Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Binay Mohapatra

Inspirational

2.0  

Binay Mohapatra

Inspirational

ଧର୍ମ

ଧର୍ମ

5 mins
326


କାର୍ତ୍ତକ ମାସର ଏମିତି ଗୋଟିଏ ସୋମବାର ଥାଏ ସେଦିନ । କାର୍ତ୍ତିକ ମାସଟା ଧର୍ମର ମାସ ବୋଲି ମାସ ସାରା ସମସ୍ତେ ଖୁବ୍ ଧାର୍ମିକ ହୋଇ ଯାଆନ୍ତି । ସକାଳୁ ସକାଳୁ ଗାଧୁଆ ପାଧୁଆ ହୋଇଯାଏ, ଠାକୁରଙ୍କ ପାଖରେ ଧୂପଦୀପ ଜାଳି ପୂଜାପାଠ ହୁଏ । କହନ୍ତି ବଗ ବି ଏଇ ମାସରେ ମାଛ ଖାଇବା ଛାଡିଦେଇଥାଏ, ତେଣୁ ଘରେ ଆମିଷର ପ୍ରବେଶ ନିଷେଧ । ପିଆଜ ରସୁଣ ଖାଇବା ବି ମନା । ମାସ ସାରା ମନ୍ଦିର ମାନଙ୍କରେ ଭାରି ଭିଡହୁଏ । ତଥାପି ସେଦିନ ଆଦିଆ ତାର ବାପା ମାଆଙ୍କ ସାଥିରେ ମନ୍ଦିର ଯାଇଥାଏ, ମନ୍ଦିରରେ ବହୁତ ଲୋକ ଜମା ହୋଇଥାଆନ୍ତି । ବାପାଙ୍କ ହାତଧରି ବଡ ଖୁସିରେ ଆଦିଆ ରାସ୍ତା ସାରା ଡେଇଁ ଡେଇଁ ଚାଲିଥାଏ । ରାସ୍ତାରେ ଆଦିଆର ମାଆ ତା ବାପାଙ୍କୁ କହିଲେ, ଶୁଣୁଚ ଆଦିଆବାପା, ଆଜି ସୋମବାର, ମନ୍ଦିରରେ ବହୁତ ଭିଡ ହୋଇଥିବ, ଆଦିଆର ହାତ ଜମାରୁ ଛାଡିବନି, ନହେଲେ ସେ ଏ ଭିଡରେ କେଉଁଠି ହଜିଯିବ । ବାପା ଟିକିଏ ହସିଦେଇ କହିଲେ ଆରେ ଡରୁଛ କାହିଁକି ? ଜମ୍ମା ବ୍ୟସ୍ତ ହୁଅନି, ମୁଁ ଆଦିଆର ହାତଧରି ଚାଲୁଛି, ବେଶି ଭିଡଭାଡ୍ ହୋଇଗଲେ ମୁଁ ତାକୁ ମୋ କାନ୍ଧରେ ବସେଇନେବି । ଏମିତି କଥା ହେଉ ହେଉ ସେମାନେ ଯାଇ ମନ୍ଦିର ପାଖରେ ପହଞ୍ଚି ଗଲେ, ସେଠାରେ ପହଞ୍ଚି ଆଦିଆକୁ ତାର ବାପା କହିଲେ, ଆରେ ଆଦିଆ, ଏଇ ଦେଖ ମନ୍ଦିର ଆସିଗଲା, ଏଇଠି ଭଗବାନ ରହନ୍ତି, ଏଇଟା ହେଉଛି ମନ୍ଦିର, ଭଗବାନଙ୍କର ଘର, ବୁଝିଲୁ ! ଏଇଠି ହାତଯୋଡି ମୁଣ୍ଡିଆ ମାର, ଧର୍ମ ହେବ । ଆଦିଆ ମନ୍ଦିର ଆଡକୁ ମୁହଁକରି ଦୁଇହାତ ଯୋଡି ମୁଣ୍ଡିଆଟିଏ ମାରିଲା ।


ସେମାନେ ମନ୍ଦିର ଭିତରକୁ ଗଲେ, ମନ୍ଦିରରେ ବହୁତ ଭିଡ, ଲାଇନ ଲଗାଇ ଲୋକେ ଠିଆ ହୋଇଛନ୍ତି । ଆଦିଆର ମାଆ ବାପା ବି ଲାଇନରେ ଠିଆ ହୋଇଗଲେ । ବହୁତ ସମୟ ପରେ ମନ୍ଦିର ଭିତରକୁ ଭିତରକୁ ଯିବାପାଇଁ ତାଙ୍କର ପାଳି ଆସିଲା । ମନ୍ଦିର ଭିତରେ ବି ବହୁତ ଭିଡଥାଏ । ବାପା ଆଦିଆ ହାତରେ କିଛି ପଇସା ଦେଇ କହିଲେ, ନେ ଏଇ ପଇସା ମନ୍ଦିର ହୁଣ୍ଡିରେ ପକେଇ ଦେ, ଧର୍ମ ହେବ ।


ମନ୍ଦିର ଭିତରେ ପଣ୍ଡାମାନେ ଚିତା ଚଇତନ କାଟି ଠାକୁରଙ୍କ ଆଗରେ ଠିଆ ହୋଇଥାନ୍ତି । ଭକ୍ତମାନଙ୍କ ହାତରୁ ଭୋଗନେଇ ଠାକୁରଙ୍କୁ ଦେଉଥାନ୍ତି । ଦକ୍ଷିଣା ନେଉଥାନ୍ତି । ଭଗବାନଙ୍କର ସୁନ୍ଦର ସୁନ୍ଦର ମୁର୍ତ୍ତି, ଫୁଲମାଳରେ ଲଦି ହୋଇଯାଇଥାନ୍ତି ମୁର୍ତ୍ତିଗୁଡିକ । ଭଗବାନଙ୍କ ଆଗରେ ବଡ ଛୋଟ ହୋଇ ବହୁତ ଦୀପ ଜଳୁଥାଏ । ଥାଳି ଥାଳି ଭୋଗ, ମିଠାଇ ନଡିଆ କଦଳୀ ଆଉ କେତେ ଜାତି ଫଳମୂଳ ସବୁ ଥୁଆ ହୋଇଛି । ଘଣ୍ଟ ଘଣ୍ଟି ଶଂଖ ଶବ୍ଦରେ ମନ୍ଦିର ଗୁଞ୍ଜରି ଉଠୁଛି । ଧୂପର ବାସ୍ନାରେ ମନ୍ଦିରସାରା ମହକି ଯାଉଥାଏ । ଆଦିଆ ତାର ବାପାକୁ ପଚାରିଲା, ବାପା ମନ୍ଦିରରେ ଏ ପଣ୍ଡାମାନେ କଣ କରୁଛନ୍ତି । ଆମେ ମନ୍ଦିର ଆସିଲେ ଭୋଗବି ଆଣିଲେ, ଆମେ ନିଜେ କଣ ଭଗବାନଙ୍କୁ ଏ ଭୋଗ ଖାଇବାକୁ ଦେଇ ପାରିବାନି ? ଆମେ ଭୋଗଦେଲେ ଭଗବାନ କଣ ଭୋଗ ଖଇବେନି ? ଆଦିଆର ବାପା ଆଦିଆର ମୁହଁ ଉପରେ ହାତରଖି ତାକୁ ଚୁପ୍ ରହିବାକୁ କହିଦେଇ ଚାରିଆଡକୁ ଥରେ ଆଖି ବୁଲେଇ ଦେଖିନେଲା, ଆଦିଆର କଥା ଆଉ କେହି ଶୁଣିନିତ? ଆଦିଆ କାନରେ ଚୁପ୍ କରି କହିଲେ ସେମିତି କଥା କହନ୍ତିନି, ଏଇ ପଣ୍ଡାମାନେ ପରା ଭଗବାନ ଆଉ ଅନ୍ୟ ସାଧାରଣ ଲୋକମାନଙ୍କ ଭିତରେ ମଧ୍ୟସ୍ତି କାମ କରନ୍ତି । ସେମାନେ ପୂଜାକଲେ ଭଗବାନ ଜଲଦି ଶୁଣିବେ । ଭଗବାନଙ୍କ ମୂର୍ତ୍ତିରେ ଚଢେଇବାକୁ ଯେଉଁ ଫୁଲ ଆଣିଚୁ ପଣ୍ଡାଙ୍କୁ ଦେ, ଘରେ ଗଲେ ଭଗବାନଙ୍କ ଆଗରେ ଧୂଦ ଦେବୁ, ଦୀପ ଜାଳିବୁ ଆଉ ଭଗବାନଙ୍କୁ ମୁଣ୍ଠିଆ ମାରିବୁ, ଧର୍ମ ହେବ । ଆଦିଆ ଦୁଇହାତ ଜୋଡି ଭଗବାନଙ୍କୁ ପ୍ରଣାମ କଲା । ମାଆ କହିଲେ ସେମିତି ନୁହେଁ, ତଳେ ବସି ପ୍ରଣାମ କର । ଆଦି ଆଣ୍ଠୁମାଡି ବସିପଡିଲା ଭୁଇଁରେ ମୁଣ୍ଡଲଗାଇ ଭଗବାନଙ୍କୁ ପ୍ରଣାମକଲା ।


ଦର୍ଶନ ସରିଲାପରେ ସେମାନେ ମନ୍ଦିର ବାହାରକୁ ଆସିଲେ, ମନ୍ଦିର ବେଢାରେ ଅନେକ ଲୋକ ବସି ଖୋଳ ତାଳ ଗିନି ଖଞ୍ଜଣୀ ବଜେଇ ଭଜନ କୀର୍ତ୍ତନ କରୁ ଥାଅନ୍ତି, ମନ୍ଦିର ବେଢା ସେ ଶବ୍ଦରେ କମ୍ପି ଉଠୁଥାଏ । ମନ୍ଦିର ସାମ୍ନା ରାସ୍ତାଉପରେ କେତେ ଲୋକ ଧାଡି ହୋଇ ତଳେ ବସିଥାଆନ୍ତି, ଭୁଇଁରେ ପୁରୁଣାଲୁଗା ଖଣ୍ଡେ ଖଣ୍ଡେ ପକେଇ ଲୋକଙ୍କୁ ପଇସା ମାଗୁଥାଆନ୍ତି । କାର୍ତ୍ତିକ ମାସରେ ଦାନ ପୂଣ୍ୟକର ଧର୍ମ ହେବ ବୋଲି କହୁ ଥାଆନ୍ତି । ବାପା ଆଦି ହାତରେ କିଛି ଖୁଚୁରା ପଇସା ଧରାଇଦେଇ କହିଲେ ନେ, ସେଇ ଯେଉଁ ଲୋକମାନେ ବସି ମାଗୁଛନ୍ତି ସେମାନଙ୍କୁ ଏଇ ଖୁଚୁରା ପଇସା ବାଣ୍ଟିଦେ, କାର୍ତ୍ତିକ ମାସରେ ବହୁତ ଧର୍ମ ହେବ । ଆଦି ପଇସାନେଇ ସେମାନଙ୍କୁ ଦେଲା, ଭଗବାନ ତୁମର ମଙ୍ଗଳ କରନ୍ତୁବୋଲି ସେମାନେ ଆଦିକୁ ଆଶିର୍ବାଦ କଲେ ।


ଫେରିବା ବାଟରେ ଆଦିଆକୁ ତାର ବାପା ଧର୍ମ ବିଷୟରେ ଅନେକ କଥା ବୁଝେଇ କହିଲେ, କହିଲେ ଦେଖ ଆଦିଆ ତୁ ବଡ ହୋଇଗଲେ ବାର ମାସରେ ତେର ପର୍ବ ପାଳନ କରିବୁ, ଏକାଦଶୀରେ ଓପାଷ ରଖିବୁ, କାର୍ତ୍ତିକ ମାସରେ ଆଇଁଷ କି ପିଆଜ ରସୁଣ ଜମ୍ମାରୁ ଛୁଇଁବୁନି ଆଉ ବର୍ଷସାରା ସୋମବାର, ଗୁରୁବାର, ଶନିବାରଦିନ ଆଇଁଷ ଖାଇବୁନି, ଦେଖିବୁ ବହୁତ ଧର୍ମ ହେବ । ସବୁଦିନ ସକାଳ ସଞ୍ଜରେ ଠାକୁରଙ୍କ ପାଖରେ ଦୀପ ଜାଳିବୁ, ଧୂପଦେବୁ, ପ୍ରଭୂଙ୍କୁ ପ୍ରଣାମ କରିବୁ, ତୁଳସୀରେ ନିତି ପାଣି ଦେବୁ, ବୁଉଝୁ କି ନବୁଝ ନିତି ଗୀତା, ଭାଗବତ, ପୁରାଣ ପଢିବୁ, ଗୋ-ବ୍ରାହ୍ମଣଙ୍କୁୁ ପ୍ରଣାମକରିବୁ, ଭୀକାରିକୁ ଦାନ ଦେବୁ ଦେଖିବୁ ବହୁତ ଧର୍ମ ହେବ ।


ଧର୍ମ ଅର୍ଜନ କରିବା ପାଇଁ ମାଆ ବାପା ଯାହା କରିବାକୁ କହିଲେ, ଆଦିଆ ସବୁ ମାନିଲା, ଯେପରି କହିଲେ ସବୁକିଛି କରି ଚାଲିଲା । ହଠାତ ଦିନେ ତା ମନରେ ଗୋଟାଏ ପ୍ରଶ୍ନ ଆସିଲା, ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରବଳ ଇଚ୍ଛାହେଲା, ପ୍ରକୃତରେ ଏଇ ଧର୍ମଟା କିପରି ଜିନିଷ ଆଉ ଏତେ ସବୁ ଧର୍ମକାମ କଲାପରେ ତା ଖାତାରେ କିଛି ପୂଣ୍ୟ ଜମା ହେଲା କି ନାହିଁ ? ସେ ମାଆ ପାଖକୁ ଯାଇ ଏ ବିଷୟରେ ପଚାରିଲା, କହିଲା ମାଆ ଏଇ ଧର୍ମଟା କଣ ? ତୁମେ ଯେପରି କହିଥିଲ ମୁଁ ସେମିତି ସବୁ କରୁଛି ତେବେ ଆଜି ପର୍ଯ୍ୟନ୍ତ ମୋ ଖାତାରେ କେତେ ପୂଣ୍ୟ ଜମା ହୋଇ ସାରିଲାଣି ? ମାଆ ଆଦିକୁ କୋଳକୁ ଟାଣିନେଲେ, ଟିକେ ଗେଲ କଲେ, ପୁଣି କହିଲେ, ଧନରେ ମୁଁ କଣ ଜାଣିଛି ଏଇ ଧର୍ମ କର୍ମ କ'ଣ କେମିତି ଜିନିଷ ? ଯାଆ ଏ ବିଷୟରେ ବାପାଙ୍କୁ ପଚାରିବୁ, ସିଏ କିଛି ଜାଣିଥିବେ ! ତାପରେ ଆଦିଆ ଯାଇ ତାର ବାପାଙ୍କୁ ପଚାରିଲା, ବାପା ଏଇ ଧର୍ମଟା କଣ? କେତେ ପୂଣ୍ୟ ମୋ ଖାତାରେ ଜମା ହେଲାଣି ? ବାପା କହିଲେ, ଆରେ ଆଦିଆ, ମୋତେ କଣ ଜଣାଅଛି ଏଇ ଧର୍ମର ମାନେ କ'ଣ ! ମୋ ବାପା ମାଆ ମୋତେ ଯାହା ଯେମିତି ଶିଖାଇଥିଲେ ମୁଁ କେବଳ ସେମିତି କରି ଆସୁଛି, ତୁ ମୋର ପୁଅ, ତେଣୁ ମୁଁ ଆମ ପରମ୍ପରା, ଧର୍ମ କର୍ମ କଥା ତୋତେ ଶିଖାଇ ଦେଲି । ଏତେସବୁ କଲାପରେ ମୁଁ ନିଜେବି ଜାଣିନି ଆଜିଯାଏ ମୋ ଖାତାରେ କେତେ ପୂଣ୍ୟ ଜମା ହୋଇ ସାରିଲାଣି ! ପଣ୍ଡିତେ କହନ୍ତି ଶାସ୍ତ୍ରରେ ଲେଖାଅଛି, ଧର୍ମ ବିଷୟରେ ସନ୍ଦେହ କରନ୍ତିନି କି ପ୍ରଶ୍ନ କରନ୍ତିନାହିଁ । ଯଦି ସନ୍ଦେହ କି ପ୍ରଶ୍ନ କରିବ ତେବେ ବହୁତ ପାପ ହେବ । ମଲାପରେ ମଣିଷ ନର୍କକୁ ଯିବ । ଯାଆ ଠାକୁରଙ୍କୁ ମୁଣ୍ଡିଆ ମାରି ଭୂଲ ହୋଇଗଲା ବୋଲି କହିଦେବୁ, ପାପ କଟିଯିବ କହି, ଆଦିଆର ବାପା ହାତଜୋଡି ଭଗବାନଙ୍କୁ ମୁଣ୍ଡିଆମାରି କହିଲା, ପ୍ରଭୂ ଆଦିଆ ଛୋଟ ପିଲାଟିଏ, ତାର ହିତାହିତ ଜ୍ଞାନ ନାହିଁ, ତାକୁ କ୍ଷମା କରିଦେବ ।


ବାପାଙ୍କ କଥା ଶୁଣି ଆଦିଆ ମନେ ମନେ ଭାବୁଥିଲା 'ପୁଣି ଏଇ ପାପଟା କ'ଣ????'


(ଗଳ୍ପଟି ଲେଖି ସାରିଲାପରେ ମୁଁ ମୋ ନିଜକୁ ପ୍ରଶ୍ନ କରୁଥିଲି, ସତରେ ଧର୍ମ ବିଷୟରେ ଆଦିଆର ବାପା ଅପକ୍ଷା ଆମେ କଣ କିଛି ଅଧିକା ଜାଣୁ ? ମୋତେ ଲାଗେ ଯେପରି ମୁଁ ବି ସେତେକି ଜାଣିଛି, ଯେତିକି ଆଦିଆର ବାପାକୁ ଜଣା ! ତା'ଠାରୁ ଅଧିକ କିଛି ମତେ ଜଣାନାହିଁ କିନ୍ତୁ ଆପଣ କଣ ଭାବନ୍ତି ?? ଆଶା କରୁଛି ନିଶ୍ଚୟ ଜଣେଇବେ !")

* ଗଳ୍ପଟି ମୋ କବିତା "ଧର୍ମ" ଉପରେ ଆଧାରିତ ।


***ॐ***



Rate this content
Log in