନ୍ନାଥଙ୍କ ମହାପ୍ରଭୁଙ୍କ ର ବଡ଼ଭାଇ।

ନାତି ପୁଣି ପଚାରିଲା, ଭାଇ ହେଲେ କଣ୍ ଦୁହେଁ ସବୁବେଳେ ଏକାଠି ରହନ୍ତି କି?

ବୃଦ୍ଧଙ୍କ ମୁହଁରେ ହସ ଆସିଗଲା। ସେ କହିଲେ, ଭାଇର ସମ୍ପର୍କ ଏମିତି ହିଁ। କେବେ ଝଗଡ଼ା ହୁଏ, କେବେ ଅଭିମାନ ହୁଏ, କିନ୍ତୁ ହୃଦୟର ଟାଣ କେବେ କମେ ନାହିଁ। ଆମ ଜଗନ୍ନାଥ ଓ ବଳଭଦ୍ର ତାହାର ସବୁଠାରୁ ବଡ଼ ଉଦାହରଣ।

ବୃଦ୍ଧ ନାତିକୁ ନେଇ ମନ୍ଦିର ଭିତରକୁ ଯାଉଥିବା ବେଳେ କହିଲେ, ଦିନେ ମଥୁରାରେ କୃଷ୍ଣ ଥିଲେ, ଆଉ ତାଙ୍କ ସାଙ୍ଗରେ ଥିଲେ ବଡ଼ଭାଇ ବଳରାମ। ବିପଦ ଆସିଲେ ବଳରାମ ଆଗରେ ଛିଡ଼ା ହେଉଥିଲେ, କୃଷ୍ଣଙ୍କ ମୁହଁରେ ହସ ଦେଖିଲେ ତାଙ୍କ ମନ ଖୁସି ହେଉଥିଲା। ଯୁଗ ବଦଳିଲା, ନାମ ବଦଳିଲା, କିନ୍ତୁ ଭାଇପଣ ବଦଳିଲା ନାହିଁ। ଆଜି ମଧ୍ୟ ଜଗନ୍ନାଥଙ୍କ ପାଖରେ ବଳଭଦ୍ର ଅଛନ୍ତି।ଭାତୃ ପ୍ରେମର ନିଦର୍ଶନ ଦେବା ପାଇଁ ।

ନାତି ଆଶ୍ଚର୍ଯ୍ୟ ହୋଇ ଜେଜେଙ୍କ ମୁହଁକୁ ଚାହିଁ ରହିଲା , ଆଉ ମନେ ମନେ ଭାବୁଥିଲା ମୋର ଯଦି ଭାଇଟିଏ ଥାଆନ୍ତା ହୁଏତ ଏବେ ମୋ ସାଥିରେ ହାତ ଧରି ବୁଲୁ ଥାଆନ୍ତା ।

କିନ୍ତୁ ଜେଜେଙ୍କ ମନରେ ସେହି କଥା କହିବା ସମୟରେ ଆଉ ଏକ କାହାଣୀ ବି ଚାଲିଥିଲା।

ତାଙ୍କର ମଧ୍ୟ ଦିନେ ଜଣେ ବଡ଼ଭାଇ ଥିଲେ।ଦୁହେଁ ଛୋଟବେଳେ ଏକାଠି ବଢ଼ିଥିଲେ। ଗୋଟିଏ ଥାଳିରେ ଖାଉଥିଲେ, ଗୋଟିଏ ବିଛଣାରେ ଶୋଉଥିଲେ। ବଡ଼ଭାଇ ନିଜ ଭାଗର ମିଠା ଲୁଚାଇ ରଖି ସାନଭାଇକୁ ଦେଉଥିଲେ। ସାନଭାଇ ଭୁଲ କଲେ ବଡ଼ଭାଇ ମାଆଙ୍କ ଆଗରେ ତାକୁ ବଞ୍ଚାଇ ଦେଉଥିଲେ।

କିନ୍ତୁ ବଡ଼ ହେବା ପରେ ଘର, ଜମି ଓ ସମ୍ପତ୍ତିକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ହେଲା। ଛୋଟ ଏକ କଥା ଧୀରେ ଧୀରେ ବଡ଼ ହୋଇଗଲା। ଯେଉଁ ଭାଇ ଦିନେ ତାଙ୍କ ପାଇଁ ନିଜ ଖାଦ୍ୟ ଛାଡ଼ି ଦେଉଥିଲେ, ସେହି ଭାଇ ସହିତ ଆଜି ବର୍ଷ ବର୍ଷ ଧରି କଥା ହେଉନଥିଲା।

ଅଭିମାନ ଦୁହିଁଙ୍କ ମଧ୍ୟରେ ଏତେ ବଡ଼ କାନ୍ଥ ହୋଇ ଠିଆ ହୋଇଥିଲା ଯେ କେହି ଆଗକୁ ଆସିପାରୁନଥିଲେ।

ସେହି ରାତିରେ ଜେଜେ ଘରକୁ ଫେରି ଶୋଇଥିଲେ। ମନ୍ଦିରରେ ନାତି ପଚାରିଥିବା ପ୍ରଶ୍ନଟି ତାଙ୍କ ମନ ଭିତରେ ବାରମ୍ବାର ଘୁରୁଥିଲା—ଭାଇ ହେଲେ ଦୁହେଁ ସବୁବେଳେ ଏକାଠି ରହନ୍ତି କି?

ସେହି ରାତିରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ।ସେ ଶ୍ରୀମନ୍ଦିର ସାମ୍ନାରେ ଠିଆ ହୋଇଛନ୍ତି। ଚାରିଆଡ଼େ ଅନ୍ଧାର। ହଠାତ୍ ମନ୍ଦିର ଭିତରୁ ଏକ ନୀଳ ଆଲୋକ ବାହାରିଲା। ସେହି ଆଲୋକ ମଧ୍ୟରେ ଜଗନ୍ନାଥ ଦେଖାଦେଲେ।

ସେ କିଛି କହିଲେ ନାହିଁ। କେବଳ ହାତ ବଢ଼ାଇଲେ।ବୃଦ୍ଧ ହାତ ଯୋଡ଼ି କହିଲେ, ପ୍ରଭୁ, ମୁଁ କଣ କରିବି?ଜଗନ୍ନାଥଙ୍କ ମୁହଁରେ ମୃଦୁ ହସ ଥିଲା।

ତାଙ୍କ ମନ ଭିତରେ ଏକ ସ୍ୱର ଶୁଭିଲା—ଯେଉଁ ହାତ ଦିନେ ତୋତେ ଧରି ଚାଲିବା ଶିଖାଇଥିଲା, ଆଜି ସେହି ହାତ ଧରିବାରେ ତୋର ଅଭିମାନ କାହିଁକି? ନଇଁ ପଡିଲେ ଲହରୀ ଚାଲିଯାଏ , ସେ ପରା ତୋ ବଡଭାଇ ।

ବୃଦ୍ଧଙ୍କ ଆଖିରୁ ଲୁହ ଝରିପଡ଼ିଲା।ପରଦିନ ସକାଳୁ ସେ ଆଉ କିଛି ଭାବିଲେ ନାହିଁ। ସିଧା ବଡ଼ଭାଇଙ୍କ ଘରକୁ ଚାଲିଗଲେ।

ଦୁଆର ପାଖରେ ଠିଆ ହୋଇ ତାଙ୍କ ହୃଦୟ ଜୋରରେ ଧଡ଼ଧଡ଼ କରୁଥିଲା। ଅନେକ ବର୍ଷ ପରେ ଆଜି ସେ ନିଜ ଭାଇଙ୍କ ସାମ୍ନାରେ ଠିଆ ହୋଇଥିଲେ।

ଦୁଆର ଖୋଲିଲା,ବଡ଼ଭାଇ ତାଙ୍କୁ ଦେଖି କିଛି କହିପାରିଲେ ନାହିଁ।
ଦୁଇଜଣଙ୍କ ଆଖି ଆଖିରେ ମିଶିଗଲା।କିଛି ସମୟର ନିରବତା ପରେ ସାନଭାଇ ଧୀରେ କହିଲେ, ଭାଇ, ମୋତେ କ୍ଷମା କରିଦିଅ।

ଏତିକି ଶୁଣି ବଡ଼ଭାଇଙ୍କ ଆଖି ଲୁହରେ ଭରିଗଲା।ସେ ଆଉ କିଛି କହିଲେ ନାହିଁ। କେବଳ ଆଗକୁ ଆସି ନିଜ ସାନଭାଇକୁ ଛାତିରେ ଜାବୁଡ଼ି ଧରିଲେ।

ବର୍ଷ ବର୍ଷର ଅଭିମାନ ସେହି ଗୋଟିଏ ଆଲିଙ୍ଗନରେ ତରଳିଗଲା।
ଦୁଇ ଭାଇ ପିଲାଙ୍କ ପରି କାନ୍ଦୁଥିଲେ।ସେହି ଦିନ ଦୁହେଁ ଶ୍ରୀମନ୍ଦିରକୁ ଗଲେ। ଜଗନ୍ନାଥଙ୍କ ସାମ୍ନାରେ ଦୁଇ ଭାଇ ଏକାଠି ମୁଣ୍ଡ ନୁଆଇଲେ।

ସାନଭାଇ ଧୀରେ କହିଲେ, ପ୍ରଭୁ, ଆଜି ବୁଝିଲି—ତୁମ ପାଖରେ ଭକ୍ତି ମାଗିବା ପୂର୍ବରୁ ନିଜ ଭାଇକୁ କ୍ଷମା କରିବା ଦରକାର।

ବଡ଼ଭାଇ ତାଙ୍କ ହାତ ଧରି କହିଲେ, ଆଉ ମୁଁ ବୁଝିଲି—ଭାଇ ଭାଇ ମଧ୍ୟରେ କିଏ ଜିତିଲା, କିଏ ହାରିଲା, ତାହାର ମୂଲ୍ୟ ନାହିଁ। ଦୁହେଁ ଏକାଠି ରହିବାଟା ହିଁ ସବୁଠାରୁ ବଡ଼ ଜିତ।

ମନ୍ଦିର ବାହାରେ ସେହି ସମୟରେ ରଥର ଚକ ଦେଖାଯାଉଥିଲା।
ଜଗନ୍ନାଥ ଏକା ରଥରେ ଚଢ଼ନ୍ତି ନାହିଁ।ତାଙ୍କ ସହିତ ଥାଆନ୍ତି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା।

ଯେପରି ପ୍ରଭୁ ନିଜେ ସାରା ଦୁନିଆକୁ କହୁଛନ୍ତି—ସମ୍ପତ୍ତି ଭାଗ କରିହେବ, ଘର ଭାଗ କରିହେବ, କିନ୍ତୁ ହୃଦୟକୁ ଭାଗ କରନି।
ଭାଇର ହାତ ଛାଡ଼ନି।

କାରଣ ମାଆ ହରାଇଲେ ମାଆର ସ୍ନେହ ମନେ ପଡ଼େ, ବାପା ହରାଇଲେ ବାପାଙ୍କ ଛାୟା ମନେ ପଡ଼େ; କିନ୍ତୁ ଭାଇ ଥିଲେ ଶୈଶବଟା ଜୀବନ୍ତ ରହିଥାଏ।

ଆଉ ଯେଉଁ ଘରେ ଭାଇ ଭାଇର ହାତ ଧରି ଚାଲନ୍ତି, ସେହି ଘର ହିଁ ଜଗନ୍ନାଥଙ୍କ ଘର।

ଜୟ ଜଗନ୍ନାଥ।
ଜୟ ବଳଭଦ୍ର।  🙏



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational