Lopamudra Mishra

Inspirational

4  

Lopamudra Mishra

Inspirational

ଗରିବ କୃଷ୍ଣ

ଗରିବ କୃଷ୍ଣ

4 mins
899



 ଚିଣ୍ଟୁର ଘରେ ଆଜି ଜନ୍ମାଷ୍ଟମୀ ପାଇଁ ସଜାସଜି ଚାଲିଛି । ମାମା ଆଉ ଜେଜେମାଆଙ୍କର ଉପବାସ । ବିଭିନ୍ନ ପ୍ରକାର ପିଠା ମିଠା ପ୍ରସ୍ତୁତି ହେଉଛି । କିଛି ସ୍ୱାଦିଷ୍ଟ ମିଷ୍ଠାନ୍ନ ବାହାରୁ ଶୁଦ୍ଧ ନିରାମିଷ ମିଷ୍ଠାନ୍ନ ଭଣ୍ଡାରରୁ ମଗାଯାଇଛି । ଚିଣ୍ଟୁର ଆଜି ସ୍କୁଲ୍ ଛୁଟି । ସେ ଓ ତା' ବଡ଼ ଭଉଣୀ ଟିନି ଘରେ ବସି ଭିଡ଼ିଓ ଗେମ୍ ଖେଳି ଖେଳି ବିରକ୍ତ ହେଇଗଲେଣି । ସେମାନେ ବାହାରକୁ ଯାଇ ଖେଳିବାକୁ ଚାହୁଁଛନ୍ତି । କିନ୍ତୁ ବାହାରେ ଝିପିରି ଝିପିରି ବର୍ଷା ହେଉଥିବାରୁ ମାମା ବାହାରକୁ ଛାଡୁନାହାଁନ୍ତି । ଏତିକି ବେଳେ ତାଙ୍କଘରେ ଝାଡୁ,ପୋଛା କାମ କରୁଥିବା ମିନିମାଉସୀଙ୍କର ପୁଅ ରାଜୁ ଆସିଲା । ମିନିମାଉସୀ ତାକୁ ପଠେଇଥିଲେ ବୋଧେ କ'ଣ ଗୋଟେ କାମରେ । ରାଜୁ, ଚିଣ୍ଟୁର ମାମାଙ୍କ ଠାରୁ କିଛି ଗୋଟେ ନେଇ ପକେଟ୍ ରେ ରଖିଲା ଓ ଫେରିଯିବାକୁ ବାହାରିଲା । ଚିଣ୍ଟୁ ଓ ଟିନି ଦୌଡ଼ିଯାଇ ରାଜୁକୁ ଅଟକେଇଲେ ଆଜି ତାଙ୍କ ସାଙ୍ଗରେ ଖେଳିବାପାଇଁ ରହିଯିବାକୁ । 


--ନାଇଁ ଚିଣ୍ଟୁ ମୁଁ ରହିପାରିବିନି । ମାଆ ରାଗିବ । ତୁମ ମାମାଙ୍କ ଠାରୁ ପଇସା ନେଇକିଯାଉଛି, ବଜାର ଯିବି ପରା ।


--ବଜାର କାହିଁକି ଯିବୁ ? 


--ଆଜି ପା ଜନ୍ମାଷ୍ଟମୀ, କାକୁଡି କଦଳୀ କିଣିକି ନେବି ।


--ତୁ ନିଜେ କିଣିବୁ ରାଜୁ ? 


--ହଁ ମୁଁ ତ ସବୁବେଳେ ବଜାରରୁ ଜିନିଷ କିଣିବାକୁ ଏକା ଏକା ଯାଏ । 


  "ରାଜୁ ସତରେ ? ତୁ ଆଉ କ'ଣ କିଣିକି ନେବୁ ?", ଟିନି ପଚାରିଲା ।


--ଆଉ କିଛି ନୁହେଁ ଟିନିଦିଦି । ମାଆ ନଡ଼ିଆ କିଣିକି ରଖିଛି । ହଁ ମିଶ୍ରି ନେବି ।


"ବାସ୍ ଏତିକି ? ", ଚିଣ୍ଟୁ ଆଶ୍ଚର୍ଯ୍ୟ ହେଇ ପଚାରିଲା ଓ ରାଜୁ ମୁଣ୍ଡ ହଲେଇ ସହମତି ଜଣେଇଲା । ଚିଣ୍ଟୁ ପୁଣି ଆଶ୍ଚର୍ଯ୍ୟ ହେଇ ତା ଦିଦିକୁ ପଚାରିଲା, "ଦିଦି ଆମର ତ ଆଜି କେତେ ସବୁ ପିଠା ମିଠା ତିଆରି ହେଇଛି, ରାଜୁଘରେ କାହିଁକି ହେଉନି ? " । ଚିଣ୍ଟୁ, ରାଜୁକୁ ଜଣେଇଲା କେମିତି ଆଜି ତାଙ୍କର ଖିରି, ଖିରା, କାକରା, ଲଡ୍ଡୁ, ପଞ୍ଜିରୀ, ମାଲପୁଆ, ରାବିଡ୍ଡି, ଦହି, ଛେନା, ଲହୁଣୀ,ରସଗୋଲା ଇତ୍ୟାଦି ଭୋଗ ପାଇଁ ସଜାହେଇ ରହିଛି । ମିଠାମାନଙ୍କର ନାଁ ଗୁଡାକ ଶୁଣୁ ଶୁଣୁ ରାଜୁର ପାଟିରେ ଲାଳ ଭର୍ତ୍ତି ହେଇଗଲା । ସେ ଛେପ ଢ଼ୋକି କହିଲା, "ନାଇଁ ଆମର ଏସବୁ କିଛି ହେଇନି । ମାଆ କାହିଁକି କରିନି କେଜାଣି ? " ।

ଟିନି ସେମାନଙ୍କ ଭିତରେ ସାମାନ୍ୟ ବଡ଼ । ସେ ମୁରବୀ ପଣିଆ ଦେଖେଇ କହିଲା, "ରାଜୁ, ତୁମର କାହିଁକି ଏସବୁ ତୋ ମାଆ କରିନାହାଁନ୍ତି ମୁଁ ଜାଣେ । "


"କାହିଁକି ଦିଦି ? ",ରାଜୁ ଓ ଚିଣ୍ଟୁ ଏକାସାଙ୍ଗରେ ପଚାରିଲେ ।


"ଏଇଥିପାଇଁ ଯେ ରାଜୁ, ତୁମ କୃଷ୍ଣ ଠାକୁର ଗରିବ । ବୁଝିଲୁ? ସେଥିପାଇଁ ତୋ ମାଆ କିଛି କରିନାହାଁନ୍ତି । ସେ ଗରିବ ଠାକୁର କେବଳ କଦଳୀ, କାକୁଡି, ନଡ଼ିଆ ଖାଆନ୍ତି ।",ଟିନି କହିଲା 


"ଦିଦି ରାଜୁଘର କୃଷ୍ଣ କେମିତି ଗରିବ ହେଲେ ?, ଚିଣ୍ଟୁ ପଚାରିଲା 


"ଗରିବ ନୁହେଁ ତ ଆଉ କ'ଣ ?", ଟିନି ଉତ୍ତର ଫେରେଇଲା 


--ଦିଦି ଆମ କୃଷ୍ଣ କ'ଣ ଧନୀ ? 


--ହଁ ଚିଣ୍ଟୁ ଆମ କୃଷ୍ଣ ଧନୀ । ତୁ ଯାଉନୁ ମାମାଙ୍କୁ ପଚାରିବୁ, ପାପା ପରା ଆମ କୃଷ୍ଣଙ୍କୁ ବହୁତ ଟଙ୍କା ଦେଇ କିଣିଥିଲେ । ପାପା କହୁଥିଲେ ଆମ କୃଷ୍ଣ ବହୁତ କଷ୍ଟ୍ଲି । ଆମ କୃଷ୍ଣଙ୍କ ବଂଶୀଟା ରୁପାରେ ତିଆରି । ଆମ କୃଷ୍ଣଙ୍କର ରୁପାର ଝୁଲା ଅଛି । ରାଜୁ ଅଛି ତୁମ କୃଷ୍ଣଙ୍କର ଏସବୁ ? 


--ନାଇଁ ଟିନିଦି ଆମର ଏସବୁ ନାହିଁ । ଆମର ଆଣ୍ଠୁଆ ଗୋପାଳ ଯେଉଁ ଅଛନ୍ତି ସେ ବହୁତ ଛୋଟ । ମୋ ପାପୁଲିରେ ପା ଧରିଯିବେ । ଆରବର୍ଷ ମାଆ ଆଉ ମୁଁ ମଙ୍ଗଳା ମନ୍ଦିର ପାଖ କଂସା ପିତ୍ତଳ ଦୋକାନରୁ ତାଙ୍କୁ କିଣିଥିଲୁ । ମାଆ ସତୁରୀ ଟଙ୍କା ଦେଲା, ସେ ଦୋକାନୀ ରାଜି ହେଲାନି । ଶହେଟଙ୍କା ନେବ କହିଲା । ମୋ ଅପାର ପୁଅ ପାଇଁ କୁନି ଷ୍ଟିଲ୍ ଗିନାଟେ କିଣିଥିଲୁ ସେଇଟାକୁ ଫେରେଇଦେଲାରୁ କୁନି ଆଣ୍ଠୁଆ ଗୋପାଳଙ୍କୁ କିଣିପାରିଲୁ । 


    ରାଜୁ ତାଙ୍କ ଆଣ୍ଠୁଆ ଗୋପାଳଙ୍କ ପୁରା ଇତିହାସ ଓ ଆଉ ତାଙ୍କ ଦରଦାମ୍ କହୁଥିଲା ବେଳେ ଚିଣ୍ଟୁ ମନେ ମନେ ଭାବୁଥିଲା, "ମଣିଷ-ମଣିଷ ଭିତରେ ତ ଧନୀ-ଗରିବ ଥାଆନ୍ତି, କିନ୍ତୁ ଠାକୁର ମାନଙ୍କ ଭିତରେ ବି ଏମିତି ଥାଏ! " । ଚିଣ୍ଟୁର ଛୋଟ ହୃଦୟ ରାଜୁଘର ଗରିବ କୃଷ୍ଣଙ୍କ ପାଇଁ ଦୁଃଖରେ ଭରିଗଲା । ସେ ଟିନିକୁ ପୁଣି ପଚାରିଲା, "ଦିଦି ମଣିଷମାନଙ୍କୁ ତ ଧନୀ-ଗରିବ ଠାକୁର କରିଛନ୍ତି ବୋଲି ଜେଜେମାଆ କହୁଥିଲେ, ତାହେଲେ ଠାକୁରଙ୍କୁ କିଏ ଧନୀ-ଗରିବ କରି ତିଆରି କଲା? "


"ଆରେ ବୋକା ଏତିକି ଜାଣିନୁ ? ମଣିଷ ତିଆରି କଲା । ମଣିଷ ତିଆରି କରି ବିକିଲା ଆଉ ଧନୀମାନେ ଧନୀ ଠାକୁର, ଗରିବମାନେ ଗରିବ ଠାକୁର କିଣିଲେ । ବୁଝିଲୁ ? ବୋକା କୋଉଠିକାର ",ଟିନି କହିଲା ।


   ରାଜୁ, ଟିନି ଓ ଚିଣ୍ଟୁ ସେତେବେଳରୁ ଡ୍ରଇଂରୁମରେ ଗପୁଛନ୍ତି ଦେଖି ଚିଣ୍ଟୁର ମାମା ସେମାନଙ୍କ ପାଖକୁ ଆସିଲେ ଓ ରାଜୁକୁ ଅନେଇ କହିଲେ, "କିରେ ରାଜୁ ସେତେବେଳୁ ଏଠି କ'ଣ କରୁଛୁ ? ଯାଉନୁ ବଜାରରୁ କଣ ନେବା କଥା ନେଇକି ଯିବୁ । ତୋ ମାଆ ପରା ପୂଜା କରିବ ? ହଁ ଶୁଣୁ, ରାତିରେ ତୋ ମାଆକୁ କହିବୁ ଆସିବ । ଖିରି, ପିଠା ନେଇଯିବ, ତୁ ଖାଇବୁ । ମନେ କରିକି କହିବୁ । ଭୁଲିବୁନି । ହଉ ଯାଆ ଏବେ ।"


 ରାଜୁ ଚାଲିଯାଉଥିଲା, ଚିଣ୍ଟୁ ତା'କୁ ଟିକେ ଅପେକ୍ଷାକରିବାକୁ କହିଲା । ଚିଣ୍ଟୁର ମାମା ପଚାରିଲେ "କଣ ହେଲା ଚିଣ୍ଟୁ ? ତାକୁ ପୁଣି କାହିଁକି ଅଟକେଇଲୁ? "


  ଚିଣ୍ଟୁ ବଡ଼ ବିକଳ ହେଇ କହିଲା, "ମାମା, ତୁମେ ଯେଉଁ ଭୋଗ ସବୁ ଆମ କୃଷ୍ଣଙ୍କ ପାଇଁ ସଜାଡି ରଖିଛ, ସେଇଥିରୁ କିଛି ରାଜୁକୁ ବି ଦିଅ ପ୍ଳିଜ୍ । "


--ହଁ ଦେବି ପରା ରାତିରେ । ଆମ ଠାକୁରଙ୍କ ପାଖରେ ଆଗ ଭୋଗ ଲାଗିସାରୁ । 


"ନାଇଁ ମାମା ଏବେ ଦିଅ । ତାଙ୍କ ଠାକୁର ବି ଖାଇବେ । ତାଙ୍କ କୃଷ୍ଣ ନା ବହୁତ ଗରିବ ଠାକୁର । କଦଳୀ, କାକୁଡି ଛଡ଼ା କେବେ କିଛି ଖାଇନାହାଁନ୍ତି । ଦିଅନା ପ୍ଳିଜ୍ ମାମା ।", ଛୋଟ ଚିଣ୍ଟୁ ତା ମାମାଙ୍କ ପାଖରେ ଏତିକି ଅଳି କରୁ କରୁ କାନ୍ଦି ପକେଇଲା ।



Rate this content
Log in

Similar oriya story from Inspirational