Rasmi Rekha Tripathy

Others

0.6  

Rasmi Rekha Tripathy

Others

ଆବିର୍ଭାବ

ଆବିର୍ଭାବ

1 min
475



       ଖରାବେଳେ ସମସ୍ତେ ଶୋଇ ପଡିଥିବା ବେଳେ ମୁଁ, ମୋ ନାନୀ ଓ ପାଖାପାଖି ବୟସର ସାତ ଆଠ ଜଣ ପିଲା ପୂର୍ବ ଯୋଜନା ଅନୁଯାୟୀ ବାରି ପଟ ମୁଣ୍ଡିଆ ଉପରକୁ ଯାଇଥିଲୁ ଠାକୁର ଠାକୁର ଖେଳିବା ପାଇଁ l ପ୍ରତି ବର୍ଷ ଖରାଛୁଟିରେ ଗାଆଁକୁ ଗଲେ ମୁଁ ଓ ମୋର ସମବୟସୀ ପିଲାମାନେ କିଛି ନା କିଛି ନୂତନ ଯୋଜନା କରିଥାଉ l ଏ ବର୍ଷର ଯୋଜନା ଅନୁଯାୟୀ ସାଙ୍ଗରେ ଚୁଆ, ସିନ୍ଦୂର, କିଛି ବଣଫୁଲ, ବଣୁଆ କୋଳି ଇତ୍ୟାଦି ଧରି ଯାଇ ଥିଲୁ ମୁଣ୍ଡିଆ ଉପରକୁ l ମୁଣ୍ଡିଆ ଉପରେ ଥିବା ଗୋଟିଏ ଗୋଲାକୃତି ପଥରରେ ଚୁଆ ବୋଳି, ସେଥିରେ ସିନ୍ଦୂର ଲଗେଇ, ଗାଆଁରେ ପୂଜାରୀ ପୂଜା କଲା ଭଳି ପୂଜା କରି ଓ ପ୍ରସାଦ ସେବନ କରି ଫେରିଯାଇଥିଲୁ ନିଜ ନିଜ ଘରକୁ l ସକାଳୁ ନାନୀର ଡାକରେ ମୁଁ ଧଡପଡ ହୋଇ ଉଠିଲି l ଗାଆଁ ଦାଣ୍ଡରେ କୋଳାହଳ l ନାରୀ ପୁରୁଷ ନିର୍ବିଶେଷରେ ସମସ୍ତେ ମୁହେଁଇଛନ୍ତି ମୁଣ୍ଡିଆ ଆଡକୁ l କଣ ନା, ମୁଣ୍ଡିଆ ଉପରେ ଠାକୁରାଣୀ ଆବିର୍ଭାବ ହୋଇଛନ୍ତି l ସକାଳୁ ଝରି ଗଉଡୁଣୀ ଦେଖି ଆସି ଗାଆଁରେ ସମସ୍ତଙ୍କୁ କହିଛି l ସମସ୍ତଙ୍କ ସହ ଆମେ ବି ଗଲୁ ମୁଣ୍ଡିଆ ଉପରକୁ l ସେଠି ରୀତିମତ ମେଳାର ଆୟୋଜନ l ଠାକୁରାଣୀଙ୍କ ପାଇଁ ଅସ୍ଥାୟୀ ଆସ୍ଥାନଟିଏ ବି ତିଆରି ହୋଇଗଲାଣି l ପରେ ମନ୍ଦିର ହେବ l ଏମିତି କେତେ କଣ ଯୋଜନା l ଆମେ ଆଠ ଜଣ କାନ୍ଦ କାନ୍ଦ ଦେଖା ଯାଉଥିଲୁ l କାହାରିକୁ କହି ପାରିଲୁନି ଯେ ଆମ ଠାକୁର ଠାକୁର ଖେଳର ଚୁଆ ସିନ୍ଦୂର ବୋଳା ପଥରଟିକୁ ସେମାନେ ଠାକୁରାଣୀଙ୍କ ଆବିର୍ଭାବ ବୋଲି କହୁଛନ୍ତି l



Rate this content
Log in