STORYMIRROR

Rasmi Rekha Tripathy

Others

4  

Rasmi Rekha Tripathy

Others

ଅମେରୁଦଣ୍ଡୀ

ଅମେରୁଦଣ୍ଡୀ

2 mins
613


       ସେ ଦୁହେଁ ଅଲଗା ହୋଇ ଯାଇଛନ୍ତି ଶୁଣି ଧକ୍କା ଲାଗିଲା ମୋତେ l ପ୍ରଥମରୁ ହିଁ ମୋତେ ରୋହିତ୍ ଭଲ ଲାଗୁ ନ ଥିଲା l ବ୍ଲେଡରେ ହାତ କାଟିବା, ଶ୍ୱେତାକୁ ମାନସିକ ଯନ୍ତ୍ରଣା ଦେବା l ମୋତେ ସବୁ ଅଭିନୟ ହିଁ ଲାଗୁଥିଲା l ଏହା କି ପ୍ରକାର ଭଲ ପାଇବା ମୁଁ ଜାଣି ପାରୁ ନ ଥିଲି l ମୁଁ ତାକୁ ବହୁତ ବୁଝେଇଛି ... କିନ୍ତୁ ସିଏ ବୁଝିଲେ ତ ? ରୋହିତ୍ କଥାରେ ପଡି ସେ କ୍ଲାସକୁ ଯାଏନି l ବହୁତ ରାଗ ଲାଗେ ମୋତେ l କିନ୍ତୁ ଶ୍ୱେତା ବୁଝେନା କିଛି l ମୁଁ ଚାକିରି ପାଇବା ପରେ ଓଡିଶା ବାହାରକୁ ଚାଲି ଆସିଥିଲି l ବହୁତ ଦିନ ପର୍ଯ୍ୟନ୍ତି ଶ୍ୱେତାର ଖବର ରଖି ନ ଥିଲି (ଜାଣି ଶୁଣି) l ଭାବିଥିଲି ସେ ଦୁହେଁ ବାହା ହୋଇ ଯାଇଥିବେ l କିନ୍ତୁ ସେ ଦିନ ମାର୍କେଟରେ ରୋହିତ୍ ଆଉ ଗୋଟିଏ ଝିଅକୁ ତା ସ୍ତ୍ରୀ ବୋଲି ପରିଚୟ କରିବା ବେଳେ ସ୍ୱତଃ ମୋ ପାଟିରୁ ବାହାରି ଆସିଲା ଶ୍ୱେତା କଥା l ନିର୍ବିକାର ଭାବେ ରୋହିତ୍ କହିଲା, “ବାପା ମାଆ ରାଜି ହେଲେନି, ଆଉ ସାତ ବର୍ଷର ସମ୍ପର୍କ ପାଇଁ ମୁଁ ସତେଇଶି ବର୍ଷର ସମ୍ପର୍କକୁ କାଟି ଦେଇ ପାରିଲି ନାହିଁ l”


ପ୍ରଥମେ ଭାବିଲି କହିବି ଯେ, “ସାତ ବର୍ଷର ସମ୍ପର୍କ ଯୋଡିବା ଆଗରୁ ସତେଇଶି ବର୍ଷର ସମ୍ପର୍କର ଅନୁମତି ନେବା ଜରୁରୀ ଥିଲା l” କିନ୍ତୁ ଯେଉଁ ଜନ୍ତୁଟିର ମେରୁଦଣ୍ଡ ହିଁ ନାହିଁ ତାକୁ ଏ ସବୁ ପଚାରି ତାରୁ ଗୁରୁତ୍ୱ ଆଉ ମୁଁ ବଢେଇବାକୁ ଚାହିଁ ନ ଥିଲି ଓ ସେଇଠାରୁ ଫେରି ଆସିଥିଲି l ଆଉ ସବୁ ଠାରୁ ସାନ୍ତ୍ୱନାର କଥା ଥିଲା ଯେ ଶ୍ୱେତା ସାମୟିକ ଭାବରେ କଷ୍ଟ ପାଇଲେ ବି ନିଜ ପାଦ ତଳର ମାଟି ଟିକକ ଫେରି ପାଇଥିଲା l ଏବଂ ମୁଁ ବହୁତ ଭାଗ୍ୟବାନ୍ ଯେ ସେହି ଅମେରୁଦଣ୍ଡୀ ପ୍ରାଣୀଟିର କାପୁରୁଷତା ଯୋଗୁଁ ଶ୍ୱେତା ଆଜି ମୋର ପତ୍ନୀ l



Rate this content
Log in