Rasmi Rekha Tripathy

Inspirational

4.0  

Rasmi Rekha Tripathy

Inspirational

ବିଭାଜନ

ବିଭାଜନ

4 mins
21.3K


ବିଭାଜନ

        : ସେମାନେ ପାକିସ୍ତାନ୍ କ’ଣ ପାଇଁ ଗଲେ ? ସେମାନେ ତ ହିନ୍ଦୁ l ପାକିସ୍ତାନରେ ଖାଲି ମୁସଲମାନ ରହନ୍ତି ପା ? ସେମାନେ ଭାରତରେ କ’ଣ ପାଇଁ ରହିଲେନି ? ଆମ ଦେଶ କାହିଁକି ଭାଗ ହେଲା ? ତେବେ ହିନ୍ଦୁ-ମୁସଲମାନ ଭାଇ-ଭାଇ କେମିତି ହେଲେ ? ସେମାନେ ବି କ’ଣ ବାବା ଆଉ ଦଦେଇଙ୍କ ଭଳି ମାଡଗୋଳ ଲାଗିଲେ ? ସୋନୁର ପ୍ରଶ୍ନର ଲହର ଲମ୍ବି ଚାଲିଥିଲା l ଆଉ ଲିସା ଚିନ୍ତା କରୁଥିଲା କ’ଣ ଉତ୍ତର ଦିଆ ଯାଇ ପାରିବ, କି ଭଳି ଉତ୍ତର ଦେଲେ ସୋନୁ ବୁଝି ପାରିବ ?

        ସୁଧୀର ଓ ସମୀର ଦୁଇ ଭାଇ l ସୁଧୀର ବଡ l ସମୀର ସାନ l ସୁଧୀରର ଝିଅ ଲିସା l ଏ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେବ l ସମୀରର ପୁଅ ସୋନୁ l ବୟସ ଛଅ ରୁ ସାତ ଭିତରେ l ସହର ହୋଇଥିଲେ ସ୍କୁଲ୍ ଯାଇ ତିନି ବର୍ଷ ହୋଇ ସାରନ୍ତାଣି l ଗାଆଁ ବୋଲି ଏବେ ଏବେ ସ୍କୁଲ୍ ଯିବା ଆରମ୍ଭ କରିଛି l ନ ଜାଣିବା ଲୋକ ଭାବନ୍ତି ସୋନୁ ଆଉ ଲିସା ଏକା ମାଆ ପେଟର
ଭାଇ ଭଉଣୀ l ସୁଧୀର ଓ ସମୀର ପାଖ ସହରରେ ଚାକିରି କରନ୍ତି l ଗାଆଁରୁ ଯିବା ଆସିବା କରନ୍ତି l ଦୁଇ ଯାଆ ଭିତରେ ବି ଅଦ୍ଭୁତ ମନର ମେଳ l ଦୁହିଁଙ୍କ ମଧ୍ୟରେ ମତ ଭେଦ ହେବା କେହି କେବେ ଦେଖିନି l

        ହଠାତ୍ ଦିନେ ଦେଖିବା ବେଳକୁ ସମୀର ପିଲାମାନଙ୍କୁ ନେଇ ଉଠିଲାଣି ସହରରେ l କାରଣ କ’ଣ ? ସୋନୁର ଭବିଷ୍ୟତ l ଇଂରାଜୀ ମାଧ୍ୟମରେ ପଢିବ l ଏଠି ଏ ଛୋଟ ଗାଆଁଟିରେ କ’ଣ ଅଛି ? ବଡ ଭାଇଙ୍କ ମତାମତକୁ ଅପେକ୍ଷା ନ ଥିଲା l ବାସ୍ l ଚାଲି ଯାଇଥିଲା l କେବଳ ସେତିକି ନୁହେଁ l କିଛି ମାସ ପରେ ଆସି ସେ ମାଗି ବସିଲା ତା’ ଭାଗ l ତା’ ଭାଗ  ବିକି ସହରରେ ଘର କିଣିବ l ସୁନା ଥାଳିକୁ ବିକି ସହରରେ କିଣିବ ପାରା ଭାଡିଟେ l ଗାଆଁର ନଖିଆ କକେଇ ଯିଏ କି ଇଂରେଜମାନଙ୍କ ପରି ବିଭେଦ ସୃଷ୍ଟି କରି ରାଜୁତି କରିବା ନୀତିରେ ବିଶ୍ୱାସ କରନ୍ତି, ସିଏ ପୂର୍ବରୁ ହିଁ ପ୍ରସ୍ତୁତ ହୋଇ ରହିଥିଲେ ସମୀରର ଭାଗ କିଣି ନେବା ପାଇଁ l

        ରାତି ପାହିଲେ ଅଗଷ୍ଟ ପନ୍ଦର l ଆଜି ଅଗଷ୍ଟ ଚଉଦ l ପାକିସ୍ତାନ୍ ଆକାଶରେ ଉଡୁଥିବ ସେମାନଙ୍କ ଦେଶର ଜାତୀୟ ପତାକା l ଆଜି ସେମାନଙ୍କର ସ୍ୱାଧୀନତା ଦିବସ l ଆକାଶକୁ ଚାହିଁଲା ଲିସା l ସେ ଦେଶରେ ଆକାଶଟା କେମିତି ଦେଖା ଯାଉଥିବ ? ପୁଣି ତଳକୁ ଚାହିଁଲା l ଦାଣ୍ଡ ପିଣ୍ଡାରେ ବସିଥିଲେ ଭଦ୍ରଲୋକମାନେ l କିଏ ବଡ ପକ୍ଷ ନେଇ କହୁଥିଲା ତ କିଏ ସାନ ପକ୍ଷ ନେଇ କହୁଥିଲା l

        ଘର ଭିତରେ ଦୁଇ ଯାଆ l ଦୋଷ ନ କରି ବି ଦୁହେଁ ଦୁହିଁଙ୍କୁ ଆଖି ଉଠେଇ ଚାହିଁ ପାରୁ ନ ଥିଲେ l ସମସ୍ତେ କୁହନ୍ତି ପର ଝିଅ ଯୋଗୁଁ ଘର ଭାଙ୍ଗେ l ଏଠି କିନ୍ତୁ ଭାଇ ଭାଇ ମଧ୍ୟରେ ମତ ଭେଦ l ସୁଧୀର ବି ସେତିକି ସକ୍ଷମ ନୁହେଁ ଯେ ପୁରା ସମ୍ପତ୍ତିଟା କିଣି ନେବ l ଏଣେ ସମୀର ତା’ ଜିଦରେ ଅଟଳ l

        ସୋନୁ ଲିସାକୁ ଟାଣି ନେଇଗଲା ଛାତ ଉପରକୁ l ଅନେକ ଦିନରୁ ତା’ ମନରେ ଖୁନ୍ଦି ହୋଇଥିଲା ପ୍ରଶ୍ନମାନଙ୍କର ସମାହାର l ପାକିସ୍ତାନରୁ କିଛି ଭକ୍ତ ଆସି ଶ୍ରୀମନ୍ଦିରକୁ ନିକଟ ଅତୀତରେ ବୁଲି ଯାଇଛନ୍ତି l ସେହି ଘଟଣାକୁ ନେଇ ଅନେକ ପ୍ରଶ୍ନ ସୋନୁ ମନରେ l

        ସେମାନେ କିଏ ? କ’ଣ ପାଇଁ ଗଲେ ପାକିସ୍ତାନକୁ ? ସେମାନେ ଗନ୍ଧିଆ ଲୋକ l ଆମ ସୈନ୍ୟମାନଙ୍କୁ ମାରି ଦେଉଛନ୍ତି l ତେବେ ଏ ହିନ୍ଦୁ ଲୋକମାନେ ସେଠି କାହିଁକି ରହୁଛନ୍ତି ?

        ସବୁ କିଛି ଶୁଣିବା ପରେ ଲିସା ସୋନୁକୁ କହିଲା ଦେଶ ବିଭାଜନର କାହାଣୀ l ମନଧ୍ୟାନ ଦେଇ ଶୁଣୁଥିଲା ସୋନୁ l

        : ଆଚ୍ଛା ନାନୀ ! ତେବେ ବାବା ଆଉ ଦଦେଇଙ୍କ ଭଳି ହିନ୍ଦୁସ୍ତାନୀ-ପାକିସ୍ତାନୀ ଭାଇ-ଭାଇ l ଆଉ ନଖିଆ ବାପା ହେଲେ ଇଂରେଜ l ତୁ ଜାଣିନୁ ନାନୀ ଏ ନଖିଆ ବାପା ହିଁ ମଝିରେ ମଝିରେ ବାବାଙ୍କ ପାଖକୁ ଯାଇ ଏତିକି ପଇସା ଦେବି କହି ବାବାଙ୍କ ମୁଣ୍ଡ ଖରାପ କରନ୍ତି l କେତେବେଳେ ବାଡି କଦଳୀ ତ କେତେବେଳେ ଖାଲ ବନ୍ଧର ମାଛ ନେଇ ଯାଆନ୍ତି l ବୋଉ ଦେଠେଇଙ୍କ ସହ ଫୋନରେ କଥା ହେବା ବେଳେ ମୁଁ ଶୁଣିଛି l ବାବା ବି କେମିତି କିଛି ବୁଝି ପାରୁନାହାନ୍ତି କେଜାଣି ? ଏ ନଖିଆ ବାପା ଜମ୍ମା ଭଲ ଲୋକ ନୁହଁନ୍ତି l ଗାଆଁରେ ସମସ୍ତଙ୍କ ଭିତରେ ଗଣ୍ଡଗୋଳ କରାନ୍ତି ବୋଲି ରାଜୁ କହୁଥିଲା l

        : ଆଚ୍ଛା ନାନୀ ! ଗାଆଁରୁ ଆମ ଭାଗ ବିକା ହୋଇଗଲେ, ମୁଁ ଆଉ ବୋଉ ଗାଆଁକୁ ଆସି ପାରିବୁନି ନା ? ଅଗଷ୍ଟ୍ ପନ୍ଦର ଆଉ ଜାନୁଆରୀ ଛବିଶିରେ ମଜା କରି ପାରିବିନି ନା ? ସେଠି ପହଁରିବା ପାଇଁ ବନ୍ଧ ନାହିଁ l ମୋ ସାଙ୍ଗରେ ଖେଳିବା ପାଇଁ ସାଙ୍ଗ ନାହାନ୍ତି l ସେଠି ପାସ୍ ନ ଥିଲେ ପ୍ୟାରେଡ୍ ଦେଖିବାକୁ ଯାଇ ହେବନି l  ତୁ ବି ତ ସେଠି ନାହୁଁ l ହଠାତ୍ କ’ଣ ଚିନ୍ତା କଲା କେଜାଣି, ଲିସା କିଛି ବୁଝିବା ପୂର୍ବରୁ ତାକୁ ଚମକେଇ ଦେଇ ଦୌଡି ଦୌଡି ତଳକୁ ଚାଲିଗଲା ସୋନୁ l ଦାଣ୍ଡ ପିଣ୍ଡାରେ ଠିଆ ହୋଇ ଗଲା ଭଦ୍ରଲୋକଙ୍କ ଗହଣରେ l କେହି କିଛି କହିବା ଆଗରୁ ସେ ଶୁଣେଇ ଦେଲା ତା’ର ନିଷ୍ପତ୍ତି l

        : ସେ ଗାଆଁ ଛାଡି ଯିବନି l ଦଦେଇ ଦେଠେଇଙ୍କୁ ଛାଡି ଯିବନି l ଲିସା ନାନୀକୁ ଛାଡି ଯିବନି l ଇଂରାଜୀ ମାଧ୍ୟମ ସ୍କୁଲରେ ପଢିବନି l

        ବଡମାନଙ୍କ କଥା ମୁଣ୍ଡ ନ ଖେଳେଇବା ପାଇଁ ସମୀର ପୁଅକୁ ଆକଟ କଲା ବେଳକୁ କବାଟ କୋଣରୁ ସୋନୁ ମାଆ ଧିର ଅଥଚ ସ୍ପଷ୍ଟ ଭାବରେ କହିଲେ ସେ ମଧ୍ୟ ଏ ଗାଆଁ ଛାଡି କୁଆଡେ ଯିବେ ନାହିଁ l

        ଉପସ୍ଥିତ ଭଦ୍ରଲୋକଙ୍କ ମଧ୍ୟରେ ନିରବତା ଛାଇ ଯାଇଥିଲା l ନିଜଲୋକଙ୍କ ଅସହଯୋଗ ସମୀରକୁ ହତବାକ୍ କରି ଦେଇଥିଲା l ଭଦ୍ରଲୋକମାନେ ଜଣେ ଜଣେ ହୋଇ ଚାଲି ଯାଇଥିଲେ l ପରାଜିତ ସୈନିକ ଭଳି ଚାଲି ଯାଉଥିଲେ ନଖିଆ ବାପା l

        ଦାଣ୍ଡ ପିଣ୍ଡାରୁ ନଜର ଉଠେଇ ଦେଉଳ ଆଡେ ଚାହିଁଲା ଲିସା l ଦେଉଳକୁ ଲାଗି ସ୍କୁଲ୍ l ସ୍କୁଲର ପିଅନ୍ ଆଉ କେତେ ପିଲା ମିଶି ଜାତୀୟ ପତାକାରେ ବିଭିନ୍ନ ରଙ୍ଗର ଫୁଲକୁ ରଖି ପ୍ରସ୍ତୁତ କରୁଥିଲେ ପରଦିନ ପତାକା ଉତ୍ତୋଳନ ପାଇଁ l

        ମନେ ମନେ ଭାବୁଥିଲା ଲିସା 1947 ମସିହାରେ ଏମିତି କିଛି ଗୋଟିଏ ଘଟଣା ଘଟି ନ ଥାନ୍ତା ? ଆଜି ହୁଏ ତ ଦେଶ ବିଭାଜନ ଦୁଃଖ ଭୋଗିବାକୁ ପଡି ନ ଥାନ୍ତା ଦୁଇ ଦେଶର ନାଗରିକଙ୍କୁ l

 

 

 


Rate this content
Log in

Similar oriya story from Inspirational